Unknown

 

 

 

 

 

 

 

 

 

୧୩୮ତମ ସଂଖ୍ୟା କୋଣାର୍କ ୨୦୦୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

ପଣ୍ଡିତ କୃପାସିନ୍ଧୁ ମିଶ୍ର ବିଶେଷାଙ୍କ

 

ଡକ୍ଟର ଗଣେଶ୍ଵର ମିଶ୍ର

ଉପଦେଷ୍ଟା

 

ଡକ୍ଟର ହୁସେନ୍ ରବିଗାନ୍ଧୀ

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ଇଂ. ପ୍ରଭାକର ସ୍ଵାଇଁ

ଶ୍ରୀ ରବୀନ୍ଦ୍ରନାଥ ଦାସ ।

ସମ୍ପାଦକ

 

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

ପରିଚାଳନା ସମ୍ପାଦକ

 

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବଦାକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ସମ୍ପାଦକୀୟ

ସୂଚୀ

ଜାତୀୟବିଦ୍ୟାଳୟର ସାଧକ ପଣ୍ଡିତ କୃପାସିନ୍ଧୁ ମିଶ୍ର

 

ପଠାଣି ପଟ୍ଟନାୟକ

ପଣ୍ଡିତ ଗୋପବନ୍ଧୁଙ୍କ ଦୃଷ୍ଟିରେ କୃପାସିନ୍ଧୁ ମିଶ୍ର

 

ବାଉରୀବନ୍ଧୁ କର

କୃପାମୟ କୃପାସିନ୍ଧୁ ଜନହିତକର

 

କୁମୁଦିନୀ ମିଶ୍ର

କୋଣାର୍କ ମନ୍ଦିରର ରହସ୍ୟ ଗୁମ୍ପିତ ବିବରଣୀ ଓ କୃପାସିନ୍ଧୁ

 

ହରିହର ପଣ୍ଡା

ପଣ୍ଡିତ କୃପାସିନ୍ଧୁ ମିଶ୍ର : ସ୍ରଷ୍ଟା ମାନସ

 

ପ୍ରସନ୍ନ କୁମାର ସ୍ୱାଇଁ

କୃପାସିନ୍ଧୁଙ୍କ ଦୃଷ୍ଟିରେ ବାରବାଟୀ ଦୁର୍ଗ

 

ପୂର୍ଣ୍ଣଚନ୍ଦ୍ର ମିଶ୍ର

ଓଡ଼ିଶା ଇତିହାସ ଆଲୋଚନାରେ କୃପାସିନ୍ଧୁଙ୍କ ମୌଳିକ

ଦୃଷ୍ଟି ଓ ଦିଗନ୍ତ

 

ହରିଶ୍ଚନ୍ଦ୍ର ବେହେରା

କୃପାସିନ୍ଧୁଙ୍କ ଗଦ୍ୟଶୈଳୀ

 

ସାବିତ୍ରୀ ସାମନ୍ତରାୟ

ଐତିହାସିକ କୃପାସିନ୍ଧୁ ମିଶ୍ର : ବ୍ୟକ୍ତିତ୍ଵ ଓ କୃତିତ୍ୱ

 

ମଧୁସ୍ମିତା ମିଶ୍ର

ଜାତିସ୍ମର ଐତିହାସିକ କୃପାସିନ୍ଧୁଙ୍କ ତତ୍ତ୍ୱ ଜିଜ୍ଞାସା

 

ଅପୂର୍ବ ରଞ୍ଜନ ରାୟ

ପ୍ରାବନ୍ଧିକ କୃପାସିନ୍ଧୁ

 

ବାବାଜୀ ଚରଣ ପଟ୍ଟନାୟକ

କୃପାସିନ୍ଧୁଙ୍କ ଲେଖନୀରେ ଓଡ଼ିଶା ଇତିହାସର ନୂତନ ଝଲକ

 

ଲକ୍ଷ୍ମୀକାନ୍ତ ମିଶ୍ର

ଶିକ୍ଷକ କୃପାସିନ୍ଧୁ

 

ହେମନ୍ତ କୁମାର ପରିଡ଼ା

ଜାତୀୟ ବିଦ୍ୟାଳୟ : ସତ୍ୟବାଦୀ ବନବିଦ୍ୟାଳୟ

 

ବିଜୟାନନ୍ଦ ସିଂହ

ବ୍ୟକ୍ତି ଓ ବ୍ୟକ୍ତିତ୍ଵ ବିଚିତ୍ରା-ପଣ୍ଡିତ କୃପାସିନ୍ଧୁ

 

ରଶ୍ମି ରଞ୍ଜନ ମହାପାତ୍ର

 

ଏକାଡେମୀ ସମାଚାର

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯-ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ଵତ ପତ୍ରିକାର ସ୍ଵତ୍ଵ ଆଦି ସମ୍ବନ୍ଧୀୟ ବିବରଣୀ ।

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ବିଶେଷ ସଂଖ୍ୟା ବ୍ୟତୀତ)

୬.

ପ୍ରକାଶକଙ୍କ ନାମ

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଗିରିଜା କୁମାର ବଳୀୟାରସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୮.

ସମ୍ପାଦକଙ୍କ ନାମ

ଡକ୍ଟର ହୁସେନ୍ ରବି ଗାନ୍ଧୀ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା, ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ଵାସମତେ ସତ୍ୟ ଅଟେ ।

 

 

ଚନ୍ଦ୍ର ଶେଖର ଦାସବର୍ମା

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

 

ହାୟ, ଏବେ କଣ ଆଉ ଜଣେ କୃପାସିନ୍ଧୁ

ଓଡ଼ିଶାରେ ଜନ୍ମିବେ ନାହିଁ ?

 

ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବରେଣ୍ୟ ପ୍ରତିଭା ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ଐତିହାସିକ ଓ ଗବେଷକ ଭାବରେ ଓଡ଼ିଶାରେ ସୁପ୍ରତିଷ୍ଠିତ । ୧୮୮୭ ମସିହା ଆଷାଢ଼ ମାସ ଶୁକ୍ଳପକ୍ଷ ଗଜ ଷଷ୍ଠୀ ତିଥିରେ ତାଙ୍କର ଜନ୍ମ । ମୃତ୍ୟୁ ୧୯୨୬ ମସିହା ଫେବୃୟାରୀ ମାସ ୧୩ ତାରିଖ । ମାତ୍ର ୩୯ ବର୍ଷ ବୟସରେ ସେ ଯେଉଁ ଅସାମାନ୍ୟ ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇଗଲେ, ତାହା ବାସ୍ତବିକ ବିସ୍ମୟକର । ଜଣେ ମେଧାବୀ ଛାତ୍ର ଭାବରେ ସେ ଇତିହାସରେ ଏମ୍.ଏ. ପାସ କରିଥିଲେ । ସେ କାଳରେ ସେ ଚାହିଁଥିଲେ ହୁଏତ କୌଣସି ସରକାରୀ ଉଚ୍ଚ ପଦରେ ନିଯୁକ୍ତି ପାଇ ମୋଟା ଅଙ୍କର ଦରମା ପାଇପାରିଥାନ୍ତେ । ମାତ୍ର ତାଙ୍କର ଚାକିରି ପ୍ରତି ମୋହ ନଥିଲା, ପଦ ପଦବୀ ପ୍ରତି ଆଗ୍ରହ ନଥିଲା । ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଆସି ଦେଶ ଓ ଜାତିର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରି ଦେଲେ ।

 

ପଣ୍ଡିତ ଗୋପବନ୍ଧୁ ଥିଲେ ଉତ୍କଳପ୍ରାଣ ଜନହିତୈଷୀ ସ୍ଵାଧୀନଚେତା ବ୍ୟକ୍ତି । ଓକିଲାତି ପାସ୍ କରି ମଧ୍ୟ ସେ ଓକିଲାତି ବୃତ୍ତି ଦ୍ଵାରା ଜୀବିକା ନିର୍ବାହ କରିବାକୁ ପସନ୍ଦ କରି ନାହୀତି । ଉତ୍କଳ ଜନନୀଙ୍କ ଦୁଃଖ ତାଙ୍କୁ ବିଚଳିତ କରିଛି । ସେ ଶପଥ କରିଛନ୍ତି, ମରଣପୂର୍ବରୁ ଉତ୍କଳର ଉନ୍ନତି ଦେଖି ମରିବେ । ସେ ମଧ୍ୟ ଶପଥ କରି ନେଇଛନ୍ତି ତାଙ୍କର ଅନ୍ତରଙ୍ଗ ବନ୍ଧୁମାନଙ୍କୁ । ସେଇମାନଙ୍କ ମଧ୍ୟରେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସ ପ୍ରମୁଖ । ୧୯୦୯ ମସିହାରେ ପଣ୍ଡିତ ଗୋପବନ୍ଧୁ ସାକ୍ଷୀଗୋପାଳଠାରେ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନବିଦ୍ୟାଳୟ ଓ ତାହାହିଁ ହେଲା ଓଡ଼ିଶାର ଏକମାତ୍ର ଜାତୀୟ ବିଦ୍ୟାଳୟ । କୁଳବୃଦ୍ଧ ମଧୁସୂଦନଙ୍କ ଭାଷାରେ ଏହା ଏକ ମଣିଷ ତିଆରି କାରଖାନା । ଏହି ବନବିଦ୍ୟାଳୟରେ ଶିକ୍ଷକତା କଲେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର । ସମସ୍ତେ ଉଚ୍ଚ ଶିକ୍ଷିତ । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଜାତୀୟ ଯଜ୍ଞ ବେଦୀରେ ନିଜ ନିଜକୁ କଲେ ଉତ୍ସର୍ଗୀକୃତ । କୃପାସିନ୍ଧୁ ଇତିହାସର ଶିକ୍ଷକ । ଓଡ଼ିଶାର ଇତିହାସ ଉପରେ ଗୁରୁତ୍ୱ ଦେଇ ଛାତ୍ରମାନଙ୍କୁ ଇତିହାସ ଶିକ୍ଷା ଦେଲେ । ଇତିହାସର ସେ ହେଲେ ଏକନିଷ୍ଠ ଗବେଷକ । ତାଙ୍କ ପୂର୍ବରୁ ଇଂରାଜୀ ଭାଷାରେ ଷ୍ଟର୍ଲି (୧୮୨୨) ଓ ହଂଟର (୧୮୭୨) ମସିହାରେ ଓଡ଼ିଶାର ଇତିହାସ ରଚନା କରିଥିଲେ । ମାତ୍ର ତାହା ଥିଲା ତ୍ରୁଟିପୂର୍ଣ୍ଣ ଓ ଅପୂର୍ଣ୍ଣ । ପ୍ୟାରୀମୋହନ ଆଚାର୍ଯ୍ୟ ୧୮୭୯ ମସିହାରେ ରଚନା କରିଥିଲେ ଓଡ଼ିଶାର ଇତିହାସ । ଓଡ଼ିଆ ଭାଷାରେ ଏହାହିଁ ହେଉଛି ପ୍ରଥମ ଓଡ଼ିଶାର ଇତିହାସ । ଏହାପରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ରଚନା କଲେ ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ । ବାରବାଟୀ ଦୁର୍ଗ ୧୯୧୭ ମସିହାରେ ପ୍ରକାଶିତ ହେଲା । କୋଣାର୍କ ପୁସ୍ତକ ସେ ପ୍ରକାଶ କଲେ ୧୯୧୮ ମସିହାରେ । ଏଇ ୩ ଖଣ୍ଡ ପୁସ୍ତକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଐତିହାସିକ ପ୍ରତିଭାର ସାର୍ଥକ ନିଦର୍ଶନ । ଯେପରି ଭାବେ ସେ ବାରବାଟୀ ଦୁର୍ଗ ଓ କୋଣାର୍କ ମନ୍ଦିରର ଇତିହାସକୁ ଅନୁଶୀଳନ କରିଅଛନ୍ତି ଓ ସେ ସବୁର ଐତିହାସିକ ତତ୍ତ୍ୱକୁ ଆବିଷ୍କାର କରି ଜାତି ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ବାସ୍ତବିକ ତାହା ଅନନ୍ୟ । ଠିକ୍ ସେହିପରି ତାଙ୍କ ଦ୍ୱାରା ରଚିତ ଉତ୍କଳର ଇତିହାସ ମଧ୍ୟ ତାଙ୍କ ନିରପେକ୍ଷ ଦୃଷ୍ଟି । ତାଙ୍କଦ୍ୱାରା ରଚିତ ଉତ୍କଳର ଇତିହାସ ମଧ୍ୟ ତାଙ୍କ ନିରପେକ୍ଷ ଦୃଷ୍ଟିକୋଣର ପରିଚୟ ଦିଏ । ଅବଶ୍ୟ ଏହା ସତ୍ୟ ଯେ, ପଣ୍ଡିତ କୃପାସିନ୍ଧୁ ଯେତେବେଳେ ଓଡ଼ିଶାର ବାରବାଟୀ ଅଥବା କୋଣାର୍କର ଇତିହାସ ପ୍ରଣୟନ କରିଥିଲେ, ସେତେବେଳେ ତାଙ୍କର ମାନସ ସ୍ତରରେ ଜାତୀୟତାବୋଧ କାର୍ଯ୍ୟ କରୁଥିଲା । ତେବେ ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରି ନଥିଲା । ଉଦାର ଦେଶପ୍ରେମରେ ସେ ଉଦ୍‍ବୁଦ୍ଧ ହୋଇଥିଲେ । ବାରବାଟୀ ବା କୋଣାର୍କ ପୁସ୍ତକ ଅଧ୍ୟୟନ କଲାବେଳେ ପାଠକ ମନେକରେ, ସତେଯେପରି ସେ କୌଣସି ଏକ ରସସ୍ନିଗ୍ଧ ସାହିତ୍ୟ ପୁସ୍ତକ ପାଠ କରୁଅଛି । ଉତ୍କଳର ଇତିହାସ ମଧ୍ୟ ଅନୁରୂପ ଏକ ରଚନା । ଖାରବେଳଙ୍କ ଠାରୁ କ୍ରମାନ୍ୱୟରେ ଓଡ଼ିଶାର ଇତିହାସ ସମ୍ପର୍କରେ ଯେଉଁସବୁ ତଥ୍ୟ ସେ ଆହରଣ କରି ଅଛନ୍ତି, ତାହାକୁ ଉପଜୀବ୍ୟ କରି ସେ ରଚନା କରିଛନ୍ତି ପୁରୀର ଜଗନ୍ନାଥ ମନ୍ଦିର । କୋଣାର୍କ ମନ୍ଦିର, ଓଡ଼ିଶାର ଗଜପତି ରାଜାମାନଙ୍କର ବିବରଣୀ, ଓଡ଼ିଶାର ସ୍ୱାଧୀନତା ବିଲୋପ ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଯେପରି ଭାବେ ଉପସ୍ଥାପନା କରିଛନ୍ତି, ତାହା ବାସ୍ତବିକ ପାଠକକୁ ଅଭିଭୂତ କରେ । ତାଙ୍କର ‘କୋଣାର୍କ’ ଇତିହାସ ପଣ୍ଡିତ ନୀଳକଣ୍ଠକୁ ପ୍ରେରଣା ଦେଇଛି ‘କୋଣାର୍କ’ ପରି କାବ୍ୟ ଲେଖବାକୁ ।

 

ପଣ୍ଡିତ କୃପାସିନ୍ଧୁ କେବଳ ଜଣେ ଐତିହାସିକ ନଥିଲେ, ଅଧିକନ୍ତୁ ସେ ଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକ । ‘କା’ ପ୍ରବନ୍ଧଟି ତାଙ୍କର ଗବେଷଣାତ୍ମକ ପ୍ରତିଭାର ନିଦର୍ଶନ । ତାଙ୍କର ପ୍ରବନ୍ଧର ଭାଷା ସାବଲୀଳ, ସରଳ ଓ ବୋଧଗମ୍ୟ । ଶବ୍ଦ ସଂଯୋଜନା ଓ ବାକ୍ୟ ଗଠନର ଶୈଳୀ ଅନନ୍ୟ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବିଶେଷ କରି ‘ବଙ୍ଗଭଙ୍ଗ’ (୧୯୦୫)ର ପ୍ରତିବାଦରେ ବଙ୍ଗ ପ୍ରଦେଶରେ ଏବଂ କ୍ରମେ ସାରା ଭାରତରେ ଦେଶାତ୍ମବୋଧକ ଭାବଧାରା ତୀବ୍ର ରୂପ ଗ୍ରହଣ କରିଥିଲା । ୧୭୫୭ରେ ପଳାସୀ ଯୁଦ୍ଧରେ ବିଜୟୀ ହୋଇ ଇଂରେଜମାନେ ପ୍ରଥମେ ବଙ୍ଗଦେଶ ଓ ତାପରେ ଧୀରେ ଧୀରେ ସମଗ୍ର ଭାରତବର୍ଷକୁ ଅଧିକାର କରି ଭାରତୀୟ ସଂସ୍କୃତି, ସଭ୍ୟତା, ଧର୍ମ, ଲୋକାଚାର ଇତ୍ୟାଦି ବିରୁଦ୍ଧରେ ଯେଉଁ ବର୍ବର ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ କାର୍ଯ୍ୟ କରି ଚାଲିଲେ, ତାହା ଭାରତୀୟମାନଙ୍କୁ କ୍ରୋଧିତ କରିଥିଲା । ଫଳତଃ ୧୮୫୭ର ପ୍ରଥମ ଜାତୀୟ ସଶସ୍ତ୍ର ମୁକ୍ତି ଆନ୍ଦୋଳନ ସଂଘଟିତ ହୋଇ ଇଂରେଜ ସାମ୍ରାଜ୍ୟର ମୂଳଦୁଆ ଦୋହଲାଇ ଦେଇଥିଲା-। ଯଦିଓ ଛଳେ, ବଳେ କୌଶଳେ ଏହି ଜାତୀୟ ମୁକ୍ତି ସଂଗ୍ରାମକୁ ଇଂରେଜମାନେ ଦମନ କରି ଦେଇଥିଲେ, ମାତ୍ର ଭାରତୀୟମାନଙ୍କ ହୃଦୟରେ ସ୍ୱାଧୀନତାର ପ୍ରବଳ ପିପାସାକୁ ଇଂରେଜମାନେ ଅବଦମିତ କରି ପାରିନଥିଲେ ।

 

ମୁକ୍ତିର ଏହି ପ୍ରବଳ ତୃଷ୍ଠା ବଙ୍ଗଭଙ୍ଗ ଆନ୍ଦୋଳନ ମାଧ୍ୟମରେ ବଙ୍ଗ ଦେଶ ଓ କ୍ରମେ କ୍ରମେ ସାରା ଭାରତରେ ଜାତୀୟତାର ପ୍ରବଳ ପ୍ରବାହ ପ୍ରବାହିତ ହେବାରେ ଲାଗିଲା । ୧୯୧୬ ମସିହାରେ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରି ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଇ ଦେଶବାସୀଙ୍କ ମନ-ପ୍ରାଣରେ ଜାତୀୟତା ଭାବର ଯେଉଁ ଅମନ୍ଦ ମନ୍ଦାକିନୀ ପ୍ରବାହିତ କରିବାରେ ସଫଳ ହୋଇଥିଲେ, ସତ୍ୟବାଦୀର ଛୁରୀଅନା ବଣ ଭିତରେ ସ୍ଥାପିତ ଜାତୀୟ ବିଦ୍ୟାଳୟ ସେଇ ଜାତୀୟତା ଭାବର ପରିପ୍ରକାଶ ଥିଲା । ସେହି ବିଦ୍ୟାଳୟର ପ୍ରତିଷ୍ଠାତା ପୁଣ୍ୟତ୍ମା ଗୋପବନ୍ଧୁ ଓ ତାଙ୍କର ବନ୍ଧୁ ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ ଏବଂ ଆଚାର୍ଯ୍ୟ ହରିହର, ସମସ୍ତେ ଥିଲେ ଓଡ଼ିଶା ମାଟିରେ ସେହି ଜାତୀୟତାର ଜାହ୍ନବୀକୁ ଭଗୀରଥ ସମ ପ୍ରବାହିତ କରାଇବାରେ ସଫଳକାମ ପୌରାଣିକ ଚରିତ୍ର ଭଗୀରଥଙ୍କ ତ୍ୟାଗପୂତ ଓ ତପସ୍ୟାମୟ ଜୀବନ ଠାରୁ କିଛି ବି ନ୍ୟୁନ ନଥିଲା ସେମାନଙ୍କ ସାମୂହିକ ସାରସତ ଓ ସାଂସ୍କୃତିକ ସାଧନା ।

 

ସତ୍ୟବାଦୀର ଏହି ପାଞ୍ଚଜଣ ମହାନ୍ ସାଧକ କେବଳ ସ୍ଵାଧୀନତା ସଂଗ୍ରାମର ସେନାନୀ ନଥିଲେ, ସେମାନେ ସାରସ୍ୱତ, ସାଂସ୍କୃତିକ, ସମାଜ ସଂସ୍କାର ଓ ଶିକ୍ଷାପ୍ରସାର ପାଇଁ ବିଶେଷକରି ନାରୀ ଶିକ୍ଷାର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଏମାନଙ୍କ ମଧ୍ୟରେ ପଣ୍ଡିତ କୃପାସିନ୍ଧୁଙ୍କ ସ୍ଥାନ ଥିଲା ଅନନ୍ୟ । କାରଣ ଅତୀତ ଇତିହାସର ସଠିକ୍ ଅଧ୍ୟୟନ ଓ ମୂଲ୍ୟାୟନ ହିଁ ଜାତୀୟତାର ନବଜାଗରଣର ପ୍ରବେଶ ଦ୍ଵାର । ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସହିତ ସେ ଇତିହାସ ପଢ଼ାଇବା କାର୍ଯ୍ୟକୁ ନିଜର ମୁଖ୍ୟ କର୍ତ୍ତବ୍ୟଭାବେ ଗ୍ରହଣ କରିଥିଲେ ।

 

ଏହି ଯୋଗଜନ୍ମା ପୁରୁଷ ଖୁବ ସ୍ୱଳ୍ପକାଳ ଲାଗି ପୃଥିବୀରେ ରହିଥିଲେ ବି ନିଜର ଅସାଧାରଣ ପାଣ୍ଡିତ୍ୟ, ଦେଶପ୍ରେମ ଓ ଶିକ୍ଷା ତଥା ଜାତୀୟ ଇତିହାସ ପାଇଁ ଯେଉଁ ଅବଦାନ ଦେଇ ଯାଇଛନ୍ତି, ସେଥିପାଇଁ ଓଡ଼ିଆ ଜାତି ତାଙ୍କ ନିକଟରେ ପ୍ରଳୟ ପର୍ଯ୍ୟନ୍ତ ଋଣୀ ହୋଇ ରହିଥିବ । ସତ୍ୟବାଦୀ ଗୋଷ୍ଠୀଙ୍କ ଭିତରେ ସର୍ବକନିଷ୍ଠ ଏହି ଯୋଗଜନ୍ମା ସାରସ୍ୱତ ସାଧକ, ଐତିହାସିକ, ଶିକ୍ଷାବିତ୍ ତଥା ଜାତୀୟତାବାଦୀ ନେତା ପଣ୍ଡିତ କୃପାସିନ୍ଧୁ ସର୍ବପ୍ରଥମେ ଏ ପୃଥିବୀରୁ ବିଦାୟ ଘେନିଥିଲେ ୧୯୨୬ ସାଲରେ । ମାତ୍ର ୪୦ ବର୍ଷ ଶରୀର ଧାରଣ କରି ପଣ୍ଡିତ କୃପାସିନ୍ଧୁ ଓଡ଼ିଆ ଜାତିର ଇତିହାସକୁ ଯେପରି ତର୍ଜମା କରି ଯାଇଛନ୍ତି, ତାହା ଅନେକ ଶତାୟୁ ପଣ୍ଡିତମାନଙ୍କ ପକ୍ଷେ ମଧ୍ୟ ସମ୍ଭବପର ହୋଇପାରି ନାହିଁ ।

 

ପଣ୍ଡିତ କୃପାସିନ୍ଧୁଙ୍କ ମହନୀୟ ସ୍ମୃତି ପ୍ରତି “କୋଣାର୍କ’’ର ଏଇ ବିଶେଷ ସଂଖ୍ୟାଟି ପ୍ରକାଶିତ କରି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏହି ପୁଣ୍ୟାତ୍ମାଙ୍କର ଜାତି ପ୍ରତିଥିବା ଋଣକୁ କିଞ୍ଚିତ ପରିମାଣରେ ପରିଶୋଧ କରିବାକୁ ହିଁ ଉଦ୍ୟମ କରିଛି । ଆଜି ବି ଏ ହତଭାଗା ଜାତିରେ ପଣ୍ଡିତ କୃପାସିନ୍ଧୁଙ୍କ ପରି ଜଣେ ଐତିହାସିକ ପୁରୁଷର୍ଷଭ ଜନ୍ମ ହେବାର ଆବଶ୍ୟକତା ଅଛି । କାରଣ, ଏ ଜାତିର ବହୁ ମହନୀୟ ଐତିହାସିକ ଅଧାୟମାନଙ୍କୁ ଅନେକ ଗବେଷକ ସ୍ୱୀୟ ସାଧନା ଓ ତପସ୍ୟା ବଳରେ ମାଟିତଳୁ ଖୋଳି ଜଗତ ସମ୍ମୁଖକୁ ଆଣିଲେ ବି, ତାକୁ ବିଶ୍ୱାସ କରିବାକୁ ଏଇ ଓଡ଼ିଶା ମାଟିର କିଛି ତଥାକଥିତ ଇତିହାସ ଶିକ୍ଷକ ନାରାଜ । ନିଜେ କୌଣସି ଗବେଷଣା ବା ସାଧନା କରିବେ ନାହିଁ, ଆଉଜଣେ ଯଦି ସେଇ କାମଟି କରି ଜନମାନସରେ ପ୍ରଶଂସିତ ହୋଇଗଲା, ତେବେ ଏ କଙ୍କଡ଼ାମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଏ ଏବଂ ଯେତେଶୀଘ୍ର ସମ୍ଭବ, ବିଚରା ଗବେଷଣାନିଷ୍ଠ ସାଧକଟିର ଗୋଡ଼ ଟାଣି ଧରିବା ପାଇଁ ପ୍ରତିଯୋଗିତା ଲାଗିଯାଏ ।

 

ଏବେ ଇତିହାସର କିଛି ଗବେଷକ ଗୌତମବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇଥିଲେ ବୋଲି ସ୍ୱୀୟ ଐତିହାସିକ ଗବେଷଣାରୁ ସିଦ୍ଧ କରିବା ପାଇଁ ଉଦ୍ୟମ କରନ୍ତେ, କଙ୍କଡ଼ାମାନଙ୍କ ମଧ୍ୟରେ ଗୋଡ଼ଟାଣି ଏଇ ଗବେଷକଙ୍କୁ ପାନେ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଗଲା । ସତ୍ୟବାଦୀର ଏଇ ମହାମନିଷୀମାନେ ଅନ୍ତତଃ ଏ ପ୍ରକାର ଓଡ଼ିଶା ଦେଖିବାକୁ ଆମ ଭିତରେ ନାହାନ୍ତି । ନଚେତ୍ ସେମାନେ ନିଜ ସ୍ୱପ୍ନର ଓଡ଼ିଶାକୁ ଏଭଳି କଡ଼ା ଜାତିରେ ରୂପାନ୍ତରିତ ହେବାର ଦେଖିଥିଲେ, ସେମାନଙ୍କ ହୃଦୟ ଓ ମସ୍ତିଷ୍କରେ ଚଡ଼କପାତ ହେବା ନିଶ୍ଚିତ ଥିଲା ।

 

ତେଣୁ କରି ଆଜି ପଣ୍ଡିତ କୃପାସିନ୍ଧୁଙ୍କ ପରି ଜାତିପ୍ରାଣ ଐତିହାସିକଙ୍କର ଓଡ଼ିଶାରେ ଅନେକ ଆବଶ୍ୟକତା ଅଛି । ହାୟ, ଏ ଜାତିରେ କଣ ଆଉ ଜଣେ କୃପାସିନ୍ଧୁ ଜନ୍ମଲାଭ କରିବେ ନାହିଁ ?

‘ବନ୍ଦେ ଉତ୍କଳ ଜନନୀ'

(ହୁସେନ ରବିଗାନ୍ଧୀ)

***

 

Unknown

ଜାତୀୟ ବିଦ୍ୟାଳୟର ସାଧକ ପଣ୍ଡିତ କୃପାସିନ୍ଧୁ ମିଶ୍ର

ପଠାଣି ପଟ୍ଟନାୟକ

 

ସତ୍ୟବାଦୀ ଜାତୀୟ ବିଦ୍ୟାଳୟ

୧୯୦୨ ମସିହା ଗ୍ରୀଷ୍ମ ଅବକାଶ ସମୟ । ଚାରିଜଣ ଯୁବକ ସତ୍ୟବାଦୀ ନିକଟ ଭାର୍ଗବୀ ନଦୀବନ୍ଧରେ ଦେଶସେବା କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏମାନେ ହେଲେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ହରିହର ଦାସ, ଓ ଅନନ୍ତ ମିଶ୍ର । ନିଷ୍ପତ୍ତି ହେଲା- ‘‘ଆମେ ଛାତ୍ରଜୀବନ ପରେ ଚାକିରି କରି ଆତ୍ମସେବା କରିବା ନାହିଁ । ଦେଶର ସେବାରେ ନିଜକୁ ଉତ୍ସର୍ଗ କରିଦେବା । ଜନ୍ମ ସମୟରେ ଦେଶର ଅବସ୍ଥା ଯାହା ଦେଖି ଆସିଚେ, ତାହାଠାରୁ ଉନ୍ନତ ଦେଖି ଶେଷନିଶ୍ୱାସ ତ୍ୟାଗ କରିବା ।’’

 

ଏହି ତରୁଣମାନେ ଜାତୀୟତା ଭାବନାରେ ଉଦ୍‍ବୁଦ୍ଧ ହେଲେ । ମି.ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଜାତୀୟବାଦୀ ଆନ୍ଦୋଳନ ସେମାନଙ୍କୁ ପ୍ରେରଣା ଯୋଗାଇଦେଲା-। ଏହା ଅଧିକ ଶାଣିତ ହେବାକୁ ଲାଗିଲା ୧୯୦୫ ମସିହାର ଐତିହାସିକ ବଙ୍ଗଭଙ୍ଗ ବିପ୍ଳବ ଯୋଗୁଁ-

 

ଏହି ତରୁଣମାନଙ୍କର ନେତା ଗୋପବନ୍ଧୁ ଅନୁଭବ କଲେ ଯେ କେବଳ ଶ୍ଳୋଗାନ ଓ ସାମୟିକ ଆନ୍ଦୋଳନରେ ଉପଯୁକ୍ତ ଲକ୍ଷ୍ୟ ପୂରଣ ହେବ ନାହିଁ । ତେଣୁ ଉପଯୁକ୍ତ ଶିକ୍ଷାର ପ୍ରସାର ଆବଶ୍ୟକ । ଏଥିପାଇଁ ଏଡୁକେସନ ଲିଗ ନାମରେ ଏକ ଅନୁଷ୍ଠାନ ଗଠିତ ହେଲା । ଏହାର ପ୍ରଥମ ସଭ୍ୟ ଓ ପୃଷ୍ଠପୋଷକ ତଥା କର୍ମୀ ହେଲେ ଏହି ଚାରିଜଣ ଉଦୀୟମାନ ଯୁବକ । ପରେ ଏମାନଙ୍କ ସହିତ ଯୋଗ ଦେଲେ ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ର ।

 

୧୯୦୯ ମସିହା ଅକ୍ଟୋବର ୧୨ ତାରିଖ କୁମାରପୂର୍ଣ୍ଣିମା ତିଥିରେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ଜନ୍ମଗ୍ରହଣ କଲା । ପ୍ରାଚୀନ ଭାରତର ଗୁରୁକୁଳ ଶିକ୍ଷାନୁଷ୍ଠାନ ଏହାର ଆଦର୍ଶ । ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀପ୍ରାପ୍ତ ଉଚ୍ଚଶିକ୍ଷିତ ଯୁବକଗଣ ସମସ୍ତ ପଦପଦବୀ ଓ ଅର୍ଥ ରୋଜଗାରର ପ୍ରଲୋଭନ ପରିତ୍ୟାଗ କରି ଅତିଶୟ ସାମାନ୍ୟ ଭତ୍ତା ଗ୍ରହଣପୂର୍ବକ ଏହି ମଣିଷଗଢ଼ା କାରଖାନାର କର୍ମୀଭାବରେ ଅତ୍ୟନ୍ତ ଆଗ୍ରହରେ ଯୋଗଦାନ କରିଥିଲେ । ଏହିପରି ନିଃସ୍ୱାର୍ଥପର ସେବା ଦେଶର ବହୁ ଗଣ୍ୟମାନ୍ୟ ଲୋକଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଏହି ପ୍ରସଙ୍ଗରେ ଏଠାରେ କତିପୟ ମନ୍ତବ୍ୟ ଉଦ୍ଧାର କରିବା ସମୀଚୀନ ହେବ । ଦେଶମାତୃକାର କଲ୍ୟାଣପାଇଁ ନିଃସ୍ୱାର୍ଥପର ସେବା ଓ ତ୍ୟାଗର ଉତ୍କଳ ଦୃଷ୍ଟାନ୍ତ ଥିଲା ଏହି ଜାତୀୟ ବିଦ୍ୟାଳୟ । ତତ୍କାଳୀନ ଇଂରାଜୀ ସମ୍ୱାଦପତ୍ର ‘‘The Star of Utkal” କହନ୍ତି –

 

“We are extremely glad to hear that the Satyabadi Higher Class English School is making steady progress year after year. The authorities of school are composed of young men who known how much they have to sacrifice for the improvement of their country and their nation. xxx such noble effect remind us of the selfsacrificing Professors of the Furgusson College, Poona where Hon'ble Mr Gokhale one day apprentioced as a school teacher.’’

 

("କଲିକତାରୁ ପ୍ରକାଶିତ ‘ନବ୍ୟଭାରତ’ ୧୯୧୩ ମସିହାରେ ତାଙ୍କର ୩୦ ବର୍ଷ ୨ୟ ସଂଖ୍ୟାରେ ଅଭିମତ ପ୍ରଦାନ କରି ଲେଖିଥିଲେ- “ଆମେ ବଙ୍ଗର ୰ଭୋଳାନାଥ ବସୁଙ୍କ ପ୍ରତିଷ୍ଠିତ ବାରାକପୁରର ଦାତବ୍ୟ ଚିକିତ୍ସାଳୟ ଦେଖିଛୁ । ଏ ବରଦାପ୍ରସାଦ ବସୁଙ୍କ ସାହାଯ୍ୟପ୍ରାପ୍ତ ‘ଆମତା’ର ସ୍କୁଲ କଥା ଜାଣିଛୁ । ଭୂଦେବଙ୍କ ବିଶ୍ୱନାଥ ଟ୍ରଷ୍ଟଫଣ୍ଡକୁ ଦାନର କଥା ଏବଂ ତାରକନାଥଙ୍କର ବିଶ୍ୱବିଦ୍ୟାଳୟକୁ ଦାନ କରିଥିବା ବିଷୟ ଅବଗତ ହୋଇଛୁ, କିନ୍ତୁ ଏପରି ସର୍ବସ୍ୱତ୍ୟାଗ ଏବଂ ତ୍ୟାଗମୟ ଜୀବନର ଦୃଷ୍ଟାନ୍ତ ଆମେ ଆଉ କୌଣସିଠାରେ ଦର୍ଶନ କରିବାକୁ ପାଇନାହିଁ । XXX ତୁମର ଦୃଷ୍ଟାନ୍ତ କି ବଙ୍ଗଦେଶକୁ ଅନୁପ୍ରାଣିତ କରିବ ନାହିଁ ?”

 

ସେହିପରି ୧୯୧୩ ମସିହାରେ କଲିକତାରୁ ପ୍ରକାଶିତ ‘ଦି ଗୃହସ୍ଥ’ ପତ୍ରିକାର ଚତୁର୍ଥ ବର୍ଷ ଦ୍ଵାଦଶ ସଂଖ୍ୟାରେ ମନ୍ତବ୍ୟ ଥିଲା- ‘‘ଶିକ୍ଷା ସଙ୍ଗେ ପରସେବା, ସ୍ୱାର୍ଥତ୍ୟାଗ ପ୍ରଭୃତି ସତ୍‍କର୍ମ ଦ୍ଵାରା ବାଳକମାନଙ୍କ ଭିତରେ କର୍ତ୍ତବ୍ୟବୋଧ ଜନ୍ମାଇବାର ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି ।

 

୧୯୧୫ ସାଲରେ ପ୍ରକାଶିତ “The Bihar Advote’ ତାଙ୍କର ଜୁନ୍‍ମାସ ୫ ତାରିଖ ସଂସ୍କରଣରେ ଲେଖୁଥିଲେ-

 

“ଆମ ଲୋକେ ଏପରି ସହନଶୀଳ ଭାବରେ ଏଭଳି କାର୍ଯ୍ୟରେ ନିଜକୁ ସ୍ୱୟଂ ନିଯୁକ୍ତି ଦେବା ସାଧାରଣତଃ ଦେଖାଯାଉ ନଥିବାରୁ, ସତ୍ୟବାଦୀ ସ୍କୁଲ ଭିତରେ କାର୍ଯ୍ୟରତ ଗୋଟିଏ କ୍ଷୁଦ୍ର, ଉତ୍ସାହୀ ଶିକ୍ଷାକର୍ମୀଦଳ ଦ୍ୱାରା ଏପରି ଆଖିଦୃଶିଆ କାର୍ଯ୍ୟ ‘ସରଭାଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟି’ର କାର୍ଯ୍ୟଠାରୁ ପୃଥକ ନୁହେଁ ।’’

 

କଲିକତା ହାଇକୋର୍ଟର ତତ୍କାଳୀନ ବିଚାରପତି ମାନ୍ୟବର ଶ୍ରୀ ଆଶୁତୋଷ ମୁଖାର୍ଜୀ ୧୯୧୭ ମସିହା ଜୁନ ୨ ତାରିଖରେ ଏହି ସ୍କୁଲ ପରିଦର୍ଶନ କରି ଅଭିମତ ପ୍ରଦାନ କରିଥିଲେ– ‘‘ଉଦ୍ୟୋକ୍ତାମାନଙ୍କର ଆଦର୍ଶ ଅତି ଉଚ୍ଚ, ସେମାନେ ଶୃଙ୍ଖଳା ଓ ସଂସ୍କୃତିର ଉପାସକ ଶିକ୍ଷାଦାନରେ ମାନସିକ, ଆଧ୍ୟାତ୍ମିକ ଓ ଶାରୀରିକ ମୂଲ୍ୟ ସେମାନେ ଉପଲବ୍ଧି କରିଛନ୍ତି । ସେମାନେ ଅତି ବିନୀତ ଭାବରେ କାର୍ଯ୍ୟ ଆରମ୍ଭ କରିଥିବାରୁ ସେମାନେ ନିଶ୍ଚୟ ସେମାନଙ୍କ କାର୍ଯ୍ୟର ବିଶାଳ ଫଳ ପ୍ରାପ୍ତ ହେବେ । ବଙ୍ଗଦେଶର ପ୍ରତ୍ୟେକ ଗ୍ରାମ ଏହି ସତ୍ୟବାଦୀସ୍କୁଲ ପରି ଅସଲ ଶିକ୍ଷା ଅନୁଷ୍ଠାନର ଅଧିକାରୀ ହୁଅନ୍ତୁ ଏହା ହିଁ ଜଣେ ଇଚ୍ଛା କରିବା ଉଚିତ ।)

 

(ଉପରୋକ୍ତ ଉଦ୍ଧୃତାଂଶଗୁଡ଼ିକ ଡାକ୍ତର ବିକ୍ରମ ଦାସଙ୍କ ଲିଖିତ ‘‘ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ’’ ପୁସ୍ତକ- ଓଡ଼ିଶା ସାହିତ୍ୟ ଏକାଡେମୀ ଖ୍ରୀ ୨୦୦୦ରୁ ଗ୍ରହଣ କରାଯାଇଛି ।)

 

ସେ କାଳରେ ଯେଉଁ ମୁଷ୍ଟିମେୟ କେତେଜଣ ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ହାସଲ କରିଥିଲେ, ଯୁବକ କୃପାସିନ୍ଧୁ ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ । ସେ ଇଚ୍ଛା କରିଥିଲେ ଇଂରେଜ ସରକାରଙ୍କ ସରକାରୀ ଦପ୍ତରରେ ଉଚ୍ଚ ପଦାଧିକାରୀ ଭାବରେ ଆଜୀବନ ସୁଖ ଓ ସମୃଦ୍ଧ ଜୀବନଯାପନ କରି ପାରିଥାଆନ୍ତେ । ମାତ୍ର କୃପାସିନ୍ଧୁ ଥିଲେ ଭିନ୍ନ ଏକ ବ୍ୟକ୍ତିତ୍ୱ । ଉଗ୍ର ଜାତୀୟ ଭାବନାର ଆହ୍ୱାନରେ ବରଣ କରିଥିଲେ ଏକ ତ୍ୟାଗପୂତଜୀବନ ଏବଂ ଅତ୍ୟନ୍ତ ସାମାନ୍ୟ ଅର୍ଥ ଗ୍ରହଣ କରି ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦାନ କଲେ । ତାଙ୍କର ପ୍ରେରଣାର ଉତ୍ସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ ।

 

ଖତଗଦାରେ ପଦ୍ମଫୁଲ

ପୁରୀ ସହର ନିକଟବର୍ତ୍ତୀ ବୀରହରେକୃଷ୍ଣପୁର ଶାସନଗ୍ରାମ । ଏହି ଗ୍ରାମରେ ଏକ କୁଳୀନ ଅଥଚ ଅତ୍ୟନ୍ତ ଦରିଦ୍ର ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ୧୮୮୭ ଖ୍ରୀଷ୍ଟାବ୍ଦ ଆଷାଢ଼ ଶୁକ୍ଳଗଜଷଷ୍ଠୀ ଦିବସରେ । ତାଙ୍କର ପିତାଙ୍କର ନାମ ଜନାର୍ଦ୍ଦନ ରଥ । ମାତାଙ୍କ ନାମ ଚନ୍ଦ୍ରମଣି । କୃପାସିନ୍ଧୁଙ୍କ ମାତୁଳାଳୟ ଥିଲା ଶ୍ରୀରାମଚନ୍ଦ୍ରପୁର ବ୍ରାହ୍ମଣଶାସନ । ଚାରିଗୋଟି ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନର ଜନକ ଥିଲେ ଜନାର୍ଦ୍ଦନ । କୃପାସିନ୍ଧୁ ଥିଲେ ଦ୍ୱିତୀୟ ପୁତ୍ର । ଅତିଶୟ ବାଲ୍ୟକାଳରେ ସେ ହେଲେ ପିତୃହୀନ । ଅନ୍ୟ ଏକ ବ୍ରାହ୍ମଣଶାସନ ବୀରପ୍ରତାପପୁରରେ ଭିକାରି ମିଶ୍ରଙ୍କ ଘର । ସେ ଥିଲେ କୃପାସିନ୍ଧୁଙ୍କର ମଉସା । ସେ ମଧ୍ୟ ଅକାଳରେ ଜୀବନଲୀଳା ସାଙ୍ଗ କରିଥିଲେ ଅତ୍ୟନ୍ତ ନିଃସ୍ୱ ଭାବରେ । ବାଲ୍ୟବିଧବା ମାଉସୀଙ୍କର ପୋଷ୍ୟପୁତ୍ର ଭାବରେ ଏହି ବାଲ୍ୟକାଳରୁ ଜନ୍ମ କଲା ମାତାଙ୍କ କୋଳରୁ ବଞ୍ଚିତ ହେଲେ । ପୋଷିଆ ହୋଇ ଯାଇଥିବାରୁ ଜନ୍ମିତ ପିତାଙ୍କ ସାଙ୍ଗିଆ ରଥ ପରିବର୍ତ୍ତେ ମଉସାଙ୍କ ସାଙ୍ଗିଆରେ ପରିଚିତ ହେଲେ କୃପାସିନ୍ଧୁ ମିଶ୍ର ଭାବରେ-। ଦାରିଦ୍ର୍ୟ ଓ ଦୁର୍ଭାଗ୍ୟ ବାଲ୍ୟକାଳରୁ ତାଙ୍କର ଥିଲା ଅନ୍ତରଙ୍ଗ ସହଚର । ପୋଷ୍ୟ ମା’ ମାଉସୀଙ୍କଠାରୁ ସେ କୌଣସି ସ୍ନେହ ଆଦର ପାଉନଥିଲେ । ଅତ୍ୟନ୍ତ ହତାଦର ଭାବରେ ବାଲ୍ୟଜୀବନ ଅତିବାହିତ ହେଉଥାଏ । ସେଠାରେ ମଧ୍ୟ ଦାରିଦ୍ର୍ୟର ତୀବ୍ରକଷାଘାତରେ ସେ ସନ୍ତୁଳି ହେବାକୁ ଲାଗିଲେ । ଶେଷରେ ଆଶ୍ରୟ ମିଳିଲା ମାମୁଙ୍କ ଘରେ ଶ୍ରୀରାମଚନ୍ଦ୍ରପୁର ଶାସନରେ । ମାଉସୀ ବିମଳାଙ୍କର କୌଣସି ଉପାୟ ନଥିଲା ପୋଷ୍ୟ ପୁଅକୁ ମଣିଷ କରିବା ପାଇଁ । ଶେଷରେ ଯେପରି ଭାଗ୍ୟର କ୍ରୀଡ଼ନକ ଭାବରେ ଲାଳିତ ପାଳିତ ହେଲେ ମାମୁଙ୍କ ପରିବାରରେ ।

 

ତୁଳସୀ ଦୁଇପତ୍ରରୁ ବାସିଲାପରି ବାଳକ କୃପାସିନ୍ଧୁଙ୍କର ପ୍ରତିଭା ଏହି ବାଲ୍ୟଜୀବନରୁ ପ୍ରତିଭାତ ହୋଇଥିଲା । ମାମୁଘର ସେପରି ସ୍ୱଚ୍ଛଳ ପରିବାର ନଥିଲେ । ତଥାପି କୃପାସିନ୍ଧୁଙ୍କୁ ଉପଯୁକ୍ତ ମଣିଷଭାବରେ ଗଢ଼ିବା ପାଇଁ ସେମାନେ ଉଦ୍ୟମ କରିଥିଲେ । ଗ୍ରାମର ଭର୍ଣ୍ଣାକୁଲେର ସ୍କୁଲ ଶେଷ ପରୀକ୍ଷାରେ ସେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ ମାସକୁ ଚାରିଟଙ୍କା ବୃଦ୍ଧିଲାଭ କରି । ଏହାପରେ ଅଧିକ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ନାମ ଲେଖାଇଲେ ପୁରୀ ଜିଲ୍ଲାସ୍କୁଲରେ । ସେତେବେଳେ ପୁରୀ ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଥିଲେ ସ୍ୱନାମଧନ୍ୟ ଶିକ୍ଷାବିତ୍ ଲେଖକ ଓ ଦକ୍ଷ ପ୍ରଶାସକ ଚନ୍ଦ୍ରମୋହନ ମହାରଣା । ଏକଦା ଅତି ସାମାନ୍ୟ ଦୋଷ ପାଇଁ ପ୍ରଧାନ ଶିକ୍ଷକ କୃପାସିନ୍ଧୁଙ୍କୁ ସମଗ୍ର ସ୍କୁଲ ସମୟତକ ବେଞ୍ଚ ଉପରେ ଠିଆ କରାଇଲେ । ଦୁର୍ଭାଗ୍ୟର କଥା ଯେ ଏହି କଠୋର ଦଣ୍ଡର ପରିଣତି ହେଲା ଗୋଡ଼କୁ ରକ୍ତ ଗଡ଼ିବା ଏବଂ ବାତଜ୍ଵର । କୃପାସିନ୍ଧୁ ଆଜୀବନ ଏହି ରୋଗରେ ଆକ୍ରାନ୍ତ ହୋଇ କଲବଲ ହେଉଥିଲେ । କିନ୍ତୁ ଏହି ମାରାତ୍ମକ ରୋଗ ଚିର ସହଚର ହେଲେ ହେଁ ତାଙ୍କର ସାଧନାପୂତ ଜୀବନକୁ ବ୍ୟର୍ଥ କରିପାରି ନଥିଲା ।

 

ପୁରୀ ଜିଲ୍ଲାସ୍କୁଲରୁ ନାମ କଟାଇ ସେ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ । ମାମୁଙ୍କ ଉପରେ ଅଧିକ ବୋଝ ହେବାପାଇଁ ସେ ଇଚ୍ଛା କଲେ ନାହିଁ । ଆତ୍ମନିର୍ଭରଶୀଳ ହେବାପାଇଁ ସେ ଟିଉସନର ଆୟ ଉପରେ ନିର୍ଭର କରିବାକୁ ଲାଗିଲେ । ୧୯୦୮ ମସିହାରେ ଅତ୍ୟନ୍ତ ଗୌରବ ଅର୍ଜନ କରି ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କଲେ ଏବଂ ମାସିକ ବୃତ୍ତିଲାଭ କଲେ ପନ୍ଦର ଟଙ୍କା ।

 

ଏହାପରେ ସେ ଛାତ୍ରହେଲେ ସୁବିଖ୍ୟାତ ରେଭେନ୍ସା ମହାବିଦ୍ୟାଳୟରେ ଏଫ୍.ଏ. ଶ୍ରେଣୀରେ । ଆଜିକାଲିର ଆଇ.ଏ. କ୍ଲାସ ସେତେବେଳେ ଏଫ୍.ଏ ନାମରେ ପରିଚିତ ହେଉଥିଲା । ଏଠାରେ ମଧ୍ୟ ନିଜର ବୁଦ୍ଧିମତ୍ତା ପାଇଁ ସେ ଅଧାପକମାନଙ୍କର ଦୃଷ୍ଟି ଆକର୍ଷଣ କଲେ ଏବଂ ୧୯୧୦ ମସିହାରେ ମାସିକ ୨୦ ଟଙ୍କା ବୃଦ୍ଧି ସହିତ ଏଫ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏହି ଛାତ୍ରଜୀବନରୁ ସେ ଓଡ଼ିଶାର ପ୍ରାଚୀନ ଇତିହାସ ବିଷୟରେ ଅନୁସନ୍ଧାନ କରୁଥାଆନ୍ତି । ଅଣଓଡ଼ିଆ ଲେଖକଗଣ ପ୍ରାଚୀନ ଓଡ଼ିଶାର ଗୌରବମୟ କାହାଣୀ ସମ୍ପର୍କରେ ଅନୁଦାର ମତ ପ୍ରକାଶ କରୁଥିବାରୁ ସେ ମର୍ମାହତ ହେଉଥିଲେ । ଏହି କାରଣରୁ ସେ ଅଧ୍ୟୟନ କରୁଥାଆନ୍ତି ପ୍ରାଚୀନ ଐତିହ୍ୟ ବିଷୟରେ ସତ୍ୟ ଉଦ୍‌ଘାଟନ କରିବାପାଇଁ । ଏଫ୍.ଏ ବୃଦ୍ଧି ଲାଭ କରି ରେଭେନ୍ସାରେ ଦର୍ଶନ ଶାସ୍ତ୍ରରେ ଅନର୍ସ ଶିକ୍ଷା ଗ୍ରହଣ କଲେ ଏବଂ ୧୯୧୨ ଖ୍ରୀଷ୍ଟାବ୍ଦରେ ବି.ଏ. ଡିଗ୍ରୀ ହାସଲ କରି ମାସିକ ବୃଦ୍ଧି ଲାଭ କରିଥିଲେ ତିରିଶଟଙ୍କା । ଅଭାବ ଓ ଅନଟନ ତାଙ୍କୁ ଉଚ୍ଚ ଶିକ୍ଷାଲାଭରୁ ବଞ୍ଚିତ କରିପାରି ନଥିଲା । ଦୃଢ଼ ମନବଳ ହିଁ ତାଙ୍କୁ ପଦେ ପଦେ ପ୍ରେରଣା ପ୍ରଦାନ କରୁଥିଲା ଶିକ୍ଷାକ୍ଷେତ୍ରରେ ଅଗ୍ରସର ହେବାପାଇଁ । ଅର୍ଥନୈତିକ ଅଭାବ ତାଙ୍କୁ ନିରୁତ୍ସାହିତ କରିପାରିନଥିଲା । କଲିକତା ସହରରେ ଅଧ୍ୟୟନ କଲେ ଦର୍ଶନ ଶାସ୍ତ୍ରରେ ଏମ.ଏ ଏବଂ ଉକୀଲାତି-। ୧୯୧୪ ଖ୍ରୀଷ୍ଟାବ୍ଦରେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଦ୍ୱିତୀୟ ଶ୍ରେଣୀରେ ଏମ.ଏ. ଡିଗ୍ରୀ ହାସଲ କରି ସର୍ବୋଚ୍ଚ ପୁରସ୍କାର ସ୍ୱର୍ଣ୍ଣପଦକର ଅଧିକାରୀ ହୋଇପାରିଥିଲେ ।

 

ପାରିବାରିକ ଅସହାୟତା ଓ ଦାରିଦ୍ର୍ୟର ତୀବ୍ର ଘନଘଟା ମଧ୍ୟରେ ପ୍ରତିପାଳିତ ହୋଇ ସୁଦ୍ଧା ଉଗ୍ର ଦେଶାତ୍ମବୋଧ ତାଙ୍କୁ ଆଚ୍ଛନ୍ନ କରି ରହିଥିଲା । ଇଚ୍ଛା କରିଥିଲେ ସେ ଯେକୌଣସି ଉଚ୍ଚ ସରକାରୀ ପଦବୀ ଗ୍ରହଣ କରି ଉଚ୍ଚବେତନର ଅଧିକାରୀ ହୋଇ ପାରିଥାଆନ୍ତେ । ସରକାରୀ କ୍ଷମତା ଓ ସ୍ୱଚ୍ଛଳତାର ସୌଭାଗ୍ୟ ହାତ ପାହାନ୍ତାରେ ଆସିବାପାଇଁ ଯେପରି ଅପେକ୍ଷା କରି ବସିଥିଲା । କାରଣ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଏମ.ଏ. ଡିଗ୍ରୀଧାରୀ ଓଡ଼ିଶାରେ ଅବା କେତେଜଣ ଥିଲେ । କିନ୍ତୁ କୃପାସିନ୍ଧୁ ଉତ୍କଳମଣି ଗୋପବନ୍ଧୁଙ୍କ ଆହ୍ୱାନକୁ ଏଡ଼ାଇ ପାରିଲେ ନାହିଁ । ସେ ଏମ.ଏ. ପାସ୍ କରିବା ସଙ୍ଗେ ସଙ୍ଗେ ୧୯୧୪ ମସିହାରେ ଅତି ସ୍ୱଳ୍ପ ବେତନ ଗ୍ରହଣ କରି ଯୋଗଦେଲେ ସହକାରୀ ଶିକ୍ଷକଭାବରେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ, ଆରମ୍ଭ ହେଲା ତ୍ୟାଗପୂତ ଜୀବନର କଠୋର ସାଧନା ।

 

ଏଫ୍.ଏ. ଅଧ୍ୟୟନ ପରେ ତତ୍କାଳୀନ ସାମାଜିକ ପ୍ରଥାକୁ ସ୍ୱୀକାର କରି ବୀରବଳଭଦ୍ରପୁର ଶାସନର ସଦାଶିବ ମିଶ୍ରଙ୍କ କନ୍ୟା ସାବିତ୍ରୀଦେବୀଙ୍କର ପାଣିଗ୍ରହଣ କଲେ । ସାବିତ୍ରୀଦେବୀ ଥିଲେ ଆଦର୍ଶ ସହଧର୍ମିଣୀ । ଜଣେ ସାଧନାରତ ସ୍ୱାମୀଙ୍କର ସଂଘର୍ଷମୟ ଜୀବନରେ ସେ ଉପଯୁକ୍ତ ସହକର୍ମିଣୀର ଭୂମିକା ନିର୍ବାହ କରିଥିଲେ ।

 

ଆଦର୍ଶ ଶିକ୍ଷକର ସାଧନାପୂତ ଜୀବନ

କୃପାସିନ୍ଧୁ ସତ୍ୟବାଦୀ ସ୍କୁଲରେ ଯୋଗଦେବାବେଳକୁ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ଏହି ଆଦର୍ଶ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରି ସାରିଥିଲେ । ସେମାନଙ୍କ ବ୍ୟକ୍ତିତ୍ଵଦ୍ଵାରା ବହୁ ଭାବରେ ଅନୁପ୍ରାଣିତ ହେଲେ ତରୁଣ କୃପାସିନ୍ଧୁ । ‘ସମାଜ’ ସମ୍ୱାଦପତ୍ରର ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟାରେ ପଣ୍ଡିତ ନୀଳକଣ୍ଠ ଲେଖୁଥିଲେ-

 

“ସ୍ୱର୍ଗତ କୃପାସିନ୍ଧୁଙ୍କର ବିଶେଷତ୍ଵ ଥିଲା ଯେ ସେ ଆମ୍ଭମାନଙ୍କ ସମ୍ପର୍କରେ ଆସିଲା ଦିନଠାରୁ ସତ୍ୟବାଦୀ ସ୍କୁଲ ଛଡ଼ା ଆଉ କୌଣସି କଥା କେବେ ଭାବି ନାହାନ୍ତି । ଚାକିରି କରିବା, ଓକିଲାତି କରିବା ବା ଅନ୍ୟ ବ୍ୟବସାୟ କରିବା ତ ଦୂରର କଥା ।’’

(ସମାଜ-୧୭୨ ୧୯୫୮- ‘ସ୍ୱର୍ଗତ କୃପାସିନ୍ଧୁ ମିଶ୍ର’)

 

ସଂସ୍କୃତ ଭାଷା, ଓଡ଼ିଆ ଭାଷା ଓ ଇଂରାଜୀ ଭାଷାରେ କୃପାସିନ୍ଧୁ ଅନର୍ଗଳ ବକୃତା ଦେଇ ପାରୁଥିଲେ । ଏହି ଅସାଧାରଣ ବାଗ୍ମିତା ଯୋଗୁଁ ସେ ଛାତ୍ରମାନଙ୍କର ଆନ୍ତରିକ ଶ୍ରଦ୍ଧାର ପାତ୍ର ହୋଇଥିଲେ । ଯେ କୌଣସି ବିଷୟରେ ଅଧ୍ୟାପନା କରିବାକୁ ଯିବାପୂର୍ବରୁ ବିସ୍ତୃତ ଭାବରେ ତାଙ୍କୁ କ୍ଲାସନୋଟି ପ୍ରସ୍ତୁତ କରିବାକୁ ହେଉଥିଲା । ଏଥିପାଇଁ ତାଙ୍କର ଅବସାୟ ଥିଲା ଅନନ୍ୟ ସାଧାରଣ । ଶିକ୍ଷକଜୀବନକୁ ସେ ଏକ ପବିତ୍ର ବ୍ରତ ଭାବରେ ଗ୍ରହଣ କରିଥିଲେ । ପରୀକ୍ଷାରେ ସଫଳତା ଅର୍ଜନ କରିବା ତାଙ୍କର ଶିକ୍ଷାଦାନର ଏକମାତ୍ର ଆଭିମୁଖ୍ୟ ନଥିଲା । ଛାତ୍ରମାନେ କିପରି ଭଲ ମଣିଷ ହେବେ, ଦେଶସେବୀ ହେବେ, ସେବାପରାୟଣ ହୋଇପାରିବେ, ଏହାହିଁ ଥିଲା ଶିକ୍ଷାଦାନର ମୂଳ ଉଦ୍ଦେଶ୍ୟ । ଯଥାର୍ଥରେ କୁହାଯାଉଥିଲା, ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ।

 

ଏହି ଅନୁଷ୍ଠାନରେ ଆମରଣ କାର୍ଯ୍ୟ କରିଥିଲେ କୃପାସିନ୍ଧୁ । ୧୯୧୪ ସାଲରୁ ୧୯୧୯ ପର୍ଯ୍ୟନ୍ତ ସେ ଥିଲେ ସହକାରୀ ଶିକ୍ଷକ । ୧୯୧୯ ଖ୍ରୀଷ୍ଟାବ୍ଦରେ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ବିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ଓଡ଼ିଆ ଭାଷା ଆନ୍ଦୋଳନକୁ ଜାଗ୍ରତ ରଖିବାପାଇଁ ବିଦାୟ ନେଲେ । ସେ ସେଠାରେ ଚାଇଁବସା ହାଇସ୍କୁଲର ଦାୟିତ୍ୱ ଗ୍ରହଣ କଲେ । ପଣ୍ଡିତ ନୀଳକଣ୍ଠଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ଉପାଧ୍ୟୁତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦେବାକୁ ପଡ଼ିଲା । କୃପାସିନ୍ଧୁ ୧୯୧୯ ଖ୍ରୀଷ୍ଟାବ୍ଦ ଫେବୃଆରୀ ଆଠ ତାରିଖରୁ ଏହି ଜାତୀୟ ସ୍କୁଲର ପ୍ରଧାନ ଶିକ୍ଷକ ରହିଲେ ୧୯୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ଅସହଯୋଗ ଆନ୍ଦୋଳନ ଯୋଗୁ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେଲା ଏବଂ ୧୯୨୩ ଖ୍ରୀଷ୍ଟାବ୍ଦରେ ହେଲା ଜାତୀୟ ମହାବିଦ୍ୟାଳୟ । ସ୍ଵାଧୀନତା ଆନ୍ଦୋଳନର ବାର୍ତ୍ତା କିପରି ଓଡ଼ିଶାର ପୁରପଲ୍ଲୀରେ ପ୍ରଚାରିତ ହେବ, ତାହାହିଁ ଏଠାରେ । ଶିକ୍ଷାପ୍ରଦାନ କରାଯାଉଥିଲା । ଶିକ୍ଷାଦାନ ଗ୍ରହଣ ସହିତ ଏହି ଅନୁଷ୍ଠାନର ଶିକ୍ଷକକୁଳ ଓ ଛାତ୍ରସମାଜ ଦୁର୍ଭିକ୍ଷ, ବନ୍ୟା ଓ ମହାମାରୀ ପ୍ରାଦୁର୍ଭାବରେ ପୀଡ଼ିତ ଜନସାଧାରଣଙ୍କୁ ଅକୁଣ୍ଠ ସେବା କରିବାକୁ ପଶ୍ଚାତ୍‌ପଦ ହେଉନଥିଲେ । ଭାରତପ୍ରସିଦ୍ଧ ପୁରୀର ରଥଯାତ୍ରାରେ ଅସୁମାରୀ ଯାତ୍ରୀଙ୍କର ସେବା କରିବା ଥିଲା ଏହି ଅନୁଷ୍ଠାନର ମହାନବ୍ରତ । ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନରେ ଉପସ୍ଥିତ ରହି ଏହି ଛାତ୍ର ଓ ଶିକ୍ଷକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଭଲେଣ୍ଟିଅର ହେଉଥିଲେ ।

 

ଛାତ୍ରମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ଶିକ୍ଷକ କୃପାସିନ୍ଧୁ ଥିଲେ ଅନ୍ତରଙ୍ଗ ସହଯୋଗୀ ଓ ନିର୍ଦ୍ଦେଶକ । ସେ କିଛିକାଳ ସ୍କୁଲ ପରିଚାଳନା ସମିତିର ସହକାରୀ ସମ୍ପାଦକ ମଧ୍ୟ ହୋଇଥିଲେ । ସ୍କୁଲ ଇତିହାସ ସମାଜର ସଭାପତି ଭାବରେ ଶିକ୍ଷକ କୃପାସିନ୍ଧୁ ଛାତ୍ରମାନଙ୍କୁ ଇତିହାସ ଚେତନାରେ ଉଦ୍‍ବୁଦ୍ଧ କରୁଥିଲେ । କେବଳ ସେତିକିନୁହେ, ପ୍ରତ୍ୟେକ ଶନିବାର ଅନୁଷ୍ଠାନର କୁଳ-ସମ୍ମିଳନୀ ବୈଠକରେ ତାଙ୍କର ସାରଗର୍ଭକ ଭାଷଣ ଥିଲା ପ୍ରଧାନ ଆକର୍ଷଣ ।

 

ବ୍ୟାସକବି ଫକୀରମୋହନ ପରିଣତ ବୟସରେ ପରିଦର୍ଶନ କରିବାକୁ ଆସିଥିଲେ ସତ୍ୟବାଦୀ ବିଦ୍ୟାଳୟ । ଶିକ୍ଷକ ଓ ଛାତ୍ରମାନଙ୍କ ଗହଣରେ ଦୁଇଟି ଦିନ ଅତିବାହିତ କରି ସେ ମୁଗ୍ଧ ହୋଇଯାଇଥିଲେ । ସେଠାରୁ ଫେରି ଆସି କବି ଲେଖିଥିଲେ ତାଙ୍କର ‘‘ଉତ୍କଳ ଭ୍ରମଣ” ରେ-

 

“କୃପାମୟ କୃପାସିନ୍ଧୁ ଜନହିତକର

କାର୍ଯ୍ୟ ସାଧନରେ ଅବତୀର୍ଣ୍ଣ ଧରାଧାମେ ।

ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ ।

ଜ୍ଞାନରାଶି, ପବିତ୍ରତା, ଉଭୟତ ଠୁଳ

ଉଦ୍ଧରିବେ ଭଗୀରଥ ସମାନରେ କୁଳ ।

+ + + + +

ତଡ଼ିଦେବେ କୁସଂସ୍କାର ଦୁର୍ନୀତି । ”

 

ଦେଶସେବାର ଆଉ ଏକ ଦିଗ

ସତ୍ୟବାଦୀ ସ୍କୁଲର ଶିକ୍ଷକଗଣ ଚାକିରି ଓ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ସ୍କୁଲ ପ୍ରତିଷ୍ଠା କରିନଥିଲେ । ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ କୃପାସିନ୍ଧୁ ପ୍ରଭୃତି ଶିକ୍ଷକଗଣ ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀଧାରୀ ଯୁବକ ଥିଲେ । ଶିକ୍ଷକତା ସେମାନଙ୍କ ପାଇଁ ପେସା ନଥିଲା-। ଦେଶସେବାର ଏକ ମିଶନ ଭାବରେ ଏପରି ତ୍ୟାଗପୂତ ଜୀବନକୁ ସେମାନେ ବରଣ କରିବାକୁ ଶ୍ରେୟ ମଣିଥିଲେ । ସେହି କାରଣରୁ ଗୋପବନ୍ଧୁ ଆଇନବ୍ୟବସାୟକୁ ପରିତ୍ୟାଗ କରି ହୋଇଥିଲେ ଅସହଯୋଗୀ । ତାଙ୍କର ଆଦର୍ଶରେ ଏହି ଶିକ୍ଷକମାନେ ମଧ୍ୟ କଂଗ୍ରେସ ଆନ୍ଦୋଳନ ସହିତ ସାମିଲ ହୋଇଥିଲେ ।

 

୧୯୨୦ ମସିହା ସେପ୍ଟେମ୍ବର ଚାରି ତାରିଖ ଦିନ କଲିକତା ନଗରୀରେ ନିଖିଳ ଭାରତ କଂଗ୍ରେସର ସାଧାରଣ ଅଧିବେଶନ ବସିଥାଏ । ଏହି ଅବେଶନର ସଭାପତି ଥିଲେ ଲାଲା ଲାଜପତ୍‍ରାୟ । ଗୋପବନ୍ଧୁଙ୍କ ସହିତ କୃପାସିନ୍ଧୁ ଏହି ସଭାରେ ଯୋଗଦେଇ ଫେରିଆସିଲା ପରେ ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନ ଜନ୍ମଗ୍ରହଣ କଲା ଗୋପବନ୍ଧୁଙ୍କ ନେତୃତ୍ୱରେ । ଗୋପବନ୍ଧୁ ହେଲେ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି । ପୁରୀ ଜିଲାରେ ଯେତେବେଳେ କଂଗ୍ରେସ ସଙ୍ଗଠନ ଆରମ୍ଭ ହେଲା ୧୯୨୧ ମସିହାରେ, ଏହି କାର୍ଯ୍ୟରେ ଜଗବନ୍ଧୁସିଂହ ଓ କୃପାସିନ୍ଧୁ ହୋତାଙ୍କୁ ନିଷ୍ଠାପର ସହଯୋଗ କରିଥିଲେ କୃପାସିନ୍ଧୁ । ଜଣେ କଂଗ୍ରେସ ସଭ୍ୟ ହିସାବରେ ପୁରୀ ଜିଲାବୋର୍ଡରେ କୃପାସିନ୍ଧୁ କାର୍ଯ୍ୟ କରିଥିଲେ । ୧୯୨୪ ସାଲ ଜୁଲାଇ ୨୪ ତାରିଖଠାରୁ ମୃତ୍ୟୁପର୍ଯ୍ୟନ୍ତ ଏହି ବୋର୍ଡର ଶିକ୍ଷାକମିଟିରେ ସେ ଥିଲେ ଜଣେ ବିଶିଷ୍ଟ ଓ ପ୍ରଭାବଶାଳୀ ସଭ୍ୟ । ତାଙ୍କର ଉଦ୍ୟମରେ ଅନେକ ଲୋକହିତକର କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା ।

 

କୃପାସିନ୍ଧୁ ଗୋପବନ୍ଧୁଙ୍କର ଡାହାଣହାତ ପରି କାର୍ଯ୍ୟ କରୁଥିଲେ ସ୍କୁଲ ପରିଚାଳନାରେ, ‘ସମାଜ କାଗଜର ପ୍ରକାଶନ ଓ ସମ୍ପାଦନାରେ, ସତ୍ୟବାଦୀ’ ସାହିତ୍ୟ ପତ୍ରର ପରିଚାଳନାରେ ଏବଂ ସର୍ବୋପରି ବିହାର ଓଡ଼ିଶା ଆସେମ୍ଲିପାଇଁ ଗୋପବନ୍ଧୁଙ୍କ ବକ୍ତୃତା ଓ ପ୍ରଶ୍ନାବଳୀକୁ ପ୍ରସ୍ତୁତ କରିବାରେ-। ସତ୍ୟବାଦୀ ସ୍କୁଲ ପାଇଁ ତାଙ୍କର ନିଷ୍ଠା ଏବଂ ଅଙ୍ଗୀକାରବଦ୍ଧତା ଚିରସ୍ମରଣୀୟ । ସେହି କାରଣରୁ ନୀଳକଣ୍ଠ ଓ ଗୋଦାବରୀଶ ସମୟର ଆହ୍ୱାନରେ ସତ୍ୟବାଦୀସ୍କୁଲ ପରିତ୍ୟାଗ କରି ଅନ୍ୟ କର୍ମକ୍ଷେତ୍ରରେ ଆତ୍ମନିଯୋଗ କରିଥିଲେହେଁ କୃପାସିନ୍ଧୁ ଶେଷ ନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ତାହାର ଅଭିବୃଦ୍ଧିରେ ସହାୟକ ହୋଇ ରହିଥିଲେ । ଏହି କାରଣରୁ କଂଗ୍ରେସର ଅସହଯୋଗ ଆନ୍ଦୋଳନ ସହିତ ସେ ନିବିଡ଼ ଭାବରେ ସଂପୃକ୍ତ ରହିଥିଲେହେଁ ଆଦୌ ଜେଲ ବରଣ କରିନଥିଲେ-। ଶିକ୍ଷାଦାନ ସହିତ ଲୋକସେବା ଥିଲା ତାଙ୍କ ଜୀବନର ମହାନ୍ ବ୍ରତ । ଛାତ୍ରମାନଙ୍କୁ ସାଙ୍ଗରେ ଧରି ପଲ୍ଲୀ ଅଞ୍ଚଳରେ ରୋଗୀସେବା କରିବାକୁ ସେ ଧାଇଁଯାଉଥିଲେ । ନିଜର ଶକ୍ତି ଅନୁସାରେ ଅସହାୟକୁ ସାହାଯ୍ୟ କରିବାପାଇଁ ସେ ସର୍ବଦା ଥିଲେ ତତ୍ପର । ଜୀବନର କର୍ମକ୍ଷେତ୍ରରେ ପ୍ରତିପାଦନ କରିଥିଲେ-ମାନବସେବା ହିଁ ମାଧବ ସେବା ।

 

ସାମ୍ବାଦିକତା ଓ ସାହିତ୍ୟସେବା

କୃପାସିନ୍ଧୁ ସତ୍ୟବାଦୀ ସ୍କୁଲରେ ଯୋଗଦେବାର ପରବର୍ଷ ଅର୍ଥାତ୍‍ ୧୯୧୫ ସାଲରେ ଏହି ଅନୁଷ୍ଠାନର ମୁଖପତ୍ର ରୂପେ ପ୍ରକାଶିତ ହେଲା ‘‘ସତ୍ୟବାଦୀ’’ ସାହିତ୍ୟ ମାସିକ । ଗୋପବନ୍ଧୁ ଏହି ପତ୍ରିକାର ସମ୍ପାଦକ ହେଲେ ହେଁ ପତ୍ରିକାର ପରିଚାଳନା ପାଇଁ କୃପାସିନ୍ଧୁଙ୍କର ଆନ୍ତରିକ ସହଯୋଗ ଥିଲା । ବିଶେଷ ଉଲ୍ଲେଖଯୋଗ୍ୟ । ସେ କେବଳ ପରିଚାଳନା କ୍ଷେତ୍ରରେ ଯଶ ଅର୍ଜନ କରି ନଥିଲେ, ଏହି ପତ୍ରିକା ମାଧ୍ୟମରେ ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଆରମ୍ଭ ହେଲା । ‘‘ସତ୍ୟବାଦୀ” ପ୍ରକାଶିତ ହେବାପୂର୍ବରୁ ଓଡ଼ିଶାରେ ମାତ୍ର ଦୁଇଟି ସାହିତ୍ୟ ପତ୍ରିକା ବିଶେଷ ପ୍ରଭାବଶାଳୀ ଥିଲେ । ସେମାନେ ହେଲେ ବିଶ୍ଵନାଥ କରଙ୍କ ସମ୍ପାଦିତ ‘‘ଉତ୍କଳ ସାହିତ୍ୟ’’ ଓ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘‘ମୁକୁର’’ | ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟକୁ ‘‘ସତ୍ୟବାଦୀ’’ ପତ୍ରିକାର ଦାନ ବିଶେଷ ସ୍ମରଣୀୟ । ଏହି ପତ୍ରିକାରେ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ଗୋପୀନାଥ ନନ୍ଦଶର୍ମା, ବାସୁଦେବ ମହାପାତ୍ର, ଲିଙ୍ଗରାଜ ମିଶ୍ର, ରୁଦ୍ରନାରାୟଣ ଷଡ଼ଙ୍ଗୀ, ରତ୍ନାକର ପତି, ବିରୁପାକ୍ଷ କର, ଚନ୍ଦ୍ରଶେଖର ମିଶ୍ର, ଜଗବନ୍ଧୁ ସିଂହ, ଦିବ୍ୟସିଂହ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତି ଲେଖକମାନେ ଲେଖନୀଚାଳନା କରିଥିଲେ । ସେମାନଙ୍କ ଗହଣରେ କୃପାସିନ୍ଧୁ ଥିଲେ ଅନ୍ୟତମ ସାହିତ୍ୟସାଧକ । ‘ସତ୍ୟବାଦୀ’ ମାସିକ ସାହିତ୍ୟ ପତ୍ରର ପ୍ରଥମ ସଂଖ୍ୟାରୁ ଧାରାବାହିକ ଭାବରେ ତାଙ୍କର ଲେଖା ‘ବନ ବିଦ୍ୟାଳୟର ଆଦର୍ଶ ‘ଗୁରୁକୁଳ’ ପ୍ରକାଶିତ ହେଲା । ଜଣେ ବଳିଷ୍ଠ ପ୍ରବନ୍ଧ ଲେଖକ ହିସାବରେ ଅଳ୍ପକାଳ ମଧ୍ୟରେ ସେ ପ୍ରତିଷ୍ଠା ଅର୍ଜନ କଲେ । ‘‘ସତ୍ୟବାଦୀ” ପତ୍ରିକାରେ ପ୍ରକାଶିତ “ଓଡ଼ିଶାରେ ଇଂରାଜୀ ବାଣିଜ୍ୟ କୋଠି’’ ‘‘ହିନ୍ଦୁର ସମାଜ ବିଧାନ’’, ‘‘ଅଦୃଷ୍ଟବାଦ’’, ‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ବିଧିନିର୍ଦ୍ଦେଶ’, ‘ଇଂରାଜ ବଣିକମାନଙ୍କର ଓଡ଼ିଶାଭିଗମନ’ ପ୍ରଭୃତି ବିଶେଷ ଉଲ୍ଲେଖଯୋଗ୍ୟ । ଏହି ପ୍ରବନ୍ଧଗୁଡ଼ିକ ଧାରାବାହିକ ଭାବରେ କେତେଗୋଟି ସଂଖ୍ୟାରେ ସ୍ଥାନିତ ହୋଇଥିବା ଜଣାଯାଏ । ସେହିପରି ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ହୋଇଥିଲା ‘ପ୍ରାଚୀଭୂଖଣ୍ଡର ଅଭ୍ୟୁତଥାନ’ ଏବଂ ‘ମୁକୁର’ ସାହିତ୍ୟ ପତ୍ରିକାରେ ‘କା’ ଏବଂ ‘ଲୀଳା’ । ବିଶ୍ଵବିଦ୍ୟାଳୟର ସାହିତ୍ୟ ଶ୍ରେଣୀରେ ତାଙ୍କର ‘କା’ ପ୍ରବନ୍ଧ ବହୁକାଳ ପର୍ଯ୍ୟନ୍ତ ପାଠ୍ୟ ଭାବରେ ଗ୍ରହଣ କରାଯାଇଥିଲା ।

 

ଲେଖକୀୟ ସମ୍ମାନ ଓ ପ୍ରତିଷ୍ଠାଅର୍ଜନ ତାଙ୍କର ସାହିତ୍ୟ ସାଧନାର ଆଭିମୁଖ୍ୟ ନଥିଲା । ଏହି ସ୍ୱଦେଶପ୍ରେମୀ ସାଧକ ଜାତୀୟ ଗୌରବର ରହସ୍ୟ ଉଦଘାଟନ ପାଇଁ ଲେଖନୀଧାରଣ କରିଥିଲେ ଏବଂ ଜାତୀୟ ଗୌରବର ରହସ୍ୟ ଉଦ୍‌ଘାଟନ ପାଇଁ ଆରମ୍ଭ କରିଥିଲେ ଐତିହାସିକ ଗବେଷଣା । ସ୍ୱଳ୍ପ ଜୀବନକାଳ ମଧ୍ୟରେ ତାଙ୍କର ସାରସ୍ୱତ ସାଧନା ଅବିସ୍ମରଣୀୟ କୀର୍ତ୍ତି ହୋଇ ରହିଅଛି । ପ୍ରଫେସର ଶ୍ରୀନିବାସ ମିଶ୍ର ତାଙ୍କର ଗବେଷଣା ନିବନ୍ଧରେ କୃପାସିନ୍ଧୁଙ୍କ ସାହିତ୍ୟ ସାଧନା ବିଷୟରେ ପର୍ଯ୍ୟାଲୋଚନା କରି କହିଅଛନ୍ତି-

 

“ଐତିହାସିକ ଆଲୋଚନା କ୍ଷେତ୍ରରେ ବିଂଶ ଶତାବ୍ଦୀର ଆଦ୍ୟପାଦ ଓଡ଼ିଶାରେ କୃପାସିନ୍ଧୁଙ୍କ କୃତିତ୍ୱ ଅପୂର୍ବ । ସ୍ଵକୀୟ ମହିମାରେ ତାଙ୍କ ସାହିତ୍ୟ ସାଧନା ଉଜ୍ଜଳ, ଐତିହାସିକ ସତ୍ୟାନୁସନ୍ଧିସ୍ଥା, ପ୍ରତିପକ୍ଷ ମତବିଚାରରେ ଯୌକ୍ତିକତା ଓ ସହନଶୀଳତା, ନିର୍ମୋହ ଚିତ୍ତରେ ସ୍ୱଦେଶର କୀର୍ତ୍ତି ମଧ୍ୟରେ ଜାତୀୟ ମହତ୍ୱ ଅବୈଷଣ, ବିଷୟବସ୍ତୁର ଅନୁଶୀଳନରେ ଅସୀମ ଆନ୍ତରିକତା, ବିଶ୍ଳେଷଣ ପାଟବା ସମସ୍ତ ମଧ୍ୟରେ କୃପାସିନ୍ଧୁଙ୍କ ରଚନାର ମହତ୍ ନିହିତ । xxx ସାହିତ୍ୟ ଓ ସମାଜତତ୍ତ୍ଵ-ମୂଳକ ପ୍ରବନ୍ଧ ରଚନାରେ ତାଙ୍କ ବ୍ୟାପକ ଅଧ୍ୟୟନ, ସୂକ୍ଷ୍ମ ଦୃଷ୍ଟିଭଙ୍ଗୀ ଓ ବିଷୟନିଷ୍ଠା ନିହିତ । ତାଙ୍କ ସାହିତ୍ୟସାଧନାର ଭିତ୍ତିଭୂମି ବହୁଶାସ୍ତ୍ରଦର୍ଶିତା, ସତ୍ୟପ୍ରତି ଅକପଟ ଅନୁରକ୍ତି ଓ ନିବିଡ଼ ମାନବତାବୋଧ । ବିଷୟବସ୍ତୁର ଗୁରୁଗମ୍ଭୀରତା ସତ୍ତ୍ୱେ ଏହାର ପ୍ରକାଶ ନିମନ୍ତେ ସେ ବ୍ୟବହାର କରିଥିବା ଗଦ୍ୟଭାଷା ସରଳ, ଭାବଗର୍ଭକ, ବହୁ ପ୍ରତ୍ୟକ୍ଷୀଭୂତ ଦୃଷ୍ଟାନ୍ତ ସମାବେଶ ହେତୁ ଚିତ୍ତାକର୍ଷକ ବର୍ଣ୍ଣନାର ପ୍ରବହମାନତା ଯୁକ୍ତ ।’’

 

ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ-୧୯୭୮, ପୃ୪୦୭-୦୮ ଅଧ୍ୟାପକ ଚିନ୍ତାମଣି ମିଶ୍ର ‘‘ଐତିହାସିକ କୃପାସିନ୍ଧୁ’’-୧୯୬୨ ପୁସ୍ତକରେ ଅଭିମତ ପ୍ରକାଶ କରିଥିଲେ ଏହିପରି-

 

“କୃପାସିନ୍ଧୁ କେବଳ ଇତିହାସ କିମ୍ବା ଐତିହାସିକ ପ୍ରବନ୍ଧ ରଚନା କରିନାହାନ୍ତି, ବହୁ ସାହିତ୍ୟିକ ପ୍ରବନ୍ଧ ମଧ୍ୟ ରଚନା କରି ସେ ସମୟର ପତ୍ରପତ୍ରିକାମାନଙ୍କର ଶ୍ରୀବୃଦ୍ଧି ସମ୍ପନ୍ନ କରିଅଛନ୍ତି-। XXX ଇତିହାସକୁ ସେ ସର୍ବଦା ଦାର୍ଶନିକ ଦୃଷ୍ଟିଭଙ୍ଗୀରେ ଦେଖିଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଜଣାଯାଇଅଛି ସେ ଦୁଇଟି ମାତ୍ର ବିଶୁଦ୍ଧ ମାତ୍ର ଦାର୍ଶନିକ ତତ୍ତ୍ୱ ସମ୍ବଳିତ ପ୍ରବନ୍ଧ ଲେଖିଯାଇ ଅଛନ୍ତି । ଲେଖକଙ୍କର ବିଷୟବସ୍ତୁର ଗ୍ରନ୍ଥନଚାତୁରୀ, ଗଭୀର ଶାସ୍ତ୍ରାନୁଶୀଳନ ଓ ସୂକ୍ଷ୍ମ ଚିନ୍ତାଶୀଳତା ଦିଗରୁ ବିଚାର କଲେ ମନେ ହୁଏ, ଓଡ଼ିଆ ଦାର୍ଶନିକ ସାହିତ୍ୟର ଏହା ଗୋଟିଏ ଗୋଟିଏ ଅମୂଲ୍ୟନିଧି ।” ପୃ ୧୬୭-୬୮

 

ଇତିହାସର ରହସ୍ୟ ଉଦ୍‌ଘାଟନ

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଇଂରେଜ ଶାସନ କାଳରେ ଯେଉଁ ଅଣଓଡ଼ିଆ ପ୍ରଶାସକ କେତେଜଣ ଓଡ଼ିଶାର ଇତିହାସ ଆଲୋଚନା କରିବାପାଇଁ ପ୍ରଥମେ ଆଗ୍ରହ ପ୍ରକାଶ କରିଥିଲେ, ସେମାନେ ସମସ୍ତେ ଇଂରେଜୀ ଭାଷାରେ ଓଡ଼ିଶାର ଇତିହାସ ପ୍ରଣୟନ କଲେ । ଏଥିରୁ କେତେଗୋଟି ଉଲ୍ଲେଖଯୋଗ୍ୟ କୃତି ହେଲା- ରାଜେନ୍ଦ୍ରଲାଲ ମିତ୍ରଙ୍କ ଦୁଇଖଣ୍ଡରେ ବିଭକ୍ତ Antiquity of Orissa, ରାଖାଲଦାସ ବାନାର୍ଜୀଙ୍କ ପ୍ରଣିତ History of Orissa ପ୍ରଥମ ଖଣ୍ଡ, ଦ୍ୱିତୀୟ ଖଣ୍ଡ, ଓ.ସି. ଗାଙ୍ଗୁଲିଙ୍କ ଲିଖିତ Orissa and Her Remais, ହଣ୍ଟର ସାହେବଙ୍କ ଓଡ଼ିଶା ଇତିହାସ ୧ମ ଭାଗ ଓ ୨ ୟଭାଗ, ଟଏନବି ସାହେବଙ୍କ ‘ଓଡ଼ିଶା’, ଷ୍ଟର୍ଲି ସାହେବଙ୍କ ଓଡ଼ିଶା ଇତିହାସ ଏବଂ ଓଡ଼ିଶାର ଶିଳ୍ପ, ସ୍ଥାପତ୍ୟର ବିବରଣୀ ଓ ଭ୍ରମଣକାହାଣୀ । ଓଡ଼ିଆ ଭାଷାରେ ରଚିତ ଏକ ଧାରାବାହିକ ବିବରଣୀ ମାଦଳାପାଞ୍ଜି’କୁ ଖାଣ୍ଟି ଇତିହାସ ବୋଲି ଅନେକ ସ୍ୱୀକାର କରନ୍ତି ନାହି । ତାହା ମଧ୍ୟ ଲିପିବଦ୍ଧ ହେଉଥିଲା ତାଳପତ୍ରରେ ଲୌହଲେଖନୀ ସାହାଯ୍ୟରେ ।

 

ପ୍ରଥମେ ଓଡ଼ିଆଭାଷାରେ ଇତିହାସ ପ୍ରଣୟନ କଲେ ପ୍ୟାରୀମୋହନ ଆଚାର୍ଯ୍ୟ ୧୮୭୯-। ଅଭିରାମ ଭଞ୍ଜ ଏକ କ୍ଷୁଦ୍ର ଇତିହାସ ପ୍ରଣୟନ କରିଥିଲେ ବୋଲି ଜଣାଯାଏ । ଅବଶ୍ୟ କେତେଜଣ ଲେଖକ ସାହିତ୍ୟ ପତ୍ରିକାରେ ଓଡ଼ିଶା ଇତିହାସର ବିଭିନ୍ନ ଦିଗ ଉପରେ ସାମୟିକ ଆଲୋଚନା କରିଥିଲେ । ବୋଧହୁଏ ଓଡ଼ିଆ ଭାଷାରେ ଏକ ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ କୃପାସିନ୍ଧୁ ସାଧନା ଅବ୍ୟାହତ ରଖିଥିଲେ । ବାତଜ୍ଵର ତାଙ୍କୁ ଆଜୀବନ ପୀଡ଼ା ପ୍ରଦାନ କରୁଥିଲା । ଅସୁସ୍ଥ ଶରୀରରେ ସୁଦ୍ଧା ଓଡ଼ିଶାର ଇତିହାସ ଅନୁସନ୍ଧାନରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ଥିଲା ଅତ୍ୟନ୍ତ ଗୌରବାବହ । ଅଣ ଓଡ଼ିଆ ଐତିହାସିକମାନଙ୍କର ଅନୁଦାର ମନ୍ତବ୍ୟଗୁଡ଼ିକୁ ଖଣ୍ଡନ କରି ପ୍ରକୃତ ସତ୍ୟର ପ୍ରତିଷ୍ଠା ପାଇଁ ସେ ଉଦ୍ୟମ ଅବ୍ୟାହତ ରଖିଥିଲେ । ମାତ୍ର ମହାକାଳ ତାଙ୍କୁ ସହିଲା ନାହିଁ । ଇଂରେଜ ଶାସନରେ ଲବଣ ଶିଳ୍ପର ଅବସ୍ଥା ଅଧ୍ୟାୟ ପର୍ଯ୍ୟନ୍ତ ଲେଖିସାରି ସେ ଇହଲୀଳା ସମ୍ବରଣ କଲେ । ଉତ୍କଳମଣି ଗୋପବନ୍ଧୁ ଅବଶିଷ୍ଟ ମାତ୍ର ଦଶଟି ପୃଷ୍ଠା କୌଣସିମତେ ପୂରଣ କରିଥିଲେ ବୋଲି ପ୍ରକାଶକଙ୍କ ମନ୍ତବ୍ୟରୁ ଜଣାଯାଏ । ସତ୍ୟବାଦୀର ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ History of England. ‘‘ସ୍ଵାଧୀନତା ସମର’’ ବିଷୟରେ ଏକ ବିରାଟ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ମାତ୍ର ତାଙ୍କର ଅକାଳ ମୃତ୍ୟୁପରେ ସେହି ପାଣ୍ଡୁଲିପିଟି ଅନ୍ତର୍ହିତ ହୋଇଯାଇଥିଲା । କୃପାସିନ୍ଧୁଙ୍କ ସମକାଳୀନ ଗବେଷକ ଜଗବନ୍ଧୁ ସିଂହ ଓଡ଼ିଶାର ସଂସ୍କୃତି ଓ ଇତିହାସ ବିଷୟରେ ଧାରାବାହିକ ଲେଖା ପ୍ରକାଶ କରୁଥିଲେ ସାମୟିକ ସାହିତ୍ୟ ପତ୍ରିକାରେ ଯାହା ୧୯୨୯ ମସିହାରେ “ପ୍ରାଚୀନ ଉତ୍କଳ” ଶୀର୍ଷକରେ ଆତ୍ମପ୍ରକାଶ କରିଥିଲା ।

 

ଐତିହାସିକ କୃପାସିନ୍ଧୁ କଲିକତାରେ ଛାତ୍ର ଅବସ୍ଥାରେ ‘ବାରବାଟୀ’ ଦୁର୍ଗର ଇତିହାସ ସମ୍ପର୍କରେ ଆଲୋଚନା କଲେ ଏବଂ ତାହା ପ୍ରଥମେ ପ୍ରକାଶଲାଭ କଲା । ୧୯୧୩ ମସିହାରେ ‘ମୁକୁର’ ପତ୍ରିକାରେ । ଦ୍ଵାଦଶ ଖ୍ରୀଷ୍ଟାବ୍ଦରେ ଉତ୍କଳ ସମ୍ରାଟ ଅନଙ୍ଗଭୀମଦେବ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ ବୋଲି କୃପାସିନ୍ଧୁ ନିର୍ଦ୍ଧାରଣ କରିଅଛନ୍ତି । ଦୀର୍ଘ ଛଅଶହ ବର୍ଷକାଳ ବାରବାଟୀ ଦୁର୍ଗ ଥିଲା ଓଡ଼ିଶାର ରକ୍ଷାକର୍ତ୍ତା । ତାଙ୍କ ମତରେ ଏହି ବାରବାଟୀ ହିଁ ଉତ୍କଳ ଏବଂ ବାରବାଟୀ ଦୁର୍ଗର ଇତିହାସ ହିଁ ଉତ୍କଳର ଇତିହାସ ।”

 

ଲେଖକ କାହିଁକି ବାରବାଟୀ ଦୁର୍ଗ ବିଷୟରେ ଆଲୋଚନା ଆରମ୍ଭ କରିଥିଲେ, ତାହା ଏହି ମନ୍ତବ୍ୟରୁ ଅନୁଭୂତ ହେଉଅଛି । ତେବେ ଏହି ସମ୍ପର୍କରେ ତାଙ୍କର ଦୀର୍ଘ ଆଲୋଚନା ବିଶେଷ ପ୍ରଣିଧାନଯୋଗ୍ୟ ।

 

“ଜାତୀୟଜୀବନ ଶୂନ୍ୟରେ ଗଠିତ ହୋଇପାରେ ନାହିଁ । କେବଳ ବର୍ତ୍ତମାନ ଉପରେ ଭବିଷ୍ୟତ ଜାତୀୟତା ସ୍ଥାପନ କରିବା ବିଡ଼ମ୍ବନା ମାତ୍ର । ସେଥିନିମନ୍ତେ କୌଣସି ମୂଳଭିଭିର ପ୍ରୟୋଜନ ଏବଂ ତାହା ପ୍ରାଚୀନତା ଉପରେ ପ୍ରତିଷ୍ଠିତ ହେବା ଆବଶ୍ୟକ । ପ୍ରାଚୀନତ୍ୱରୁ ନୂତନତ୍ୱ ଆନୟନ କରିବା, ପ୍ରାଚୀନତ୍ୱକୁ ନୂତନତ୍ୱ ମନ୍ତ୍ରରେ ଅନୁପ୍ରାଣିତ କରିବା ପ୍ରତ୍ୟେକ ଭାତୀୟ ଜୀବନ ଗଠନକାରୀର କାର୍ଯ୍ୟ । ଭାଷା, ରାଜନୀତି ଓ ଜାତୀୟତ୍ୱର ଏତେ ବିଭିନ୍ନତା ସଙ୍ଗେ ସମୁଦାୟ ଇଉରୋପ ମହାଦେଶୀୟ ଏକତାର ପ୍ରଥମ ପ୍ରବର୍ତ୍ତକ ଜ୍ଞାନବୀର, ଧର୍ମବୀର ଏବଂ କର୍ମବୀର ମହାତ୍ମା ମାଟସିନି ସ୍ଵଦେଶବାସୀଙ୍କୁ ସମ୍ବୋଧନ କରି ଦୈବବାଣୀ ସଦୃଶ କହିଥିଲେ, “We ought to worship the greatness of our fathers; and seek in their tombs a pledge of the future.” ଅର୍ଥାତ ପୂର୍ବ ପୁରୁଷମାନଙ୍କର ମହତ୍ୱ ଉପାସନା କରିବା ଏବଂ ସେମାନଙ୍କ କବରରୁ ଭବିତବ୍ୟ ଜାତୀୟତାର ଇନ୍ଧନ ସ୍ୱରୂପ ଉପକରଣ ଅନୁସନ୍ଧାନ କରିବା ଆମ୍ଭମାନଙ୍କର ଉଚିତ ।”

 

xxx ଅତଏବ ଯଦି ଓଡ଼ିଆ ଜାତିର ମଙ୍ଗଳ କାମନା କର, ଯଦି ଆପଣାର ଜାତୀୟତ୍ୱ ରକ୍ଷା କରିବାକୁ ଇଚ୍ଛାକର, ଯଦି ଭାରତୀୟ ଅନ୍ୟାନ୍ୟ ଜାତିମାନଙ୍କ ସମକ୍ଷରେ ସମକକ୍ଷଭାବରେ ନିଜତ୍ୱ ସ୍ଥାପନ କରିବାର ବାସନା କର, ତେବେ ଏହି ପ୍ରାଚୀନତ୍ୱ, ଓଡ଼ିଆ ଜାତୀୟ ସମ୍ବଳ ସମ୍ମୁଖରେ ସଭକ୍ତିରେ ନତମସ୍ତକ ହୁଅ, ଏହାରି ଉପରେ ଜାତୀୟଜୀବନ ଭିତ୍ତି ସ୍ଥାପନ କର, ନୂତନ ଓଡ଼ିଶାକୁ ପୁରାତନ ଓଡ଼ିଶା ଉପରେ ଦଣ୍ଡାୟମାନ କରାଅ; ତାହାହେଲେ ଧନ୍ୟ ହେବ । ପବିତ୍ର ହେବ । ଦେଶସେବାର ପୁଣ୍ୟଫଳ ପ୍ରାପ୍ତ ହେବ, ଦେଶ ତଥା ପୃଥିବୀର ଇତିହାସରେ ସ୍ୱନାମ ଅମର ଅକ୍ଷରରେ ନିବଦ୍ଧ ରହିବ ।’’

(ବାରବାଟୀ ଦୁର୍ଗ- କୃପାସିନ୍ଧୁ ମିଶ୍ର- ପୃ ୪୧-୪୨)

 

ଇତିହାସ ଚର୍ଚ୍ଚା ମଧ୍ୟ କୃପାସିନ୍ଧୁଙ୍କ ଦେଶସେବାର ଅନ୍ୟ ଏକ ଦିଗ ଥିଲା । ଆତ୍ମବିସ୍ମୃତିରେ ଅନ୍ଧୀଭୂତ ଜାତିକୁ ଜାଗ୍ରତ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ଓଡ଼ିଆ ଜାତିର ମହାନ୍ କୀର୍ତ୍ତିରାଜିକୁ ଆଲୋକକୁ ଆଣିବା ପାଇଁ ତାଙ୍କର ସାଧନା ଥିଲା ଅପ୍ରତିହତ ।

 

‘ମୁକୁର’ । ମାସିକ ସାହିତ୍ୟପତ୍ରରେ ବାରବାଟୀ ପ୍ରବନ୍ଧ ପାଠ କରି ବ୍ୟାସକବି ଫକୀରମୋହନ ସେନାପତି ଅତ୍ୟନ୍ତ ମୁଗ୍ଧ ହୋଇଥିଲେ । ସେ ଏହି ତରୁଣ ସାହିତ୍ୟସେବୀଙ୍କୁ ଆଶୀର୍ବାଦ କରି ସେହି ‘ମୁକୁର ପତ୍ରିକାରେ ଏକ ଚିଠି ପ୍ରକାଶ କରିଥିଲେ । ତହିଁର କେତେକ ଅଂଶ ଏହିପରି-

 

‘ପ୍ରକୃତ ମୁଁ ସତ୍ୟ କଥା ଲେଖୁଛି- ବାରବାଟୀ ପ୍ରବନ୍ଧଟି ଆପାତତଃ ଉତ୍କଳ ଭାଷା ଭଣ୍ଡାରରେ ଗୋଟିଏ ମାଣିକ୍ୟ ।” ମୋତେ ବିଶ୍ୱାସ କରନ୍ତୁ ଭାଷାର ବନ୍ଧନ ତଥା ଚିନ୍ତାଶୀଳତା ଏବଂ ପ୍ରୟୋଜନୀୟତା ସମସ୍ତ ବିଷୟ ସମବେତରେ ଆଜି ପର୍ଯ୍ୟନ୍ତ ସାହିତ୍ୟରେ ଯେତେ ପ୍ରବନ୍ଧ ପ୍ରକାଶିତ ହୋଇଅଛି ସମସ୍ତଙ୍କଠାରୁ ବାରବାଟୀ ପ୍ରବନ୍ଧ ଶ୍ରେଷ୍ଠତମ ବୋଲି ଜ୍ଞାନକରେ । ପୁସ୍ତକାକାରରେ ପ୍ରତ୍ୟେକ ଶିକ୍ଷିତ ଏବଂ ପାଠର୍ଥୀ ନବଯୁବକ ହାତରେ ରହିବାର ଉଚିତ- ସେଥ ସକାଶେ ବ୍ୟସ୍ତ ଥିଲି । ମୋହର ଧ୍ରୃବ ବିଶ୍ୱାସ ନିଶ୍ଚୟ ଉତ୍କଳ ଭାଷା ଆପଣଙ୍କ ଯୋଗେ ସମୟରେ ଅଳଙ୍କୃତା ହେବ । ତୁଳସୀ ଦୁଇପତ୍ରରୁ ବାସେ ।’’ ଇତ୍ୟାଦି ଇତ୍ୟାଦି ।

 

ଫକୀରମୋହନ କେବଳ ପ୍ରଶଂସା କରି ନୀରବ ରହିନଥିଲେ, ଏହି ପ୍ରବନ୍ଧର ପ୍ରକାଶନ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । କୃତଜ୍ଞତାର ଅନୁରୋଧରେ ଏହି ପୁସ୍ତକକୁ ଲେଖକ ଫକୀରମୋହନଙ୍କ ନାମରେ ଉତ୍ସର୍ଗ କରି ନିଜକୁ ଧନ୍ୟ ମନେ କରିଥିଲେ ।

 

ଇତିହାସ ଆଲୋଚନା କ୍ଷେତ୍ରରେ କୃପାସିନ୍ଧୁଙ୍କର ଅନ୍ୟ ଏକ ଅମଳିନ କୀର୍ତ୍ତି ହେଉଛି ‘କୋଣାର୍କ’ ପୁସ୍ତକ । କୋଣାର୍କ ମନ୍ଦିର ନିର୍ମାଣ ସମ୍ପର୍କରେ ଅନେକ କିମ୍ବଦନ୍ତୀ ପ୍ରଚାରିତ ହୋଇ ଆସିଛି । ପ୍ରସ୍ତର ଶିଳ୍ପର ଏହି ବିସ୍ମୟକର ଯାଦୁଘର କେବଳ ଓଡ଼ିଶାର ନୁହେଁ, ଭାରତ ପାଇଁ ଏକ ଗରୀୟାନ ବିଭବ । ଏହି ଭଗ୍ନ ମନ୍ଦିର ବହୁକାଳ ପର୍ଯ୍ୟନ୍ତ ଲୋକଲୋଚନ ଅଗୋଚରରେ ଜଙ୍ଗଲ ପରିବେଷ୍ଟିତ ବିଶାଳ ବାଲୁକାସ୍ତୁପ ଗର୍ଭରେ ଲୁକାୟିତ ହୋଇ ରହିଥିଲା । ତତ୍କାଳୀନ ସରକାରୀ ପ୍ରଚେଷ୍ଟାରେ ଏହା ଲୋକଲୋଚନକୁ ଆସିଲେ ମଧ୍ୟ ଏହାର ପ୍ରକୃତ ଇତିହାସ ବିଷୟରେ ଓଡ଼ିଶାବାସୀ ଏକ ପ୍ରକାର ଅଜ୍ଞ ଥିଲେ ବୋଲି ସ୍ୱୀକାର କରିବାକୁ ହେବ । ବହୁ ଶାସ୍ତ୍ର ଅନୁଶୀଳନ କରି କୃପାସିନ୍ଧୁ ଓଡ଼ିଆମାନଙ୍କୁ ପ୍ରଥମେ ଅବଗତ କରାଇଲେ ଏହି ‘କୋଣାର୍କ’ ପୁସ୍ତକରେ । ଏହି ଗ୍ରନ୍ଥର ‘ନିବେଦନ’ ଶୀର୍ଷକରେ ଲେଖକ ମନ୍ତବ୍ୟ ପ୍ରକାଶ କରିଥିଲେ- ‘କୋଣାର୍କ’ ଯେ ଓଡ଼ିଆ ଜାତିର ଗୌରବ-ସ୍ତମ୍ଭ । ଓଡ଼ିଆ ଶିଳ୍ପ ପ୍ରତିଭାର ଅକ୍ଷୟ ପ୍ରମାଣ । ଓଡ଼ିଆ ମାନସିକ ଉନ୍ନତି ଓ ଜାତୀୟ ଗରିମାର ଉଜ୍ଜ୍ୱଳ ନିଦର୍ଶନ, ଅତି ଅଳ୍ପ ଉତ୍କଳ ସନ୍ତାନ ଏ ପର୍ଯ୍ୟନ୍ତ ଏହା ଉପଲବ୍ଧି କରି ଅଛନ୍ତି ।’’

 

‘‘ଓଡ଼ିଆ ଜାତିର ଆପଣା ଶିଳ୍ପଶକ୍ତିରେ ଆତ୍ମପ୍ରତ୍ୟୟ ଜନ୍ମାଇବା ଏହି କ୍ଷୁଦ୍ର ପୁସ୍ତକର ଉଦ୍ଦେଶ୍ୟ । ‘କୋଣାର୍କ’ ଗ୍ରନ୍ଥ ପ୍ରକାଶିତ ହୋଇଥିଲା ୧୯୧୮ ମସିହାରେ ।

 

ଉପସଂହାର

‘ସତ୍ୟବାଦୀ’ ସାହିତ୍ୟ ମାସିକ ଦ୍ୱିତୀୟବର୍ଷ ଅଷ୍ଟମ ସଂଖ୍ୟାଠାରୁ ଦ୍ଵାଦଶ ସଂଖ୍ୟା ମଧ୍ୟରେ ଧାରାବାହିକ ପ୍ରକାଶିତ ହୋଇଥିଲା ଏକ ଦୀର୍ଘ ଆଲୋଚନା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ । ପତ୍ରିକାରେ କୌଣସି ଲେଖକଙ୍କ ନାମ ବିଜ୍ଞାପିତ ହୋଇ ନଥିବାରୁ ଏହାର ପ୍ରକୃତ ଲେଖକ କିଏ ଏହି ବିଷୟରେ ନାନା ମତ ପ୍ରକାଶିତ ହେବା ସ୍ୱାଭାବିକ । କେହି ଏହି ଗବେଷଣାତ୍ମକ ପ୍ରବନ୍ଧର ଲେଖକ କୃପାସିନ୍ଧୁ କହିଲାବେଳେ ଅନେକ ଏହା ଗୋପବନ୍ଧୁଙ୍କର ବୋଲି ମତ ପୋଷଣ କରନ୍ତି । ମାତ୍ର ଏହି ପ୍ରବନ୍ଧର ଉପସଂହାରରେ କେତେକ ଅଭିମତ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଉଛି । ତାହା ହେଲା “ଜଗତରେ ଏକ ଶ୍ରେଣୀର ଲୋକ କାର୍ଯ୍ୟ କରିଯାଆନ୍ତି, ଅନ୍ୟ ଏକ ଶ୍ରେଣୀର ଲୋକେ ତାହାର ଫଳ ଭୋଗ କରନ୍ତି । ଯେ କାର୍ଯ୍ୟ କରନ୍ତି, ସେ କେବଳ କର୍ମରେ ତନ୍ମୟ । ବ୍ୟକ୍ତିଗତ ଲାଭ କ୍ଷତିର ଆଶା ବା ଆଶଙ୍କା ତାଙ୍କର ନଥାଏ । କାର୍ଯ୍ୟର ସିଦ୍ଧିରେ ତାଙ୍କର ସନ୍ତୋଷ । XXX ସେମାନଙ୍କର ଶ୍ରମ, ସାଧନା, ସ୍ଵାର୍ଥତ୍ୟାଗ ଉପରେ ସମାଜର ଭବିଷ୍ୟତ ଗଢ଼ାହୁଏ ।’’

 

ଏହି ଗବେଷଣା ପ୍ରବନ୍ଧର ଲେଖକ ଯେ ହୁଅନ୍ତୁ ନା କାହିଁକି, ଉଭୟ ଗୋପବନ୍ଧୁ ଓ କୃପାସିନ୍ଧୁଙ୍କର ଜୀବନାଦର୍ଶରେ ଏହି ଭାବନା ପ୍ରତିଫଳିତ ହୋଇଥିବାର ଜଣାଯାଏ । ଜାତିପାଇଁ, ଦେଶପାଇଁ ସେମାନେ ନିଜକୁ ଉତ୍ସର୍ଗ କରିଥିଲେ ।

 

କୃପାସିନ୍ଧୁଙ୍କ ସାଧନାପୂତ ଜୀବନଲୀଳା ସାଙ୍ଗ ହୋଇଥିଲା ୧୯୨୬ ମସିହା ଫେବୃଆରୀ ବାର ତାରିଖରେ ବୀରପ୍ରତାପପୁର ଶାସନ ଗ୍ରାମରେ । ଆମାଶୟ ରୋଗରେ ଆକ୍ରାନ୍ତ ହୋଇ ଏହି ମହାନ୍ ସାଧକଙ୍କର ଜୀବନଦୀପ ନିର୍ବାପିତ ହୋଇଗଲା ।

 

କ୍ଷଣଜନ୍ମା କୃପାସିନ୍ଧୁ ମାତ୍ର ଅଠତିରିଶ ବର୍ଷ ଦେହଧାରଣ କରି ସୁଦ୍ଧା ବନବିଦ୍ୟାଳୟର ଅଧ୍ୟକ୍ଷ, ଖ୍ୟାତନାମା ସାହିତ୍ୟିକ, ଦେଶସେବକ, ଆଦର୍ଶ ଶିକ୍ଷକ, ନିଷ୍ଠାପର ଗବେଷକ ଭାବରେ ଅକ୍ଷୟକୀର୍ତ୍ତିର ଅଧିକାରୀ ହୋଇଅଛନ୍ତି । ଏହି ପ୍ରସଙ୍ଗରେ ଉତ୍କଳମଣି ଗୋପବନ୍ଧୁଙ୍କର କବିତାରୁ ପଦିଏ ସ୍ମରଣ କରାଯାଇପାରେ-

 

“ମାନବ ଜନମ ନୁହଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ,

କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ।’’

 

 

କେନ୍ଦୁଝର କଲୋନୀ, କନିକା ରୋଡ଼

କଟକ-୮

 

ସହାୟକ ଗ୍ରନ୍ଥ :

୧.

‘ଐତିହାସିକ କୃପାସିନ୍ଧୁ’ - ଶ୍ରୀ ଚିନ୍ତାମଣି ଦାଶ, ଏମ୍.ଏ.

୨.

ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟାର କତିପୟ ପ୍ରବନ୍ଧ

 

 

ପଣ୍ଡିତ ଗୋପବନ୍ଧୁଙ୍କ ଦୃଷ୍ଟିରେ କୃପାସିନ୍ଧୁ ମିଶ୍ର

ବାଉରୀବନ୍ଧୁ କର

 

ସତ୍ୟବାଦୀବନ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ କୃପାସିନ୍ଧୁ ମିଶ୍ର କ୍ଷୀଣାୟୁ ନେଇ ଜନ୍ମଗ୍ରହଣ କରିଥିଲେ । ସେ ଯଥାର୍ଥରେ ଥିଲେ କୃପାମୟ । ସେ ତାହାଙ୍କ ସମଗ୍ର ଜୀବନ ଜନହିତକର କାର୍ଯ୍ୟରେ କରିଥିଲେ ଉତ୍ସର୍ଗ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସରକାରୀ ବୃଦ୍ଧିର ମୋହ ପରିତ୍ୟାଗ କରି ସ୍ୱଳ୍ପ ବେତନରେ ଶିକ୍ଷକତା କର୍ମକୁ ଆଦରି ନେଇଥିଲେ । ଶିକ୍ଷକତା ସହିତ ଜନସେବା ଥିଲା ତାଙ୍କ ଜୀବନର ବ୍ରତ । ଗୋପବନ୍ଧୁଙ୍କ ଆହ୍ଵାନରେ ସେ ଜାତୀୟତାର ମହାମନ୍ତ୍ରରେ ନିଜକୁ ଦୀକ୍ଷିତ କରିବା ସହିତ ସତ୍ୟବାଦୀ ବନ ବିଦ୍ୟାଳୟ ଛାତ୍ରମାନଙ୍କୁ ସେଇ ଦୀକ୍ଷା ଦେଇଥିଲେ । ମର୍ମେ ମର୍ମେ ଅନୁଭବ କରିଥିଲେ ଯେ ଜାତି ଗଢ଼ିବାକୁ ହେଲେ ଶୁଦ୍ଧପୂତ ଭାବରେ ଛାତ୍ରମାନଙ୍କୁ ଶିକ୍ଷାଦାନ ଅପରିହାର୍ଯ୍ୟ । ଏଥିସହିତ ଜାତିର ଇତିହାସ, ଅତୀତର ବିଭବ କାହାଣୀ ଓ ଉଦାର ମାନବିକ ଭାବନାର ବାର୍ତ୍ତା, ଯେପରି ସେମାନଙ୍କ ଅନ୍ତରକୁ ଛୁଇଁ ପାରିବ, ସେ ଦିଗରେ ସଦୁଦ୍ୟମ କରିବା ହେଉଛି ପ୍ରତ୍ୟେକ ଶିକ୍ଷକର କର୍ତ୍ତବ୍ୟ । ପୁଣି ଭାରତବର୍ଷ କିପରି ଇଂରେଜ କବଳରୁ ମୁକ୍ତ ହୋଇ ସ୍ୱାଧୀନ ଭାରତ ଦେଶରେ ପରିଣତ ହେବ ଏ ସକାଶେ ସତ୍ୟବାଦୀର ସାଧକମାନଙ୍କର କିଛି କମ୍ ଚିନ୍ତା ନଥିଲା । ଏ ସମ୍ପର୍କରେ ପଣ୍ଡିତ ଗୋପବନ୍ଧୁ ଦାଶ ‘ସତ୍ୟବାଦୀ’ ପତ୍ରିକାରେ ଲେଖୁଥଲେ, “ପରାଧୀନତାର ସ୍ୱାଚ୍ଛନ୍ଦ୍ୟ ନୀଚ, ସ୍ୱାଧୀନତାର ଦୈନ୍ୟ ଗର୍ବିତ । ଆମେ ଏଇ ସତ୍ୟବାଦୀ ସ୍କୁଲକୁ ଯେତେ ନୂଆ ଛାଞ୍ଚରେ ଗଢ଼ିଲେ ସୁଦ୍ଧା ଏବଂ ପିଲାମାନଙ୍କୁ ଉପଯୁକ୍ତ ମନୁଷ୍ୟ କରି ଗଢ଼ିବା ନିମନ୍ତେ ଯେତେ ତ୍ୟାଗ, କଳ୍ପନାଜଳ୍ପନା ଓ ସାଧ୍ୟ ସାଧନା କଲେ ସୁଦ୍ଧା ଭାରତ ବର୍ତ୍ତମାନ ପରାଧୀନ ଦାସତ୍ୱ ମନୋବୃତ୍ତିରେ ଲୋକମାନେ ସଢ଼ୁଛନ୍ତି । xxx ମୁକ୍ତ ସ୍ଵାଧୀନତା ଆର୍ଯ୍ୟର ଶ୍ରେଷ୍ଠ ଆଦର୍ଶ । ଏହି ସ୍ଵାଧୀନତା ଅନୁଭବ କରିବା ପାଇଁ ଦାସତ୍ୱ ସୁଲଭ ମନୋବୃତ୍ତ ଛାଡ଼ି ଏହି ମୁକ୍ତିର ସ୍ଵାଧୀନତାରେ ମନୁଷ୍ୟତ୍ୱ ଅର୍ଜିବା ପାଇଁ ବିଶ୍ଵକର୍ତ୍ତାଙ୍କର ଭାରତବାସୀଙ୍କ ପ୍ରତି ପ୍ରେରଣା ଆସିଅଛି । “(‘ସତ୍ୟବାଦୀ’ -ଷଷ୍ଠଖଣ୍ଡ - ପ୍ରଥମ ସଂଖ୍ୟା-ପୃ-୨) ପଣ୍ଡିତ ଗୋପବନ୍ଧୁଙ୍କ ଏହି ଆଦର୍ଶରେ କୃପାସିନ୍ଧୁ କାହିଁକି, ସତ୍ୟବାଦୀର ସମସ୍ତ ଛାତ୍ର, ଶିକ୍ଷକ ଉଦ୍‍ବୁଦ୍ଧ ହୋଇଥିଲେ ।

 

କୃପାସିନ୍ଧୁ ମିଶ୍ର ସିଧାସଳଖ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପାସ୍ କରି ୧୯୧୪ ମସିହା ଜୁଲାଇ ୧୮ ତାରିଖରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ ଓ ୧୯୧୯ ମସିହା ଫେବୃୟାରୀ ୭ ତାରିଖରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ ମଣ୍ଡନ କରିଥିଲେ । ସେ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୧୨ -୨-୧୯୨୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । କୃପାସିନ୍ଧୁ କେବଳ ଶିକ୍ଷକ ଭାବରେ ଏଠାରେ କାର୍ଯ୍ୟ କରୁନଥିଲେ ଅଧିକନ୍ତୁ ବନ୍ୟା ସମୟରେ ରିଲିଫ କାର୍ଯ୍ୟ, କଂଗ୍ରେସର ବାର୍ତ୍ତା ପ୍ରଚାର, ସତ୍ୟବାଦୀ ବନ ବିଦ୍ୟାଳୟରେ ଛାତ୍ରମାନଙ୍କ ଇତିହାସ ଚେତନା ବିକାଶ ପାଇଁ ଗଠିତ History club’ର ସଭାପତି, ‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ଛାତ୍ରମାନଙ୍କ ଲେଖାର ସଂଶୋଧନ, ପଣ୍ଡିତ ଗୋପବନ୍ଧୁଙ୍କ ଜେଲ ରହଣି କାଳରେ ‘ସମାଜ ସାପ୍ତାହିକ ସମ୍ବାଦ ପତ୍ରର ସମ୍ପାଦକୀୟ ଲେଖା, ସତ୍ୟବାଦୀ ବନବିଦ୍ୟାଳୟ ପରିଚାଳନା ସମିତିର ସହ ସମ୍ପାଦକ, ଛାତ୍ରମାନଙ୍କ ବୌଦ୍ଧିକ ବିକାଶ ପାଇଁ ସତ୍ୟବାଦୀ ବନବିଦ୍ୟାଳୟର ହାତଲେଖା ପତ୍ରିକା ‘ବାଣୀ’ର ସମ୍ପାଦନା ଇତ୍ୟାଦି ବହୁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ସେ ଦରମା ପାଇଁ କୌଣସି ଚିନ୍ତା ନ କରି ଅତି ଅଳ୍ପ ବେତନରେ ଚଳି ଯାଉଥିଲେ । ଏପରି ବନ ବିଦ୍ୟାଳୟର ମୁଖ୍ୟ ଉଦ୍ୟୋକ୍ତା ପଣ୍ଡିତ ଗୋପବନ୍ଧୁ ତାଙ୍କର ବେତନ ବୃଦ୍ଧି ପ୍ରସଙ୍ଗ ପରିଚାଳନା କମିଟିରେ ଉଠାଇବା ମାତ୍ରେ ସେ ପ୍ରତିବାଦ କରୁଥିଲେ ଏବଂ କହୁଥିଲେ, “ନା ମୋର ପଚାଶ ଟଙ୍କାରୁ ଅଧୁକ ଦରକାର ନାହିଁ ।” (ସମାଜ ୧୭.୨.୧୯୫୮ ସ୍ଵର୍ଗତ କୃପାସିନ୍ଧୁ ମିଶ୍ର ଲେଖକ- ନୀଳକଣ୍ଠ ଦାସ) କୃପାସିନ୍ଧୁଙ୍କ ଏଇ ଉକ୍ତରୁ ସେ ଅର୍ଥ ପାଇଁ ନୁହେଁ, ଜାତି ଗଠନ ପାଇଁ ଓ ତରୁଣ ଛାତ୍ରମାନଙ୍କୁ ଭଲ ମଣିଷ କରି ଗଢ଼ିବା ସକାଶେ ଶିକ୍ଷକତାକୁ ଗ୍ରହଣ କରିଥିଲେ ।

 

ପଣ୍ଡିତ ଗୋପବନ୍ଧୁଙ୍କ ଦୃଷ୍ଟିରେ କୃପାସିନ୍ଧୁ ଥିଲେ ଜଣେ କର୍ମବୀର । ସେ ଅବିରତ କର୍ମରେ କରୁଥିଲେ ଆନନ୍ଦନୁଭବ । ଜନ୍ମ (୧୮୮୭)ରୁ ମୃତ୍ୟୁ ପର୍ଯ୍ୟନ୍ତ (୧୯୨୬) ଜୀବନ ତାଙ୍କର ଥିଲା ସତ୍‍କର୍ମର ପ୍ରକୃଷ୍ଟ ନିଦର୍ଶନ । ସେ ତାଙ୍କର ‘ସତ୍ୟବାଦୀ’ ବା ‘ସାକ୍ଷୀଗୋପାଳ’ ପ୍ରବନ୍ଧରେ ଏ ସମ୍ପର୍କରେ ସୂଚନା ଦେବାକୁ ଭୁଲି ନାହାନ୍ତି । ଏ ସମ୍ପର୍କରେ ସେ କହନ୍ତି, ଜଗତରେ ଏକ ଶ୍ରେଣୀର ଲୋକ କାର୍ଯ୍ୟ କରି ଯାଆନ୍ତି, ଅନ୍ୟ ଏକ ଶ୍ରେଣୀର ଲୋକେ ତା’ର ଫଳ ଭୋଗ କରନ୍ତି । ଯେ କାର୍ଯ୍ୟ କରନ୍ତି, ସେ କେବଳ କର୍ମରେ ତନ୍ମୟ । ବ୍ୟକ୍ତିଗତ ଲାଭକ୍ଷତିର ଆଶା ବା ଆକାଂକ୍ଷା ତାଙ୍କର ନଥାଏ । କାର୍ଯ୍ୟର ସିଦ୍ଧିରେ ତାଙ୍କର ସନ୍ତୋଷ । ସେ ଚାଲିଯାନ୍ତି; ମାତ୍ର ତାଙ୍କ କାର୍ଯ୍ୟ ରହେ । ଅନେକ ସ୍ଥଳରେ ଉଦ୍ଦିଷ୍ଟ କାର୍ଯ୍ୟରେ ତାଙ୍କର ନାମ ବା ଚିହ୍ନ ପର୍ଯ୍ୟନ୍ତ ବି ରହେ ନାହିଁ । ଏହି ଅବସ୍ଥାରେ କର୍ମୀ ଓ ସାଧକର ଶାନ୍ତି ଓ ମୁକ୍ତି । କର୍ମ ସାଧକର ଜୀବନ ଏହି ମହୋପଦେଶର ଅନୁସରଣ । ନିଜର ଆରାଧ୍ୟ କର୍ମ ଦେବତାଙ୍କ ଠାରେ ଆପଣାର ବ୍ୟକ୍ତିଗତ ସତ୍ତା ଓ ଶକ୍ତି, କର୍ତ୍ତୃତ୍ୱ ଓ କୃତିତ୍ୱ ଲୀନ କରିଦେବା ତାଙ୍କ ପକ୍ଷେ ପରମପଦ ଲାଭ । ଏହି ଶ୍ରେଣୀର ସାଧକମାନେ ମାନବ ସମାଜର ଭିର୍ତ୍ତି ଓ ମୂଳାଧାର । ସେମାନଙ୍କର ଶ୍ରମ, ସାଧନା, ସ୍ଵାର୍ଥତ୍ୟାଗ ଉପରେ ସମାଜର ଭବିଷ୍ୟତ ଗଢ଼ା ହୁଏ । ମାତ୍ର ଆଶ୍ଚର୍ଯ୍ୟର କଥା, ଭାବୀ ଉତ୍ତରାଧିକାରୀମାନେ ସେମାନଙ୍କର ଗୌରବ ପ୍ରାୟ ଭୁଲି । ଯା’ନ୍ତି ଏବଂ ଅନେକ ସମୟରେ କେବଳ ସେମାନଙ୍କ କର୍ମର ଫଳ ଉପଭୋଗରେ ଆପଣାକୁ ଗୌରାବାନ୍ଦିତ ମଣନ୍ତି ।” (“ସତ୍ୟବାଦୀ’ ଦ୍ୱିତୀୟଖଣ୍ଡ-୮ମ ଠାରୁ ୧୨ ଶ ସଂଖ୍ୟା- ପୃଷ୍ଠା -୨୬୬) କୃପାସିନ୍ଧୁ କର୍ମ ସମ୍ପର୍କରେ ଏଇ ପ୍ରବନ୍ଧରେ ଯାହା ଉଲ୍ଲେଖ କରିଛନ୍ତି, ତାହାହି ଥିଲା ତାଙ୍କର ଜୀବନ ଦର୍ଶନ । ଗୋପବନ୍ଧୁ ମଧ୍ୟ ଫଳାଭିସନ୍ଧିହୀନ କର୍ମରେ ଗଭୀର ଅବସ୍ଥା ପୋଷଣ ପୂର୍ବକ କର୍ମ କରୁଥିଲେ । ସେ କର୍ମ ଭିତରେ ଜୀବନ ଓ ଜୀବନ ଭିତରେ କର୍ମ ସନ୍ଧାନ କରୁଥିଲେ । ଏହି କର୍ମ ମଧ୍ୟରେ ଦରିଦ୍ର ଜନସେବା ଥିଲା ତାଙ୍କର ପ୍ରଧାନ କର୍ମ । ଦୁର୍ଗତଙ୍କ ଚକ୍ଷୁରୁ ଲୋତକ ପୋଛି ସେମାନଙ୍କ ମୁଖରେ ହସ ଫୁଟାଇବା ଥିଲା ତାଙ୍କ କର୍ମ ସଂସ୍କୃତିର ବଡ଼ ଆଦର୍ଶ ।

 

ଗୋପବନ୍ଧୁ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ କୃପାସିନ୍ଧୁଙ୍କୁ ଭଲ ରୂପେ ଜାଣିଥିଲେ ଓ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । କୃପାସିନ୍ଧୁ ବୟସରେ ଗୋପବନ୍ଧୁଙ୍କ ଠାରୁ ଦଶବର୍ଷ ସାନ ହେଲେ ସୁଦ୍ଧା ତାଙ୍କ ଠାରେ ଦେଶମାତୃକାର ସେବା କରିବାର ସମସ୍ତ ସଦ୍‌ଗୁଣ ସେ ଲକ୍ଷ୍ୟ କରିଥିଲେ । ସେ ତାଙ୍କ ପ୍ରତି ଅନ୍ତରର ସମସ୍ତ ସ୍ନେହ ଓ ମମତା ଅଜାଡ଼ି ଦେଇଥିଲେ । ଏ ସମ୍ପର୍କରେ ଅଧ୍ୟାପକ ଚିନ୍ତାମଣି ଦାଶ କହନ୍ତି, “ପୁରୀରେ ପଢ଼ିଲା ଦିନରୁ ଗୋପବନ୍ଧୁ କୃପାସିନ୍ଧୁଙ୍କ ମେଧା, ଚତୁରତା ଓ ନିର୍ଭୀକତା ଦେଖି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ଅତି ତରୁଣ ବୟସରୁ ଗୋପବନ୍ଧୁଙ୍କ ଆଖି ବୁଲୁଥାଏ କିପରି ଦଳେ ସ୍ୱାର୍ଥତ୍ୟାଗୀ ଓ କର୍ମତତ୍ପର ଯୁବକଙ୍କୁ ନେଇ ଭବିଷ୍ୟତରେ ଦେଶହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କୃପାସିନ୍ଧୁଙ୍କର ଚାଲିଚଳନ ଦେଖି ସେ ନିଶ୍ଚିତ ହୋଇଥିଲେ ଯେ ବଡ଼ ହେଲେ ତାଙ୍କର ପରିକଳ୍ପିତ ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ଏହି କିଶୋର ବିଶେଷ ସାହାଯ୍ୟରେ ଆସିବ ।’’ (ଐତିହାସିକ କୃପାସିନ୍ଧୁ - ଅଧ୍ୟାପକ ଚିନ୍ତାମଣି ଦାଶ-(୧୯୬୨) ଗୋପବନ୍ଧୁ ସାହିତ୍ୟ ମନ୍ଦିର- ପୃଷ୍ଠା-୪୧)

 

ପଣ୍ଡିତ ଗୋପବନ୍ଧୁ ତାଙ୍କୁ ଯେତେବେଳେ ଯାହା ନିର୍ଦ୍ଦେଶ ଦେଉଥିଲେ ସେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ୧୯୨୦ ମସିହା ସେପ୍ଟେମ୍ବର ୪ ତାରିଖରେ ପଞ୍ଜାବ କେଶରୀ ଲାଲା ଲାଜପତ୍ ରାୟଙ୍କ ସଭାପତିତ୍ୱରେ କଲିକତାଠାରେ କଂଗ୍ରେସର ଯେଉଁ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ସେଥିରେ ଗୋପବନ୍ଧୁଙ୍କ ସହ କୃପାସିନ୍ଧୁ ଯୋଗ ଦେଇଥିଲେ । ଇଂରେଜ ସରକାର ସହିତ ସକଳ କ୍ଷେତ୍ରରେ ଅସହଯୋଗ ସମ୍ପର୍କରେ ମହାତ୍ମାଗାନ୍ଧୀ ଏଥିରେ ଆଲୋଚନା କରିଥିଲେ । କଲିକତାରୁ ଗୋପବନ୍ଧୁଙ୍କ ସହ ଫେରି କୃପାସିନ୍ଧୁ ସେତେବେଳେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ତରୁଣମାନଙ୍କ ନିକଟରେ ପହଞ୍ଚାଇଥିଲେ ଓ ସତ୍ୟବାଦୀ ବନ ବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେଇଥିଲା । ଭାରତର ସ୍ଵାଧୀନତା ପାଇଁ ଓ ଓଡ଼ିଶାକୁ କଂଗ୍ରେସ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ସଂଯୋଗ କରିବା ପାଇଁ ପଣ୍ଡିତ ଗୋପବନ୍ଧୁଙ୍କ ସହ କୃପାସିନ୍ଧୁ ଯେ ସେକାଳରେ ସ୍ୱପ୍ନ ଦେଖୁଥିଲେ ଏକଥା ବୁଝାଇ କହିବା ନିଷ୍ପ୍ରୟୋଜନ । ସତ୍ୟବାଦୀର ଛାତ୍ରମାନଙ୍କୁ ଭାରତୀୟ ମୁକ୍ତି ସଂଗ୍ରାମର ସୈନିକ ରୂପେ ଦାସେ ଆପଣେ ଗଢ଼ିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିଥିଲେ କୃପାସିନ୍ଧୁ । ଛାତ୍ରମାନଙ୍କ ମନରୁ ଦାସ ମନୋବୃତ୍ତି (Slave Mentality) ପରିହାରପୂର୍ବକ ସ୍ୱାବଲମ୍ବୀ ହୋଇ ବଞ୍ଚିବା ପାଇଁ ସେତେବେଳେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନ ଛାତ୍ରସମାଜରେ ବେଶ୍ ପ୍ରଭାବ ପକାଇଥିଲା । ଏହାର ପ୍ରଥମ ପରୀକ୍ଷାଗାର ଥିଲା ସତ୍ୟବାଦୀ ବନ ବିଦ୍ୟାଳୟ । ଏହା ୧୯୨୧ ମସିହା ଜାନୁୟାରୀ ୨୧ ତାରିଖରେ ଜାତୀୟ ବିଦ୍ୟାଳୟରେ ପରିଣତ ହେଲା । ଲୁଗା ବୁଣିବା, ବଢ଼େଇକାମ କରିବା, ବଗିଚା କରିବା ପ୍ରଭୃତି କାର୍ଯ୍ୟରେ ଛାତ୍ରମାନେ ଅଧ୍ୟୟନ ସହ ଲାଗିପଡ଼ିଲେ । ଅସହଯୋଗ ଆନ୍ଦୋଳନରେ ବନବିଦ୍ୟାଳୟ ଛାତ୍ରମାନେ ଯୋଗ ଦେଇ ପରୀକ୍ଷାକୁ କଲେ ବର୍ଜନ । ପାଖରେ ଅର୍ଥ ନଥାଇ ଆଦର୍ଶକୁ ବଞ୍ଚାଇ ରଖିବାର ଯେଉଁ ସଂଗ୍ରାମ ତାହା ଯେ କେବଳ କୃପାସିନ୍ଧୁଙ୍କ ପରି ପ୍ରଧାନ ଶିକ୍ଷକ ସଫଳ କରିପାରନ୍ତି, ଏହା ତାଙ୍କର ଛାତ୍ରମାନେ ତାଙ୍କ ମୃତ୍ୟୁର ବହୁବର୍ଷ ପରେ ମଧ୍ୟ ସ୍ୱୀକାର କରନ୍ତି ।

 

ପଣ୍ଡିତ ଗୋପବନ୍ଧୁ ଶିକ୍ଷାର ଗୁଣାତ୍ମକ ମୂଲ୍ୟକୁ ଗୁରୁତ୍ୱ ଦେଉଥିଲେ । ଶିକ୍ଷା ମଣିଷର ଶାରୀରିକ, ମାନସିକ ଓ ଆର୍ଥିକ ବିକାଶରେ ସହାୟତା କରୁ ଏହାହିଁ ସେ ଚାହୁଁଥିଲେ । ଏ ଦିଗରେ ସେ କୃପାସିନ୍ଧୁଙ୍କୁ ଢେର ଉତ୍ସାହିତ କରୁଥିଲେ । ଭାରତର ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ଜାତୀୟ ସ୍ତରରେ ହେଉଥିବା ଶିକ୍ଷା ସମ୍ମିଳନୀମାନଙ୍କରେ କୃପାସିନ୍ଧୁ ବରାବର ଯୋଗ ଦେଉଥିଲେ । ଶିକ୍ଷାର ସୁବିସ୍ତୃତ ପରିସର, ଶିକ୍ଷକମାନଙ୍କ ମହତ୍ତ୍ୱ, ଛାତ୍ରମାନଙ୍କୁ ସୁନାଗରିକ ରୂପେ ଗଢ଼ିବାର ନିଷ୍ଠା ଓ ମାନବିକ ସହାନୁଭୂତି ସମ୍ପର୍କରେ ଏହି ସମ୍ମିଳନୀମାନଙ୍କରେ ସେ ଚମତ୍କାର ଆଲୋଚନା କରିପାରୁଥିଲେ । ଶିକ୍ଷା ମଣିଷପଣିଆର ବିକାଶରେ ସହାୟତା କରୁ ଏହାହିଁ କୃପାସିନ୍ଧୁଙ୍କର ଲକ୍ଷ୍ୟ ଥିଲା । ପଣ୍ଡିତ ଗୋପବନ୍ଧୁ ମଧ୍ୟ ଶିକ୍ଷାର ମାନବ କଲ୍ୟାଣ ଆଭିମୁଖ୍ୟକୁ ଜୋର୍ ଦେଇ ଏ ଦିଗରେ କୃପାସିନ୍ଧୁଙ୍କୁ ବାସ୍ତବ ଦୃଷ୍ଟିକୋଣ ନେଇ ଆଗେଇବା ପାଇଁ ପ୍ରେରଣା ଦେଇଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ କାଶୀବିଦ୍ୟାପୀଠରେ । ଅନୁଷ୍ଠିତ ନିଖିଳ ଭାରତ ଏସିଆଟିକ୍‍ ଶିକ୍ଷା ସମ୍ମିଳନୀରେ ସେ ଯୋଗଦେଇ ସେଠାରେ ଆମ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଏ ସମ୍ପର୍କରେ ସୂଚାଇବାକୁ ଯାଇ ଅଧ୍ୟାପକ ଚିନ୍ତାମଣି ଦାଶ ଲେଖୁଛନ୍ତି, “ଅସହଯୋଗ ଆନ୍ଦୋଳନ ପରେ କାଶୀବିଦ୍ୟାପୀଠରେ ଡକ୍ଟର ଭଗବାନ ଦାସଙ୍କ ତତ୍ତ୍ଵାବଧାନରେ ଯେଉଁ ନିଖିଳ ଭାରତ ଏସିଆଟିକ୍‍ ଶିକ୍ଷା ସମ୍ମିଳନୀ (All India Asiatic Educational Conferance) ହୋଇଥଲା, ସେଥିକୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିର୍ଦ୍ଦେଶରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ପ୍ରତିନିଧ ରୂପେ ଓଡ଼ିଶାରୁ ଯାଇଥିଲେ । ସେ ସମ୍ମିଳନୀରେ ପଣ୍ଡିତ ମିଶ୍ର ଦୀର୍ଘ ଅଢ଼େଇ ଘଣ୍ଟା ବ୍ୟାପୀ ଏକ ଲିଖିତ ପ୍ରବନ୍ଧ ପାଠ କରିଥିଲେ । ସେ ପ୍ରବନ୍ଧ ସମ୍ମିଳନୀରେ ଥିବା ସେ ଅଞ୍ଚଳର ବିଦ୍ୱାନ ପଣ୍ଡିତମାନଙ୍କୁ ଅତ୍ୟନ୍ତ ମୁଗ୍ଧ କରିଥିଲା । ଡକ୍ଟର ଭଗବାନ ଦାସ ଅତି ଆଦର ଓ ସମ୍ମାନର ସହିତ ପଣ୍ଡିତ ମିଶ୍ରଙ୍କୁ କୋଳାଗ୍ରତ କରିଥିଲେ ।’’ (ଐତିହାସିକ କୃପାସିନ୍ଧୁ- ଅଧ୍ୟାପକ ଚିନ୍ତାମଣି ଦାଶ (୧୯୬୨)- ଗୋପବନ୍ଧୁ ସାହିତ୍ୟ ମନ୍ଦିର- ପୃଷ୍ଠା ୧୨୪-୧୨୫)

 

ପଣ୍ଡିତ ଗୋପବନ୍ଧୁ ଥିଲେ ଅତ୍ୟନ୍ତ ବନ୍ଧୁବତ୍ସଳ ଅମାୟିକ ପ୍ରକୃତିର ମଣିଷ । ତାଙ୍କର ସମ୍ପର୍କରେ ଯିଏ ଆସୁଥିଲା ସେ ତାକୁ ସମ୍ପର୍କର ପାଟଡୋରରେ ବାନ୍ଧି ଦେଉଥିଲେ । ସେ କହୁଥିଲେ; ‘‘ଅବନ୍ଧୁଜୀବନ ଅସୂର୍ଯ୍ୟ ମହୀ, ଦେହଧରି କିଏ ପାରିବ ସହି । ସେ ବନ୍ଧୁମାନଙ୍କ ଗହଣରେ ଦେଶ ଓ ଜାତିର ତଥା ମଣିଷ ସମାଜର ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏ ସମ୍ପର୍କରେ ପଣ୍ଡିତ ଗୋପବନ୍ଧୁଙ୍କ ଘନିଷ୍ଠ ସହଯୋଗୀ ଓ କୃପାସିନ୍ଧୁଙ୍କ ସହକର୍ମୀ ରାଧାନାଥ ରଥ ୨୮-୧୧-୬୨ ରେ ଲେଖୁଛନ୍ତି, “ଗୋପବନ୍ଧୁଙ୍କ ପକ୍ଷରେ ଅବନ୍ଧୁ-ଜୀବନ ଯାପନ ଅସମ୍ଭବ ଥିଲା । ବନ୍ଧୁ ହରାଇଲେ ସେ ଏପରି ଅଧୀର ଓ ବ୍ୟଥିତ ହେଉଥିଲେ ଯେ ଅନେକ ସମୟରେ ପିଲାଙ୍କ ପରି କାନ୍ଦି ପକାଉଥିଲେ । ଯେଉଁଦିନ ଗ୍ରାମ ବୀରପ୍ରତାପପୁରଠାରେ କୃପାସିନ୍ଧୁଙ୍କର ଅକାଳ ବିୟୋଗ ହେଲା, ତା ପୂର୍ବଦିନ ସେ ପୁରୀଠାରେ ଗୋପବନ୍ଧୁଙ୍କ ସହିତ ସାକ୍ଷାତ କରି ଯାଇଥିଲେ । ପରଦିନ ସକାଳେ ଖବର ଆସିଲା ‘ଆମାଶୟ ରୋଗରେ ତାଙ୍କର ଅବସ୍ଥା ଅତି ଖରାପ ହୋଇପଡ଼ିଲାଣି ।’’ ପଣ୍ଡିତ ଗୋପବନ୍ଧୁ ସଙ୍ଗେ ସଙ୍ଗେ ଏମାର ମଠ ମହନ୍ତ ମହାରାଜ ଗଦାଧର ରାମାନୁଜ ଦାସଙ୍କ ଠାରୁ ମଟର ମଗାଇ ସିଭିଲ ସର୍ଜନଙ୍କୁ ସାଙ୍ଗରେ ଧରି ବୀରପ୍ରତାପପୁର ଦୌଡ଼ିଲେ । ମୁଁ ସେ ଗାଡ଼ିରେ ସାଙ୍ଗରେ ଯାଇଥିଲି । ବୀରପ୍ରତାପପୁର ଗାଁ ମୁଣ୍ଡରେ ସଡ଼କ ଉପରେ ଗାଡ଼ି ପହଞ୍ଚିଲା ବେଳକୁ ସେଠାରେ ଠିଆ ହୋଇଥିବା ଜଣେ ଗ୍ରାମବାସୀ କହିଲେ, “କୃପାସିନ୍ଧୁ ଚାଲିଗଲେ । ତାହା ଶୁଣିବା ମାତ୍ରକେ ଗାଡ଼ି ଭିତରେ ଗୋପବନ୍ଧୁ ଅଶୁଜଳରେ ବୁଡ଼ିଗଲେ । ‘ଚାଲିଗଲେ, ଚାଲିଗଲେ, ଚାଲିଗଲେ’ ବୋଲି ସେ ତିନିଥର କହି ଗାଡ଼ି ଫେରାଇବାକୁ ଇଙ୍ଗିତ ଦେଲେ । କାରଣ ସେତେବେଳକୁ କୃପାସିନ୍ଧୁଙ୍କ ମରଶରୀର ପାଉଁଶ ହୋଇଗଲାଣି । ଏ ଦାରୁଣ ବିଚ୍ଛେଦ ଗୋପବନ୍ଧୁଙ୍କ ହୃଦୟରେ ଯେଉଁ ଆଘାତ ଦେଲା ଓ ଯେଉଁ କ୍ଷତ ସୃଷ୍ଟି କଲା, ତାହା ଆଉ ଶୁଖିଲା ନାହିଁ । ତେଣୁ ସତେ ଯେପରିକି ତାଙ୍କରି ଡାକରେ ଦୁଇବର୍ଷ ଅଢ଼େଇ ବର୍ଷ ଭିତରେ ସେତେବେଳେ ଶ୍ମଶାନ ସଦୃଶ ଦେଖାଯାଉଥିବା ବନବିଦ୍ୟାଳୟର ବକୁଳ ବନରେ ନିଜର ମରଶରୀର ଛାଡ଼ି ସେ ଚିରସଖା କୃପାସିନ୍ଧୁଙ୍କ ପାଖକୁ ବିଦାୟ ନେଇଗଲେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସହିତ ଘନିଷ୍ଠ ସମ୍ପର୍କରେ ରହି ତାଙ୍କ କ୍ରିୟାକଳାପ ଓ ଭାବପ୍ରବଣତାର ପରିଚୟ ମୁଁ ବହୁ ଘଟଣାରେ ପାଇଛି । କୃପାସିନ୍ଧୁଙ୍କ କଥା ଆଖି ଛଳ ଛଳ କରି କହିବାବେଳେ ଗୋପବନ୍ଧୁ ତାଙ୍କ ବିଚ୍ଛେଦ ଦୁଃଖର ଅଭିବ୍ୟକ୍ତି ଦେବାକୁ ଯାଇ କହିଥିଲେ; “ବନ୍ଧୁ ! ତୁ ତ ଅନୁଭବୀ ନୋହୁ, ସ୍ନେହଜାତ ସୁଖ ତା ବିଚ୍ଛେଦ ଦୁଃଖ ଯେ ଜାଣେ, ସେ ଆସି କହୁ ।’’

 

ରାଧାନାଥ ରଥଙ୍କର ଏଇ କେତେ ଧାଡ଼ିରୁ କୃପାସିନ୍ଧୁଙ୍କ ସହିତ ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କ କେଉଁ ସ୍ତରର ଥିଲା ତାହା ସହଜରେ ଅନୁମେୟ । କେବଳ ସେତିକି ନୁହେଁ ପଣ୍ଡିତ ଗୋପବନ୍ଧୁ କୃପାସିନ୍ଧୁଙ୍କ ଅକାଳ ବିୟୋଗରେ ତା ୧୩-୨-୧୯୨୬ରିଖ ‘ସମାଜ’ରେ ତାଙ୍କ ସମ୍ପର୍କରେ ଯାହା ଲେଖିଥିଲେ ତାହା ଥିଲା ଗଭୀର ମର୍ମସ୍ପର୍ଶୀ । ତା’ର ସ୍ୱରୂପ ଥିଲା, ଏହିପରି, ସତ୍ୟବାଦୀ ବିଦ୍ୟାଳୟର ଧୈର୍ଯ୍ୟଶୀଳ, ପ୍ରବୀଣ, ଲୋକପ୍ରିୟ, ସୁଦକ୍ଷ ପଣ୍ଡିତ, ପ୍ରଧାନ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ମିଶ୍ର ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ, ସହକର୍ମୀ ଓ ଛାତ୍ରବର୍ଗଙ୍କୁ ଶୋକ ସାଗରରେ ଭସାଇ ଏ ମାସ ୧୨ ତାରିଖ ଶୁକ୍ରବାର ସକାଳ ଦଶଟାବେଳେ ଚାଲିଗଲେ । ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜଳ ନକ୍ଷେତ୍ର ଖସି ପଡ଼ିଲା । ଉତ୍କଳ ଇତିହାସର ପ୍ରତ୍ନତତ୍ତ୍ୱ ଅନୁସନ୍ଧାନ କ୍ଷେତ୍ରରୁ ପ୍ରଧାନ ସାଧକ ଅନ୍ତର୍ହିତ ହେଲେ । ‘ବାରବାଟୀ’ ଓ ‘କୋଣାର୍କ ଗ୍ରନ୍ଥ ସଂଶୋଧନ, ପରିବର୍ତ୍ତନ ଓ ପରିବର୍ତ୍ତନ ଆଉ ଏବେ କିଏ କରିବ ? କୃପାସିନ୍ଧୁଙ୍କ ଲେଖା ‘ଉତ୍କଳ ଇତିହାସ’ର ଛାପା ସମ୍ପୂର୍ଣ୍ଣ ହୋଇନାହିଁ । ଓଡ଼ିଶାର ସୁବୃହତ୍ ଇତିହାସ ଇଂରେଜୀରେ ଲେଖିବାର ଆଶା ଆମ୍ଭମାନଙ୍କର ଅପୂର୍ଣ୍ଣ ରହିଲା । ହୃଦୟରେ ଆଉ ଯେ ଯେତେ କଳ୍ପନା ଅଙ୍କୁରିଥିଲା ତାହା ସେହି ହୃଦୟରେ ମଉଳିଲା । ଏ ଜାତୀୟ ବିପତ୍ତକୁ ଧୈର୍ଯ୍ୟଧରି କିଏ ସମ୍ଭାଳିବ ? ବିଧାତାଙ୍କର ଏ ହତଭାଗ୍ୟ ଦେଶ ଓ ସମାଜକୁ କି ଅଭିଶାପ ଅଛି କେ ଜାଣି ? ଦାରୁଣ ଦୁଃଖରେ କିଛି କହି ପାରୁନାହିଁ । ଗଭୀର ଶୋକରେ ଆଖୁରୁ ଲୁହ ବୋହୁ ନାହିଁ; ତୁଣ୍ଡରେ କଥା ଆସୁ ନାହିଁ । କଲମ ଚାଲୁନାହିଁ । ପ୍ରଭୋ ! ତୁମର କି ବିଚାର, ତୁମ୍ଭେ ଜାଣ ।’’ ଏ ଥିଲା ପଣ୍ଡିତ ଗୋପବନ୍ଧୁଙ୍କର କୃପାସିନ୍ଧୁଙ୍କ ପ୍ରତି ଶୋକ ଉଚ୍ଛାସ ।

 

ପଣ୍ଡିତ ଗୋପବନ୍ଧୁ ଓ କୃପାସିନ୍ଧୁ ମିଶ୍ର ଥିଲେ ଗୋଟିଏ ଫୁଲର ଦୁଇଟି ପାଖୁଡ଼ା । ଦୁଗ୍ଧରେ ଧବଳତା ପରି, ଅଗ୍ନିରେ ଦାହିକା ଶକ୍ତି ପରି, ପୁରୁଷ ସହିତ ପ୍ରକୃତିର ସମ୍ପର୍କ ପରି ଉଭୟଙ୍କ ସମ୍ପର୍କ ଥିଲା ଅତି ଆତ୍ମୀୟ ଓ ନିବିଡ଼ । ଛାତ୍ର ଜୀବନରୁ ଶେଷ ଜୀବନ ପର୍ଯ୍ୟନ୍ତ କର୍ମରେ-କୃତିତ୍ଵରେ, ଚିନ୍ତାରେ- ଚେତନାରେ, ଆଚରଣରେ-ଅଭ୍ୟାସରେ କୃପାସିନ୍ଧୁ ମିଶ୍ର ଥିଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସହାୟ, ଶିଷ୍ୟ, ସଖା, ପ୍ରିୟ, ଅନୁଜ ଓ ପ୍ରେରଣାର ଅସରନ୍ତି ଉତ୍ସ । କୃପାସିନ୍ଧୁ ମିଶ୍ରଙ୍କ ବ୍ୟକ୍ତିତ୍ଵକୁ ପଣ୍ଡିତ ଗୋପବନ୍ଧୁଙ୍କ ଠାରୁ ଏ ସକାଶେ ଅବିଚ୍ଛିନ୍ନ କରି ବିଚାର କରିହେବ ନାହିଁ ।

 

 

ପ୍ରଫେସର, ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର-୭୬୦୦୦୭, ଓଡ଼ିଶା

 

***

 

“କୃପାମୟ କୃପାସିନ୍ଧୁ ଜନହିତକର”

କୁମୁଦିନୀ ମିଶ୍ର

 

ଉତ୍କଳମାତାର ଯୋଗ୍ୟସନ୍ତାନ ସତ୍ୟବାଦୀ ସ୍କୁଲର ଶିକ୍ଷକ ଗୋଷ୍ଠୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ବ୍ୟାସକବି ଫକୀରମୋହନ ଲେଖୁଥଲେ-

 

“ସଦାଶିବ ନୀଳକଣ୍ଠ ସତତ ସନ୍ନ୍ୟାସୀ,

ଜଗତ ମଙ୍ଗଳେ ଗୋବୁ ବ୍ରଜବାସୀ ।

ଗୋଦାବରୀ ଉପକୂଳ ନିୟତ ଉର୍ବର,

କୃପାମୟ କୃପାସିନ୍ଧୁ ଜନହିତକର ।

X X X X X X

ବହୁ ଯୁଗ ଯୁଗାନ୍ତର ତପସ୍ୟାର ଫଳେ

ଜନ୍ମିଲେ ନିଃସ୍ୱାର୍ଥ ଯୋଗ୍ୟପୁତ୍ର ଏ ଉତ୍କଳେ ।

ସମଚେତ ସମବେତ ଚତୁର୍ଦ୍ଧା ମୂରତି

ତଡ଼ିଦେବେ କୁସଂସ୍କାର ଦୁର୍ନୀତି ଦୁର୍ଗତି ।’’

(ଉତ୍କଳ ଭ୍ରମଣଂ)

 

ସତ୍ୟବାଦୀ ସ୍କୁଲ ପରି ଏକ ମଣିଷଗଢ଼ା କାରଖାନାର ଏହି ଆଦର୍ଶ-ଶିକ୍ଷକମାନଙ୍କ ମଧ୍ୟରେ କୃପାମୟ କୃପାସିନ୍ଧୁଙ୍କ ଜୀବନ ଜନସାଧାରଣଙ୍କ ମଙ୍ଗଳସାଧନ ଦିଗରେ ଅଭିପ୍ରେତ ଥିଲା-। ସେ ପ୍ରକୃତରେ ଥିଲେ ଜନହିତକର । ତ୍ୟାଗ, ସେବା, ଶିକ୍ଷାବିସ୍ତାର ଓ ଐତିହ୍ୟର ପ୍ରସାର କ୍ଷେତ୍ରରେ ସେ ଥିଲେ ଅନନ୍ୟ-ସାଧାରଣ । ତାଙ୍କର ସ୍ଵଳ୍ପ ଜୀବନକାଳ (ଖ୍ରୀ ୧୮୮୭-୧୯୨୬) ମଧ୍ୟରେ ସେ ଜଣେ ଆଦର୍ଶ ଶିକ୍ଷାବିତ୍, ପ୍ରସିଦ୍ଧ ଐତିହାସିକ, ପ୍ରବୀଣ ଦାର୍ଶନିକ ଓ ନିଷ୍ଠାପର ଜନସେବକ ହୋଇପାରିଥିଲେ ।

 

ଜୀବନୀ :

କୃପାସିନ୍ଧୁ ବୀରହରେକୃଷ୍ଣପୁରର ଜନାର୍ଦ୍ଦନ ରଥ ଓ ଚାନ୍ଦମଣିଙ୍କ ଦ୍ୱିତୀୟ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ହେଁ ବୀରପ୍ରତାପପୁରକୁ ସେ ତାଙ୍କ ମାଉସୀ ବିମଳାଙ୍କ ପୋଷ୍ୟପୁତ୍ର ହୋଇ ଯାଇଥିଲେ ଏବଂ ଶ୍ରୀରାମଚନ୍ଦ୍ରପୁରରେ ତାଙ୍କ ମାମୁଁ ଆର୍ତ୍ତତ୍ରାଣ ଦାଶଙ୍କ ଘରେ ରହି ଶିକ୍ଷାଲାଭ କରିଥିଲେ । ଖ୍ରୀ: ୧୯୦୧ ରେ ଶ୍ରୀରାମଚନ୍ଦ୍ରପୁର ଭର୍ଣ୍ଣାକୁଲାର ସ୍କୁଲରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ମାସିକ ଚାରିଟଙ୍କା ବୃଦ୍ଧି ପାଇ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଲେ । ମାତ୍ର ତାଙ୍କୁ ବାତଜ୍ୱର ଆକ୍ରମଣ କରିବାରୁ ସେ ୧୯୦୬ ମସିହାରେ ପୁରୀ ଛାଡ଼ି କଟକ କଲେଜିଏଟ୍ ସ୍କୁଲରେ ପଢ଼ିଲେ । ଖ୍ରୀ: ୧୯୦୮ରେ ଏଣ୍ଟ୍ରାନ୍ସ ପାସ୍ କରି ମାସିକ ପନ୍ଦର ଟଙ୍କା ବୃଦ୍ଧିପାଇ ରେଭେନ୍ସା କଲେଜରେ ଏଫ୍. ଏ. (ଆଇ.ଏ.) କ୍ଲାସରେ ନାମ ଲେଖାଇଲେ । ଏହି ସମୟରେ ହିଁ ତାଙ୍କର ନ୍ୟାୟଶାସ୍ତ୍ର, ଦର୍ଶନ ଶାସ୍ତ୍ର ଓ ଇତିହାସ ପ୍ରତି ପ୍ରଗାଢ଼ ଅନୁରାଗ ଜାତ ହେଲା ଏବଂ ପରବର୍ତ୍ତୀ କାଳରେ ତାଙ୍କର ବିଭିନ୍ନ ରଚନାରେ ତାହା ପ୍ରତିଫଳିତ ହେଲା । ପୁଣି ଏହି ସମୟରେ ତାଙ୍କର ଗୋପବନ୍ଧୁଙ୍କ ସହ ସମ୍ପର୍କ ଘନୀଭୂତ ହେଲା । ସେ ଗୋପବନ୍ଧୁ ଓ ଗୋଦାବରୀଶଙ୍କ ସହ ମିଶି ସତ୍ୟବାଦୀ ସ୍କୁଲ ପାଇଁ ଅର୍ଥ ସଂଗ୍ରହ କରିଥିଲେ ।

 

କୃପାସିନ୍ଧୁଙ୍କ ବିବାହ ମାତ୍ର କୋଡ଼ିଏ ବର୍ଷ ବୟସରେ ବୀର ବଳଭଦ୍ରପୁର ଶାସନର ସଦାଶିବ ମିଶ୍ରଙ୍କ କନ୍ୟା ସାବିତ୍ରୀଙ୍କ ସହ ହୋଇଥିଲା । ଏହାପରେ ଖ୍ରୀ: ୧୯୧୦ରେ ସେ ଅସାଧାରଣ କୃତିତ୍ଵର ସହ ଏଫ୍. ଏ ପାସ୍ କରି ମାସିକ କୋଡ଼ିଏ ଟଙ୍କା ସରକାରୀ ବୃଦ୍ଧି ପାଇ ରେଭେନ୍ସା କଲେଜରେ ବି.ଏ. କ୍ଲାସ୍‌ରେ ନାମ ଲେଖାଇଲେ । ଏହି ସମୟରେ ଗୋପବନ୍ଧୁଙ୍କ ଜାତୀୟ ଭାବ ଦ୍ଵାରା ଅନୁପ୍ରାଣିତ ହୋଇ, ଉତ୍କଳ ଗୌରବ ମଧୁସୂଦନଙ୍କ ନିଷ୍ଠାପର ଉଦ୍ୟମରେ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ’ର କାର୍ଯ୍ୟ କଳାପ ଦେଖି ଏବଂ ମଧୁବାବୁଙ୍କ ଓଜସ୍ୱିନୀ ଭାଷଣ ଦ୍ୱାରା ଉଦ୍‍ବୁଦ୍ଧ ହୋଇ କୃପାସିନ୍ଧୁଙ୍କ ପ୍ରାଣ ସ୍ୱଦେଶପ୍ରୀତି ଓ ଐତିହ୍ୟବୋଧରେ ପରିପୂର୍ଣ୍ଣ ହେଲା । ବିଶେଷ କରି ମଧୁବାବୁଙ୍କ-

 

‘‘ଜାତି ଇତିହାସ ଜାତିର ନିର୍ଝର ।

ତହୁଁ ବହେ ସଦା ଜାତି ପ୍ରାଣଧାର

ସେ ଧାରରୁ ନୀର ପିଉଛିଯେ ନର

ନିଶ୍ଚୟ ହେବ ସେ ଜାତି କର୍ମବୀର,’’

 

ଏହିବାଣୀ ତାଙ୍କ ଅନ୍ତରରେ ନିରନ୍ତର ଝଂକୃତ ହେଲା । ଓଡ଼ିଆ ଜାତିର ଗୌରବମୟ ଇତିହାସକୁ । ଜନସାଧାରଣଙ୍କ ସମ୍ମୁଖରେ ଉନ୍ମୋଚନ କରି ସେମାନଙ୍କ ନିସ୍ତେଜ ଚିତ୍ତରେ ଜାତୀୟ ଭାବ ଉଦ୍ରେକ କରିବା ପାଇଁ ଦୃଢ଼ପ୍ରତିଜ୍ଞ ହେଲେ ।

 

କୃପାସିନ୍ଧୁ ଖ୍ରୀ ୧୯୧୨ ରେ ଦର୍ଶନ ଶାସ୍ତ୍ରରେ ଅନର୍ସର ସହ ଉତ୍ତୀର୍ଣ୍ଣ ହୋଇ ମାସିକ ତିରିଶ ଟଙ୍କା ବୃଦ୍ଧି ଲାଭ କରି କଲିକତା ବିଶ୍ୱବିଦ୍ୟାଳୟରେ ଏମ୍.ଏ. ଏବଂ ଓକିଲାତି ପଢ଼ିଲେ । ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପଢ଼ିଲେ ମଧ୍ୟ ଇତିହାସ ପ୍ରତି ତାଙ୍କର ପ୍ରଗାଢ଼ ଆସକ୍ତି ଥିଲା । ତାଙ୍କ ଜୀବନରେ ଇତିହାସ ଓ ଦର୍ଶନ ଶାସ୍ତ୍ରର ମଣି-କାଞ୍ଚନ ସଂଯୋଗ ଘଟିଥିଲା । ଦର୍ଶନ ଶାସ୍ତ୍ର ଅଧ୍ୟୟନ ତାଙ୍କୁ ଯେତିକି ଚିନ୍ତାଶୀଳ ଓ ଯୁକ୍ତପ୍ରବଣ କରିଥିଲା ଐତିହ୍ୟ ବୋଧ ସେତିକି ତଥ୍ୟ ଅନୁସନ୍ଧିତ୍ସୁ ଓ ଗବେଷଣାରତ କରିଥିଲା ।

 

ଶିକ୍ଷକତା :

କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାସ କରି କୃପାସିନ୍ଧୁ ଖ୍ରୀ ୧୯୧୪ ଜୁଲାଇ ୨୮ ତାରିଖରେ ସତ୍ୟବାଦୀ ବନ ବିଦ୍ୟାଳୟରେ ତୃତୀୟ ଶିକ୍ଷକ ରୂପେ (ନୀଳକଣ୍ଠ ଥିଲେ ପ୍ରଧାନ ଶିକ୍ଷକ ଏବଂ ଗୋଦାବରୀଶ ଦ୍ୱିତୀୟ ଶିକ୍ଷକ) , ଯୋଗଦେଲେ । ସେ ଚାହିଁଥିଲେ ଉଚ୍ଚପଦସ୍ଥ ଅଫିସର ଭାବେ ସରକାରୀ ଚାକିରି କରିପାରି ଥାଆନ୍ତେ, ମାତ୍ର ଜୀବନର ମହତ୍ତର ଆଦର୍ଶ, ତ୍ୟାଗ ଓ ସେବା ମନୋବୃତ୍ତି ଯୋଗୁ ମାସକୁ ମାତ୍ର ପଚାଶ ଟଙ୍କା ପାଇଁ ସେ ସତ୍ୟବାଦୀରେ ଶିକ୍ଷକତା କରି ଦେଶ ଓ ଜାତି ପାଇଁ ଭବିଷ୍ୟତ ନାଗରିକ ଗଠନ ଦିଗରେ ମନ ପ୍ରାଣ ଢାଳି ଦେଲେ-। ପଣ୍ଡିତ ନୀଳକଣ୍ଠ ଯଥାର୍ଥରେ ଲେଖୁଛନ୍ତି- ସ୍ଵର୍ଗତ କୃପାସିନ୍ଧୁଙ୍କର ବିଶେଷତ୍ଵ ଥିଲା ଯେ ସେ ଆମମାନଙ୍କ ସମ୍ପର୍କରେ ଆସିବା ଦିନ ଠାରୁ ସତ୍ୟବାଦୀ ସ୍କୁଲ ଛଡ଼ା ଆଉ କୌଣସି କଥା କେବେ ଭାବି ନାହାନ୍ତି । ଚାକିରି କରିବା ଓ ଓକିଲାତି କରିବା ତ ଦୂରର କଥା ।’’ (ସ୍ୱର୍ଗତ କୃପାସିନ୍ଧୁ ମିଶ୍ର “ସମାଜ' - ତା ୧୭ ୨/୧୯୫୮)

 

କୃପାସିନ୍ଧୁ ସତ୍ୟବାଦୀ ସ୍କୁଲରେ ଯୋଗ ଦେବାର ଛ ମାସ ପୂର୍ବରୁ ୧୯୧୪ ଜାନୁୟାରୀ ୧୦ ତାରିଖ ରିପୋର୍ଟ ଅନୁଯାୟୀ ସ୍କୁଲର ଛାତ୍ରସଂଖ୍ୟା ଥିଲା ୨୪୩, ଛାତ୍ରାବାସରେ ଥିଲେ ତନ୍ମଧ୍ୟରୁ ୪୫ ଏବଂ ଶିକ୍ଷଙ୍କ ସଂଖ୍ୟା ଥିଲା ୧୧ କିନ୍ତୁ ସେ ଯୋଗ ଦେବାର ପାଞ୍ଚମାସ ପରେ ୧୯୧୪ ଡିସେମ୍ବର ୮ ତାରିଖରେ ବିହାର-ଓଡ଼ିଶା ଶିକ୍ଷାବିଭାଗ ଡାଇରେକ୍ଟର J.G.Jenningsଙ୍କ ପରିଦର୍ଶନ ରିପୋର୍ଟରୁ ଜଣାଯାଏ, ସେତେବେଳକୁ ସ୍କୁଲର ଛାତ୍ର ସଂଖ୍ୟା ୩୪୧, ସେମାନଙ୍କ ମଧ୍ୟରୁ ଛାତ୍ରାବାସରେ ରହୁଥିଲେ ୨୩୪ ଏବଂ ଶିକ୍ଷକଙ୍କ ସଂଖ୍ୟା ଥିଲା ୧୬ । ସେ ସମୟରେ ସତ୍ୟବାଦୀ ସ୍କୁଲ କିପରି କ୍ଷିପ୍ରଗତିରେ ବିକାଶ ଲାଭ କରିଥିଲା ତାହା ଏହି ପରିସଂଖ୍ୟାନରୁ ଜଣାଯାଏ ।

 

କୃପାସିନ୍ଧୁଙ୍କ ପରି ସହୃଦୟ, ଜ୍ଞାନପିପାସୁ, ଉଦାରତା ଶିକ୍ଷକଙ୍କୁ ପାଇ ସତ୍ୟବାଦୀର ଛାତ୍ରଗଣ କୃତାର୍ଥ ହୋଇଥିଲେ । ଛାତ୍ରଗଣଙ୍କୁ ସେ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ବିଭିନ୍ନ ଶ୍ରେଣୀରେ ଇତିହାସ, ଭୂଗୋଳ ଓ ଇଂରାଜୀ ପଢ଼ାଉଥିଲେ । ତାଙ୍କ ଶିକ୍ଷାଦାନର ବିଶେଷତ୍ଵ ଥିଲା ସେ ଆଗ ନିଜର ଦୋଷ ଦୁର୍ବଳତା ଦେଖି ପରେ ଛାତ୍ରର ଦୋଷ ଦେଖୁଥିଲେ । ଆଗ ନିଜକୁ ସଜାଡ଼ି ପରେ ଅନ୍ୟକୁ ସଜାଡ଼ୁଥିଲେ । ତାଙ୍କ କ୍ଲାସରେ ଯଦି କୌଣସି ଛାତ୍ର ପାଠ ବୁଝିପାରୁନଥିଲେ ତେବେ ସେ ନିଜର ପଢ଼ାଇବା ମାର୍ଗ ବଦଳାଇ ଅତି ସରଳ ଭାବେ ବିଭିନ୍ନ ଦୃଷ୍ଟାନ୍ତ ଦେଇ ବ୍ଲାକବୋର୍ଡରେ ଚିତ୍ରାଦି କାଟି ବୁଝାଇ ଦେଉଥିଲେ ।

 

ସତ୍ୟବାଦୀସ୍କୁଲ ପରିଚାଳନା ସମିତିର ଗୋପବନ୍ଧୁ ଥିଲେ ସମ୍ପାଦକ ଏବଂ କୃପାସିନ୍ଧୁ ଥିଲେ ସହକାରୀ ସମ୍ପାଦକ । ଗୋପବନ୍ଧୁ ନଥିବା ସମୟରେ କୃପାସିନ୍ଧୁ ସ୍କୁଲର ଭଲ ମନ୍ଦ ସୁଚାରୁ ରୂପେ ସମିତିରେ ଉପସ୍ଥାପନ କରୁଥିଲେ ଏବଂ ସମିତିରେ ଗୃହୀତ ପ୍ରସ୍ତାବଗୁଡ଼ିକର ଚିଠା ପ୍ରସ୍ତୁତ କରୁଥିଲେ । ସେ ପୁଣି ସ୍କୁଲର ଇତିହାସ ସମାଜ (History Club)ର ସଭାପତି ଭାବେ ଉଚ୍ଚକୋଟୀର ପ୍ରବନ୍ଧମାନ ଲେଖି ଛାତ୍ରଗଣଙ୍କ ସମ୍ମୁଖରେ ପାଠ କରୁଥିଲେ ଏବଂ ଛାତ୍ରମାନଙ୍କୁ ଗବେଷଣାତ୍ମକ ପ୍ରବନ୍ଧ ଲେଖିବା ପାଇଁ ଅନୁପ୍ରାଣିତ କରୁଥିଲେ । ଏ ପ୍ରବନ୍ଧ ସବୁ ଇଂରାଜୀରେ ଲେଖାଯାଉଥିଲା । ପରେ ତାହା ଓଡ଼ିଆରେ ଅନୁଦିତ ହୋଇ “ସତ୍ୟବାଦୀ” ପତ୍ରିକାରେ ସ୍ଥାନ ପାଉଥିଲା । ତନ୍ମଧ୍ୟରେ ଗୋପବନ୍ଧୁଙ୍କ ‘ବୈଦିକ ସଭ୍ୟତା’, ନୀଳକଣ୍ଠଙ୍କ ‘ଅଶୋକ ଓ ଆକବର’, ଗୋଦାବରୀଶଙ୍କ ‘ରାଜପୁତ ଜାତିର ଇତିହାସ ଏବଂ କୃପାସିନ୍ଧୁଙ୍କ ‘ଶିବାଜୀ ଓ ମରହଟ୍ଟା’ ଅତି ଉପାଦେୟ ପ୍ରବନ୍ଧ ଥିଲା ।

 

ସତ୍ୟବାଦୀ ବିଦ୍ୟାଳୟର ଛାତ୍ରବାସରେ ପ୍ରତି ଶନିବାର ରାତିରେ ଯେଉଁ କୁଳ ସମ୍ମିଳନୀ (Block Meeting) ଅନୁଷ୍ଠିତ ହେଉଥିଲା ସେଥିରେ ଅନ୍ୟ ଶିକ୍ଷକମାନଙ୍କ ପରି କୃପାସିନ୍ଧୁ ମଧ୍ୟ ସାରଗର୍ଭକ ବକ୍ତତାମାନ ଦେଉଥିଲେ । ସେ ଇତିହାସରୁ ବହୁ ଦୃଷ୍ଟାନ୍ତ ଦେଉଥିବାରୁ ତାଙ୍କ ବକ୍ତତାମାନ ବେଶ୍ ଶିକ୍ଷାପ୍ରଦ ହେଉଥିଲା । ‘ତୁଠପଥର’ ଅର୍ଥାତ୍ ସହିଷ୍ଣୁତା ସମ୍ପର୍କରେ ଛାତ୍ରଗଣଙ୍କୁ ସେ ଯେଉଁ ଉଦ୍‍ବୋଧନ ଦେଇଥିଲେ ଏବଂ ‘ନବଯୌବନର ବିପଦ’ ପ୍ରସଙ୍ଗରେ ସେ ଛାତ୍ରଗଣଙ୍କ ନବ ଯୌବନର ଉଦ୍ଦାମ ଆବେଗକୁ ଦମନ କରିବା ପାଇଁ ଯେଉଁ ବଳିଷ୍ଠ ଯୁକ୍ତିମାନ ଉପସ୍ଥାପନ କରିଥିଲେ ତାହା ସେମାନଙ୍କ ଚରିତ୍ର ଗଠନ ଦିଗରେ ଖୁବ୍ ସହାୟକ ହୋଇଥିଲା । ଭାରତର ସ୍ଵାଧୀନତା ଆନ୍ଦୋଳନ ବିଷୟରେ ଛାତ୍ରଙ୍କୁ ଉପଯୁକ୍ତ ଶିକ୍ଷାଦେବା ଲାଗି ସେ ବହୁ ଦୁର୍ଲଭଗ୍ରନ୍ଥ ଅଧ୍ୟୟନ କରି ‘ସ୍ଵାଧୀନତା ସମର’ ଶୀର୍ଷକ ଏକ ବିରାଟ ଗ୍ରନ୍ଥ ଲେଖିଥିଲେ । ମାତ୍ର ତାହା ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରି ନାହିଁ ।

 

ପଣ୍ଡିତ କୃପାସିନ୍ଧୁଙ୍କ ପରି ଉଚ୍ଚକୋଟୀର ବକ୍ତା, ଲେଖକ, ଐତିହାସିକ ଓ ଗବେଷକ ସେ ସମୟରେ ସମଗ୍ର ଦେଶରେ ଖୁବ୍ କମ୍ ଥିଲେ । ମହାତ୍ମାଗାନ୍ଧୀ ‘Young India’ ପତ୍ରିକାରେ ତାଙ୍କ ଗବେଷଣା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କାଶୀ ବିଦ୍ୟାପୀଠରେ Asiatic Educational Conference ରେ କୃପାସିନ୍ଧୁ ଓଡ଼ିଶାର ପ୍ରତିନିଧଭାବେ ଯୋଗଦେଇ ଅଢ଼େଇ ଘଣ୍ଟାବ୍ୟାପି ଏକ ଦୀର୍ଘ ପ୍ରବନ୍ଧ ପାଠ କରିଥିଲେ ।

 

ପଣ୍ଡିତ କୃପାସିନ୍ଧୁ ଖ୍ରୀ: ୧୯୧୪ରୁ ଖ୍ରୀ:୧୯୧୯ ପର୍ଯ୍ୟନ୍ତ ସତ୍ୟବାଦୀ ସ୍କୁଲର ସହକାରୀ ଶିକ୍ଷକ ଥିଲେ । ଖ୍ରୀ: ୧୯୧୯ ଫେବୃୟାରୀ ୭ ତାରିଖରେ ପଣ୍ଡିତ ଗୋଦାବରୀଶ ଜାତୀୟ ବିଦ୍ୟାଳୟ କରି ଜାତୀୟ ଆନ୍ଦୋଳନ ଚଳାଇବା ପାଇଁ ଚକ୍ରଧରପୁର ଯିବାରୁ କୃପାସିନ୍ଧୁ ସତ୍ୟବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଲେ । ସେ ପୁଣି ଖ୍ରୀ:୧୯୨୪ରୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପୁରୀ ଜିଲ୍ଲାବୋର୍ଡର ସଦସ୍ୟ ଏବଂ ଜିଲ୍ଲାବୋର୍ଡ ଶିକ୍ଷା କମିଟିର ସଦସ୍ୟ ଥିଲେ ।

 

ଗ୍ରନ୍ଥରଚନା ଓ ଗବେଷଣା

‘ବାରବାଟୀ ଦୁର୍ଗ’ - ଖ୍ରୀ: ୧୯୧୫ରେ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶ ପାଇବାରୁ ସତ୍ୟବାଦୀର ଶିକ୍ଷକ ଗୋଷ୍ଠୀ ଲେଖନୀ ଚାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ମାଧ୍ୟମ ପାଇଗଲେ । ଏହା ପୂର୍ବରୁ ସେମାନଙ୍କ ଲେଖାମାନ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘ମୁକୁର’ ଓ ବିଶ୍ଵନାଥ କରଙ୍କ ସମ୍ପାଦିତ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଉଥିଲା । ପଣ୍ଡିତ କୃପାସିନ୍ଧୁଙ୍କ ରଚିତ ‘ବାରବାଟୀ ଦୁର୍ଗ’ ଶୀର୍ଷକ ଦୀର୍ଘ ପ୍ରବନ୍ଧଟି ମଧ୍ୟ ଖ୍ରୀ: ୧୯୧୩ରୁ କ୍ରମାନୁୟରେ ‘ମୁକୁର’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶ ପାଇଥିଲା । ସେହି ପ୍ରବନ୍ଧଗୁଡ଼ିକ ସଂଗୃହୀତ ହୋଇ ଖ୍ରୀ: ୧୯୧୭ରେ ପୁସ୍ତକାକାରରେ ପ୍ରକାଶିତ ହେଲା । ‘ମୁକୁର’ରେ ‘ବାରବାଟୀ’ ପ୍ରବନ୍ଧ ପଢ଼ି ଫକୀରମୋହନ ତାହାର ଉଚ୍ଛସିତ ପ୍ରଶଂସା କରିଥିଲେ । ‘ବାରବାଟୀ ଦୁର୍ଗ ପୁସ୍ତକଟି ଫକୀରମୋହନଙ୍କୁ ଉତ୍ସର୍ଗ କରାଯାଇଥିଲା ଏବଂ ଏହାର ମୁଖବନ୍ଧରେ ବ୍ରଜସୁନ୍ଦର ଦାସ ଲେଖୁଥିଲେ -ଶ୍ରଦ୍ଧେୟ ଶ୍ରୀମାନ୍ କୃପାସିନ୍ଧୁ ଐତିହାସିକ ସେ ଦୁର୍ଗ ବାରବାଟୀ, ବୀରରକ୍ତପିଣ୍ଡେ ଗଢ଼ା ଯାର ମାଟି’ର ତତ୍ତ୍ୱ ଆଲୋଚନା କରିବାକୁ ଯାଇ ଅନେକ ନୂତନ ତତ୍ତ୍ୱ ଆଲୋଚନାର ଅବତାରଣା କରିଛନ୍ତି । ଯୁକ୍ତି ତର୍କ ଓ ଅନୁମାନ ଏବଂ ଦେଶକାଳ ପାତ୍ର ବିଚାରର ସମ୍ୟକ୍ ପ୍ରୟୋଗ ଦ୍ଵାରା ଐତିହାସିକର ଆସନ ପ୍ରତି ତାଙ୍କର ଦାବିକୁ ବିଶେଷ ଭାବେ ଦୃଢ଼ୀଭୂତ କରିଅଛନ୍ତି । ଦ୍ୱିତୀୟ ସଂସ୍କରଣରେ ପୁସ୍ତକଟି ଆମୂଳଚୂଳ ନୂତନ ଭାବେ ଲେଖାଯାଇ ଖ୍ରୀ: ୧୯୧୮ରେ ପୁନଃ ପ୍ରକାଶିତ ହୋଇଛି । ପୁସ୍ତକଟି ଆଠଗୋଟି ଅଧ୍ୟାୟରେ ବିଭକ୍ତ- ଉପକ୍ରମଣିକା, ଦୁର୍ଗନିର୍ମାଣକାଳ, ବାରବାଟୀ ଇତିହାସ, ନବତଳ ପ୍ରାସାଦ, ବାରବାଟୀ ଦୁର୍ଗବର୍ଣ୍ଣନା, ବାରବାଟୀ ଦୁର୍ଗ ଓ ତଦାନୀନ୍ତନ ଓଡ଼ିଶା, ଅନ୍ତିମଦଶା ଓ ଉପସଂହାର- ଏହି ପର୍ଯ୍ୟାୟଗୁଡ଼ିକରୁ ଲେଖକଙ୍କ ଐତିହ୍ୟବୋଧ ଓ ଗବେଷଣାତ୍ମକ ଦୃଷ୍ଟିକୋଣର ପରିଚୟ ମିଳେ ।

 

ଉତ୍କଳର ପ୍ରାଚୀନ କୀର୍ତ୍ତିରାଜି ଉପରେ ଗବେଷଣା କାର୍ଯ୍ୟର ଗୁରୁତ୍ୱ ଦର୍ଶାଇ କୃପାସିନ୍ଧୁ କହନ୍ତି–‘‘ପ୍ରତ୍ନର ଭିତ୍ତି ଉପରେ, ଭବିଷ୍ୟତ ଆଦର୍ଶ ଦୃଷ୍ଟିରେ, ଜାତୀୟ ଆତ୍ମାର ବର୍ତ୍ତମାନ ନିୟମିତ ହୁଏ ।’’ (‘ବାରବାଟୀ ଦୁର୍ଗ’ ତୃତୀୟ ସଂସ୍କରଣ ପୃ-୬୧) ତାଙ୍କ ଯୁକ୍ତିରେ ପ୍ରାଚୀନ ଦୁର୍ଗର ଖଣ୍ଡେ ପଥରର ମୂଲ୍ୟ ବହୁ ସ୍ୱର୍ଣ୍ଣ ରୌପ୍ୟଠାରୁ ଅଧିକ । ପ୍ରାଚୀନତା ଓ ପରମ୍ପରା ଭିତରେ ଭବିଷ୍ୟତର ଆଦର୍ଶ ଦେଖିବା ପାଇଁ ସେ ତାଙ୍କର ବିଭିନ୍ନ ରଚନାରେ ପାଠକଙ୍କୁ ଅନୁପ୍ରାଣିତ କରିଛନ୍ତି । ଓଡ଼ିଶା ଇତିହାସର ମୂକସାକ୍ଷୀ ବାରବାଟୀକୁ ଏକ ଜୀବନ୍ତ ବିଗ୍ରହ ମନେ କରି କୃପାସିନ୍ଧୁ ତାହାର ଜୀବନଚରିତ ‘ବାରବାଟୀ ଦୁର୍ଗ’ ପୁସ୍ତକ ରଚନା କରିଛନ୍ତି । ତେଣୁ ପୁସ୍ତକର ଉପସଂହାରରେ ସେ ଲେଖିଛନ୍ତି- 'ବହୁ ହର୍ଷ ବିଷାଦରେ ଉତ୍କଳର ପୂର୍ବ-କୀର୍ତ୍ତି ସ୍ମୃତି-ପୂତ ବାରବାଟୀ’ର ପ୍ରାଣ ସ୍ପର୍ଶୀ ଓ ଗୌରବାବହ ଜୀବନ ଚରିତ ଶେଷ କଇଁ । ଆଜି ବାରବାଟୀର ଯୌବନ ମନେ ପଡ଼ିଲେ ହୃଦୟ ଗର୍ବରେ ବିସ୍ତାରିତ ହୋଇ ମୁହୂର୍ତ୍ତକେ ଅବସାଦରେ ପୁଣି ସଂକୁଚିତ ହୁଏ । ଓଡ଼ିଶାର ଇତିହାସ ବହୁ ଗୌରବମୟ । ଆଜି ଆସନ୍ନ ବିଲୋପ ବାରବାଟୀର ଅସ୍ତିତ୍ୱ ଲୋକେ ସନ୍ଦେହ କରି ପାରନ୍ତି କିନ୍ତୁ ଦିନେ ଏହି ବାରବାଟୀ ହିଁ ଓଡ଼ିଶାକୁ ଓଡ଼ିଶା କରିଥିଲା । (ବାରବାଟୀଦୁର୍ଗ ପୃ-୬୩)

 

ଏକଦା ଉତ୍କଳ ନରପତିମାନଙ୍କର ଅମୂଲ୍ୟ ସମ୍ପଦ, ପରମଶାନ୍ତିସ୍ଥଳ, ସର୍ପରମଣି ଓ ସ୍ଵର୍ଗର ପାରିଜାତ ସଦୃଶ ଥିବା ବାରବାଟୀ ଦୁର୍ଗର ଜରାଜୀର୍ଣ୍ଣ ଅବସ୍ଥା କୃପାସିନ୍ଧୁଙ୍କ ତରୁଣ ପ୍ରାଣରେ ଇତିହାସ ସୃଷ୍ଟିର ପ୍ରେରଣା ଯୋଗାଇଥିଲା । ‘ବାରବାଟୀ ଦୁର୍ଗ ପ୍ରକାଶ ପାଇବା ପରେ ପରେ ଖ୍ରୀ:୧୯୧୯, ଏପ୍ରିଲ ମାସରେ ବାମଣ୍ଡାର ରାଜା ସୁଢ଼ଳ ଦେବଙ୍କ ଦ୍ୱାରା ‘ହିତୈଷିଣୀ’ ପ୍ରେସରୁ କୃପାସିନ୍ଧୁଙ୍କ ରଚିତ କୋଣାର୍କ ଗ୍ରନ୍ଥ ପ୍ରକାଶ ପାଇଲା ।

 

‘କୋଣାର୍କ’:-

‘ବାରବାଟୀ ଦୁର୍ଗ’ଠାରୁ ‘କୋଣାର୍କ’ର ଉତ୍କର୍ଷ ଦର୍ଶାଇ ସମୀକ୍ଷକ ଚିନ୍ତାମଣି ଦାଶ କହନ୍ତି- ‘ବାରବାଟୀ ଦୁର୍ଗ’ ଲେଖିବାରେ କୃପାସିନ୍ଧୁଙ୍କର ଯେଉଁ ଅନୁସନ୍ଧିତ୍ସା, ଜ୍ଞାନ ପିପାସା, ତଥ୍ୟ ଜିଜ୍ଞାସା, ଲିପିକୁଶଳତା ଓ ଦେଶାତ୍ମବୋଧର ପରିଚୟ ମିଳିଥିଲା ଏବଂ ଯେଉଁ ଐତିହାସିକ ଦୃଷ୍ଟିଭଙ୍ଗୀର ଉନ୍ମେଷ ଦେଖବାକୁ ମିଳିଥିଲା ତାହା ‘କୋଣାର୍କ ଗ୍ରନ୍ଥ’ ପ୍ରଣୟନରେ ଚରମ ଉତ୍କର୍ଷ ଲାଭ କଲା । (ଐତିହାସିକ କୃପାସିନ୍ଧୁ-ପୃ୧ ୪୩)

 

କୃପାସିନ୍ଧୁଙ୍କ ‘କୋଣାର୍କ’ ଗ୍ରନ୍ଥ ପ୍ରକାଶ ପାଇବା ବର୍ଷ ହିଁ ନୀଳକଣ୍ଠଙ୍କ ‘କୋଣାର୍କ’ କାବ୍ୟ ପ୍ରକାଶ ପାଏ । ‘ଉଡ୍ର -କୀରତି ରବି’ କୋଣାର୍କର ଦର୍ଶନରେ କବି ନୀଳକଣ୍ଠଙ୍କର ଯେଉଁ ଭାବାବେଗ କବିତାର ଛନ୍ଦରେ ପ୍ରକାଶ ପାଇଛି ଐତିହାସିକ କୃପାସିନ୍ଧୁଙ୍କ ପ୍ରାଣର ସେହି ଭାବୋଚ୍ଛ୍ୱାସ ସହଜ ସରସ ଗଦ୍ୟ ଶୈଳୀରେ ଅଭିବ୍ୟକ୍ତି ଲାଭ କରିଛି । କୋଣାର୍କର ଇତିହାସ ଲେବା ପାଇଁ କୃପାସିନ୍ଧୁ ସତ୍ୟବାଦୀ ସ୍କୁଲର ହରିହର ପାଠାଗାରରୁ ବହୁ ଉପାଦାନ ସଂଗ୍ରହ କରିବା ସହ ତାଙ୍କର ସହକର୍ମୀ ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶଙ୍କ ଠାରୁ ଅକୁଣ୍ଠିତ ସାହାଯ୍ୟ ସହଯୋଗ ଲାଭ କରିଥିବାର ସ୍ୱୀକାର କରିଛନ୍ତି ।

 

ଓଡ଼ିଆ ଜାତିର ଆପଣା ଶିଳ୍ପ ଶକ୍ତିରେ ଆତ୍ମପ୍ରତ୍ୟୟ ଜନ୍ମାଇବା ଉଦ୍ଦେଶ୍ୟ ନେଇ କୋଣାର୍କ’ ଲେଖିଥିବା କଥା କୃପାସିନ୍ଧୁ ଗ୍ରନ୍ଥର ‘ନିବେଦନ’ ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି । କୋଣାର୍କ ମନ୍ଦିର ପରି ବିଶ୍ୱର ଏକ ବିସ୍ମୟ ଶିଳ୍ପକଳାର ସ୍ରଷ୍ଟା ଯେ ଓଡ଼ିଆ ଶିଳ୍ପୀ-ଏକଥା ଓଡ଼ିଆ ଜାତିର ବିସ୍ମରଣକୁ ଆସିବାବେଳେ ଓଡ଼ିଆଙ୍କ ଆତ୍ମପ୍ରତ୍ୟୟ ଜନ୍ମାଇବା ପାଇଁ ଲେଖକ ଯେଉଁ ନିଷ୍ଠାପର ଉଦ୍ୟମ କରିଛନ୍ତି, ତତ୍ତ୍ୱ ଓ ତଥ୍ୟ ଅନୁଶୀଳନରେ ଯେଉଁ ପରାକାଷ୍ଠା ଦର୍ଶାଇଛନ୍ତି ତାହାର ପ୍ରମାଣ ହେଉଛି ‘କୋଣାର୍କ’ ଗ୍ରନ୍ଥ । ଏହି ଗ୍ରନ୍ଥ ଉପରେ ମନ୍ତବ୍ୟ ଦେଇ ଏହାର ମୁଖବନ୍ଧରେ ମଧୁସୂଦନ ଦାଶ ଲେଖୁଛନ୍ତି - “ମୋହର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଏ ଗ୍ରନ୍ଥ ଉତ୍କଳରେ ଏକ ଅମୂଲ୍ୟ ରତ୍ନ ବୋଲି ପରିଗଣିତ ହେବ ଏବଂ ଅନେକ କୃତବିଦ୍ୟା ଯୁବକଙ୍କ ମନରେ ତାଦୃଶ ରତ୍ନ ଲାଭର ଆକାଙ୍‍କ୍ଷା ଜନ୍ମାଇବ ।’’

 

‘କୋଣାର୍କ’ ଗ୍ରନ୍ଥଟି ପଞ୍ଚଦଶ ଅଧ୍ୟାୟରେ ବିଭକ୍ତ । ଏହାର ଦ୍ଵାଦଶ ଅଧ୍ୟାୟରେ କୃପାସିନ୍ଧୁ କୋଣାର୍କର ଶିଳ୍ପ ଓ ସ୍ଥାପତ୍ୟ ସମ୍ପର୍କରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରେ ଐତିହାସିକ ମୂଲ୍ୟ ଯେତିକି ରହିଛି ସେତିକି ରହିଛି ସାହିତ୍ୟିକ ମୂଲ୍ୟ । କୋଣାର୍କର ଗଠନ ପ୍ରଣାଳୀ ଓ ଶିଳ୍ପ ଛଟା ବର୍ଣ୍ଣନାରୁ କୃପାସିନ୍ଧୁଙ୍କ ଭାଷାର କାବ୍ୟକ ଛଟା ଓ ଆଳଙ୍କାରିକ ଶୈଳୀ ସ୍ପଷ୍ଟ ବାରି ହୋଇପଡ଼େ-। ‘‘ତାହାର ସୂକ୍ଷ୍ମ ସୂକ୍ଷ୍ମ ଶିଳ୍ପ ଦ୍ଵାରା ମନ ଯେପରି ସୌନ୍ଦର୍ଯ୍ୟରେ ଉତ୍‍ଫୁଲ୍ଲିତ ହୁଏ ସମୁଦାୟ ମନ୍ଦିରକୁ ଏକ ଦୃଷ୍ଟିରେ ଦେଖିବା ବେଳେ ହୃଦୟ ସେହିପରି ଅପାର ବିସ୍ମୟରେ ସ୍ତମ୍ଭୀଭୂତ ହୁଏ । ଦର୍ଶକ କେତେ ଉତ୍ସାହ ଏବଂ ଆନନ୍ଦରେ କୋଣାର୍କ ଦେଖିବାକୁ ଯାଇଥାଏ । କିନ୍ତୁ ଦେଖିଫେରିବା ବେଳେ ସେ ଏକ ପ୍ରକାର ବିଷାଦରେ ଅଭିଭୂତ । ମନ୍ଦିରର ବିରାଟ ଆକାର, କଳ୍ପନାତୀତ ଶିଳ୍ପ ଛଟା ଅବଶେଷରେ ପର୍ବତରୂପୀ ଭଗ୍ନିଶିଳାସ୍ତୁପ ସମୁଦାୟ ଦେଖି ଦର୍ଶକ ଏକାବେଳକେ ଆତ୍ମଜ୍ଞାନ ହରାଇ ବସେ ।’’

(ସତ୍ୟବାଦୀ- ୨ ୟଖଣ୍ଡ । ୫ରୁ ୭ମ ସଂଖ୍ୟା)

 

ଓଡ଼ିଶାର ଚାରି ପୀଠ ମଧ୍ୟରେ ପୁରୀ ଶଙ୍ଖକ୍ଷେତ୍ର, ଭୁବନେଶ୍ଵର ଚକ୍ରକ୍ଷେତ୍ର, ଯାଜପୁର ଗଦାକ୍ଷେତ୍ର ଓ କୋଣାର୍କ ହେଉଛି ପଦ୍ମକ୍ଷେତ୍ର । ଐତିହାସିକ କୃପାସିନ୍ଧୁ କୋଣାର୍କର ସ୍ଥାପତ୍ୟରେ ପଦ୍ମର ବ୍ୟବହାର ବହୁଳ ଭାବେ ଲକ୍ଷ୍ୟ କରି ଲେଖୁଛନ୍ତି- “କଢ଼ିଠାରୁ ଆରମ୍ଭ କରି ଫୁଟିବା ପର୍ଯ୍ୟନ୍ତ ସବୁ ଅବସ୍ଥାରେ ପଦ୍ମ କୋଣାର୍କ ସ୍ଥାପତ୍ୟର ସୌନ୍ଦର୍ଯ୍ୟ ବଢ଼ାଇ ଅଛି । କେଉଁଠାରେ ପ୍ରସ୍ତୁଟିତ ପଦ୍ମ ଉପରେ ଦେବତା ଦଣ୍ଡାୟମାନ, କେଉଁଠାରେ ଦେବତା ହସ୍ତରେ ଲୀଳାପଦ୍ମ ଧରିଛନ୍ତି । କେଉଁଠାରେ ଅବା ଦେବତା ପଦ୍ମାସନ ଉପରେ ବସି ପଦଦୃୟ ପଦ୍ମପାଦାସନ ଉପରେ ଲମ୍ବାଇ ରଖିଅଛନ୍ତି । ପୀଠର ପାଦରୁ ମନ୍ଦିର କୁମ୍ଭ ପର୍ଯ୍ୟନ୍ତ, ଦ୍ଵାରବନ୍ଧର ତଳ ଏରୁଣ୍ଡିରୁ ମନ୍ଦିରର ଉପରିସ୍ଥ ଗର୍ଭମୁଦ୍ରା ପର୍ଯ୍ୟନ୍ତ ସର୍ବତ୍ର ପଦ୍ମର କାମ ଦେଖାଯାଏ । ବିଶେଷତଃ ନାଟମନ୍ଦିରର ଯେଉଁ ଗର୍ଭମୁଦ୍ରା ଭୂମିରେ ପଡ଼ି ରହିଅଛି, ତାହାପରି ଏଡ଼େ ବୃହତ୍ ଓ ସୁନ୍ଦର ପଦ୍ମ ଓଡ଼ିଶାରେ ଅନ୍ୟତ୍ର ପ୍ରାୟ ଦେଖାଯାଏ ନାହିଁ-। xx ପଦ୍ମ ସଙ୍ଗେ ଆରାଧ୍ୟ ଦେବତାଙ୍କ ମୁଖର ତୁଳନା, ଚକ୍ଷୁର ତୁଳନା, ପାଦର ତୁଳନା, ଆସନର ତୁଳନା, ମାନବ ହୃଦୟର ତୁଳନା ସ୍ଥଳରେ ଯାହା ସୁନ୍ଦର, ଯାହା ନିର୍ମଳ ଏବଂ ଯାହା ପବିତ୍ର ସେ ସମସ୍ତର ଉପମାସ୍ନାନ ପଦ୍ମ । ହିନ୍ଦୁ ହୃଦୟ ଏବଂ ସ୍ଵଭାବରେ ପଦ୍ମର ଯେପରି ଅଧିକାର ଅନ୍ୟ କୌଣସି ଫୁଲର ସେପରି ନୁହେଁ । ପୁଣି କୋଣାର୍କ ସୂର୍ଯ୍ୟମନ୍ଦିର; ସୂର୍ଯ୍ୟ ଏବଂ ପଦ୍ମର ସମ୍ବନ୍ଧ କେବଳ କବି ସମୟ ପ୍ରସିଦ୍ଧି ନୁହେଁ, ବିଜ୍ଞାନସମ୍ମତ ଏବଂ ଭାରତୀୟ ଶାସ୍ତ୍ର ପୁରାଣମାନଙ୍କରେ ନିତ୍ୟ ଓ ଅବିଚ୍ଛେଦ୍ୟ ବୋଲି ବହୁଳ ବର୍ଣ୍ଣିତ ହୋଇଅଛି । ସୁତରାଂ କୋଣାର୍କରେ ପଦ୍ମର ପ୍ରାଚୁର୍ଯ୍ୟ ସଙ୍ଗତ ଏବଂ ସ୍ୱାଭାବିକ । କୋଣାର୍କକୁ ପଦ୍ମାଳୟା ବୋଇଲେ ଅତ୍ୟୁକ୍ତି ହେବନାହିଁ । (ସତ୍ୟବାଦୀ ୨ ୟଖଣ୍ଡ-୮ରୁ ୧୨ ସଂଖ୍ୟା) ଏ ଲେଖା ଭାବ ଓ ଭାଷା ଉଭୟ ଦୃଷ୍ଟିରୁ ଯେ ସାହିତ୍ୟିକ ମର୍ଯ୍ୟାଦାରେ ମହୀୟାନ ଏକଥା ଯେ କେହି ସ୍ୱୀକାର କରିବେ ।

 

କୋଣାର୍କ ମନ୍ଦିର ଗାତ୍ରରେ ଅର୍ଶୀଳ ମୂର୍ତ୍ତି ନିର୍ମାଣ ପ୍ରତି କୁରୁଚିସମ୍ପନ୍ନ ମନ୍ତବ୍ୟ ପ୍ରକାଶ ପାଇବାରୁ ଏହି ଅଶ୍ଳୀଳ ପ୍ରତିକୃତି ନିର୍ମାଣ ସପକ୍ଷରେ ବିଭିନ୍ନ କାରଣ ଐତିହାସିକ କୃପାସିନ୍ଧୁ ଉପସ୍ଥାପନ କରିଛନ୍ତି । ତାଙ୍କ ଭାଷାରେ- “ଏତେ ଯୁଗ ହେଲା ହିନ୍ଦୁ ନରନାରୀ ଏହି ସବୁ ମନ୍ଦିର ଦେଖି ଆସୁଛନ୍ତି । ଏହି ମୂର୍ତ୍ତିମାନଙ୍କ ଦ୍ୱାରା ସମାଜ ଦୂଷିତ ହେବାର ଥିଲେ ଆଜି ଆଉ ହିନ୍ଦୁ ସମାଜର ଅସ୍ତିତ୍ୱ ନଥାଏ । ମନ୍ଦିର ସଙ୍ଗେ ପବିତ୍ର ଦେବଭାବର ସଂସ୍କାର ଛଡ଼ା ଅନ୍ୟ କୌଣସି ପ୍ରକାର ଭାବ କେବେ ହିନ୍ଦୁ ହୃଦୟରେ ଅଧିକାର ଲାଭ କରିନାହିଁ କିମ୍ବା କରିନପାରେ ।

 

ଉତ୍କଳ ଇତିହାସ :

ପଣ୍ଡିତ କୃପାସିନ୍ଧୁ ଚାହିଁଥିଲେ ଉତ୍କଳର ଏକ ବିଶାଳ ପୂର୍ଣ୍ଣାଙ୍ଗ ଇତିହାସ ରଚନା କରିବା ପାଇଁ । ଏହି ଉଦ୍ଦେଶ୍ୟରେ ସେ ଖ୍ରୀ ୧୯୧୬ରୁ ଖ୍ରୀ ୧୯୨୫ ପର୍ଯ୍ୟନ୍ତ ବହୁ ଦୁଷ୍ପାପ୍ୟ ଗ୍ରନ୍ଥ ଅଧ୍ୟୟନ କରି ତାହାର ଐତିହାସିକ ଟୀକା ଟିପ୍ପଣୀ ନୋଟଖାତାରେ ଟିପିରଖିଥିଲେ । କିନ୍ତୁ ତାଙ୍କ ସହକର୍ମୀ ଓ ବନ୍ଧୁମାନେ ଯଥାଶୀଘ୍ର ଉତ୍କଳର ଏକ ସଂକ୍ଷିପ୍ତ ଇତିହାସ ପ୍ରକାଶ ପାଉ ବୋଲି ଚାହିଁବାରୁ ସେଥିରେ ରାଜି ହୋଇ କୃପାସିନ୍ଧୁ ଖ୍ରୀ:୧୯୨୫ରେ ଏହି ସଂକ୍ଷିପ୍ତ ‘ଉତ୍କଳ ଇତିହାସ’ ଲେଖିବା ଆରମ୍ଭ କଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ଯୋଗୁ ଖ୍ରୀ ୧୯୨୬ ଫେବୃୟାରୀ ୧୨ ତାରିଖରେ ତାଙ୍କର ତିରୋଧାନ ଘଟିବାରୁ ଏ ଗ୍ରନ୍ଥି ଅପୂର୍ଣ୍ଣ ରହିଗଲା । ୩୪୫ ପୃଷ୍ଠାର ଗ୍ରନ୍ଥରେ ଖ୍ରୀ ୧୯୧୧ ର ବିହାର ଓଡ଼ିଶା ପ୍ରଦେଶ ଗଠନ ଏବଂ ୧୯୧୯ର ଭାରତ ଶାସନ ସଂସ୍କାର ଆଇନ ପ୍ରବର୍ତ୍ତନ ପର୍ଯ୍ୟନ୍ତ ଘଟଣାବଳୀ ସଂକ୍ଷେପରେ ସ୍ଥାନ ପାଇଛି । ଏ ଗ୍ରନ୍ଥର ୩୩୪ ପୃଷ୍ଠା ପର୍ଯ୍ୟନ୍ତ ପାଣ୍ଡୁଲିପି କୃପାସିନ୍ଧୁ ନିଜହାତରେ ଲେଖିଥିଲେ କିନ୍ତୁ ଅବଶିଷ୍ଟ ଏଗାର ପୃଷ୍ଠାର ପାଣ୍ଡୁଲିପି ତାଙ୍କ ମୃତ୍ୟୁପରେ ତାଙ୍କ ଟିପାଖାତାରୁ ଉପାଦାନ ନେଇ ପଣ୍ଡିତ ଗୋପବନ୍ଧୁ ଲେଖିବାପରେ ତାହା ଏକ ଅସମ୍ପୂର୍ଣ୍ଣ ଇତିହାସ ରୂପେ ପ୍ରକାଶ ପାଇଲା ଏବଂ ତାହାର ଦ୍ୱିତୀୟ ସଂସ୍କରଣ ୧୯୩୩ ମସିହାରେ ପ୍ରକାଶିତ ହେଲା । ‘ଉତ୍କଳଇତିହାସ’ ପାଇଁ ମୁଖବନ୍ଧଟି ଲେଖିଦେବା ଲାଗି ଗୋପବନ୍ଧୁଙ୍କୁ ଅନୁରୋଧ କରାଯିବାରୁ ସେ କହିଥିଲେ- ‘କୃପାସିନ୍ଧୁଙ୍କ ଲିଖିତ ଉତ୍କଳ ଇତିହାସ’ ମୁଖବନ୍ଧ ଲୋଡ଼େ ନାହିଁ । ଇତିହାସ, ପ୍ରତ୍ନତତ୍ତ୍ୱ ଆଲୋଚନାରେ କୃପାସିନ୍ଧୁ ନିଜ କାର୍ଯ୍ୟ ଓ ଗୁଣଯୋଗେ ସୁପରିଚିତ । ଅନ୍ୟର ସାର୍ଟିଫିକେଟ୍ ଅନାବଶ୍ୟକ । କଟକ ଟ୍ରେଡିଂ କମ୍ପାନୀ ମ୍ୟାନେଜର ଆକୁଳି ମିଶ୍ର କାବ୍ୟତୀର୍ଥଙ୍କ ଦ୍ୱାରା ଗ୍ରନ୍ଥଟି ପ୍ରକାଶ ପାଇଲା ।

 

‘ଉତ୍କଳ ଇତିହାସ’କୁ କୃପାସିନ୍ଧୁ ଚାରିଭାଗରେ ବିଭକ୍ତ କରିଛନ୍ତି । ପ୍ରଥମ ଭାଗରେ ଉତ୍କଳର ନାମ, ସୀମା ଓ ଅଧିବାସୀଙ୍କ ସମ୍ପର୍କରେ ପରିଚୟ ଦେଇଛନ୍ତି, ଦ୍ୱିତୀୟ ଭାଗରେ ପୌରାଣିକ ଯୁଗରେ କଳିଙ୍ଗ ସେନାବାହିନୀର ବୀରତ୍ଵ, କଳିଙ୍ଗର ସଭ୍ୟତା ଓ ବାଣିଜ୍ୟାଦି ବିଷୟରେ ସୂଚନା ଦେଇଛନ୍ତି, ଏହା ପରେ ନନ୍ଦରାଜତ୍ୱ (ଖ୍ରୀ.ପୂ.୩୭୦) ଠାରୁ ଖାରବେଳଙ୍କ ରାଜତ୍ଵ ପର୍ଯ୍ୟନ୍ତ କଳିଙ୍ଗର ରାଜନୈତିକ ଓ ଧାର୍ମିକ ଅବସ୍ଥା ଦର୍ଶାଇଛନ୍ତି । ତୃତୀୟ ଭାଗରେ କେଶରୀ ବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶକାଳୀନ ଓଡ଼ିଶାର ଗୌରବମୟ ଅଧ୍ୟାୟ ଉନ୍ମୋଚନ କରିବାପରେ ରାଜା ମୁକୁନ୍ଦଦେବଙ୍କ ସମୟରେ ଖ୍ରୀ ୧୫୬୮ରେ ଉତ୍କଳୀୟ ସ୍ୱାଧୀନତାର କିପରି ଅବସାନ ଘଟିଥିଲା ତାହା ବର୍ଣ୍ଣନା କରିଛନ୍ତି । କଳାପାହାଡ଼ର ହିନ୍ଦୁ ଦେବଦେବୀଙ୍କୁ ଅପମାନ ଦେବା, ହିନ୍ଦୁ ମନ୍ଦିର ଭାଙ୍ଗିବା ଏବଂ ଜଗନ୍ନାଥଙ୍କୁ ଗଙ୍ଗାକୂଳକୁ ନେଇ ସେଠାର ଶ୍ମଶାନରେ ଏକ ଜ୍ୱଳନ୍ତ ଚିତାରେ ତାଙ୍କୁ ନିକ୍ଷେପ କରିବା, ପୁଣି ବିଶର ମହାନ୍ତିଙ୍କ ଦ୍ଵାରା । ଜଗନ୍ନାଥଙ୍କ ନାଭିସ୍ଥଳ ଉଦ୍ଧାର କରାଯାଇ କୁଜଙ୍ଗ ରାଜାଙ୍କ ଦ୍ଵାରା ଜଗନ୍ନାଥଙ୍କ ନବକଳେବର ହୋଇ ମନ୍ଦିରରେ ପୁନଃ ପ୍ରତିଷ୍ଠିତ ହେବା ପରି ସ୍ପର୍ଶକାତର ଘଟଣାଗୁଡ଼ିକ ଐତିହାସିକ କୃପାସିନ୍ଧୁ ଚମତ୍କାର ଭାବେ କାବ୍ୟିକ ଭାଷାରେ ପ୍ରକାଶ କରିଛନ୍ତି । ସେ ପୁଣି ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ରାଜତ୍ୱକାଳ (ଖ୍ରୀ: ୧୦୪୨ ରୁ ଖ୍ରୀ ୧୫୬୮) ମଧ୍ୟରେ ଉତ୍କଳର ସୀମା ବିସ୍ତୃତି, ରାଜ୍ୟଶାସନ, ଦେଶବାସୀଙ୍କ ଅବସ୍ଥା ଶିଳ୍ପ ବ୍ୟବସାୟ ଓ କଳା କୌଶଳ ସମ୍ପର୍କରେ ବିଶଦ ବିବୃତି ଦେବା ସହ ଓଡ଼ିଶାରେ ସାମନ୍ତରାଜ୍ୟଗୁଡ଼ିକ ଗଢ଼ିଉଠି କିପରି ଗଡ଼ଜାତ ସବୁ ସୃଷ୍ଟି ହୋଇଥିଲା ତାହାର ଗୋଟି ଗୋଟି ବିବରଣୀ ଦେଇଛନ୍ତି ।

 

‘ଉତ୍କଳ ଇତିହାସ’ର ଚତୁର୍ଥ ଭାଗରେ ଲେଖକ ମୋଗଲ ରାଜତ୍ୱ (ଖ୍ରୀ: ୧୫୬୮ରୁ ୧୭୫୧) ଏବଂ ମରହଟ୍ଟା ରାଜତ୍ୱ (ଖ୍ରୀ: ୧୭୫୧ ରୁ ୧୮୦୩) କାଳୀନ ଉତ୍କଳର ଅବସ୍ଥା, ରାଜସ୍ୱ ବନ୍ଦୋବସ୍ତ, ବାଣିଜ୍ୟ ବ୍ୟବସାୟ ଓ ସାହିତ୍ୟ, ସଂସ୍କୃତି ବିଷୟରେ ସୂଚନା ଦେବାପରେ ଖ୍ରୀ: ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବାଠାରୁ ଖୋରଧାରାଜ ବିଦ୍ରୋହ, ପାଇକ ବିଦ୍ରୋହ ଇଂରେଜ ଶାସନ ବ୍ୟବସ୍ଥା, ଜମିଦାର ସୃଷ୍ଟି, ଜଗନ୍ନାଥ ମନ୍ଦିର, ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ଭାଷା ଓ ସମ୍ବାଦପତ୍ର, ବାଣିଜ୍ୟବ୍ୟବସାୟ ପର୍ଯ୍ୟନ୍ତ ଲେଖିଛନ୍ତି । ପରେ ଗୋପବନ୍ଧୁ ମାତ୍ର ୧୧ ପୃଷ୍ଠାରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ, ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ଭାଷାସୂତ୍ରରେ ପ୍ରଦେଶ ଗଠନ ପ୍ରସ୍ତାବ, ଉତ୍କଳ ସମ୍ମିଳନୀ, ବିହାର ଓଡ଼ିଶା ପ୍ରଦେଶ ଗଠନ ଏବଂ ଖ୍ରୀ: ୧୯୧୯ର ଶାସନ ସଂସ୍କାରର ସୂଚନା ମାତ୍ର ଦେଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ‘ଉତ୍କଳ ଇତିହାସ ଶେଷ କରିଛନ୍ତି ।

 

ପ୍ରାବନ୍ଧିକ କୃପାସିନ୍ଧୁ ।

ପଣ୍ଡିତ କୃପାସିନ୍ଧୁ ଐତିହାସିକ ତଥ୍ୟ ସମ୍ବଳିତ ଗ୍ରନ୍ଥମାନ ରଚନା କରିବା ସହ ଇତିହାସ, କିମ୍ବଦନ୍ତୀ ଓ ଦାର୍ଶନିକ ତତ୍ତ୍ୱକୁ ଭିତ୍ତିକରି କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି । ସେହିସବୁ ପ୍ରବନ୍ଧ ମୁଖ୍ୟତଃ ‘ସତ୍ୟବାଦୀ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶ ପାଇଅଛି ।

 

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’

‘ସତ୍ୟବାଦୀ ପତ୍ରିକାର ୧ମ ଖଣ୍ଡା ୨ ୟସଂଖ୍ୟାଠାରୁ ଆରମ୍ଭ କରି ୩ୟ ଖଣ୍ଡା ୩ୟ, ୪ର୍ଥ ସଂଖ୍ୟା ପର୍ଯ୍ୟନ୍ତ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଧାରାବାହିକ ଭାବେ ପ୍ରକାଶିତ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧରେ ଲେଖକଙ୍କ ନାମ ଉଲ୍ଲେଖ ନଥିବାରୁ କେହି କେହି ସମାଲୋଚକ ଏହାକୁ ଗୋପବନ୍ଧୁଙ୍କ ରଚନା କହିବାବେଳେ ଅନ୍ୟ କେହି କେହି ସମୀକ୍ଷକ ରଚନାର ଭାଷା ଓ ଐତିହାସିକ ତଥ୍ୟକୁ ଅନୁସନ୍ଧାନ କରି ଏହାକୁ କୃପାସିନ୍ଧୁଙ୍କ ରଚନା ବୋଲି କହିଥାଆନ୍ତି । ପଣ୍ଡିତ ନୀଳକଣ୍ଠ ଲେଖୁଛନ୍ତି ଗୋପବନ୍ଧୁ ବାବୁ ଅତ୍ୟନ୍ତ କୃଷ୍ଣଭକ୍ତ ଥିଲେ । ସେ ମହାଭାରତର ବୈଦିକ କୃଷ୍ଣ ଓ ଭାଗବତର କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ବୁଝୁନଥିଲେ । ସେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ବୋଲି ‘ସତ୍ୟବାଦୀ’ ମାସିକ ପତ୍ରିକାରେ ଧାରାବାହିକ ପ୍ରବନ୍ଧ ଲେଖୁଥିଲେ । ସେଥିରେ କୃଷ୍ଣଙ୍କର କାଳ୍ପନିକ ଭାକ୍ତିକ ମିଥ୍ୟା ପୂର୍ଣ୍ଣ ଭାବରେ ଥିଲା ।’’ (ଆତ୍ମଜୀବନୀ-ପୃ୧୬୩) ।

 

କିନ୍ତୁ ଅଧାପକ ଚିନ୍ତାମଣି ଦାଶ ‘ଐତିହାସିକ କୃପାସିନ୍ଧୁ’ ଗ୍ରନ୍ଥରେ କୃପାସିନ୍ଧୁଙ୍କୁ ହିଁ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର ରଚୟିତା ଭାବେ ପ୍ରତିଷ୍ଠା ଦେଇ ଲେଖୁଛନ୍ତି- ‘କୋଣାର୍କ’ ଲେଖିସାରି ପାଣ୍ଡୁଲିପି ଅବସ୍ଥାରେ ଅଛି, ପ୍ରକାଶ ପାଇନାହିଁ । ଏହି ସମୟରେ ଲେଖାଗଲା ସାକ୍ଷୀଗୋପାଳ ମନ୍ଦିରର ଇତିହାସ’ । ଏହି ଦୀର୍ଘ ପ୍ରବନ୍ଧଟିକୁ ଉପକ୍ରମଣିକା ଓ ଉପସଂହାରକୁ ବାଦ ଦେଲେ ଏଗାର ଗୋଟି ଅଧାୟରେ ବିଭକ୍ତ କରି ଲେଖକ ମନ୍ଦିର ନିର୍ମାଣ ଓ ଦେବ ବିଗ୍ରହ ପ୍ରତିଷ୍ଠା ପଶ୍ଚାରେ ଥିବା ଅନେକ ପ୍ରଚ୍ଛନ୍ନ ତଥ୍ୟ ଓ ରହସ୍ୟ ଉପରେ ଆଲୋକପାତ କରିଛନ୍ତି । ସେହି ଅନୁସାରେ ଅଧ୍ୟାୟଗୁଡ଼ିକର ନାମକରଣ କରାଯାଇଛି- ବୃନ୍ଦାବନ, ସାକ୍ଷୀଗୋପାଳ, ଯୁଦ୍ଧଧନ, କଟକ ଅଧିଷ୍ଠାନ, ସତ୍ୟବାଦୀ ପ୍ରୟାଣ, ଦେଉଳ ଭୋଗ ପ୍ରତିଷ୍ଠା, ସହସ୍ରହାଣ୍ଡି ଏକଠେଙ୍ଗା, ରାଧାକୃଷ୍ଣ, ନୂତନ ଦେଉଳ, ଶାସନ ଓ ତତ୍ତ୍ଵାବଧାନ, ଗୋପାଳ ମନ୍ଦିରର ପର୍ବ ଓ ଉତ୍ସବ । ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମହାପାତ୍ର ‘ସତ୍ୟବାଦୀ ବା ସାକ୍ଷୀଗୋପାଳ ‘ପୁସ୍ତକରେ ଏହି ଅଧାୟଗୁଡ଼ିକୁ ସଙ୍କଳିତ କରିବା ପାଇଁ ଉଦ୍ୟମ କରିଥିଲେ ହେଁ ସେଥିରେ ‘ସାକ୍ଷୀଗୋପାଳ’ (‘ସତ୍ୟବାଦୀ’ ୧ମ ସଂଖ୍ୟା । ୪ର୍ଥ ସଂଖ୍ୟାରେ ପ୍ରକାଶିତ) ‘କଟକ ଅଧୁଷ୍ଠାନ’ (ସତ୍ୟବାଦୀ’ ୧/୬) ସତ୍ୟବାଦୀ ପ୍ରୟାଣ (ସତ୍ୟବାଦୀ’ -୧/୭), ଗୋପାଳ ମନ୍ଦିରର ପର୍ବ ଓ ଉତ୍ସବ (ସତ୍ୟବାଦୀ- ୩ୟଖଣ୍ଡ - ୧ମ, ୨ୟ ସଂଖ୍ୟା ଓ ଉପସଂହାର) (‘ସତ୍ୟବାଦୀ’ - ୩ୟ ୪ର୍ଥ ସଂଖ୍ୟା)କୁ ସ୍ଥାନ ଦେଇ ନଥିବାରୁ ତାହା ପୂର୍ଣ୍ଣାଙ୍ଗ ସଙ୍କଳନ ହୋଇପାରିନାହିଁ ।

 

ତକ୍ଷଶିଳାର ଆବିଷ୍କ୍ରିୟା

ସତ୍ୟବାଦୀ ୨ୟଖଣ୍ଡା ୧ମ, ୨ୟ ସଂଖ୍ୟାରେ ପ୍ରକାଶିତ ‘ତକ୍ଷଶିଳାର ଆବିଷ୍କ୍ରିୟା’ ପ୍ରବନ୍ଧରେ ମଧ୍ୟ ଲେଖକଙ୍କ ନାମୋଲ୍ଲେଖ ନାହିଁ । କିନ୍ତୁ ସେ ସମୟରେ ପଣ୍ଡିତ କୃପାସିନ୍ଧୁ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ତଥ୍ୟାବଳୀ ଉପରେ ଗବେଷଣା କରି ଲେଖାମାନ ପ୍ରସ୍ତୁତ କରୁଥିବାରୁ ଏବଂ ଛାତ୍ରମାନଙ୍କୁ ଇତିହାସ ପଢ଼ାଉଥିବାରୁ ଏହା ତାଙ୍କରି ରଚନା ହୋଇଥିବା ସମ୍ଭବ ବୋଲି ସମୀକ୍ଷକ ଚିନ୍ତାମଣି ଯୁକ୍ତି ଉପସ୍ଥାପନ କରିଛନ୍ତି । (‘ଐତିହାସିକ କୃପାସିନ୍ଧୁ’ - ପୃ-୧୬୫ ଦ୍ରଷ୍ଟବ୍ୟ)

 

ବୁଦ୍ଧଦେବଙ୍କ ଆବିର୍ଭାବ ପୂର୍ବରୁ ପଞ୍ଜାବର ସୀମାନ୍ତରେ ଅବସ୍ଥିତ ତକ୍ଷଶିଳା ସମସ୍ତ ପ୍ରାଚ୍ୟ ରାଜ୍ୟରେ ଜ୍ଞାନର ସର୍ବପ୍ରଧାନ କେନ୍ଦ୍ରଥିଲା । ବୁଦ୍ଧଙ୍କ ସମୟରେ ଏହା ଗାନ୍ଧାର (କାନ୍ଦାହାର) ରାଜ୍ୟର ରାଜଧାନୀ ଥିଲା । ଏହା ବୟାକରଣ ପାଣିନିଙ୍କ (ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ) ଜନ୍ମସ୍ଥାନ ଥିଲା । Rys Davidଙ୍କ ରଚିତ ‘Buddhist India’ ଗ୍ରନ୍ଥକୁ ଅନୁସରଣ କରି କୃପାସିନ୍ଧୁ କହନ୍ତି- “ପାଣିନିଙ୍କ ସମୟରେ ତକ୍ଷଶିଳାର ବିଶ୍ୱବିଦ୍ୟାଳୟ ସର୍ବପ୍ରସିଦ୍ଧ ଥିଲା । ଏହା ମହାରାଜାଙ୍କ ଠାରୁ ଆରମ୍ଭ କରି ଦୀନ ପ୍ରଜାଙ୍କ ପର୍ଯ୍ୟନ୍ତ ଦେଶୀୟ ଓ ବୈଦେଶିକ ବିଦ୍ୟାର୍ଥୀମାନଙ୍କର ପ୍ରଧାନ ଜ୍ଞାନକେନ୍ଦ୍ର ଥିଲା । ଚୀନ, ଜାପାନ, ପାରସ୍ୟ ପ୍ରଭୃତି ଅଞ୍ଚଳରୁ ବିଦ୍ୟାର୍ଥୀମାନେ ଭାରତୀୟ ଗୁରୁଙ୍କ ମୁଖରୁ ବିଦ୍ୟାଭ୍ୟାସ କରୁଥିଲେ ।’’ (ସତ୍ୟବାଦୀ-୨/୧ ମ, ୨ୟ ସଂଖ୍ୟା ପୃଷ୍ଠା-୫୫)

 

ତକ୍ଷଶିଳା ବୌଦ୍ଧଧର୍ମର କେନ୍ଦ୍ରସ୍ଥଳୀ ଥିବା ସମ୍ପର୍କରେ ପ୍ରାବନ୍ଧିକ କହନ୍ତି, ବିନ୍ଦୁସାରଙ୍କ ମୃତ୍ୟୁପରେ ଅଶୋକ ତାଙ୍କ ଜ୍ୟୋଷ୍ଠଭ୍ରାତାଙ୍କ ସହ ଯୁଦ୍ଧକରି ତକ୍ଷଶିଳାର ସିଂହାସନ ଆରୋହଣ କରିଥିଲେ ଏବଂ ବୌଦ୍ଧ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଚୀନ ପରିବ୍ରାଜକ ହୁଏସୀଙ୍କ ଭାରତ ଭ୍ରମଣ ବୃତ୍ତାନ୍ତରୁ ମଧ୍ୟ ଜଣାଯାଏ, ଅଶୋକ ତକ୍ଷଶିଳାରେ ଏକ ବୌଦ୍ଧସ୍ତୂପ ନିର୍ମାଣ କରିଥିଲେ ଏବଂ ତାଙ୍କରି ସମୟରେ ବୁଦ୍ଧଙ୍କ ଭଗ୍ନାବଶେଷ ତକ୍ଷଶିଳାକୁ ପ୍ରେରିତ ହୋଇଥିଲା ।

 

ଏହି ପ୍ରବନ୍ଧରେ ପ୍ରାବନ୍ଧିକ କୃପାସିନ୍ଧୁ ବ୍ରାହ୍ମଣ୍ୟଧର୍ମ ଓ ସଭ୍ୟତାର କ୍ରମବିକାଶରେ ବୌଦ୍ଧଧର୍ମକୁ ଗୋଟିଏ ଅବସ୍ଥାମାତ୍ର କହି ଲେଖିଛନ୍ତି- “ବୌଦ୍ଧଧର୍ମ ଏକାବେଳକେ ନୂତନ ଓ ପୃଥକ୍ ନୁହେଁ । ଭାରତୀୟ ବ୍ରାହ୍ମଧର୍ମ ଓ ବେଦପୁରାଣାଦିରୁ ନିଜେ ବୁଦ୍ଧଦେବ ଏବଂ ତାହାଙ୍କର ପରବର୍ତ୍ତୀ ବୌଦ୍ଧମାନେ ଏହି ଧର୍ମ ବାହାର କରିଛନ୍ତି ।” (ସତ୍ୟବାଦୀ- ୨/୧ମ ୨ ୟସଂଖ୍ୟା ପୃ-୫୮)

 

ପଣ୍ଡିତ କୃପାସିନ୍ଧୁ ସତ୍ୟବାଦୀ ସ୍କୁଲର ଛାତ୍ରଙ୍କୁ ଇଂଲଣ୍ଡର ଇତିହାସ ପଢ଼ାଇବା ପାଇଁ ଯେଉଁସବୁ ନୋଟ୍ ପ୍ରସ୍ତୁତ କରିଥିଲେ ଛାତ୍ରମାନଙ୍କ ଅନୁରୋଧରେ ସେ ସବୁ ଏକତ୍ରକରି ଇଂରାଜୀ ଭାଷାରେ “History of England’’ ନାମରେ ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥ ପ୍ରଣୟନ କରିଥିଲେ । ଏ ପୁସ୍ତକର ଭୂମିକା ସେ ଖ୍ରୀ: ୧୯୨୦ ସେପ୍ଟେମ୍ବର ୧୫ ତାରିଖରେ ଲେଖିଥିଲେ ଏବଂ ପୁସ୍ତକଟି କଲିକତାର କାତ୍ୟାୟନୀ ପ୍ରେସରେ ସତ୍ୟବାଦୀର ଛାତ୍ର ଭଣ୍ଡାର (Student’s store) ଦ୍ଵାରା ପ୍ରକାଶିତ ହୋଇଥିଲା । ଏହି ‘‘History of England’’ କେତେକାଂଶ ଓଡ଼ିଆରେ ଅନୁବାଦ କରି କୃପାସିନ୍ଧୁ ‘ସତ୍ୟବାଦୀ ପତ୍ରିକାର ବିଭିନ୍ନ ସଂଖ୍ୟାରେ ଭିନ୍ନ ଭିନ୍ନ ଶୀର୍ଷକରେ ପ୍ରକାଶ କରାଇଛନ୍ତି । କେତୋଟି ପ୍ରବନ୍ଧ ସେ ସତ୍ୟବାଦୀ ସ୍କୁଲର ଇତିହାସ ସମାଜ (History Club)ରେ ପାଠକରିଛନ୍ତି ।

 

ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର

ସତ୍ୟବାଦୀ ସ୍କୁଲ ଇତିହାସ ସମାଜର ସଭାପତି ଭାବେ କୃପାସିନ୍ଧୁ ଯେଉଁ ଇଂରାଜୀ ପ୍ରବନ୍ଧଟି ପାଠ କରିଥିଲେ ତାହାର ଓଡ଼ିଆ ରୂପାନ୍ତର ହେଉଛି- “ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’’ । ଏହା ‘ସତ୍ୟବାଦୀ’ ୧ମ ଖଣ୍ଡା ୯ମ ଏବଂ ୧୦ ମ -୧୧ଶ ସଂଖ୍ୟାରେ ପ୍ରକାଶ ପାଇଛି-

 

ପ୍ରବନ୍ଧର ପ୍ରାରମ୍ଭରୁ ଲେଖକ ଭାରତ ପରି ଏକ ବିଶାଳ ଦେଶରେ ବହୁ ଜାତି ବହୁଧର୍ମ ପୁଣି ପ୍ରତ୍ୟେକ ଜାତି ଓ ପ୍ରତ୍ୟେକ ଧର୍ମରେ ବିଭିନ୍ନ ଶାଖା ସମ୍ପ୍ରଦାୟ ଥିବାରୁ ଏକତ୍ଵ ସମ୍ପାଦନ ଏକ ଅସମ୍ଭବ ବ୍ୟାପାର ହୋଇପଡ଼ିଛି । ବିଭିନ୍ନ ଅନ୍ତର୍ବିବାଦରେ ଦେଶ ବାରମ୍ବାର ବୈଦେଶିକ ଶତ୍ରୁ କବଳରେ ପଡ଼ିଥିବା ପ୍ରାବନ୍ଧିକ ଦର୍ଶାଇଛନ୍ତି । କିନ୍ତୁ ଇଂରେଜ ଶାସନ ଓ ସଭ୍ୟତାର ପ୍ରଭାବରେ ଏହି ଖଣ୍ଡ ବିଖଣ୍ଡ ଭାରତବର୍ଷ କିପରି ଏକ ନୂତନ ଭାରତର ସାମ୍ରାଜ୍ୟ ଗଠନ ଆଡ଼କୁ ଅଗ୍ରସର ହୋଇଛି ତାହା ଆଲୋଚ୍ୟ ପ୍ରବନ୍ଧରେ ପ୍ରତିପାଦିତ ହୋଇଅଛି । ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାରକୁ ପ୍ରାବନ୍ଧିକ ପାଞ୍ଚଗୋଟି ଯୁଗରେ ବିଭକ୍ତ କରିଛନ୍ତି । ଯଥା-

 

ଇଂରେଜ କ୍ଷମତାର ଆବିର୍ଭାବ- ଖ୍ରୀ ୧୭୪୪ରୁ ୧୭୭୦

ଇଂରେଜମାନଙ୍କ ଆଧିପତ୍ୟ ସ୍ଥାପନ- ଖ୍ରୀ ୧୭୭୦ରୁ ୧୮୦୫

ଇଂରେଜଶାସନର ଦୃଢ଼ତା- ଖ୍ରୀ: ୧୮୦୬ରୁ ୧୮୩୫

ସମଗ୍ର ଭାରତବର୍ଷରେ ଇଂରେଜ ଏକାଧିପତ୍ୟ ସ୍ଥାପନ - ଖ୍ରୀ: ୧୮୩୬ରୁ ୧୮୫୮

ସମଗ୍ର ଭାରତବର୍ଷରେ ଏକ ଜାତୀୟତାର ସଞ୍ଚାର- ଖ୍ରୀ ୧୮୫୮ରୁ....

 

ଇଂରେଜ ଶାସନ କାଳ ମଧ୍ୟରେ ଏକ ଦୃଢ଼ ଜାତୀୟ ଚେତନାରେ ଭାରତବାସୀ ଉଦ୍‍ବୁଦ୍ଧ ହୋଇଥିଲେ ତାହା ଲେଖକ ଆଲୋଚନା କରିଛନ୍ତି । ମାନ୍ଦ୍ରାଜ, ବମ୍ବେ, ବଙ୍ଗଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ପ୍ରଭୃତି କିପରି ଭାବେ ବିଟ୍ରିଶ୍ ଅଧିକାରରେ ଆସିଥିଲା ତାହାର ମଧ୍ୟ ଆଲୋଚନା କରାଯାଇଛି ।

 

‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ’

କୃପାସିନ୍ଧୁଙ୍କ ରଚିତ ଏହି ପ୍ରବନ୍ଧ ସତ୍ୟବାଦୀ ପତ୍ରିକାର ୩ୟ ଖଣ୍ଡ ୧ମ ୨ୟ ସଂଖ୍ୟାରେ ପ୍ରକାଶିତ । ଏଥିରେ ଲେଖକ କହିବାକୁ ଚାହିଁଛନ୍ତି ଯେ, ଭାରତ କଦାପି ବୈଦେଶିକ ଶତ୍ରୁଙ୍କ ଦ୍ୱାରା ବିଜିତ ହୋଇନାହିଁ, କେବଳ ନିଜ ଦ୍ୱାରା ହିଁ ସେ ବାରମ୍ବାର ପରାଜିତ ହୋଇଛି, କାରଣ ପଡ଼ୋଶୀ ରାଜ୍ୟର ଧ୍ୱଂସ ସାଧନ ପାଇଁ ଭାରତୀୟ ରାଜାମାନେ ବାରମ୍ବାର ବୈଦେଶିକ ଶତ୍ରଙ୍କୁ ଆହ୍ୱାନ କରିଛନ୍ତି । ଇଂରେଜ ଶାସନର ଘଟଣାରାଶି ଯେପରି ଭାବେ ଭାରତୀୟ ଏକତାର ଦୃଢ଼ତ୍ୱ ସମ୍ପାଦନ କରିଛି ତାହାର ପ୍ରଶଂସା କରି କୃପାସିନ୍ଧୁ କହନ୍ତି- “ପ୍ରାଚୀନ ଭାରତ ଜାତି ସଙ୍ଗେ ନବୀନ ଇଂରେଜ ଜାତିର ମିଳନ ନିଶ୍ଚୟ ନିରର୍ଥକ ନୁହେଁ ।’’ ତାଙ୍କ ଯୁକ୍ତିରେ, ଭାରତରେ ବୈଦେଶିକ ଆକ୍ରମଣ ଅମଙ୍ଗଳକର ନ ହୋଇ ମଙ୍ଗଳର ସୂଚକ ହୋଇଛି । ତେଣୁ ସେ ଲେଖିଛନ୍ତି ଭାରତର ଇତିହାସରେ ଯେଉଁ ବୈଦେଶିକ ଆକ୍ରମଣ ନିତାନ୍ତ ଅମଙ୍ଗଳଜନିତ ବିପଦ ବୋଲି ଘୃଣିତ ହୁଏ, ତାହାଦ୍ଵାରା ଭାରତ ଜୀବନ ନଷ୍ଟ ହୋଇନାହିଁ, ବରଂ ତାହା ମଧ୍ୟରେ ଏହା ପରିଚାଳିତ ହୋଇଛି ।’’ (“ସତ୍ୟବାଦୀ’ - ୩/୧ ମ ୨ୟସଂଖ୍ୟା ପୃ-୩୦)

 

‘ଓଡ଼ିଶାରେ ଇଂରେଜ ବାଣିଜ୍ୟ କୋଠି’

ଏହି ଦୀର୍ଘ ପ୍ରବନ୍ଧଟି ‘ସତ୍ୟବାଦୀ’ ପତ୍ରିକାର ୪ର୍ଥ ଖଣ୍ଡା/୮ମ ରୁ ୧୨ଶ ସଂଖ୍ୟା ଠାରୁ ୫ମ ଖଣ୍ଡର କେତୋଟି ସଂଖ୍ୟା ପର୍ଯ୍ୟନ୍ତ ଧାରାବାହିକ ଭାବେ ପ୍ରକାଶ ପାଇଥିଲା । ଇଂରେଜ ବଣିକମାନେ ଖ୍ରୀ: ୧୬୩୪ରେ ପିପିଲିରେ ଖ୍ରୀ ୧୬୪୦ରେ ହୁଗୁଳିଠାରେ ଏବଂ ଖ୍ରୀ ୧୬୪୨ରେ ବାଲେଶ୍ୱରରେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ । ସେ ସମୟରେ କୌଣସି ଉଇତିହାସ ଲେଖାଯାଇ ନଥିବାରୁ ଜନଶୃତିକୁ ଆଧାର କରି କୃପାସିନ୍ଧୁ କହନ୍ତି- “କଥା ଅଛି, ସାହାଜାହାନ ଖ୍ରୀ:୧୬୩୪ ଫେବୃୟାରୀ ଦୁଇ ତାରିଖରେ ବଙ୍ଗଦେଶରେ ବାଣିଜ୍ୟ କରିବା ନିମନ୍ତେ ଇଂରେଜମାନଙ୍କୁ ଏକ ସନନ୍ଦ ମଞ୍ଜୁର କରିଥିଲେ ଏବଂ ତହିଁରେ କେବଳ ପିପିଲିରେ ବାଣିଜ୍ୟକୋଠି ସ୍ଥାପନ କରିବା ନିମନ୍ତେ ଆଦେଶ ଦେଇଥିଲେ । XXX ହୁଗୁଳିରେ ଇଂରେଜ ବାଣିଜ୍ୟ ବସତି ସ୍ଥାପିତ ହେବାର ଦୁଇବର୍ଷ ପରେ ଅର୍ଥାତ୍ ୧୬୪୨ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରେ ଅନ୍ୟତମ ବାଣିଜ୍ୟ କେନ୍ଦ୍ର ସ୍ଥାପିତ ହୋଇଥିଲା ।” (“ସତ୍ୟବାଦୀ’ - ୪ର୍ଥ ଖଣ୍ଡା ୮ମରୁ ୧୨ଶ ସଂଖ୍ୟା ପୃ-୩୪୭-୪୮)

 

ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ସୁବର୍ଣ୍ଣରେଖା, ସୋରୋ, ଭଦ୍ରକ ଏବଂ ବୁଢ଼ାବଳଙ୍ଗ ମୁହାଁଣସ୍ଥିତ ବଳରାମଗଡ଼ ପ୍ରଭୃତି ସ୍ଥାନରେ ମଧ୍ୟ ଇଂରେଜମାନଙ୍କ ବାଣିଜ୍ୟକୋଠି ସ୍ଥାପିତ ହୋଇଥିବାର ଦର୍ଶାଇ ସେ ଲେଖିଛନ୍ତି- “ଖ୍ରୀ ୧୬୩୩ରେ ଇଂରେଜମାନେ ବାଲେଶ୍ୱର ଆସିଲେ; କାରଣ ବଙ୍ଗୋପସାଗରର ଶିରୋଭାଗରେ ଥିବାରୁ ବାଲେଶ୍ୱର ପାଶ୍ଚାତ୍ୟ ବଣିକମାନଙ୍କ ପ୍ରତି ସହଜଗମ୍ୟ ଥିଲା, ସୁତରା, କର୍ଣ୍ଣାଟକ ଓ କରମଣ୍ଡଳ ଉପକୂଳ ଅପେକ୍ଷା ବାଲେଶ୍ଵର ବାଣିଜ୍ୟର ଉକୃଷ୍ଟତର କେନ୍ଦ୍ର ବୋଲି ମନୋନୀତ ହୋଇଥିଲା । (ସତ୍ୟବାଦୀ’- ୫ମ ଖଣ୍ଡ । ୩ୟ-୪ର୍ଥସଂଖ୍ୟା- ପୃ-୮୫)

 

ପଣ୍ଡିତ କୃପାସିନ୍ଧୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପାସ୍ କରିଥିବାରୁ ତାଙ୍କ ଇତିହାସ ତଥ୍ୟସମ୍ବଳିତ ରଚନାଗୁଡ଼ିକରେ ମଧ୍ୟ ଦାର୍ଶନିକ ଚିନ୍ତା ଓ ମତବାଦର ସୁନ୍ଦର ଓ ପୁଷ୍କଳ ଅଭିବ୍ୟକ୍ତି ଘଟିଅଛି, ତାହାର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ ହେଉଛି ତାଙ୍କ ରଚିତ- ‘ହିନ୍ଦୁର ସମାଜ ବିଧାନ’ ପ୍ରବନ୍ଧ । ଏ ପ୍ରବନ୍ଧଟି ‘ସତ୍ୟବାଦୀ’-୩ୟଖଣ୍ଡ ୫ମ ୬ଷ୍ଠ ଓ ୭ମ ୮ମ ସଂଖ୍ୟାରେ ପ୍ରକାଶ ପାଇଛି । ଏଥିରେ ଲେଖକ ହିନ୍ଦୁ ସମାଜରେ ପ୍ରଚଳିତ କେତେକ ବ୍ୟବସ୍ଥା ଉପରେ କଟାକ୍ଷପାତ କରିଛନ୍ତି । ତାଙ୍କ ଦାର୍ଶନିକ ଯୁକ୍ତିରେ, ଖ୍ରୀଷ୍ଟଧର୍ମରେ ଅନ୍ୟଧର୍ମ ବା ସମାଜର ବ୍ୟକ୍ତିଙ୍କୁ ଦୀକ୍ଷିତ କରାଇ ସ୍ଵଧର୍ମ ଓ ସମାଜର ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ଥିବାରୁ ସେହି ଧର୍ମ ଓ ସମାଜର କ୍ରମବିକାଶ ଓ ବୃଦ୍ଧି ସାଧିତ ହୋଇପାରିଛି; କିନ୍ତୁ ହିନ୍ଦୁଧର୍ମ ଓ ସମାଜ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ସ୍ୱଧର୍ମରେ ଦୀକ୍ଷିତ କରିବା ପରିବର୍ତ୍ତେ ନିଜ ଧର୍ମର କୌଣସି ବ୍ୟକ୍ତିଠାରେ ସାମାନ୍ୟ ବ୍ୟଭିଚାର ଦେଖିଲେ ତାକୁ ସମାଜଚ୍ୟୁତ କରିଦେଉଥିବାରୁ ତାହାର ବିକାଶ ଅସମ୍ଭବ ହୋଇପଡ଼ିଛି, କେହି ଯଦି ବିଲାତ ଯାଇ ବହୁ ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ନାନା ବିଦ୍ୟାରେ ଧୂରୀଣ ହୋଇ ଫେରୁଛନ୍ତି ସେମାନେ ସ୍ୱଦେଶ ଫେରି ନିଜ ସମାଜରେ ମିଶି ପାରୁନାହାନ୍ତି । ସେହି ଶିକ୍ଷିତ ବ୍ୟକ୍ତିମାନେ ବ୍ରାହ୍ମଧର୍ମପରି ନୂତନ ଧର୍ମରେ ଦୀକ୍ଷିତ ହୋଇ ନିଜ ଜ୍ଞାନ ଓ ବିଦ୍ୟାରେ ନୂତନ ଏକ ସମାଜର ବିକାଶ ସାଧନରେ ବ୍ରତୀ ହେଉଛନ୍ତି-। ଅଥଚ ହିନ୍ଦୁଧର୍ମ ଓ ସମାଜ ସମସ୍ତ ସଂକୀର୍ଣ୍ଣତାର ବଶବର୍ତ୍ତୀ ହୋଇ ‘‘ଆସନ୍ନ ମୃତ ?’’ ଅବସ୍ଥାକୁ ଗତି କରୁଛି ।

 

ପ୍ରାବନ୍ଧିକଙ୍କ ଯୁକ୍ତିରେ- “ହିନ୍ଦୁମାନଙ୍କର ଏହି ସଂକୀର୍ଣ୍ଣତା ନିମନ୍ତେ କେବଳ ହିନ୍ଦୁମାନେ ଦାୟୀ ନୁହନ୍ତି । ଯେଉଁ ସମାଜମାନଙ୍କଠାରୁ ହିନ୍ଦୁସମାଜ ବର୍ତ୍ତମାନ ପୃଥକ ବୋଲି ଜଣାଯାଏ, ସେମାନଙ୍କ କାର୍ଯ୍ୟଦ୍ଵାରା ହିନ୍ଦୁ ସମାଜରେ ଏହି ସଂକୀର୍ଣ୍ଣତା ପ୍ରବେଶ କରିଛି । ହିନ୍ଦୁମାନେ ବର୍ତ୍ତମାନ ଅହିନ୍ଦୁମାନଙ୍କ ଠାରୁ ସ୍ୱତନ୍ତ୍ର ହୋଇ ଅଛନ୍ତି । (‘ସତ୍ୟବାଦୀ’ - ୩ୟଖଣ୍ଡା ୫ ମ ୬ଷ୍ଠ ସଂଖ୍ୟା) (ପୃଷ୍ଠା- ୨୦୩)

 

ପୁରାକାଳରେ ହିନ୍ଦୁ ସମାଜ କୌଣସି ଭୌଗୋଳିକ ସୀମାମଧ୍ୟରେ ଆବଦ୍ଧ ନଥିଲା । ସେମାନଙ୍କ ଦର୍ଶନତତ୍ତ୍ୱ ଯେପରି ଉଦାର ଓ ବିଶ୍ୱଜନୀନ ଥିଲା, ସମାଜବିଧାନ ସେହିପରି ବ୍ୟାପକ ଓ ସମ୍ପ୍ରସାରିତ ଥିଲା । ହିନ୍ଦୁଧର୍ମ ଥିଲା ମାନବ ଧର୍ମ ଓ ସମାଜ ଥିଲା ମାନବ ସମାଜ । ପରବର୍ତ୍ତୀ କାଳରେ ହିନ୍ଦୁ ସମାଜରେ ସଂକୀର୍ଣ୍ଣତା ହିନ୍ଦୁ ସମାଜ ବିଧାନର ବହିର୍ଭୁତ ବିଭିନ୍ନ ବୈଦେଶିକ ଆକ୍ରମଣ ଓ ଅତ୍ୟାଚାର ଦ୍ୱାରା ପ୍ରବେଶ କରିଛି ବୋଲି ଲେଖକଙ୍କ ମତ ।

 

ଅଦୃଷ୍ଟବାଦ

‘ସତ୍ୟବାଦୀ’ (୩ୟଖଣ୍ଡା ୯ ମ-୧୦ ସଂଖ୍ୟା ଓ ୧୧ଶ ୧୨ଶ ସଂଖ୍ୟା)ରେ ପ୍ରକାଶିତ ‘‘ଅଦୃଷ୍ଟବାଦ’” ଶୀର୍ଷକ ଦାର୍ଶନିକ ତତ୍ତ୍ୱ ସମ୍ବଳିତ ପ୍ରବନ୍ଧଟି ପ୍ରଥମେ କୃପାସିନ୍ଧୁ ‘ଉତ୍କଳ’ ସାହିତ୍ୟ ସମାଜର ତା ୧/୧୨/୧୯୧୭ ରିଖର ଅଧିବେଶନରେ ପାଠ କରିଥିଲେ । ଏ ପ୍ରବନ୍ଧରେ ଅଦୃଷ୍ଟର ସଂଜ୍ଞା ଦେବାକୁ ଯାଇ ଲେଖକ କହନ୍ତି- ‘‘ଲୋକସାଧାରଣ ସେମାନଙ୍କ ସହଜାତ ଅନୁମାନ ବଳରେ ପ୍ରକୃତିରେ ଏକ ଶକ୍ତିର କାର୍ଯ୍ୟ ସ୍ଥିର କରିଅଛନ୍ତି । ତେବେ ଏହି ଶକ୍ତି କଅଣ ଓ କିପରି କାର୍ଯ୍ୟରେ ଏବଂ କେଉଁଠାରେ ରହି ମାନବ ଇତିହାସ ଓ ପ୍ରକୃତିର ଘଟଣାରାଶି ନିୟମିତ କରୁଅଛି; ତାହା ସେ ଜାଣେ ନାହିଁ, ତାହା ପ୍ରତି ସେ ଶକ୍ତି ଅଦୃଷ୍ଟ ଓ ଅଜ୍ଞାତ । XXXମାନବର ଉନ୍ନତି-ଅବନତି, ପାପପୁଣ୍ୟସବୁ ଅଦୃଷ୍ଟର ଇଙ୍ଗିତମାତ୍ର ।” (‘ସତ୍ୟବାଦୀ’ - ୩ୟଖଣ୍ଡ) ୯ମ ୧୦ ମ ସଂଖ୍ୟା ପୃ-୨୯୩)

 

ଅଦୃଷ୍ଟବାଦକୁ ପୃଥିବୀର ବିଭିନ୍ନ ଧର୍ମରେ ନାନା ଭାବେ ପ୍ରଚଳିତ । କେହି କେହି ଅଦୃଷ୍ଟକୁ ବା ଭାଗ୍ୟକୁ ଏକ ଅନିର୍ଦ୍ଦିଷ୍ଟ ଶକ୍ତି କହିବାବେଳେ କାହା କାହା ମତରେ ଏହା ଅଲଂଘନୀୟ ଓ ଅପରିବର୍ତ୍ତନୀୟ । କେହି ପୁଣି ଏହାକୁ ମନୁଷ୍ୟର ଜନ୍ମ ଓ ମରଣ ଦେବତା ବୋଲି ଅଭିହିତ କରିଛନ୍ତି ।

 

ଅଦୃଷ୍ଟଦ୍ଵାରା ମନୁଷ୍ୟର ଲକ୍ଷ୍ୟ ପଦେ ପଦେ ପ୍ରତିହତ ହୁଏ । ଫଳରେ ତା’ର ନୈତିକ ଉନ୍ନତି ସମ୍ଭବ ହୁଏ ନାହିଁ । ଅଦୃଷ୍ଟ ଓ ମାନବ ମଧ୍ୟରେ ଏହି ଦ୍ୱୈତ ଜ୍ଞାନବଶତଃ ମାନବ ପ୍ରତି ମୁହୂର୍ତ୍ତରେ ସଂସାରକୁ କେବଳ ଅନ୍ଧ ଆକସ୍ମିକତା ଏବଂ ନିରାଶାର କ୍ଷେତ୍ର ବୋଲି ଜ୍ଞାନକରେ । ଅଦୃଷ୍ଟବାଦୀମାନେ ମାନବର ସ୍ଵାଧୀନତା ମିଥ୍ୟା ପ୍ରମାଣ କରି କେବଳ ଈଶ୍ୱରଙ୍କ ସର୍ବଜ୍ଞାତା ସମର୍ଥନ କରିବାବେଳେ ସ୍ଵାଧୀନତାବାଦୀମାନେ ଆପଣା ଜ୍ଞାନ, ବୁଦ୍ଧି ଓ କୌଶଳ ଦ୍ଵାରା ଈଶ୍ୱରଙ୍କ ସର୍ବଜ୍ଞାତା ଓ ତ୍ରିକାଳ ଦୃଷ୍ଟି ସଙ୍ଗେ ମାନବ ପ୍ରବୃତ୍ତିର ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ପ୍ରମାଣ କରନ୍ତି । କିନ୍ତୁ ପଣ୍ଡିତ କୃପାସିନ୍ଧୁ କହନ୍ତି, ଅଦୃଷ୍ଟବାଦୀ ଓ ସ୍ଵାଧୀନତାବାଦୀ ଉଭୟ ବିପଥଗାମୀ । ତାଙ୍କ ମତରେ, ଭାରତରେ ଅଦୃଷ୍ଟର ଅର୍ଥ କର୍ମ ଏବଂ ଅଦୃଷ୍ଟବାଦ କର୍ମବାଦର ନାମାନ୍ତର ମାତ୍ର । କର୍ମଫଳ କର୍ମଠାରୁ ସ୍ୱତନ୍ତ୍ର ନୁହେଁ, ଏ ଦୁହିଁଙ୍କର ସମ୍ବନ୍ଧ କାର୍ଯ୍ୟ-କାରଣର ସମ୍ବନ୍ଧ । କାରଣ ହେଉଛି ଅବ୍ୟକ୍ତ କାର୍ଯ୍ୟ ଏବଂ କାର୍ଯ୍ୟ-ବ୍ୟକ୍ତ କାରଣ । ସ୍ୱ କର୍ମଫଳ ଭୋଗିବାରେ ହିଁ ମାନବ ଜୀବନର ସ୍ଵାଧୀନତା । ଏହାରି ଦ୍ୱାରା ସେ ଆପଣାକୁ ନିଜ ଅଧୀନରେ ଆଣେ ।

 

‘କା’- ଦାର୍ଶନିକ କୃପାସିନ୍ଧୁ ପିଲାଙ୍କ ଡୁଡୁ ଖେଳରେ ବ୍ୟବହୃତ ‘କା’ ମଧ୍ୟରେ ଏକ ବିରାଟ ଦର୍ଶନ- ତତ୍ତ୍ୱର ଅନୁଧ୍ୟାନ କରି ‘କା’ ପ୍ରବନ୍ଧଟି ଲେଖୁଛନ୍ତି ଯାହା ବହୁ ବର୍ଷ ଧରି B.A. କ୍ଲାସର ମାତୃଭାଷା ପାଠ୍ୟର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର କେତେକ ଖେଳରେ ବ୍ୟବହୃତ ‘କା’ର ତତ୍ତ୍ୱ ମିଶର ଦେଶର ପୁରାଣ ଓ ଦର୍ଶନରେ ବ୍ୟାଖ୍ୟାତ ହୋଇଥିବାର ଦର୍ଶାଇ ପ୍ରାବନ୍ଧିକ କୃପାସିନ୍ଧୁ କହନ୍ତି, ମିଶରୀୟମାନଙ୍କ ବିଶ୍ୱାସ ‘କା’ କୌଣସି ପାର୍ଥିବ ପଦାର୍ଥ ନୁହେଁ, ଏହା ଗୋଟିଏ ଭଗବତ୍ ପ୍ରଦତ୍ତ ବସ୍ତୁ । ପ୍ରାଣୀ ସାନ୍ତ ଅର୍ଥାତ୍ ସୀମାବଦ୍ଧ, ନଶ୍ଵର, ଭଙ୍ଗୁର କିନ୍ତୁ ‘କା’ ଅସୀମ, ଅବିନଶ୍ଵର, ଅମର, ଅନନ୍ତ ଓ ଅବ୍ୟୟ । ପ୍ରାଣୀ ପ୍ରାଣତ୍ୟାଗ କଲେ ‘କା’ ସେହି ପ୍ରାଣୀକୁ ତ୍ୟାଗକରି ଅନ୍ୟ ପ୍ରାଣୀର ଦେହରେ ପ୍ରବେଶ କରେ । ‘କା’ ବ୍ୟତୀତ ପ୍ରାଣୀ-ପ୍ରାଣୀ ନୁହେଁ, ଏକ ଜଡ଼ ପିଣ୍ଡ । ତେଣୁ ମିଶରବାସୀ । ଜଡ଼ଜଗତର ଉପାସନା ନକରି କେବଳ ଜୀବଜଗତର ବା ‘କା’ର ହିଁ ଉପାସନା କରନ୍ତି ।

 

ପ୍ରାବନ୍ଧିକ କୃପାସିନ୍ଧୁ ମିଶରଦେଶୀୟ ଜଟିଳ ତତ୍ତ୍ୱପୂର୍ଣ୍ଣ ‘କା’ ସହ ଆମ ଡୁଡୁ ଖେଳରେ ପ୍ରଚଳିତ ରହସ୍ୟହୀନ ଲଘୁ କା’କୁ ତୁଳନାକରି କହନ୍ତି, ‘‘ସେ ‘କା’ ଦର୍ଶନ ଜଗତର ‘କା’ - ବଡ଼ ରହସ୍ୟପୂର୍ଣ୍ଣ ଚିନ୍ତାଗର୍ଭକ ଓ ଜଟିଳ ତତ୍ତ୍ୱ ସମ୍ବଳିତ । କିନ୍ତୁ ଆମ ଦେଶର ପିଲାମାନଙ୍କ ‘କା’ରେ କୌଣସି ତତ୍ତ୍ୱ ନାହିଁ, - ଏ ଅତି ସରଳ ବିଷୟ । ମିଶର ଦେଶର ‘କା’ ହେଉଛି ଦାର୍ଶନିକ ଓ ଭାବୁକମାନଙ୍କ ଚିନ୍ତାର ବିଷୟ, ଏହା ସତ୍, ଚିରନ୍ତନ ଓ ଅମର ଠିକ୍ ଆମର ଆତ୍ମା ପରି, କିନ୍ତୁ ଆମର ‘କା’ ହେଉଛି କ୍ଷଣସ୍ଥାୟୀ, ଜୀବାତ୍ମାର ଗୋଟିଏ ଗୋଟିଏ ଅବସ୍ଥା ସଦୃଶ ।

 

ପଣ୍ଡିତ କୃପାସିନ୍ଧୁ ଜୀବାତ୍ମାର ବିଭିନ୍ନ ଅବସ୍ଥାର ନାମ ‘କା’ ଦେଇ ଏହା କିପରି ବ୍ୟକ୍ତିକୁ ପାରିବାରିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସୂଚାରୁରୂପେ କାର୍ଯ୍ୟକରିବାକୁ ସାହାଯ୍ୟ କରିଥାଏ ତାହାର ବିଶ୍ଳେଷଣ କରି ଲେଖୁଛନ୍ତି- 'ସଂସାର କ୍ଷେତ୍ର ବଡ଼ ଜଟିଳ । ସେହି କ୍ଷେତ୍ରରେ ନିଜ କର୍ତ୍ତବ୍ୟ ପଥ ଆହୁରି ଜଟିଳ । ଏହି ଜଟିଳ ସଂସାରର ଜଟିଳ ପଥରେ ଅଗ୍ରସର ହେବା ନିମନ୍ତେ ଏହି ‘କା’ ନୀତି ଆମ୍ଭମାନଙ୍କର ପ୍ରଧାନ ଅବଲମ୍ବନ ହେବା ଉଚିତ ।

 

ମାତ୍ର ୩୯ ବର୍ଷର ଜୀବନକାଳ (ଖ୍ରୀ: ୧୮୮୭-୧୯୨୬) ମଧ୍ୟରେ ପଣ୍ଡିତ କୃପାସିନ୍ଧୁ ଜଣେ ଧୈର୍ଯ୍ୟଶୀଳ ଆଦର୍ଶ ଶିକ୍ଷକ ଭାବରେ ସତ୍ୟବାଦୀ ବନ ବିଦ୍ୟାଳୟର ବହୁଛାତ୍ରଙ୍କ ଜୀବନକୁ ଶୃଙ୍ଖଳିତ କରି ଗଢ଼ିବା ସହ ବିସ୍ମୃତି ଗର୍ଭରୁ ଓଡ଼ିଶାର ଗୌରବମୟ ଅତୀତକୁ ଦେଶବାସୀଙ୍କ ସମ୍ମୁଖରେ ଉନ୍ମୋଚିତ କରିଥିବାରୁ ତାଙ୍କ ଜୀବନ ଯଥାର୍ଥରେ ‘ଜନହିତକର’ ହୋଇପାରିଛି । ତାଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ କହିଥିଲେ- “ଉତ୍କଳର ଶିକ୍ଷକ-ସମାଜରୁ ଗୋଟିଏ ଉଜ୍ଜଳ ନକ୍ଷତ୍ର ଖସି ପଡ଼ିଲା, ଉତ୍କଳ ଇତିହାସର ପ୍ରତ୍ନତତ୍ତ୍ୱ ଅନୁସନ୍ଧାନ କ୍ଷେତ୍ରରୁ ପ୍ରଧାନ ସାଧକ ଅନ୍ତର୍ହିତ ହେଲେ । xxxଓଡ଼ିଶାର ସୁବୃହତ ଇତିହାସ ଇଂରାଜୀରେ ଲେଖିବାର ଆଶା ଆମ୍ଭମାନଙ୍କର ଅପୂର୍ଣ୍ଣ ରହିଗଲା । *('ସମାଜ' - ତା ୧୩/୦ ୨୧୯ ୨୬ ଦ୍ରଷ୍ଟବ୍ୟ ।

 

ପ୍ଲଟନମ୍ବର-୪୩୬, ଶହୀଦନଗର, ଭୁବନେଶ୍ୱର

 

***

 

Unknown

କୋଣାର୍କ ମନ୍ଦିରର ରହସ୍ୟଗୁମ୍ଫିତ ବିବରଣୀ ଓ କୃପାସିନ୍ଧୁ

ହରିହର ପଣ୍ଡା

 

||୧||

 

ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ ଶିକ୍ଷକ ରୂପେ ସୁପରିଚିତ କୃପାସିନ୍ଧୁ ମିଶ୍ର ଥିଲେ ଆଧୁନିକ ‘ପଞ୍ଚସଖା’ମାନଙ୍କ ମଧ୍ୟରୁ ଅନ୍ୟତମ ବରେଣ୍ୟ ପ୍ରତିଭା । ଇଂରେଜ ଶାସକ ତଥା ଲେଖକମାନେ ଭାରତର ଇତିହାସ ଲେଖି ଏହା ମାଧ୍ୟମରେ ସେମାନଙ୍କର ଶାସନକୁ ଭାରତରେ ସୁଦୃଢ଼ କରିବା ପାଇଁ ଶତତ ଚେଷ୍ଟିତ ଥିଲେ । ହଣ୍ଟର, ଷ୍ଟର୍ଲି, ଟୟନ୍-ବି ତଥା ଉଇଲସନ୍ ଆଦି ସାହେବମାନେ ଓଡ଼ିଶାର ଇତିହାସ ରଚନା କରି ଓଡ଼ିଶାବାସୀଙ୍କ ସମ୍ମୁଖରେ ଇଂରେଜ ଶାସନର ବଳିଷ୍ଠତାକୁ ସଫଳ ଭାବରେ ଉତ୍‌ଥାପନ କରିଥିଲେ । (୧) ଇତିହାସ ଲେଖନ ପ୍ରଣାଳୀର ଅୟମାରମ୍ଭ ଓଡ଼ିଶାରେ ଇଂରେଜମାନେ କରିଥିଲେ ମଧ୍ୟ ଓଡ଼ିଶାର ଇତିହାସକୁ ସ୍ୱକୀୟ ଶୈଳୀରେ ଉତ୍‍ଥାପନ କରିବାପାଇଁ ଯେଉଁ କେତେଜଣ ବରପୁତ୍ର ଆଦ୍ୟ ପ୍ରୟାସ କରିଥିଲେ, ସେମାନଙ୍କ ମଧ୍ୟରୁ କୃପାସିନ୍ଧୁ ମିଶ୍ର ଥିଲେ ଅଗ୍ରଗଣ୍ୟ । ତାଙ୍କର ଉତ୍କଳ ଇତିହାସ ଓଡ଼ିଆମାନଙ୍କୁ ସେମାନଙ୍କ ଇତିହାସ ଜାଣିବାପାଇଁ ପଥ ପ୍ରଦର୍ଶନ କରିଥିଲା । ଆହୁରି ପାଦେ ଆଗକୁ ଯାଇ କୃପାସିନ୍ଧୁ ରଚନା କରିଥିଲେ ତାଙ୍କର କାଳଜୟୀ କୃତୀ କୋଣାର୍କ । (୨) ଏହାର ଛତ୍ରେ ଛତ୍ରେ ସେ ପୁଣ୍ୟଭୂମି ଉତ୍କଳର ମହାନତା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ସ୍ମୃତିସୌଧ ରୂପେ ଦଣ୍ଡାୟମାନ କୋଣାର୍କ ମନ୍ଦିର ବିଷୟରେ ସୁବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

 

ଏକବିଂଶ ଶତାବ୍ଦୀର ଅୟମାରମ୍ଭରେ ଇତିହାସ ଲେଖନ ପ୍ରଣାଳୀ ଉନ୍ନତ ହେବା ସହିତ ବହୁ ପରିବର୍ତ୍ତନର ସ୍ୱାକ୍ଷର ବହନ କରିଅଛି । ଆଶ୍ଚର୍ଯ୍ୟର କଥା ଏହି ଯେ ଓଡ଼ିଶାରେ ଇତିହାସ ଲେଖନ ପ୍ରଣାଳୀର ଆଦ୍ୟକାଳରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କଦ୍ଵାରା ଏପରି ତତ୍ତ୍ଵା ଏବଂ ତଥ୍ୟ ସମ୍ବଳିତ ଅନୁଶୀଳନଧର୍ମୀ ପୁସ୍ତକ ରଚନା କରିବା ସମ୍ଭବ ହେଲା କିପରି ? ସେ ଯେ କେବଳ ସଂସ୍କୃତ ତଥା ଓଡ଼ିଆ ଗ୍ରନ୍ଥଗୁଡ଼ିକରେ ଅର୍କକ୍ଷେତ୍ର (କୋଣାର୍କ) ସମ୍ପର୍କରେ ବର୍ଣ୍ଣିତ ବିଷୟକୁ ପର୍ଯ୍ୟାଲୋଚନା କରିଛନ୍ତି ତାହା ନୁହେଁ, ବରଂ ମନମୋହନ ଗାଙ୍ଗୁଲୀ, ରାଜେନ୍ଦ୍ର ଲାଲ ମିତ୍ର, ଜି. ଟୟନ୍-ବି, କନିଂହାମ୍ ଆଦିଙ୍କ ଇଂରାଜୀ ଲେଖାକୁ ତର୍ଜମା କରି ‘କୋଣାର୍କ’ ସମ୍ପର୍କରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ଅତ୍ୟନ୍ତ ସାବଲୀଳ ଭାବରେ । ୧୯୧୯ରେ ପ୍ରକାଶିତ ହୋଇଥିବା ତାଙ୍କ ‘କୋଣାର୍କ’ ପୁସ୍ତକର ବହୁ ସଂସ୍କରଣ ହୋଇ ସାରିଲାଣି । ଓଡ଼ିଶାର ବହୁ ପ୍ରଖ୍ୟାତ ଐତିହାସିକମାନେ ‘କୋଣାର୍କ’ ଉପରେ ବହୁକାର୍ଯ୍ୟ କରି ସାରିଲେଣି । ତଥାପି ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ଲିଖିତ ‘କୋଣାର୍କ’ ଏବେ ମଧ୍ୟ ନିତ୍ୟ ନୂତନ । ପଞ୍ଚଦଶ ଅଧାୟ ବିଶିଷ୍ଟ ଏହି ଗ୍ରନ୍ଥରେ ଲିପିବଦ୍ଧ କୋଣାର୍କର ରହସ୍ୟଗୁମ୍ପିତ ବିବରଣୀ କୃପାସିନ୍ଧୁଙ୍କୁ ଚିର ଅମର କରି ରଖୁଛି ଇତିହାସ ପୃଷ୍ଠାରେ ।

 

 

||୨||

 

‘କୋଣାର୍କ’ ପୁସ୍ତକର ପ୍ରଥମ ଅଧ୍ୟାୟରେ କୃପାସିନ୍ଧୁ ‘ମୈତ୍ରେୟ ବନ’ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି (୩) । ଅର୍କକ୍ଷେତ୍ର କୋଣାର୍କର ବର୍ଣ୍ଣନା ବିଭିନ୍ନ ପୁରାଣରେ ଭିନ୍ନ । ବ୍ରହ୍ମପୁରାଣରେ ଏହା ‘କୋଣାଦିତ୍ୟ', ସ୍କନ୍ଦ ପୁରାଣରେ ‘ସୂର୍ଯ୍ୟକ୍ଷେତ୍ର’, ପ୍ରାଚୀମହାତ୍ମ୍ୟରେ ‘ଅର୍କକ୍ଷେତ୍ର’ ବା ‘ରବିକ୍ଷେତ୍ର’ ଭବିଷ୍ୟପୁରାଣରେ ‘ମିତ୍ରବନ’, ଶାମ୍ବ ପୁରାଣରେ ‘ମିତ୍ରବନ’ ଓ କପିଳ ସଂହିତାରେ ‘ରବିକ୍ଷେତ୍ର’ବା ‘ମୈତ୍ରେୟବନ’ ରୂପେ ପରିଚିତ (୪) । ଅର୍କକ୍ଷେତ୍ର କୋଣାର୍କର ଆଦ୍ୟନାମ ସମ୍ପର୍କରେ ଆଲୋଚନା କରି କୃପାସିନ୍ଧୁ ରାଜେନ୍ଦ୍ରଲାଲ ମିତ୍ରଙ୍କୁ ଉଦ୍ଧାର କରି କହିଥାନ୍ତି ଯେ ଶାମ୍ବଙ୍କର କୁଷ୍ଠରୋଗ ଆରୋଗ୍ୟରେ ଏହି ସ୍ଥାନ ସହାୟକ ହୋଇଥିବାରୁ ତାହାର ନାମ ‘ମିତ୍ର (ସୂର୍ଯ୍ୟ) ବନ’ ବା ‘ମୈତ୍ରେୟ ବନ’ ହୋଇଅଛି । ଶାମ୍ବଙ୍କର ଅର୍କକ୍ଷେତ୍ର ଗମନ, ଚନ୍ଦ୍ରଭାଗା ନଦୀରେ ସ୍ନାନ, ଜଳରେ ସୂର୍ଯ୍ୟଙ୍କର ପ୍ରସ୍ତର ମୂର୍ତ୍ତି ଦର୍ଶନ, ଶାକ ଦ୍ୱୀପରୁ ବ୍ରାହ୍ମଣମାନଙ୍କୁ ଆଣି ସେହି ମୂର୍ତ୍ତିର ପୂଜନ, କୁଷ୍ଠରୋଗରୁ ମୁକ୍ତିଲାଭ ଆଦି ପୌରାଣିକ ବିଷୟବସ୍ତୁକୁ ସେ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଅଧ୍ୟାୟରେ । ଅପର ପକ୍ଷରେ ଶାମ୍ବ ପଞ୍ଜାବର ଚେନାବ୍ (ଚନ୍ଦ୍ରଭାଗା) ନଦୀରେ ସ୍ନାନ କରିବା, ତାହା ଦ୍ଵାରକାର ନିକଟବର୍ତ୍ତୀ ଥିବା, କୋଣାର୍କର ବାଲୁକା ରାଶିରେ ବନର ସୃଷ୍ଟି ଅସମ୍ଭବ ଏବଂ : ସର୍ବୋପରି ପଞ୍ଜାବରେ ମୈତ୍ରେୟବନର ଅବସ୍ଥିତି ଆଦି ବିଷନ ସ୍ୱରୂପଙ୍କ ଯୁକ୍ତିକୁ କୃପାସିନ୍ଧୁ ଅତି ବଳିଷ୍ଠ ଭାବରେ ଖଣ୍ଡନ କରିଛନ୍ତି । ସେ ସମସ୍ତ ପୌରାଣିକ ତଥ୍ୟକୁ ତର୍ଜମା କରି ଦେଖାଇଛନ୍ତି ଯେ ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ମୈତ୍ରେୟବନ ରହିବାର ଉଲ୍ଲେଖ ଅଛି । ପଞ୍ଜାବରେ ସମୁଦ୍ରର ସ୍ଥିତି ଅବା କାହିଁ ? ଅପର ପକ୍ଷରେ ବିଭିନ୍ନ ପୁରାଣରେ ବର୍ଣ୍ଣିତ ବୃକ୍ଷମାନଙ୍କ ମଧ୍ୟରୁ ଅଧିକାଂଶ କୋଣାର୍କ ନିକଟରେ ଥିବା ଏବଂ କୋଣାର୍କଠାରୁ ଛଅ ସାତ କିଲୋମିଟର ଦୂରରେ ବୋଲରାଗଡ଼ ନାମକ ନିବିଡ଼ ଜଙ୍ଗଲର ସ୍ଥିତି ପ୍ରାଚୀନ କାଳରେ କୋଣାର୍କ ନିକଟରେ ମୈତ୍ରେୟବନ ଥିବାର ପ୍ରମାଣ କରିଥାଏ ବୋଲି କୃପାସିନ୍ଧୁ ମତପୋଷଣ କରିଛନ୍ତି ।

 

ଦ୍ଵିତୀୟ ଅଧ୍ୟାୟରେ ‘ସୂର୍ଯ୍ୟ ଉପାସନା ଓ କୋଣାର୍କ ମାହାତ୍ମ୍ୟ’ ସମ୍ପର୍କରେ ଆଲୋଚନା କରିଛନ୍ତି କୃପାସିନ୍ଧୁ (୫) । ସୌର ପୂଜା ବହୁ ପ୍ରାଚୀନ । ବୈଦିକ ଯୁଗରୁ ଆରମ୍ଭ ହୋଇଥିବା ଏହି ସୌର ଉପାସନା କେବେ ଓଡ଼ିଶାରେ ପ୍ରବେଶ କଲା ତାହା ସଠିକ୍ ଭାବରେ ଜଣାନାହିଁ । ହଣ୍ଟର ଏବଂ ଷ୍ଟର୍ଲି ଆଦି ସାହେବମାନେ ଗଙ୍ଗବଂଶ (ଏକାଦଶ ଶତାବ୍ଦୀ) ଠାରୁ ଏହି ସୂର୍ଯ୍ୟ ପୂଜା ପ୍ରଚଳିତ ହେଲା ଏବଂ ନରସିଂହଦେବ (ଲାଙ୍ଗୁଳା ନରସିଂହଦେବ)ଙ୍କ ପରବର୍ତ୍ତୀ ବେଶ୍ କିଛି ଜଣ ସମ୍ରାଟ ସୌର ଉପାସକ ଥିଲେ ବୋଲି ମତବ୍ୟକ୍ତ କରିଥାନ୍ତି । ସେମାନେ ସୂର୍ଯ୍ୟ ଉପାସନା ଓଡ଼ିଶାରେ ବୌଦ୍ଧ ଧର୍ମର ପରବର୍ତ୍ତୀ ଫଳ ବୋଲି ଧରିନେଇ ନରସିଂହ ଦେବଙ୍କୁ ଏକାନ୍ତ ଭାବରେ ସୌରଜ୍ଞାନ କରିବା ନିତାନ୍ତ ଅଯୌକ୍ତିକ ବୋଲି କୃପାସିନ୍ଧୁ ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ସୌର ଉପାସନା ବ୍ରାହ୍ମଣ ଧର୍ମର ଏକ ଅଂଶ ବିଶେଷ ଏବଂ ଶୈବ ତଥା ଶାକ୍ତ ଧର୍ମାବଲମ୍ବୀମାନେ ମଧ୍ୟ ସୂର୍ଯ୍ୟ ପୂଜା କରିଥାନ୍ତି । ତେଣୁ ନରସିଂହଦେବଙ୍କ ବହୁ ପୂର୍ବରୁ ମୈତ୍ରେୟବନ ନିକଟସ୍ଥ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ଉପାସନା ସମ୍ଭବ ବୋଲି କୃପାସିନ୍ଧୁ ଯୁକ୍ତିବାଢ଼ିଛନ୍ତି । (୬)

 

‘କପିଳ ସଂହିତା’ର ବର୍ଣ୍ଣନା ଅନୁସାରେ ମୈତ୍ରେୟ ମହର୍ଷିଙ୍କର ତପସ୍ୟା ପ୍ରଭାବରେ ଏହି ମୈତ୍ରେୟ ବନର ସୃଷ୍ଟି । ସେଠାରେ ଅବସ୍ଥାନ କରି ସ୍ନାନପୂର୍ବକ ସୂର୍ଯ୍ୟଙ୍କୁ ଅର୍ଚ୍ଚନା କଲେ ମୋକ୍ଷ ମିଳିଥାଏ । ବିଧିପୂର୍ବକ ଚନ୍ଦ୍ରଭାଗାରେ ସ୍ନାନ କଲେ ମଣିଷ ଚନ୍ଦ୍ରତୁଲ୍ୟ ବପୁ ଧାରଣ କରି ଚନ୍ଦ୍ରଲୋକକୁ ଗମନ କରିବା କଥା ମଧ୍ୟ ଏହି ସଂହିତାରେ ବର୍ଣ୍ଣିତ । କୋଣାର୍କର ରକ୍ଷାକର୍ତ୍ତା ରୂପେ ସ୍ଥାପିତ ହୋଇଥିଲେ ଅଷ୍ଟଶମ୍ଭୁ’; ଯଥା- ରାମେଶ୍ଵର, ଚିତ୍ରେଶ୍ଵର, ମଙ୍ଗଳେଶ୍ଵର, ଈଶାନେଶ୍ୱର, ମୁକ୍ତେଶ୍ୱର, ତ୍ରିବେଣୀଶ୍ଵର, ଉତ୍ପଳେଶ୍ୱର ଏବଂ ଶୋଭନେଶ୍ଵର (୭) ସେହି କ୍ଷେତ୍ରର ରକ୍ଷୟତ୍ରୀ ଭାବେ ‘ଅଷ୍ଟଚଣ୍ଡୀ’ ସୃଷ୍ଟି ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ସାତଗୋଟି ନାମ ଉଲ୍ଲେଖ ରହିଅଛି; ଯଥା- ଖାଲକୋଠୀ, ରାମଚଣ୍ଡୀ, ଭଗବତୀ, ରୁଦ୍ରାଣୀ, ଖେଳେଶ୍ଵରୀ, ଚର୍ଚ୍ଚିକା ଏବଂ ଚିତ୍ରେଶ୍ଵରୀ । ସେମାନଙ୍କ ମଧ୍ୟରୁ ରାମଚଣ୍ଡୀ, ଭଗବତୀ ଏବଂ ଚଚ୍ଚିକା ସମଗ୍ର ଓଡ଼ିଶାରେ ସୁପରିଚିତା । ଏହିପରି ଭାବରେ କୋଣାର୍କ କ୍ଷେତ୍ରକୁ ରକ୍ଷା କରାଯାଇଥିଲା ଦେବଦେବୀମାନଙ୍କୁ ଅବସ୍ଥାପିତ କରି ।

 

ତୃତୀୟ ଅଧ୍ୟାୟରେ ପୁରାଣରୁ ଇତିହାସକୁ ଗତି କରିଛନ୍ତି କୃପାସିନ୍ଧୁ, ହୁଏନ୍‍ସାଂଙ୍କ ‘ଚେଳିତାଳୋ’ ବନ୍ଦର ସମ୍ପର୍କିତ ବର୍ଣ୍ଣନାକୁ ଉତଥାପନ କରି । ଏହି ବନ୍ଦରର ବର୍ଣ୍ଣନା, ବିଦେଶୀ ବଣିକମାନଙ୍କ ଆଗମନ, ଏଠାରୁ ଓଡ଼ିଶାର ବଣିକ ବାହାରକୁ ଯିବାକଥା, ପାଞ୍ଚଗୋଟି ବୈଦ୍ଧପୀଠର ଅବସ୍ଥିତି, ବହୁ ଦୁଷ୍କାମ୍ୟ ଏବଂ ଦୁର୍ଲଭ ପଦାର୍ଥ ମିଳିବା ଆଦି କଥାର ଅବତାରଣା କରିଛନ୍ତି କୃପାସିନ୍ଧୁ-। ‘ଚେଳିତାଳୋ’କୁ କନିଂହାମ ଭୁବନେଶ୍ୱର ଏବଂ ରାଜେନ୍ଦ୍ର ଲାଲ ମିତ୍ର ଯାଜପୁର ରୂପେ ବଣ୍ଟିନା କଲାବେଳେ, କୃପାସିନ୍ଧୁ ଏହାକୁ ପ୍ରାଚୀ ଉପତ୍ୟକାର ଚିତ୍ରୋତ୍ପଳା ନଦୀ ନିକଟସ୍ଥ ଏକ ବନ୍ଦର ବୋଲି ମତ ଦେଇଛନ୍ତି, ଯାହା ଆଜି ଏତେଦିନ ପରେ ମଧ୍ୟ ବହୁ ପରିମାଣରେ ଅକାଟ୍ୟ । ଚିତ୍ରୋତ୍ପଳା ଯେ କାଦୁଅ ନଦୀର ଲୁପ୍ତ ଶାଖା ଚନ୍ଦ୍ରଭାଗା ତାହା ଚନ୍ଦ୍ରଭାଗାର ଉତ୍ପତ୍ତି ସ୍ଥଳରେ ଥିବା ଚିତ୍ର ଏବଂ ଉତ୍ପଳ ଗ୍ରାମଦ୍ୱୟର ଅବସ୍ଥିତିରୁ ସ୍ପଷ୍ଟ ପ୍ରମାଣିତ ବୋଲି କୃପାସିନ୍ଧୁ ମତବ୍ୟକ୍ତ କରିଛନ୍ତି ଯାହା ଏବେ ଗବେଷଣାଦ୍ୱାରା ଐତିହାସିକମାନେ ପ୍ରମାଣ କରିବାକୁ ଯାଉଛନ୍ତି । (୮) ପୁନଶ୍ଚ, ବିଷନ୍ ସ୍ୱରୂପଙ୍କ ‘ଦନ୍ତପୁର’ ସମ୍ପକିତ ଯୁକ୍ତିକୁ ଗ୍ରହଣ କରି କୃପାସିନ୍ଧୁ ଏହାର ଅବସ୍ଥିତି ଚିତ୍ରୋତ୍ପଳା ନିକଟରେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଯାହା ଅଦ୍ୟାବଧି ସ୍ଥିରୀକୃତ ହୋଇନାହିଁ ।

 

ଚତୁର୍ଥରୁ ଅଷ୍ଟମ ଅଧ୍ୟାୟ ମଧ୍ୟରେ କୋଣାର୍କ ଦେଉଳ ସମ୍ପର୍କରେ ସୁବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି କୃପାସିନ୍ଧୁ । ସେ ଲେଖିଛନ୍ତି ଯେ କୋଣାର୍କ ଦେଉଳ ଓ ମୁଖଶାଳା ଉଭୟ ଗୋଟିଏ ରଥ ଆକାରରେ ଗଢ଼ାହୋଇଅଛି । ପୀଠ ଦେହରେ ୨୪ଟି ଚକ ଏବଂ ମୁଖଶାଳାର ସମ୍ମୁଖରେ ୭ଗୋଟି ଅଶ୍ୱ ରହିଅଛନ୍ତି । ସେ ସପ୍ତଅଶ୍ୱକୁ ଶୁକ୍ଲ, ରକ୍ତ, ପୀତ, ନୀଳ, ଆଦି ସପ୍ତ ମୌଳିକ ବର୍ଣ୍ଣ ବୋଲି ଉତ୍‍ଥାପନ କରିଛନ୍ତି । ମନୁଷ୍ୟ ଏକ ଚକ ଉପରେ ରଥ, କଳ୍ପନା କରିପାରେ-। କୋଣାର୍କ ମନ୍ଦିରର ଶିଳ୍ପୀମାନେ କିନ୍ତୁ ଶାସ୍ତ୍ରୋକ୍ତ ନିୟମ ଭଙ୍ଗ କରି ୨୪ଟି ଚକ ତିଆରି କରିଛନ୍ତି । ଏହାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କୃପାସିନ୍ଧୁ କହିଛନ୍ତି ଯେ ବାରଗୋଟି ରାଶିଦ୍ୱାରା ଆକାଶ-ପଥ ବିଭକ୍ତ । ବିଶ୍ୱଭ୍ରମଣ ନିମିତ୍ତ ସୂର୍ଯ୍ୟଙ୍କୁ ଏହି ବାର ବିଭାଗ ପାର ହେବାକୁ ହୁଏ । କୋଣାର୍କ ମନ୍ଦିରର ୨୪ ଗୋଟା ଅର୍ଥାତ ୧୨ ଯୋଡ଼ା ଚକ ସୂର୍ଯ୍ୟଙ୍କ ପଥର ଏହି ବାର ବିଭାଗକୁ ବ୍ୟକ୍ତ କରୁଅଛି । (୯) ଆବୁଲ ଫାଜିଲ ଏହି ମନ୍ଦିର ଦେଖି ନଥିଲେ ମଧ୍ୟ ନିଜର ‘ଆଇନ-ଇ-ଆକବରୀ’ ପୁସ୍ତକରେ ଶୁଣାକଥାକୁ ଆଧାର କରି ଏ ସମ୍ପର୍କରେ ଲେଖିଥିବା ବିବରଣୀକୁ ମଧ୍ୟ କୃପାସିନ୍ଧୁ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି ।

 

ପୀଠ, ପୃଷ୍ଠ ବା ଉପାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି କୃପାସିନ୍ଧୁ । ଏପରି ସୁନ୍ଦର ଓ ଉଚ୍ଚପୀଠ ଜଗନ୍ନାଥ ମନ୍ଦିର ବା ଲିଙ୍ଗରାଜ ମନ୍ଦିରରେ ନାହିଁ ବୋଲି ସେ ଦର୍ଶାଇ ଦେଇଛନ୍ତି । ଏହା ହିଁ କୋଣାର୍କ ମନ୍ଦିରର ଅନ୍ୟ ଏକ ବିଶେଷତ୍ଵ । ଏହା ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ମନ୍ଦିରକୁ ଦୃଢ଼ ଓ ଶକ୍ତ କରିଅଛି । ୧ ଫୁଟ ଉଚ୍ଚ ଗୋଟିଏ ତଳ ପତ୍ତନ ଉପରେ ପୀଠ ନିର୍ମିତ । ତଳ ପତ୍ତନ ମୁଖରେ ଅତି ସୁନ୍ଦର ହାତୀ ମୂର୍ତ୍ତି ଖୋଳା ଯାଇଅଛି । ସ୍ଥାନେ ସ୍ଥାନେ ଦୁଇ ହାତୀ ମଧ୍ୟରେ ଶିକାର ଓ ମନୁଷ୍ୟର ପାରିବାରିକ ଜୀବନର ଦୃଶ୍ୟ ମଧ୍ୟ ପ୍ରସ୍ତର ଦେହରେ ଖୋଦିତ ହୋଇଅଛି । ଏହି ତଳ ପତ୍ତନ ଉପରେ ପୀଠଳ ଚକ ଓ ଘୋଡ଼ାମାନ ସ୍ଥାପିତ । ଏହି ପୀଠ ସମୁଦାୟ ୧୫ ଫୁଟ ୬ଇଞ୍ଚ ଉଚ୍ଚ ଏବଂ ତଳପୀଠ ଓ ଉପର ପୀଠ ବା ଖୁରାପୃଷ୍ଟ ରୂପେ ଏହି ଦୁଇ ଭାଗରେ ବିଭକ୍ତ । ଅତଏବ ତଳ ପତ୍ତନ ସହିତ ସମୁଦାୟ ପୀଠର ଉଚ୍ଚତା ୧୬ ଫୁଟ ୬ ଇଞ୍ଚ ଯାହା ଦେଉଳ ଓ ମୁଖଶାଳାର ଉଚ୍ଚତା ।

 

ତଳ ପୀଠ ପାଞ୍ଚ ଭାଗରେ ବିଭକ୍ତ, ଯଥା- ତଳ ଜଙ୍ଘା, ତଳ ବରାଣ୍ଡି, ବନ୍ଧନା, ଉପର ବରାଣ୍ଡି ଏବଂ ଉପର ଜଙ୍ଗା (୧୦) ତଳ ଜଙ୍ଘ ତଳୁ ଉପରକୁ ପାଦ, କୁମ୍ଭ, ପଟା, କଣି ଓ ବସନ୍ତ ଆଦି ‘ପଞ୍ଚକର୍ମ’କୁ ନେଇ ଗଠିତ । ପାଦରେ ସୁନ୍ଦର ଲତାକାମ, ଉପରେ ମାରଣୀ ଓ ତହିଁରେ ଓଲଟା ପଦ୍ମ ପାଖୁଡ଼ାର କାମ ହୋଇଅଛି । କୁମ୍ଭ ଏକ ସୁନ୍ଦର ବ୍ୟବଧାନ ରୂପେ ପାଦ ଓ ପଟା ମଧ୍ୟରେ ରହିଅଛି । ପଟାରେ ପତ୍ରଲତାର କାମ ଏବଂ ଏହି ଲତା ମଧ୍ୟରେ ସ୍ଥାନେ ସ୍ଥାନେ ନାନା ଜୀବଜନ୍ତୁଙ୍କର ଦୃଶ୍ୟ ମଧ୍ୟ ଅଛି । କଣିରେ କୌଣସି କାମ ନାହିଁ ଏବଂ ବସନ୍ତରେ ପାଦ ପରି ଫୁଲଲତାର କାମ ରହିଅଛି । ଜଙ୍ଘରେ ସମାନ ବ୍ୟବଧାନରେ ଲତାବିମଣ୍ଡିତ ସୁନ୍ଦର ଖମ୍ବମାନ ରହିଅଛି ।

 

ତଳଜଙ୍ଘ ଉପରକୁ ରହିଅଛି ତଳ ବରାଣ୍ଡି । ଏହା ଖମ୍ବ ବା ପାଗଦ୍ଵାରା କେତେଗୁଡ଼ିଏ ପୀଢ଼ ଦେଉଳ ଆକୃତିର କ୍ଷୁଦ୍ର କୋଠରୀରେ ବିଭକ୍ତ । ସେଗୁଡ଼ିକ ମଧ୍ୟରୁ କେତେକ ବ୍ୟାଘ୍ରସ୍ତମ୍ଭ । ପ୍ରତ୍ୟେକ ବ୍ୟାଘ୍ରସ୍ତମ୍ଭ ପାଖରେ ନାଗସ୍ତମ୍ଭ ରହିଅଛି । ଏହି ସ୍ତମ୍ଭରେ ନାଗକନ୍ୟାମାନଙ୍କର ଅଣ୍ଟାଠାରୁ ସର୍ପାକାର ହୋଇଅଛି । କେତେକ ପାଗରେ କେବଳ ସ୍ତ୍ରୀ ମୂର୍ତ୍ତି ମଧ୍ୟ ରହିଅଛି । ଦୁଇ ପାଗର ମଧ୍ୟବର୍ତ୍ତୀ ସ୍ଥାନରେ ଜାଲିକାମ କରାଯାଇଅଛି ।

 

ବରାଣ୍ଡି ଉପରେ ରହିଅଛି । ବନ୍ଧନା । ଏହାକୁ ‘ତ୍ରିକର୍ମ’ କହିଥାନ୍ତି; କାରଣ ଏଥିରେ ପାଦ, ଡୋରି ଓ ପଟା- ଏହି ତିନିକାମ ଥାଏ । ପାଦରେ ଦେଖବାକୁ ମିଳିଥାଏ ଲତାକାମ ଓ ମଧେ ମଧେ ଜୀବଜନ୍ତୁଙ୍କର ଦୃଶ୍ୟ । ଡୋରିରେ ମାଳାକାମ ଓ ତଳ ଉପର ପାଖରେ ପଦ୍ମ ପାଖୁଡ଼ାର କାମ ରହିଥିବାବେଳେ ପଟାରେ ପାଦପରି ଲତା ଓ ଜୀବଜନ୍ତୁଙ୍କର କାମ ଦେଖିବାକୁ ମିଳିଥାଏ ।

 

ବନ୍ଧନା ଉପରକୁ ରହିଥାଏ ଉପର ବରାଣ୍ଡି । ଏହା ପାଗଦ୍ଵାରା ପ୍ରଶସ୍ତ କୋଠରୀରେ ବିଭକ୍ତ । ଦୁଇପାଗ ମଧ୍ୟବର୍ତ୍ତୀ କୋଠରୀରେ ତିନି ଚାରିଗୋଟି ମୂର୍ତ୍ତି ରହିଅଛି । ସେଗୁଡ଼ିକ ମଧ୍ୟରୁ ଅଧକାଂଶ ଅଶ୍ଲୀଳ । ଅନ୍ୟ ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଶିକାରର ଦୃଶ୍ୟ ଅତ୍ୟନ୍ତ ମନୋହର ଯେଉଁଥିରେ ଜଣେ ଅଶ୍ଵାରୋହୀ ଗୋଟିଏ ବାଘ ଓ ଗୋଟିଏ ହରିଣ ମାରି ତଳେ ପକାଇଥିବାର ଦେଖାଯାଇଥାଏ । ଏହି ଦୃଶ୍ୟ ଓଡ଼ିଶାର ଅନ୍ୟ ମନ୍ଦିରରେ ଦେବାକୁ ମିଳି ନଥାଏ । ରାଜ ଦରବାରର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଯେଉଁଥିରେ ରାଜା ଗୋଟିଏ ହାତୀ ଉପରେ ବସି ଅଛନ୍ତି ଓ କେତେଜଣ ବ୍ୟକ୍ତି ରାଜାଙ୍କୁ ଶିଙ୍ଗ ଥିବା ଓଟ ସଦୃଶ ଜନ୍ତୁଟିଏ ଉପହାର ଦେଉଛନ୍ତି । ଅନ୍ୟ ଏକ ଚିତ୍ରରେ ଦୁଇଟି କାରୁଖଚିତ ପୀଠ ଉପରେ ଶିବଲିଙ୍ଗ, ଜଗନ୍ନାଥ ଏବଂ ମହିଷାସୁରମର୍ଦ୍ଦିନୀ ଦୁର୍ଗା ସ୍ଥାପିତ ହୋଇଥିବାର ଦେଖାଯାଇଥାଏ । ରାଜା ତାଙ୍କର ହସ୍ତୀ ଓ ଅନୁଚରମାନଙ୍କ ସହିତ ଉପାସନା ନିମନ୍ତେ ଦଣ୍ଡାୟମାନ ହୋଇଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଥାଏ ।

 

ଉପର ବରାଣ୍ଡି ଉପରକୁ ରହିଅଛି ଉପର ଜଙ୍ଗା । ଏଥିରେ ଥିବା ମଧୁଚକ୍ର ସଦୃଶ ଜାଲିକାମ ବାସ୍ତବିକ ମନୋମୁଗ୍ଧକର । ଏହା ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଅଛି । କେବଳ ମୁଖଶାଳା ତଳେ ଏହା ସାମାନ୍ୟ ଅକ୍ଷୁର୍ଣ୍ଣ ରହିଅଛି । ତେଣୁ ଏହାର ବର୍ଣ୍ଣନା କୃପାସିନ୍ଧୁ ବିଶେଷ ଭାବରେ କରିବାକୁ ସକ୍ଷମ ହୋଇ ନାହାନ୍ତି ।

 

କୋଣାର୍କ ମନ୍ଦିରର ଚକ ଅନନ୍ୟ । (୧୧) ବଡ଼ଦେଉଳର ଦକ୍ଷିଣ ପାଖରେ ୬ଟି ଓ ଉତ୍ତର ପାଖରେ ୬ଟି, ମୁଖଶାଳାର ଦକ୍ଷିଣ ପାଖରେ ୪ଟି ଓ ଉତ୍ତର ପାଖରେ ୪ଟି, ମୁଖଶାଳାର ପୂର୍ବ ପାହାଚର ଦକ୍ଷିଣ ପାଖରେ ୨ଟି ଓ ଉତ୍ତର ପାଖରେ ୨ଟି କରି ସର୍ବମୋଟ ୨୪ଟି ଚକ ଅଛି-। ଚକର ତୁମ୍ୱ ଦେହରେ ଆଠଟା ମୋଟା ଓ ଆଠଟା ସରୁ ଆର ଖଞ୍ଜା ହୋଇଅଛି । ଚକର ଅନିକିଳୀଠାରୁ ଆରମ୍ଭ କରି ପଲର ଶେଷ ଭାଗ ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶ ନାନା ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ଅରରେ କେତେକ ଅଶ୍ଳୀଳ ମୂର୍ତ୍ତି, ପଦ୍ମାସନରେ ବସିଥିବା ଗଜଲକ୍ଷ୍ମୀ ମୂର୍ତ୍ତି, ନୃସିଂହଙ୍କଦ୍ଵାରା ବିଦାରିତ ହେଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି, ବିଭିନ୍ନ ଜୀବଜନ୍ତୁଙ୍କର ମୂର୍ତ୍ତି ଆଦି ଦେଖିବାକୁ ମିଳିଥାଏ ।

 

କୋଣାର୍କର ବଡ଼ଦେଉଳ ବା ‘ବିମାନ’ ସମ୍ପର୍କରେ ଆଲୋଚନା କରିଛନ୍ତି କୃପାସିନ୍ଧୁ । (୧୨) ଏହା ମୁଖଶାଳାର ପଶ୍ଚିମରେ ଅବସ୍ଥିତ । ଏହାର ସ୍ୱତନ୍ତ୍ର ରାସ୍ତା ନାହିଁ ଏବଂ ମୁଖଶାଳା ଦେଇ ଏହା ମଧ୍ୟକୁ ଯିବାକୁ ହୋଇଥାଏ । ଏହା ଏକ ପଞ୍ଚରଥ ଦେଉଳ । ବିମାନଟି ରେଖା ଦେଉଳ ହୋଇଥିବା ସ୍ଥଳେ ମୁଖଶାଳା ପୀଠ ଦେଉଳ ରୂପେ ଦେଖାଯାଇଅଛି । ଏହି ଦେଉଳର ବାଡ଼ ପଦ୍ମପୃଷ୍ଠ ଉପରୁ ଆରମ୍ଭ ହୋଇଅଛି । ତଳଜଙ୍ଘ ଉପରେ ଶାକର ବା ତଳବରାଣ୍ଡି ଅବସ୍ଥିତ । ଏହାର ପୀଠରେ ମାଳାକାମ ହୋଇଅଛି । ଏଥିରେ ଓଲଟା ଗଜ-ସିଂହ ଓ ଶାର୍ଦ୍ଦୁଳ ମୂର୍ତ୍ତି ବିଦ୍ୟମାନ-। ବନ୍ଧନାରେ ଲତା ଓ ପଦ୍ମପାଖୁଡ଼ାର କାମ ଦୃଷ୍ଟିଗୋଚର ହୁଏ । ଉପର ବରାଣ୍ଡିରେ ଆପଦ-ମସ୍ତକ ସଖୀ ମୂର୍ତ୍ତିଟିଏ ଥିବାରୁ ବିମାନରେ ଅଷ୍ଟସଖୀଙ୍କର ମୂର୍ତ୍ତି ଥିବାର ଅନୁମାନ କରିଥାନ୍ତି କୃପାସିନ୍ଧୁ ।

 

ବିମାନର ପାର୍ଶ୍ଵଦେବତା ସମ୍ପର୍କରେ ଆଲୋଚନା କରିଛନ୍ତି କୃପାସିନ୍ଧୁ । ଏହି ଦେଉଳର ରାହାପାଗର ତଳବରାଣ୍ଡି ବା ଶାକର ଦେହରେ ପାର୍ଶ୍ୱଦେବତା ସ୍ୱରୂପ ତିନୋଟି ଅତି ମନୋହର ସୂର୍ଯ୍ୟନାରାୟଣ ମୂର୍ତ୍ତି ବିଦ୍ୟମାନ । ଦକ୍ଷିଣ ପାର୍ଶ୍ଵରେ ସୂର୍ଯ୍ୟ ନାରାୟଣଙ୍କର ମୂର୍ତ୍ତି କଳା ମୁଗୁନି ପଥରରେ ଗଢ଼ା । ଏହି ଦଣ୍ଡାୟମାନ ମୂର୍ତ୍ତିର ମସ୍ତକରେ ମୁକୁଟ ନାହିଁ । ଏହା ଜଟା ବିମଣ୍ଡିତ । କାନ୍ଧରେ ପଇତାର ଅତି ସୁକ୍ଷ୍ମକାମ ଦୃଷ୍ଟି ପଥାରୁଢ଼ ହୋଇଥାଏ । ନାକ ତଥା ବେକରେ ଅଳଙ୍କାରର ସାଜସଜା ବେଶ୍ ଆକର୍ଷଣୀୟ । ପିନ୍ଧିଥିବା ଲୁଗା ଉପରେ ଗୋଟିଏ କଟିବନ୍ଧ ଅଛି ଏବଂ ତହିଁରୁ ଶିକୁଳିମାନ ଆଣ୍ଠୁ ପର୍ଯ୍ୟନ୍ତ ଝୁଲି ପଡ଼ିଛି । ଦୁଇ ଆଣ୍ଠୁ, ନାଭିମଣ୍ଡଳ, ସ୍ତନ ଏବଂ ପାଦରେ ଆଣ୍ଠୁ ପର୍ଯ୍ୟନ୍ତ ଥିବା ବୁଟ୍ ଯୋତା ବାସ୍ତବିକ ମୂର୍ତ୍ତିଟିକୁ ଅତି ସୁନ୍ଦର ଏବଂ ଆକର୍ଷଣୀୟ କରିପାରିଛି । ଯେଉଁ ବେଦୀ ବା ସିଂହାସନ ଉପରେ ସୂର୍ଯ୍ୟମୂର୍ତ୍ତି ଠିଆ ହୋଇ ରହିଛନ୍ତି ତାହାର ବାମ ପାଖକୁ ଖୋଳ ମଧ୍ୟରେ ଏକ ତରବାରୀ ରହିଅଛି । ବାମ ପାଖରେ ଗୋଟିଏ ଫୁଟିଲା ପଦ୍ମ ଅଛି । ଦକ୍ଷିଣ ହସ୍ତ ଏବଂ ବାମ ହସ୍ତରେ ଗୋଟିଏ ଗୋଟିଏ ପଦ୍ମ ଏହି ମୂର୍ତ୍ତି ଧାରଣ କରିଥିବା କଥା କୃପାସିନ୍ଧୁ ଅନୁମାନ କରିଛନ୍ତି । ସାରଥିରୂପେ ଅରୁଣ ଘୋଡ଼ାର ଲଗାମ ଧରି ବସିଛନ୍ତି । ୩ଫୁଟ ଉଚ୍ଚର ଦୁଇଟି ସୈନିକ ପୁରୁଷ ଏହି ସୂର୍ଯ୍ୟ ମୂର୍ତ୍ତିର ଉଭୟ ପାର୍ଶ୍ଵରେ ଦଣ୍ଡାୟମାନ । ଏହି ଦୁଇ ମୂର୍ତ୍ତି ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୁଇଟି ଦାଢ଼ିଆ ଭକ୍ତ ଏବଂ ସେମାନଙ୍କ ପାଖରେ ଦୁଇଜଣ ଋଷି ଅଛନ୍ତି । ସୂର୍ଯ୍ୟଙ୍କ ଉପରେ ଏକ ମେହେରାବି ରହିଅଛି । ସୂର୍ଯ୍ୟ ମୂର୍ତ୍ତିର ବାମ କାନ୍ଧ ପାଖରେ ବ୍ରହ୍ମା ଓ ଦକ୍ଷିଣ କାନ୍ଧ ପାଖରେ ବିଷ୍ଣୁମୂର୍ତ୍ତି ଅଛନ୍ତି । ସୂର୍ଯ୍ୟଙ୍କର ମସ୍ତକ ଉପରେ ଗୋଟିଏ ଜୀଉଁମୁଖ ଏବଂ ତା’ର ଦୁଇ ପାଖରେ ଦୁଇଜଣ ଉଡ଼ନ୍ତା ଗନ୍ଧର୍ବ ଶଙ୍ଖ ଫୁଙ୍କୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ।

 

ବିମାନର ପଶ୍ଚିମ ଦିଗରେ ରାହାପାଗ ବରାଣ୍ଡି ବା ଶାକରରେ ଏକ ବୃହତ୍ ସୂର୍ଯ୍ୟନାରାୟଣ ମୂର୍ତ୍ତି ବିଦ୍ୟମାନ । ସେ ମଧ୍ୟ ସୁନ୍ଦର ଲୁଗା ଓ ବୁଟ୍‌ ଯୋତା ପିନ୍ଧିଛନ୍ତି । ସିଂହାସନର ବରାଣ୍ଡିରେ ସାତଗୋଟି ଘୋଡ଼ା ରହିଥିବାସ୍ଥଳେ ଅରୁଣ ମୂର୍ତ୍ତିଟି ଭାଙ୍ଗିଯାଇଅଛି । ଏହି ମୂର୍ତ୍ତିର ମସ୍ତକରେ ଜଟାଭାର ନଥାଇ ସୁନ୍ଦର କାରୁକାର୍ଯ୍ୟ ଖଚିତ ସୁନ୍ଦର ମୁକୁଟଟିଏ ଅଛି । ଏଠାରେ ବିଷ୍ଣୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥିବାର ଦେଖାଯାନ୍ତି ନାହିଁ । ଅନ୍ୟାନ୍ୟ ସମସ୍ତ ବିଷୟରେ ଏହା ଦକ୍ଷିଣ ପାର୍ଶ୍ଵର ମୂର୍ତ୍ତି ସହିତ ସମାନ ।

 

ଉତ୍ତରପାର୍ଶ୍ୱରେ ଥିବା ସୂର୍ଯ୍ୟବିଗ୍ରହ ଅନ୍ୟ ଦୁଇପାର୍ଶ୍ୱ ମୂର୍ତ୍ତିଠାରୁ ଭିନ୍ନ । ସେମାନଙ୍କ ପରି ଏହି ସୂର୍ଯ୍ୟମୂର୍ତ୍ତି ଛିଡ଼ା ନ ହୋଇ ସିଂହାସନ ଉପରେ ବୀର ବେଶରେ ଗୋଟିଏ ଉନ୍ମର ଘୋଡ଼ା ଉପରେ ବସିଅଛି । ଏହି ପାର୍ଶ୍ଵମୂର୍ତ୍ତିରେ ସପ୍ତାଶ୍ୱ ଓ ଅରୁଣମୂର୍ତ୍ତି ନାହିଁ । ସୂର୍ଯ୍ୟମୂର୍ତ୍ତିର ଦକ୍ଷିଣ ବାମପାର୍ଶ୍ଵର ମୂର୍ତ୍ତି ଦୁଇଟିର ହାତ ଭାଙ୍ଗି ଯାଇଅଛି । ଅନ୍ୟ ସମସ୍ତ ବିଷୟରେ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ଵ ମୂର୍ତ୍ତି ପରି ମୂର୍ତ୍ତିର ସାଜସଜ୍ଜା ଓ ଉଭୟ ପାର୍ଶ୍ଵ ମୂର୍ତ୍ତିଗୁଡ଼ିକ ସମାନ ।

 

ଏହି ପାର୍ଶ୍ଵ ମୂର୍ତ୍ତିତ୍ରୟ ସମ୍ପର୍କରେ ଐତିହାସିକ ବାଦାନୁବାଦକୁ ପର୍ଯ୍ୟାଲୋଚନା କରିଛନ୍ତି କୃପାସିନ୍ଧୁ । ବ୍ଲକ୍ ଉତ୍ତର ମୂର୍ତ୍ତିକୁ ପ୍ରାତଃସୂର୍ଯ୍ୟ, ଦକ୍ଷିଣ ମୂର୍ତ୍ତିକୁ ମାଧ୍ୟାହ୍ମସୂର୍ଯ୍ୟ ଏବଂ ପଶ୍ଚିମ ମୂର୍ତ୍ତିକୁ ସାୟାହ୍ନସୂର୍ଯ୍ୟ ରୂପେ ଚିତ୍ରଣ କରିଥିବାବେଳେ ବିଷନ ସ୍ୱରୂପ ଉତ୍ତର ମୂର୍ତ୍ତିକୁ ପୁଷନ୍ ମୂର୍ତ୍ତି, ଉତ୍ତରର ମୂର୍ତ୍ତିକୁ ହରିତାଶ୍ୱ ମୂର୍ତ୍ତି ଏବଂ ପଶ୍ଚିମ ଦିଗର ମୂର୍ତ୍ତିକୁ ସୂର୍ଯ୍ୟ ସ୍ୱରୂପ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହି ମତକୁ ସ୍ୱୀକାର କରିଛନ୍ତି କୃପାସିନ୍ଧୁ ।

 

ଏହାପରେ ସେ ବିମାନ ମଧ୍ୟରେ ଥିବା କାରୁକାର୍ଯ୍ୟ ବିମଣ୍ଡିତ ସିଂହାସନ ବା ବେଦୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହା ୧ ଫୁଟ ମୋଟା ଏବଂ ୫ ପ୍ରସ୍ତ କଳା ମୁଗୁନି ପଥରରେ ତିଆରି ହୋଇଅଛି । ବରାଣ୍ଡି ଏବଂ ପାଗର ହାତୀକାମ ବେଶ୍ ଚିତ୍ତାକର୍ଷକ । ମଧ୍ୟପାଗଠାରୁ ଆରମ୍ଭ କରି ବାମଦିଗକୁ ସମସ୍ତ ବରାଣ୍ଡିରେ ସ୍ତ୍ରୀ ମୂର୍ତ୍ତି ଏବଂ ଦକ୍ଷିଣ ଦିଗକୁ ପୁରୁଷ ମୂର୍ତ୍ତି ଧୂପ, ଦୀପ, ଅର୍ଘ୍ୟ, ଚାମର ଏବଂ ଝାଞ୍ଜମୃଦଙ୍ଗ ପ୍ରଭୃତି ନାନା ବାଦ୍ୟ ଧରି ଦେବାର୍ଚ୍ଚନା ଉଦ୍ଦେଶ୍ୟରେ ନାନା ନୃତ୍ୟ ଗୀତ କରୁଥିବାର ଦେଖାଯାଇଥାଏ । ସିଂହାସନର ପଛରେ ସୂର୍ଯ୍ୟନାରାୟଣ ଆଉଜି ବସିବା ନିମନ୍ତେ ୧ ଫୁଟ ମୋଟାରେ କଳା ପଥରରେ ଗୋଟିଏ ମଣ୍ଡଳୀ ଥିଲା । ଉପରକୁ ଯିବା ପାଇଁ କଳା ମୁଗୁନି ପଥରର ଥିବା ପାହାଚ ମଧ୍ୟ ଏବେ ଆଉ ନାହିଁ । ବିମାନକୁ ଗଭୀର ଭାବେ ଅଧ୍ୟୟନ କରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଠାରୁ ଉଚ୍ଚ ଥିଲା ବୋଲି କୃପାସିନ୍ଧୁ ମତବ୍ୟକ୍ତ କରିଛନ୍ତି ।

 

କୋଣାର୍କର ଯେଉଁ ଅଂଶକୁ ନେଇ ଆଜି ଓଡ଼ିଆ ଜାତି ଗର୍ବିତ, ତାହା ହେଉଛି ମୁଖଶାଳା । ଏହା ଓଡ଼ିଆ ଜାତିର କଳା ଓ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ । ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ମୁଖଶାଳା ବା ‘ଜଗମୋହନ’ ସମ୍ପର୍କରେ ବିଷଦ ରୂପେ ବର୍ଣ୍ଣନା କରିଛନ୍ତି । (୧୩) ଏହା ମଧ୍ୟ ପଞ୍ଚରଥ ଶୈଳୀରେ ନିର୍ମିତ । ତଳଜଙ୍ଘାର ବହୁଭୁଜ ଖମ୍ବ ଦୁଇଟିରେ ନାଗକନ୍ୟାଙ୍କର ମୂର୍ତ୍ତି ଏବଂ ଗୁଡ଼ାଇ ହୋଇ ରହିଥିବା ସାପର ଚିତ୍ରିତ ମୂର୍ତ୍ତି ଅତ୍ୟନ୍ତ ରମଣୀୟ ।

 

ଶାକର ବା ତଳବରାଣ୍ଡିରେ ଓଲଟ ସିଂହ, ହାତୀପରି ଗୋଡ଼ ଏବଂ ବାଘପରି ପଞ୍ଝା ଥିବା ଜନ୍ତୁ ରାକ୍ଷସ ବଧ କରୁଥିବାର ଦୃଶ୍ୟ ଆଦି କୌତୁହଳ ପ୍ରଦାନ କରିଥାଏ । ବନ୍ଧନାରେ ପୂର୍ବପରି କାର୍ଯ୍ୟମାନ ଶୋଭିତ । ଏହା ଉପରେ ଥିବା ଉପର ବରାଣ୍ଡି ନାନା କାରୁକାର୍ଯ୍ୟ ଖଚିତ ଖମ୍ବଦ୍ୱାରା ବିମଣ୍ଡିତ । ବହୁ ଅଶ୍ଳୀଳ ମୂର୍ତ୍ତି ଏଠାରେ ଦେଖିବାକୁ ମିଳୁଥିଲେ ମଧ୍ୟ ସେଗୁଡ଼ିକର ଅଶ୍ଳୀଳତା ଅପେକ୍ଷା ଲାବଣ୍ୟ ଏବଂ ଗଠନ ପରିପାଟୀ ଦର୍ଶକକୁ ବିଶେଷ ରୂପେ ଆକୃଷ୍ଟ କରିଥାଏ । ଉପର ଜଙ୍ଘର କର୍ମ ମଧ୍ୟ ବେଶ ଆକର୍ଷଣୀୟ । ମୁଖଶାଳାର ଚାଳ ପୀଢ଼ ଆକାରର ହୋଇଥିବାରୁ ଏହାକୁ ପୀଢ଼ ଦେଉଳ କୁହାଯାଏ । ଏହି ପୀଢ଼ ତିନିସ୍ତରରେ ବିଭକ୍ତ । ପ୍ରତ୍ୟେକ ସ୍ତର ମଧ୍ୟରେ ଥିବା ବ୍ୟବଧାନରେ ଆପାଦମସ୍ତକ ସ୍ତ୍ରୀ ମୂର୍ତ୍ତି ମୃଦଙ୍ଗ, ମହୁରୀ ଆଦି ବାଦ୍ୟଯନ୍ତ୍ରମାନ ବଜାଉଥିବାର ଦେଖାଯାଇଥାଏ । ତିନିଦ୍ଵାର ଉପରେ ଏହି ବ୍ୟବଧାନ ସ୍ଥାନରେ ତିନି ଶିବମୂର୍ତ୍ତି ଅଛନ୍ତି । ସେମାନଙ୍କ କାନ୍ଧରେ ସର୍ପ ପଇତା ଓ ହାତରେ ଡମ୍ବରୁ ବେଶ ପରିଷ୍କାର ଭାବରେ ଦେଖି ହୋଇଥାଏ । ମୁଖଶାଳାର ପୀଢ଼ ଉପରେ ଶ୍ରୀବେକୀ, ଶ୍ରୀ, ଶ୍ରୀଖପୁରି, ଡୋରି, ଅମଳକ ବେକୀ, ଅମଳକ ଶିଳା, ଅମଳକ ଖପୁରୀ, କଳସ ପାଦ, କଳସ ଓ ଧ୍ୱଜ ଥିଲା । ବର୍ତ୍ତମାନ କଳସ ଓ ଧ୍ୱଜକୁ ଛାଡ଼ି ଅନ୍ୟ ସମସ୍ତ ରହିଅଛି । ଶ୍ରୀର ବେକୀରେ ଥିବା ୮ଟି ସିଂହମୂର୍ତ୍ତି ବେଶ ଆକର୍ଷଣୀୟ । ମୁଖଶାଳାର ଚାରି ଦିଗରେ ଚାରି ଦ୍ୱାର ଅବସ୍ଥିତ । ଦୂରବନ୍ଧମାନ ନାନା କାରୁକାର୍ଯ୍ୟରେ ଭୂଷିତ ।

 

ମୁଖଶାଳାରେ ଥିବା ନବଗ୍ରହ ପାଟ କୋଣାର୍କର ଅନ୍ୟ ଏକ ବିଶେଷ ଆକର୍ଷଣ । ଏହା ଖସିପଡ଼ି ଏବେ କୋଣାର୍କ ମନ୍ଦିର ନିକଟସ୍ଥ ଅନ୍ୟ ଏକ ସ୍ଥାନରେ ବିଦ୍ୟମାନ । ଏହାକୁ ବଙ୍ଗକୁ ବୋହିନେବା ପାଇଁ ହୋଇଥିବା ସମସ୍ତ ଚକ୍ରାନ୍ତ ପାଣିଫାଟି ଯାଇଥିଲା ବୋଲି କୃପାସିନ୍ଧୁ ଦର୍ଶାଇଛନ୍ତି । କୋଣାର୍କ ମନ୍ଦିର ନିକଟସ୍ଥ ପକ୍‍କା ଘରେ ଥିବା ଏହି ନବଗ୍ରହପାଟ ପ୍ରତ୍ୟେକ ଶନିବାର, ସଂକ୍ରାନ୍ତି ଓ ରାସପୂର୍ଣ୍ଣିମାରେ ପୂଜିତ ହୋଇଥାଏ । ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ- ଏହି ନବଗ୍ରହ ସେହି ପାଟରେ ଶୋଭିତ । ସେମାନଙ୍କର ଗଠନରୁ ତାଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ ସହଜବୋଧ ହୋଇଥାଏ । ମୁଖଶାଳା ଭିତରେ ବାଲିପୂର୍ଣ୍ଣ ହୋଇ ରହିଅଛି ।

 

ଏହାପରେ କୃପାସିନ୍ଧୁ ନାଟମନ୍ଦିରର ବର୍ଣ୍ଣନା କରିଛନ୍ତି । (୧୪) ମୁଖଶାଳାର ସମ୍ମୁଖରେ ଅନ୍ୟ । ଏକ ସ୍ୱତନ୍ତ୍ର ପୀଠ ଉପରେ ନାଟମନ୍ଦିର ନିର୍ମିତ ହୋଇଥିଲା । ରାଜେନ୍ଦ୍ର ଲାଲ ମିତ୍ର ଏବଂ ମନମୋହନ ଗାଙ୍ଗୁଲୀ ଏହାକୁ ଭୋଗମଣ୍ଡପ ରୂପେ ବର୍ଣ୍ଣନା କରୁଥିଲାବେଳେ କୃପାସିନ୍ଧୁ ଏହାକୁ ନାଟମନ୍ଦିର ରୂପେ ବର୍ଣ୍ଣନା କରିଛନ୍ତି । କାରଣସ୍ଵରୂପ ସେ ଦର୍ଶାଇଛନ୍ତି ଯେ ଏହି ମନ୍ଦିର ପୀଠ ଓ ବାଡ଼ ସର୍ବତ୍ର ନର୍ତ୍ତକ ନର୍ତ୍ତକୀମାନେ ଦେବାର୍ଚ୍ଚନା ଉଦ୍ଦେଶ୍ୟରେ ନୃତ୍ୟଗୀତ କରୁଛନ୍ତି । ଏହା ଭୋଗମଣ୍ଡପ ହୋଇଥିଲେ, ଏପରି ନୃତ୍ୟଗୀତର ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଏଥିରେ ଥିବା ବିଭିନ୍ନ ମୂର୍ତ୍ତିର ଛନ୍ଦ ଦର୍ଶକମାନଙ୍କୁ ଆକୃଷ୍ଟ କରିଥାଏ ଅତିମାତ୍ରାରେ । ଏହି ନାଟ ମନ୍ଦିରର ଛାତ ମୁଖଶାଳାପରି ପୀଢ଼ ଆକାରରେ ଥିଲା ।

 

କୋଣାର୍କ ମନ୍ଦିରର ବେଢ଼ା ବର୍ଣ୍ଣନାରୁ କୃପାସିନ୍ଧୁଙ୍କର ଐତିହାସିକ ଦୃଷ୍ଟିଭଙ୍ଗୀ ବେଶ୍ ପରିସ୍କୁଟ ହୋଇଥାଏ । (୧୫) ପୂର୍ବରୁ ସେ ସୂର୍ଯ୍ୟ ମୂର୍ତ୍ତିତ୍ରୟ ଏବଂ ସେଗୁଡ଼ିକ ସହିତ ସଂପୃକ୍ତ ଅରୁଣ, ଅଶ୍ୱ, ବ୍ରହ୍ମା, ବିଷ୍ଣୁ, ସୈନିକ, ରଷି ଆଦିଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ପାର୍ଶ୍ଵର ଦୃଶ୍ୟଗୁଡ଼ିକ ମଧ୍ୟରୁ ‘ସୀତା ବିବାହ’ ଦୃଶ୍ୟ ଅତ୍ୟନ୍ତ ମନୋରମ । ଏଥିରେ ଜନକ ସୀତାଙ୍କୁ କୋଳକରି ବସିବା, ରାମଚନ୍ଦ୍ର, ଲକ୍ଷ୍ମଣ, ଦଶରଥ, ବଶିଷ୍ଠ ଓ ସୀତାଙ୍କ ସଖିମାନଙ୍କର ଉପସ୍ଥିତି ବେଶ୍ ଚମତ୍କାର ହୋଇଅଛି । ସୀତାବିବାହର ବାମ ପାଖରେ ରାଜାଙ୍କ ସମ୍ମୁଖରେ ପାତ୍ର ମନ୍ତ୍ରୀମାନଙ୍କରୁ ଛିଡ଼ାହେବାର ଦୃଶ୍ୟ ଏହାକୁ ରାଜଦରବାର ରୂପେ ସୂଚାଇ ଦେଇଥାଏ । ଖଣ୍ଡିଏ ପଥର ଦେହରେ ଶ୍ରେଣୀବଦ୍ଧ ପଞ୍ଚଦେବଙ୍କ ମୂର୍ତ୍ତି ମଧ୍ୟରୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କୁ ଛାଡ଼ି ଅନ୍ୟ ଦୁଇଜଣଙ୍କୁ ଚିହ୍ନି ହେଉନଥିବା କଥା କୃପାସିନ୍ଧୁ ଦର୍ଶାଇଛନ୍ତି । ତିନୋଟି ଶିକ୍ଷାଦାନ ଦୃଶ୍ୟରେ ସିଂହାସନ ଉପରେ ଆଚାର୍ଯ୍ୟ ଉପବେଶନ କରିଥିବା ଏବଂ ପୋଥି ଧରିଥିବା ଶିଷ୍ୟମାନଙ୍କର ଉପସ୍ଥିତି ପ୍ରଦର୍ଶିତ । ଖଟ ଉପରେ ଗଦି ଓ ତକିଆ ପଡ଼ିଥିବା ଏବଂ ରାଜା ଉପବେଶନ କରିଥିବା ଦୃଶ୍ୟ ମଧ୍ୟ କୋଣାର୍କ ଗାତ୍ରରେ ଶୋଭିତ । ସୁନ୍ଦର ମଗର ମୂର୍ତ୍ତି ଉପରେ ଉପବେଶନ କରିଥିବା ଗଙ୍ଗାମୂର୍ତ୍ତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଗୋଟିଏ ସପ୍ତଫେଣୀ ସର୍ପର ଫଣାତଳେ ଛିଡ଼ାହୋଇଥିବା ଶେଷଦେବ ଏବଂ ଦୁଇ ପାଖରେ ଦୁଇ ନାରୀମୂର୍ତ୍ତିର ସ୍ଥିତି ଦର୍ଶକକୁ ବହୁମାତ୍ରାରେ ଆକର୍ଷିତ କରିଥାଏ । ଗୋଟିଏ ସ୍ଥାନରେ ମହିଷମର୍ଦ୍ଦିନୀ ଦୁର୍ଗା, ଜଗନ୍ନାଥ ଏବଂ ଶିବ ରହିଥିବାର ଦେଖାଯାଇଥାଏ । ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରିଥିବା ଚମତ୍କାର ବିଷ୍ଣୁଙ୍କର ମୂର୍ତ୍ତି ମଧ୍ୟ କୋଣାର୍କ ମନ୍ଦିରର ଗାତ୍ରରେ ସୁଶୋଭିତ । କୋଣାର୍କର ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଜଙ୍ଘରେ ହିରଣ୍ୟକଶ୍ୟପଙ୍କୁ ସ୍ଥାପନ କରି ନଖରେ ତାର ପେଟ ବିଦାରଣ କରୁଥିବା ନୃସିଂହଙ୍କ ମୂର୍ତ୍ତି ବେଶ୍ ଭୟପ୍ରଦ । ବୃଷଭ ଉପରେ ବରାଜିତ ଶିବ ମୂର୍ତ୍ତି ମଧ୍ୟ ବେଶ୍ ମନଲୋଭା । ପାଞ୍ଚଜଣ ସୈନିକଙ୍କ ଉପସ୍ଥିତିରେ ରାଜାଙ୍କର ପର୍ବତରେ ଶରଭେଦ କରିଥିବା ଦୃଶ୍ୟ ବେଶ୍ ଚିତ୍ତାକର୍ଷକ । ଏକ ମନୋହର କାରୁକାର୍ଯ୍ୟମଣ୍ଡିତ ଦୋଳି ଏବଂ ଏହା ସମ୍ମୁଖରେ ପଦ୍ମପୁଷ୍ପ ଉପରେ ବସି ଛଅଜଣ ନାରୀ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ-

 

କୋଣାର୍କର ହାତୀ ସମ୍ପର୍କରେ କୃପାସିନ୍ଧୁ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି । ମୁଖଶାଳାର ଉତ୍ତର ପାହାଚର ନିକଟରେ ଥିବା ଦୁଇଟି ହାତୀ ଯୁଦ୍ଧସଜ୍ଜାରେ ସୁସଜ୍ଜିତ । ସେମାନଙ୍କ ପେଟ ଚାରିପାଖରେ ଶିକୁଳିର କାମ ବୁହିଅଛି । ହାତୀ ଦୁଇଟି ଥୋଡ଼ ପାହାଡ଼ରେ ଦୁଇଜଣ ଶତ୍ରୁକୁ ଧରି ଅଛନ୍ତି । ହାତୀଦ୍ୱୟର ପେଟତଳେ ଶତୃମାନେ ଚିପିହୋଇ ପଡ଼ିଛନ୍ତି । ସେମାନଙ୍କର ଠାଣି ବେଶ୍ ରାଜକୀୟ ।

 

ମୁଖଶାଳାର ଦକ୍ଷିଣ ପାହାଚର ଦୁଇ ପାଖରେ ଦୁଇଟି ଉକୃଷ୍ଟ ଧରଣର ଯୋଦ୍ଧ ଘୋଡ଼ା ଥିଲା ଯାହା ଏବେ ସ୍ଥାନାନ୍ତରିତ । ଘୋଡ଼ାର ବୀରବେଶ ଓ ଉନ୍ମତ୍ତ ଭାବ ଦେଲେ କୌଣସି ନୂତନ ଦର୍ଶକ ମନରେ ଭୟଜାତ ହୁଏ । ଘୋଡ଼ାଦୁଇଟିର ପିଠିରେ ଜିନ୍ ଅଛି । ପୂର୍ବ ଘୋଡ଼ାର ବାମ ପାଖରେ ଓ ଉତ୍ତର ଘୋଡ଼ାର ଡାହାଣ ପାଖରେ ଦୁଇଜଣ ଅଶ୍ଵାରୋହୀ ଏକ ହାତରେ ଘୋଡ଼ା ଓ କୋରଡା ଏକତ୍ର ଧରି ଅପର ହାତରେ ଶତ୍ରୁ ହାଣିବା ନିମନ୍ତେ ଉଦ୍ୟତ । ଯେଉଁ ହାତରେ ଘୋଡ଼ା ଧରାଯାଇଛି, ତାହାରି କାଖତଳେ ଗଦା ରହିଛି । ଅପର ହାତରେ ତରବାରୀ ଶତ୍ର୍ରୁହତ୍ୟା ନିମନ୍ତେ ଉନ୍ମକ୍ତ ଅଛି । ଉତ୍ତର ଦିଗ ଘୋଡ଼ାଟି ତିନିଜଣ ଶତ୍ର୍ରୁ ଉପରେ ବୀର ବେଶରେ ମାଡ଼ିଯାଇଛି । ଦୁଇଜଣ ପେଟତଳେ ଓ ଆଉ ଜଣେ ଘୋଡ଼ାର ଆଗ ଟାପୁରେ ଢାଲ ସହିତ ଚିପି ହୋଇଯାଇଅଛି-। ଢାଲ ଉପରେ ଘୋଡ଼ାର ଆଗ ଗୋଡ଼ ରହିଛି ଏବଂ ଏହା ଶତ୍ରୁ ଉପରେ ବିଜୟକୁ ପ୍ରମାଣିତ କରୁଅଛି । କୋଣାର୍କର ଯୁଦ୍ଧ ଅଶ୍ୱ ଅନନ୍ୟ । ସେହିପରି ଭାବରେ କୃପାସିନ୍ଧୁ ଗଜସିଂହ, ନକୀ, ପଶୁ, ପକ୍ଷୀ, ଯକ୍ଷ, ନାଗ, ଲତା, ବୃକ୍ଷ ଇତ୍ୟାଦି କୋଣାର୍କ ଗାତ୍ରରେ ଖୋଦିତ ମୂର୍ତ୍ତି ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । କୋଣାର୍କର ସୂର୍ଯ୍ୟ ମନ୍ଦିର ପାଖରେ ଥିବା ଛାୟାଦେବୀଙ୍କ ମନ୍ଦିର ସମ୍ପର୍କରେ ମଧ୍ୟ କୃପାସିନ୍ଧୁ ବର୍ଣ୍ଣନା କରିଛନ୍ତି ।

 

କୋଣାର୍କ ମନ୍ଦିରର ଏହି ରହସ୍ୟ ଗୁମ୍ପିତ ବିବରଣୀ ସହିତ କୃପାସିନ୍ଧୁ ଏହି ମନ୍ଦିର ନିର୍ମାଣର କାଳ ବିଷୟରେ ଅନୁଶୀଳନ କରିଛନ୍ତି । ପ୍ରଥମ ନରସିଂହଦେବ କୋଣାର୍କ ମନ୍ଦିର ନିର୍ମାଣ କରାଇବା ପୂର୍ବରୁ ପୁରନ୍ଦର କେଶରୀଙ୍କ ମନ୍ଦିରରେ ସୂର୍ଯ୍ୟବିଗ୍ରହ ସ୍ଥାପିତ ଥାଇ ପୂଜା ହେଉଥିବା କଥା ସେ ଉଲ୍ଲେଖ କରିଛନ୍ତି । ତାହା ଜୀର୍ଣ୍ଣ ହୋଇ ଯାଇଥିବାର ଦେଖି ନରସିଂହଦେବ ସେହି ମନ୍ଦିର ନିର୍ମାଣ କରିଥିଲେ ବୋଲି ସେ ମତବ୍ୟକ୍ତ କରିଛନ୍ତି । (୧୬) ଏହା ସହିତ ସେ ପୂର୍ବରୁ କୋଣାର୍କରେ ଅନୁଷ୍ଠିତ ରଥଯାତ୍ରା ଏବଂ ଏବେ ଅନୁଷ୍ଠିତ ହେଉଥିବା ଚନ୍ଦ୍ରଭାଗା ଯାତ୍ରା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । (୧୭) ଚଳିତାଳୋ, ହସ୍ତୀ, ରଥଯାତ୍ରା ଆଦିରୁ ବିଷନ ସ୍ୱରୂପ କୋଣାର୍କକୁ ବୌଦ୍ଧାବଶେଷ ରୂପେ ଚିତ୍ରଣ କରୁଥିବା ବେଳେ କୃପାସିନ୍ଧୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ଏହା ଯେ ହିନ୍ଦୁ ସଂସ୍କୃତିର ଅନନ୍ୟ ବାର୍ତ୍ତାବହ, ଏହି ମତ ସେ ପୋଷଣ କରିଛନ୍ତି । (୧୮)

 

କୋଣାର୍କର ଶିଳ୍ପ ଓ ସ୍ଥାପତ୍ୟ ସମ୍ପର୍କରେ ମତ ପ୍ରଦାନ କରି କୃପାସିନ୍ଧୁ କହିଛନ୍ତି ଯେ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ପରି ଏହା ମଧ୍ୟ ବିମାନ ଏବଂ ଏହା ସମ୍ମୁଖରେ ପୀଢ଼ ଦେଉଳକୁ ନେଇ ଗଠିତ । କିମ୍ବଦନ୍ତୀରୁ ଇତିହାସ ପର୍ଯ୍ୟନ୍ତ ସମସ୍ତ ଆଲୋଚନା କରି କୃପାସିନ୍ଧୁ ପ୍ରତ୍ୟେକ କ୍ଷେତ୍ରରେ କୋଣାର୍କର କଳା ନୈପୁଣ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ମାଂସପେଶୀର ପ୍ରାବଲ୍ୟ ନଥିବା ହେତୁ କୋଣାର୍କର ମୂର୍ତ୍ତିଗୁଡ଼ିକର ୟୁରୋପୀୟ ମନୀଷୀମାନେ ଯେଉଁ ସମାଲୋଚନା କରିଥାନ୍ତି, ତାହାକୁ ଦୃଢ଼ତାର ସହିତ ଖଣ୍ଡନ କରିଛନ୍ତି କୃପାସିନ୍ଧୁ । କୋଣାର୍କ ମନ୍ଦିରର ବିଭିନ୍ନ ମୂର୍ତ୍ତିର ମୁଦ୍ରା ଏତେ ଜୀବନ୍ତ ଯେ ଏହା ଆଗରେ ଅନ୍ୟ ସବୁ ମଳିନ ପଡ଼ିଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । କୋଣାର୍କ ମନ୍ଦିରର ଅଶ୍ଳୀଳ ଚିତ୍ର ଉପରେ ଟିପ୍ପଣୀ ଦେଇ ସେ କହିଛନ୍ତି ଯେ ମଣିଷର ପାରମାର୍ଥକ ଚିନ୍ତନକୁ ସୁଦୃଢ଼ କରିବା ପାଇଁ ଏ ସମସ୍ତ ମୂର୍ତ୍ତି ନିର୍ମିତ ହୋଇଥିଲେ । ଏହା ଶୈବଧର୍ମର ଲିଙ୍ଗପୂଜନ ଉପରେ ପର୍ଯ୍ୟବସିତ ଥିଲା । ତାଙ୍କରି ଭାଷାରେ-

 

‘‘ଆମ୍ଭମାନଙ୍କର ରୁଚି ଓ ଭାବଦ୍ଵାରା ଆମ୍ଭେମାନେ ଯାହାକୁ ଅଶ୍ଳୀଳ ବୋଲି ଘୃଣା କରିଥାଉ, ପୂର୍ବେ ଲୋକେ ତାହାଠାରେ କୌଣସି ଅଶ୍ଲୀଳତା ଆରୋପ କରୁ ନଥିଲେ । କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟ ସର୍ବତ୍ର ଲୋକଙ୍କର ବର୍ତ୍ତମାନ ଅଶ୍ଲୀଳତା ଜ୍ଞାନ ନଥିଲା । ପରନ୍ତୁ ଯାହାକୁ ଅଶ୍ଳୀଳ ବୋଲି ଆମ୍ଭେମାନେ ଆଜି ଘୃଣା କରୁଥାଇଁ । ସେହି ଜନନେନ୍ଦ୍ରିୟକୁ ପୂର୍ବେ ଅତ୍ୟନ୍ତ ଭକ୍ତି ସହକାରେ ପୂଜା କରୁଥିଲେ ଏବଂ ନାନା ଧର୍ମାନୁଷ୍ଠାନ ସହିତ ତାହା ଯୋଗ କରିଥିଲେ । ଖ୍ରୀଷ୍ଟାନ ଧର୍ମ ପ୍ରଚାର ପୂର୍ବେ ନରଓୟବାସୀମାନେ ଘୋଡ଼ାର ଜନନେନ୍ଦ୍ରିୟକୁ ଅତ୍ୟନ୍ତ ଭକ୍ତି ସହକାରେ ପୂଜା କରୁଥିଲେ । ଆମ୍ଭମାନଙ୍କ ଦେଶରେ ସେହିପରି ଶିବଲିଙ୍ଗପୂଜା ଓ ଉଲଗ୍ନ କାଳୀପୂଜା ଅଦ୍ୟାପି ପ୍ରଚଳିତ ଅଛି ।’’ (୧୯)

 

କୋଣାର୍କ ମନ୍ଦିରରେ ଥିବା କୁମ୍ଭପଥର ଓ ଦ୍ରୁତଗାମୀ ଜାହାଜ ସହିତ ଏହାର ସମ୍ବନ୍ଧ, ମୁସଲମାନମାନଙ୍କ ଦ୍ଵାରା ମନ୍ଦିର ଆକ୍ରମଣ, ସେମାନଙ୍କ ଦ୍ଵାରା କୁମ୍ଭପଥର ଅପହରଣ ଆଦି ଯାହା କାରଣ ଥାଉନା କାହିଁକି କୋଣାର୍କ ମନ୍ଦିରର ପତନ ଘଟିଥିଲା । (୨୦) ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ଓଡ଼ିଆ ଶିଳ୍ପ ଚାତୁର୍ଯ୍ୟର ଅନ୍ୟତମ ନିଦର୍ଶନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୮୮୧ ରେ ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର ଏସ.ସି.ବେଲି କୋଣାର୍କ ଉଦ୍ଧାର କରିବାର ପ୍ରସ୍ତାବ ଦେଇଥିଲେ । ଏହାପରେ ୧୯୦୧ରେ ମୁଖଶାଳାର ଚତୁର୍ଦ୍ଦିଗରୁ ବାଲିପଥର ଖୋଳା ଆରମ୍ଭ ହୋଇଥିଲା । ଏହାପରେ କ୍ରମଶଃ ଉଦ୍ଧାର କାର୍ଯ୍ୟ ଚାଲି ୧୯୦୫ରେ ମୁଖଶାଳାର କାମ ଶେଷ ହେଲା । ଏହାପରେ କ୍ରମଶଃ ସେହି କାର୍ଯ୍ୟ ଚାଲି ଆସିଲା ଓ ଏବେ ମଧ୍ୟ କୋଣାର୍କର ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲି ଆସୁଅଛି ।

 

||୩||

 

ବାସ୍ତବିକ ଲେଖନୀର ସହାୟତାରେ କୋଣାର୍କ ସମ୍ପର୍କରେ ତଥ୍ୟ ପରିବେଷଣ କରିବା କୃପାସିନ୍ଧୁଙ୍କ ପାଇଁ ଯେତେ କଷ୍ଟକର ଥିଲା, ତା’ଠାରୁ ଆହୁରି କ୍ଲେଶକର ତାଙ୍କର ତର୍ଜମାକୁ ସଠିକ୍ ରୂପେ ଉତ୍‍ଥାପନ କରିବା । ତେବେ ସେ ଯେ ଜଣେ ଜାତୀୟବାଦୀ ଐତିହାସିକ ଥଲେ, ଏହା ନିଃସନ୍ଦେହରେ କୁହାଯାଇପାରେ । ‘କୋଣାର୍କ’ ପୁସ୍ତକ ରଚନା କରିବା ଅବସରରେ ସେ ନିବେଦନ କରି ଲେଖିଥିଲେ–

 

‘ଶିବେଇ ସାନ୍ତରା’, ‘ବାରଶହ ବଢ଼େଇରେ ଦାୟୀ କି ଏକା ପୁଅରେ ଦାୟୀ’ ପ୍ରଭୃତି ଜନଶ୍ରୁତିମାନ ଏହାର ମାନବୀୟ ସୃଷ୍ଟିକୁ ଏବେ ସାମାନ୍ୟ ମାତ୍ର ରକ୍ଷା କରିଅଛି । ଏହି କ୍ଷୀଣ ସୂତିକୁ ଜାଗ୍ରତ କରି ଓଡ଼ିଆ ଜାତିର ଆପଣା ଶିଳ୍ପଶକ୍ତିରେ ଆତ୍ମପ୍ରତ୍ୟୟ ଜନ୍ମାଇବା ଏହି କ୍ଷୁଦ୍ର ପୁସ୍ତକର ଉଦ୍ଦେଶ୍ୟ । (୨୧)

 

ଏହି ପୁସ୍ତକର ତୃତୀୟ ସଂସ୍କରଣ ବେଳେ ପ୍ରକାଶକ ମହେନ୍ଦ୍ର ମିଶ୍ର ୧୯୭୭ରେ ଲେଖିଥିଲେ–

 

‘ପଣ୍ଡିତ ମିଶ୍ରଙ୍କର ଏ ପୁସ୍ତକ ପ୍ରଣୟନର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୀନମନ୍ୟତା ଗ୍ରାସ କରିଥିବା ଏ ଓଡ଼ିଆ ଜାତିକୁ ନିଜର ପ୍ରାଚୀନ ଐତିହ୍ୟ ସମ୍ପର୍କରେ ସଚେତନ କରାଇ ତା ଭିତରେ ଆତ୍ମପ୍ରତ୍ୟୟ ଜଗାଇବା ।’ (୨୨) ଏହି ଦୁଇ ଉଦ୍ଧୃତ ଉକ୍ତିରୁ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଜାତିପ୍ରୀତି ଜଣାପଡ଼ିଥାଏ ।

 

ଦ୍ୱିତୀୟତଃ, ପଣ୍ଡିତ କୃପାସିନ୍ଧୁ ଥିଲେ ଜଣେ ସୃଷ୍ଟବାଦୀ ତଥା ନିର୍ଭୀକ ସମାଲୋଚକ । ସ୍ଥଳ ବିଶେଷରେ ସେ ରାଜେନ୍ଦ୍ର ଲାଲ ମିତ୍ର, ଫର୍ଗୁସନ୍, ମନମୋହନ ଗାଙ୍ଗୁଲୀ, କନିଂହାମ୍ ଆଦିଙ୍କ ମତକୁ ବଳିଷ୍ଠ ଯୁକ୍ତିଦ୍ଵାରା ଖଣ୍ଡନ କରିଛନ୍ତି । ଏହା ତାଙ୍କୁ ଜଣେ ନିରପେକ୍ଷ ସମାଲୋଚକ ଏବଂ ଐତିହାସିକ ରୂପେ ଉତ୍‍ଥାପନ କରାଇବା ପାଇଁ ଯଥେଷ୍ଟ ।

 

ତୃତୀୟତଃ, କୃପାସିନ୍ଧୁଙ୍କର ଓଡ଼ିଆ ଭାଷାରେ କୋଣାର୍କ ଉପରେ ଲେଖିବାର ଆଦ୍ୟ ପ୍ରଚେଷ୍ଟା ତାଙ୍କୁ ଜଣେ କାଳଜୟୀ ଐତିହାସିକ ରୂପେ ପରିଗଣିତ କରାଇଥାଏ । ପାଶ୍ଚାତ୍ୟ ଐତିହାସିକ ଏବଂ ଗବେଷକଙ୍କ ମତକୁ ବହୁଳାଂଶରେ ଗ୍ରହଣ ନକରି ନିଜସ୍ୱ ଚିନ୍ତାଧାରା ଏବଂ ଏ ମାଟିର ଆଦର୍ଶ ତଥା ପୁରାଣ ଶାସ୍ତ୍ର ଆଦିର ଗଭୀର ଅଧ୍ୟୟନ ଓ ତର୍ଜମା ମାଧ୍ୟମରେ କୋଣାର୍କ ସହିତ ସଂଶ୍ଳିଷ୍ଟ ବହୁ ତଥ୍ୟର ଅବତାରଣା ସେ ନୂତନ ରୂପେ କରିଥିଲେ । ଏହା ପରବର୍ତ୍ତୀ ସମୟରେ ଓଡ଼ିଶାର ବହୁ ଐତିହାସିକ ଏବଂ ଗବେଷକଙ୍କୁ କୋଣାର୍କ ପ୍ରତି ଆକୃଷ୍ଟ କରାଇଥିଲା ଓ ଗବେଷଣା ପାଇଁ ପ୍ରେରଣା ଯୋଗାଇଥିଲା ।

 

ପ୍ରକୃତରେ କୃପାସିନ୍ଧୁ ମିଶ୍ର ଥିଲେ ଜଣେ ଆଦର୍ଶ ଶିକ୍ଷକ ଏବଂ ନିରପେକ୍ଷ ସମାଲୋଚକ । ବିଦେଶୀ ଐତିହାସିକମାନେ ଯେଉଁ ଇତିହାସ ରଚନା କରିଥିଲେ ତାହା ଆମ ଆଦର୍ଶର ପରିପନ୍ଥୀ ଥିଲା ବୋଲି କୃପାସିନ୍ଧୁଙ୍କର ହୃଦ୍‍ବୋଧ ହୋଇଥାଏ । ତେଣୁ ଏ ଜାତିର ସଠିକ୍ ଇତିହାସ ଲେଖିବା ପାଇଁ ସେ ତତ୍ପର ହୋଇଥିଲେ ଏବଂ ରଚନା କରିଥିଲେ ‘କୋଣାର୍କ’ ପୁସ୍ତକ । ଏହା ସୁପ୍ତ ଓଡ଼ିଆ କାନରେ ଜାଗୃତିର ମହାନ ମନ୍ତ୍ର ଭରି ଦେଇଥିଲା । ଫଳରେ ଓଡ଼ିଶାରେ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିଲା ଇତିହାସ ଲେଖନ କାର୍ଯ୍ୟ । ଓଡ଼ିଶାରେ ଇତିହାସ ରଚନାର ପ୍ରବାହକୁ ତ୍ୱରାନ୍ୱିତ କରିବା ପାଇଁ କୃପାସିନ୍ଧୁଙ୍କ କୋଣାର୍କର ରହସ୍ୟଗୁମ୍ପିତ ବିବରଣୀ ଯେ ପାଥେୟ ଯୋଗାଇଥିଲା, ଏହା କହିଲେ ବୋଧହୁଏ ସତ୍ୟର ଅପଳାପ ହେବନାହିଁ ।

 

ସ୍ନାତକୋତ୍ତର ଇତିହାସ ବିଭାଗ

ରେଭେନ୍‌ସା ମହାବିଦ୍ୟାଳୟ, କଟକ-୩

 

***

 

ସହାୟକ ଗ୍ରନ୍ଥସୂଚୀ :

୧.

W.W. Hunter; ‘‘History of Orissa’’ 2Vols, London 1872.. A. Stirling; ‘An Ac count of Orissa Proper or Cuttack’, London, 1846... W.F.B. Lauria; ‘Orissa the Garden of Superstition and Idolatry’, London, 1850. ଆଦି ଦ୍ରଷ୍ଟବ୍ୟ ।

୨.

କୃପାସିନ୍ଧୁ ମିଶ୍ର; କୋଣାର୍କ, ତୃତୀୟ ସଂସ୍କରଣ, କଟକ, ୧୯୭୭ ।

୩.

ତତ୍ରୈବ, ପୃ. ୧-୧୩ ଦ୍ରଷ୍ଟବ୍ୟ ।

୪.

ତତ୍ରୈବ, ପୃ. ୨ ।

୫.

ତତ୍ରୈବ, ପୃ. ୧୨ -୩୪ ।

୬.

ତତ୍ରୈବ, ପୃ. ୨୧ ।

୭.

 

ତତ୍ରୈବ, ପୃ. ୩୯-୪୦ । ଏହି ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ମୁକ୍ତେଶ୍ୱର ଏବଂ ଶୋଭନେଶ୍ଵରଙ୍କ ଅସ୍ତିତ୍ୱ, ଏବେ ନାହିଁ । ଅନ୍ୟ ମହାଦେବମାନେ ଯଥାବିଧ ପୂଜା ପାଉଛନ୍ତି ।

୮.

ଏ ସମ୍ପର୍କରେ ସବିଶେଷ ଆଲୋଚନା ପାଇଁ, ହରିହର ପଣ୍ଡାଙ୍କ ‘History of Orissa’ର ‘ଚେଳିତାଳୋ’ ସମ୍ପର୍କିତ ବର୍ଣ୍ଣନା ଏବଂ ବିଷ୍ଣୁଚରଣ ବାହାଲିଆଙ୍କ ‘ଐତିହାସିକ ଚେଳିତୋଳ’ ପୁସ୍ତକ ଦ୍ୱୟ ଦ୍ରଷ୍ଟବ୍ୟ ।

୯.

କୃପାସିନ୍ଧୁ ମିଶ୍ର; ତତ୍ରୈବ, ପୃ-୫୫-୫୬

୧୦.

ତତ୍ରୈବ, ପୃ. ୫୯-୬୩ ।

୧୧.

ତତୈବ, ପୃ. ୬୩-୬୪ |

୧୨.

ତତୈବ, ପୃ. ୬୪-୮୨ ।

୧୩.

ତତୈବ, ପୃ. ୮୩-୯୮ ।

୧୪.

ତତ୍ରୈବ, ପୃ. ୯୯-୧୦୭ ।

୧୫.

ତତୈବ, ପୃ. ୧୧୫-୧୩୨ ।

୧୬.

ତତୈବ, ପୃ. ୧୫୧ ।

୧୭.

ତତୈବ, ପୃ. ୧୬୧-୧୭୭ |

୧୮.

ତତ୍ରିବ, ପୃ. ୧୯୭-୨୦୪ ।

୧୯.

ତତୈବ, ପୃ.୨ ୨୪-୨୨୫ ।

୨୦.

ତତୈବ, ପୃ. ୨୫୫-୨୭୯ ।

୨୧.

ତତୈବ, ପୃ. ‘ନିବେଦନ’, ପୃ. ୧

୨୨,

ତତ୍ରୈବ, ‘ଏ ଗ୍ରନ୍ଥର ପୁନର୍ମୁଦ୍ରଣ ସମ୍ପର୍କରେ’, ପୃ. ୧୧

 

***

 

ପଣ୍ଡିତ କୃପାସିନ୍ଧୁ ମିଶ୍ର : ସ୍ରଷ୍ଟା ମାନସ

ପ୍ରସନ୍ନ କୁମାର ସ୍ୱାଇଁ

 

“I consider that the great national sin is the neglect of the masses, and that is one of the causes of our downfall.” (Vivekananda-His call to the Nation-1970, p.86) ଭାରତୀୟ ଆତ୍ମାର ପ୍ରତୀକ ସ୍ଵାମୀ ବିବେକାନନ୍ଦଙ୍କ ଏହି ବାଣୀରେ ମୁଗ୍‍ଧ ହୋଇଥିଲେ ସତ୍ୟବାଦୀ ଯୁଗର ସ୍ରଷ୍ଟାଗଣ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ହୁଏତ ଗୋପବନ୍ଧୁ ତାଙ୍କର କେତେଜଣ ସହକର୍ମୀଙ୍କ ସହିତ ଭାର୍ଗବୀ ନଦୀକୂଳରେ ଶପଥ ନେଇଥିଲେ । “ସରକାରୀ ଚାକିରି କରିବା ନାହିଁ; ନିଜର ଭରଣପୋଷଣ ବିଳାସରେ ମନଦେବା ନାହିଁ । ଜନ୍ମ ହୋଇ ଦେଶକୁ ଯାହା ଦେଖିଥାଇଁ, ମଲାବେଳେ ତାହାରୁ ଉନ୍ନତତର ଅବସ୍ଥାରେ ଛାଡ଼ିଯିବା ଓ ସେଥିପାଇଁ ବରାବର ପ୍ରଯତ୍ନରେ ରହିବା-।” ନବ ଉତ୍କଳ ଗଠନପୂର୍ବକ ଓଡ଼ିଶା ସମେତ ଭାରତୀୟଙ୍କୁ ଜାତୀୟ ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ଇଂଲଣ୍ଡର ଇଟନ୍, ହାରୋ, ରୁଗ୍‍ବି ବା ଭାରତର ପୁନାରେ ପ୍ରତିଷ୍ଠିତ ଫରଗୁସନ୍ କଲେଜ ଢାଞ୍ଚାରେ ଓଡ଼ିଶାରେ ଯେଉଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା, ତାହା ଥିଲା ସତ୍ୟବାଦୀ ବନବିଦ୍ୟାଳୟ । ଏହି ବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତୀୟ ଜାଗରଣ, ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ଏବଂ ସ୍ୱାଧୀନତା ଆନ୍ଦୋଳନ ପାଇଁ ସ୍ଵପ୍ନ । ଏହି ବିଦ୍ୟାଳୟର କର୍ଣ୍ଣଧାର ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସେ ହୃଦୟଙ୍ଗମ କରିଥିଲେ ଓଡ଼ିଆ ଭାଷା ଓ ଜାତିକୁ ବଞ୍ଚାଇବାକୁ ହେଲେ ଉତ୍କଳୀୟମାନଙ୍କୁ ଏକତ୍ର କରିବାକୁ ହେବ, ସମକାଳରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଉତ୍କଳଭୂମିର ସୀମା ବୃଦ୍ଧି କରିବାକୁ ହେବ । ସେଥିପାଇଁ ଯେଉଁ ଜନ ଆନ୍ଦୋଳନର ଆବଶ୍ୟକତା ପଡ଼ିଥିଲା, ତା’ର ପୃଷ୍ଠଭୂମିରେ ଥିଲେ ଗୋପବନ୍ଧୁଙ୍କ ସହିତ ତାଙ୍କର ସତୀର୍ଥ ବନ୍ଧୁ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ଆଚାର୍ଯ୍ୟ ହରିହର ପ୍ରମୁଖ ।

 

ଗୋଟିଏ ପରାଧୀନ ପ୍ରପୀଡ଼ିତ ସୁପ୍ତ ଜାତିକୁ ଜାଗ୍ରତ କରିବାକୁ ହେଲେ ସେଇ ଜାତି ସମ୍ମୁଖରେ ଅତୀତର କୀର୍ତ୍ତିରାଜିକୁ ମୂର୍ତ୍ତ କରିବା ସହିତ ସେ ଜାତିର ଇତିହାସରେ ପ୍ରାଣ ସଞ୍ଚରିତ କରିବାକୁ ପଡ଼ିବ । ପୁନଶ୍ଚ ଚିହ୍ନା ଅଚିହ୍ନା ନିର୍ବିଶେଷରେ ସମସ୍ତଙ୍କ ସହିତ ଭ୍ରାତୃଭାବ ବୃଦ୍ଧି କରିବାକୁ ହେବ – ଏକଥା ସତ୍ୟବାଦୀ ଯୁଗର ସ୍ରଷ୍ଟାଗଣ ଖୁବ୍ ଭଲଭାବରେ ହୃଦୟଙ୍ଗମ କରିଥିଲେ । ସେଥିନିମିତ୍ତ ଗୋପବନ୍ଧୁ ରଚନା କରିଥିଲେ ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ, ନଚିକେତା ଉପାଖ୍ୟାନ’, ନୀଳକଣ୍ଠ ରଚନା କରିଥିଲେ ‘କୋଣାର୍କ’, ‘ଖାରବେଳ’ ପରି କାବ୍ୟ ଏବଂ କୃପାସିନ୍ଧୁଙ୍କ ସୃଷ୍ଟି ଥିଲା ‘ବାରବାଟୀ ଦୁର୍ଗ’, ‘କୋଣାର୍କ’, ‘History of England’, ‘ଉତ୍କଳ ଇତିହାସ’ ପ୍ରଭୃତି ଐତିହାସିକ ଗ୍ରନ୍ଥ । ସତ୍ୟବାଦୀ ସାଧକଙ୍କ ମଧ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ଅଧିକ ଇତିହାସ ସଚେତନଶୀଳ ଶିଳ୍ପୀ । ସେ ଥିଲେ ବନବିଦ୍ୟାଳୟର ସର୍ବକନିଷ୍ଠ ଶିକ୍ଷକ । ୧୯୧୪ ମସିହାରେ ବନବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ ଯୋଗଦେଇ ୧୯୧୯ ମସିହାରେ ସେଠାରେ ସେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ । ବିଦ୍ୟାଳୟରେ ଗୋପବନ୍ଧୁ ନଥିବା ସମୟରେ ସ୍କୁଲର ହାନିଲାଭ ସବୁ ସେ ସୁଦକ୍ଷ ଭାବରେ ସମିତିରେ ଉପସ୍ଥାପିତ କରି ସମ୍ପାଦକର ଗୁରୁଦାୟିତ୍ଵ ସୁନ୍ଦର ରୂପେ ସମ୍ପନ୍ନ କରୁଥିଲେ ଏବଂ ସମିତିରେ ଗୃହୀତ ପ୍ରସ୍ତାବସବୁ ନିଜେ ଚିଠା କରୁଥିଲେ । ସ୍କୁଲର ଇତିହାସ ସମାଜର ସେ ସଭାପତି ଥିଲେ ।” (ଐତିହାସିକ କୃପାସିନ୍ଧୁ - ପୃ-୮୮)

 

ଏ ପ୍ରସଙ୍ଗ ଏଠାରେ ଉତଥାପିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃପାସିନ୍ଧୁଙ୍କ ଇତିହାସ ପ୍ରୀତି ପ୍ରତି ପାଠକର ଦୃଷ୍ଟି ଆକର୍ଷଣ କରିବା । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିବା ଅବସରରେ କୃପାସିନ୍ଧୁ ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିଥିଲେ । ଏମାନେ ସମସ୍ତେ ଥିଲେ ଉଗ୍ର ଜାତୀୟବାଦୀ ସ୍ରଷ୍ଟା । ପୁନଶ୍ଚ ନିଜ ଜୀବନକୁ ଜାତୀୟ ଜୀବନ ସହିତ ମିଶାଇ ନେଇ ଏହି ସ୍ରଷ୍ଟାମାନେ ଯେଉଁ ଅପାର ଆନନ୍ଦ ଅନୁଭବ କରୁଥିଲେ ତାହା ଭାଷାରେ ପ୍ରକାଶ କରାଯାଇପାରେ । ପଣ୍ଡିତ କୃପାସିନ୍ଧୁ ବନବିଦ୍ୟାଳୟର ଶିକ୍ଷକ (୧୯୧୪-୧୯୨୬) ଭାବରେ ଶିକ୍ଷାଦାନ ଓ ଛାତ୍ରମାନଙ୍କ ସହିତ ନାନା ଭାବରେ ସଂପୃକ୍ତି ସହ ଜାତୀୟ ଭାବନାରୁ ହିଁ ତାଙ୍କ ସୃଷ୍ଟିର ମୂଳଭିତ୍ତି ପ୍ରତିଷ୍ଠା ହୋଇଛି ।

 

କୃପାସିନ୍ଧୁ ଥିଲେ ଜାତିପ୍ରାଣ । ନିଜ ଜୀବନକୁ ଜାତୀୟ ଜୀବନ ସହିତ ସାମିଲ କରିବାର ପଶ୍ଚାଦଭାଗରେ ତାଙ୍କର ଇତିହାସପ୍ରାଣ ହିଁ ମୁଖ୍ୟ ଭାବରେ ଅନୁଭବ୍ୟ । “ସଂକୀର୍ଣ୍ଣ ଅହଂଭାବ ବିସର୍ଜନପୂର୍ବକ ଜଗତର ମହାମାନବ ପରମ୍ପରାରେ ପ୍ରାଣ ମିଶାଇ ଦେବା ନିମନ୍ତେ ଇତିହାସ ଚର୍ଚ୍ଚାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ । ଇତିହାସ ଜାତୀୟ ଜୀବନର ପ୍ରାଣଉତ୍ସ, ଜାତୀୟ ଜୀବନ ବିକାଶରେ ଏହାର ଉପଯୋଗିତା ଯଥେଷ୍ଟ । ଦେଶର ଗିରିବନ କନ୍ଦରା, ଭଗ୍ନମନ୍ଦିର ନିହିତ ସୃତି ଓ ସଂସ୍କାର-ଏକ କଥାରେ ଅତୀତର ଅନ୍ଧକାରମୟ : ବିସ୍ମୃତି ଗର୍ଭରୁ ସତ୍ୟର ଜ୍ଵଳନ୍ତ ଆଲୋକ ଶିଖା ସନ୍ଧାନ କରି ଇତିହାସର ପ୍ରେରଣାରେ ବର୍ତ୍ତମାନ ନିୟନ୍ତ୍ରିତ ଓ ଭବିଷ୍ୟତ ପରିକଳ୍ପିତ ହୁଏ । ଆତ୍ମବିସ୍ମୃତ ଜାତିକୁ ଆତ୍ମସଚେତନ ଆତ୍ମମର୍ଯ୍ୟାଦାବୋଧଶୀଳ କରିବା ଇତିହାସ ଚର୍ଚ୍ଚାର ଲକ୍ଷ୍ୟ । x ଇତିହାସ ଜ୍ଞାନ ଯଥାର୍ଥରେ ଜାତୀୟ ଉନ୍ନତିର ମୌଳିକ ଉପାଦାନ । ଏହା ଫଳରେ ମନୁଷ୍ୟ ଜୀବନ ଯାତ୍ରାପଥରେ ଅଭିଜ୍ଞ ଯାତ୍ରୀ ଭାବେ ନିଃଶଙ୍କ ଗତି କରିପାରେ । ତେଣୁ ସତ୍ୟବାଦୀ ଶିକ୍ଷା ପ୍ରଣାଳୀ ଓ ସାହିତ୍ୟ ସାଧନାରେ ଇତିହାସ ପ୍ରତି ଯଥେଷ୍ଟ ଅନୁରାଗ ପ୍ରକଟିତ । କୃପାସିନ୍ଧୁଙ୍କ ଇତିହାସ ଆଲୋଚନା ଓ ରଚନା ମଧ୍ୟରେ ଏହି ଅନୁରାଗର ସୂତ୍ର ନିହିତ । (ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ-୧୯୯୫, ପୃ-୩୯୭୩୯୮)

 

ସ୍ରଷ୍ଟାଙ୍କର ପ୍ରଥମ ରଚନା ହେଉଛି ‘ବାରବାଟୀ ଦୁର୍ଗ’ (୧୯୧୭) । ଗ୍ରଛାକାରରେ ପ୍ରକାଶିତ ହେବା ପୂର୍ବରୁ ଏହା ୧୯୧୩ ମସିହାରୁ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଉଥିଲା । ବାରବାଟୀ ଦୁର୍ଗ ହେଉଛି । ଓଡ଼ିଶାର ଅମଳିନ କୀର୍ତ୍ତି, ସୁପ୍ତ ଓଡ଼ିଆ ଜାତିର ମୁଖଶାଳା, ଉତ୍କଳୀୟ ଜନତାର ଜାତୀୟ ଭାବନାର ପ୍ରତୀକ ଏବଂ ଉତ୍କଳୀୟ ବିଜୟୀ ସମ୍ରାଟଙ୍କର ପ୍ରିୟ ଆବାସସ୍ଥଳ । କୃପାସିନ୍ଧୁ ଥିଲେ ଖୁବ୍ ସମୟ ସଚେତନ ସ୍ରଷ୍ଟା । ବିଂଶ ଶତକର ପ୍ରଥମ ଭାଗରେ ଉତ୍କଳୀୟ ଜନତାର ଦ୍ରଷ୍ଟା । ପରାଧୀନ ପ୍ରପୀଡ଼ିତ ଓଡ଼ିଆ ଜାତିର ଚିନ୍ତା-ଚେତନାକୁ ଲକ୍ଷ୍ୟ କରିବା ସହିତ ସେମାନଙ୍କ ହୃଦୟରେ ଜାତୀୟ ଜାଗରଣର ମନ୍ତ୍ର ଭରିଦେବା ନିମିତ୍ତ ସେ ରଚନା କରିଥିଲେ ‘ବାରବାଟୀ ଦୁର୍ଗ’ ପରି ଏକ ଦୀର୍ଘ ଐତିହାସିକ ପ୍ରବନ୍ଧ । ସମୟର ପ୍ରୟୋଜନୀୟତା ଏବଂ ବିଷୟ ବିନ୍ୟାସର ଉପାଦେୟତା ଦୃଷ୍ଟିରୁ ସେ କାଳରେ ଆଲୋଚ୍ୟ ଗ୍ରନ୍ଥର ଆବଶ୍ୟକତା ଥିଲା ଖୁବ୍ ଅଧିକ-। ସେଥିନିମିତ୍ତ ଫକୀରମୋହନ ଗ୍ରନ୍ଥର ପ୍ରାରମ୍ଭରେ ‘ମନ୍ତବ୍ୟ’ ଶୀର୍ଷକରେ ଉଲ୍ଲେଖ କରିଛନ୍ତି “ପ୍ରକୃତ ମୁଁ ସତ୍ୟକଥା ଲେଖୁଛି- ବାରବାଟୀ ପ୍ରବନ୍ଧଟି ଆପାତତଃ ଉତ୍କଳ ଭାଷା-ଭଣ୍ଡାରରେ ଗୋଟିଏ ମାଣିକ୍ୟ । xxx ଆଜି ପର୍ଯ୍ୟନ୍ତ ସାହିତ୍ୟରେ ଯେତେ ପ୍ରବନ୍ଧ ପ୍ରକାଶିତ ହୋଇଅଛି ସମସ୍ତଙ୍କ ଠାରୁ ବାରବାଟୀ ପ୍ରବନ୍ଧ ଶ୍ରେଷ୍ଠତମ ବୋଲି ଜ୍ଞାନ କରେ ।

 

କୃପାସିନ୍ଧୁଙ୍କ ଦୃଷ୍ଟିଥିଲା ଅତୀତମୁଖୀ । ଅତୀତର ଘନ ଅନ୍ଧକାର ଗହ୍ୱର ମଧ୍ୟରୁ ମୁକ୍ତ ସଂଗ୍ରହ କରି ସମକାଳୀନ ଜନତାଙ୍କୁ ସଚେତନ କରିବା ନିମିତ୍ତ ସେ ଥିଲେ ଅଙ୍ଗୀକାରବଦ୍ଧ । ଇତିହାସ ପ୍ରତି ତାଙ୍କର ଥିଲା ଗଭୀର ଶ୍ରଦ୍ଧା । ଇତିହାସ ସଚେତନ ନହେଲେ, ଅତୀତ ଗୌରବକୁ ଗୋଟିଏ ଜାତି ବିସ୍ମୃତ ହେଲେ ତା’ର ଭବିଷ୍ୟତ ଅନିଶ୍ଚିତ ହୋଇଯିବ- ଏହା ସେ ତାଙ୍କ ସମକାଳରେ ଉତ୍କଳରୁ ଶିକ୍ଷାଲାଭ କରିଥିଲେ । ପୁନଶ୍ଚ କବି ରାଧାନାଥଙ୍କ ‘ଦରବାର' କାବ୍ୟର “ଐତିହାସିକ ଏ ଦୁର୍ଗ ବାରବାଟୀ / ବୀରରକ୍ତପିଣ୍ଡେ ଗଢ଼ାଯାର ମାଟି “ପଦ ମଧ୍ୟରେ କୃପାସିନ୍ଧୁ ଅତୀତ ଉତ୍କଳର ମହାନ୍ ବୀରପୁରୁଷଙ୍କର କୀର୍ତ୍ତିକଳାପରେ ମନ୍ତ୍ରମୁଗ୍ଧ ହୋଇ ଉତ୍କଳୀୟ ମାନବ ସମ୍ମୁଖରେ ‘ବାରବାଟୀ ଦୁର୍ଗର ଅତୀତ କଥା ସହିତ ବର୍ତ୍ତମାନର ସମାଜ ଜୀବନର ବ୍ୟଥା କହିବାକୁ ପ୍ରୟାସୀ ହୋଇଥିଲେ । ଏ ଦିଗରେ ସ୍ରଷ୍ଟାଙ୍କୁ ତାଙ୍କର ଗବେଷକର ଦୃଷ୍ଟିଭଙ୍ଗୀ ସହିତ ଉତ୍କଳର ଅତୀତ ବିଭବ ଆକର୍ଷିତ କରିଥିଲା । ଫଳତଃ ଏହିଥିରୁ ହିଁ ଜନ୍ମନେଇଥିଲା ୧୯୧୭ ମସିହାରେ ‘ବାରବାଟୀ ଦୁର୍ଗ’ ।

 

ସ୍ରଷ୍ଟାଙ୍କର ‘ବାରବାଟୀ ଦୁର୍ଗ ଗ୍ରନ୍ଥଟି ଆଠଗୋଟି ଅଧ୍ୟାୟରେ ବିଭକ୍ତ ଐତିହାସିକ ପ୍ରବନ୍ଧମାନଙ୍କର ଏକ ସୁଶୋଭିତ ସଙ୍କଳନ । ଗ୍ରନ୍ଥଟିର ପ୍ରଥମ ଅଧାୟର ଉପକ୍ରମଣିକା ମଧ୍ୟରେ ସ୍ରଷ୍ଟା ରାଧାନାଥଙ୍କ ପ୍ରସିଦ୍ଧ ବ୍ୟଙ୍ଗାତ୍ମକ କାବ୍ୟର ‘ଐତିହାସିକ ଏ ଦୁର୍ଗ ବାରବାଟୀ’ ପ୍ରସଙ୍ଗ ଉତ୍‌ଥାପନ ମଧ୍ୟରେ ଉତ୍କଳୀୟ ଜନମାନସର ଜାତୀୟତାର ପ୍ରାଣସ୍ପନ୍ଦନ ଏବଂ ଓଡ଼ିଆ ଜାତି ପ୍ରୀତିର ପ୍ରତୀକ ‘ବାରବାଟୀ ଦୁର୍ଗ’ର କଥା ହିଁ କହିଛନ୍ତି । ବାରବାଟୀ ଦୁର୍ଗ ଏକଦା ‘‘ଉତ୍କଳ ଇତିହାସର ପ୍ରଧାନ ରଙ୍ଗସ୍ଥଳୀ ଥିଲା । ଉତ୍କଳର କେତେକେତେ ନରପତି ଏହାରି କୋଳରେ ଆଶ୍ରୟ ନେଇ ଲାଳିତ ପାଳିତ ଏବଂ କେତେ କେତେ ବିରାଟ ଘଟଣା ଏହାରି ପାର୍ଶ୍ୱରେ ସଂଘଟିତ ହୋଇ ଓଡ଼ିଆ ଜାତିର ମହତ୍ଵ ଭାରତ ଇତିହାସରେ ଟେକ ରଝିଅଛି । ଉତ୍କଳର ଭାଗ୍ୟଶ୍ରୀ ଏହି ବାରବାଟୀଦୁର୍ଗ ଉପରେ ବହୁକାଳ ପର୍ଯ୍ୟନ୍ତ ନିର୍ଭର କରିଥିଲା । x ଏହି ବାରବାଟୀ ଓଡ଼ିଆ ସେନାନୀଙ୍କର ଲକ୍ଷ୍ୟସ୍ଥଳ ଏବଂ ଉତ୍କଳ ଆକାଶର ଧ୍ରୁବତାରା ଥିଲା । ଓଡ଼ିଶା ଚତୁର୍ଦ୍ଦିଗରେ ଭୀଷଣ ସମର ସାଗରରେ ଭାସମାନ ଥିବା ସମୟରେ ତାହାର ଯୋଦ୍ଧୃବୃନ୍ଦ ଏହି ବାରବାଟୀକୁ ମାନସ ଚକ୍ଷୁରେ ଅବଲୋକନ କରି ନିଜ ନିଜର ଗତିବିଧ ନିର୍ଣ୍ଣୟ କରୁଥିଲେ । ଏହି ବାରବାଟୀ ଉତ୍କଳ ନରପତିମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ, ସର୍ପର ମଣି ଏବଂ ସ୍ଵର୍ଗର ପାରିଜାତ ସଦୃଶ ଥିଲା । ଷଷ୍ଠ ଶତାଧିକ ବର୍ଷ ପର୍ଯ୍ୟନ୍ତ ଏହି ବାରବାଟୀ ଉତ୍କଳ ନରପତି ଓ ଶାସନକର୍ତ୍ତାମାନଙ୍କର ଆଶ୍ରୟସ୍ଥଳ ଥିଲା । ଏହି ବାରବାଟୀ ହିଁ ଉତ୍କଳ ଏବଂ ବାରବାଟୀ ଦୁର୍ଗର ଇତିହାସ ହିଁ ଉତ୍କଳର ଇତିହାସ ।” (ବାରବାଟୀ ଦୁର୍ଗ, ପୃ-୧୦) ମାତ୍ର ଭାରତୀୟମାନେ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଯଥାର୍ଥ ଭାବରେ ଇତିହାସ ରକ୍ଷଣର ପରାଙ୍‍ମୁଖ ସହିତ ପାରତ୍ରିକତାରେ ତନ୍ମୟ ହୋଇ ନିଜର ଐତିହ୍ୟକୁ ହେୟଜ୍ଞାନ କରିଥିବାରୁ ଭାରତ ସମେତ ଓଡ଼ିଶାର ଇତିହାସ ମଧ୍ୟ ଘନ ଅନ୍ଧକାର ମଧ୍ୟରେ ରହିଥିଲା । ଅତୀତର ସେହି ବିସ୍ମୃତି ଗର୍ଭରୁ ସ୍ମରଣୀୟ ମୁହୂର୍ତ୍ତ ସହିତ ଉତ୍କଳୀୟ କଳା ଭାସ୍କର୍ଯ୍ୟ ତଥା ଜାତି ପ୍ରାଣକୁ ସାଇତି ରଖୁବାକୁ କୃପାସିନ୍ଧୁ ହିଁ ପଥକୃତ ଉଦ୍ୟମ ଆରମ୍ଭ କରିଥିଲେ । ଇତିହାସ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଶାଣିତ, ବିଶ୍ଳେଷଣଧର୍ମୀ, ବିଚାରନିଷ୍ଠା, ବୈଜ୍ଞାନିକ ଏବଂ ଚିନ୍ତାଶୀଳ । ସେଥିନିମିତ୍ତ କଲିକତାରେ ଏମ୍.ଏ. ଶ୍ରେଣୀରେ ଅଧ୍ୟୟନ କାଳରେ କଲିକତା ହାଇକୋର୍ଟର ତତ୍କାଳୀନ ଅବସରପ୍ରାପ୍ତ ବିଚାରପତି ବାବୁ ଶାରଦା ଚରଣ ମିତ୍ର ବଙ୍ଗଳା ଭାଷାରେ ଲିଖିତ ତାଙ୍କର ‘ଉତ୍କଳେ ଶ୍ରୀକୃଷ୍ଣ ଚୈତନ୍ୟ’ ଗ୍ରନ୍ଥରେ ‘ବାରବାଟୀ ଦୁର୍ଗ’କୁ ନେଇ ଯେଉଁ ତଥ୍ୟଗତ ଭୁଲ କରିଥିଲେ କୃପାସିନ୍ଧୁଙ୍କ ଜାତିପ୍ରାଣ ସେଥିରେ ବ୍ୟଥିତ ହୋଇ ସତ୍ୟପ୍ରକାଶ ନିମିତ୍ତ ନିର୍ଭୀକ ଭାବରେ ତାଙ୍କୁ ଏକ ଦୀର୍ଘ ପତ୍ର ଲେଖିଥିଲେ । ସେଦିନ କୃପାସିନ୍ଧୁଙ୍କର ସେହି ପତ୍ର ନିକଟରେ ବଙ୍ଗଳାର ତତ୍‌କାଳୀନ ପ୍ରାଜ୍ଞପୁରୁଷ ଶାରଦା ଚରଣ ନିଜର ଭୁଲ ସ୍ୱୀକାର କରିବା ସହିତ ତାହାକୁ ସଂଶୋଧନ କରି ନେଇଥିଲେ ।

 

ଗ୍ରନ୍ଥଟିର ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଅଧାୟରେ ଦୁର୍ଗ ନିର୍ମାଣ ସମୟ, ବାରବାଟୀର ଇତିହାସ, ବାରବାଟୀର ନବତଳ ପ୍ରାସାଦ ଓ ଓଡ଼ିଶାର ଇତିହାସ ଲେଖକଗଣ, ବାରବାଟୀ ଦୁର୍ଗ ବର୍ଣ୍ଣନା, ବାରବାଟୀ ଦୁର୍ଗ ଓ ତଦାନୀନ୍ତନ ଓଡ଼ିଶା, ଅନ୍ତିମ ଦଶା ପ୍ରଭୃତି ବର୍ଣ୍ଣିତ । ଗ୍ରନ୍ଥର ଅଷ୍ଟମ ଅଧାୟରେ ଐତିହାସିକ କୃପାସିନ୍ଧୁ ଉତ୍କଳୀୟ ଜନତାଙ୍କୁ ନିଜ ଜାତି ଓ ଦେଶ ସମ୍ପର୍କରେ ସଚେତନ କରିବା ପାଇଁ ଯାଇ ପ୍ରକାଶ କରିଛନ୍ତି- “ଓଡ଼ିଶାରେ ବର୍ତ୍ତମାନ ବଳ ନାହିଁ, ଧନ ନାହିଁ, ମାନନାହିଁ, ଜ୍ଞାନ ନାହିଁ, ମନ ନାହିଁ, ପ୍ରାଣ ପର୍ଯ୍ୟନ୍ତ ବି ନାହିଁ । ଓଡ଼ିଶା ଆଜି ନିର୍ଜୀବ ନିଃସନ୍ତାନ କହିଲେ ଚଳେ । ଯେଉଁ ଓଡ଼ିଆ ବୋଲି କହି ତୁମର ପୂର୍ବ ପୁରୁଷମାନେ ଅନ୍ୟାନ୍ୟ ଜାତିକୁ ପଦଦଳିତ କରୁଥିଲେ, ଯେଉଁ ଓଡ଼ିଆ ବୋଲି କହିବାମାତ୍ରେ ସେମାନଙ୍କ ହୃଦୟରେ ତେଜ, ବାହୁରେ ବଳ ଓ ମନରେ ଦାମ୍ଭିକତା ଆସୁଥିଲା, ଗଙ୍ଗାନଦୀ ଠାରୁ କୁମାରିକା ପର୍ଯ୍ୟନ୍ତ ସମସ୍ତ ଭୂଖଣ୍ଡରେ ଓଡ଼ିଆ ଜୟପତାକା ଉତୀୟମାନ ଥିଲା,++ ସେହି ଓଡ଼ିଆ ବୋଲି ପରିଚୟ ଦେବାକୁ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଘୃଣାବୋଧ ହେଉଅଛି; ସେହି ଓଡ଼ିଆ ବୋଲି କହି ତୁମ୍ଭେମାନେ ଆଜି ପରଦ୍ୱାରେ ।” (ବାରବାଟୀ ଦୁର୍ଗ, ପୃ-୪୩)

 

ଗ୍ରନ୍ଥର ଦ୍ଵିତୀୟ ଅଧ୍ୟାୟରେ ବାରବାଟୀ ଦୁର୍ଗର ନିର୍ମାଣ କାଳ ସ୍ଥିର ସହିତ ସ୍ରଷ୍ଟା ନିର୍ମାତାଙ୍କ ସମ୍ପର୍କରେ ପାଠକର ଦୃଷ୍ଟି ଆକର୍ଷଣ କରିଛନ୍ତି । ତୃତୀୟ ଅଧ୍ୟାୟରେ ବାରବାଟୀ ଦୁର୍ଗର ଇତିହାସ ମଧ୍ୟରେ କୃପାସିନ୍ଧୁ କଳାପାହାଡ଼ର ଉତ୍କଳୀୟ ମନ୍ଦିର ଧ୍ୱଂସ ସମ୍ପର୍କିତ କିମ୍ବଦନ୍ତୀକୁ ମିଶାଇ ଦେଇ ଏକ କାବ୍ୟକ ରମ୍ୟ ଦିଗବଳୟ ସୃଷ୍ଟି କରିଛନ୍ତି । ଗ୍ରନ୍ଥର ଚତୁର୍ଥ ଅଧାୟରେ ଲେଖକଙ୍କର ଇତିହାସ ଦୃଷ୍ଟି ଖୁବ୍ ଉଚ୍ଚକୋଟୀର ମନେହୁଏ । ଏହି ପ୍ରସଙ୍ଗରେ ସେ ରାଜେନ୍ଦ୍ର ଲାଲ ମିତ୍ରଙ୍କର Antiquities of Orissa ସମେତ ଫରଗୁସନଙ୍କ Indian and Eastern Architecture, ସୌରୀନ୍ଦ୍ର ନାଥ ମୁଖୋପାଧ୍ୟାୟଙ୍କ ‘ଦରିଆ’ ଗ୍ରନ୍ଥ ଅଧ୍ୟୟନ ସହିତ ଆବୁଲ୍ ଫାଜଲଙ୍କ ‘ଆଇନୀ ଆକବରୀ’ ଗ୍ରନ୍ଥର ଅନୁବାଦ, ହଣ୍ଟର, ଷ୍ଟଲିଙ୍ଗ, ମନମୋହନ ଗାଙ୍ଗୁଲୀ ପ୍ରଭୃତିଙ୍କର ଉତ୍କଳ ସମ୍ପର୍କିତ ଗ୍ରନ୍ଥକୁ ଅନୁଶୀଳନ କରିବା ପ୍ରସଙ୍ଗ ସୂଚାଇଛନ୍ତି ।

 

ଗ୍ରନ୍ଥର ଷଷ୍ଠ ଅଧାୟ ଅନ୍ତର୍ଗତ ‘ବାରବାଟୀ ଦୁର୍ଗ ଓ ତଦାନୀନ୍ତନ ଓଡ଼ିଶା’ ମଧ୍ୟରେ କୃପାସିନ୍ଧୁ ଅତୀତ ଗଜପତିଙ୍କ ସମକାଳୀନ ଓଡ଼ିଶା ଓ ତାଙ୍କ ସମୟର ଓଡ଼ିଶାକୁ ତୁଳନା କରିଛନ୍ତି । ବାରବାଟୀ ଦୁର୍ଗ ସମ୍ପର୍କରେ ନିଜ ବକ୍ତବ୍ୟ ଉଲ୍ଲେଖ କରି ସେ କହିଛନ୍ତି- ବାରବାଟୀ ଦୁର୍ଗ ଯେତେବେଳେ ଉନ୍ନତିର ଚରମ ସୀମାରେ ପ୍ରବେଶ କରିଥିଲା, ଯେତେବେଳେ ଏହା ଓଡ଼ିଆ ଗଜପତିଙ୍କୁ କୋଳରେ ଧାରଣ କରି ଚିର ଶାରଦ ଚନ୍ଦ୍ରମାର ରଜତାଚ୍ଛାଦିତ ଚିତ୍ରୋତ୍ପଳା ଜଳରେ ସଗର୍ବରେ ସ୍ୱମୁଖ ନିରୀକ୍ଷଣ କରୁଥିଲା, ସେତେବେଳେ ଉତ୍କଳ ବର୍ତ୍ତମାନ ଉତ୍କଳ ରୂପ ନିର୍ଜୀବ, ପ୍ରିୟମାଣ କୁକ୍ଷିମ୍ବରି ନଥିଲା ।’’ (ବାରବାଟୀ ଦୁର୍ଗ, ପୃ-୨୮୮ ୨୯) ମାତ୍ର ବିଂଶ ଶତକର ଆଦ୍ୟପାଦରେ ବାରବାଟୀ ଦୁର୍ଗ ଯେପରି ଭଗ୍ନ ଅବସ୍ଥାକୁ ଆସିଛି, ତାହା ଇତିହାସପ୍ରାଣ କୃପାସିନ୍ଧୁଙ୍କ ମନରେ ଭୀଷଣ ଦୁଃଖ ଦେଇଛି । ଦୁର୍ଗର ଭଗ୍ନାବଶେଷକୁ ନେଇ ତାଙ୍କ ମନରେ ନାନା ସନ୍ଦେହ ଓ ପ୍ରଶ୍ନ ଉଙ୍କିମାରିଛି । ଏ କ୍ଷେତ୍ରରେ ଟୟନବିଙ୍କ ମତକୁ ଉଦ୍ଧାର କରି ଇଂରେଜମାନଙ୍କ ଦ୍ଵାରା ଏହି ଦୁର୍ଗ ଧ୍ୱଂସ ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ‘‘ବାରବାଟୀ ଦୁର୍ଗ ଇଂରେଜମାନଙ୍କ ଅକୃତ ହେଲା; x x ଏହି ଦୁର୍ଗ କିପରି ଭଗ୍ନ ହେଲା ? x x ଟୟବି (Toynbee) ସ୍ତ୍ରୀୟ ଓଡ଼ିଆରେ କହନ୍ତି ଯେ, ଉତ୍କଳର ଏ ଅଭେଦ୍ୟ ଦୁର୍ଗ ଓ ସୁରମ୍ୟ ପ୍ରାସାଦ ଇଂରେଜମାନଙ୍କ ଦ୍ଵାରା ଭଗ୍ନ ହୋଇଅଛି ।’’ (ବାରବାଟୀ ଦୁର୍ଗ, ପୃ-୩୯) ।

 

ଗ୍ରନ୍ଥକାର ବହୁ ହର୍ଷ ବିଷାଦ ମଧ୍ୟରେ ଏହି ଗ୍ରନ୍ଥ ରଚନା ଶେଷ କରିବା କଥା ଗ୍ରନ୍ଥର ଉପସଂହାରରେ ସ୍ୱୀକାର କରିଛନ୍ତି । ତାଙ୍କ ସମକାଳୀନ ଓଡ଼ିଶାର ଦୈନ୍ୟ ଓ ଦୁଃଖକୁ ସେ ଭୁଲିପାରି ନାହାନ୍ତି । ଭିକ୍ଷାର୍ଥୀ ହେବା ଯେଉଁ ଓଡ଼ିଆମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ । ସେମାନଙ୍କ ମଧ୍ୟରେ ଆସିଛି ଆକସ୍ମିକ ବିପର୍ଯ୍ୟୟ । ଅତୀତର ଗୌରବାବହ ଉତ୍କଳ କଥା କହି ସେ ସେହି ହୀନବୀର୍ଯ୍ୟ ଓଡ଼ିଆଙ୍କୁ ପ୍ରଶ୍ନ ପଚାରିଛନ୍ତି- “ତୁମ୍ଭେମାନେ ସେହି । ଓଡ଼ିଆଙ୍କର ବଂଶଧର । ତୁମ୍ଭେମାନେ କିପରି ପରଦ୍ୱାରେ ‘ଦେହି ଦେହି’ ହୋଇ ଦଣ୍ଡାୟମାନ ହେଉଅଛ ? ତୁମ୍ଭେମାନେ କିପରି ଏହି ବୀର କ୍ଷେତ୍ର, ଓଡ଼ିଆ ଜାତୀୟ ଜୀବନର ପବିତ୍ର ପୀଠସ୍ଥଳୀ ବାରବାଟୀକୁ ସମ୍ମୁଖରେ ଦର୍ଶନ କରି ଅନାହାରୀ ପଦ ଲାଳସାରେ, ପର ନିକଟରେ ଭିକ୍ଷାର୍ଥୀ ହୋଇ ଚିତ୍କାର କରୁଅଛ? X ପବିତ୍ର ଭୂମିକୁ ତୁମ୍ଭପରି ନିର୍ଜୀବ ଜୀବମାନେ କିପରି କଳଙ୍କିତ କରୁଅଛନ୍ତି ?’’ (ବାରବାଟୀ ଦୁର୍ଗ, ପୃ-୪୫) ଅନ୍ୟକୁ ହାତ ପାତିବା, ଭିକ୍ଷାବୃତ୍ତି କରିବା ବା ଅନ୍ୟର ଆଶ୍ରୟପାର୍ଥୀ ହେବାକୁ ସେ କୁଣ୍ଠାବୋଧ କରିଛନ୍ତି । ସୁତରା ଆଲୋଚ୍ୟ ଗ୍ରନ୍ଥର ଶେଷ ବେଳକୁ ଓଡ଼ିଶାର ଜାତୀୟତା, ସ୍ଵାଧୀନତା ପ୍ରସଙ୍ଗ ଉଲ୍ଲେଖ କରି ଉତ୍କଳୀୟ ଜାତୀୟ ଜୀବନର ବିକାଶ ନିମିତ୍ତ ସେ ସୁପ୍ତ ଓ ସ୍ଥାଣୁ ପ୍ରାୟ ଓଡ଼ିଆଙ୍କୁ ଆହ୍ୱାନ ଜଣାଇ କହିଛନ୍ତି “ଭାଇ ! ମନରେ ଯଦି ଓଡ଼ିଆ ବୋଲି ଗର୍ବ ଅଛି, ବାହୁରେ ଯଦି ଓଡ଼ିଆର ବଳ ଅଛି, ତେବେ ସେ ମନ ଦ୍ଵାରା ଚାଳିତ ହୋଇ ପରଦ୍ୱାରେ ଭିକ୍ଷା ନିମନ୍ତେ ସେ ବାହୁ ପ୍ରସାର କରିନାହିଁ । ଥରେ ଏ ବୀରକ୍ଷେତ୍ର ପୁଣ୍ୟଧାମ ବାରବାଟୀ ନିରୀକ୍ଷଣ କର, ଏହି ବାରବାଟୀର ପୂର୍ବ ସ୍ମୃତି ଭାବି ଏହା ନିକଟରେ ନୀରବରେ ଅଶ୍ରୁମୋଚନ କର । XXX ଆତ୍ମନିର୍ଭରଶୀଳ ହୋଇ ନିଷ୍କାମ କର୍ମ ସାଧନାରେ ପ୍ରତିଜ୍ଞା କର; ତାହା ହେଲେ ତୁମ୍ଭେ ପବିତ୍ର ହେବ, ମନ ନିର୍ମଳ ହେବ, ହୃଦୟ ବଜ୍ରସମ କଠିନ ହେବ, ତୁମ୍ଭ ହୃଦୟରେ ପୂର୍ବ ଓଡ଼ିଆଙ୍କ ଅମିତ ତେଜ ଓ ଦାୟିକତା ପୁନର୍ବାର ଜାଗରୁକ ହେବ । ତୁମ୍ଭ ଆଉ ଏହି ସଂସାର ରଙ୍ଗମଞ୍ଚରେ ହୀନ ଉତ୍କଳୀୟ ହୋଇ ରହିବ ନାହିଁ ।’’ (ବାରବାଟୀ ଦୁର୍ଗ, ପୃ୪୬) ସୁତରାଂ ଏହାରି ମଧ୍ୟରେ ଉତ୍କଳୀୟ ନରପତିମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ ସର୍ପର ମଣି ଏବଂ ସ୍ଵର୍ଗର ପାରିଜାତ ସଦୃଶ ଏହି ବାରବାଟୀ ଦୁର୍ଗକୁ ନବ ବିଭାରେ ମଣ୍ଡିତ କରି ସ୍ରଷ୍ଟା କୃପାସିନ୍ଧୁ ଉତ୍କଳର ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ପ୍ରାଚୀନ ଐତିହାସିକ ଦୁର୍ଗ ମାଧ୍ୟମରେ ଏକ ଉତ୍କଳ ସମ୍ଭାବନା ସୃଷ୍ଟି କରିଛନ୍ତି ।

 

କୃପାସିନ୍ଧୁଙ୍କ ରଚିତ ଦ୍ୱିତୀୟ ଐତିହାସିକ ଗ୍ରନ୍ଥ ହେଉଛି କୋଣାର୍କ (୧୯୧୯) ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦେବା ଓ ସେହି ସୁଯୋଗରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ସହିତ ଅତୀତ ଓଡ଼ିଶାର ଇତିହାସ ସମ୍ବନ୍ଧରେ ଗଭୀର ଅଧ୍ୟୟନ ଓ ଗବେଷଣାର ଫଳସ୍ୱରୂପ ପ୍ରକାଶ ପାଇଥିଲା ‘କୋଣାର୍କ’ । ଏହି ଗ୍ରନ୍ଥ ରଚନା କାଳକୁ କୃପାସିନ୍ଧୁଙ୍କ ସମ୍ମୁଖରେ ରାଜେନ୍ଦ୍ର ଲାଲ୍ ମିତ୍ରଙ୍କର ‘Antiquitids of Orissa’, ମନମୋହନ ଗାଙ୍ଗୁଲୀଙ୍କ ‘Orissa and her remains’, ବିଶନ୍‍ ସ୍ୱରୂପଙ୍କ ‘Konark’ ହଣ୍ଟରଙ୍କର ‘ଓଡ଼ିଶା ଇତିହାସ ପ୍ରଭୃତି ପୁସ୍ତକଗୁଡ଼ିକ ରହିଥିଲା । ମାତ୍ର କୋଣାର୍କର ଇତିହାସ ଓ କିମ୍ବଦନ୍ତୀ ସମ୍ପର୍କରେ ଏହି ଗ୍ରନ୍ଥଗୁଡ଼ିକ ଯେ ସ୍ୱୟଂସମ୍ପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ତାହା ଆଦୌ କହିହୁଏ ନାହିଁ । ସୁତରାଂ କୃପାସିନ୍ଧୁ ଉପର୍ଯ୍ୟୁକ ଗ୍ରନ୍ଥକୁ ଗଭୀର ଭାବେ ଅଧ୍ୟୟନ କରିବା ସହିତ ଉତ୍କଳର ଅତୀତ ଇତିହାସକୁ ତନ୍ନ ତନ୍ନ କରି ଅନୁଶୀଳନ କରିଛନ୍ତି । ଫଳତଃ ତାଙ୍କର ଆଲୋଚ୍ୟ ଗ୍ରନ୍ଥଟି କୋଣାର୍କ ସମ୍ପର୍କିତ ଏକ ପୂର୍ଣ୍ଣାଙ୍ଗ ଗବେଷଣାଭିତ୍ତିକ ପ୍ରଥମ ପ୍ରାମାଣିକ ଗ୍ରନ୍ଥ ଭାବରେ ଅନୁସନ୍ଧିତ୍ସୁ ପାଠକର ବହୁ ସମସ୍ୟା ଦୂରକରି ପାରିଛି ।

 

‘କୋଣାର୍କ’ ଗ୍ରନ୍ଥର ନବମ ଅଧ୍ୟାୟରେ ‘ମନ୍ଦିର ନିର୍ମାଣ କାଳ’ ସମ୍ପର୍କରେ ନିଜ ମତକୁ ଦୃଢ଼ଭାବରେ ଉପସ୍ଥାପନ କରିବା ଅବସରରେ ସ୍ରଷ୍ଟା କୃପାସିନ୍ଧୁ କୋଣାର୍କର । ଇତିହାସ ସମ୍ପର୍କିତ ଐତିହାସିକମାନଙ୍କ ପୂର୍ବମତ ଉପରେ ଘୋର ସନ୍ଦେହ ପ୍ରକଟ କରିଛନ୍ତି । ତାଙ୍କ ଦୃଷ୍ଟିରେ ଇତିହାସ ଲେଖିଲାବେଳେ ‘ଇତିହାସ ଲେଖକମାନେ ନାନା ମତ ପ୍ରଖ୍ୟାପନ କରିବାର ଦେଖାଯାନ୍ତି । କୌଣସି ଦୁଇଜଣ ଲେଖକ ଗୋଟିଏ ବିଷୟରେ ଏକମତ ଥିବାର ବଡ଼ କ୍ୱଚିତ୍ ଦେଖାଯାଏ । xxx ଏପରି ସ୍ଥଳିରେ ଇତିହାସ ଲେଖିବାର ଉପକରଣ ଆଉ କାହିଁ ରହିଲା ? ଓଡ଼ିଶାର ଇତିହାସ ଲେଖକମାନେ ବର୍ତ୍ତମାନ ଯେ ପରସ୍ପରଠାରୁ ଏତେ ପୃଥକ ମତମାନ ବ୍ୟକ୍ତ କରନ୍ତି, ତାହାର ପ୍ରଧାନ କାରଣ, ସେମାନେ ଓଡ଼ିଶାରେ ଯାହାକିଛି ଐତିହାସିକ ଉପକରଣମାନ ଅଛି, ତାହା ଏକାବେଳକେ ପରିତ୍ୟାଗ କରୁଅଛନ୍ତି ଏବଂ ଆପଣାର ବ୍ୟକ୍ତିଗତ ରୁଚି ଓ କଳ୍ପନା ପ୍ରଭାବରେ ପରିଚାଳିତ ହୋଇ ଇତିହାସ ଲେଖିବାକୁ ବସୁଅଛନ୍ତି । ସ୍ଥୁଳତଃ ସେମାନେ ଇତିହାସ ଲେଖିନାହାନ୍ତି ବରଂ ଇତିହାସ ତିଆରି କରୁଛନ୍ତି । ଏପରି ରୂପେ ତିଆର ଇତିହାସ ଦ୍ଵାରା ଦେଶର ମଙ୍ଗଳ ଆଶା ଦୂରେ ଥାଉ, ଅମଙ୍ଗଳର ଆଶଙ୍କା ବରଂ ଦିନକୁ ଦିନ ବଢ଼େ ।’’ (କୋଣାର୍କ ୧୯୭୭, ପୃ ୧୩୩/୧୩୪) ସେଥିନିମିତ୍ତ ଆଲୋଚ୍ୟ ଗ୍ରନ୍ଥରଚନା ଅବକାଶରେ ସ୍ରଷ୍ଟା କୃପାସିନ୍ଧୁ ପୁରାଣ ଓ କିମ୍ବଦନ୍ତୀର କପୋଳକଳ୍ପିତ ଘଟଣାବଳୀ ଉପରେ ଆଦୌ ଗୁରୁତ୍ୱ ଦେଇନାହାନ୍ତି । ତାଙ୍କ ଦୃଷ୍ଟିରେ- ପୁରାଣ ଓ କିମ୍ବଦନ୍ତୀ ଯେତେ ପୂର୍ଣ୍ଣ ବା ଦୃଢ଼ ହେଉ ପଛକେ, ସେଗୁଡ଼ିକର ଆଦୌ ଐତିହାସିକ ଭିତ୍ତି ନାହିଁ । ଐତିହାସିକ ତତ୍ତ୍ୱାନ୍ୱେଷଣ କ୍ଷେତ୍ରରେ ଏହା ଅତ୍ୟନ୍ତ ହେୟ । ଏହି କଥାକୁ ପ୍ରମାଣ କରିବାକୁ ଯାଇ ସ୍ରଷ୍ଟା ଗ୍ରନ୍ଥର ପ୍ରଥମ ଅଧ୍ୟାୟରେ ମୈତ୍ରେୟ ବନ କୋଣାର୍କର ପ୍ରାଥମିକ ନାମ ଶାମ୍ବ ଉପାଖ୍ୟାନ, ଦ୍ଵିତୀୟ ଅଧ୍ୟାୟରେ ପ୍ରାଚୀନ ଭାରତରେ ସୂର୍ଯ୍ୟ ଉପାସନା, ସହିତ କୋଣାର୍କ ମାହାତ୍ମ୍ୟ ଓ ଏହାର ପୌରାଣିକ ପ୍ରସିଦ୍ଧି ଏବଂ ତୃତୀୟ ଅଧ୍ୟାୟରେ ‘କୋଣାର୍କ’ର ଐତିହାସିକ ଗୌରବ ଭିଭିରେ ପ୍ରାଚୀ ମୁହାଣରେ ଥିବା ‘ଚେଳିତାଳୋ’, ‘ଦନ୍ତପୁର’ ପ୍ରଭୃତି ଐତିହାସିକ ବନ୍ଦର ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିଛନ୍ତି । ଗ୍ରନ୍ଥର ଚତୁର୍ଥ ଅଧ୍ୟାୟରେ ସ୍ରଷ୍ଟା ଆବୁଲ୍ ଫାଜଲଙ୍କ ‘ଆଇନୀ ଆକବରୀ’ ଗ୍ରନ୍ଥରେ ଥିବା କୋଣାର୍କ ସମ୍ବନ୍ଧୀୟ ବର୍ଣ୍ଣନା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଆବୁଲ ଫାଜଲ ଷୋଡ଼ଶ ଶତାବ୍ଦୀର ଶେଷାଂଶରେ ଓଡ଼ିଶା ପରିଭ୍ରମଣରେ ଆସିବା ଅବକାଶରେ କୋଣାର୍କକୁ ପ୍ରତ୍ୟକ୍ଷ ଭାବରେ ନଦେଖିବ ସେ ସମ୍ପର୍କରେ ଯାହା ଶୁଣିଥଲେ, ତାହାକୁ ତାଙ୍କ ଗ୍ରନ୍ଥରେ ରୂପ ଦେଇଛନ୍ତି । ମାତ୍ର କୃପାସିନ୍ଧୁ ‘କୋଣାର୍କ’ ଗ୍ରନ୍ଥ ରଚନା କାଳରେ ଆବୁଲ ଫାଜଲଙ୍କ କୋଣାର୍କ ସମ୍ପର୍କିତ ପ୍ରଦତ୍ତ ତଥ୍ୟ ଉପରେ ସନ୍ଦେହ ପ୍ରକଟ କରିବା ସହିତ ଗ୍ରନ୍ଥର ପରବର୍ତ୍ତୀ ଅଧାୟରେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

 

ଗ୍ରନ୍ଥର ଶେଷ ପର୍ଯ୍ୟାୟରେ ସ୍ରଷ୍ଟା ଉଲ୍ଲେଖ କରିଛନ୍ତି- କୋଣାର୍କର ‘‘ପୁରାଣ ମହିମା ଆଉ ବର୍ତ୍ତମାନ ନାହିଁ । ସ୍ୱନାମଧନ୍ୟ ଚିତ୍ରୋତ୍ପଳାର ସେ ପୁଣ୍ୟବାରୀ ଅନନ୍ତ ସାଗରର ପ୍ରେମାଲିଙ୍ଗନ ନିମନ୍ତେ ଆଉ ପ୍ରବାହିତ ହେଉନାହିଁ । କେବଳ ନାମମାତ୍ର ବ୍ୟତୀତ ଚନ୍ଦ୍ରଭାଗାର ସେ ପୂଣ୍ୟସୋତ୍ର ଆଉ ଦେଖାଯାଏ ନାହିଁ । XXX ଓଡ଼ିଆ ଜାତିର କୀର୍ତ୍ତିସ୍ତମ୍ଭ କୋଣାର୍କ ଚିରକାଳ ନିମନ୍ତେ ଅସ୍ତମିତ । ଯୁଗ ଯୁଗ ବ୍ୟାପୀ କେତେ ନୀରବ ସାଧନା, କେତେ ନିର୍ମମ ଅଧ୍ୟବସାୟ, କେତେ ଗଭୀର ଚିନ୍ତା ଓ ଧାନ କୋଣାର୍କ ଦେବଙ୍କ ସହିତ ବର୍ତ୍ତମାନ ଅନ୍ତର୍ହିତ ହୋଇଅଛି ।’’ ‘କୋଣାର୍କ (୧୯୭୭), ପୃ-୨୭୮ ୨୭୯) । ପୁନଶ୍ଚ ସେ ସମ୍ପର୍କରେ ସେ ଆହୁରି କହିଛନ୍ତି ଯେ- “ଆଜି ନାନା ବିପର୍ଯ୍ୟୟ ମଧ୍ୟରେ ଭାରତୀୟ ଆର୍ଯ୍ୟଜାତିର ଯେ ସତ୍ତା ଦେଖିବାକୁ ମିଳେ, ତାହା କେବଳ ଜାତୀୟ ସାହିତ୍ୟ, ଜାତୀୟ କଳା, ଜାତୀୟ ଶିଳ୍ପ । XXXଇଞ୍ଜିନିୟର ‘ଶିବେଇ ସାନ୍ତରା’ ନାହାନ୍ତି କି ‘ବାର ଶହ ବଢ଼େଇ’ ନାହାନ୍ତି; ପ୍ରତ୍ୟେକଙ୍କର ବଂଶାନୁୟରେ କେହି ଉତ୍ତରାକାରୀ ଅଛନ୍ତି କି ନାହିଁ ସନ୍ଦେହ । ସେ ରାଜା ନରସିଂହ ନାହାନ୍ତି କିମ୍ବା ଆଉ ଯେ ଶତ ସହସ୍ର ଲୋକେ କୋଣାର୍କ-କର୍ମରେ ମନପ୍ରାଣ ଢାଳି ଦେଇଥିଲେ, ସେମାନେ କେହି ନାହାନ୍ତି, ଅଛି କେବଳ ଭୀମକାନ୍ତ ବିରାଟ ବ ଭଗ୍ନ କୋଣାର୍କ ଭବନ- ବିଜନ ସୈକତ ପ୍ରାନ୍ତରରେ ଅଦ୍ୟାପି ଓଡ଼ିଆ ଜାତିର ଅବିନଶ୍ୱର କୀର୍ତ୍ତିସ୍ତମ୍ଭ ।’’ (କୋଣାର୍କ ୧୯୭୭, ପୃ ୨୯୧/୨୯୨) ଆଲୋଚ୍ୟ ଗ୍ରନ୍ଥରେ ଏସବୁ ବର୍ଣ୍ଣନା ମଧ୍ୟରେ ପୂର୍ବ ଆଲୋଚିତ ବିଭିନ୍ନ ଐତିହାସିକଙ୍କର କୋଣାର୍କ ସମ୍ପର୍କିତ ମତାମତକୁ କୃପାସିନ୍ଧୁ ଦୃଢ଼ ଭାବରେ ଖଣ୍ଡନ କରି ନିଜସ୍ୱ ମତକୁ ଦୃଢ଼ କରିଛନ୍ତି । ଏ କ୍ଷେତ୍ରରେ ସେ ବହୁ ଶାସ୍ତ୍ର ଅଧ୍ୟୟନପୂର୍ବକ ଉତ୍କଳୀୟ ଜନତାର ପ୍ରାଚୀନ ପୌରାଣିକ ମତକୁ ତନ୍ନ ତନ୍ନ କରି ପରୀକ୍ଷା କରିଛନ୍ତି । ଫଳତଃ କୋଣାର୍କ ଗ୍ରନ୍ଥଟି ଗଭୀର ବିଚାରବୋଧ ସହିତ ଅନୁସନ୍ଧିତ୍ସା ଉପରେ ପର୍ଯ୍ୟବସିତ ଓ ଯୁକ୍ତି ରସାଣିତ ହୋଇପାରିଛି ।

 

କୃପାସିନ୍ଧୁ ସତ୍ୟବାଦୀ ଯୁଗର ସ୍ରଷ୍ଟା, ବିଂଶ ଶତକର ଉତ୍କଳୀୟ ଜାତୀୟ ଜାଗରଣର ଅନ୍ୟତମ ମନ୍ତ୍ରଦାତା । ‘ବାରବାଟୀ ଦୁର୍ଗ’ ଓ ‘କୋଣାର୍କ’ ସେହି ମନ୍ତ୍ରର ଏକ ଏକ ମାର୍ମିକ ଉଚ୍ଚାରଣ-। ଜାତୀୟତାର ପ୍ରାଣ ପ୍ରକାଶ, ଜାତୀୟ ଭାବର ଅଭିବ୍ୟଞ୍ଜକ । ଏସବୁ ଅତୀତର ମୂକସାକ୍ଷୀ ହେଲେ ହେଁ ଜାତିପ୍ରାଣ କୃପାସିନ୍ଧୁ ଅତୀତର ସେହି ଜଡ଼ବସ୍ତୁ ମଧ୍ୟରେ ପୂର୍ବପୁରୁଷର ପ୍ରାଣସ୍ୱର୍ଶୀ ବାଣୀରେ ଅଭିମନ୍ତ୍ରିତ ହୋଇଛନ୍ତି । ତାହାରି ମଧ୍ୟରେ ପ୍ରତିଧ୍ୱନିତ ହୋଇଛି ଉତ୍କଳର ଜାତୀୟ ଜୀବନ, କଳା ଓ ସଂସ୍କୃତି । ସେଠାରେ କୋଣାର୍କ ଆଉ ନଗ୍ନ ମୂର୍ତ୍ତି ପରି ପ୍ରସ୍ତରଖଣ୍ଡ ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ-। ଓଡ଼ିଶାକୁ ଜାଗ୍ରତ କରିବା ପାଇଁ ଏକ ଦିଗ ନିର୍ଦ୍ଦେଶକାରୀ କଳା-ଚାତୁରୀର ରୂପ ନେଇ ତା ସାମ୍ନାରେ ଉଦ୍ଭାସିତ ହୋଇଛି । ଏହିଠାରୁ ହିଁ ଉତ୍କଳୀୟ ଜନତା ମଧ୍ୟରେ ଆସିଛି ପୁନର୍ଜାଗରଣ ଏବଂ ଅତୀତ ପ୍ରତି ଗଭୀର ମୋହ ଓ ଆକର୍ଷଣ ।

 

କୃପାସିନ୍ଧୁଙ୍କ ପରବର୍ତ୍ତୀ ଲିଖିତ ଗ୍ରନ୍ଥ ହେଉଛି ‘ଉତ୍କଳ ଇତିହାସ’ (୧୯୨୬) । ‘ବାରବାଟୀ ଦୁର୍ଗ’ ଓ ‘କୋଣାର୍କ’ ଗ୍ରନ୍ଥ ରଚନା କାଳରେ ଓଡ଼ିଶାର ଐତିହ୍ୟ, ପରମ୍ପରା, ସଭ୍ୟତା, ସଂସ୍କୃତି, କଳା ପ୍ରଭୃତିକୁ ଜଣେ ନିରପେକ୍ଷ ବିଚାରବନ୍ତ ଗବେଷକ ଦୃଷ୍ଟିରେ ଦେଖି ତାହାକୁ ଗ୍ରନ୍ଥ ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ପ୍ରୟାସୀ ହୋଇ କୃପାସିନ୍ଧୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହାର ଫଳଶ୍ରୁତି ହେଉଛି ତାଙ୍କ ରଚିତ ‘ଉତ୍କଳ ଇତିହାସ’ । ସତ୍ୟବାଦୀ ବନବିଦ୍ୟାଳୟର ପରମ ଶ୍ରଦ୍ଧେୟ ଛାତ୍ରମାନଙ୍କର ଅଳି ‘ସାର’, ‘ବାରବାଟୀ’ ପରେ ‘କୋଣାର୍କ’, ‘କୋଣାର୍କ’, ପରେ ‘ସତ୍ୟବାଦୀ’, ତା ପରେ ଆରମ୍ଭ କରିବେ ‘ଭୁବନେଶ୍ୱର’ ନା ‘ଜଗନ୍ନାଥ ?’ର ଉତ୍ତରରେ କୃପାସିନ୍ଧୁ କହନ୍ତି ‘‘ମୁଁ ତ ସବୁ ଲେଖିଦେଇ ଯିବି, ଆଉ ତୁମେ ସବୁ ଆମଠାରୁ ଶିଖିଲ କ’ଣ ? ତୁମେ ସବୁ ଆଉ କି ଇତିହାସ ଚର୍ଚ୍ଚା କରିବ ?’’ (ଐତିହାସିକ କୃପାସିନ୍ଧୁ (୧୯୬୨), ପୃ୧୭୪) ଓଡ଼ିଶାରେ, ଉତ୍କଳ ଇତିହାସର ଅଭାବ ଲକ୍ଷ୍ୟ କରି ତାହାର ପରିପୂରଣ ନିମିତ୍ତ ଇତିହାସ ରଚନାର ପ୍ରସ୍ତୁତି ପର୍ବ ସ୍ୱରୂପ ୧୯୧୬-୧୯୨୫ ମସିହା ମଧ୍ୟରେ କୃପାସିନ୍ଧୁ ଅଧ୍ୟାପକ ଯଦୁନାଥ ସରକାରଙ୍କ ‘Studies in the Mughal Empire’ଠାରୁ ଆରମ୍ଭ କରି ହଣ୍ଟରଙ୍କ ‘ଓଡ଼ିଶା ଇତିହାସ’ ପର୍ଯ୍ୟନ୍ତ ସୁପ୍ରାପ୍ୟ, ଦୁଷ୍ପାପ୍ୟ, କ୍ଷୁଦ୍ର ଓ ବୃହତ୍ ସକଳ ଐତିହାସିକ ଗ୍ରନ୍ଥ ଅଧ୍ୟୟନ କରି ଆବଶ୍ୟକୀୟ ବିଷୟବସ୍ତୁ ସବୁ ତାଙ୍କ ନୋଟ ଖାତାରେ ଟିପି ରଖୁଥିଲେ । ପ୍ରକାଶକଙ୍କ ଅନୁରୋଧ ଓ ତାଙ୍କ ବନ୍ଧୁବର୍ଗଙ୍କର ବାରମ୍ବାର ଜିଦ୍ ଯୋଗୁ ନିଜ ଇଚ୍ଛା ବିରୁଦ୍ଧରେ ଶେଷରେ ୧୯୨୫ ମସିହା ବେଳକୁ ତାଙ୍କୁ ଏକ ସଂକ୍ଷିପ୍ତ ‘ଉତ୍କଳ ଇତିହାସ’ ଲେଖିବାକୁ ପଡ଼ିଲା । ମାତ୍ର ଗ୍ରନ୍ଥଟି ଆଲୋକକୁ ଆସିବା ପୂର୍ବରୁ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ୧୯୨୬ ମସିହାରେ ଅକାଳରେ ଆକସ୍ମିକ ବିୟୋଗ ଘଟିବାରୁ ଗ୍ରନ୍ଥଟି ଅସମ୍ପୂର୍ଣ୍ଣ ରୂପରେ ପ୍ରକାଶ ପାଇଲା ।

 

ସତ୍ୟବାଦୀର ସ୍ରଷ୍ଟାଗଣ ଓଡ଼ିଆ ଜାତିର ଉନ୍ନତି ନିମନ୍ତେ ଥିଲେ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଗୋପବନ୍ଧୁ ନିଜ ସାହିତ୍ୟ ସୃଷ୍ଟି ମଧ୍ୟରେ ଯେପରି ଜାତୀୟତାର ବାଣୀମନ୍ତ୍ର ଉଚ୍ଚାରଣ କରିଥିଲେ, ଗୋଦାବରୀଶ, ନୀଳକଣ୍ଠ ପ୍ରଭୃତି ସ୍ରଷ୍ଟାଗଣ ସେହି ଚେତନାରେ ଉଦବୁଦ୍ଧ ହୋଇ ସେମାନଙ୍କର ସୃଷ୍ଟି ସର୍ଜନାରେ ମନୋନିବେଶ କରିଥିଲେ । ତାଙ୍କ ସମୟରେ କୃପାସିନ୍ଧୁ ଥିଲେ ସେହି ଚେତନାର ବାର୍ତ୍ତାବହ, ପଥକୃତ ଶିଳ୍ପୀ । ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଓଡ଼ିଶାର ଇତିହାସ ବ୍ୟତୀତ ଓଡ଼ିଆରେ ସେପରି କିଛି ଗ୍ରନ୍ଥ ସେ ଦେଖିପାରିନଥିଲେ । ଯହିଁରୁ ସମକାଳୀନ ଓଡ଼ିଶାବାସୀ ସେମାନଙ୍କ ଅତୀତ ସମ୍ପର୍କରେ ସଚେତନ ହେବେ, ଆଗାମୀ ଦିନ ପାଇଁ ନିଜକୁ ପ୍ରସ୍ତୁତ କରିବେ । ମାତ୍ର ଦୀର୍ଘ ଦଶବର୍ଷ କାଳ ବହୁ ଗ୍ରନ୍ଥ ଅଧ୍ୟୟନ କରିବା ସହିତ ‘ଉତ୍କଳ ଇତିହାସ’କୁ ଏକ ପରିପୂର୍ଣ୍ଣ ରୂପ ଦେବାପାଇଁ ସେ ଯେଉଁ ପ୍ରଚେଷ୍ଟା କରିଥଲେ, ମହାକାଳ ତାହାକୁ ସହ୍ୟକରି ପାରିନଥିଲା । ଫଳତଃ ଗ୍ରନ୍ଥଟି ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ଓ ସଂକ୍ଷିପ୍ତ ହୋଇ ରହିଗଲା । କିନ୍ତୁ ଏହି କ୍ଷୁଦ୍ର ରଚନାରେ କୃପାସିନ୍ଧୁଙ୍କର ଯେପରି ଅତୀତ ପ୍ରୀତି ସହିତ ଜାତୀୟ ଭାବନା, ଦେଶାତ୍ମବୋଧ ଚେତନା ଏବଂ ଦେଶ ଓ ଜାତି ସମ୍ପର୍କିତ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରକାଶ ପାଇଛି ତାହା ଯେକୌଣସି ପାଠକକୁ ମୁଗଧ କରିବ ନିଶ୍ଚୟ ।

 

ଆଲୋଚ୍ୟ ଗ୍ରନ୍ଥଟି ଚାରି ଭାଗରେ ବିଭକ୍ତ । ପ୍ରଥମ ଭାଗରେ ଉତ୍କଳର ସୀମା ଏବଂ ଏହାର ଜନମାନସ ପ୍ରସଙ୍ଗ ସ୍ରଷ୍ଟା ବ୍ୟକ୍ତ କରିଥିବାବେଳେ ଦ୍ୱିତୀୟ ଭାଗରେ ପୌରାଣିକ ଯୁଗରୁ ଆରମ୍ଭ କରି ସେ କାଳରେ ଦେଶର ଅବସ୍ଥା ଓ ଧର୍ମର ବ୍ୟାଖ୍ୟା ରହିଛି । ତୃତୀୟ ଭାଗରେ କେଶରୀ ବଂଶଠାରୁ ଓଡ଼ିଶାର ଗଡ଼ଜାତ, ସମ୍ବଲପୁର ଗଡ଼ଜାତ ଓ ଗଞ୍ଜାମ ଗଡଜାତ ପର୍ଯ୍ୟନ୍ତ ଆଲୋଚନା କରାଯାଇଛି । ଗ୍ରନ୍ଥଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ଚତୁର୍ଥ ଭାଗ । କୃପାସିନ୍ଧୁ ପ୍ରଥମ କରି ଏଥିରେ ଓଡ଼ିଆରେ ଇତିହାସର ଅନ୍ୟାନ୍ୟ ବିଭାଗ ସହିତ ଇଂରେଜ ଶାସନ କାଳରେ ଓଡ଼ିଶାର ନାନା ଦିଗକୁ ସଂକ୍ଷେପରେ ଅଥଚ ଖୁବ୍ ତଥ୍ୟପୂର୍ଣ୍ଣ ଓ ଚମତ୍କାର ଭାବରେ ବ୍ୟକ୍ତ କରିଛନ୍ତି-। ଯେଉଁ ଉତ୍କଳର ସୀମା ପ୍ରାଚୀନ କାଳରେ ବହୁଦୂର ପର୍ଯ୍ୟନ୍ତ ବ୍ୟାପୀଥିଲା, ତାହା ତାଙ୍କ ସମୟକୁ କିପରି କେତୋଟି ଜିଲ୍ଲା ମଧ୍ୟରେ ସଂକୁଚିତ ହୋଇଯାଇଛି, ତାହାକୁ ସ୍ରଷ୍ଟା ପୁସ୍ତକର ବିଭିନ୍ନ ପରିଛେଦରେ ବ୍ୟାଖ୍ୟା କରିଛନ୍ତି । ଗ୍ରନ୍ଥର ଚତୁର୍ଥ ଭାଗର ସପ୍ତମ ଅଧ୍ୟାୟ ଓଡ଼ିଶାରେ ଶାସନ ବ୍ୟବସ୍ଥା ଠାରୁ ଆରମ୍ଭ ହୋଇ ୧୯୨୦ ମସିହାରେ ଲର୍ଡ ସତ୍ୟେନ୍ଦ୍ର ପ୍ରସନ୍ନ ସିଂହଙ୍କ ବିହାର ଓଡ଼ିଶାର ପ୍ରଥମ ଗଭର୍ଣ୍ଣରଙ୍କ ଶାସନ ନୀତି ପର୍ଯ୍ୟନ୍ତ ବିସ୍ତାର ଲାଭ କରିଛି । ଏତଦ୍‍ବ୍ୟତୀତ ଏହି ପର୍ଯ୍ୟାୟରେ ଜଗନ୍ନାଥ ମନ୍ଦିର, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ଭାଷା ଓ ସମ୍ବାଦପତ୍ର ଉତ୍କଳରେ ଲୁଣମରା ଅଭିଯାନ, ନଅଙ୍କ ଦୁର୍ଭିକ୍ଷ, ଦୁର୍ଭିକ୍ଷରୁ ରାଜ୍ୟକୁ ରକ୍ଷା କରିବା ଲାଗି କେନାଲ ଖୋଳା, ଭାଷା ସତରେ ଓଡ଼ିଶା ପ୍ରଦେଶ ଗଠନ, ଶାସନ ସଂସ୍କାର ପ୍ରଭୃତି ସମ୍ପର୍କରେ ସ୍ରଷ୍ଟା ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରଣୀତ ‘ଓଡ଼ିଶାର ଇତିହାସ’ (୧୮୭୯) ମଧ୍ୟରେ ସୃଷ୍ଟ ଓଡ଼ିଶାର ଭୂଗୋଳ ଠାରୁ ଆରମ୍ଭ କରି ବିଭିନ୍ନ ଅଧାୟରେ ଓଡ଼ିଶାର ଐତିହ୍ୟ ବିଶ୍ଳେଷଣ ପୂର୍ବକ ୧୮୬୬ର ନଅଙ୍କ ଦୁର୍ଭିକ୍ଷ ମଧ୍ୟରେ ଗ୍ରନ୍ଥ ସମାପନ କରିଛନ୍ତି । ଏହାର ୪୭ ବର୍ଷ ପରେ ପଣ୍ଡିତ କୃପାସିନ୍ଧୁ ସମକାଳୀନ ଓଡ଼ିଶାକୁ ଓଡ଼ିଆଙ୍କ ସମ୍ମୁଖରେ ଯଥାର୍ଥ ଭାବରେ ଉପସ୍ଥାପନ କରିବାକୁ ସଙ୍କଳ୍ପ କରି ଯେଉଁ ଉତ୍କଳ ଇତିହାସ’ ରଚନା କରିଛନ୍ତି ତାହାର ସୀମା ୧୯୨୪ ମସିହା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି । ଏ କ୍ଷେତ୍ରରେ ସତ୍ୟବାଦୀ ଯୁଗର ଉଗ୍ରଜାତୀୟ ଭାବନା ହିଁ ତାଙ୍କୁ ଏପରି ଏକ ଇତିହାସ ଲେଖିବା ପାଇଁ ପ୍ରେରଣା ଦେଇଛି ।

 

ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପାସ୍ କରିଥିଲେ ହେଁ ଇତିହାସ ପ୍ରତି କୃପାସିନ୍ଧୁଙ୍କର ଥିଲା ଗଭୀର ଅନ୍ଵେଷବୋଧ ଅନୁରକ୍ତି ଓ ଶ୍ରଦ୍ଧା । ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନଙ୍କୁ ଇତିହାସ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୟାସୀ ହୋଇ ସେ ସ୍ଵଗୃହରେ ନୋଟ୍ ପ୍ରସ୍ତୁତ କରୁଥିଲେ । ଏକଦା ଶ୍ରେଣୀଗୃହରେ ଇଂଲଣ୍ଡର ଇତିହାସ ପଢ଼ାଇବା ସମୟରେ ଛାତ୍ରମାନଙ୍କ ଅନୁରୋଧକ୍ରମେ ସେ ସେସବୁକୁ ନେଇ ଏକ ଗ୍ରନ୍ଥର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ ଓ ତାହାର ନାମ ରଖିଲେ ‘‘History of England’’ । ଏହି ଗ୍ରନ୍ଥର ମୁଖବନ୍ଧ ୧୯୨୦ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ କୃପାସିନ୍ଧୁ ଲେଖିଥିଲେ । ଏଥିରେ ଉଲ୍ଲେଖିତ ଥିଲା “My thanks are due to my students and colleagues for their helpful suggestions in preparing this book. It is my students whom I throughout consulted and by whose persuations I have been inclined to publish this book.’’ (ଐତିହାସିକ କୃପାସିନ୍ଧୁ, ପୃ-୧୬୬) ପୁସ୍ତକଟି କଲିକତାରୁ ଯୋଗଜୀବନ ଘୋଷଙ୍କ ଦ୍ଵାରା କାତ୍ୟାୟନୀ ମୁଦ୍ରାଯନ୍ତ୍ରରେ ମୁଦ୍ରିତ ହୋଇଥିଲା । ଏହି ଗ୍ରନ୍ଥଟିର ପ୍ରକାଶକ ଥିଲା ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଭଣ୍ଡାର’ (Student Store) । ମାତ୍ର ଗ୍ରନ୍ଥଟି ଏହି ପ୍ରାବନ୍ଧିକର ହସ୍ତଗତ ହୋଇନଥିବାରୁ ଏ ସମ୍ପର୍କରେ ସେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିପାରିନାହିଁ ।

 

ବିଭିନ୍ନ ଐତିହାସିକ ଗ୍ରନ୍ଥ ବ୍ୟତୀତ କୃପାସିନ୍ଧୁ ଯେଉଁ ପ୍ରବନ୍ଧ ସବୁ ରଚନା କରିଥିଲେ, ସେସବୁ ମଧ୍ୟରେ ପ୍ରଧାନ ଥିଲା ‘ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁଥାନ’, ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ୰, ତକ୍ଷଶିଳାର ଆବିଷ୍କ୍ରିୟା’, ‘ହିନ୍ଦୁର ସମାଜ ବିଧାନ’, ‘ନବ ଯୌବନର ବିପଦ’, ‘କା’, ‘ଅଦୃଷ୍ଟବାଦ’, ‘ଲୀଳା’, ‘ରାଜଭକ୍ତି’, ‘ସ୍ଵର୍ଗୀୟ ରମେଶ ଚନ୍ଦ୍ର ଦତ୍ତ’, ‘ସତେ କି ?’, ‘ସମ୍ବଲପୁର ସମିଳନୀ’, ‘କବିତା’ । ତଥ୍ୟ ଓ ତତ୍ତ୍ୱ ଦୃଷ୍ଟିରୁ କୃପାସିନ୍ଧୁଙ୍କ ଏଯାବତପ୍ରାପ୍ତ ପ୍ରବନ୍ଧକୁ ମୁଖ୍ୟତଃ ଐତିହାସିକ, ଦାର୍ଶନିକ, ସାହିତ୍ୟିକ ଭାବରେ ବିଭକ୍ତ କରାଯାଇଅଛି । ତାଙ୍କର ଐତିହାସିକ ପ୍ରବନ୍ଧ ମଧ୍ୟରେ ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର, ‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ’, ‘ତକ୍ଷଶିଳାର ଆବିଷ୍କ୍ରିୟା’, ‘ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ’ ପ୍ରଭୃତି ପ୍ରଧାନ । କୃପାସିନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିବା ଅବକାଶରେ ବିଦ୍ୟାଳୟର ‘ଇତିହାସ ସମାଜ’ ଗଠନ କରି ତାହାର ସଭାପତି ଆସନ ଅଳଂକୃତ କରିଥିଲେ । ‘‘କେବଳ ଯେ ସେ ଐତିହାସିକ ପ୍ରବନ୍ଧମାନ ଲେଖି ଏହି ସମାଜରେ ପଢ଼ିବାକୁ ଛାତ୍ରମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଉଥିଲେ ତାହା ନୁହେଁ, ନିଜେ ଗବେଷଣାପୂର୍ଣ୍ଣ ପ୍ରବନ୍ଧମାନ ଲେଖି ଛାତ୍ରମାନଙ୍କ ଆଗରେ ପଢ଼ୁଥିଲେ ।” (ଐତିହାସିକ କୃପାସିନ୍ଧୁ, ପୃ-୮୮) ଏପରି ଆଲୋଚନାଚକ୍ରରେ କୃପାସିନ୍ଧୁଙ୍କ ଇଂରାଜୀ ପ୍ରବନ୍ଧ ଓଡ଼ିଆରେ ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’ ଶୀର୍ଷକରେ ଅନୁଦିତ ହୋଇ ପ୍ରକାଶିତ ହୋଇଥିଲା । ପରାଧୀନତା ହେତୁ ସମଗ୍ର ଭାରତରେ ରାଜନୀତି, ଧର୍ମନୀତି, ସମାଜନୀତି, ଅର୍ଥନୀତି ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ଅରାଜକତା ଓ ଅସମାନତା ଦେଖାଦେବା ସହିତ ଭାରତୀୟ ଜନଗଣଙ୍କ ମନରେ ଯେଉଁ ଦୁର୍ବଳ ମନୋଭାବ ପ୍ରକାଶ ପାଇଥିଲା ତାହା ଏହି ପ୍ରବନ୍ଧରେ ବର୍ଣ୍ଣିତ । ବିଜିତ ଭାରତୀୟ ଜନତାଙ୍କୁ ନବ ଚେତନାରେ ଉଦ୍‍ବୁଦ୍ଧ କରି କାର୍ଯ୍ୟ କରିବାକୁ ପ୍ରବନ୍ଧ ମଧ୍ୟରେ ସୃଷ୍ଟ ସୂଚନା ଦେଇଥିବା ସୃଷ୍ଟି । ‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ପ୍ରବନ୍ଧ ମଧ୍ୟରେ ବିଦେଶୀ ବଣିକ ଜାତିର ଆକ୍ରମଣକୁ ସ୍ରଷ୍ଟା ଗଠନମୂଳକ ରୀତିରେ ଗ୍ରହଣ କରିଛନ୍ତି । ଜାତିର କଲ୍ୟାଣ ନିମିତ୍ତ ଏପରି ଆକ୍ରମଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ଖୁବ୍ ସ୍ପଷ୍ଟ ଓ ନିର୍ଭୀକ ଭାବରେ ତାଙ୍କ ପ୍ରବନ୍ଧରେ ମତବ୍ୟକ୍ତ କରିବା ସହିତ ନୂତନ ପାଶ୍ଚାତ୍ୟ ଜ୍ଞାନ ଲାଭ ଫଳରେ ଭାରତବର୍ଷର ମାନବ ସଭ୍ୟତା ଉନ୍ନତି ଦିଗରେ ଗତି କରିପାରିବ ବୋଲି ମତ ଦେଇଛନ୍ତି । ତାଙ୍କ ମତରେ ପାଶ୍ଚାତ୍ୟ ଜ୍ଞାନ ଦୀକ୍ଷିତ ହୋଇ ଭାରତୀୟମାନେ ଅଦୂର ଭବିଷ୍ୟତରେ ପାଶ୍ଚାତ୍ୟ ଜାତି-ସୁଲଭ ସ୍ଵାଧୀନତା ଅକାର ଦାବି କରିବେ । ଏ ଦିନ କେବେ ଆସିବ ମୁଁ ଜାଣେନା । ତେବେ ଏହି ଅପେକ୍ଷିତ ସୁଦିନ ଇଂରେଜମାନଙ୍କ ଇତିହାସରେ ଚରମ ଗର୍ବ ଓ ଗୌରବାବହ ଦିବସ ହେବ ।’’ ବିଶିଷ୍ଟ ଐତିହାସିକ ସି.ଆର.ଉଇସଙ୍କ ‘Early annals of the English in Bengal’ ପୁସ୍ତକର ପ୍ରଭାବରେ କୃପାସିନ୍ଧୁଙ୍କ ରଚିତ ପ୍ରବନ୍ଧ ହେଉଛି ‘ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ ‘ସତ୍ୟବାଦୀ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହୋଇଥିଲା । ଇଂରେଜ ବଣିକ କାଟ୍‍ରାଇଟ୍ ଓଡ଼ିଶାର ତତ୍କାଳୀନ ଶାସକ ଆଗା ମହମ୍ମଦ ଜମାନ୍‍ଙ୍କୁ ପ୍ରଲୋଭିତ କରି ଶାସକ ଭାର ନିଜ ଅଧୀନକୁ ନେଇ ଓଡ଼ିଶା ପାଇଁ ବିପର୍ଯ୍ୟୟର କାରଣ ହୋଇଥିଲେ । ତାହା ଏହି ପ୍ରବନ୍ଧ ମଧ୍ୟରେ ବର୍ଣ୍ଣିତ ।

 

କୃପାସିନ୍ଧୁଙ୍କର ଦାର୍ଶନିକ ପ୍ରବନ୍ଧ ମଧ୍ୟରେ ‘ନବ ଯୌବନର ବିପଦ’, ‘କା’, ‘ଅଦୃଷ୍ଟବାଦ’, ‘ଲୀଳା’ ପ୍ରଭୃତି ପ୍ରଧାନ । ନବଯୌବନର ବିପଦ ପ୍ରବନ୍ଧଟି ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ରଚିତ ହୋଇଥିଲା । ସୁତରାଂ ଏହା ଥିଲା ଉପଦେଶାତ୍ମକ ଓ ଶିକ୍ଷାପ୍ରଦ-। ଯୌବନ ଆଷାଢ଼ର ପୂରନ୍ତା ନଦୀ ପରି । ଏହାକୁ ଉଚିତ ମାର୍ଗରେ ଧାବିତ ହେବାପାଇଁ ସୁଯୋଗ ନଦେଲେ ଧନଜୀବନ ହାନି ସହିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟିକରେ । ଯୌବନ କାଳ ଚରିତ୍ର ଗଠନର ଉପଯୁକ୍ତ ସମୟ । ଏହି କଥାକୁ ସ୍ରଷ୍ଟା ତାଙ୍କର ପ୍ରବନ୍ଧ ମଧ୍ୟରେ ନିମ୍ନ ଭାବରେ ବ୍ୟକ୍ତ କରିଛନ୍ତି । ଯଥା : ‘‘ଯୌବନର ଆହୁରି ଗୋଟିଏ ମହା ସୁଯୋଗ ଏହି ଯେ, ଏହା ଚରିତ୍ର ଗଠନର ଉପଯୁକ୍ତ ସମୟ । ଯୌବନରେ ମନ କୋମଳ ଥାଏ, ମନରେ ଗ୍ରହଣ କରିବା ଶକ୍ତି ଖୁବ୍‍ ବେଶୀ ଥାଏ । ମୁନ୍ଦାଏ ପାଣିକୁ ତୁମେ ଯେଉଁ ପାତ୍ରରେ ରଖିବ ତାହା ତାହାର ଆକାର ଧରିବ । xxx ଯୌବନ ଚରିତ୍ର ଗଠନର ମନୁଷ୍ୟତା ବିକାଶର ଉପଯୁକ୍ତ ସମୟ । ଏ ସୁଯୋଗ ବର୍ତ୍ତମାନ ହରାଇଲେ ସାରା ଜୀବନ ଘାରି ହେଉଥିବ ।’’ (‘ମୁକୁର’, ୧୦ମ ଭାଗ ୧୧ଶ ଓ ୧୨ଶ ସଂଖ୍ୟା, ପୂ ୩ ୨୮ ୩୨୯) ପରବର୍ତ୍ତୀ କାଳରେ ପଣ୍ଡିତ ନୀଳକଣ୍ଠଙ୍କ ରଚିତ ‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା’ ହେଉଛି କୃପାସିନ୍ଧୁଙ୍କ ଏହି ଆଲୋଚ୍ୟ ପ୍ରବନ୍ଧର ଫଳଶ୍ରୃତି ।

 

‘କା’ ସ୍ରଷ୍ଟାଙ୍କର ଏକ ବହୁ ପଠିତ ଦାର୍ଶନିକ ପ୍ରବନ୍ଧ । ବ୍ୟକ୍ତି ସ୍ୱାର୍ଥକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ହେଉଛି ଏହି ପ୍ରବନ୍ଧର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଜୀବନ ଜାତି ଉଦ୍ଦେଶ୍ୟରେ ଅଭିପ୍ରେତ । ଏହାଦ୍ଵାରା ଜାତୀୟ । ଜୀବନର ଉଦ୍ଦେଶ୍ୟ ସଫଳ ହୁଏ । ବ୍ୟକ୍ତିର ଜୀବନ ହୁଏ ଫଳପ୍ରଦ । ଲେଖକ ଏ ପ୍ରସଙ୍ଗରେ ରାମାୟଣର ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ମହାଭାରତର ଅର୍ଜୁନଙ୍କ ପର୍ଯ୍ୟନ୍ତ ବହୁ ଜାତୀୟ ଚରିତ୍ରଙ୍କର ଉଦାହରଣ ଦେଇଛନ୍ତି । ରାମଚନ୍ଦ୍ର ସୀତାଙ୍କ ପତି ସ୍ୱରୂପ ସେ ତାଙ୍କର ସୁଖ ସ୍ଵାଛନ୍ଦ୍ୟ ଦେବାକୁ ଧର୍ମତଃ, ନ୍ୟାୟତଃ ବାଧ୍ୟ । କିନ୍ତୁ ଅଯୋଧ୍ୟାବାସୀଙ୍କ ଶାସନ ନିମନ୍ତେ ଯେତେବେଳେ ନିଜ ଉପରେ ସେ ଗୋଟିଏ କା’ ନେଲେ, ସେତେବେଳେ ନିଜେ ସେ କେବଳ ସୀତାଙ୍କ ପତି ନୁହନ୍ତି, ସେତେବେଳେ ସେ ସୀତାଙ୍କଠାରୁ ଅଧିକ, ସମଗ୍ର ଅଯୋଧ୍ୟାପତି । ସୁତରା, ସେ କା’ର କାର୍ଯ୍ୟ କଲାବେଳେ ନିଜ ବ୍ୟକ୍ତିଗତ ଭାବ ବା ସୁଖ ସ୍ଵାଛନ୍ଦ୍ୟ ପରିତ୍ୟାଗ କଲେ । ମହାଭାରତ ଯୁଦ୍ଧରେ ମଧ୍ୟ ଏହି କା’ର ଅଦ୍ଭୁତ ଶକ୍ତି ପରିଲକ୍ଷିତ ହୁଏ । ଦିନବେଳେ ଘୋର ସମର ସମୟରେ ଯେଉଁ ଦୁଇଜଣ ପରସ୍ପରର ନିଧନ ନିମନ୍ତେ ସଚେଷ୍ଟ, ରାତ୍ରିରେ ସେହି ଦୁଇଜଣ ପରସ୍ପରର ସ୍ନେହୀ ଭ୍ରାତା ।’’ (କା’-ଗଦ୍ୟ ବିଚିତ୍ରା । (୧୯୯୬), ସଂ– ରମେଶଚନ୍ଦ୍ର ସାହୁ, ପୃ୧୬) ଜାତି ନିମିତ୍ତ ବ୍ୟକ୍ତି କିପରି ନିଜ ଜୀବନକୁ ତୁଚ୍ଛ ଜ୍ଞାନ କରେ ତାହା ଏହି ପ୍ରବନ୍ଧରେ ବର୍ଣ୍ଣିତ । କା’ ଏଠାରେ ଜାତିର ସାମୂହିକ ପରିପ୍ରକାଶ ଉଦ୍ଦେଶ୍ୟରେ ଅଭିପ୍ରେତ ।

 

ମାନବ ବିଶେଷତଃ ହିନ୍ଦୁ ଜାତିର ପାରମ୍ପରିକ ବିଶ୍ୱାସ, ମୂଲ୍ୟବୋଧ ଏବଂ ଭାଗ୍ୟ ଉପରେ ସ୍ରଷ୍ଟାଙ୍କର ‘ ଅଦୃଶ୍ୟବାଦ’ ପ୍ରବନ୍ଧଟି ପରିକଳ୍ପିତ । ସ୍ରଷ୍ଟାଙ୍କ ଦୃଷ୍ଟିରେ ସଚରାଚର ବିଶ୍ଵରେ ଯାହାକିଛି ଘଟୁଛି ମାନବ ଇତିହାସର ଘଟଣାରାଶି ଠାରୁ ଜଡ଼ ଜଗତର ବିଭିନ୍ନ ବିକାର ପର୍ଯ୍ୟନ୍ତ ସମସ୍ତ କୌଣସି ଏକ ଅପରିବର୍ତ୍ତନୀୟ ଓ ଆଲଙ୍ଘନୀୟ ଶକ୍ତିର ଅଜ୍ଞାତ ଇଙ୍ଗିତରେ ଘଟୁଅଛି । ସେଥିରେ ମନୁଷ୍ୟର ହାତ ନାହିଁ । ମନୁଷ୍ୟ ସେ ଶକ୍ତିର ବିରୁଦ୍ଧରେ ଆପଣାର ଇଚ୍ଛା ଅନୁଯାୟୀ କିଛି କରି ନପାରେ । ସେଥିନିମିତ୍ତ ଯେତେ ଜ୍ଞାନୀ ଓ ପଣ୍ଡିତ ହେଲେ ବି ମାନବ ମହାକାଳର ସର୍ବଦା ଦାସ ହୋଇ ରହିଥାଏ । ଏ ପୃଥିବୀରେ ଯେତେ ଘଟଣା ବା ଦୁର୍ଘଟଣା ଘଟେ ସେସବୁ ସେହି ମହାମାନବଙ୍କ ଯୋଗୁ । ସୁତରାଂ ସ୍ରଷ୍ଟା ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଣୁ ପରମାଣୁ ମଧ୍ୟରେ ଦେବତ୍ୱ ସନ୍ଧାନ କରି ମାନବର ଈଶ୍ଵର ବିଶ୍ଵାସକୁ ତାହା ମଧ୍ୟରେ ଦୃଢ଼ କରିଛନ୍ତି । ସ୍ରଷ୍ଟାଙ୍କର ଏହି ପର୍ଯ୍ୟାୟର ଅନ୍ୟ ଏକ ପ୍ରବନ୍ଧ ହେଉଛି ‘ଲୀଳା’ । ପୃଥିବୀରେ ଯେତେବେଳେ ପାପଭାରା ବୃଦ୍ଧି ପାଏ, ଅରାଜକତା ଦେଖାଯାଏ, ଦୁର୍ବଳ ଉପରେ ସବଳର ଅତ୍ୟାଚାର ବୃଦ୍ଧିପାଏ, ସେତେବେଳେ ଭଗବାନ ଅବତାର ଗ୍ରହଣ କରି ଦୁଷ୍ଟ ଦମନ କରନ୍ତି । ଏହି ଅବତାର ପୁରୁଷମାନେ କେତେବେଳେ ରାମ ତ କେତେବେଳେ କୃଷ୍ଣ ପୁଣି କେତେବେଳେ ଯିଶୁ ବା ଜୁପିଟର ରୂପରେ ଏହି ଧରା ବକ୍ଷରେ ଜନ୍ମଗ୍ରହଣ କରି ସେମାନଙ୍କର ଲୀଳା ଖେଳା କରନ୍ତି । ପୃଥିବୀର ପ୍ରତ୍ୟେକ ବସ୍ତୁର ଲୀଳା ରହସ୍ୟମୟ । କୀଟ ଠାରୁ ଆରମ୍ଭ କରି ବିରାଟକାୟ ତିମି ପର୍ଯ୍ୟନ୍ତ, ନଦନଦୀଠାରୁ ଆରମ୍ଭ କରି ପାହାଡ଼ ପର୍ବତ ପର୍ଯ୍ୟନ୍ତ ବିଶ୍ୱବ୍ରହ୍ମାଣ୍ଡରେ ସମସ୍ତେ ଲୀଳାମୟ । ପୃଥିବୀରେ ବିଭିନ୍ନ ପର୍ଯ୍ୟାୟରେ ମହାପୁରୁଷଙ୍କ ଠାରୁ ଆରମ୍ଭ କରି ଶିଶୁମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଲୀଳା ଖେଳାକୁ ସ୍ରଷ୍ଟା ‘ଲୀଳା’ ପ୍ରବନ୍ଧ ମଧ୍ୟରେ ବ୍ୟକ୍ତ କରିଛନ୍ତି । ଯଥା: “ଏହି ବିଶ୍ୱବ୍ରହ୍ମାଣ୍ଡ ଲୀଳାମୟ । କ୍ଷୁଦ୍ରାତିକ୍ଷୁଦ୍ର କୀଟଠାରୁ ଆରମ୍ଭ କରି ବୃହକାୟ ତିମିଙ୍ଗିଳ ରାଘବ ପର୍ଯ୍ୟନ୍ତ । ଜ୍ଞାନହୀନ ପତଙ୍ଗ ଜୀବନଠାରୁ ଆରମ୍ଭ କରି ବିଶୁଦ୍ଧ ଆତ୍ମ-ବିଜ୍ଞାନୀ ମାନବ ଜୀବନ ପର୍ଯ୍ୟନ୍ତ; ରକ୍ଷ ତୁଚ୍ଛ ପ୍ରସ୍ତରଖଣ୍ଡରୁ ଆରମ୍ଭ : କରି ଅପୂର୍ବ ସୌନ୍ଦର୍ଯ୍ୟଧାର ନବ ବାସନ୍ତୀ ପତ୍ର ପୁଷ୍ପ ଶୋଭିତ କମନୀୟ କାନନ ପର୍ଯ୍ୟନ୍ତ ବିଶ୍ୱସାରା ସର୍ବତ୍ର ଲୀଳାର ବିଳାସ କ୍ଷେତ୍ର-ଲୀଳାର ମଧୁମୟ ତରଙ୍ଗରେ ସମସ୍ତ ଭୁବନ ତରଙ୍ଗାୟିତ ଭଗବାନଙ୍କର ଏହି ସୃଷ୍ଟି ଅପୂର୍ବ ଲୀଳାର ଆଧାର ।’’ (‘ମୁକୁର’, ଲୀଳା-୮ମ ଭାଗ, ୮ମ ଓ ୯ମ ସଂଖ୍ୟା, ପୃ-୧୭୭)

 

ସ୍ରଷ୍ଟାଙ୍କର ସାହିତ୍ୟ ଆଲୋଚନାଭିତ୍ତିକ ପ୍ରବନ୍ଧଗୁଡ଼ିକ ହେଉଛି ‘କବିତା’, ‘ରାଜଭକ୍ତି’, ସ୍ୱର୍ଗୀୟ ରମେଶଚନ୍ଦ୍ର ଦତ୍ତ ପ୍ରଭୃତି । ଈଶ୍ଵର ଏହି ସୃଷ୍ଟି ସର୍ଜନା କରନ୍ତି । ମାତ୍ର କବିଟିଏ ସମାଜ ସୃଷ୍ଟିକରେ, ଯାହା ମଧ୍ୟରେ ଥାଏ ଅମୃତର ସ୍ପର୍ଶ । କବିର ସୃଷ୍ଟି ମଧ୍ୟରେ ହଳାହଳ ବି ଅମୃତରେ ରୂପାନ୍ତରିତ ହୁଏ । ସେଥିପାଇଁ କବିକୁ କୁହାଯାଏ ପ୍ରଜାପତି, ଦ୍ୱିତୀୟ ଈଶ୍ୱର । କବିର ସାମାଜିକ ଦାୟିତ୍ୱବୋଧ ଖୁବ୍ ବେଶୀ । ସେ ସମାଜର ସ୍ଥାପୟିତା, ଭବିଷ୍ୟତର ଦ୍ରଷ୍ଟା ଓ ଦେଶର ଭାଗ୍ୟନିୟନ୍ତା । ଏହା ସ୍ରଷ୍ଟାଙ୍କର ପ୍ରବନ୍ଧ ମଧ୍ୟରେ ଯଥାର୍ଥ ଭାବରେ ପ୍ରକାଶ ପାଇଛି । ଯଥା: “ସମାଜର ବିଭିନ୍ନ ଯୁଗର ଅବସ୍ଥାନୁସାରେ କବିମାନେ ବ୍ୟବସ୍ଥା ପ୍ରଣେତା ଓ ପ୍ରବର୍ତ୍ତକ ଏବଂ ଭବିଷ୍ୟବକ୍ତା ବୋଲି ପୂର୍ବେ ଅଭିହିତ ହେଉଥିଲେ । କବି କେବଳ ଯେ ତାତ୍କାଳିକ ସମାଜର ବ୍ୟବସ୍ଥାଦାତା ତାହା ନୁହେଁ, ସେ ସୁଦୂର ଭବିଷ୍ୟତ ସମାଜଚିତ୍ର ବର୍ତ୍ତମାନ ପଟରେ ଅଙ୍କିତ କରି ଭବିତବ୍ୟ ସମାଜର ନିୟାମକ ବ୍ୟବସ୍ଥା ଦାନ କରିଥାନ୍ତି । ତେଣୁ ହେବୁମାନେ କବିଙ୍କୁ ‘୬୧ ୧୪’ ଭବିଷ୍ୟତବକ୍ତା ଆଖ୍ୟା ଦେଇଥିଲେ । (‘ମୁକୁର’, କବିତା-୧, ୫ମ ଭାଗ, ୭ମ, ୮ମ ସଂଖ୍ୟା, ପୃ ୧୫୨) । ସ୍ରଷ୍ଟା ଆଲୋଚ୍ୟ ପ୍ରବନ୍ଧ ମଧ୍ୟରେ କବିତା ଓ ବିଜ୍ଞାନର ତୁଳନାତ୍ମକ ବିଶ୍ଳେଷଣ କରି ଉଲ୍ଲେଖ କରିଛନ୍ତି ଯେ ବିଜ୍ଞାନ ଅପେକ୍ଷା କବିତା ବଳିଆନ୍, ଅଧିକ ବୁଦ୍ଧିଦୀପ୍ତ ଓ ଉଚ୍ଚାଙ୍ଗ । କବି ପ୍ରକୃତିକୁ ଯେ ପ୍ରକାରରେ ଅଧ୍ୟୟନ କରନ୍ତି, ତାହା ବୈଜ୍ଞାନିକ ଅପେକ୍ଷା ଅତି ଉନ୍ନତ ଓ ମୂଲ୍ୟବାନ । କାରଣ ସେ ପ୍ରକୃତିର ଅଭିବ୍ୟକ୍ତି ପ୍ରତି ଦୃଷ୍ଟି ନରଖି ଯାହା ଅବ୍ୟକ୍ତ ଓ ସନାତନ ସତ୍ୟ ଏବଂ ଯାହା ସେ କେବଳ ଅନ୍ତର ଇନ୍ଦ୍ରିୟ ଦ୍ଵାରା ଅନୁଭବ କରନ୍ତି, ଆମ୍ଭମାନଙ୍କ ସମ୍ମୁଖରେ ତାହାହିଁ ଉପସ୍ଥାପିତ କରନ୍ତି ।’’ (‘ମୁକୁର’, କବିତା-୧, ୫ମ ଭାଗ, ୭ମ, ୮ମ ସଂଖ୍ୟା, ପୃ-୧୫୬/୧୫୭) ପୁନଶ୍ଚ ସେ ଏହି ପ୍ରବନ୍ଧରେ ଗୋଟିଏ ଦେଶର କବିଙ୍କୁ ସେ ଦେଶର ପ୍ରାଣ, ଶକ୍ତି, ହୃଦୟ ଏବଂ ଜାତିର ଆତ୍ମା ଭାବରେ ଅଭିହିତ କରିଛନ୍ତି । ‘‘କବିଙ୍କ ହୃଦୟ ଭାବର ଉତ୍ସ, କବିର କଳ୍ପନାପ୍ରସୂତ କାବ୍ୟ ଓ କବିତା ତାହାର ପ୍ରବାହ । ପ୍ରବାହ ବାରି ଯେପରି ଭୂମିର ସରସତା ଓ ଉର୍ବରତା ସମ୍ପାଦନ କରେ, କାବ୍ୟ ଓ କବିତା ତଦ୍ରୁପ ମାନବ ହୃଦୟକୁ ଭାବ ତରଙ୍ଗର ଉଚ୍ଛ୍ୱାସରେ ଉଚ୍ଛ୍ୱସିତ କରେ । କବିର କବିତ୍ଵରେ ମୃତ ସଞ୍ଜୀବନୀ ଶକ୍ତି ଥାଏ ।” (‘ମୁକୁର’, କବିତା (୧), ୫ମ ଭାଗ, ୭ମ, ୮ମ ସଂଖ୍ୟା, ପୃ୧୯୪)

 

ଏହି ପର୍ଯ୍ୟାୟରେ ସ୍ରଷ୍ଟାଙ୍କର ଅନ୍ୟ ଏକ ପ୍ରବନ୍ଧ ହେଉଛି ‘ରାଜଭକ୍ତି’ । ପ୍ରବନ୍ଧଟି ବାମଣ୍ଡାର ରାଜକବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ବିରଚିତ ‘ଆବାହନ’ ଗ୍ରନ୍ଥ ଭିତ୍ତିରେ ଲିଖିତ ଏକ ସମୀକ୍ଷା । ‘ଅତିଥି ଦେବୋ ଭବଃ ?’ । ଓଡ଼ିଶା ଜଗନ୍ନାଥଙ୍କ ଦେଶ ଓ ଓଡ଼ିଆ ଜାତି ଖୁବ୍ ଅତିଥି ପରାୟଣ । ପରିଚିତ ଠାରୁ ଆରମ୍ଭ କରି ଅପରିଚିତଙ୍କ ପର୍ଯ୍ୟନ୍ତ, ରାଜାଙ୍କ ଠାରୁ ଆରମ୍ଭ କରି ପ୍ରଜାଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସୂତ୍ରରେ ଆବଦ୍ଧ । ତାହା ହେଉଛି ଭକ୍ତି, ବିଶ୍ୱାସ ଏବଂ ସମ୍ମାନ । ଲର୍ଡ ହାର୍ଡ଼ିଞ୍ଜ କିପରି ରାଜପ୍ରାସାଦରେ ଆତିଥ୍ୟ ଓ ସମ୍ମାନ ପାଇଥିଲେ, ସ୍ରଷ୍ଟା ତାହାର ଉଲ୍ଲେଖ କରି ଉତ୍କଳୀୟ ଜନତାର ଅତିଥ ସେବା ମନୋବୃତ୍ତିକୁ ସୂଚାଇ ଦେଇଛନ୍ତି । ପ୍ରବନ୍ଧର ପ୍ରାରମ୍ଭରେ ଭକ୍ତି ଓ ଭୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ସ୍ରଷ୍ଟା ଉଲ୍ଲେଖ କରିଛନ୍ତି- “ଭକ୍ତି’’ କହିବା ମାତ୍ରେ ବୁଝାଯାଏ ଯେ ଭକ୍ତିର ପାତ୍ର ଭକ୍ତ ଅପେକ୍ଷା ବହୁଗୁଣରେ ଗୁଣବାନ; ଏବଂ ଗୁଣର ନ୍ୟୁନାଧିକ୍ୟ ବଶତଃ ଭକ୍ତ ସ୍ଵତଃ ବିହ୍ୱଳିତ ହୋଇ ଭକ୍ତି ପ୍ରଦର୍ଶନ କରେ । XX ଭୟ ମନୁଷ୍ୟର ସ୍ୱଜାତ ବସ୍ତୁନୁହେଁ, ଏହା ବହିର୍ଦ୍ଦେଶରୁ ମନୁଷ୍ୟ ପ୍ରାଣରେ, ଯେପରି ପ୍ରଯୁକ୍ତ ହୁଏ । ଏହି ଭୟ ପ୍ରୟୋଗ ସଙ୍ଗେ ସଙ୍ଗେ ମାନବ ହୃଦୟରେ ବିହ୍ୱଳ ଜାତ ହୁଏ ।” (‘ମୁକୁର’, ରାଜଭକ୍ତି (ସମାଲୋଚନା), ୯ମ ଭାଗ, ୭ମ ସଂଖ୍ୟା, ପୃ-୧୪୮) ବିଂଶ ଶତକର ଦ୍ୱିଦଶକ ବେଳକୁ ସବୁ ଦିଗରୁ ଓଡ଼ିଶା ସ୍ଥାଣୁ ପାଲଟି ଯାଇଥିବାବେଳେ ଓଡ଼ିଆ ପ୍ରାଣରେ ଅତୀତର ସେହି ଉନ୍ମାଦନା ଭରିଦେବା ଲାଗି ଲେଖକଙ୍କର ଏପରି ଏକ ପ୍ରବନ୍ଧର ପରିକଳ୍ପନା ।

 

ସ୍ରଷ୍ଟାଙ୍କର ‘ସ୍ୱର୍ଗୀୟ ରମେଶଚନ୍ଦ୍ର ଦତ୍ତ’ ହେଉଛି ବଙ୍ଗଳାର ବିଶିଷ୍ଟ ସାହିତ୍ୟିକ ଓ ବ୍ୟକ୍ତିତ୍ଵ ରମେଶଚନ୍ଦ୍ରଙ୍କ ଜୀବନୀ ଓ କୃତି ଭିତ୍ତିରେ ଏକ ସାହିତ୍ୟିକ ରଚନା । ରମେଶଚନ୍ଦ୍ର ବଙ୍ଗ ଭାଷାରେ ଯେପରି, ଇଂରାଜୀ, ଫରାସୀ, ଜର୍ମାନୀ ସହିତ ପ୍ରାଚୀନ ସଂସ୍କୃତ ଭାଷାରେ ସେହି ଗୌରବର ଅଧିକାରୀ । ଭାରତୀୟ ସଂସ୍କୃତିର ଦୁଇ ମହାନ୍ ସୃଷ୍ଟି ମହାଭାରତ ଓ ରାମାୟଣକୁ ସେ ଇଂରାଜୀ ଭାଷାରେ ଅନୁବାଦ କରିବା ସହିତ ଋକବେଦକୁ ମଧ୍ୟ ଅନୁବାଦ କରିଛନ୍ତି ।’ ପ୍ରାଚୀନ ଭାରତ ଇତିହାସ’ର ଲେଖକ ଭାବରେ ସମଗ୍ର ଭାରତବର୍ଷରେ ତାଙ୍କର ସୁଖ୍ୟାତି ରହିଛି । ବଙ୍ଗଳା ସାହିତ୍ୟର ପ୍ରସାର ଓ ପ୍ରଚାର ନିମିତ୍ତ ସେ ‘ବଙ୍ଗୀୟ ସାହିତ୍ୟ ପରିଷଦ ଗଠନ କରି ତାହାର ପ୍ରତିଷ୍ଠାତା ସଭାପତି ହେବା ସହିତ ଏହି ଭାଷାର ଉନ୍ନତି ନିମିତ୍ତ ଦୃଢ଼ ସଙ୍କଳ୍ପ କରିଥିଲେ । ୧୮୯୪ ମସିହାରେ ଓଡ଼ିଶାର କମିଶନର ଭାବେ ଯୋଗଦେବା ଅବସରରେ ଆମ ସାହିତ୍ୟ, ସଂସ୍କୃତି ଓ ସଭ୍ୟତା ସହିତ ଓତପ୍ରୋତ ଜଡ଼ିତ ହେବା ସହିତ ଉତ୍କଳୀୟ ଜନତାର ପ୍ରିୟଭାଜନ ହୋଇଥିଲେ । ଏହିପରି ଜଣେ ଜ୍ଞାନୀଗୁଣୀ ଏବଂ ସୁପ୍ରଶାସକଙ୍କ ପ୍ରଶଂସାରେ କୃପାସିନ୍ଧୁଙ୍କ ଲେଖନୀ ମୁଖର ହୋଇଥିଲା ତାଙ୍କର ‘ମୁକୁର’ (୬ ୨ -୩-୫-୬ଷ୍ଠ ସଂଖ୍ୟା)ରେ ପ୍ରକାଶିତ ‘ସ୍ୱର୍ଗୀୟ ରମେଶଚନ୍ଦ୍ର ଦତ୍ତ’ ପ୍ରବନ୍ଧ ମଧ୍ୟରେ । ଏ ସମ୍ପର୍କରେ ସ୍ରଷ୍ଟା ପ୍ରବନ୍ଧର ଶେଷାଂଶରେ ଉଲ୍ଲେଖ କରିଛନ୍ତି- “ଭାରତୀୟ ହୋଇ, ଆଜୀବନ ଭାରତରେ ଜୀବନଯାପନ କରି ରମେଶଚନ୍ଦ୍ର ଯେ ଏତେ ଆଡ଼େ କାର୍ଯ୍ୟ କରି ପାରୁଥିଲେ, ଏହା ହିଁ ବିଶେଷ ରୂପେ ହୃଦୟକୁ ସ୍ପର୍ଶ କରେ । କି ସାହିତ୍ୟ, କି ଶାସନ, କି ରାଜନୀତି, କି ସମାଜନୀତି, କି ଇତିହାସ, କି ପୁରାଣ, ସମସ୍ତ ଦିଗରେ ତାହାଙ୍କର ପ୍ରତିଭାର ବିକାଶ ଉପଲବ୍ଧ ହୁଏ । ବଙ୍ଗୀୟ ସାହିତ୍ୟ ପରିଷଦ୍ ଠାରୁ ଆରମ୍ଭ କରି ଭାରତ ଜାତୀୟ ମହାସମିତିର ଅଧିନାୟକ ହେବା ପର୍ଯ୍ୟନ୍ତ, କ୍ଷୁଦ୍ର ଇତିହାସ ଠାରୁ ଆରମ୍ଭ କରି ପ୍ରାଚୀନ ଭାରତର ସଭ୍ୟତା, ଇଂରେଜ ରାଜତ୍ଵରେ ଦେଶର ଧନ ସମ୍ପଦର ବିବରଣ ପ୍ରକାଶ ପର୍ଯ୍ୟନ୍ତ, ମାତୃଭାଷାର ଉନ୍ନତି କଳ୍ପେ କ୍ଷୁଦ୍ର ଅଥଚ ଉତ୍କୃଷ୍ଟ ଉପନ୍ୟାସ ପ୍ରଣୟନ ଠାରୁ ଆରମ୍ଭ କରି ବେଦ ଅନୁବାଦ ପର୍ଯ୍ୟନ୍ତ, ଦେଶର ଶାସନ ସଂସ୍କାର, ଶିକ୍ଷା ବିସ୍ତାର, ଇତ୍ୟାଦି ନାନା ପ୍ରକାର ମଙ୍ଗଳକର କାର୍ଯ୍ୟରେ ରମେଶଚନ୍ଦ୍ରଙ୍କର ପ୍ରତିଭାର ବିକାଶ ଉପଲବ୍ଧ ହୁଏ ।’’ (ମୁକୁର’, ୬ଷ୍ଠ ଭାଗ, ୫ମ ଓ ୬ଷ୍ଠ ସଂଖ୍ୟା, ପୃ-୧୩୬) ପରାଧୀନ ପ୍ରପୀଡ଼ିତ ଭାରତୀୟ ସମାଜକୁ ରମେଶଚନ୍ଦ୍ର ଦତ୍ତଙ୍କ ମାଧ୍ୟମରେ ଉତ୍ସାହ ଓ ପ୍ରେରଣା ଦେବା ହେଉଛି କୃପାସିନ୍ଧୁଙ୍କର ଏହି ପ୍ରବନ୍ଧର ମୁଖ୍ୟ ଲକ୍ଷ୍ୟ ।

 

ବିଂଶ ଶତକର ଆଦ୍ୟଭାଗରେ ୧୯୧୨ ମସିହାରେ ଆଧୁନିକ ଓଡ଼ିଶାର ନିର୍ମାତା ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଆକସ୍ମିକ ତିରୋଧାନରେ ସତୀର୍ଥ ବନ୍ଧୁ କୃପାସିନ୍ଧୁଙ୍କ ମନରେ ଯେଉଁ ଗଭୀର କ୍ଷତ ସୃଷ୍ଟି ହୋଇଥିଲା, ତାହାର ବାଣୀରୂପ ଥିଲା ‘ସତେ କି ? ପ୍ରବନ୍ଧ । ଶ୍ରୀରାମଚନ୍ଦ୍ରଙ୍କର ଆକସ୍ମିକ ବିୟୋଗକୁ ବିଶ୍ୱାସ କରି ପାରିନାହାନ୍ତି ବନ୍ଧୁ କୃପାସିନ୍ଧୁ । ପ୍ରବନ୍ଧର ପ୍ରାରମ୍ଭରେ ସେ ଉଲ୍ଲେଖ କରିଛନ୍ତି- “ସତେକି ?-ଆହା କିପରି ବିଶ୍ୱାସ କରିବି ? କିପରି ଚକ୍ଷୁ କର୍ଣ୍ଣ ମଧ୍ୟରେ ବିବାଦର ପ୍ରଶ୍ରୟ ଦେବି ?” (“ ମୁକୁର, ସତେ କି ? ୬ଷ୍ଠ ଭାଗ, ୮ମ ଓ ୯ମ ସଂଖ୍ୟା, ପୃ୨୧୧) ପ୍ରବନ୍ଧର ଅନ୍ୟ ଏକ ଅଂଶରେ ସେ ପୁନଶ୍ଚ ତାଙ୍କର ଗୁଣ ସୁମରି ଉଲ୍ଲେଖ କରିଛନ୍ତି-’’ ତୁମେ ତ କୋଟିକ ମଧ୍ୟରେ ଗୋଟିଏ ଥିଲ, ତୁମ୍ଭେ ତ ଉତ୍କଳର ଆକାଶରେ ଦ୍ୱିଜରାଜରୂପେ ବିରାଜୁଥିଲ, ତୁମ୍ଭେ କିପରି ଚାଲିଗଲ ? ତୁମ୍ଭଙ୍କୁ ହରାଇ ଉତ୍କଳ ଜନନୀ ଆଜି କି କରିବେ ? XXX ତୁମ୍ଭର ଜ୍ୟୋତି ତ କେବଳ ତୁମ୍ଭପାଇଁ ନଥିଲା; ତାରକା ଦଳର ଜ୍ୟୋତି ସିନା କେବଳ ତାରକାମାନଙ୍କର, ତୁମ୍ଭ ଜ୍ୟୋତି ତ ସାରା ବିଶ୍ୱପାଇଁ ଥିଲା ।’’ (‘ମୁକୁର’, ସତେ କି ?, ୬ଷ୍ଠ ଭାଗ, ୮ମ ଓ ୯ମ ସଂଖ୍ୟା, ପୃ-୨୧୫) ।

 

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଶୀର୍ଷକରେ ‘ସତ୍ୟବାଦୀ’ ପତ୍ରିକାର ୧ମ ଖଣ୍ଡର ଦ୍ୱିତୀୟ ସଂଖ୍ୟା ଠାରୁ ଆରମ୍ଭ କରି ୨ୟ ଖଣ୍ଡ ଦ୍ଵାଦଶ ସଂଖ୍ୟା ପର୍ଯ୍ୟନ୍ତ ପ୍ରାୟ ଏଗାରଗୋଟି ପ୍ରବନ୍ଧ ‘ଶ୍ରୀ’ ନାମରେ ପ୍ରକାଶ ପାଇଅଛି । ଅଧାପକ ଶ୍ରୀ ଚିନ୍ତାମଣି ଦାଶ ତାଙ୍କର ‘ଐତିହାସିକ କୃପାସିନ୍ଧୁ’ (୧୯୬୨) ଗ୍ରନ୍ଥର ଦ୍ଵାଦଶ ଅଧ୍ୟାୟରେ ‘ସତ୍ୟବାଦୀ ସାକ୍ଷୀଗୋପାଳ’ ଶୀର୍ଷକରେ ଏସବୁ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରି ଏହାକୁ ନିର୍ଦ୍ୱନ୍ଦ୍ଵରେ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କର ପ୍ରବନ୍ଧ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ଏହି ଲେଖକ ପ୍ରବନ୍ଧଗୁଡ଼ିକର ପୂର୍ଣ୍ଣାଙ୍ଗ ଆଲୋଚନା ନକରି ଏହାକୁ କୃପାସିନ୍ଧୁଙ୍କ ପ୍ରବନ୍ଧ କହିବାକୁ କୁଣ୍ଠାବୋଧ କରିଛି । ପ୍ରବନ୍ଧର କଳେବର ବୃଦ୍ଧି ଦୃଷ୍ଟିରୁ ପରବର୍ତ୍ତୀ କାଳରେ ତାଙ୍କର ଏସବୁ ପ୍ରବନ୍ଧ ସମ୍ପର୍କରେ ପୂର୍ଣ୍ଣାଙ୍ଗ ଆଲୋଚନା କରିବାକୁ ସେ ଆଶା ରଖିଛି ।

 

ଐତିହାସିକ କୃପାସିନ୍ଧୁଙ୍କର ଓଡ଼ିଆ ସାହିତ୍ୟକୁ ଦାନ ଅତୁଳନୀୟ । ଓଡ଼ିଶାର ଇତିହାସ ରଚନାରେ ଯେପରି, ସାହିତ୍ୟ ଆଲୋଚନା ଓ ଚିନ୍ତାଶୀଳ ଦାର୍ଶନିକ ପ୍ରବନ୍ଧ ରଚନା କ୍ଷେତ୍ରରେ ସେ ସେହି ଯଶର ଅଧିକାରୀ । ମାତ୍ର ‘ବାରବାଟୀ ଦୁର୍ଗ’, ‘କୋଣାର୍କ’, ‘ଉତ୍କଳ ଇତିହାସ’ ସମେତ ‘କା’ ବ୍ୟତୀତ ତାଙ୍କର କୌଣସି ପ୍ରବନ୍ଧ ଆଦୌ ଚର୍ଚ୍ଚିତ ବା ଆଲୋଚିତ ନୁହେଁ । ଏସବୁ ସୃଷ୍ଟି ଉଚ୍ଚାଙ୍ଗ ଗବେଷଣାର ଅପେକ୍ଷା ରଖେ । ବିସ୍ମୃତିର ଇତିହାସ ଗର୍ଭରୁ ତାଙ୍କର ସୃଷ୍ଟି ଉଦ୍ଧାର ହେଲେ ସମକାଳୀନ ଓଡ଼ିଶା ଓ ଓଡ଼ିଆ ସାହିତ୍ୟର ବହୁ ରହସ୍ୟ ଉନ୍ମୋଚିତ ହେବ ଓ ଲୋକଲୋଚନକୁ ଆସିବ ।

 

 

ବରିଷ୍ଠ ଅଧ୍ୟାପକ,

ସ୍ନାତକୋତ୍ତର ଓଡ଼ିଆ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର-୭୬୦୦୦୭, ଓଡ଼ିଶା

 

***

 

କୃପାସିନ୍ଧୁଙ୍କ ଦୃଷ୍ଟିରେ ବାରବାଟୀ ଦୁର୍ଗ

ପୂର୍ଣଚନ୍ଦ୍ର ମିଶ୍ର

 

ବାରବାଟୀ ଦୁର୍ଗ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କର ଏକ ଅନବଦ୍ୟ ଆବେଗମୟ ସୃଷ୍ଟି । ଏହା ଥିଲା ଅତୀତ ଉତ୍କଳର ଗର୍ବ ତଥା ଗୌରବମୟ ଇତିହାସର ମୂକସାକ୍ଷୀ । ସେଇଥିପାଇଁ କୃପାସିନ୍ଧୁ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ, ‘‘ବାରବାଟୀ ଦୁର୍ଗର ଇତିହାସ ହିଁ ଉତ୍କଳର ଇତିହାସ-।’’ ପୂର୍ବରୁ ସ୍ୱଦେଶବତ୍ସଳ କବିମାନଙ୍କର ମନ୍ଦ୍ର ମଧୁର ବାଣୀ କୃପାସିନ୍ଧୁଙ୍କ ପ୍ରାଣରେ ସୃଷ୍ଟି କରିଥିଲା ଜାତୀୟତାର ସ୍ପନ୍ଦନ । ସେହି ଜାତୀୟତାର ଉଦ୍ଦୀପନା ତଥା ଦେଶାତ୍ମବୋଧର ପ୍ରେରଣାକୁ ନେଇ କୃପାସିନ୍ଧୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ଶ୍ରେଣୀରେ ଅଧ୍ୟୟନ ଆରମ୍ଭ କରିବା ସହିତ ବାରବାଟୀ ଦୁର୍ଗର ଐତିହ୍ୟ ପର୍ଯ୍ୟାଲୋଚନାରେ ମନ ବଳାଇଥିଲେ ।

 

କୃପାସିନ୍ଧୁଙ୍କ ପୂର୍ବରୁ ଯେଉଁ କେତେଜଣ ଅଣଓଡ଼ିଆ ବାରବାଟୀକୁ ନେଇ ଯାହା ଲେଖିଥିଲେ ତନ୍ମଧ୍ୟରେ ବହୁ ପରିମାଣରେ ସତ୍ୟର ଅପଳାପ ଭରି ରହିଥିଲା । ଏହି ଅପଳାପ ପୁଣି ଥିଲା ଦୂଷିତ, ବିକୃତ ତଥା କାଳ୍ପନିକ । ସ୍ୱଦେଶପ୍ରେମୀ, ଇତିହାସ ସଚେତନ କୃପାସିନ୍ଧୁଙ୍କୁ ଏହା ମର୍ମାହତ କରିବା ସଙ୍ଗେ ସଙ୍ଗେ ବାରବାଟୀ ଉପରେ ଏକ ପ୍ରାମାଣିକ ଗ୍ରନ୍ଥ ଲେଖିବା ପାଇଁ ପ୍ରୋତ୍ସାହନ ଯୋଗାଇଥିଲା । ବାରବାଟୀ ସମ୍ପର୍କରେ ଚିନ୍ତାଶୀଳ, ଯୁକ୍ତିନିଷ୍ଠ ତଥା ସତ୍ୟାଶ୍ରୟୀ ପ୍ରବନ୍ଧଟିଏ ଲେଖିବା ଉଦ୍ଦେଶ୍ୟରେ ଉପାଦାନ ସଂଗ୍ରହ ନିମନ୍ତେ ସେ ବିଭିନ୍ନ ପାଠାଗାର ଖୋଜି ବୁଲିଥିଲେ । ଏହି ପାଠାଗାରମାନଙ୍କ ମଧ୍ୟରୁ କଲିକତାର ଇମ୍ପିରିଆଲ ଲାଇବ୍ରେରୀରୁ ସେ ସଂଗ୍ରହ କରିଥିଲେ ବହୁ ମୂଲ୍ୟବାନ ଉପାଦାନ ।

 

ଏହି ଅବସରରେ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ବାବୁ ଶାରଦାଚରଣ ମିତ୍ରଙ୍କ ‘ଉତ୍କଳେ ଶ୍ରୀକୃଷ୍ଣ ଚୈତନ୍ୟ’ ଗ୍ରନ୍ଥଟି ପଢ଼ିବାର ସୁଯୋଗ ଲାଭ କରିଥିଲେ ଐତିହାସିକ କୃପାସିନ୍ଧୁ । ଉକ୍ତ ଗ୍ରନ୍ଥର ୪୧ ପୃଷ୍ଠାରେ ଉଲ୍ଲେଖ ଥିବା ବାରବାଟୀ ଦୁର୍ଗ ସମ୍ପର୍କରେ ଭ୍ରମାତ୍ମକ ମନ୍ତବ୍ୟକୁ କୃପାସିନ୍ଧୁ ୧୯୧୩ ମସିହା ଫେବୃଆରୀ ମାସ ୯ ତାରିଖ ଦିନ ଏକ ପତ୍ର ମାଧ୍ୟମରେ ଶାରଦା ଚରଣ ମିତ୍ରଙ୍କୁ ଅବଗତ କରିବା ସହିତ ଭ୍ରମଟିର ସଂଶୋଧନ ନିମନ୍ତେ ଫର୍ଗୁସନଙ୍କ ଉଣ୍ଡିଆନ୍ ଆଣ୍ଡ ଇଷ୍ଟର୍ଣ୍ଣ ଆର୍କିଟେକ୍‍ଚର, ଷ୍ଟଲିଂଙ୍କର ଆକାଉଣ୍ଟସ୍ ଅଫ୍ ଓରିଶା, ହଣ୍ଟରଙ୍କର ଷ୍ଟାଟିଷ୍ଟିକାଲ ଆକାଉଣ୍ଟ ଅଫ ବେଙ୍ଗଲ, ରାଜେନ୍ଦ୍ର ଲାଲ ମିତ୍ରଙ୍କ ଆଣ୍ଟିକ୍ରିଟିଜ୍ ଅଫ୍ ଓରିଶା ଓ ଧରଣୀକାନ୍ତ ଲାହିଡ଼ି ଚୌଧୁରୀଙ୍କର ବଙ୍ଗଳା ଗ୍ରନ୍ଥ ଭାରତ ଭ୍ରମଣକୁ ଅନୁଧ୍ୟାନ କରିବା ପାଇଁ ଅନୁରୋଧ ଜଣାଇଥିଲେ ।

 

ଏହି ଭଳି ଏକ ମାନସିକ ପ୍ରସ୍ତୁତି ଭୂମି ଉପରେ ରଚିତ କୃପାସିନ୍ଧୁଙ୍କର ‘ବାରବାଟୀ ଦୁର୍ଗ’ ୧୯୧୩ମସିହାରେ ଧାରାବାହିକ ଭାବେ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘ମୁକୁର’ ପତ୍ରିକାର ପୃଷ୍ଠାମଣ୍ଡନ କରିବା ସହିତ ୧୯୧୭ ମସିହାରେ ଏକ ସ୍ୱତନ୍ତ୍ର ଗ୍ରନ୍ଥ ଭାବରେ ଆତ୍ମପ୍ରକାଶ କରିଥିଲା-। ସ୍ଵଳ୍ପ ପୃଷ୍ଠା ବିଶିଷ୍ଟ ଏହି ଗ୍ରନ୍ଥଟି ପୁଣ୍ୟତ୍ମା ଫକୀର ମୋହନ ସେନାପତିଙ୍କ ଗୌରବମୟ ନାମରେ ଉତ୍ସର୍ଗ ହୋଇଥିଲା । ଫକୀରମୋହନ ମଧ୍ୟ ଉକ୍ତ ଗ୍ରନ୍ଥଟିକୁ ‘‘ଉତ୍କଳ ଭାଷା ଭଣ୍ଡାରରେ ଗୋଟିଏ ମାଣିକ୍ୟ’’ ରୂପେ ବିବେଚନା କରିଥିଲେ ।

 

କୃପାସିନ୍ଧୁଙ୍କ ବାରବାଟୀ ଦୁର୍ଗ ରଚନା ପୂର୍ବରୁ ଷୋଡ଼ଶ ଶତାବ୍ଦୀରେ ରଚିତ ଆବୁଲ ଫାଜଲଙ୍କ ଆଇନ-ଇ-ଆକବରୀ ଗ୍ରନ୍ଥରେ ବାରବାଟୀ ଦୁର୍ଗ ବିଷୟରେ ସମ୍ୟକ୍ ସୂଚନା ପ୍ରଦତ୍ତ ହୋଇଥିଲା । ଏହା ପରେ ୧୯୩୩ ମସିହା ମେ ମାସରେ ଉଇଲିୟମ୍ ବ୍ରୁଟନ ସାହେବ ବାରବାଟୀ ଦୁର୍ଗ ଭ୍ରମଣ କରି ଏହାକୁ ମାଲଖଣ୍ଡି ଦୁର୍ଗ ଭାବେ ବର୍ଣ୍ଣନା କରିବା ସହିତ ଲୋକମାନେ ଏଠାରୁ କେତେକ ଦ୍ରବ୍ୟ ନେଇ ଯାଉଥିବାରୁ ଏହାର ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଉଚ୍ଚସନ୍ ସାହେବଙ୍କ ମତରେ ଏହି ମାଲଖଣ୍ଡି ଦୁର୍ଗରେ ତେହେରାନର ମୋଗଲ ଭାଇସରାୟ ଆଗା ମହମ୍ମଦଜମାନ କିଛିଦିନ ଅବସ୍ଥାନ କରିଥିଲେ । ଏହି ମାଲଖଣ୍ଡିକୁ ମାଦଳା ପାଞ୍ଜିରେ ବର୍ଣ୍ଣିତ ମାଣିକ ଖଣ୍ଡି ସହିତ ଗବେଷକ ଏସ୍.ସି.ଦେ ଚିହ୍ନିତ କରିବାବେଳେ ପ୍ରଫେସର ଘନଶ୍ୟାମ ଦାସ ଲିପିତତ୍ତ୍ୱକୁ ଆଧାର କରି ଏହା ମହାନଦୀ ହେବ ବୋଲି ପରବର୍ତ୍ତୀ ସମୟରେ ମତ ଦେଇଥିଲେ । ୧୭୯୦ ମସିହାରେ ଲେକି ସାହେବ ଏହି ଦୁର୍ଗକୁ ଦେବା ସହିତ ଦୁର୍ଗର କାନ୍ଥଗୁଡ଼ିକ ଭଲ ମରାମତି ଅବସ୍ଥାରେ ନଥିବା କଥା ଦର୍ଶାଇଥିଲେ । ୧୮୦୩ ମସିହାରେ ବ୍ରିଟିଶ ମୌଜର ଅଧିନାୟକ କଣ୍ଡେଲ ହାରକୋଟ ସାହେବା ବାରବାଟୀ ଦୁର୍ଗ ଦଖଲ ସମ୍ପର୍କରେ ନିଜର ଜଣେ ବନ୍ଧୁଙ୍କୁ ଦେଇଥିବା ଏକ ବ୍ୟକ୍ତିଗତ ପତ୍ରରୁ ଜଣାଯାଏ ଯେ ୧୮୦୩ ମସିହା ପର୍ଯ୍ୟନ୍ତ ଗଜପତିଙ୍କ ବାରବାଟୀ ଦୁର୍ଗ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଥିଲା । ଏହି ଦୁର୍ଭେଦ୍ୟ ଦୁର୍ଗକୁ ସେମାନେ ୧୮୦୩ ମସିହା ଅକ୍ଟୋବର ମାସ ୧୪ ତାରିଖ ସକାଳ ୧୦ ଘଣ୍ଟା ସମୟରେ ନିଜ ଅଧୀନକୁ ଆଣିଥିଲେ ଓ ଦୁର୍ଗ ମଧ୍ୟରେ ଥିବା ମରହଟ୍ଟାମାନଙ୍କ ମଧ୍ୟରୁ କେତେକ ପ୍ରାଚୀରରୁ ଲମ୍ପ ଦେଇ ଓ ଅନ୍ୟ କେତେକ ଅନ୍ୟ ଦ୍ୱାର ବାଟେ ପଳାୟନ କରିଥିଲେ । ୧୮୧୮ ମସିହାରେ ଷ୍ଟର୍ଲିଂ ସାହେବ ମଧ୍ୟ ବାରବାଟୀର ଏକ ସୁନ୍ଦର ବର୍ଣ୍ଣନା ନିମ୍ନୋକ୍ତ ପ୍ରକାରେ କରିଥିଲେ ।

 

‘ବାରବାଟୀ ଦୁର୍ଗର ଦୁଇଟି ପଥର ପାଚିରି ଥିଲା । ଏହା ମଧ୍ୟରୁ ଗୋଟିଏ ବାହାରେ ଓ ଅନ୍ୟଟି ଭିତରେ । ଭିତର ପାଚିରିର ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରମେ ୨୧୫୦ ଫୁଟ ଓ ୧୮୦୦ ଫୁଟ ବିଶିଷ୍ଟ । ଭିତର ପାଚିରିଟି ଦେଖିବାକୁ ଆୟତ କ୍ଷେତ୍ର ଭଳି । ବାହାର ପାଚିରି ଭିତରେ ଦୁର୍ଗ ଭୂମିର କ୍ଷେତ୍ରଫଳ ପ୍ରାୟ ୯୦ ଏକର ଓ ଏହାରପୂର୍ବ ଭାଗରେ ଗୋଟିଏ ପ୍ରକାଣ୍ଡ ଦ୍ୱାର ଥିଲା । ଏହି ଦ୍ଵାରଟି, ଅହମ୍ମଦ ଶାହଙ୍କ ରାଜତ୍ୱ ସମୟରେ ଅର୍ଥାତ୍ ୧୭୫୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ।’ କିନ୍ତୁ ୧୮୩୮ ମସିହାରେ ଏମ୍.କିଟୋ ଏହି ଦୁର୍ଗକୁ ଦେଖିଥିବା ଓ ପ୍ରଧାନ ପ୍ରବେଶପଥ ପଛରେ ଆଉ ଦୁଇ ଗୋଟି ପ୍ରବେଶ ପଥ ସରୁ ଅଙ୍କାବଙ୍କା ରାସ୍ତା ଦ୍ଵାରା ସଂଯୁକ୍ତ ହୋଇଥିବା ବିଷୟ ସେ ବର୍ଣ୍ଣନା କରିଥିଲେ ।

 

ବାରବାଟୀ ଦୁର୍ଗ ବିଷୟରେ ଏଭଳି ବିକ୍ଷିପ୍ତ ସୂଚନା ମିଳୁଥିଲେ ହେଁ ବ୍ରିଟିଶ ଶାସନର ଅକୃତ ହେବା ପରେ ଦୁର୍ଗଟିର ପତନ ଘଟିଥିବା କଥାକୁ କେତେକ ଆଲୋଚକ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି । ବିଭିନ୍ନ ପ୍ରାଚୀନ ଦଲିଲ, ଦସ୍ତାବିଜ ଓ ରିପୋର୍ଟ ଆଦିରୁ ଜଣାଯାଏ ୧୮୨୮ ମସିହାରେ ତତ୍‌କାଳୀନ କମିଶନ ପିକନ୍‍ହାମ ସାହେବଙ୍କ ଆଦେଶରେ ଏହି ଦୁର୍ଗକୁ ଭାଙ୍ଗି ଏହାର ପଥର ଶହକୁ ମାତ୍ର ପାଞ୍ଚ ଛଅ ଟଙ୍କାରେ ବିକ୍ରୟ କରାଯାଇଥିଲା । ଏପରିକି ୧୮୨୯ ମସିହାରେ କ୍ୟାଣ୍ଟନମେଣ୍ଟ ରାସ୍ତା ଏହି ପଥରରେ ନିର୍ମିତ ହେବା ସହିତ ଦୁର୍ଗରେ ଥିବା ଗୁପ୍ତଧନକୁ ସଂଗ୍ରହ କରିବା ନିମନ୍ତେ ଏହାର ଖନନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ।

 

୧୮୪୨ ମସିହାରେ ଇଂଲଣ୍ଡର ଟି.ଅକ୍‌ଲାଣ୍ଡ ଯେତେବେଳେ ଖ୍ରୀଷ୍ଟଧର୍ମର ପ୍ରଚାରକ ତଥା ଆସାମ ପ୍ରଦେଶର କ୍ଲରିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଭାରତକୁ ଆସିଥିଲେ ସେତେବେଳେ ସେ ତା୧୦.୧.୧୮୪୩ରେ କଟକ ଆସି କିଛିଦିନ ରହିଥିଲେ । ତାଙ୍କର ରହିବା ସମୟରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରି A Popular account of the manners and customs of India ଶୀର୍ଷକ ବହିଟିଏ ଲେଖିଥିଲେ । କଟକର କ୍ୟାଣ୍ଟନମେଣ୍ଟରେ ରହୁଥିବା ଘରଠାରୁ ଅଳ୍ପ ଦୂରରେ ଗୋଟିଏ ଦୁର୍ଗ ଦେଖିଥିବା ଓ ଦୁର୍ଗର ବାହାର କାନ୍ଥ ଭୂମିସାତ୍ ହୋଇଥିବା କଥା ସେ ଉକ୍ତ ଗ୍ରନ୍ଥରେ ଉଲ୍ଲେଖ କରିଥିଲେ ।

 

୧୮୫୦ ମସିହାରେ କଟକର ମାଜିଷ୍ଟ୍ରେଟ ଆର୍ ଏନ୍. ସୋରେ ସାହେବ ବାରବାଟୀର ଖନନ କାର୍ଯ୍ୟ ବନ୍ଦ କରିବା ପାଇଁ ସରକାରଙ୍କୁ ଲେଖିବା ଫଳରେ ଏହା ବନ୍ଦ ହୋଇଥିଲେ ହେଁ ୧୮୫୭ ମସିହାରେ କଟକର ସର୍ଭେୟର ହାରିସ୍‌ଙ୍କ ପରାମର୍ଶ ଅନୁସାରେ କମିଶନର ଜି.ଏଫ୍. କକ୍ ବର୍ଣ୍ଣ ପୁନର୍ବାର ଖନନ କାର୍ଯ୍ୟ ଆରମ୍ଭ କରିବା ହେତୁ ବାରବାଟୀର ପତନ ହୋଇଥିଲା । କିନ୍ତୁ ୧୮୭୨ ମସିହାରେ ଟୟବି ସାହେବ ତାଙ୍କର ‘A sketch histoty of Orissa’ ଗ୍ରନ୍ଥରେ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ ଏହି ବାରବାଟୀ ଦୁର୍ଗକୁ ଭାଙ୍ଗି ନଷ୍ଟ କରୁଥିବା କଥା ବର୍ଣ୍ଣନା କରିଛନ୍ତି । ୧୮୮୧– ୮୨ ମସିହାର ଫାଷ୍ଟ ରିପୋର୍ଟ ଅଫ୍ ଦି କ୍ୟୁରେଟର ଅଫ୍ ଆସିଆଣ୍ଟ ମନୁମେଣ୍ଟସ୍ ଇନ୍ ଇଣ୍ଡିଆରେ ଏଚ୍.ଏଚ୍.କୋଲେ ପ୍ରଦାନ କରିଥିବା ପ୍ରାଚୀନ ଓ ଆଧୁନିକ ଦୁର୍ଗ ତାଲିକା ମଧ୍ୟରୁ ବାରବାଟୀ ଦୁର୍ଗ ନଷ୍ଟ ହୋଇଯାଇଥିବାର ସୂଚନା ଦେଖିବାକୁ ମିଳେ ।

 

ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକ ପର୍ଯ୍ୟନ୍ତ ଏ ସମସ୍ତ ବିବରଣୀ ମଧ୍ୟରେ ବାରବାଟୀ ଦୁର୍ଗର ଧ୍ୱଂସାବଶେଷ, କ୍ରମବିଲୟମାନ ଗଭୀର ପରିଖା, ଜରାଜୀର୍ଣ୍ଣ ପ୍ରବେଶ ଦ୍ୱାର ଆଦି ସମ୍ପର୍କରେ ସୂଚନା ମିଳିଲେ ମଧ୍ୟ ତାହା କୃପାସିନ୍ଧୁଙ୍କ ଜାତୀୟ ଉନ୍ମାଦନାମୟ ପ୍ରାଣକୁ ଶାନ୍ତ ଶୀତଳ କରିପାରି ନଥିଲା । ତେଣୁ ଜାତୀୟତା ତଥା ସ୍ୱଦେଶ ଐତିହ୍ୟର ମୋହ ତାଙ୍କ ପ୍ରାଣକୁ କରିଥିଲା ସ୍ପନ୍ଦିତ ତଥା ଆନ୍ଦୋଳିତ । ଫଳରେ ତାଙ୍କର ଏହି କୃତିଟିର ବିଭିନ୍ନ ଛତ୍ରରେ ଦେଖିବାକୁ ମିଳିଥିଲା ଆବେଗମୟୀ ଭାଷାର ଅମନ୍ଦ ମନ୍ଦାକିନୀଧାରା । ସେଥିପାଇଁ ସେ ମୁକ୍ତକଣ୍ଠରେ ଘୋଷଣା କରିଥିଲେ, ଏହି ବାରବାଟୀ ଉତ୍କଳ ନରପତିମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ, ସର୍ପର ମଣି ଏବଂ ସ୍ଵର୍ଗର ପାରିଜାତ ସଦୃଶ ଥିଲା ।”

 

କୃପାସିନ୍ଧୁଙ୍କ ପୂର୍ବରୁ ବାରବାଟୀ ଦୁର୍ଗକୁ ନେଇ ଏକ ପୂର୍ଣ୍ଣାଙ୍ଗ ଇତିହାସ କୌଣସି ଭାଷାରେ ରଚିତ ହୋଇନଥିଲା । କୃପାସିନ୍ଧୁଙ୍କ ବାରବାଟୀ ଦୁର୍ଗପରି ସାହିତ୍ୟିକ ମୂଲ୍ୟ ବିଶିଷ୍ଟ, ଚିନ୍ତାଶୀଳ ତଥା ମୌଳିକ ଗବେଷଣାପ୍ରସୂତ ଇତିହାସ ଗ୍ରନ୍ଥ ମଧ୍ୟ ବିରଳ ଥିଲା । ତେଣୁ ପ୍ରାବନ୍ଧିକ କୃପାସିନ୍ଧୁ ବାରବାଟୀ ଦୁର୍ଗ ସମ୍ପର୍କରେ ଉକ୍ତ ଗ୍ରନ୍ଥରେ ଆଠଗୋଟି ଅଧ୍ୟାୟ ମଧ୍ୟରେ ଯଥାକ୍ରମେ ଉପକ୍ରମଣିକା, ଦୁର୍ଗନିର୍ମାଣ ସମୟ, ବାରବାଟୀର ଇତିହାସ, ବାରବାଟୀର ନବତଳ ପ୍ରାସାଦ ଓ ଓଡ଼ିଶାର ଇତିହାସ ଲେଖକଗଣ, ବାରବାଟୀ ଦୁର୍ଗ ବର୍ଣ୍ଣନ, ବାରବାଟୀ ଓ ତଦାନୀନ୍ତନ ଓଡ଼ିଶା, ଅନ୍ତିମଦଶା ଆଦି ବିଷୟରେ ଆଲୋଚନା କରିବା ପରେ ଉପସଂହାରରେ ଉପନୀତ ହୋଇଥିଲେ ।

 

ଉକ୍ତ ଗ୍ରନ୍ଥରେ କୃପାସିନ୍ଧୁ ବାରବାଟୀ ଭଳି ଏକ ସୁଦୃଢ଼ ଦୁର୍ଗ ନିର୍ମାଣର ସମୟ ଓ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । କେଶରୀ ରାଜତ୍ଵ ସମୟରେ ବହିଃଶତ୍ରୁର ଆକ୍ରମଣ ଭୟ ନଥିବାରୁ ରାଜାମାନେ ଧର୍ମାଚରଣାଦି ଦ୍ଵାରା ଅନ୍ତଃଶତ୍ରୁର ଉତ୍ପାଟନ ନିମନ୍ତେ ଶତ ଚେଷ୍ଟିତଥିଲେ । ତେଣୁ ସେ ସମୟରେ ସୁଦୃଢ଼ ଦୁର୍ଗ ନିର୍ମାଣର ଆବଶ୍ୟକତା ଦେଖା ଦେଇ ନଥିଲା-। କିନ୍ତୁ ଉକ୍ତ ବଂଶର ପଶ୍ଚିମକାଳକୁ କ୍ରମେ ବହିଃଶତ୍ରୁ ଆକ୍ରମଣର ଆଶଙ୍କା ଏବଂ ଗଙ୍ଗନରପତିଙ୍କର ଦାକ୍ଷିଣାତ୍ୟରୁ ଓଡ଼ିଶା ଆକ୍ରମଣର ଉଦ୍ୟମ ଫଳରେ ସୁରକ୍ଷିତ ସ୍ଥାନରେ ସୁଦୃଢ଼ ଦୁର୍ଗ ନିର୍ମାଣ ସହ ରାଜଧାନୀ ସ୍ଥାପନର ଆବଶ୍ୟକତା ଅପରିହାର୍ଯ୍ୟ ହେଲା । ଏହି ସୁଦୃଢ଼ ଦୁର୍ଗ ନିର୍ମାଣର ଅପରିହାର୍ଯ୍ୟତାର ଚରମ ତଥା ଶ୍ରେଷ୍ଠ ପରିଣତି ହେଲା ବାରବାଟୀ ଦୁର୍ଗ ।

 

ବିଶ୍ୱକୋଷ ପ୍ରଣେତା ଦୁର୍ଗର ନିର୍ମାଣ ସମୟକୁ ଚତୁର୍ଦ୍ଦଶ ଶତାବ୍ଦୀ ଓ ଏହା ଅନଙ୍ଗଭୀମ ଦେବଙ୍କ ଦ୍ଵାରା ନିର୍ମିତ ବୋଲି ଦେଇଥିବା ମତରେ ଥିବା ଐତିହାସିକ ଭ୍ରାନ୍ତି, ଏପରିକି ଧରଣୀକାନ୍ତ ଲାହିଡ଼ି ଚୌଧୁରୀ ଏହାକୁ ଅନୁସରଣ କରି ଭ୍ରମରେ ପଡ଼ିଥିବା, ଷ୍ଟର୍ଲିଂଙ୍କ ଇତିହାସରେ ଅନଙ୍ଗଭୀମ ଦେବଙ୍କ ସମୟ ସମ୍ପର୍କରେ ଥିବା ପରସ୍ପର ବିରୋଧୀ ମତକୁ ବିଚାର ବିଶ୍ଳେଷଣ କରି ବାରବାଟୀ ଦୁର୍ଗର ନିର୍ମାଣ ସମୟ ଦ୍ଵାଦଶ ଶତାବ୍ଦୀପୂର୍ବରୁ ବୋଲି କୃପାସିନ୍ଧୁ ନିଷ୍କର୍ଷରେ ଉପନୀତ ହୋଇଥିଲେ-। ବାରବାଟୀ ଦୁର୍ଗ ଦ୍ଵାଦଶ ଶତାବ୍ଦୀରେ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ନିର୍ମିତ ହେବା ଠାରୁ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପର୍ଯ୍ୟନ୍ତ ଏହା ଥିଲା ଓଡ଼ିଶାର ରାଜଧାନୀ ।

 

ଶିଖି ମନାଇଙ୍କ ବିଶ୍ୱାସଘାତକତା, କଳାପାହାଡ଼କୁ ସଙ୍ଗରେ ଧରି ଗଡ଼ଜାତ ଜଙ୍ଗଲ ପାହାଡ଼ ଦେଇ ବାରବାଟୀ ଆକ୍ରମଣ, ମୁକୁନ୍ଦଦେବଙ୍କ ରାଣୀ ଦ୍ୱାରା ଧନ ପ୍ରଦାନ ଓ ମୁକୁନ୍ଦଦେବ ବଙ୍ଗ ଅଭିଯାନରୁ ସଗୌରବେ ଫେରିବା ସମୟରେ ଯାଜପୁରଠାରେ ଯୁଦ୍ଧରେ ପ୍ରାଣ ହରାଇବା ଦ୍ୱାରା ଓଡ଼ିଶାର ସ୍ଵାଧୀନତା ଲୋପ ସ୍ୱଦେଶପ୍ରେମୀ କୃପାସିନ୍ଧୁଙ୍କ ପ୍ରାଣରେ ସୃଷ୍ଟିକରିଥିଲା ଗଭୀର ଭାବାବେଗ । ତାଙ୍କର ସେହି ଭାବାବେଗ ପୂର୍ଣ୍ଣ ଚିନ୍ତନକୁ ସେ ପ୍ରକାଶ କରିଥିଲେ, ‘‘ବହୁ ରତ୍ନ ପାଇ ଯଦିଚା କଳାପାହାଡ଼ ବାରବାଟୀ ଦୁର୍ଗର କୌଣସି କ୍ଷତି କରିନଥିଲା, ତଥାପି ସେ ତଦପେକ୍ଷା ଘୋରତର ଅନିଷ୍ଟ ସାଧନ କରିଦେଲା । ଉତ୍କଳର ସର୍ବଶ୍ରେଷ୍ଠ ଅମୂଲ୍ୟ ସମ୍ପଦ, ଯାହା ପ୍ରବଳ ପ୍ରତାପୀ ଆକବରଙ୍କୁ ସ୍ତମ୍ଭିତ କରିଥିଲା, ଯାହାଦ୍ୱାରା ଉତ୍କଳ ସେତେବେଳେ ଭାରତବର୍ଷରେ ଅଦ୍ୱିତୀୟ ପ୍ରଦେଶ ଥିଲା, ଏବଂ ବାରବାଟୀ ପରି ଶତ ଶତ ଦୁର୍ଗ ନିର୍ମାଣ କରି ଉତ୍କଳ ଯାହା ଏତେ କାଳ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଭାବରେ ରହିଥିଲା, ସେହି ସ୍ଵର୍ଗର ପାରିଜାତ ଉତ୍କଳର ସ୍ଵାଧୀନତା-ଧନ କଳାପାହାଡ଼ ଚିରକାଳ ନିମନ୍ତେ ହରଣ କଲା ! ! ! ଧନ୍ୟ ହେ ମହାପାତ୍ର ଦ୍ୱୟ ! ଧନ୍ୟ ତୁମ୍ଭର ଗୁଣ-! ! ଉତ୍କଳ ଇତିହାସରେ ତୁମ୍ଭେମାନେ ଯେଉଁ କଳଙ୍କ ଦେଲ ତାହା ଯୁଗ ଯୁଗାନ୍ତରେ ସୁଦ୍ଧା ବିଲୁପ୍ତ ହେବ ନାହିଁ ! !’’ ବକ୍ତବ୍ୟ ମଧ୍ୟରେ ।

 

ବାରବାଟୀରେ ନିର୍ମିତ ନବତଳ ପ୍ରାସାଦ ସମ୍ପର୍କିତ ଆବୁଲ ଫାଜଲଙ୍କ ମତକୁ ସମର୍ଥନ କରିବା ବେଳେ ରାଜେନ୍ଦ୍ର ଲାଲ ମିତ୍ରଙ୍କ ନବଶ୍ରେଣୀ ଗୃହ ଓ ଅଷ୍ଟପ୍ରାଙ୍ଗଣ ମତକୁ ଖଣ୍ଡନ କରିଥିଲେ ଐତିହାସିକ କୃପାସିନ୍ଧୁ । ଅବୁଲ ଫାଜଲ, ଫର୍ଗୁସନ ଓ ଷ୍ଟର୍ଲଙ୍କ ମତକୁ ସମର୍ଥନ କରିବା ସହିତ ବାରବାଟୀରେ ମୁକୁନ୍ଦଦେବଙ୍କ ସମୟରେ ନବତଳପ୍ରାସାଦ ଥିବା କଥା ସେ ଯୁକ୍ତିଛଳରେ ପ୍ରକାଶ କରିଥିଲା । ଓଡ଼ିଶା ସମ୍ପର୍କରେ ସମୟାନୁକ୍ରମେ ବିଭିନ୍ନ ବ୍ୟକ୍ତିଙ୍କର ଭ୍ରମାତ୍ମକ ପ୍ରଳାପକୁ ସଂଶୋଧନ କରିବା ପାଇଁ ଏହି ଗ୍ରନ୍ଥ ମାଧ୍ୟମରେ କୃପାସିନ୍ଧୁଙ୍କ ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ।

 

ଗ୍ରନ୍ଥଟିର ଉପସଂହାରରେ ଓଡ଼ିଶାର ଗର୍ବ, ଗୌରବ, ଅତୀତର ବଳ, ଧନ, ମାନ, ଜ୍ଞାନ ଓ ମାନ ଆଜି କିପରି ଲୋପ ପାଇବାକୁ ବସିଛି, ସଚେତନ ଓଡ଼ିଆ ଯେ କି ଅନ୍ୟଠାରୁ ଅନୁଗ୍ରହ ଆଶା ନକରି ଅନ୍ୟକୁ ଅନୁଗ୍ରହ ପ୍ରଦାନ କରୁଥିଲା, ଯେଉଁ ଓଡ଼ିଆଙ୍କର ଦାମ୍ଭିକତା ତଥା ସାହସିକତା ସମ୍ମୁଖରେ ପ୍ରବଳ ପ୍ରତାପୀ ମୁସଲମାନମାନେ ଦୀର୍ଘ ଦିନ ନତମସ୍ତକ ହୋଇଥିଲେ, ଯେଉଁ ଭୂମିକୁ ବୀର ଶ୍ରେଷ୍ଠ ଶିବାଜୀ ଦେବତାଙ୍କର ସ୍ଥାନ ବୋଲି ସମ୍ମାନ ପ୍ରଦର୍ଶନ କରିଥିଲେ, ଆଜି ସେହି ଭୂମିର ସନ୍ତାନମାନେ କିପରି ହୃଦୟର ତେଜ, ବାହୁର ବଳ ଓ ମନର ଦାୟିକତାକୁ ହରାଇ ବସିଛନ୍ତି ତାକୁ ସ୍ମରଣ କରି କୃପାସିନ୍ଧୁ ପ୍ରିୟମାଣ ହୋଇଛନ୍ତି । ବାରବାଟୀକୁ ଦେଖି ପୂର୍ବର ହୃତଗୌରବ ତଥା ମନୋବଳକୁ ଫେରାଇ ଆଣିବା ପାଇଁ ସେ ଉଦ୍‍ବୋଧନ ଦେଇଛନ୍ତି ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ କୃପାସିନ୍ଧୁଙ୍କର ପ୍ରକାଶଭଙ୍ଗୀରେ ଆତ୍ମୀୟତା, ନମନୀୟତା ଓ ଅନୁସନ୍ଧିତ୍ସାର ଦୃଷ୍ଟିଭଙ୍ଗୀ ଦ୍ୱାରା ବାରବାଟୀ ଗ୍ରନ୍ଥଟି ମହନୀୟ ତଥା ଆଦର୍ଶପ୍ରଦ ହୋଇ ପାରିଛି । କେବଳ ସେତିକି ନୁହେଁ ଏହା ପରବର୍ତ୍ତୀ ଗବେଷକଙ୍କ ନିମନ୍ତେ ଏକ ସୁଦୃଢ଼ ଗବେଷଣାର ଭିତ୍ତିଭୂମି ରୂପେ ସ୍ଥାନଗ୍ରହଣ କରିବା ସହିତ ଐତିହାସିକ ଗବେଷଣାକୁ ଉନ୍ନତତର ତଥା ଉଜ୍ୱଳତର କରିବାର ପଥ ଉନ୍ମକ୍ତ କରିପାରିଛି । କୃପାସିନ୍ଧୁଙ୍କର ଯୁକ୍ତିନିଷ୍ଠତା, ଅନ୍ତର୍ନିହିତ ଜାତୀୟତାର ଆବେଦନ ତଥା ଦେଶକାଳ ପାତ୍ରାଦି ବିଚାରର ସମ୍ୟକ ପ୍ରୟୋଗ ତାଙ୍କୁ ଜଣେ ଐତିହାସିକର ଆସନରେ ଉପନୀତ କରାଇ ପାରିଛି କହିଲେ ସତ୍ୟର ଆପଳାପ ହେବ ନାହିଁ ।

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର-୭୬୦୦୦୭, ଗଞ୍ଜାମ

 

***

 

Unknown

ଓଡ଼ିଶା ଇତିହାସ ଆଲୋଚନାରେ କୃପାସିନ୍ଧୁଙ୍କ

ମୌଳିକ ଦୃଷ୍ଟି ଓ ଦିଗନ୍ତ

ହରିଶ୍ଚନ୍ଦ୍ର ବେହେରା

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଯଦିଓ ଦର୍ଶନଶାସ୍ତ୍ରର ଛାତ୍ର ଥିଲେ ତଥାପି ପରବର୍ତ୍ତୀ ଜୀବନରେ ଓଡ଼ିଶାର ଇତିହାସକୁ ନେଇ ତାଙ୍କର ଯେଉଁ ଅଭିନିବେଶ ତାହା ଅନେକଙ୍କୁ ବିସ୍ମିତ କରେ । ବିଶେଷତଃ ତାଙ୍କ ପୂର୍ବରୁ ଷ୍ଟଲିଂ ସାହେବ, ଜନ୍ ବୀମ୍‍ସ, ହଣ୍ଟର ସାହେବ ବା ରାଜେନ୍ଦ୍ରଲାଲ ମିତ୍ର, ମନମୋହନ ଚକ୍ରବର୍ତ୍ତୀ ପ୍ରମୁଖ ଓଡ଼ିଶାର ଯେଉଁ ଇତିହାସ ରଚନା କରିଥିଲେ ସେଗୁଡ଼ିକର ଭାଷା ଥିଲା ଇଂରାଜୀ ଏବଂ ସେଗୁଡ଼ିକ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ପ୍ରଦାନ କରିବାରେ ବିଶେଷ ସଫଳତା ପାଇନଥିଲେ । ଅନେକ ସ୍ଥାନରେ ସତ୍ୟର ଅପଳାପ ସାଙ୍ଗକୁ ଜନଶ୍ରୁତି ବା କିମ୍ବଦନ୍ତୀକୁ ଆଧାର କରି ଯେଉଁ ସବୁ ତଥ୍ୟ ପ୍ରଦାନ କରାଯାଇଛି ସେଗୁଡ଼ିକ ଐତିହାସିକ ବାସ୍ତବତା ଠୁଁ ଅନେକ ଦୂରରେ । ଏହା ପରେ ପ୍ୟାରୀମୋହନ ଆଚାର୍ଯ୍ୟ ୧୮୭୯ ମସିହାରେ ଓଡ଼ିଆ ଭାଷାରେ ପ୍ରଥମେ ଇତିହାସ ରଚନା କଲେ । ଯଦିଓ ଏଥିରେ ପୂର୍ଣ୍ଣାଙ୍ଗ ତଥ୍ୟ ପାଇବା ସମ୍ଭବ ନଥିଲା ତଥାପି ଓଡ଼ିଆ ଭାଷାର ପ୍ରଥମ ଇତିହାସ ଭାବରେ ଏହା ମୂଲ୍ୟ ଯଥେଷ୍ଟ ଅଛି ସନ୍ଦେହ ନାହିଁ । ପ୍ୟାରୀମୋହନଙ୍କ ପ୍ରାଥମିକ ଉଦ୍ୟମକୁ ପଲ୍ଲବିତ କରିଥିଲେ ସତ୍ୟବାଦୀ ଯୁଗ ଜାତୀୟ ଜାଗରଣର ଅନ୍ୟତମ ପୁରୋଧା ପଣ୍ଡିତ କୃପାସିନ୍ଧୁ ମିଶ୍ର । ସମାଜର ଉନ୍ନତି, ଜାତୀୟ ଜୀବନର ପ୍ରଗତି ତଥା ଆତ୍ମବିସୃତ ଜାତିକୁ ଆତ୍ମସଚେତନ କରି ଜାତୀୟ ଐତିହ୍ୟ ଓ ସଂସ୍କୃତି ସ୍ଥାପନ ଲାଗି ଇତିହାସ ରଚନାର ଆବଶ୍ୟକତା ଯଥେଷ୍ଟ ଅଛି ବୋଲି ପଣ୍ଡିତ ମିଶ୍ର ବିଶ୍ୱାସ କରୁଥିଲେ । ଦ୍ୱିତୀୟତଃ ପୃଥିବୀରେ ଯେଉଁସବୁ ଇତିହାସ ରଚନା କରାଯାଇଛି ଏଥିରେ ମୁଖ୍ୟତଃ ରାଜାରାଜୁଡ଼ାଙ୍କ ଜୀବନ ଓ ରାଜ୍ୟଶାସନ ହିଁ ଦିଆଯାଇଛି । ମାତ୍ର କୃପାସିନ୍ଧୁଙ୍କ ଉତ୍କଳ ଇତିହାସ, ବାରବାଟୀ ଦୁର୍ଗ, କୋଣାର୍କ ପ୍ରଭୃତି ଗ୍ରନ୍ଥ କେବଳ ଉତ୍କଳର ରାଜାରାଜୁଡ଼ାଙ୍କ କଥା କହି ନାହାନ୍ତି, ପରନ୍ତୁ ଉତ୍କଳୀୟମାନଙ୍କର ଦୀର୍ଘଦିନର ସଂଗ୍ରାମ, ଶିଳ୍ପ ବାଣିଜ୍ୟ, ଆଧ୍ୟାତ୍ମିକ ଜୀବନ, ଇତ୍ୟାଦି କଳାକୌଶଳର ସବିଶେଷ ଚିତ୍ର ଯୁକ୍ତିନିଷ୍ଠ ଭାବରେ ପ୍ରଦାନ କରାଯାଇଛି । ଇତିହାସର ଉଦ୍ଦେଶ୍ୟ ସମ୍ପର୍କରେ ପଣ୍ଡିତ କୃପାସିନ୍ଧୁ କହନ୍ତି- ‘‘ମାତ୍ର ରାଜାମାନଙ୍କର ଜୀବନ ଦେଶର ପ୍ରକୃତ ଇତିହାସ ନୁହେଁ । ଦେଶବାସୀଙ୍କ ଜୀବନର ବିଷୟାବଳୀ ଦେଶର ପ୍ରକୃତ ଇତିହାସ ।’’ (ଉତ୍କଳ ଇତିହାସ-ପୃ. ୨୭) ।

 

ସେହିପରି ‘ବାରବାଟୀ ଦୁର୍ଗ ପୁସ୍ତକରେ ଇତିହାସର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ କହନ୍ତି ‘‘ଇତିହାସ ଜାତୀୟତା ଗଠନର ପ୍ରଧାନ ସହାୟ । ଏହା ଜାତିର ଜୀବନ ରଚିତ, ଏହା ଦ୍ୱାରା ଜାତି ଆତ୍ମଜ୍ଞାନ ଲାଭ କରେ । ସୁଦୂର ଅତୀତର ସ୍ମୃତି ଏହା ଯେପରି ଜାଗରଣ କରାଏ, ଭବିଷ୍ୟତ ଉନ୍ନତିର ମାର୍ଗ ମଧ୍ୟ ସେହିପରି ଦେଖାଇଦିଏ ।

 

କୃପାସିନ୍ଧୁଙ୍କର ଇତିହାସ ଆଧାରିତ ପ୍ରବନ୍ଧଗୁଡ଼ିକର ତଥ୍ୟସବୁ ଓଡ଼ିଶାର ଶିଳାଶିଳ୍ପ, ଶିଳାଲେଖ, ପ୍ରାଚୀନ କାବ୍ୟ ପୁରାଣ, କିମ୍ବଦନ୍ତୀ ମାଦଳାପାଞ୍ଜି, ପାଶ୍ଚାତ୍ୟ ଐତିହାସିକମାନଙ୍କର ଇତିହାସ, ହୁଏନସାଂ, ମେଘାସ୍ଥିନିସ୍‌ଙ୍କ ଭାରତ ସମ୍ପର୍କିତ ବିବରଣୀ, ଜିଲ୍ଲା ଗେଜେଟିୟର, ତଥା ତାଙ୍କ ପୂର୍ବରୁ ରଚିତ ଇତିହାସ ପୁସ୍ତକରୁ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ସେ ସତ୍ୟବାଦୀ ବନବିଦ୍ୟାଳୟ ଇତିହାସ ସମାଜର ସଭାପତି ଥିବା ସମୟରେ ଯେଉଁସବୁ ଇଂରାଜୀ ପ୍ରବନ୍ଧ ପଢ଼ାଯାଇଥିଲା ସେଥିରୁ ଅନେକ ମୂଲ୍ୟବାନ ତଥ୍ୟ ସବୁ ତାଙ୍କ ପ୍ରବନ୍ଧ ରଚନା ପାଇଁ ଗ୍ରହଣ କରିଥିଲେ । ଇତିହାସ ଆଧାରିତ ତାଙ୍କର ‘ଉତ୍କଳ ଇତିହାସ’, “କୋଣାର୍କ’’, ବାରବାଟୀ ଦୁର୍ଗ, ପୁସ୍ତକଗୁଡ଼ିକ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଆଲୋଚନା କ୍ଷେତ୍ରରେ ଅତ୍ୟନ୍ତ ଉପାଦେୟ ସୃଷ୍ଟି, ଏଥିରେ ସନ୍ଦେହ ନାହିଁ । ଏସବୁ ପୁସ୍ତକରେ ଐତିହାସିକ ସତ୍ୟାସତ୍ୟ ବିଚାରବୋଧ ସହ କଳାତ୍ମକ ଦୃଷ୍ଟିର ଯେଉଁ ସମନ୍ୱୟ ହୋଇଛି ତାହାହିଁ କୃପାସିନ୍ଧୁଙ୍କ ପ୍ରବନ୍ଧର ବଡ଼ ବୈଶିଷ୍ଟ୍ୟ । ଇଂରେଜ ପଣ୍ଡିତମାନେ ଓଡ଼ିଶାର ଯେଉଁ ଇତିହାସ ରଚନା କରିଛନ୍ତି ସେଗୁଡ଼ିକ ତଥ୍ୟଗତ ପ୍ରମାଦ ତଥା ଅତି ମାତ୍ରାରେ କିମ୍ବଦନ୍ତୀ ଆଧାରିତ ଦୃଷ୍ଟି ଯାହା ଅନେକାଂଶରେ ସତ୍ୟର ଆଳାପ ହୋଇଛି । କିନ୍ତୁ ପଣ୍ଡିତ କୃପାସିନ୍ଧୁ ତାଙ୍କ ପ୍ରବନ୍ଧଗୁଡ଼ିକରେ ଯେଉଁସବୁ ତଥ୍ୟ ପ୍ରଦାନ କରିଛନ୍ତି ତାହା ସତ୍ୟର ଖୁବ୍ ନିକଟବର୍ତ୍ତୀ ଏବଂ ଅଧିକାଂଶ ତଥ୍ୟ ନିଜ ଅଙ୍ଗେ ନିଭା ଅନୁଭବ ଯୋଗୁଁ ବେଶ୍ ବଳିଷ୍ଠ ଓ ଯୁକ୍ତିନିଷ୍ଠ ହୋଇପାରିଛି ।

 

ଏ ଯାଏଁ ବହୁ ଶିକ୍ଷିତ ଓଡ଼ିଆଙ୍କ ମନରେ ବଦ୍ଧମୂଳଥିବା ଅନେକ ବିଶ୍ୱାସ ଯେ ପ୍ରମାଦପୂର୍ଣ୍ଣ ତାହା କୃପାସିନ୍ଧୁଙ୍କ ପ୍ରବନ୍ଧଗୁଡ଼ିକ ପାଠକଲେ ଜଣାପଡ଼େ । ଏ ସମ୍ପର୍କରେ କେତେଗୋଟି ଉଦାହରଣ ତାଙ୍କ ପ୍ରବନ୍ଧରୁ ଦିଆଯାଇପାରେ । ଯଥା- ‘ଓଡ଼ିଶା’ ନାମକରଣ ମୂଳରେ ଏଠାକାର ଆଦିମ ଅଧିବାସୀ ଜାତିଙ୍କ ନାମ ଅନୁସାରେ ଓଡ଼ିଶା ହୋଇଛି, ଯାହା ‘ଉଡ୍ର +ବିଷୟ’ରୁ ବ୍ୟୁତ୍ପନ୍ନ ହୋଇଛି । ଓଡ଼ ଚାଷ କରୁଥିବା ଚାଷୀ ଜାତିବିଶେଷଙ୍କୁ ଉଡ୍ର କୁହାଯାଏ ବୋଲି ଅନେକ ଭାଷାବିତ୍ ଓ ଐତିହାସିକମାନେ ଉଲ୍ଲେଖ କରିଛନ୍ତି । ମାତ୍ର ପଣ୍ଡିତ କୃପାସିନ୍ଧୁ ଏ ମତକୁ ସ୍ୱୀକାର କରିନାହାନ୍ତି । ସେ ଯେଉଁ ଐତିହାସିକ ସତ୍ୟ ଉତ୍‍ଥାପନ କରିଛନ୍ତି ତାହା ହେଉଛି ଗଙ୍ଗବଂଶର ରାଜତ୍ୱ ସମୟରେ ଏମାନେ ଗଙ୍ଗବଂଶଙ୍କ ସଙ୍ଗରେ ଆସି ଉତ୍କଳର ସୈନ୍ୟବାହିନୀରେ ସାମିଲ ଥିଲେ ଏବଂ ଯୁଦ୍ଧବିଦ୍ୟା ଏମାନଙ୍କର ପରମ୍ପରାଗତ ବୃତ୍ତ ଥିଲା । ଏମାନେ କାଳକ୍ରମେ ଉତ୍କଳ ସକଳ ରାଜବଂଶର ପ୍ରଧାନ ସୈନିକର ଗୌରବ ପ୍ରାପ୍ତ ହୋଇଥିଲେ । ଏମାନଙ୍କୁ ଆଧାର କରି ମୋଗଲ ଶାସନ ସମୟରେ ଉତ୍କଳ ନାମ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହୃତ ହୋଇଥିଲା । ଏ ସମ୍ପର୍କରେ କୃପାସିନ୍ଧୁଙ୍କ ମତଟି ଉଲ୍ଲେଖଯୋଗ୍ୟ ‘ମୁସଲମାନମାନେ ଯେଉଁ ସୈନିକ ସଙ୍ଗେ ତିନିଶହ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରି ଉତ୍କଳରୁ ବାରମ୍ବାର ପରାସ୍ତ ହୋଇ ଫେରୁଥିଲେ, ସେମାନେ ସାଧାରଣତଃ ଓଡ୍ର ଥିବାରୁ ସେମାନଙ୍କ ନାମାନୁସାରେ ମୁସଲମାନମାନେ କଳିଙ୍ଗ ବା ଉତ୍କଳକୁ ‘ଓଡ଼ିଶା’ ନାମ ଦେଇଥିଲେ । ଭୋଇ ବଂଶ ରାଜାମାନେ ଗଙ୍ଗବଂଶର ଉତ୍ତରାଧିକାରୀ ରୂପେ ଖୋରଧାରେ ରାଜତ୍ୱ ପାଇବାରୁ ଏବଂ ଖୋରଧାରେ ଓଡ୍ର ପାଇକମାନେ ବହୁ ସଂଖ୍ୟାରେ ବାସ କରି ରହିଥିବାରୁ ଖୋରଧା ଅଦ୍ୟାପି ସୁଦ୍ଧା ଲୋକରେ ଓଡ଼ିଶା ନାମରେ ପରିଚିତ ।’’ (ଉତ୍କଳ ଇତିହାସ- ପୂ. ୩) । ତେଣୁ ଗଙ୍ଗରାଜତ୍ୱ ପୂର୍ବରୁ ‘ଓଡ଼ିଶା’ ନାମରେ କୌଣସି ଦେଶ ନଥିଲା ବୋଲି ପଣ୍ଡିତ ମିଶ୍ରଙ୍କର ବଳିଷ୍ଠ ମତ । କଳିଙ୍ଗର ପଶ୍ଚିମ ପ୍ରାନ୍ତରେ ବସବାସ କରୁଥିବା ଏହି ଓଡ୍ର ଜାତି ବିଶେଷକୁ ମୋଗଲ ଶାସନ ଅମଳରେ ‘ଓଡ଼ିଶା’ ନାମରେ ପରିଚିତ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

 

ସେହିପରି ‘ଉତ୍କଳ’ ଶବ୍ଦର ବ୍ୟୁତ୍ପତ୍ତି କରି ଅନେକ ଶିକ୍ଷିତ ଓ ତଥା ଅଶିକ୍ଷିତ ଓଡ଼ିଆ ‘ଉତ୍କୃଷ୍ଟ କଳା’ର ଦେଶ ଯୋଗୁଁ ଏହାର ନାମ ଉତ୍କଳ ବୋଲି ଉଲ୍ଲେଖ କରିଛନ୍ତି । ମାତ୍ର ପଣ୍ଡିତ ମିଶ୍ର ‘ଉତ୍କଳ’ ଶବ୍ଦର ସୃଷ୍ଟି ‘ଉଡ୍ର-କଳିଙ୍ଗ’ରୁ ହୋଇଛି ବୋଲି କହିଛନ୍ତି । ତାଙ୍କ ମତରେ ଅତୀତରେ ବୃହତ୍ କଳିଙ୍ଗ ରାଜ୍ୟ ତିନି ଭାଗରେ ବିଭକ୍ତ ଥିଲା । ଦକ୍ଷିଣ ଭାଗଟି ଦକ୍ଷିଣ କଳିଙ୍ଗ ବା ମୁଖ୍ୟ କଳିଙ୍ଗ, ମଧ୍ୟ ଭାଗଟି ମଧ୍ୟ କଳିଙ୍ଗ ଏବଂ ଉତ୍ତର ଭାଗଟି ଉତ୍ତର କଳିଙ୍ଗ ନାମରେ ନାମିତ ହେଲା । ଏହି ତିନି କଳିଙ୍ଗକୁ ଇତିହାସରେ ତ୍ରିକଳିଙ୍ଗ ଏବଂ ଏହାର ଅଧ୍ୟାପତିଙ୍କୁ ତ୍ରିକଳିଙ୍ଗାପତି ବୋଲି କୁହାଯାଉଥିଲା । ପ୍ରଯତ୍ନ ଲାଘବ ଯୋଗୁଁ ଏହାକୁ ଉତ୍କଳ ବୋଲି କୁହାଗଲା ଏବଂ ଯାହାର ରାଜଧାନୀ ଥିଲା ‘ତୋଷାଳୀ’ । ‘ତୋଷାଳୀ ହେଉଛି ବର୍ତ୍ତମାନର ଖଣ୍ଡଗିରି ଓ ଧଉଳିର ମଧ୍ୟବର୍ତ୍ତୀ ସ୍ନାନ ।

 

ବୈଦିକ ଯୁଗରୁ ଯେଉଁ କଳିଙ୍ଗର ସୁନାମ ସୁଦୂରପ୍ରସାରୀ ଥିଲା ସେ କଳିଙ୍ଗ ବାରମ୍ବାର ବୈଦେଶିକ ଶତ୍ରୁ ଆକ୍ରମଣରେ ଖଣ୍ଡବିଖଣ୍ଡିତ ହୋଇ ଆଜି ସଂକୁଚିତ ଓଡ଼ିଶା ରାଜ୍ୟରେ ପରିଣତ ହୋଇଛି । କଳିଙ୍ଗର ରାଜା ଶତ୍ରୁାୟୁଧ ଆପଣାର ବୀରପୁତ୍ର ଓ ଅଜୟ ସେନାକୁ ନେଇ କୌରବ ପକ୍ଷ ସମର୍ଥନ କରି ପାଣ୍ଡବମାନଙ୍କ ବିପକ୍ଷରେ କିପରି ଲଢ଼େଇ କରି ନିଜର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ସେ ସମ୍ପର୍କରେ ପଣ୍ଡିତ ମିଶ୍ର ତାଙ୍କ ‘କଳିଙ୍ଗ’ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି । କଳିଙ୍ଗରୁ ଷାଠିଏ ହଜାର ରଥ, ଏବଂ ପର୍ବତ ସମାନ ଦଶହଜାର ହାତୀ ଯାଇ ଯୁଦ୍ଧ କରିଥିଲେ । ଯେଉଁ ସପ୍ତରଥୀମାନେ ଭୀଷ୍ମଙ୍କ ଆଗେ ଆଗେ ରହି ଯୁଦ୍ଧ କରିଥିଲେ, କଳିଙ୍ଗ ରାଜା ସେମାନଙ୍କର ଅଗ୍ରଗାମୀ ଥିଲେ ବୋଲି ମହାଭାରତରୁ ଏ ତଥ୍ୟ ଉଦ୍ଧାର କରି ସେ ଦର୍ଶାଇଛନ୍ତି । ବୁଦ୍ଧଦେବଙ୍କ ପୂର୍ବରୁ କଳିଙ୍ଗବାସୀମାନେ ସାଗର ବାଣିଜ୍ୟରେ କିପରି ଉନ୍ନତ ଥିଲେ, ବିଭିନ୍ନ ପୌରାଣିକ ତଥ୍ୟ ପ୍ରମାଣରୁ ତା’ର ସୂଚନା ଦେଇଛନ୍ତି ।

 

‘ତାମ୍ରଲିପ୍ତ’ ବନ୍ଦର ସମ୍ପର୍କରେ ପଣ୍ଡିତ ମିଶ୍ର କହିଛନ୍ତି- ‘ତାମ୍ରଲିପ୍ତ ଉତ୍ତର କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା । ଅଶୋକ କଳିଙ୍ଗ ଅଧିକାର କରିବା ପରେ ତାମ୍ରଲିପ୍ତରେ ଦୁଇଶହ ଫୁଟ ଉଚ୍ଚର ଏକ ସ୍ତମ୍ଭ ନିର୍ମାଣ କରି ଧର୍ମଶିକ୍ଷା ଖୋଳାଇ ପ୍ରଚାର କରିଥିଲେ । ତାମ୍ରଲିପ୍ତ ବା ତାମଲୁକ ଅତି ପ୍ରାଚୀନ କାଳରୁ ଉତ୍କଳର ଏକ ପ୍ରଧାନ ସହର ଥିଲା ଏବଂ ଦେଶବିଦେଶରୁ ବହୁ ବଣିଜ ଓ ଧନରତ୍ନ ଆସି ଏଠାରେ କାରବାର ହେଉଥିଲା । .... ଅଶୋକଙ୍କ କାଳରୁ ଆରମ୍ଭ କରି ମେଦିନୀପୁର ଜିଲ୍ଲା ଉତ୍କଳରୁ ବିଛିନ୍ନ ହେବା ପର୍ଯ୍ୟନ୍ତ ଏହି ଉତ୍କଳର ଅନ୍ତର୍ଗତ ରାଜ୍ୟ ଥିବା ଜଣାଯାଏ । (ଉତ୍କଳ ଇତିହାସ-ପୂ. ୨୭)

 

ଶିଳାଲେଖ, ମନ୍ଦିର ଗାତ୍ରର ଭାସ୍କର୍ଯ୍ୟ, ଆମର ମହାନ୍ ପୁରାଣ ଏବଂ ବୈଦେଶିକମାନଙ୍କର ବନାରୁ ପଣ୍ଡିତ କୃପାସିନ୍ଧୁ ଅନୁମାନ କରିଛନ୍ତି ଯେ ଅତୀତରେ ଉତ୍କଳବାସୀ ସୁସଭ୍ୟ ଥିଲେ ଏବଂ ସେମାନେ ଧାର୍ମିକ, କର୍ମ, ସାହସୀ ଏବଂ କଳା ଭାସ୍କର୍ଯ୍ୟରେ ସମୁନ୍ନତ ଥିଲେ-। ଖଣ୍ଡଗିରି, ଉଦୟଗିରି ଓ ନୀଳଗିରି ପାହାଡ଼ ସମୂହରେ ଥିବା ଗୁମ୍ଫାମାନଙ୍କର ସୂକ୍ଷ୍ମ କାରୁକାର୍ଯ୍ୟରୁ ଉତ୍କଳୀୟମାନଙ୍କର ଉନ୍ନତ ଶିଳ୍ପ କଳା ତଥା ସେ ସମୟର ସାମାଜିକ ତଥା ପାରିବାରିକ ଜୀବନଚର୍ଯ୍ୟା ସମ୍ପର୍କରେ କି ପ୍ରକାର ପରିଚୟ ମିଳୁଛି ସେ ସମ୍ପର୍କରେ ‘ଦେଶର ଅବସ୍ଥା’ ପ୍ରବନ୍ଧରେ ସୂଚନା ଦେଇ ଲେଖିଛନ୍ତି “ପୁରୁଷମାନେ କେତେକ ପରିମାଣରେ ବର୍ତ୍ତମାନ ପରି ଲୁଗା ପିନ୍ଧୁଥିଲେ-। ଲୁଗା ଆଣ୍ଠୁ ତଳକୁ ବେଶି ଆସୁନଥିଲା । ଉଚ୍ଚକୁଳର ସ୍ତ୍ରୀମାନେ ସୂକ୍ଷ୍ମଲୁଗା ଓ ଶାଢ଼ିମାନ ଓ ସୁନାରୂପାର ଅଳଙ୍କାର ପିନ୍ଧୁଥିଲେ । ଦୋତଲା ଘର, ବସିବାକୁ କାଠ ଆସନ, ଖଟ, ଥାଳୀ, ବାସନ ଓ ନାନା ବାହ୍ୟ ଯନ୍ତ୍ର, ଛତା, ଦଉଡ଼ି, ହାତୀ, ଓ ଘୋଡ଼ାଙ୍କ କଲିଆର, ଖଣ୍ଡା, ଢାଲ, ଧନୁଶର ପ୍ରଭୃତି ବ୍ୟବହାର କରାଯାଉଥିଲା ।... ଧର୍ମ ଜୀବନର କେତେକ ଦୃଶ୍ୟ ମଧ୍ୟ ଖୋଦିତ ହୋଇଛି । ମନ୍ଦିର ମଧ୍ୟରେ ଦେବ ଉପାସନା, ଈଶ୍ୱର ଭକ୍ତିରେ ତନ୍ମୟ ହେବା, ବା ଗୋଷ୍ଠୀରେ ସମସ୍ତେ ନୃତ୍ୟ ଗୀତ କରିବା, କୌଣସି ମହର୍ଷି ବା ଧର୍ମବୀରଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା କରିବା, ବୃକ୍ଷ, ଶ୍ରୀ ଓ ସୂର୍ଯ୍ୟଙ୍କ ଉପାସନା କରିବା ପ୍ରଭୃତି ଦେଖାଯାଏ । କଳିଙ୍ଗର ବାଣିଜ୍ୟ ସମ୍ପର୍କରେ ଉଲ୍ଲେଖ କରି ଖ୍ରୀଷ୍ଟଜନ୍ମର ୮୦୦ ବର୍ଷ ପୂର୍ବରୁ କଳିଙ୍ଗବାସୀ ସମୁଦ୍ର ବାଣିଜ୍ୟରେ କିପରି ନିପୁଣ ଥିଲେ ତା’ର ସୂଚନା ଦେଇଛନ୍ତି । ବିଭିନ୍ନ ଅନୁଶାସନମାନଙ୍କରୁ ପ୍ରମାଣିତ ତଥ୍ୟ ସଂଗ୍ରହ କରି ଖ୍ରୀ.ପୂ. ୩ୟ ଓ ୪ର୍ଥ ଶତାବ୍ଦୀ ବେଳକୁ ସମୁଦ୍ର ଯାତ୍ରା ତଥା ସମୁଦ୍ର ବାଣିଜ୍ୟ କିପରି କଳିଙ୍ଗ ରାଜକୁମାରମାନଙ୍କର ଶିକ୍ଷା ବିଧାନର ଅନ୍ତର୍ଗତ ଥିଲା ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଖ୍ରୀ.ପୂ. ୪ର୍ଥ ଶତାବ୍ଦୀରେ ମେଘାସ୍ଥିନିସ୍ ଭାରତ ବିବରଣୀକୁ ଆଧାର କରି କହନ୍ତି ଯେ ଖ୍ରୀ.ପୂ. ୪ର୍ଥ ଶତାବ୍ଦୀ ପୂର୍ବରୁ ସିଂହଳ ସହ କଳିଙ୍ଗର ହାତୀ ବାଣିଜ୍ୟ ସମୁଦ୍ର ମଧ୍ୟରେ ଚାଲୁଥିଲା । ଏଥିଲାଗି ‘ହାତୀ ବୋଇତ’ ନାମରେ ବଡ଼ ବଡ଼ ଜାହାଜ ସମୁଦ୍ର ପଥରେ ବ୍ୟବହୃତ ହେଉଥିଲା । ପାଣ୍ଡ୍ୟ ରାଜାଙ୍କ ଠାରୁ ଏହିପରି ହାତୀ ବୋଇତମାନ ଖାରବେଳ ଉପହାର ପାଇଥିବାର କଥା ତାଙ୍କ ହାତୀ ଗୁମ୍ଫା ଶିଳାଲେଖାରୁ ଜଣାଯାଏ-। ଉତ୍କଳର ବସ୍ତଶିଳ୍ପ ସମ୍ପର୍କରେ ପଣ୍ଡିତ ମିଶ୍ର କହନ୍ତି- “ଉତ୍କଳର ବସ୍ତ୍ର ବଡ଼ ପ୍ରସିଦ୍ଧ ଓ ଦେଶ ବିଦେଶରେ ବିଶେଷ ଆଦରଣୀୟ ବସ୍ତ୍ର ଥିଲା । ତାମିଲ ଦେଶରେ କଳିଙ୍ଗ ବସ୍ତ୍ରର ଏପରି ଆଦର ଥିଲା ଯେ, ତାମିଲ ଭାଷାରେ ବସ୍ତ୍ରକୁ କଳିଙ୍ଗ ବୋଲି କୁହାଯାଏ । କଳିଙ୍ଗ ବସ୍ତ୍ରର ଶ୍ରେଷ୍ଠତା ଯୋଗୁଁ ଦୂର ଦେଶରେ ରାଜାମାନେ ତାହା ବିଶେଷ ଆଦର କରୁଥିଲେ ଏବଂ କଳିଙ୍ଗ ରାଜାମାନେ ବନ୍ଧୁତା ସୂତ୍ରରେ କଳିଙ୍ଗ ବସ୍ତ୍ରମାନ ବିଦେଶୀ ରାଜାମାନଙ୍କୁ ଉପହାର ସ୍ୱରୂପ ଦେଉଥିଲେ । ତାହା ଏପରି ସୂକ୍ଷ୍ମ ଥିଲା ଯେ, ଜଣେ ପୁରୋହିତ ତାହା ପିନ୍ଧି ବାହାରିବାରୁ ଉଲଗ୍ନ ବୋଲି ସେ ରାଜା ଛାମୁରୁ ବିତାଡ଼ିତ ହୋଇଥିଲେ । ସେହିପରି ସମ୍ବଲପୁର ହୀରା କିପରି ପୃଥିବୀପ୍ରସିଦ୍ଧ ଥିଲା ଏବଂ ଝାଡ଼ୁଆ ନାମକ ଜାତି ଏହି ହୀରା କାରବାର କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ ତା’ର ସୂଚନା ଦେଇଛନ୍ତି । ଖ୍ରୀ.ପୂ. ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ସମ୍ବଲପୁର ହୀରା ବହୁ ମୂଲ୍ୟରେ ରୋମ ସହରରେ ବିକ୍ରି ହେଉଥିଲା ବୋଲି ସେ ମଧ୍ୟ ଉଲ୍ଲେଖ କରିଛନ୍ତି । ଦୂର ବିଦେଶରେ ଭାରତୀୟମାନଙ୍କ ମଧ୍ୟରୁ ଉତ୍କଳୀୟମାନେ ହିଁ ପ୍ରଥମେ ଉପନିବେଶ ସ୍ଥାପନ କରିଥିଲେ ବୋଲି ଅନେକ ପ୍ରାମାଣିକ ତଥ୍ୟ ଦେଇ ପଣ୍ଡିତ ମିଶ୍ର କହନ୍ତି “ଭାରତବର୍ଷ ମଧ୍ୟରେ ଉତ୍କଳୀୟମାନେ ସର୍ବପ୍ରଥମେ ଦୂର ବିଦେଶରେ ଉପନିବେଶ ସ୍ଥାପନ କରିଥିଲେ । ସମଗ୍ର ବଙ୍ଗ ଉପସାଗର, ଆରବ ସାଗର ଓ ଭାରତ ମହାସାଗର ଉତ୍କଳୀୟ ବାଣିଜ୍ୟ ପୋତ ଚାଳନାରେ ବିକ୍ଷୋଭିତ ହେଉଥିଲା । ଭାରତ ମହାସାଗର ମଧ୍ୟରେ ସର୍ବ ପ୍ରଥମେ ଆର୍ଯ୍ୟବରତ ସ୍ଥାପନ କରିଥିଲେ । XXX ଯାଭାରେ ବସତି ପ୍ରାରମ୍ଭରୁ ଉତ୍କଳୀୟମାନେ ଗୋଟିଏ ନୂତନ ସାଲ ଚଳେଇ ଥିଲେ । ସେ ସାଲ୍ ଅଦ୍ୟାପି ଯାଭାରେ ପ୍ରଚଳିତ । ଯାଭାରେ ସେମାନେ ବହୁ ଦେବଦେବୀ ସ୍ଥାପନ ଓ ମନ୍ଦିର ନିର୍ମାଣ କଲେ । XXX ଯାଭା ଦ୍ୱୀପରେ ଆର୍ଯ୍ୟମାନେ ଅଦ୍ୟାପି ଆପଣାକୁ କ୍ଲିକ୍ ବା କଳିଙ୍ଗବାସୀ ବୋଲି ପରିଚୟ ଦିଅନ୍ତି । XXX ଯାଭା, ବାଲି ଦ୍ୱୀପ ବ୍ୟତୀତ ସୁମାତ୍ରା, ସିଙ୍ଗାପୁର, ମଲକସ୍ତ, ପେରୁ, କାମ୍ବୋଡ଼ିଆରେ ଉତ୍କଳୀୟ ବଣିକମାନେ ଆରବ ସାଗର ପାର ହୋଇ ଆଫ୍ରିକା ମହାଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ଏବଂ ମାଡାଗାସ୍କର ଦ୍ୱୀପରେ ମଧ୍ୟ ବାଣିଜ୍ୟ ଚଳାଉଥିଲେ । (ଉତ୍କଳ ଇତିହାସ ପୃ-୩୩) । ଏହା ବ୍ୟତୀତ ସେ ଉତ୍କଳର ପ୍ରସିଦ୍ଧିଲାଭ କରିଥିବା ବନ୍ଦରମାନଙ୍କ ସମ୍ପର୍କରେ ନାନା ସୂଚନା ପ୍ରଦାନ କରିଛନ୍ତି । ଧାର୍ମିକ ବିବର୍ତ୍ତନର ଉତ୍କଳୀୟ ଧର୍ମମାନଙ୍କର ନାନା ଉତ୍‍ଥାନ ପତନକୁ ଲକ୍ଷ୍ୟ କରି କେହି କେହି ଇଂରେଜ ଲେଖକ ଉତ୍କଳକୁ ଧର୍ମର ମହାବିପ୍ଳବ ସ୍ଥଳ ବୋଲି ଅନୁମାନ କରିଥାନ୍ତି ଏବଂ ଉତ୍କଳ ଇତିହାସକୁ ଧର୍ମବିପ୍ଳବର ଇତିହାସ ବୋଲି ଉଲ୍ଲେଖ କରିଛନ୍ତି । ଏ ପ୍ରକାର ଉପର ଠାଉରିଆ ମତକୁ ଖଣ୍ଡନ କରି ପଣ୍ଡିତ କୃପାସିନ୍ଧୁ କହନ୍ତି- “ଉତ୍କଳରେ ଧର୍ମର ସେପରି ମହାବିପ୍ଲବ ଘଟିନାହିଁ । ଭିନ୍ନଭିନ୍ନ ଧର୍ମମତ ଭିନ୍ନଭିନ୍ନ ଯୁଗରେ ପ୍ରବଳ ହୋଇଛି ମାତ୍ର ପ୍ରବଳର ଦୁର୍ବଳ ପ୍ରତି ଅତ୍ୟାଚାର ବା ବିଦ୍ୱେଷ ଲେଖା ଦେଖାଯାଇନାହିଁ । ପରସ୍ପର ମଧ୍ୟରେ ପ୍ରେମ, ଉଦାରତା ଓ ସହିଷ୍ଣୁତା ଉତ୍କଳ ତଥା ଭାରତ ଇତିହାସର ମୂଳମନ୍ତ୍ର ଥିଲା (ଧର୍ମ) । ବ୍ରାହ୍ମଣ୍ୟ ଧର୍ମର ପ୍ରତିଷ୍ଠା ହେବାପରେ ସମଗ୍ର ଭାରତବର୍ଷରେ ଉତ୍କଳ ପୁଣ୍ୟଭୂମି ଭାବରେ ପରିଗଣିତ ହୋଇଛି ବୋଲି ପଣ୍ଡିତ ମିଶ୍ର ଯୁକ୍ତି ବାଢ଼ିଛନ୍ତି । ତାଙ୍କ ମତରେ- କଳିଙ୍ଗ ପ୍ରଥମେ ପତିତ ଦେଶ ବୋଲି ଧରାଯାଉଥିଲା, ମାତ୍ର ବ୍ରାହ୍ମଣ ଧର୍ମର ପ୍ରତିଷ୍ଠା ହେବାପରେ ଏହା ପବିତ୍ର ଦେଶରେ ପରିଣତ ହେଲା’’ (ଧର୍ମ) ଅବଶ୍ୟ ଏ ମତ କେତେକାଂଶରେ ହୁଏତ ସତ୍ୟ ହୋଇପାରେ, ମାତ୍ର ସମ୍ପୂର୍ଣ୍ଣ ସତ୍ୟ ବୋଲି କୁହାଯାଇ ନପାରେ । ପଣ୍ଡିତ ମିଶ୍ର ନିଜେ ବ୍ରାହ୍ମଣ ଥିବାରୁ ବ୍ରାହ୍ମଣ ଧର୍ମର ପକ୍ଷ ସମର୍ଥନ କରିବା ବିଚିତ୍ର କଥା ନୁହେଁ ।

 

ମହାବୀର ପ୍ରବର୍ତ୍ତିତ ଜୈନ ଧର୍ମ ଓଡ଼ିଶାରେ ଅନେକ ଦିନ ଧରି ତା’ର ପ୍ରଭାବ ବଜାୟ ରଖିଥିଲା ବୋଲି ଅନେକଙ୍କର ଧାରଣା ଏବଂ ପିଲାକୁ ପଢ଼ା ଯାଉଥିବା ଇତିହାସ ବହିରେ ଏ କଥା ମଧ୍ୟ ଉଲ୍ଲେଖ ଅଛି । ମାତ୍ର ପଣ୍ଡିତ କୃପାସିନ୍ଧୁ ମିଶ୍ର ଏ ମତର ଖଣ୍ଡନ କରି କହନ୍ତି ଉତ୍କଳରେ ଯେଉଁ ଜୈନଧର୍ମ ପ୍ରଚଳିତ ଥିଲା, ତାହା ମହାବୀରଙ୍କ ପ୍ରତିଷ୍ଠିତ ଜୈନଧର୍ମ ନୁହେଁ । ମହାବୀରଙ୍କର ପ୍ରାୟ ୨୫୦ ବର୍ଷ ପୂର୍ବରୁ ପାର୍ଶ୍ଵନାଥ ବା ପରେଶନାଥ ନାମରେ ଜଣେ ମହାପୁରୁଷ ଜୈନଧର୍ମ ସୃଷ୍ଟି କରି ପ୍ରଚାର କରିଥିଲେ ।’’ (ଧର୍ମ) । ଅବଶ୍ୟ ଭବଦେବ ସୂରୀଙ୍କ ରଚିତ ‘ପାର୍ଶ୍ଵନାଥ ରଚିତ’ ନାମକ ଗ୍ରନ୍ଥକୁ ଆଧାର କରି ଏମତ ପ୍ରଦାନ କରିଛନ୍ତି । ହିନ୍ଦୁ ଧର୍ମର ସାମ୍ୟ ଓ ଉଦାର ମୈତ୍ରୀଭାବ ଜଗତ ବିଖ୍ୟାତ ଏବଂ ଉତ୍କଳ ଇତିହାସରେ ଏହାହିଁ ସବୁଠୁ ବଡ଼ ଗୌରବର ବିଷୟ ବୋଲି ପଣ୍ଡିତ କୃପାସିନ୍ଧୁ କହିବା ସଙ୍ଗେ ସଙ୍ଗେ ଶ୍ରୀ ଜଗନ୍ନାଥଙ୍କ ଯୋଗୁଁ ଏ ଦେଶ ଗୌରବମୟ ହୋଇପାରିଛି ବୋଲି ମତ ଦେଇଛନ୍ତି । ମହାଭାରତ ଯୁଗରେ ଉତ୍କଳ ପତିତ ଦେଶ ଥିଲା, ମାତ୍ର ଜଗନ୍ନାଥଙ୍କ ନିମନ୍ତେ ଉତ୍କଳ ସମଗ୍ର ହିନ୍ଦୁ ଜାତିରେ ପ୍ରଧାନ ପୁଣ୍ୟକ୍ଷେତ୍ର ରୂପେ ଗଣ୍ୟ ହୋଇ ଆସିଅଛି । ହିନ୍ଦୁ ଧର୍ମର ସକଳ ସାରସ୍ୱତ, ସକଳ ମହାତ୍ମ୍ୟ ଜଗନ୍ନାଥଙ୍କ ଠାରେ ଯେପରି ପୁଞ୍ଜିଭୂତ । ଜଗନ୍ନାଥ ଉତ୍କଳ ଇତିହାସର ‘ସ୍ପର୍ଶମଣି’ I (ଧର୍ମ) ।

 

କେଶରୀ ବଂଶର ରାଜତ୍ୱ ଠାରୁ କଳିଙ୍ଗ ପରିବର୍ତ୍ତେ ଇତିହାସରେ ‘ଉତ୍କଳ’ ପ୍ରସିଦ୍ଧି ଲାଭ କଲା ଏବଂ ବ୍ରାହ୍ମଣ୍ୟଧର୍ମ ଶୈବଧର୍ମର ମୂଳ ବୋଲି ରାଷ୍ଟ୍ରଧର୍ମରେ ପରିଗଣିତ ହେଲା ବୋଲି ସେ ମତ ଦିଅନ୍ତି । ଉତ୍କଳରେ କେଶରୀ ବଂଶର ପ୍ରଥମ ରାଜା ଯଯାତି କେଶରୀ ବୋଲି ଅନେକ ଐତିହାସିକ ଉଲ୍ଲେଖ କରିଥିବାବେଳେ ପଣ୍ଡିତ କୃପାସିନ୍ଧୁ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି । ତାଙ୍କ ମତରେ ଯଯାତିକେଶରୀଙ୍କ ପିତା ଜନ୍ମେଜୟ କେଶରୀ ହେଉଛନ୍ତି କେଶରୀ ବଂଶର ପ୍ରଥମ ରାଜା । ତମ୍ବାପଟା ସନନ୍ଦମାନଙ୍କରେ ସେ ନିଜକୁ ତ୍ରିକଳିଙ୍ଗାପତି, ମହାରାଜାଧିରାଜ ବୋଲି ଆଖ୍ୟା ଦେଇଛନ୍ତି । ମହାନଦୀ ଓ ବିରୁପାନଦୀର ମଧ୍ୟସ୍ଥଳ ‘ଚୌଦାର’ ନଗର ସ୍ଥାପନ କରି ସେଇଠାରେ ସେ ତାଙ୍କ ରାଜଧାନୀ କରିଥିଲେ । ତାଙ୍କ ପୁତ୍ର ଯଯାତି କେଶରୀ ଚୌଦାରଗଡ଼ ପରିବର୍ତ୍ତେ ବୈତରଣୀ କୂଳବର୍ତ୍ତୀ ଯାଜପୁରରେ ନିଜର ରାଜଧାନୀ କରିଥିଲେ ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି । ଯଯାତି କେଶରୀ ବୈତରଣୀ କୂଳରେ ଏକ ବଡ଼ ଯଜ୍ଞ କରିଥିଲେ । ଏହି ଯଜ୍ଞର ସ୍ମାରକୀ ରୂପେ ଏ ସ୍ଥାନର ନାମ ଯଯାତି କେଶରୀ, ଯାଜନଗର ବା ଯଜ୍ଞନଗର ବୋଲି ଦେଇଥିଲେ-। ପରେ ଏହି ସ୍ଥାନ ‘ଯାଜପୁର’ ଭାବେ ପରିଚିତ ହୋଇଥିଲା ବୋଲି ତାଙ୍କର ମତ । ବୈତରଣୀ କୂଳରେ ଏବର ଦଶାଶ୍ୱମେଧ ଘାଟ ଯଯାତିକେଶରୀଙ୍କର କୀର୍ତ୍ତି ବୋଲି ଲୋକମୁଖରେ ଏବେବି ପ୍ରଚଳିତ ।

 

ସେହିପରି ପୁରୀରେ ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ମିତ ଜଗନ୍ନାଥ ମନ୍ଦିର ଜରାଜୀର୍ଣ୍ଣ ହୋଇଯାଇଥିବାରୁ ଯଯାତି କେଶରୀ ସେଠାରେ ନୂଆ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଯେଉଁଥି ପାଇଁ ସେ ଲୋକମୁଖରେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ବିଖ୍ୟାତ । ଏହା ବ୍ୟତୀତ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ନିର୍ମାଣ କାର୍ଯ୍ୟ ଯଯାତି ଆରମ୍ଭ କରିଥିଲେ ଏବଂ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେ ଇହଧାମ ତ୍ୟାଗ କରିଥିଲେ । ଏହି ମନ୍ଦିର କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିଥିଲେ ଲଲାଟେନ୍ଦୁ କେଶରୀ । ଏହା ୬୬୬ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ଭୁବନେଶ୍ଵର ମନ୍ଦିରରେ ଖୋଦିତ ଏକ ଶିଳାଲିପିକୁ ଆଧାର କରି ପଣ୍ଡିତ ମିଶ୍ର ମତ ଦେଇଛନ୍ତି । କେଶରୀ ବଂଶ ରାଜତ୍ଵ ସମୟରେ ଉତ୍କଳର ସାମାଜିକ ଅବସ୍ଥା ତଥା ଶାସନର ସ୍ଵରୂପ କି ପ୍ରକାର ଥିଲା ତା’ର ସୂଚନା ଦେଇ ପଣ୍ଡିତ କୃପାସିନ୍ଧୁ କହନ୍ତି- “ବର୍ତ୍ତମାନ ଯୁଗପରି ସେ କାଳର ଜମିଦାର ଓ ପ୍ରଜାସୃଷ୍ଟି ନଥିଲା । ରାଜା ନିଜେ ଜମିଦାର ସ୍ୱରୂପ ଥିଲେ । ପ୍ରଜାମାନେ ନିଜେ ରାଜସ୍ୱ ଆଦାୟ କରି ରାଜକୋଷରେ ଜମା ଦେଉଥିଲେ । ବର୍ତ୍ତମାନ ଶାସନରେ ଜିଲ୍ଲା ଯେପରି, ସେତେବେଳେ ଗ୍ରାମ୍ୟ ସେହିପରି ଶାସନର ଏକ ଏକ ମୂଳପିଣ୍ଡ ପ୍ରାୟ ଥିଲା । ଗ୍ରାମ ଶାସନ, ଗ୍ରାମର ‘ଜନପଦ' ବା ପଞ୍ଚାୟତଙ୍କ ଉପରେ ଥିଲା-। ସେହି ଜନପଦ ସଭା ଗ୍ରାମବାସୀଙ୍କ ଦ୍ଵାରା ନିର୍ବାଚିତ ହେଉଥିଲା । ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ, ଶାନ୍ତିରକ୍ଷା ଏବଂ ରାଜସ୍ୱ ଆଦାୟ ଆଦି ସକଳ ଗ୍ରାମପତିଙ୍କ କାର୍ଯ୍ୟ ସେହି ପଞ୍ଚାୟତଙ୍କ ଉପରେ ଥିଲା । କଉଡ଼ି ବର୍ତ୍ତମାନ ଟଙ୍କା ପଇସା ପରି ମୁଦ୍ରା ରୂପେ ଚଳୁଥିଲା । ଦେଶର ରାଜସ୍ୱରୁ ଶାସନ ବ୍ୟୟ ଯାଇ ବହୁତ ଟଙ୍କା ରାଜକୋଷରେ ସତ ରହୁଥିଲା । ସେହି ସଞ୍ଚିତ ଟଙ୍କାରେ ଦେଉଳ, ପୋଖରୀ, ପଥ, ଘାଟ ପ୍ରଭୃତି ଧର୍ମ ଓ ପ୍ରଜାହିତକର କାର୍ଯ୍ୟମାନ କରିବାକୁ ରାଜାମାନେ ସମର୍ଥ ହେଉଥିଲେ ।” (କେଶରୀ ରାଜତ୍ଵରେ ଦେଶର ଅବସ୍ଥା) । କେଶରୀ ଯୁଗର ବିଶେଷ ବିଶ୍ୱାସଯୋଗ୍ୟ ଇତିହାସ ମିଳୁନଥିଲା ବେଳେ ପଣ୍ଡିତ କୃପାସିନ୍ଧୁ ଭୁବନେଶ୍ଵର ମନ୍ଦିର ଗାତ୍ରର ଶିଳାଲିପି ଦେହରୁ ଅନେକ ତଥ୍ୟ ସଂଗ୍ରହ କରି କେଶରୀ ବଂଶର ଇତିହାସ ଲେଖିବାକୁ ସମର୍ଥ ହୋଇଛନ୍ତି । କେଶରୀ ବଂଶ ସମୟରେ ସଂସ୍କୃତ ଭାଷା ଥିଲା ରାଜଭାଷା ଏବଂ ସନନ୍ଦ, ଦାନପତ୍ର ଓ ଅନୁଶାସନ ମାନଙ୍କର ସଂସ୍କୃତଭାଷାର ବ୍ୟବହାର ହେଉଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ମନ୍ଦିର ଗାତ୍ରରୁ ଶିକ୍ଷାଦାନର ଦୃଶ୍ୟ ସେ ଅନୁମାନ କରିଛନ୍ତି ଯେ ଝିଅ ପିଲାମାନେ ପୁରୁଷ ସମ୍ମୁଖରେ ପୁଅମାନଙ୍କ ସହ ସମାନ ଆସନରେ ବସି ଶିକ୍ଷା ଗ୍ରହଣ କରୁଥିଲେ । ଶିଳ୍ପ କ୍ଷେତ୍ରରେ କେଶରୀ ବଂଶ ବେଶ୍ ଉନ୍ନତ ଥିଲେ ବୋଲି ସେ ମତ ଦେଇଛନ୍ତି । ବିଶେଷତଃ ପଥର ଶିଳ୍ପରେ ଉତ୍କଳୀୟମାନେ ସମଗ୍ର ପୃଥିବୀରେ ଶ୍ରେଷ୍ଠତ୍ୱ ଜାହିର୍ କରିଥିଲେ ବୋଲି ତାଙ୍କର ମତ । ସେହିପରି କେଶରୀ ରାଜତ୍ଵ ସମୟରେ ଉତ୍କଳର ବଢ଼େଇମାନେ କିପରି ବଡ଼ ବଡ଼ ଜାହାଜ ଓ ନୌକା ନିର୍ମାଣ କରୁଥିଲେ ଏବଂ ହାତୀ ବୋଇତ ନିର୍ମାଣରେ ସେମାନେ କିପରି ପାରଦର୍ଶୀ ଥିଲେ ତା’ର ସୂଚନା ମଧ୍ୟ ଦେଇଛନ୍ତି । ଭୁବନେଶ୍ଵର ମନ୍ଦିରମାନଙ୍କରେ ଯେଉଁସବୁ ଲୁହା କଡ଼ିମାନ ବ୍ୟବହୃତ ହୋଇଛି ସେଥିରେ ଲୌହ ଶିଳ୍ପରେ ଉତ୍କଳୀୟମାନେ କିପରି ଉନ୍ନତ ଥିଲେ ତାହା ଉଲ୍ଲେଖ କରିଛନ୍ତି । କେଶରୀ ରାଜତ୍ଵରେ ଉତ୍କଳର ବାଣିଜ୍ୟ ସମ୍ପର୍କରେ ସୂଚନା ଦେଇ ପଣ୍ଡିତ ମିଶ୍ର କହନ୍ତି- “ଉତ୍କଳର ବାଣିଜ୍ୟ ତରୀ ସୁଦୂର ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଅତିକ୍ରମ କରି ଚୀନ, ଜାପାନ, ଆରବ, ଆଫ୍ରିକା ଏବଂ ମାଡ଼ାଗାସ୍କର ପ୍ରଭୃତି ଦେଶ ଓ ଦ୍ୱୀପମାନଙ୍କରେ ଉତ୍କଳର ପଣ୍ୟ ନିମନ୍ତେ ବିପଣୀ ସର୍ଜନା କରୁଥିଲେ । ଏହି ବାଣିଜ୍ୟ ପ୍ରଭାବରେ କେଶରୀ ରଜାମାନେ ଚୀନ ପ୍ରଭୃତି ଦୂର ଦେଶ ସହିତ ନାନା ପ୍ରକାର ଆନ୍ତର୍ଜାତୀୟ ରାଷ୍ଟ୍ରୀୟ ସମ୍ପର୍କ ରଖୁପାରିଥିଲେ ।’’ (ଉତ୍କଳ ଇତିହାସ ପୃ.- ୫୫) । ଚୀନ ପରିବ୍ରାଜକ ହୁଏସ୍ୟଙ୍କ ବିବରଣୀ ତଥା ଟୋଲେମୀଙ୍କ ଭୂଗୋଳକୁ ଆଧାର କରି ପଣ୍ଡିତ ମିଶ୍ର ଏ ତଥ୍ୟ ପ୍ରଦାନ କରିଛନ୍ତି । ହୁଏନସାଂଙ୍କ ବିବରଣୀରେ ଓଡ଼ିଶାର ବଡ଼ ବଡ଼ ବନ୍ଦର ମାନଙ୍କର ଟିପ୍ପଣୀ ମଧ୍ୟରେ ଯେଉଁ ଚେଳିତଳୋ ବନ୍ଦର କଥା ଉଲ୍ଲେଖ କରିଛନ୍ତି ତାହା ଚନ୍ଦ୍ରଭାଗା ନଦୀର ମୁହାଣ ବୋଲି ପଣ୍ଡିତ କୃପାସିନ୍ଧୁ ତାଙ୍କ ‘କୋଣାର୍କ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

 

ଗଙ୍ଗ ବଂଶର କୀର୍ତ୍ତିଶାଳୀ ରାଜା ଗଙ୍ଗେଶ୍ଵର ଦେବଙ୍କ ନାମରେ ରାଧାନାଥ ତାଙ୍କ ପାର୍ବତୀ କାବ୍ୟରେ ଯେଉଁ କଳଙ୍କର କାଳିମା ବୋଳିଛନ୍ତି ସେ ସମ୍ପର୍କରେ ମତଦେଇ କୃପାସିନ୍ଧୁ କହନ୍ତି–‘‘ନିଜେ ଗଙ୍ଗେଶ୍ଵର ଦେବ ଓ ତାହାଙ୍କ ପ୍ରିୟତମା କନ୍ୟା କୌଶଲ୍ୟାଙ୍କ ନାମାନୁସାରେ ପୁଷ୍ପରିଣୀଟିର ନାମ ରହିଥିଲା । ଏହା ସମ୍ବନ୍ଧରେ ରାଧାନାଥ ‘ପାର୍ବତୀ’ କାବ୍ୟରେ ଯେଉଁ ବୀଭତ୍ସ ଗଳ୍ପ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟ।’’ । ଗଙ୍ଗେଶ୍ଵର ଦେବ ଚୋଳଗଙ୍ଗ ଦେବଙ୍କ ଉପଯୁକ୍ତ ପୁତ୍ର ଥିଲେ । ଗଙ୍ଗାଠାରୁ ଗୋଦାବରୀ ଯାଏଁ ତାଙ୍କ ରାଜ୍ୟ ବିସ୍ତୃତ ଥିଲା । ଏହି ବିରାଟ ରାଜ୍ୟର ସୁରକ୍ଷା ଓ ସୁଶାସନ ନିମନ୍ତେ ଯାଜପୁର, ଚୌଦ୍ୱାର ବାରାଣସୀ, କଟକ, ତିଆ ଏବଂ ଦକ୍ଷିଣ ପ୍ରଦେଶର ଅମରାବତୀ, ଏହି ପାଞ୍ଚ କଟକକୁ ଶାସନର କେନ୍ଦ୍ର ଭାବେ ନେଇଥିଲେ । ଗଙ୍ଗେଶ୍ଵର ଦେବଙ୍କ ସମ୍ପର୍କରେ ଇତିହାସର ସତ୍ୟକୁ ଅସ୍ୱୀକାର କରି କବି ରାଧାନାଥ ତାଙ୍କୁ ‘ପାର୍ବତୀ’ କାବ୍ୟରେ ଯେପରି କଳଙ୍କିତ ଓ କାମୁକ ଭାବରେ ଚିତ୍ରଣ କରିଛନ୍ତି ତାହା ଅତ୍ୟନ୍ତ ପରିତାପର ବିଷୟ ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି ।

 

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ସମ୍ପର୍କିତ ସଠିକ୍ ସତ୍ୟ କୌଣସି ଇତିହାସକାରଙ୍କ ଲେଖନୀରୁ ମିଳେ ନାହିଁ । ପଣ୍ଡିତ ମିଶ୍ରଙ୍କ ମତରେ ପ୍ରଥମେ ଚୋଳଗଙ୍ଗ ଦେବ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । କିନ୍ତୁ ସେ ଶେଷ କରିପାରିନଥିଲେ । ତାଙ୍କର ପୁତ୍ରମାନେ ଅଯୋଗ୍ୟ ଥିବାରୁ ଏ ମନ୍ଦିର ମଧ୍ୟ ସମ୍ପୂର୍ଣ୍ଣ କରିପାରିନଥିଲେ । ପରେ ଅନଙ୍ଗଭୀମ ଦେବଙ୍କର ଗୌରବମୟ ରାଜତ୍ୱ କାଳ ମଧ୍ୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା । ନିର୍ମାଣ କାର୍ଯ୍ୟ ନିମନ୍ତେ ୧୨ ଲକ୍ଷ ୫୦ ହଜାର ମାଢ଼ସ୍ୱର୍ଣ୍ଣ ଏବଂ ଅଢ଼େଇ ଲକ୍ଷ ମାଢ଼ସ୍ୱର୍ଣ୍ଣ ମୂଲ୍ୟର ରତ୍ନାଦି ବ୍ୟୟ କରାଯାଇଥିଲା ଏବଂ ରାଜତ୍ୱର ୧୫ ବର୍ଷ ପରେ ଅର୍ଥାତ ୧୨୦୫ ଖ୍ରୀ.ରେ ମନ୍ଦିର କାର୍ଯ୍ୟ ସମାପ୍ତ ହୋଇଥିଲା ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି । ତେବେ ଏ ମତ ଅନ୍ୟାନ୍ୟ ଐତିହାସିକ ମତ ତୁଳନାରେ ଅଧିକ ପ୍ରମାଣଯୋଗ୍ୟ ମନେହୁଏ । ଶ୍ରୀଜଗନ୍ନାଥ ମନ୍ଦିର ପରି କଟକରେ ବାରବାଟୀ ଦୁର୍ଗ, ଚୌଦ୍ୱାର ଦୁର୍ଗ ପ୍ରଭୃତି ଅନଙ୍ଗଭୀମଙ୍କର ଅମଳିନ କୀର୍ତ୍ତି । ୧୨୦୨ ଖ୍ରୀ.ରେ ଏହି ବାରବାଟୀ ଦୁର୍ଗ ନିର୍ମିତ ହୋଇଥିଲା ବୋଲି ସେ ମତ ଦିଅନ୍ତି । ବାରବାଟୀ ଦୁର୍ଗର ନିର୍ମାଣ ସମ୍ପର୍କିତ ସବିଶେଷ ବିବରଣୀ ପଣ୍ଡିତ ମିଶ୍ର ତାଙ୍କର ବାରବାଟୀ ଦୁର୍ଗ’ ପ୍ରବନ୍ଧରେ ଦେଇଛନ୍ତି । ବାରବାଟୀ ଥିଲା ଅନଙ୍ଗଭୀମଙ୍କ ରାଜଧାନୀ ଏବଂ ବାରବାଟୀ ଦୁର୍ଗ ମଧ୍ୟରେ ସେ ବିରାଟ ରାଜଭବନ କରିଥିଲେ ଏବଂ ଏହି ମୁଖ୍ୟ ଭବନରେ କେଉଁମାନେ ରହୁଥିଲେ, ଏଠାରେ କ’ଣ କ’ଣ କାର୍ଯ୍ୟକ୍ରମ ହେଉଥିଲା ତା’ର ଟିକିନିଖି ତଥ୍ୟ ପଣ୍ଡିତ ମିଶ୍ର ତାଙ୍କ ‘ବାରବାଟୀ ଦୁର୍ଗ’ ପ୍ରବନ୍ଧରେ ପ୍ରଦାନ କରିଛନ୍ତି । ମୁକୁନ୍ଦଦେବଙ୍କ ସମୟରେ ବାରବାଟୀ ଦୁର୍ଗ ମଧ୍ୟରେ ଯେଉଁ ନବତଳ ପ୍ରାସାଦ ନିର୍ମିତ ହୋଇଥିଲା ତା’ର ପ୍ରତ୍ୟେକ ତଳର ସବିଶେଷ ବର୍ଣ୍ଣନା ବାରବାଟୀ ଦୁର୍ଗ ପ୍ରବନ୍ଧରେ ଦେଇଛନ୍ତି । ଅନ୍ୟ କୌଣସି ଲେଖକ ଏହାର ଏ ପ୍ରକାର ଜୀବନ୍ତ ବର୍ଣ୍ଣନା ପୂର୍ବରୁ ଦେଇ ନଥିଲେ । ବାରବାଟୀ ସମ୍ପର୍କିତ ଏତେ ନିର୍ଭରଯୋଗ୍ୟ ଟିକିନିଖି ତଥ୍ୟ କୌଣସି ଐତିହାସିକ କୃପାସିନ୍ଧୁଙ୍କ ପରି ପ୍ରଦାନ କରି ପାରି ନାହାନ୍ତି ଯାହା ପଣ୍ଡିତ ମିଶ୍ରଙ୍କର ମୌଳିକତା । ଗ୍ରୀକ୍ ଭୌଗୋଳିକ ଟଲେମୀ ତାଙ୍କ ପୁସ୍ତକରେ ଯେଉଁସବୁ ବନ୍ଦରଗୁଡ଼ିକର ଉଲ୍ଲେଖ କରିଛନ୍ତି ସେଥିରେ କୌନଗର ବନ୍ଦର କଥା ଅଛି । ପଣ୍ଡିତ ମିଶ୍ର ଏହି କୌନଗର ବନ୍ଦର ଯେ କୋଣାର୍କ ଏକଥା ମୁକ୍ତ ଭାବରେ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ପୁରାଣବଣ୍ଡିତ ‘ମୈତ୍ରେୟ ବନ’ ଯେ ଏହି କୋଣାର୍କ ଏକଥା ମଧ୍ୟ ବଲିଷ୍ଠ ଯୁକ୍ତି ମାଧ୍ୟମରେ ଆରୋପ କରିଛନ୍ତି । ଦ୍ୱିତୀୟତଃ ସମସ୍ତେ ଜାଣନ୍ତି କୋଣାର୍କ ମନ୍ଦିର ଲାଙ୍ଗୁଳା ନରସିଂହଦେବ ନିର୍ମାଣ କରିଥିଲେ । ମାତ୍ର ଏ ମନ୍ଦିର ନିର୍ମାଣ ନେପଥ୍ୟରେ ଯେଉଁ ଇତିହାସ ତାହା ଅନେକ ଜାଣି ନାହାନ୍ତି । କେଶରୀ ରାଜତ୍ୱ ସମୟରୁ ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନନ୍ତ କେଶରୀଙ୍କ ରାଜତ୍ଵରେ ପୁରନ୍ଦର କେଶରୀ ପ୍ରଥମେ ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରି ସୂର୍ଯ୍ୟ ପୂଜାର ଆୟୋଜନ କରିଥିଲେ । କାଳକ୍ରମେ ପୁରନ୍ଦର କେଶରୀଙ୍କ ମନ୍ଦିର ଜୀର୍ଣ୍ଣ ହୋଇଯିବାରୁ ଲାଙ୍ଗୁଳା ନରସିଂହଦେବ ବର୍ତ୍ତମାନର କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୧୨୪୦ ଖ୍ରୀ.ରେ ସମାପ୍ତ ହୋଇଥିଲା ଏବଂ ମନ୍ଦିରର ଉଚ୍ଚତା ଥିଲା ୨୩୦ ଫୁଟ ଓ ମୁଖଶାଳାର ଉଚ୍ଚତା ଥିଲା ୧୫୦ ଫୁଟ । ବାରଶତ ବଢ଼େଇ ଦୀର୍ଘ ୧୨ ବର୍ଷ ଲାଗି ଏହି ମନ୍ଦିର ନିର୍ମାଣ କରିଥିଲେ । ମାତ୍ର ପଣ୍ଡିତ ମିଶ୍ର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଦୀର୍ଘ ୧୬ ବର୍ଷ ଲାଗିଥିଲା ବୋଲି ଉଲ୍ଲେଖ କରିଛନ୍ତି । ସେ ସମୟରେ ଏହାର ନିର୍ମାଣ ପାଇଁ ୪୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ମନ୍ଦିର ଭାଙ୍ଗିଯିବା ସମ୍ପର୍କରେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭିନ୍ନ ଭିନ୍ନ ମତ ଦେଇଥା'ନ୍ତି । ମନ୍ଦିର ଭାଙ୍ଗିବାର କାରଣ ସ୍ୱରୂପ କେହି କେହି ମହାବାତ୍ୟା, ଭୂମିକମ୍ପ, ବା ବକ୍ରାଘାତକୁ ଦାୟୀ କରୁଥିବାବେଳେ ପଣ୍ଡିତ କୃପାସିନ୍ଧୁ କଳାପାହାଡ଼ର ଲୁଣ୍ଠନଯୋଗୁଁ ମନ୍ଦିର ଭାଙ୍ଗିଯାଇଛି ବୋଲି କହନ୍ତି- ‘‘କଳାପାହାଡ଼ ମନ୍ଦିର ଉପରୁ କଳସଟି ଭାଙ୍ଗିବା ଯୋଗୁଁ ମନ୍ଦିରଟି କାଳକ୍ରମେ ଭାଙ୍ଗିପଡ଼ିଲା । ସୂର୍ଯ୍ୟଦେବ ସେଠାରୁ ଅଣାଯାଇ ପୁରୀ ମନ୍ଦିରରେ ସ୍ଥାପିତ ହେଲେ । କୋଣାର୍କର ଅରୁଣସ୍ତମ୍ଭ ମଧ୍ୟ ମରହଟ୍ଟାମାନେ ବୋହି ଆଣି ପୁରୀ ମନ୍ଦିର ସମ୍ମୁଖରେ ସ୍ଥାପନ କଲେ-। ଏହି ରୂପେ କୋଣାର୍କର ଗୌରବ ରବି ଅସ୍ତମିତ ହୋଇଅଛି ।” (କୋଣାର୍କ) । ୧୬୨୬ମସିହାରେ ନରସିଂହ ଦେବ କୋଣାର୍କ ପତନ ପରେ ସୂର୍ଯ୍ୟ ଦେବଙ୍କୁ ଆଣି ପୁରୀ ମନ୍ଦିରର ବେଢ଼ା ମଧ୍ୟରେ ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନ କଲେ ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି ।

 

ପଣ୍ଡିତ କୃପାସିନ୍ଧୁଙ୍କ ଐତିହାସିକ ପ୍ରବନ୍ଧଗୁଡ଼ିକ ସତ୍ୟର ଖୁବ୍ ନିକଟବର୍ତ୍ତୀ ମନେ ହେଉଥିଲେ ମଧ୍ୟ ବେଳେବେଳେ କିମ୍ବଦନ୍ତୀକୁ ଆଧାର କରି କେତେକ ତଥ୍ୟ ପ୍ରଦାନ କରିଥିବାରୁ ତାହାର ସତ୍ୟତା ସମ୍ବନ୍ଧରେ ମନରେ ସଂଶୟ ଜାତ ହୁଏ । ଏପରି କିମ୍ବଦନ୍ତୀ ଆଧାରିତ ସଂଶୟାତ୍ମିକ ବର୍ଣ୍ଣନା କପିଳେନ୍ଦ୍ର ଦେବଙ୍କ ସମ୍ପର୍କରେ ସେ ପ୍ରଦାନ କରିଛନ୍ତି । ଯଥା- ‘‘କପିଳେନ୍ଦ୍ର ଦେବଙ୍କ ଜୀବନ ଅତି ରହସ୍ୟମୟ ଏବଂ ନାନା ବିଚିତ୍ର ଘଟଣାବଳୀରେ ପୂର୍ଣ୍ଣ । ସାମାନ୍ୟ ଗୋଚାରଣ ବୃତ୍ତରୁ ଉନ୍ନୀତ ହୋଇ ସେ ଆପଣାର ଅଲୌକିକ ପ୍ରତିଭାବଳରେ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ପାନ୍ନାର ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡରେ ଅଧିନାୟକ ହୋଇ ପାରିଥିଲେ । xxx କପିଳେନ୍ଦ୍ରଙ୍କୁ ଉତ୍କଳ ଇତିହାସରେ ଦ୍ୱିତୀୟ ଖାରବେଳ ବୋଲି କୁହାଯାଇପାରେ ।’’ (ଉତ୍କଳ ଇତିହାସ-ପୂ.-୮୪-୮୫) ।

 

ପ୍ରତାପରୁଦ୍ରଙ୍କ ରାଜତ୍ଵରେ ଉତ୍କଳ ଇତିହାସରେ ଏକ ନବଯୁଗ ଆରମ୍ଭ ହୋଇଥିଲା ବୋଲି ପଣ୍ଡିତ କୃପାସିନ୍ଧୁ ଉଲ୍ଲେଖ କରିଛନ୍ତି । ପ୍ରତାପରୁଦ୍ରଙ୍କ ସମୟରେ ବୈଷ୍ଣବ ଧର୍ମର ପ୍ରାବଲ୍ୟ ଉତ୍କଳରେ ଦେଖାଦେଇଥିଲା । ସଂସ୍କୃତ କବଳରୁ ଧର୍ମ ଧରାମୁକ୍ତ ହୋଇ ସାଧାରଣ ଲୋକଙ୍କର ସରଳ ଭାଷାରେ ଧାର୍ମିକ ତତ୍ତ୍ୱମାନ ପ୍ରକାଶିତ ହେଲା । ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ରାମାୟଣ, ଅଚ୍ୟୁତାନନ୍ଦଙ୍କ ହରିବଂଶ ଲୋକଙ୍କ ଚିତ୍ତରେ ଆଧ୍ୟତ୍ମିକ ତୃଷାକୁ ପ୍ରଶମିତ କରିବା ସଙ୍ଗେ ସଙ୍ଗେ ସଂସ୍କୃତ ପଢ଼ିପାରୁ ନଥିବା ଲୋକେ ଏସବୁ ଗ୍ରନ୍ଥ ପଢ଼ି ଅପାର ଆନନ୍ଦ ଲାଭ କଲେ । ପଣ୍ଡିତ ମିଶ୍ରଙ୍କ ମତରେ- “ଇଉରୋପ ଇତିହାସରେ ଯାହାକୁ ସଂସ୍କାର ଯୁଗ ବୋଲି କୁହାଯାଏ, ଉତ୍କଳ ଇତିହାସରେ ସେପରି ସଂସ୍କାର ନିମନ୍ତେ ପ୍ରତାପରୁଦ୍ରଙ୍କ ରାଜତ୍ୱ ପ୍ରସିଦ୍ଧି ଲାଭ କରିଛି । xxx ରୋମ ଇତିହାସରେ ସମ୍ରାଟ ଅଗଷ୍ଟସଙ୍କ ପରି, ଇଂଲଣ୍ଡ ଇତିହାସରେ ରାଣୀ ଏଲିଜାବେଥଙ୍କ ପରି ଉତ୍କଳ ଇତିହାସରେ ରାଜା ପ୍ରତାପରୁଦ୍ର ବହୁ ପଣ୍ଡିତ ସମାଗତ ରାଜସଭାରେ ପାଣ୍ଡିତ୍ୟ ଓ ସାହିତ୍ୟର ସମଧିକ ଉନ୍ନତି କରାଇଥିଲେ । ଏହା ବ୍ୟତୀତ ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ପର୍ତ୍ତୁଗୀଜ ବଣିକମାନଙ୍କୁ ଉକଳରେ ବାଣିଜ୍ୟ କରିବାର ଅନୁମତି ଦେବା ଫଳରେ ଉତ୍କଳ ବାଣିଜ୍ୟ କ୍ଷେତ୍ରରେ ବିଶେଷ ସମୃଦ୍ଧ କରିପାରିଥିଲା ବୋଲି ପଣ୍ଡିତ ମିଶ୍ର ମତ ଦେଇଛନ୍ତି । ପର୍ତ୍ତୁଗୀଜମାନଙ୍କର ବାଣିଜ୍ୟ କାରବାରରେ ଉନ୍ନତି ଦେଖି ପରେ ପରେ ଫ୍ରାନ୍‍ସ, ପୋଲାଣ୍ଡ, ଇଂଲଣ୍ଡ, ଡେନମାର୍କବାସୀମାନେ ଉତ୍କଳରେ ବାଣିଜ୍ୟ କାରବାର ଆରମ୍ଭ କରି ଦେଇଥିଲେ । ଉତ୍କଳରେ ଇଉରୋପୀୟମାନଙ୍କ ବାଣିଜ୍ୟ ସମ୍ପର୍କରେ ପଣ୍ଡିତ ମିଶ୍ରଙ୍କ ପୂର୍ବରୁ କୌଣସି ଐତିହାସିକ ଏତେ ଜୀବନ୍ତ ଭାବେ ବର୍ଣ୍ଣନା କରିନାହାନ୍ତି ।

 

ପ୍ରତାପରୁଦ୍ରଙ୍କ ପରେପରେ ଦୁର୍ବଳ ରାଜଶକ୍ତି ଯୋଗୁଁ ଉତ୍କଳ ତା’ର ଗୌରବ ସ୍ଵାଧୀନତା କିପରି ହରେଇଲା ତା’ର କରୁଣ ଚିତ୍ର ପଣ୍ଡିତ ମିଶ୍ର ପ୍ରଦାନ କରିଛନ୍ତି । ଦୀର୍ଘ ତିନିଶହ ବର୍ଷ ଧରି ଉତ୍କଳର ସବଳ ରାଷ୍ଟ୍ରଶକ୍ତି ସର୍ବଗ୍ରାସୀ ମୁସଲମାନ ଶକ୍ତିକୁ ବାରମ୍ବାର ବ୍ୟର୍ଥ ପରାହତ କରିଥିଲା । ସେହି ଶକ୍ତି ଦୁର୍ବଳ ହୋଇ ପଡ଼ିବାରୁ ଉତ୍କଳର ସ୍ଵାଧୀନତା ହଠାତ୍ ଅପହୃତ ହୋଇଥିଲା ।

 

ଉତ୍କଳରେ ରାଜା ରାଜା ମଧ୍ୟରେ ଅନ୍ତର୍ବିବାଦର ସୁଯୋଗ ନେଇ ମୁଲମାନମାନଙ୍କର ସେନାପତି ଇଲାହାବାଦ କଳାପାହାଡ଼ର ହିନ୍ଦୁ ବିଦ୍ୱେଷ ନୀତି ଯୋଗୁଁ ଉତ୍କଳ କିପରି ଶ୍ରୀହୀନା ହୋଇଯାଇଥିଲା ତା’ର ବିଶେଷ ବର୍ଣ୍ଣନା ତାଙ୍କ ‘ଉତ୍କଳ ଇତିହାସ’ ପୁସ୍ତକରେ ପ୍ରଦାନ କରିଛନ୍ତି । କଳାପାହାଡ଼ର ବର୍ବରୋଚିତ ଅତ୍ୟାଚାର ସମ୍ପର୍କରେ ମତଦେଇ କହନ୍ତି- “କଳାପାହାଡ଼ ପୁରୀରେ ବହୁବିଧ ଅତ୍ୟାଚାରମାନ କରି ଜଗନ୍ନାଥ ଅନ୍ଵେଷଣରେ ଗଲା । କୌଣସିମତେ ଜଗନ୍ନାଥଙ୍କୁ ପାଇ ଏକ ହାତୀପିଠିରେ ଲଦି ଗଙ୍ଗାକୂଳକୁ ଘେନିଗଲା । ସେଠା ଶ୍ମଶାନରେ ଏକ ଜ୍ୱଳନ୍ତ ଚିତାରେ ସେ ଜଗନ୍ନାଥଙ୍କୁ ନିକ୍ଷେପ କଲା । XXX ଜଗନ୍ନାଥ ସମ୍ପୂର୍ଣ୍ଣ ଦଗ୍ଧ ନ ହେବାରୁ ବିଶର ମହାନ୍ତି କୌଣସିମତେ ତାହାଙ୍କ ନାଭି ବ୍ରହ୍ମକୁ ଉଦ୍ଧାର କରି ସ୍ୱଦେଶକୁ ଫେରି ଆସିଲେ । କୁଜଙ୍ଗ ରାଜ ସେ ବ୍ରହ୍ମ ପାଇ । ନବକଳେବର କରାଇ ପୁନର୍ବାର ଜଗନ୍ନାଥ ପ୍ରତିଷ୍ଠା କରାଇଲେ । କେବଳ ଏତିକିରେ କଳାପାହାଡ଼ର ପାଶବ ପ୍ରବୃତ୍ତ ଚରିତାର୍ଥ ହୋଇନଥିଲା । ଉତ୍କଳର ସର୍ବଶ୍ରେଷ୍ଠ କୀର୍ତ୍ତି, ଉତ୍କଳ ଇତିହାସର ଅମୂଲ୍ୟ ସମ୍ପଦ କୋଣାର୍କ କଳାପାହାଡ଼ର ପାଶବିକତାରେ ଚିରକାଳ ନିମନ୍ତେ ଅସ୍ତମିତ ହେଲା । XXX କଳାପାହାଡ଼ ଉତ୍କଳର ସ୍ଵାଧୀନତା ଅପହରଣ କରିବା ସଙ୍ଗେ ଯେଉଁ କୀର୍ତ୍ତିନିଚୟ ନଷ୍ଟ କରିଦେଇଥିଲା, ଉତ୍କଳ ଇତିହାସରେ ତାହା କଦାପି ହେଲେ ପୂରଣ କରାଯାଇ ପାରିବ ନାହିଁ-

 

ପ୍ରାଚୀନ ଉତ୍କଳର ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ଉତ୍କଳର ସୁନାମ ଅତୀତରେ କେତେ ସୁଦୂର ପ୍ରସାରୀ ଥିଲା ସେ ସମ୍ପର୍କରେ ପଣ୍ଡିତ ମିଶ୍ର ଟିକିନିଖି ବର୍ଣ୍ଣନା ଦେଇଛନ୍ତି । ଲୁହା ଓ ପଥର ଶିଳ୍ପ କେତେ ଉନ୍ନତ ଥିଲା ସେ ସମ୍ପର୍କରେ ସେ କହନ୍ତି- ଲୁହା ପଥରର କାରଖାନାମାନ ଦେଶରେ ନାନା ସ୍ଥାନରେ ଥିଲା ଏବଂ ସେଥିରୁ ଉତ୍ପନ୍ନ ପଦାର୍ଥମାନ ଦେଶ ବିଦେଶରେ ବିପଣିରେ ବିକ୍ରୀ ହେଉଥିଲା । କେଶରୀ ରାଜତ୍ଵରେ ଭୁବନେଶ୍ଵରରେ ଯେଉଁ ଲୁହା କଡ଼ିମାନ ନିର୍ମିତ ହେଉଥିଲା, ଗଙ୍ଗବଂଶ ରାଜତ୍ଵରେ ତାହା ଅପେକ୍ଷା ଆହୁରି ଆଶ୍ଚର୍ଯ୍ୟ ଜନକ କଡ଼ିମାନ ଉତ୍କଳର ଭାତିମାନଙ୍କରୁ ବାହାରୁ ଥିଲା । କୋଣାର୍କରେ ବର୍ତ୍ତମାନ ଯେଉଁ ଲୁହା କଡ଼ିମାନ ପଡ଼ିଛି ସେଥିମଧ୍ୟରୁ ଗୋଟିଏ କଡ଼ି ଲମ୍ବାରେ ୨୫ ଫୁଟ ୯ ଇଞ୍ଚ, ଏବଂ ଉଚ୍ଚତା ଓ ବ୍ୟାଧରେ ଯଥାକ୍ରମେ ୧୦ ଓ ୮ଇଞ୍ଚ । ଏହି ବୃହତ୍ ଲୌହକଡ଼ି ଅତି ଅକାଳ ପୂର୍ବେ ଇଉରୋପ ଓ ଆମେରିକାର କାରଖାନାମାନଙ୍କରେ ପ୍ରସ୍ତୁତ ହୋଇପାରୁ ନଥିଲା । ଉତ୍କଳୀୟ ଶିଳ୍ପୀମାନେ କି ପ୍ରକାରରେ ଏପରି ଅଚଳ କଡ଼ିମାନ ପ୍ରସ୍ତୁତ କରୁଥିଲେ ତାହା ବଡ଼ ଆଶ୍ଚର୍ଯ୍ୟଜନକ କଥା ।’’ (ଉତ୍କଳ ଇତିହାସ- ପୃ-୧୧୦) । ଲୁହାପଥର ପରି ସମ୍ବଲପୁରର ହୀରା ଓ କଟକର ତାରକସିକାମ, ନୀଳଗିରିର ପଥର ବାସନ କିପରି ପୃଥିବୀ ପ୍ରସିଦ୍ଧ ଥିଲା ସେ ସମ୍ପର୍କରେ ମଧ୍ୟ ପଣ୍ଡିତ ମିଶ୍ର ବିଶେଷ ଆଲୋକପାତ କରିଛନ୍ତି । ଶିଳ୍ପକଳା ପରି ସାହିତ୍ୟ କଳାରେ ଉତ୍କଳ କିପରି ଉନ୍ନତ ଥିଲା ସେ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ଉତ୍କଳୀୟ ପଣ୍ଡିତମାନେ ସଂସ୍କୃତ ସାହିତ୍ୟରେ କାବ୍ୟ, ବ୍ୟାକରଣ, ଦର୍ଶନ, ବିଜ୍ଞାନ, ଅଳଙ୍କାର, ଅଭିଧାନ, ଜ୍ୟୋତିଷ, ଆୟୁବେଦ, ସ୍ମୃତି, ସମର ସମ୍ପର୍କିତ ଉଚ୍ଚମାନର ପୁସ୍ତକମାନ ରଚନା କରି ସମଗ୍ର ଭାରତରେ ସୁନାମ ଅର୍ଜନ କରିଥିଲେ । ଅନେକ ଐତିହାସିକ ମୋଗଲ ଶାସନର ଶୋଷଣ ଅତ୍ୟାଚାରର ଲୋମହର୍ଷଣକାରୀ ଚିତ୍ର ପ୍ରଦାନ କରିଥିବାବେଳେ ପଣ୍ଡିତ କୃପାସିନ୍ଧୁ ବୈଦେଶିକ ଶାସକମାନଙ୍କର ଉଭୟ ଭଲମନ୍ଦ ଗୁଣ ଦେଖାଇବାର ଚେଷ୍ଟା କରିଛନ୍ତି । ଅତ୍ୟାଚାରୀ ଆଉରଙ୍ଗଜେବଙ୍କ ପ୍ରଜାନୁରାଗର ଯେଉଁ ଚିତ୍ର ଦେଇଛନ୍ତି ତା’ର ଏକ ଦୃଷ୍ଟାନ୍ତ ଏଠାରେ ଉଲ୍ଲେଖଯୋଗ୍ୟ- ମୋଗଲ ସମ୍ରାଟ୍‌ମାନଙ୍କ ମଧ୍ୟରେ ଆଉରଙ୍ଗଜେବ ସର୍ବାପେକ୍ଷା ନିର୍ଦୟ ସମ୍ରାଟ ଥିଲା ପରି ଇତିହାସରୁ ବୋଧହୁଏ । ମାତ୍ର ସେହି ଆଉରଙ୍ଗଜେବଙ୍କ ଶାସନ କାଳରେ ଓଡ଼ିଶାର ରାଜସ୍ୱ ଆଦାୟ ସମ୍ବନ୍ଧରେ ଯେଉଁ ପ୍ରମାଣ ମିଳୁଛି ସେଥିରୁ ବୋଧହୁଏ ଯେ, ମୋଗଲ ସମ୍ରାଟମାନେ ରାଜସ୍ୱ ଆଦାୟରେ ପ୍ରଜାମାନଙ୍କ ଦୁଃଖ, ଭାବ, ଅଭାବ ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ । xxx ଆଉରଙ୍ଗଜେବ ଥରେ ପ୍ରଜାମାନଙ୍କ ଉପରୁ ସେହିପରି କୌଣସି ଅନଟନ ବର୍ଷରେ ୮୦ ପ୍ରକାର କର ଉଡ଼ାଇ ଦେଇଥିଲେ । ଏହି ରୂପେ ମୋଗଲ ଶାସନରେ କର ଆଦାୟ ପ୍ରଜାଙ୍କ ସୁଖ ଦୁଃଖ ଉପରେ ବହୁତ ନିର୍ଭର କରୁଥିଲା । (ଉତ୍କଳ ଇତିହାସ-୧୬୩) ।

 

ଇଂରେଜମାନେ ଓଡ଼ିଶା ଅଧିକାର କରିବା ଲାଗି ମାତ୍ର ୫୦ ଜଣ ସୈନ୍ୟ ହରେଇବା ଏବଂ ସର୍ବମୋଟ ଏ ବାବଦରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି । ତେବେ ବିଭିନ୍ନ ଐତିହାସିକ ଭିନ୍ନ ଭିନ୍ନ ମତ ଦେଇଥିବାରୁ ଏ ହିସାବରେ ସଠିକତା ନେଇ ମନରେ ନାନା ପ୍ରଶ୍ନ ଆସେ । ଇଂରେଜମାନେ ଓଡ଼ିଶା ଅଧିକାର କରିବା ସମୟରେ ଦୁଇଟି ବଡ଼ ବିଦ୍ରୋହର ସାମ୍ନା କରିଥିଲେ । ଗୋଟିଏ ହେଉଛି ଖୋରଧା ରାଜ ବିଦ୍ରୋହ ଏବଂ ଅନ୍ୟଟି ଖୋରଧାର ପାଇକ ବିଦ୍ରୋହ । ମରହଟ୍ଟାମାନଙ୍କର ଅତ୍ୟାଚାରରୁ ମୁକୁଳିବା ପାଇଁ ଓଡ଼ିଶାର ତତ୍‌କାଳୀନ ରାଜା ମୁକୁନ୍ଦ ଦେବ ଇଂରେଜ ଶାସକଙ୍କ ବିରୁଦ୍ଧରେ ନଯାଇ ବରଂ ତାଙ୍କୁ ସହାୟତା କରିଥିଲେ ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି- ‘‘ଇଂରେଜ ରାଜତ୍ଵରେ ସେ ଆପଣାର ହୃତରାଜ୍ୟମାନ ଫେରି ପାଇବାର ଆଶା କରିଥିଲେ । ସୁତରାଂ ସେ ଇଂରେଜ ରାଜତ୍ଵ ସ୍ଵୀକାର କରି ଯଥୋଚିତ ସମ୍ମାନ ଦେଖାଇ ଥିଲେ ।’’ (ଉତ୍କଳ ସାହିତ୍ୟ- ପୃ୧୯୦) । ତେବେ ନିଜ ସ୍ୱାର୍ଥରେ ବାଧା ପଡ଼ିବାରୁ ଅନ୍ୟାନ୍ୟ ରାଜାମାନଙ୍କ ସଙ୍ଗେ ମିଶି ମୁକୁନ୍ଦଦେବ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ ବୋଲି ପଣ୍ଡିତ ମିଶ୍ର ଉଲ୍ଲେଖ କରିଛନ୍ତି । ସେହିପରି ପାଇକମାନଙ୍କର ସ୍ୱାର୍ଥରେ ଇଂରେଜ ସରକାର ବାଧାସୃଷ୍ଟି କରିବାରୁ ସେମାନେ ମଧ୍ୟ ବିଦ୍ରୋହ କରିଥିଲେ । ଏ ସମ୍ପର୍କରେ ପଣ୍ଡିତ ମିଶ୍ର ଲେଖିଛନ୍ତି ‘‘ପାଇକମାନେ ଆବହମାନ କାଳରୁ ଯେଉଁ ନିଷ୍କର ଜାଗିରି ଭୋଗ କରି ଆସୁଥିଲେ, ଫ୍ଲେଚର ସେ ସମସ୍ତ ଜାଗିରୀ ପାଇକମାନଙ୍କ ଠାରୁ ଛଡ଼େଇ ନେଇ ସରକାରଙ୍କ ଖାସ୍ ମାହାଲ ମଧ୍ୟରେ ରଖିଲେ ଏବଂ ସେଇ ଜମି ଉପରେ ଜମାଧାର୍ଯ୍ୟ କଲେ । ରାଜସ୍ୱ ଆଦାୟ ନିମନ୍ତେ ଯେଉଁ ସରବରାକାରମାନେ ନିଯୁକ୍ତ ରହିଲେ, ସେମାନେ କଠୋର ଭାବରେ କର ଆଦାୟ କରି ପାଇକମାନଙ୍କ ଉପରେ ଅତ୍ୟାଚାର କଲେ । XXX ଏହି ସବୁ ଯନ୍ତ୍ରଣା ଓ ଅତ୍ୟାଚାର ଉପରେ ସରକାରଙ୍କର ଲୁଣକର ପାଇକମାନଙ୍କୁ ଆହୁରି ବାଧଲା । XXX ଏହିପରି ଅସହାୟବେଳେ ଇଂରେଜ ଶାସନରେ ଦୟା ଓ ନ୍ୟାୟ ବିଚାରର କୌଣସି ଆଶା ନଦେଖୁ ଆପଣାର ପ୍ରାଚୀନ ଖୋରଧା ରାଜାଙ୍କ ରାଜତ୍ଵର ପୁନଃ ପ୍ରତିଷ୍ଠା ସକାଶେ ସମ୍ପୂର୍ଣ୍ଣ ମନସ୍ଥ କଲେ ଓ ବିଦ୍ରୋହର ଆୟୋଜନ କଲେ ।’’ (ଉତ୍କଳ ଇତିହାସ- ପୂ. ୧୯୫) । ବକ୍‍ସି ଜଗବନ୍ଧୁ ବିଦ୍ୟାଧର ବଂଶ ପରମ୍ପରାକ୍ରମେ ଖୋରଧା ରାଜବଂଶର ‘ବକ୍‍ସି’ ବା ପ୍ରଧାନ ସେନାପତିର କାର୍ଯ୍ୟ କରି ଆସୁଥିଲେ ଏବଂ ନିଷ୍କର ଜାଗିରୀ ଓ ଅନ୍ୟାନ୍ୟ ଉପସ୍ଵତ୍ଵ ବ୍ୟତୀତ ରୋଡ଼ଙ୍ଗ କିଲ୍ଲା ଅତି ସାମାନ୍ୟ ଜମାରେ ଭୋଗ କରି ଆସୁଥିଲେ । ଇଂରେଜ ଶାସନ କାଳରେ ବସି ଜଗବନ୍ଧୁ ଆପଣାର ଶତଶତ ବର୍ଷ ବ୍ୟାପି ମୌରସୀ ସ୍ୱତ୍ୱରୁ ବିଚ୍ୟୁତ ହୋଇ ପଡ଼ିବାରୁ ପାଇକମାନଙ୍କର ସେନାପତି ହୋଇ ବିଦ୍ରୋହାଗ୍ନିକୁ ଭୀଷଣ ଭାବରେ ପ୍ରଜ୍ୱଳିତ କଲେ । ପାଇକମାନଙ୍କ ସ୍ୱାର୍ଥରେ ବାଧାପଡ଼ି ନଥିଲେ ହୁଏତ ସେମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିନଥା’ନ୍ତେ । ଆଧୁନିକ ଶିକ୍ଷା ବିସ୍ତାରରେ ଇଂରେଜମାନଙ୍କ ଅବଦାନ ସମ୍ପର୍କରେ ପଣ୍ଡିତ ମିଶ୍ର ସବିଶେଷ ଆଲୋଚନା କରି ଲେଖିଛନ୍ତି- ପୂର୍ବବର୍ତ୍ତୀ ରାଜତ୍ଵମାନଙ୍କରେ ଶିକ୍ଷା ରାଜ୍ୟ ଶାସନରେ ଅନ୍ତର୍ଭୁକ୍ତ ନଥିଲା । ରାଜା ବା ରାଜ କର୍ମଚାରୀମାନେ ଶିକ୍ଷା ଉଦ୍ଦେଶ୍ୟରେ ଗ୍ରାମ୍ୟ ବା ମୌଜାମାନଙ୍କର ରାଜସ୍ୱ ବୃଦ୍ଧି ସ୍ୱରୂପ ଖଞ୍ଜି ଦେଉଥିଲେ । ମାତ୍ର ଶାସନତନ୍ତ୍ରର କୌଣସି କର୍ତ୍ତୃତ୍ୱରେ ଶିକ୍ଷା ପରିଚାଳିତ ହେଉନଥିଲା । ମାତ୍ର ଇଂରେଜ ଶାସନରେ ଶିକ୍ଷା ଶାସନର ଅଙ୍ଗୀଭୂତ ହେଲା ଏବଂ ଶାସନର ଉଦ୍ଦେଶ୍ୟ ଓ ଆବଶ୍ୟକତା ଅନୁସାରେ ଶିକ୍ଷାର ଗତି ଓ ପ୍ରକୃତି ନିୟମିତ ହେଲା । XXX ସରକାରଙ୍କର ଶିକ୍ଷାର ପ୍ରଥମ ଉଦ୍ୟମ ସ୍ୱରୂପ ପୁରୀରେ ୧୮୩୮ ଖ୍ରୀ.ରେ ଏକ ଇଂରେଜୀ ଓ ସଂସ୍କୃତ ସ୍କୁଲ ଏବଂ ୩ବର୍ଷ ପରେ କଟକରେ ଏକ ଇଂରେଜୀ ସ୍କୁଲ ବସିଲା । XXX ୧୮୭୫ ଖ୍ରୀଷ୍ଟାବ୍ଦ ବେଳକୁ ଓଡ଼ିଶାରେ ୫୩୯ ସ୍କୁଲରେ ୧୦୯୬ଛାତ୍ର ଶିକ୍ଷା ପାଇଲେ । ପରବର୍ତ୍ତୀ ୧୦ ବର୍ଷରେ ୬୫ ହଜାରରୁ ଅଧେକ ଛାତ୍ର ୪୭୩୬ସ୍କୁଲରେ ପଢ଼ୁଥିବାର ଦେଖାଗଲା । XXX କ୍ରମେ ଶିକ୍ଷା ବିସ୍ତାରିତ ହୋଇ ଓଡ଼ିଶା ବର୍ତ୍ତମାନ ଭାରତର ଅନ୍ୟାନ୍ୟ ପ୍ରଦେଶ ସଙ୍ଗେ ସମକକ୍ଷ ହେବା ପାଇଁ ଅଗ୍ରସର ହେଉଛି ।’’ (ଉତ୍କଳ ଇତିହାସ-୨୧୧) ।

 

ପଣ୍ଡିତ କୃପାସିନ୍ଧୁ ବୈଦିକ ଯୁଗ ପାଖରୁ ଆରମ୍ଭ କରି ଇଂରେଜ ଶାସନ ସମୟ ପର୍ଯ୍ୟନ୍ତ ଦୀର୍ଘ ୫୦୦୦ ବର୍ଷର କଳିଙ୍ଗର ଇତିହାସର ବିହଙ୍ଗାବଲୋକନ କରିଛନ୍ତି । ଅଖଣ୍ଡ ଭାରତବର୍ଷର ବିରାଟ ଭୂଖଣ୍ଡକୁ ନେଇ ଗଢ଼ି ଉଠିଥିବା କଳିଙ୍ଗ ସମୟର ବିବର୍ତ୍ତନ ତଥା ଇତିହାସର ଘନଘଟା ଭିତରେ ସଂକୁଚିତ ହୋଇ କିପରି ଖଣ୍ଡିତ ଓଡ଼ିଶାରେ ପରିଣତ ହେଲା ତା’ର ସୂଚନା ଦେବା ସଙ୍ଗେ ସଙ୍ଗେ ନନ୍ଦ, ମୌର୍ଯ୍ୟ, ଚୈତ୍ର, କେଶରୀ, ଗଙ୍ଗ, ସୂର୍ଯ୍ୟ, ମୋଗଲ, ଭୋଇ, ମରହଟ୍ଟା ରାଜତ୍ଵରେ ଉତ୍କଳର ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଅବସ୍ଥା କିପରି ଥିଲା ତାର ତଥ୍ୟନିଷ, ସତ୍ୟସନ୍ଧ ଏବଂ ଇତିହାସ ବିଶ୍ଳେଷଣ ତାଙ୍କର ‘ଉତ୍କଳର ଇତିହାସ’ (୧୯୨୬) ପୁସ୍ତକରେ ଯେପରି ଦେଇଛନ୍ତି ତାହା ଓଡ଼ିଶାର ଇତିହାସରେ ଅମ୍ମାନ ଦୀପ୍ତି ସୃଷ୍ଟି କରିପାରିଛି ସନ୍ଦେହ ନାହିଁ । ଏହି ଇତିହାସ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ୧୯୨୬ ମସିହାରେ ତାଙ୍କର ତିରୋଧାନ ହୋଇଗଲା । ହୁଏତ ବଞ୍ଚିଥିଲେ ଇଂରେଜ ଶାସନ ସମୟର ଅକା ଘଟଣା ସେ ଉଦ୍‌ଘାଟନ କରି ପାରିଥାନ୍ତେ । ତାଙ୍କର ‘ବାରବାଟୀ ଦୁର୍ଗ’ (୧୯୧୭) ପୁସ୍ତକଟି ବାରବାଟୀ ଦୁର୍ଗ ସମ୍ପର୍କରେ ଓଡ଼ିଶାରେ ଲେଖାଯାଇଥିବା ଅନ୍ୟାନ୍ୟ ପୁସ୍ତକଠାରୁ ସ୍ୱତନ୍ତ୍ର ଏଥିରେ ଦୁଃରୁକ୍ତି ନାହିଁ । ଏପରିକି ଷ୍ଟାର୍ଲ ସାହେବ, ଫର୍ଗୁସନ ସାହେବ, ଆବୁଲ ଫାଜଲ, ରାଜେନ୍ଦ୍ର ଲାଲ ମିତ୍ର ପ୍ରମୁଖ ବାରବାଟୀ ଦୁର୍ଗ ସମ୍ପର୍କରେ ଦେଇଥିବା ବିଭ୍ରାନ୍ତିକର ମତକୁ ଖଣ୍ଡନ କରି ଦୁର୍ଗ ମଧ୍ୟରେ ଦିନେ ଗଢ଼ି ଉଠିଥିବା ନବତଳ ପ୍ରାସାଦର ଅସ୍ତିତ୍ୱ ନାନାଯୁକ୍ତି ଦେଇ ପ୍ରମାଣ କରିଛନ୍ତି । ତାଙ୍କର ‘କୋଣାର୍କ’ (୧୯୧୯) ପୁସ୍ତକଟିରେ କୋଣାର୍କ ମନ୍ଦିର ନିର୍ମାଣର ଐତିହାସିକତା, ମାହାତ୍ମ୍ୟ, ନିର୍ମାଣ କୌଶଳ ଏବଂ ପତନର ଇତିବୃତ୍ତ ସମ୍ପର୍କରେ ଯୁକ୍ତିନିଷ୍ଠ ପ୍ରବନ୍ଧ ମାନ ସନ୍ନିବେଶିତ ହୋଇଛି । ଏ ପୁସ୍ତକ ରଚନା ପୂର୍ବରୁ କୋଣାର୍କ ମନ୍ଦିର ସମ୍ପର୍କରେ ସଂସ୍କୃତ ତଥା ଓଡ଼ିଆ ଭାଷାର ବିଭିନ୍ନ ପୁରାଣ, ବଙ୍ଗଳା ତଥା ଇଂରେଜୀ ଭାଷାର ଅନେକ ପଣ୍ଡିତଙ୍କର ପ୍ରବନ୍ଧ ପ୍ରକାଶିତ ହୋଇ ସାରିଥିଲା । ଏସବୁ ପୁରାଣ ତଥା ପ୍ରବନ୍ଧର ମତ ଖଣ୍ଡନମଣ୍ଡନ ଭିତରେ ନିଜର ସ୍ୱତନ୍ତ୍ର ମତ ପ୍ରତିପାଦନ କରିବା ଏବଂ ଯଥାସାଧ୍ୟ ଐତିହାସିକ ଯୁକ୍ତିନିଷ୍ଠତା ଭିତରେ ସତ୍ୟସନ୍ଧ ଦୃଷ୍ଟି ନେଇ ପଣ୍ଡିତ ମିଶ୍ର ତାଙ୍କର ମତଗୁଡ଼ିକ ଉପସ୍ଥାପନ କରିଛନ୍ତି । ଦେଶର ମହାନ୍ ଐତିହ୍ୟକୁ ଐତିହାସିକ ସୁଲଭ ଯୁକ୍ତିନିଷ୍ଠ ସତ୍ୟସନ୍ଧ ଦୃଷ୍ଟି ଓ ସାହିତ୍ୟିକ ସୌନ୍ଦର୍ଯ୍ୟରେ ବିମଣ୍ଡିତକରି ଜାତି ପ୍ରାଣରେ ଜାତୀୟ ଚେତନାକୁ ଜାଗରୁକ କରିବାରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ହେଉଛନ୍ତି ଜଣେ କାଳଜୟୀ ସ୍ରଷ୍ଟା । ତାଙ୍କର ଅକାଳ ତିରୋଧାନରେ ପଣ୍ଡିତ ଗୋପବନ୍ଧୁ ତାଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରି କହିଥିଲେ, “ସେ ହେଉଛନ୍ତି ଉତ୍କଳ ଇତିହାସର ପ୍ରତ୍ନତତ୍ତ୍ୱ ଅନୁସନ୍ଧାନ କ୍ଷେତ୍ରର ପ୍ରଧାନ ସାଧକ ।’’ ପ୍ରକୃତରେ କୃପାସିନ୍ଧୁଙ୍କ ଐତିହାସିକ ଦୃଷ୍ଟି ଜଣେ ପ୍ରତ୍ନତାତ୍ତିକର ଦୃଷ୍ଟି- ଯାହା ସତ୍ୟ ଓ ତର୍କନିଷ୍ଠ ବିଚାର ବିମର୍ଶର ବେଶ ନିକଟବର୍ତ୍ତୀ ।

 

 

ଅଧ୍ୟାପକ,

ଫକୀରମୋହନ ମହାବିଦ୍ୟାଳୟ,

ବାଲେଶ୍ୱର

 

***

 

କୃପାସିନ୍ଧୁଙ୍କ ଗଦ୍ୟଶୈଳୀ

ସାବିତ୍ରୀ ସାମନ୍ତରାୟ

 

ସାହିତ୍ୟରେ ପ୍ରାଥମିକ ଅବସ୍ଥାରେ ପଦ୍ୟର ପ୍ରାଧାନ୍ୟ ଅନୁଭୂତ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଗଦ୍ୟର ବିକାଶ ପରିଲକ୍ଷିତ । ଜୀବନର ବାସ୍ତବାନୁଭୂତିକୁ ପ୍ରକଟ କରିବାରେ ଗଦ୍ୟ ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ପଦ୍ୟ କଳ୍ପନା ବିଳସିତ, ଶ୍ରୁତିମଧୁର ଓ ମନୋରଞ୍ଜକ ଥିଲାବେଳେ ଗଦ୍ୟ ହେଲା ଅପେକ୍ଷାକୃତ କ୍ଲିଷ୍ଟ, ବିଚାରଧର୍ମୀ । ଗଦ୍ୟ ପଦ୍ୟର ପ୍ରଭେଦ ଦର୍ଶାଇ ସମାଲୋଚକ କହନ୍ତି, “ସମୁଦ୍ର ଓ ସ୍ଥଳଭାଗର ପ୍ରଭେଦ ଭଳି ଗୋଟିଏ ତରଳ ଓ ତରଙ୍ଗିତ; ଅପରଟି ଘନ । ପଦ୍ୟରେ ଛନ୍ଦର ନିୟମିତତା କିନ୍ତୁ ଗଦ୍ୟରେ ଏହାର ଅଭାବ ଚିହ୍ନିତ ।” ୧ । ଗଦ୍ୟ ସାହିତ୍ୟ ରଚନା ମଧ୍ୟରେ ଲେଖକର ବ୍ୟକ୍ତିତ୍ୱ ସୁପରିସ୍ଫୁଟ ହୋଇଥାଏ । ଗଦ୍ୟ ଜ୍ଞାନ ବା ବୁଦ୍ଧିବୃତ୍ତିକୁ ଆଶ୍ରୟ କରେ । ତଥ୍ୟର ସତ୍ୟାସତ୍ୟ ବିଷୟରେ ବିତର୍କ କରେ, ଭାବର ସଙ୍ଗତି ବିଷୟରେ ଏହା ସତର୍କ । ସରସ ଓ ସୁବିନ୍ୟସ୍ତ ଭାଷା ବ୍ୟବହାରଦ୍ୱାରା ଗଦ୍ୟ ପାଠକଙ୍କ ମନ ପ୍ରଭାବିତ କରେ ।୨।

 

ସାଧାରଣତଃ ଦୁଇଟି ଦୃଷ୍ଟିକୋଣରୁ ଯେ କୌଣସି ଲେଖାର ଗୁରୁତ୍ୱ ବିଚାର କରାଯାଏ ଭାବବସ୍ତୁ ଓ ରଚନାଶୈଳୀ । ଭାବବସ୍ତୁ ଓ ରଚନାଶୈଳୀ ପରସ୍ପର ନିବିଡ଼ ସମ୍ପର୍କାନ୍ଵିତ । କେତେକ ଲେଖକ ନିଜର ଭାବ ଓ ଜ୍ଞାପନଯୋଗ୍ୟ ଚିନ୍ତାକୁ ବ୍ୟକ୍ତ କରିବାପାଇଁ ଲେଖିଥାନ୍ତି । ଅନ୍ୟ କେତେକ ନିଜର ଆତ୍ମପ୍ରତ୍ୟୟ ନଥାଇ ଯେକୌଣସି ବିଷୟରେ ଲେଖିଥାନ୍ତି । ଯେଉଁମାନେ ସେମାନଙ୍କର ଗଭୀର ମୌଳିକ ଚିନ୍ତାକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ଲେଖିଥାନ୍ତି, ସେମାନେ ପ୍ରକୃତରେ ଲେଖକ । ଯେଉଁମାନେ କେବଳ ଲେଖିବା ଉଦ୍ଦେଶ୍ୟରେ ଲେଖିଥାନ୍ତି, ସେମାନଙ୍କ ଲେଖାରେ ସେପରି କିଛି ଲେଖକୀୟ ଭୂମିକା ନଥାଏ । ଜ୍ଞାପନଯୋଗ୍ୟ ଭାବକୁ ପ୍ରକାଶ କରିବାକୁ ଲେଖୁଥିବା ଲେଖକ ଏ ସଂସାରରେ ଅଳ୍ପ । କିନ୍ତୁ ଅର୍ଥୋପାର୍ଜ୍ଜନ ପାଇଁ ଯେନତେନ ପ୍ରକାରେ କିଛି ଲେଖିବା ଭଳି ଲେଖକ ଏ ସଂସାରରେ ବହୁତ । ଯେଉଁ କେତେଜଣ ସୁଗଭୀର ଭାବ ଚିନ୍ତାର ବଶବର୍ତ୍ତୀ ହୋଇ ଲେଖିଥା’ନ୍ତି, ସେହି ଧରଣର ଲେଖକମାନେ ହିଁ ସଂସାରରେ ଲେଖକ ଭାବରେ ଯଶସ୍ୱୀ ହୁଅନ୍ତି । ସେମାନଙ୍କ ଲେଖା ଭିତରୁ ସେମାନଙ୍କ ବ୍ୟକ୍ତିତ୍ୱକୁ ଅନୁଭବ କରିହୁଏ । ସେଥିପାଇଁ ବୋଧହୁଏ ଲେଖକର ଶୈଳୀକୁ ଲେଖକର ବ୍ୟକ୍ତିତ୍ୱ ପରିମାପକ ବୋଲି କୁହାଯାଇଛି । ଲେଖକର ଶୈଳୀ ଭିତରେ ତା’ର ।

 

ଲକ୍ଷ୍ୟ, ଯଥାର୍ଥ ଉପଲବ୍ଧି, ଭାବଚେତନା ଓ ରୁଚିବୋଧ ରୂପ ନେଇଥାଏ । ଶୈଳୀ ସାଧାରଣତଃ ତାତ୍କାଳିକତାର ସ୍ୱାତନ୍ତ୍ର୍ୟ ନେଇ ଆତ୍ମପ୍ରକାଶ କରେ । ଏହାରି ଭିତରେ ଲେଖକର ଦୃଷ୍ଟିକୋଣ ମଧ୍ୟ ପ୍ରକଟିତ ହୁଏ । ସେଥିପାଇଁ ଲେଖକର ଶୈଳୀକୁ ଅନୁଭବର ବ୍ୟାପାର ଓ ଭାବପୂର୍ଣ୍ଣ କୌଶଳ କୁହାଯାଇପାରେ । ଏ ସମ୍ପର୍କରେ କୁହାଯାଇଛି- “It is this voice which roughly call style, and however much a writer ignore his personality, even seek to conceal it, he cannot disguise his voice, his style’’ I ୩ I

 

୧)

H. Read/English Prose style/Lyall Book Depot, Ludhiana/First Indian Edition 1968/Intda p.XI

୨)

ରାୟ ଗିରିଜା ଶଙ୍କର/ରଚନା ବିଚାର/ପ୍ରଥମ ସଂସ୍କରଣ ପୃ ୨୯

 

ସୁତରାଂ ଶୈଳୀ ବିଷୟବସ୍ତୁଗତ ଭାବାଦର୍ଶ ସହିତ ଲେଖକର ଅନ୍ତରୀଣ ସୌନ୍ଦର୍ଯ୍ୟବୋଧକୁ ପ୍ରକାଶ କରେ । ଲେଖକ ଯେତେ ଚେଷ୍ଟା କଲେ ମଧ୍ୟ ତା’ର ସ୍ୱାତନ୍ତ୍ର୍ୟକୁ ଲୁଚାଇପାରେ ନାହିଁ । ଏହି ଭାବ ପ୍ରକାଶର ଶୈକ୍ଷିକ ବିନ୍ୟାସ ହେଉଛି ଶୈଳୀ । ସାଧାରଣତଃ ଉଚ୍ଚ କୋଟୀର ଭାବ ଥିଲେ ଆପେ ଆପେ ଉଚ୍ଚ କୋଟୀର ଶୈଳୀରେ ତାହା ପ୍ରକାଶିତ ହୁଏ । ବିଷୟବସ୍ତୁ ନିର୍ବାଚନଠାରୁ ଆରମ୍ଭ କରି ଶବ୍ଦ ସଂଯୋଜନା, ପ୍ରତୀକ, ଚିତ୍ରକଳ୍ପ ସବୁକିଛି ଭିତରେ ଲେଖକର ଶୈଳୀ ହିଁ ଆତ୍ମପ୍ରକାଶ କରିଥାଏ । ଏମିତି କୌଣସି ଲେଖା ନାହିଁ ବା ଏମିତି ଜଣେ ହେଲେ ଲେଖକ ନାହାନ୍ତି ଯାହାର ଶୈଳୀ ନାହିଁ । ଏହି ଦୃଷ୍ଟିରୁ ଶୈଳୀର ସଂଜ୍ଞା ଜୀବନପରି ସୁବିସ୍ତୃତ ଓ କଳାମାତ୍ରକେ ଶୈଳୀର ବେହରଣରେ ମଣ୍ଡିତ ହୋଇଥାଏ । ଏ ସକାଶେ ରଚନା ଶୈଳୀର ବିଶେଷ ଆକର୍ଷଣ ହିଁ ଲେଖକ ପାଠକ ମଧ୍ୟରେ ଏକ ସୁଦୃଢ଼ ସେତୁ ନିର୍ମାଣ କରେ । ଡଃ ମିଶ୍ରଙ୍କ ମତରେ, ‘‘ଶବ୍ଦ ଚୟନର ସତର୍କତା, ବାକ୍ୟ ଗଠନର କୌଶଳ, ସୁବିନ୍ୟସ୍ତ ଭାଷା ପ୍ରୟୋଗ, ଅର୍ଥାବଗତିରେ ସ୍ଵଚ୍ଛତା ଭାବଧାରାର ସଙ୍ଗତି, ରଚନାର ଅନ୍ତଃସୌନ୍ଦର୍ଯ୍ୟ ବିଧାନ ନିମନ୍ତେ କଳାବୋଧ, ରଚନା ମଧ୍ୟରେ ଲେଖକଙ୍କ ମୌଳିକ ଭାବଦୃଷ୍ଟି ଓ ଅନ୍ତର୍ବାଣୀର ସମନ୍ୱୟ ଦ୍ୱାରା ଗଦ୍ୟରଚନାର ନୈପୁଣ୍ୟ, ମନୋହାରିତା ଓ ସକ୍ରିୟତା ସମ୍ପାଦିତ ହୁଏ ।୪।

 

କେବଳ ଶୈଳୀକୁ ବିଚାର କରି ଲେଖକକୁ ମର୍ଯ୍ୟାଦା ଦିଆଯାଇପାରିବ ନାହିଁ । ଯଦି ଶୈଳୀକୁ ନିର୍ଦ୍ଧାରଣ କରି ଲେଖା ଓ ଲେଖକର ମାନ ନିର୍ଦ୍ଧାରଣ କରାଯାଏ, ତେବେ ତାହା ଏକ ବୃଥା ପ୍ରୟାସ ହେବ । ଅସଲ ହେଉଛି ଉଚ୍ଚକୋଟୀର ଭାବ । ଭାବ ଥିଲେ ସେହି ଅନୁଯାୟୀ ଶୈଳୀ ମଧ୍ୟ ଆପେ ଆପେ ଆସିଯାଏ ।

 

ଯାହାର ବଡ଼ କିଛି କହିବାକୁ ଥାଏ, ସେ ବଡ଼ ଲେଖକ ହୋଇଥାଏ । ଯେ ତା’ର ଭାବକୁ ଯୋର୍ ଦେଇ ଫୁଟାଇପାରେ ନାହିଁ, ସେ ସାଧାରଣତଃ ପଛରେ ପଡ଼ିଯାଏ । ମନର ଭାବକୁ ଅନ୍ତର ଦେଇ ପ୍ରକାଶ କରିଜାଣିଲେ ଲେଖକକୁ ସହଜରେ ପାଠକ ଗ୍ରହଣ କରେ । ଅର୍ଥାତ୍ ସତ୍ୟକୁ ଯିଏ ଯେପରି ଭାବରେ ଦେଖିଛି, ତାହାକୁ ସେହିଭଳି ଅକୃତ୍ରିମ ଭଙ୍ଗୀରେ ଫୁଟାଇପାରିଲେ ଶୈଳୀ ଆକର୍ଷଣୀୟ ହୋଇଥାଏ । ଅନେକ ସମୟରେ ଲେଖକ ଲେଖୁ ଲେଖୁ ଅତ୍ୟଧିକ ବିଶ୍ଳେଷଣ କରି ତାର ଲେଖାକୁ ଏମିତି କରିଦିଏ, ତାହା ପାଠକର ମୁଣ୍ଡବ୍ୟଥାର କାରଣ ହୋଇଥାଏ । ଅନେକତ୍ର ଲେଖକ ସୂଚନାତ୍ମକ ଭାବରେ ଭାବବ୍ୟକ୍ତ କରିବାକୁ ଯାଇ ନିଜର ଭାବକୁ ଅସ୍ପଷ୍ଟ କରିଦିଏ । ଏପରି କ୍ଷେତ୍ରରେ ମଧ୍ୟ ଲେଖକ ପାଠକଠାରୁ ଦୂରେଇ ଯାଏ ।

 

ସାଧାରଣତଃ କୌଣସି ଲେଖକର ରଚନା ଶୈଳୀକୁ ତିନିଗୋଟି ଦୃଷ୍ଟିକୋଣରୁ ଅନୁଶୀଳନ କରାଯାଇପାରେ । ପ୍ରଥମଟି ହେଉଛି ବିଷୟ ନିର୍ବାଚନରେ ସାଧୁତା ଓ ଚିନ୍ତାରେ କ୍ରମିକତା । ଯେଉଁ ବିଷୟରେ ଲେଖକ ଲେଖିବାକୁ ଯାଇଛି ସେ ବିଷୟଟି ପାଠକ ରୁଚି ଅନୁକୂଳ କି ନାହିଁ ତାହାକୁ ବିଚାର କରିବା ଉଚିତ । ତାହାଛଡ଼ା ଲେଖକ ତାର ଚିନ୍ତାଧାରାକୁ ସଂହତିପୂର୍ଣ୍ଣ ଭାବରେ ପ୍ରକାଶ କରିବା ବିଧେୟ । ଦ୍ଵିତୀୟଟି ହେଉଛି ଅର୍ଥପ୍ରକାଶର ଗୁରୁତ୍ୱ ଓ ଭାବବହନକାରୀ ଶବ୍ଦମାନଙ୍କର ଶିଷ୍ଟ ପ୍ରୟୋଗ । ଅର୍ଥାତ୍ ବାକ୍ୟଗୁଡ଼ିକ ପରସ୍ପର ସହିତ ଏପରି ଭାବରେ ସମ୍ପର୍କ ରକ୍ଷା କରିବା ଉଚିତ ଯାହାଫଳରେ ପାଠକର ଅର୍ଥାବଗତିରେ କୌଣସି ପ୍ରତିବନ୍ଧକ ସୃଷ୍ଟିହେବ ନାହିଁ । ତୃତୀୟଟି ହେଉଛି ଗଦ୍ୟ ରଚନା ପାଇଁ ବ୍ୟବହୃତ ଭାଷା । ଲେଖକ ଲେଖିଲାବେଳେ ସାଧାରଣ କଥିତ ଭାଷାର ସଫଳ ପ୍ରୟୋଗ ତା ଲେଖାରେ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ବେଳେ ବେଳେ କେତେକ ଲେଖକ ଶିଷ୍ଟ ସମାଜରେ ବ୍ୟବହୃତ ଭାଷାକୁ ତାଙ୍କ ଲେଖାରେ ବ୍ୟବହାର କରିଥା’ନ୍ତି । ଜଟିଳ ବିଷୟକୁ ଜନସାଧାରଣଙ୍କ ଭାଷାରେ ସରଳ, ସାବଲୀଳ ଓ ପ୍ରସାରଣଶୀଳ ଭାବେ ପ୍ରକାଶ କରିବା ଉଚ୍ଚକୋଟୀର ଗଦ୍ୟଶୈଳୀର ବୈଶିଷ୍ଟ୍ୟ ।

 

୩)

Bonany Dorbee/Modern Prose Style/1st edn, Indroduction p.3

୪)

ମିଶ୍ର ନିବାସ / ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ/ବିଦ୍ୟାପୁରୀ/କଟକ/ପ୍ରଥମ ପ୍ରକାଶ ୧୯୭୮, ପୃ-୨୧-୨୨

 

ଆଲୋଚକମାନେ ସାଧାରଣତଃ ରଚନାଶୈଳୀକୁ ବ୍ୟକ୍ତିନିଷ୍ଠ (Subjective) ଓ ବସ୍ତୁନିଷ୍ଠ (Objective) ଏହିପରି ଦୁଇ ଗୋଟି ପର୍ଯ୍ୟାୟରେ ବିଭକ୍ତ କରିଥାନ୍ତି । ବ୍ୟକ୍ତିନିଷ୍ଠ ରଚନା ଶୈଳୀରେ ଲେଖୁଥିବା ଲେଖକ ଆପଣାର ଜୀବନଦର୍ପଣ ଭିତରେ ଯେ କୌଣସି ବିଷୟକୁ ଦେଖିବାକୁ ପ୍ରୟାସ କରେ । ଏଥିରେ ଲେଖକର ଗଭୀର ଆତ୍ମପ୍ରତ୍ୟୟ ଭାବ ଫୁଟି ଉଠିଥାଏ । ଏପରି ଶୈଳୀରୁ ଲେଖକର ବ୍ୟକ୍ତିତ୍ୱର ଗଭୀରତା ମାପିହୁଏ । କିନ୍ତୁ ଅନେକତ୍ର ଏପରି ଶୈଳୀ ପାଠକକୁ କ୍ଲିଷ୍ଟ ମନେହୁଏ । ଏହାଦ୍ୱାରା ମଧ୍ୟ ଲେଖକ ପାଠକଠାରୁ ଦୂରେଇଯାଇ ଆପଣାର ଜୀବନକଥା କହିଚାଲେ । ବସ୍ତୁନିଷ୍ଠ ଶୈଳୀରେ ଲେଖକ ଯେ କୌଣସି ବିଷୟକୁ ସାଧାରଣ ଦୃଷ୍ଟିକୋଣରୁ ବିଶ୍ଳେଷଣ କରେ । ତା’ର ବିଦ୍ୟା ବୁଦ୍ଧି ଅନୁଯାୟୀ ସେ ବିଷୟବସ୍ତୁ ଅନୁଶୀଳନ କରେ-। ଯୁକ୍ତିନିଷ୍ଠ ଭାବରେ ସେ ଏଥିରେ ବିଷୟବସ୍ତୁ ଉପସ୍ଥାପନ କରେ । ଏ ଧରଣର ଶୈଳୀ ଅନେକାଂଶରେ ଯୁକ୍ତି ଓ ମନନ ଉପରେ ପ୍ରତିଷ୍ଠିତ । ଏପରି ରଚନାଶୈଳୀ ପାଠକ ସଚେତନ । ଲେଖକ ବସ୍ତୁନିଷ୍ଠ ଶୈଳୀରେ ଯାବତୀୟ ଜଟିଳ ସମସ୍ୟାକୁ ବିଶ୍ଳେଷଣ କରିପାରେ । ବିଶେଷ କରି କୌଣସି ପ୍ରବନ୍ଧ ରଚନା କାଳରେ ଏଭଳି ଶୈଳୀର ଯଥେଷ୍ଟ ଆବଶ୍ୟକତା ରହିଛି । ଏ ପ୍ରକାର ରଚନାଶୈଳୀରୁ ଲେଖକର ପାଣ୍ଡିତ୍ୟ, ବିଶ୍ଳେଷଣ ପ୍ରବଣତା ସହଜରେ ଜାଣିହୁଏ । ବସ୍ତୁନିଷ୍ଠ ଶୈଳୀ ଗଦ୍ୟରଚନା ପାଇଁ ପ୍ରକୃଷ୍ଟ ମାଧ୍ୟମ ।

 

ଶୈଳୀ ହେଉଛି ଲେଖକର ଏକାନ୍ତ ବ୍ୟକ୍ତିଗତ ବ୍ୟାପାର । ଜଣେ ଲେଖକର ଶୈଳୀକୁ ଅନ୍ୟଜଣେ ଲେଖକ ସହଜରେ ଅନୁକରଣ କରିପାରେ ନାହିଁ । ଅନୁକରଣ କଲେ ସୁଦ୍ଧା ପରବର୍ତ୍ତୀ ଲେଖକ ଜଣକ ତାର ସ୍ଵକୀୟତା ରଖିପାରେ ନାହିଁ । କେହି କାହାକୁ କିପରି ଢଙ୍ଗରେ ଲେବାକୁ ହେବ, ଶିକ୍ଷା ଦେଇପାରେ ନାହିଁ । ଲେଖକର ବ୍ୟକ୍ତିଗତ ରୁଚି, ଜୀବନବୋଧ, ମାନନଶୀଳତା, ଅନ୍ତର୍ଦୃଷ୍ଟି ଇତ୍ୟାଦି ଉପରେ ତା’ର ଶୈଳୀ ନିର୍ଭରଶୀଳ । ରଚନାଶୈଳୀ ସମ୍ପର୍କରେ ସୂଚନା ଦେଇ ଡଃ ଦାଶରଥି ଦାସ ଲେଖିଛନ୍ତି- “ଲେଖକଙ୍କ ମାନସମୁଖର ଯେଉଁ ଛବି ବା ଆକୃତି, ତାହାରି ନାମ Style ବା ରଚନାଶୈଳୀ । ମଣିଷର ଚରିତ୍ର ବୁଝିବା ପକ୍ଷେ ତାହାର ଦୈହିକ ଆକୃତି ଅପେକ୍ଷା ଏହି ମାନସ ଆକୃତି ଆହୁରି ବେଶୀ ନିର୍ଭରଯୋଗ୍ୟ । ଅନ୍ୟବ୍ୟକ୍ତିର Style ଅନୁକରଣ କରିବା ଏବଂ ମୁହଁରେ ମୁଖାଟିଏ ପିନ୍ଧିବା ଏକାକଥା, ମୁଖାଟା ଯେତେ ସୁନ୍ଦର ଓ ନିପୁଣ ହୋଇଥିଲେ ହେଁ ଅଚିରେ ତାହା ବିରସ ଓ ଦୃଷ୍ଟିକଟୁ ହୋଇଉଠେ । କାରଣ ତା’ର ପ୍ରାଣ ନଥାଏ । ତାହା ଅପେକ୍ଷା ଅତି କୁତ୍ସିତ ଜୀବିତ ମୁହଁ ଭଲ । ଭାଷାର ଯେତେ ସବୁ କୃତ୍ରିମ ଭଙ୍ଗିମା ଥାଏ, ତାହା ଠିକ୍ ମୁଖା ବିକୃତି ପରି । ଯେଉଁ ଭାଷାରେ ଲେଖକ ଲେଖିଥାଏ, ତାକୁ ସେହି ଜାତିର ବିଶିଷ୍ଟ ମୁଖାକୃତି ବୋଲି କୁହାଯାଇପାରିବ ।୫।

 

ଏଥିରୁ ପ୍ରତିପନ୍ନ ହୁଏ ଯେ ଯେଉଁ ଲେଖକ ଯେତିକି ସରଳ ଓ ସାବଲୀଳ ଭାବରେ ତା’ର ବକ୍ତବ୍ୟକୁ ପ୍ରକାଶ କରିଛି । ତା’ର ଶୈଳୀ ସେତିକି ଅନ୍ତରଛୁଆଁ ହୋଇପାରିଛି । ଲେଖକର ଶୈଳୀକୁ ଏ ହେତୁ କେତେକ ସ୍ୱତଃସ୍ଫୁର୍ତ୍ତ ପ୍ରବଣତା ଭାବରେ ଗ୍ରହଣ କରିଥାନ୍ତି । ଶିଳ୍ପୀର ଶିଳ୍ପୀକ ଚମତ୍କାରୀ ଶକ୍ତିକୁ ଏକ ଅଭିନବ ଗୁଣ ଭାବରେ ମଧ୍ୟ ଗ୍ରହଣ କରାଯାଇଛି । ଏ ସକାଶେ ଚାର୍ଲସ ମୋରଗାନ୍ କହନ୍ତି- “The quality of artist is a gift of the God’s granted to a man at birth, a race and miraculous impregnation.’’ ।୬।

 

କୌଣସି ଗଦ୍ୟର ଗୁରୁତ୍ଵ ଅନେକାଂଶରେ ତା’ର ଗଦ୍ୟଶୈଳୀ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ସେଥିପାଇଁ ଜାଁ ପଲ୍ ସାର୍ତ୍ତ୍ରେ ଗଦ୍ୟର ଶୈଳୀ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହନ୍ତି ପ୍ରତ୍ୟେକ ଲେଖକର ନିଜସ୍ୱ ଏକ କହିବାର ଶକ୍ତିଥାଏ । ଏହି କହିବାଶକ୍ତି ମାଧ୍ୟମରେ ସେ ତା’ର ଲେଖାକୁ ପାଠକ ନିକଟରେ ପହଞ୍ଚାଇ ଦିଏ । ଲେଖକଟିଏ କ’ଣ କହୁଛି ତାହା ଯେପରି ତାତ୍ପର୍ଯ୍ୟପୂର୍ଣ୍ଣ, ସେ କିପରି କହୁଛି ତାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଏ ସମ୍ପର୍କରେ ଏଠାରେ ତାଙ୍କର ବକ୍ତବ୍ୟକୁ ସ୍ମରଣ କରାଯାଇପାରେ । All this does not prevent there being a manner of writing. One is not a writer for having chosen to say certain things, but for having chosen to say then in a certain way. And to be sure, the style makes the value of the prose.” |୭| ଏ ମନ୍ତବ୍ୟରୁ ଗଦ୍ୟର ଗୁରୁତ୍ୱ ଯେ ଶୈଳୀ ନିର୍ଭରଶୀଳ, ଏକଥା ବୁଝାଇ କହିବାରେ ପ୍ରୟୋଜନ ନାହିଁ ।

 

ଲେଖକର ରଚନାଶୈଳୀ ଉପରେ ଗୋଟିଏ ଗ୍ରନ୍ଥର ସ୍ଥାୟିତ୍ୱ ନିର୍ଭର କରେ । ପ୍ରସିଦ୍ଧ ପୁସ୍ତକ ଗୁଡ଼ିକ ଅନେକ ସଦ୍‌ଗୁଣର ଅଧିକାରୀ ହୋଇ କାଳକାଳକୁ ବଞ୍ଚିରହେ । ଯୁଗ ଅନୁଯାୟୀ ଏହି ସଦ୍‍ଗୁଣଗୁଡ଼ିକ ପାଠକ ପାଖରେ ଧରାଦିଏ । ଜଣେ ଜଣେ ଲେଖକ ଏଭଳି ସଦ୍‌ଗୁଣସମ୍ପନ୍ନ ଖଣ୍ଡିଏ ଖଣ୍ଡିଏ ବହିଲେଖୁ ଅମରତ୍ୱ ଲାଭ କରନ୍ତି । ଏପରି ବହି ସଂଖ୍ୟା ଦୃଷ୍ଟିରୁ ଖୁବ୍ ବିରଳ । ବ୍ୟାସଙ୍କ ‘ମହାଭାରତ’, ବାଲ୍ଲୀକିଙ୍କ ‘ରାମାୟଣ’, ସେକ୍‌ସପିୟରଙ୍କ ରଚନାବଳୀ ପ୍ରଭୃତି ଏହି ପର୍ଯ୍ୟାୟର ଗ୍ରନ୍ଥ । ଏପରି ବହିରେ ଲେଖକ ସାର୍ବକାଳୀନ ମୂଲ୍ୟବୋଧର ବାର୍ତ୍ତା ଦେଇଥାଏ ।

 

ଉକୃଷ୍ଟ ଗଦ୍ୟଶୈଳୀ ଅନେକାଂଶରେ ସାଧାରଣ ଲୋକ ପ୍ରଚଳିତ ଭାଷା ସହିତ ସମ୍ପର୍କ ରକ୍ଷା କରେ । ବିଶ୍ୱସ୍ତ ଭାବରେ ଏହା ଜନଗଣର ମୁହଁରେ ଭାଷାକୁ ଛଡ଼ାଇନେଇ ସାହିତ୍ୟରେ ପ୍ରକାଶ କରିଥାଏ । ଏ ସମ୍ପର୍କରେ ଆଲୋଚନା କରି ଡଃ ଶ୍ରୀନିବାସ ମିଶ୍ର ଲେଖିଛନ୍ତି- “ଉକୃଷ୍ଟ ଗଦ୍ୟରଚନା ସରଳ, ସ୍ଵଚ୍ଛନ୍ଦ, ପ୍ରବହମାନ ଓ ପ୍ରସାରଣଶୀଳ ହୋଇଥିବାରୁ ଦୈନନ୍ଦିନ ଭାଷାରେ ଏହା ଲିଖିତ ହେବା ଉଚିତ । ଅବଶ୍ୟ ସ୍ଥଳେ ସ୍ଥଳେ ରଚନାରେ ସାହିତ୍ୟିକ ଛଟା ପ୍ରକାଶର ଉଦ୍ୟମ ହୋଇଥାଏ । ଆଧନୁକ ଉକୃଷ୍ଟ ଗଦ୍ୟରୀତିର ଯଥାର୍ଥ ଲକ୍ଷଣ ହେଲା ଏହାର ବିଶ୍ଵସ୍ତତା । ଏକ ଯୁଗର ବିଶିଷ୍ଟ ପ୍ରକୃତି ସେ କାଳର ସାହିତ୍ୟିକ ଶୈଳୀରେ ପ୍ରତିଫଳିତ ହୋଇଥାଏ । ଛଦ୍ମତା ପ୍ରକାଶକ ଶୈଳୀ ଅପକୃଷ୍ଟ । ଏଥିରେ ଲେଖକ ନିଜ ମାନସିକ ସ୍ଥିତି ଓ ଗତିପ୍ରତି ବିଶ୍ୱସ୍ତ ନ ହୋଇ ଆତ୍ମ ପ୍ରତାରଣାର ଆଶ୍ରୟ ନିଅନ୍ତି । ଶୈଳୀ ହେଉଛି ଲେଖକଙ୍କ ବ୍ୟକ୍ତିତ୍ଵ ପ୍ରକାଶର ବାଣୀ । ଲେଖକର ଅନ୍ତରଙ୍ଗ ଓ ସ୍ୱତଃସ୍ଫୁର୍ତ୍ତ ଅଭିବ୍ୟକ୍ତି ନ ଘଟିଲେ କୌଣସି ଶୈଳୀ ଉତ୍ତମ ହୋଇପାରେ ନାହିଁ । ୮ ।

 

୫)

ଦାସ ଦାଶରଥି/ସାହିତ୍ୟ ସନ୍ଧାନ/ଅଗ୍ରଦୂତ, କଟକ / ୧୯୭୫, ପୃ ୨୪୧

୬)

Charls Morgaon / The Writer and his World / London, Macmillan and Co. Ltd. / 1960. P.119

୭)

J.P. Bartre / What is Literature ? Translated by Bernard Frechtman Muthun and Co. Ltd., 1983 IP. 15

 

ରଚନାଶୈଳୀ ହେଉଛି ଯେ କୌଣସି ଲେଖାର ସାମଗ୍ରିକ ବୈଶିଷ୍ଟ୍ୟ । ବାକ୍ୟ ଗଠନ, ଶବ୍ଦ ଚୟନ, ବିଷୟ ଉପସ୍ଥାପନା, ଅର୍ଥଦ୍ୟୋତକ ଶବ୍ଦ ନିର୍ବାଚନ ପରିଚ୍ଛେଦ ପ୍ରଭୃତି ଉପରେ ନିର୍ଭର କରେ । ବକ୍ତବ୍ୟର ପରିଚ୍ଛନ୍ନତା ସହିତ ଲେଖକର ମର୍ମବାଣୀ ଉଚ୍ଚକୋଟୀର ଗଦ୍ୟପାଇଁ ଏକାନ୍ତ ଅପରିହାର୍ଯ୍ୟ ।

 

ଗଦ୍ୟରଚନା ମଧ୍ୟରେ ପ୍ରବନ୍ଧ ରଚନା ଏକ ଜଟିଳ ବ୍ୟାପାର । ପ୍ରବନ୍ଧଟିଏ ଭଲଭାବରେ ନା ଲେଖିଲେ ତାହା ପାଠକଠାରୁ ଦୂରେଇଯାଏ । ପ୍ରବନ୍ଧର ଆରମ୍ଭ ଏପରି ହେବା ଉଚିତ ଯାହା ପାଠକକୁ ପରିଣତି ପର୍ଯ୍ୟନ୍ତ ବାନ୍ଧି ରଖିପାରିବ । ପ୍ରାବନ୍ଧିକ ପ୍ରବନ୍ଧର ଆରମ୍ଭରୁ ପାଠକସହିତ ଭାବଗତ ଆତ୍ମୀୟତା ସ୍ଥାପନ କରିପାରିଲେ ପ୍ରବନ୍ଧଟି ଉଚ୍ଚକୋଟୀର ହୁଏ । ଏ ସମ୍ପର୍କରେ ଭର୍ଜିନିଆ ଉଫ୍‍ଙ୍କଉକ୍ତି ସ୍ମରଣୀୟ । ତାହା ଏହିପରି- “Everything in an essay must be subdued to that end. It should lay us under a spell with its first word, and we should only wake, refreshed with its last.’’ I ୯ I

 

ଶୈଳୀ ହେଉଛି ମଣିଷର ବ୍ୟକ୍ତିଗତ ଚେତନାର ଆତ୍ମପ୍ରକାଶ ଯାହା ସାହାଯ୍ୟରେ ଆମେ ଜଣେ ଲେଖକକୁ ଚିହ୍ନିଥାଉ । ଶୈଳୀ ମଧ୍ୟ ଲେଖକର ବୌଦ୍ଧିକ ଚିନ୍ତାଧାରାର ପ୍ରାଣ ପ୍ରକାଶକ ଯାହା ସ୍ରଷ୍ଟାର ଏକ ବିଶେଷଗୁଣ । ସମାଲୋଚକ ମରେଙ୍କ ଭାଷାରେ– ‘‘You could not mistake the style; style means that personal ideosyncrasy of expression by which we recognise a writer.’’ ।୧୦। ସେହି ପ୍ରବନ୍ଧରେ ଅନ୍ୟତ୍ର ସେ କହନ୍ତି- A style must be individual, because it is the expression of an individual mode of feeling.’’ ।୧୧। ଲେଖକଙ୍କର ବକ୍ତବ୍ୟ ଉପରେ ତାର ରଚନାଶୈଳୀ ନିର୍ଭର କରିଥାଏ । ଶୈଳୀଠିକ୍ ନ ରହିଲେ ତାହା ପଠନ ସୁଖଦାୟୀ ହୁଏ ନାହିଁ । ତେଣୁ ଶୈଳୀ ହେଉଛି ଲେଖକ ଓ ପାଠକ ମଧ୍ୟରେ ଏକ ଯୋଗସୂତ୍ରକାରୀ ସେତୁ । ଲେଖକର ଚିନ୍ତାଭିତରେ ପାଠକ ଏକାତ୍ମ ହୋଇପାରିଲେ ଲେଖାର ସାର୍ଥକତା ପ୍ରତିପାଦିତ ହୋଇଥାଏ । ଶୈଳୀ ଯୋଗୁ ହିଁ ଲେଖକ ଦୀର୍ଘକାଳ ପାଇଁ ପାଠକମନରେ ବଞ୍ଚିରହେ । ସମାଲୋଚକଙ୍କ ଭାଷାରେ- ପୋଷାକ ପରିଚ୍ଛେଦ କ୍ଷେତ୍ରରେ ନିୟମ ନମାନିଲେ ଯେପରି ଭଦ୍ର ସମାଜପ୍ରତି ଅବଜ୍ଞା ପ୍ରଦର୍ଶନ କରାଯାଏ, ଠିକ୍ ସେପରି ଯେଉଁ ଲେଖକ ଲେଖାର ରଚନାଶୈଳୀ ଓ ଶ୍ରୀ ସୌଷ୍ଠବକୁ ଗ୍ରାହ୍ୟ କରନ୍ତି ନାହିଁ, ସେ ପାଠକକୁ ଘୋର ଅବଜ୍ଞା କରନ୍ତି । ଫଳ ହାତେ ହାତେ । କୌଣସି ଶିକ୍ଷିତ ବ୍ୟକ୍ତି ତାଙ୍କ ଗ୍ରନ୍ଥ ପଢ଼ନ୍ତି ନାହିଁ । ।୧୨।

 

୮)

ମିଶ୍ର ଶ୍ରୀନିବାସ । ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ । ପୃ. ୧୮

୯)

Virginia Woolf / The Modern Essay (Collected essays. 1st edn. Vol 2/p. 41

୧୦)

J. Middleton Murry / The Problem of Style / Oxford University Press London, 7th impuression / 1976, p-4

୧୧)

Lbid/ p-14

 

ଆଧୁନିକ ଯୁଗ ଗଦ୍ୟର ଯୁଗ । ଗଳ୍ପ, ଉପନ୍ୟାସ ପ୍ରବନ୍ଧ, ସମାଲୋଚନା ଆଦି ବହୁବିଧ ବିଭାଗରେ ଏହା ପରିପୂର୍ଣ୍ଣ । ଖ୍ରୀଷ୍ଟୀୟ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ବିଭିନ୍ନ ସାହିତ୍ୟରେ ଗଦ୍ୟର ବିକାଶ ହୋଇଥିଲେ ହେଁ ଆମ ସାହିତ୍ୟରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଅନୁରୂପ ଅବସ୍ଥା ପରିଲକ୍ଷିତ । ପ୍ରାଚୀନ ଧରାବନ୍ଧା ରୀତିକୁ ପରିହାର କରି ଗଦ୍ୟ ହୋଇଉଠିଲା ଅଧିକ ଗଣଚେତନାଧର୍ମୀ ।

 

ସତ୍ୟବାଦୀର ସାହିତ୍ୟସାଧକ କୃପାସିନ୍ଧୁ ଗଦ୍ୟ ରଚନା କଲାବେଳକୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଏକ ଉନ୍ନତ ପରମ୍ପରା ସୃଷ୍ଟି ହୋଇ ସାରିଥିଲା । ରାଧାନାଥ, ଫକୀରମୋହନ, ମଧୁସୂଦନ, ବିଶ୍ୱନାଥ କର, ନନ୍ଦକିଶୋର ବଳ, ରାମ ଶଙ୍କର ରାୟ, କୃଷ୍ଣପ୍ରସାଦ ଚୌଧୁରୀ, ଚନ୍ଦ୍ରଶେଖର ନନ୍ଦ, ଗୋପାଳ ଚନ୍ଦ୍ର ପ୍ରହରାଜ, ଶ୍ୟାମସୁନ୍ଦର ରାଜଗୁରୁ, ଗୋପୀନାଥ ନନ୍ଦ, ମୃତ୍ୟୁଞ୍ଜୟ ରଥ, ତାରିଣୀଚରଣ ରଥ, ଜଗବନ୍ଧୁ ସିଂହ, ଶଶିଭୂଷଣ ରାୟ, ମୋହିନୀ ମୋହନ ସେନାପତି, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖ ଉଚ୍ଚକୋଟୀର ଗଦ୍ୟରଚନା କରି ଓଡ଼ିଆ ଗଦ୍ୟ ରଚନାକୁ ସମୃଦ୍ଧ କରିଥିଲେ ।

 

ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ପ୍ରମୁଖ ସୃଷ୍ଟି ପ୍ରୟାସୀ ହେଲାବେଳକୁ ଓଡ଼ିଶାରେ ଜାତୀୟବାଦୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା ଓ ଏହି ଲେଖକମାନେ ସେଥିରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବା ସହିତ ଆମର ଜାତୀୟତାକୁ ପୁନରୁଜ୍ଜୀବିତ କରିବା ପାଇଁ ଲେଖନୀ ଧାରଣ କରିଥିଲେ । ଆଲୋଚକଙ୍କ ମତରେ ‘‘ମାନବିକତାର ମହତ୍ତରବାଣୀ ଜନସମାଜରେ ପ୍ରଚାର କରିବା ଉଦ୍ଦେଶ୍ୟରେ ସାପ୍ତାହିକ ‘ସମାଜ’ ଏବଂ ମାସିକ ‘ସତ୍ୟବାଦୀ’ର ପ୍ରକାଶ, ଏହି ଉଦ୍ଦେଶ୍ୟ ସାଧନ ସକାଶେ କେବଳ ସତ୍ୟବାଦୀ ସାଧକର ଜାତୀୟ ସାହିତ୍ୟ ସୃଷ୍ଟି ।୧୩।

 

ଗୋପବନ୍ଧୁ, ନୀଳକଣ୍ଠଙ୍କ ଗଦ୍ୟ ଅପେକ୍ଷା କୃପାସିନ୍ଧୁଙ୍କ ଗଦ୍ୟର ସ୍ୱାତନ୍ତ୍ର୍ୟ ବାରିହୋଇ ପଡ଼େ । କୃପାସିନ୍ଧୁ ଜଣେ ନିଚ୍ଛକ ଜାତୀୟବାଦୀ ତଥା ଐତିହ୍ୟ ସଚେତନ ଶିଳ୍ପୀ । ତାଙ୍କ ଗଦ୍ୟର ଶୈଳୀ କେତେବେଳେ ସମୁଦ୍ର ପରି ଗୁରୁଗମ୍ଭୀର ତ ପୁଣି କେତେବେଳେ ପାହାଡ଼ୀ ଝରଣାପରି ସରଳ ଓ ପ୍ରାଣସ୍ପର୍ଶୀ । ତାଙ୍କ ଗଦ୍ୟର ଭାବବସ୍ତୁ ଏପରି ସଂହତିବୋଧ ଭିତରେ ଗ୍ରଥିତ ଯେ ଶୈଳୀ କେଉଁଠି ଭାରସାମ୍ୟ ହରାଇଲା ପରି ବୋଧହୁଏ ନାହିଁ । ଆରମ୍ଭ ଓ ପରିସମାପ୍ତିରେ କେଉଁଠାରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ ନାହିଁ । ଗୋପବନ୍ଧୁ ଓଡ଼ିଆ ଭାଷାକୁ ଯେଉଁଭଳି ଦେଖିଥିଲେ, ସେହି ଭାଷାକୁ ତାଙ୍କର ଗଦ୍ୟରେ ପ୍ରୟୋଗ କରି ଲୋକପ୍ରିୟତା ଅର୍ଜନ କରିଥିଲେ । କୃପାସିନ୍ଧୁଙ୍କ ଗଦ୍ୟ ଯେହେତୁ ଅଧିକ ତଥାଶ୍ରୟୀ, ଗବେଷଣାଧର୍ମୀ, ସରଳ ଓଡ଼ିଆ ଭାଷା ହେଲେ ମଧ୍ୟ ସେ ଭାଷାରେ ଗାମ୍ଭୀର୍ଯ୍ୟ ରହିଛି, ପାଠକକୁ ଆମୋଦିତ କରିବାର ଯାଦୁକରୀ ସ୍ପର୍ଶ ମଧ୍ୟ ରହିଛି । ତାଙ୍କ ଗଦ୍ୟର ଶୈଳୀ ସମ୍ପର୍କରେ ମତାମତ ଦେବାକୁ ଯାଇ ଫକୀରମୋହନ କହନ୍ତି- “xxxx ଭାଷାର ବନ୍ଧନ ତଥା ଚିନ୍ତାଶୀଳତା ଏବଂ ପ୍ରୟୋଜନୀୟତା ସମସ୍ତ ବିଷୟ ସମବେତରେ ଆଜିପର୍ଯ୍ୟନ୍ତ ସାହିତ୍ୟରେ ଯେତେ ପ୍ରବନ୍ଧ ପ୍ରକାଶିତ ହୋଇଅଛି, ସମସ୍ତଙ୍କଠାରୁ ବାରବାଟୀ ପ୍ରବନ୍ଧ ଶ୍ରେଷ୍ଠତମ ବୋଲି ଜ୍ଞାନକରେ । “୧୪। ବାସ୍ତବରେ ବାରବାଟୀ ସମ୍ପର୍କିତ ପାଠକଙ୍କର ଏ ମନ୍ତବ୍ୟ କୃପାସିନ୍ଧୁଙ୍କର ବଳିଷ୍ଠ ଗଦ୍ୟରଚନା ଶୈଳୀର ପରିଚୟ ପ୍ରଦାନ କରିଥାଏ ।

 

୧୨)

ଦାସ ଦାଶରଥି / ସାହିତ୍ୟ ସନ୍ଧାନ / ପୃ ୨୪୬

୧୩)

ଆଚାର୍ଯ୍ୟ ବୃନ୍ଦାବନ / ସତ୍ୟବାଦୀ ଯୁଗ / ସାରସ୍ୱତ ପୁସ୍ତକ ଭଣ୍ଡାର, ବ୍ରହ୍ମପୁର ୧୯୮୬ / ପୃ ୨୩୩

 

‘ବାରବାଟୀ ଦୁର୍ଗ’ କୃପାସିନ୍ଧୁଙ୍କର ପ୍ରାଥମିକ ରଚନା । ଏହି ପ୍ରାଥମିକ ସୃଷ୍ଟି ଭିତରେ ପରିପକ୍ୱ ଭାଷାଶୈଳୀ ଦେଖିଲେ ଆଶ୍ଚର୍ଯ୍ୟଲାଗେ । ‘ବାରବାଟୀ ଦୁର୍ଗ’ରେ ଯେତେବେଳେ ପଢ଼ୁ ‘ବାରବାଟୀ ଦୁର୍ଗ ଯେତେବେଳେ ଉନ୍ନତିର ଚରମ ସୀମାରେ ପ୍ରବେଶ କରିଥିଲା, ଯେତେବେଳେ ଏହା ଓଡ଼ିଆ ଗଜପତିଙ୍କୁ କୋଳରେ ଧାରଣ କରି ଚିର ଶାରଦ ଚନ୍ଦ୍ରମାରେ ରଜତାଚ୍ଛାଦିତ ଚିତ୍ରୋତ୍ପଳା ଜଳରେ ସଗର୍ବରେ ସ୍ୱମୁଖ ନିରୀକ୍ଷଣ କରୁଥିଲା; ସେତେବେଳେ ଉତ୍କଳର ବର୍ତ୍ତମାନ ଉତ୍କଳରୂପ ନିର୍ଜୀବ, ମ୍ରିୟମାଣ କୁକ୍ଷୀମ୍ଭରି ନଥିଲା, ସେତେବେଳେ ଉତ୍କଳର ପ୍ରତ୍ୟେକ ଗ୍ରାମ, ନଗର, ପର୍ବତ, ପ୍ରାନ୍ତର ଓ ଅରଣ୍ୟ ରଣୋନ୍ମତ୍ତ ସୈନ୍ୟ ଓ ସୁଦୃଢ଼ ଦୁର୍ଗଦ୍ୱାରା ପରିପୂର୍ଣ୍ଣ ଥିଲା । ‘‘୧୫। ସେତେବେଳେ ଫକୀରମୋହନଙ୍କ ମନ୍ତବ୍ୟର ସତ୍ୟତା ସମ୍ପର୍କରେ ସୃଷ୍ଟ ଧାରଣା ହୁଏ । କୃପାସିନ୍ଧୁଙ୍କ କାବ୍ୟିକ ଶୈଳୀର ନମୁନା ଏହି ଉଦାହରଣରୁ ମିଳିଥାଏ । ସେ ଇତିହାସର ନୀରସ ତଥ୍ୟକୁ ନେଇ ଗଦ୍ୟରଚନା କରିଥାଇପାରନ୍ତି, କିନ୍ତୁ ତା ଭିତରେ ଲେଖକଙ୍କର କବିତ୍ଵପୂର୍ଣ ସାହିତ୍ୟିକ ରସ ପିପାସା ଅଦମ୍ୟ ଭାବରେ ଆତ୍ମଗୋପନ କରିଛି, ଏହା ଯେ କେହି ପାଠକ ସ୍ୱୀକାର କରିବେ । କୃପାସିନ୍ଧୁଙ୍କର ଗଦ୍ୟ ସାହିତ୍ୟର ପୃଷ୍ଠଭୂମି ଇତିହାସ ହେଲେ ହେଁ ଦର୍ଶନ ଏହାର ପ୍ରାଣ । ଗୋଟିଏ ନିର୍ଜୀବ ଦୁର୍ଗର ଇତିହାସ ରଚନା / ଆଲୋଚନା କରିବାକୁ ଯିବାପୂର୍ବରୁ ଭାରତୀୟ ଦର୍ଶନ ସମ୍ପର୍କରେ ସେ ଯେଉଁ ଚେତାବନୀ ଶୁଣାଇଛନ୍ତି, ତାହା ବେଶ୍ ହୃଦ୍ୟ । “xxx କେବଳ ପାରତ୍ରିକତାରେ ତନ୍ମୟ ହୋଇ ଭାରତୀୟ ଆର୍ଯ୍ୟମାନେ ଐତିହକତାକୁ ଏକାବେଳକେ ହେୟଜ୍ଞାନ କରୁଥିଲେ । ସମସ୍ତ ଜଗତ୍ ଦୁଃଖମୟ, ମାୟାଜାଲ ବିଜଡ଼ିତ ଓ ଅସତ୍ ଏବଂ କେବଳ ବ୍ରହ୍ମା ହିଁ ସତ୍, ଚିରାନନ୍ଦମୟ- ଏହି ବିଶ୍ୱାସ ଦାର୍ଶନିକ ଯୁକ୍ତିରେ ଅସିଦ୍ଧ ହେଉପଛକେ, ଭାରତୀୟ ପ୍ରାଣରେ ଏହାର ପ୍ରଭାବ ଅତ୍ୟକ । ସର୍ବଦା ପରିବର୍ତ୍ତନଶୀଳ, ଶାନ୍ତ, ଉପାଧିବିଶିଷ୍ଟ ଜଗତକୁ ‘ଚିର ହାହାମୟ’ ଉପଲବଧି କରି, ସନାତନ, ଅନନ୍ତ ନିର୍ଗୁଣ ବ୍ରହ୍ମଙ୍କଠାରେ ଆତ୍ମସମର୍ପଣ କରିବା ଭାରତବାସୀଙ୍କ ଜୀବନର କାର୍ଯ୍ୟ । ସଂସାର ମାୟାମୟ, ସଂସାରୀର ପ୍ରାଣ ମାୟାଜାଲ ବିଜଡ଼ିତ, ଅତଏବ ମୁଁ ସଂସାରରେ ଥାଇ ସୁଦ୍ଧା କିପରି ଏହି ସର୍ବବ୍ୟାପୀ ମାୟାଜାଲରୁ ବିମୁକ୍ତ ହୋଇ ନିର୍ମାୟା ପୁରୁଷଙ୍କୁ ସ୍ୱ ଚକ୍ଷୁରେ ଦେଖିପାରିବି, କିପରି ତାହାଙ୍କ ବିଭୁତି ତେଜ ଅନୁଭବ କରି ତତ୍‍ପ୍ରଦର୍ଶିତ ପଥରେ ଅଗ୍ରସର ହୋଇ ଆତ୍ମାର ସଦ୍‌ଗତି ବିଧାନ କରିପାରିବି- ଏହି ପିପାସା ଯାହାର ପ୍ରାଣ ବ୍ୟାକୁଳ କରୁଅଛି, ତା’ର ଅସାର ସାଂସାରିକ ବିଷୟରେ ବିତୃଷ୍ଣା ହେବା ସ୍ୱାଭାବିକ ।’’ ୧୬ ଗୋଟାଏ ଦୁର୍ଗର ଜୀବନୀ ରଚନା କରିବାକୁ ଯାଇ ଯେଉଁଭଳି ଭାବରେ ଜୀବନ ସମ୍ପର୍କିତ ଅବବୋଧ ପ୍ରକାଶିତ, ତାହା ଭାବିଲେ ପାଠକ ସ୍ତମ୍ଭୀଭୂତ ନ ହୋଇ ରହିପାରେ ନାହିଁ । ଭାରତୀୟ ଦର୍ଶନ ଭିତରେ ଇତିହାସକୁ କ୍ରମଶଃ ଅନ୍ତର୍ଭୁକ୍ତ କରାଇ ବିଷୟବସ୍ତୁର ଆରମ୍ଭ କରାଯାଇଛି ଏହି ଅଭିନବଶୈଳୀରେ-

 

୧୪)

ମିଶ୍ର କୃପାସିନ୍ଧୁ / ବାରବାଟୀ ଦୁର୍ଗ / କଟକ ଟ୍ରେଡିଂ କମ୍ପାନୀ, କଟକ – ୨/୧୯୬୪ ମୁଖବନ୍ଧ

୧୫)

ବାରବାଟୀ ଦୁର୍ଗ / ପୃ. ୪୪

୧୬)

ବାରବାଟୀ ଦୁର୍ଗ / ପୃ ୧

 

ବାରବାଟୀର ଇତିହାସ କହିବାକୁ ଯାଇ ଲେଖକ ବର୍ଣ୍ଣନାତ୍ମକ ଗଦ୍ୟଶୈଳୀର ଆଶ୍ରୟ ନେଇଛନ୍ତି । “ଏହି ବାରବାଟୀ ଉତ୍କଳ ଇତିହାସର ପ୍ରଧାନ ରଙ୍ଗସ୍ଥଳୀ ଥିଲା । ଉତ୍କଳର କେତେ କେତେ ନରପତି ଏହାରି କୋଳରେ ଆଶ୍ରୟ ନେଇ ଲାଳିତ ପାଳିତ ଏବଂ କେତେକେତେ ବିରାଟ ଘଟଣା ଏହାରି ପାର୍ଶ୍ୱରେ ସଂଘଟିତ ହୋଇ ଓଡ଼ିଆ ଜାତିର ମହତ୍ତ୍ୱ ଭାରତ ଇତିହାସରେ ଟେକ ରଖିଅଛି । ଉତ୍କଳର ଭାଗ୍ୟଶ୍ରୀ ଏହି ବାରବାଟୀ ଦୁର୍ଗ ଉପରେ ବହୁକାଳ ପର୍ଯ୍ୟନ୍ତ ନିର୍ଭର କରିଥିଲା-। XXX ଏହି ବାରବାଟୀ ଉତ୍କଳ ନରପତିମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ, ସର୍ପର ମଣି ଏବଂ ସ୍ଵର୍ଗର ପାରିଜାତ ସଦୃଶ ଥିଲା । ଏହି ବାରବାଟୀ ହିଁ ଉତ୍କଳ ଏବଂ ଏହି ବାରବାଟୀ ଦୁର୍ଗର ଇତିହାସ ହିଁ ଉତ୍କଳର ଇତିହାସ । “।୧୭। ଏହି ବର୍ଣ୍ଣନା ଭିତରେ ଲେଖକଙ୍କର ଆବେଗ ସଞ୍ଚାରୀ ଭାବଟି ମଧ୍ୟ ଆତ୍ମଗୋପନ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଇତିହାସର ନୀରସ ତଥ୍ୟ ଭିତରେ ସାହିତ୍ୟିକ ରସପିପାସା ଜାଗ୍ରତ ପାଇଁ ମଧ୍ୟ ଉଦ୍ୟମ କରାଯାଇଛି । ବର୍ଣ୍ଣନା ସେଇଥିପାଇଁ ଉଚ୍ଚକୋଟୀର ଓ ଶ୍ରୁତିସୁଖକର ମଧ୍ୟ । ଲେଖକଙ୍କର ଆଳଙ୍କାରିକ ଛଟା ମଧ୍ୟ ଏଥିରେ ପ୍ରତୀୟମାନ ହୁଏ ।

 

‘ବାରବାଟୀ ଦୁର୍ଗ’ ପରି ତଥ୍ୟସମ୍ବଳିତ ଗ୍ରନ୍ଥ ‘କୋଣାର୍କ’ରେ ମଧ୍ୟ ଗଦ୍ୟ ଶୈଳୀର ବିଭିନ୍ନ ନମୁନା ଦେଖବାକୁ ମିଳିଥାଏ । ‘କୋଣାର୍କ ଏକ ଉଚ୍ଚକୋଟୀର ପ୍ରବନ୍ଧ । ଯଦି ପ୍ରବନ୍ଧକୁ କୌଣସି ବିଷୟରେ ସଂହତିପୂର୍ଣ୍ଣ ଯୁକ୍ତିନିଷ୍ଠ ଗଦ୍ୟ ଭାବରେ ଗ୍ରହଣ କରାଯାଏ, ସେ ଦୃଷ୍ଟିରୁ କୋଣାର୍କ ଯେ ସାର୍ଥକ ପ୍ରବନ୍ଧ ଏଥିରେ ସନ୍ଦେହ ନାହିଁ । ଉଚ୍ଚକୋଟିର ବର୍ଣ୍ଣନାଶୈଳୀ ସହିତ ଭାବବସ୍ତୁର ଅପୂର୍ବ ମିଶ୍ରଣ ଯୋଗୁ ଗ୍ରନ୍ଥଟି ସୁଖପାଠ୍ୟ ଓ ସରସ ହୋଇପାରିଛି । ଆଧୁନିକ ଓଡ଼ିଆ ଗଦ୍ୟର ଏକ ମାର୍ଜିତ ଶୈଳୀ ଗ୍ରନ୍ଥର ଆମୂଳାନ୍ତ ଲକ୍ଷ୍ୟ କରାଯାଏ । ପ୍ରବନ୍ଧ ଭିତରେ ପ୍ରାବନ୍ଧିକଙ୍କର ସତ୍ୟସନ୍ଧ ଦୃଷ୍ଟି ନିହିତ । ‘କୋଣାର୍କ’ରେ ସେହି ବାସ୍ତବ ସତ୍ୟର ଅପଳାପ କରାଯାଇ ନାହିଁ । ଗ୍ରନ୍ଥରେ କୁହାଯାଇଛି- “କେତେ ଜ୍ଞାନ ଓ ଅନୁଭବ, କେତେ ହସ୍ତପାଟବ କୋଣାର୍କର ସର୍ବାଙ୍ଗ ମଣ୍ଡନ କରିଅଛି । ଇତିହାସର କେତେ ମଧୁମୟ ଘଟଣା, ଓଡ଼ିଆ ଜାତୀୟ ଜୀବନର କେତେ ଆଶ୍ଚର୍ଯ୍ୟ କାହାଣୀ କୋଣାର୍କର ପ୍ରତ୍ୟେକ ଶିଳାଖଣ୍ଡରେ ଲିପିବଦ୍ଧ ହୋଇଅଛି । ପ୍ରତ୍ୟେକ ଲତାପତ୍ର ଯେପରି କଳାବିଦ୍ୟାର ତାବତୀୟ ଐତିହାସିକ ତତ୍ତ୍ୱଜିଜ୍ଞାସା ଦର୍ଶକ ମନରେ ଜନ୍ମାଏ, ପ୍ରତ୍ୟେକ ନରରୂପ ସେହି ପରି ମାନବ ହୃଦୟର ଅପାର ଭାବତରଙ୍ଗ ସମ୍ମୁଖରେ ଖେଳାଇ ଦିଏ । ପୁଣି ସମୁଦାୟ ମନ୍ଦିର ଓ ପ୍ରକାଣ୍ଡ ଶିଳାରାଶି ପର୍ବତ ସମାନ ମାଡ଼ିଆସି ଦର୍ଶକର ସମସ୍ତ ଚିନ୍ତା ଓ ଜ୍ଞାନ ଅପହରଣ କରିନିଏ । XXX ପବିତ୍ର ଶିଳାଖଣ୍ଡରେ ଅତି ଦିବ୍ୟ ବପୁରେ ଦର୍ଶକ ସମ୍ମୁଖରେ ବିରାଜିତ ରହିଅଛନ୍ତି ।୧୮। ଏହା ପାଠକଲେ ମନେହୁଏ କୋଣାର୍କର ବାରଶତ ଶିଳ୍ପୀଙ୍କ କଳ୍ପନା ଭିତରେ କୃପାସିନ୍ଧୁ ଏକାନ୍ତ ହୋଇଯାଇଛନ୍ତି । ବର୍ଣ୍ଣନାତ୍ମକ ଏହି ଗଦ୍ୟ ଭିତରେ ଭାଷାର ଏକ ନିଖୁଣ ପରିପାଟୀ । ଜୀବନ୍ତ ହୋଇ ପାଠକ ସମ୍ମୁଖରେ ପ୍ରତିଭାତ ହୁଏ । ଇତିହାସର ନୀରସ ତଥ୍ୟ ଭିତରେ ସାହିତ୍ୟ ରସ ଖୋଜିବା ପାଇଁ ପାଠକକୁ ନିରାଶ ହେବାକୁ ପଡ଼େ ନାହିଁ- ତତ୍କାଳୀନ ସମାଜର ବାସ୍ତବଚିତ୍ର ପ୍ରଦର୍ଶନ କରିବାରେ ଫକୀରମୋହନ : ଜଣେ ସଫଳ ରୂପକାର । ତାଙ୍କ ଗଦ୍ୟ ଭିତରେ ନା ଅଛି କଳ୍ପନାର ଅତିରଞ୍ଜନ ନା ପାଠକକୁ ନୈରାଶ୍ୟର ଅତଳ ଗହ୍ୱରକୁ ଠେଲି ଦେବାର ଭାବଟିକକ । ଅନୁରୂପ ଭାବରେ ସଂସ୍କୃତିର ରୂପକାର କୃପାସିନ୍ଧୁ ଶିଳ୍ପୀର କାରିଗରୀ କୌଶଳ ଭିତରେ ନିଜର କାରିଗରୀ କୌଶଳ ରୂପାୟିତ କରିଛନ୍ତି । ଫକୀରମୋହନଙ୍କ ଭାଷାରେ– “ଚିରକାଳ ସମାନ ଯାଏନାହିଁ । ସଂସାରର ସମସ୍ତ ବସ୍ତୁ ଅନିତ୍ୟ, ଯେପରି ଶୁକ୍ଲ ଓ କୃଷ୍ଣପକ୍ଷର ପରିବର୍ତ୍ତନ ହୁଏ, ସୁଖ ଦୁଃଖ ମଧ୍ୟ ତଦ୍ରୂପ । ‘ଚକ୍ରବତ୍ ପରିଭ୍ରମନ୍ତି ଦୁଃଖାନି ଚ ସୁଖାନି ଚ’ କାହା ଅଦୃଷ୍ଟିରେ କେତେବେଳେ କି ଘଟିବ ତାହା କିଏ କହିପାରେ । xxx ମନୁଷ୍ୟମାନେ କି ଅପରିଣାମଦର୍ଶୀ ସଂସାରର ଭାବଗତି ଜାଣିମଧ୍ୟ କୁକର୍ମରେ ପ୍ରବୃତ୍ତ ହେଉଅଛନ୍ତି । ଏହାଠାରୁ ଆଉ କି ଆଶ୍ଚର୍ଯ୍ୟ ହୋଇପାରେ ?’’ ।୧୯। ଫକୀରମୋହନଙ୍କ ବାସ୍ତବତା କୃପାସିନ୍ଧୁଙ୍କ ପରି ଜଣେ ଇତିହାସ ସଚେତନ ସ୍ରଷ୍ଟାଙ୍କ ଠାରେ ପରିଲକ୍ଷିତ ହୋଇଥାଏ ।

 

୧୭)

ତତ୍ରୈବ / ପୃ ୧୪ – ୧୫

୧୮)

କୋଣାର୍କ / ତ୍ରୟୋଦଶ ଅଧ୍ୟାୟ । ପୃ ୨୫୪

 

‘କୋଣାର୍କ’ର ଭାଷାଶୈଳୀ ସମ୍ବନ୍ଧରେ ମତ ଦେବାକୁ ଯାଇ ଗ୍ରନ୍ଥର ମୁଖବନ୍ଧରେ କୁହାଯାଇଛି – “ଯେପରି ସରସ ଓ ସରଳ ଖାଦ୍ୟ ରସନେନ୍ଦ୍ରିୟ ତୃପ୍ତି ସାଧନ କରି ଶରୀରର ପୁଷ୍ଟି ବିଧାୟକ ହୁଏ, ସେହିପରି ସରଳ ଓ ସରସ ଲେଖା ଶ୍ରବଣେନ୍ଦ୍ରିୟର ତୃପ୍ତି ସାଧନାନ୍ତର ଜ୍ଞାନର ପୁଷ୍ଟିସାଧନ କରେ । ଗ୍ରନ୍ଥରେ ଏହି ଉଭୟ ଗୁଣର ସମାବେଶ ଦେଖି ମୁଁ ସାତିଶୟ ଆପ୍ୟାୟିତ ହୋଇଅଛି । xxxସ୍ଥାନେ ସ୍ଥାନେ ଏତେକଥା ସରଳ ଓ ସରସ ଭାବରେ କହି ପକାଇ ଅଛନ୍ତି ଯେ, ତାହାଙ୍କୁ ଜଣେ ବାଗ୍ମୀ ବୋଲି ପାଠକମଣ୍ଡଳୀ ମନେକରି ପାରିବେ । ସ୍ତୁଳତଃ ଗ୍ରନ୍ଥର ଭାଷା ଯେପରି ସରଳ, ସେହିପରି ମଧୁର ହୋଇଅଛି ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଉତ୍କଳରେ ଏହା ଏକ ଅଦ୍ୱିତୀୟ ଓ ପରମ ଆଦରଣୀୟ ଗ୍ରନ୍ଥ ବୋଲି ପରିଗୃହୀତ ହେବ’’ ।୨୦। କୃପାସିନ୍ଧୁ ବ୍ୟାଖ୍ୟାତ୍ମକ ଗଦ୍ୟଶୈଳୀର ସ୍ରଷ୍ଟାଭାବରେ ସଫଳତା ଅର୍ଜନ କରିଛନ୍ତି । ଏହା ତାଙ୍କ ଗ୍ରନ୍ଥଗୁଡ଼ିକରେ ବିଶେଷ ଭାବରେ ଦେଖିବାକୁ ମିଳେ । ନିମ୍ନରେ ଏହାର ଏକ ଉଦାହରଣ ପ୍ରଦତ୍ତ ହେଲା । “xxx ତେବେ ସପ୍ତାଶ୍ଵକୁ ସପ୍ତଗ୍ରହ ଅପେକ୍ଷା ସପ୍ତ ମୌଳିକ ବର୍ଣ୍ଣ ମନେକରିବା ଅଧିକ ସଙ୍ଗତ ବୋଧ ହେଉଅଛି; କାରଣ କୌଣସି କୌଣସି ସ୍ଥାନରେ ମଧ୍ୟ ଉଲ୍ଲେଖ ଅଛି ଯେ, ସୂର୍ଯ୍ୟଙ୍କ ରଥରେ ଗୋଟିଏ ମାତ୍ର ଶୁଭ ଅଂଶ ଏବଂ ତାହାର ସାତୋଟି ମସ୍ତକ । ପୁଣି ଅଶ୍ୱ ଓ ରଶ୍ମି ଏକ ‘ଅଶ୍’ ଧାତୁରୁ ନିଷ୍ପନ୍ନ ହୋଇଅଛି । ‘ଅଶ୍’ ଧାତୁର ଅର୍ଥ ବ୍ୟାପିବା । ଏହା ସ୍ପଷ୍ଟ ଭାବରେ ବୁଝାଇ ଦେଉଅଛି ଯେ, ଶୁକ୍ଳ ଆଲୋକର ସପ୍ତ ମୌଳିକ ବର୍ଣ୍ଣ ପ୍ରକାଶ କରିବା ନିମନ୍ତେ ସୂର୍ଯ୍ୟଙ୍କ ରଥରେ ଅଶ୍ଵର କଳ୍ପନା କରାଯାଇଛି । ସୁତରାଂ ଉପରୋକ୍ତ ସପ୍ତାଶ୍ଵକୁ ସପ୍ତଗ୍ରହ ଅପେକ୍ଷା ସୂର୍ଯ୍ୟକିରଣରେ ମିଶ୍ରିତ ସପ୍ତ ମୌଳିକ ବର୍ଣ୍ଣ ଧରିବା ଅଧିକ ସମୀଚୀନ ବୋଧହୁଏ ।’’ ।୨୧। ଏହି ବର୍ଣ୍ଣନାରୁ କୃପାସିନ୍ଧୁଙ୍କର ମୌଳିକ ଚିନ୍ତାସହ ମନୀଷାର ପରିଚୟ ମିଳିଥାଏ । ଗୋପବନ୍ଧୁ, ନୀଳକଣ୍ଠ ପ୍ରଭୃତି ତାଙ୍କର ସହକର୍ମୀମାନଙ୍କ ଲେଖାରେ ଗଦ୍ୟର ଏହି ନିଚ୍ଛକ ବାସ୍ତବ ବର୍ଣ୍ଣନା ଛାପ ରହିଛି । ପୂର୍ବରୁ କୁହାଯାଇଛି ସତ୍ୟବାଦୀ ଗୋଷ୍ଠୀ ଉଗ୍ର ଜାତୀୟବାଦର ପ୍ରବକ୍ତା । କୃପାସିନ୍ଧୁ ଯେଉଁଦିଗଟି ବାଛି ନେଇଛନ୍ତି ସେଥିରେ ଗୋପବନ୍ଧୁଙ୍କର ପ୍ରେରଣାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କୋଣାର୍କ ଗୋଟାଏ ଜାତିର ଇତିହାସର କଥା କହେ । ସେହି ଅତୀତକୁ ନିଜ ଭାଷାର ମୌଳିକତା ଓ ପ୍ରଜ୍ଞାର ‘ପ୍ରଲେପ ଦେଇ ବାସ୍ତବମୁଖୀ କରାଇଛନ୍ତି ଜାତିପ୍ରାଣରେ ନବତେଜ ଓ ନବ ଉନ୍ମାଦନା ଭରିଦେବାପାଇଁ । ସେହିଭଳି ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତିସବୁକୁ କେତେକ ଅଶ୍ଳୀଳ କହୁଥିବାବେଳେ କୃପାସିନ୍ଧୁ ତାହା ସ୍ୱୀକାର କରିନାହାନ୍ତି । ସେଥିପାଇଁ ସେ ଦାର୍ଶନିକମାନଙ୍କ ମତ (ପ୍ଲେଟୋ ଏପିଟିଟସ୍, ଡକ୍ଟର ବ୍ଲକ୍ ପ୍ରଭୃତି) ଉଦ୍ଧାର କରି ପ୍ରମାଣ କରାଇଛନ୍ତି ଏସବୁ ଭିତରେ ଆଧ୍ୟାତ୍ମିକତାର ପ୍ରଭାବ ରହିଛି, କିନ୍ତୁ ତାହା ଅଶ୍ଳୀଳ ନୁହେଁ । ଏସବୁକୁ ଯଥେଷ୍ଟ ସତର୍କତାର ସହିତ ବର୍ଣ୍ଣନା କରିଛନ୍ତି ପାଠକମାନଙ୍କର ଅବବୋଧ ନିମନ୍ତେ । ସେହି ବର୍ଣ୍ଣନା ଭିତରେ ଆତ୍ମୀୟତା ଆତ୍ମଗୋପନ କରିଥିବାର ଅନୁଭବ ହୁଏ । “ଉକୃଷ୍ଟ ଶିଳ୍ପ ନିମନ୍ତେ ଶିଳ୍ପୀର ଭାବାବେଗ ହେବା ସ୍ଵାଭାବିକ । ଭଗବଦ୍‍ଭାବରେ ଅନୁପ୍ରାଣିତ ହୋଇ ଶିଳ୍ପୀ ଆପଣାକୁ ବର୍ତ୍ତମାନତାର ବହୁଦୂରରେ ସ୍ଥାପନ କରେ । ସୁତରାଂ ମାନବ ଜୀବନର କୌଣସି ବିଶିଷ୍ଟ କାର୍ଯ୍ୟ ସାଧାରଣଙ୍କୁ ଅଶ୍ଳୀଳ ବୋଧ ହେଲେ ସୁଦ୍ଧା ଦେବଭାବାପନ୍ନ ଶିଳ୍ପୀ ପକ୍ଷରେ ତାର ପ୍ରକଟନ ଅନ୍ୟାନ୍ୟ କାର୍ଯ୍ୟ ସାଧାରଣ ପରି ସମାନ ପବିତ୍ର ଓ ପ୍ରୀତିପଦ ବୋଧହୁଏ । ଏହି ଭାବ ଶିଳ୍ପୀ ପକ୍ଷରେ କଳା ପ୍ରବଣତାର ଚରମ ଅବସ୍ଥା ଏବଂ ଏହାକୁ ଉପେକ୍ଷା କଲେ ଶିଳ୍ପ ପୂର୍ଣ୍ଣତା ପାଇଥିବାର କଦାପି କୁହାଯାଇ ନ ପାରେ ।’’ ୨୨ କୃପାସିନ୍ଧୁଙ୍କର ଏହି ବର୍ଣ୍ଣନା ପାଠ କଲେ ତାହା କେତେ ବୌଦ୍ଧିକତା ସମ୍ପନ୍ନ, ସହଜରେ ଅନୁମିତ ହୁଏ । ଭାଷାର ମାର୍ଜିତ ପରିପାଟୀ ଭିତରେ ଭାବର ମୌଳିକ ପରିବେଷଣ ଶୈଳୀ ପାଠକକୁ ଅଭିଭୂତ କରିଥାଏ । ସ୍ରଷ୍ଟାମାତ୍ରେ ସୌନ୍ଦର୍ଯ୍ୟପିପାସୁ । କୃପାସିନ୍ଧୁଙ୍କର ସୌନ୍ଦର୍ଯ୍ୟପିପାସୁ ମନୋବୃତ୍ତିଟି ପାଠକ / ଦର୍ଶକମାନଙ୍କର ସେହି ସେହି ଚିତ୍ତବୃତ୍ତି ଭିତରେ ଅବସ୍ଥାନ କରି ସନ୍ମାର୍ଗଗାମୀ କରାଏ । କୃପାସିନ୍ଧୁଙ୍କର ଗଦ୍ୟ ପାଠ କଲେ ମନେହୁଏ ସେ ଯେପରି ଜଣେ ଦକ୍ଷ ବିଚାରକର ଆସନରେ ଆସୀନ । ପାଠକଙ୍କର ଅବବୋଧ ନିମନ୍ତେ ସେ ବିଚାରଶୀଳ ମନ୍ତବ୍ୟମାନ ପ୍ରଦାନ କରିଛନ୍ତି ।

 

୧୯)

ସେନାପତି ଫକୀର ମୋହନ / ଭାରତବର୍ଷର ଇତିହାସ, ୨ୟ ଭାଗ ୧୮୭୦ / ପୃ ୧୧୬

୨୦)

କୋଣାର୍କ / ମୁଖବନ୍ଧ (ଶ୍ରୀ ମଧୁସୂଦନ ଦାଶ) ପୃ. ତ

୨୧)

କୋଣାର୍କ / ପୃ ୫୫

 

‘କୋଣାର୍କ ରଚନା ଭିତରେ ଯେଉଁ ପାରିଭାଷିକ ଶବ୍ଦାବଳୀ କୃପାସିନ୍ଧୁ ପ୍ରୟୋଗ କରିଛନ୍ତି, ତାହା ତାଙ୍କ ଶବ୍ଦ ଗୁମ୍ପନ ଚାତୁରୀ ଓ ବୁଦ୍ଧିଦୀପ୍ତ ଭାବର ପ୍ରମାଣଦିଏ । ଓଡ଼ିଆ ଭାଷାରେ ଏସବୁ ପ୍ରାଚୀନ ଶବ୍ଦ ଶୁଣାଯାଏ, ମାତ୍ର ଏବେବି ଆମ୍ଭମାନଙ୍କ ପରି ସାଧାରଣ ପାଠକର ଏସବୁ ହୃଦ୍‍ବୋଧ ହେବା କଠିନ ବ୍ୟାପାର । ଦୀର୍ଘ ପାଞ୍ଚଶହ ବର୍ଷର ଗୋଟିଏ ଶିଳ୍ପ କୌଶଳକୁ ଅବିକଳ ଭାବରେ ରୂପଦାନ କରିବା ଭିତରେ ପ୍ରାବନ୍ଧିକଙ୍କର ଜିଜ୍ଞାସୁ ଶିଳ୍ପୀମନର ପରିଚୟ ମିଳିଥାଏ । ଅନୀକିଳୀ, ବରାଣ୍ଡି, ବନ୍ଧନା, ବିଡ଼, ପୀଢ଼, ତଳଜଙ୍ଘା, ଶାକର, ଉପାନ, ବିମାନ ଆଦି ଶବ୍ଦ ଭିତରେ ପ୍ରବେଶ କଲାବେଳକୁ ଆଜିର ପାଠକକୁ ଶିଳ୍ପୀର ସାହାଯ୍ୟ ନେବାକୁ ପଡ଼ିଥାଏ । କୃପାସିନ୍ଧୁଙ୍କ ଗଦ୍ୟର ଆଉ ଏକ ବିଶେଷତ୍ୱ ହେଉଛି ଏହା ବେଳେବେଳେ ଉଦ୍‍ବୋଧନଧର୍ମୀ ହୋଇ ଉଠିଛି । ଏକାନ୍ତ ଭାବରେ ଜାତିଗତ ପ୍ରାଣ ଶିଳ୍ପୀ ଭାବରେ ଉଦ୍‍ବୋଧନ ଦେଇଛନ୍ତି ହୀନମନ୍ୟ ଓଡ଼ିଆ ଜାତିକୁ ତାଙ୍କର ‘ବାରବାଟୀ ଦୁର୍ଗ ପ୍ରବନ୍ଧରେ’ । ‘‘ଭାଇ ! ମନରେ ଯଦି ଓଡ଼ିଆ ବୋଲି ଗର୍ବ ଅଛି, ବାହୁରେ ଯଦି ଓଡ଼ିଆ ବଳ ଅଛି ତେବେ ସେ ମନଦ୍ଵାରା ଚାଳିତ ହୋଇ ପରଦ୍ୱାରେ ଭିକ୍ଷା ନିମନ୍ତେ ସେ ବାହୁ ପ୍ରସାର କରନାହିଁ । XXX ଏହି ବାରବାଟୀ ସମ୍ମୁଖରେ ଦଣ୍ଡାୟମାନ ହୋଇ ନୀରବରେ ଆତ୍ମନିର୍ଭରଶୀଳ ହୋଇ ନିଷ୍କାମ କର୍ମ ସାଧନାରେ ପ୍ରତିଜ୍ଞାକର, ତାହାହେଲେ ତୁମେ ପବିତ୍ର ହେବ, ମନ ନିର୍ମଳ ହେବ, ହୃଦୟ ବଜ୍ରସମ କଠିନ ହେବ ।’’ ୨୩ କେବଳ ଐତିହାସିକ ପ୍ରବନ୍ଧରେ ଓଡ଼ିଆ ଜାତିକୁ ଉଦ୍‍ବୋଧନ ଦେଇନାହାନ୍ତି । ସାହିତ୍ୟାଲୋଚନାମୂଳକ ପ୍ରବନ୍ଧ ‘କବିତା’ରେ ମଧ୍ୟ କୃପାସିନ୍ଧୁଙ୍କର ଏହି ପ୍ରକାର ଗଦ୍ୟର ନମୁନା ରହିଛି । “କିନ୍ତୁ ଯାହାହେଉ, କବି । ତୁମ୍ଭେ ସିନା ସମାଜକୁ ଜୀବନ ଦେବ, ସମାଜରୁ ତୁମର ଜୀବନ ପାଇବାର ନାହିଁ । ସମାଜ ତୁମକୁ ଫିଙ୍ଗି ଦେଉ, ତୁମ ପଛରେ କୁହାଟ ମାରୁ, ତୁମ୍ଭର ପୂଜା ନକରୁ, ସମାଧି ପ୍ରତିଷ୍ଠା ନକରୁ, ତୁମ୍ଭେ ଚିରକାଳ ଶ୍ମଶାନବାସୀ ହୁଅ, ଲୋକାଳୟରେ ତୁମ୍ଭର ସ୍ଥାନ ନରହୁ, ତଥାପି ସମସ୍ତ ବାଧାବିଘ୍ନ ଅବହେଳା କରି ତୁମ୍ଭ ଅମର ସଙ୍ଗୀତ ଗାନ କର । XXX ସମୁଦାୟ ପ୍ରକୃତି ତୁମ୍ଭର ବିଳାସ କ୍ଷେତ୍ର- ସମୁଦ୍ର ତୁମର ସ୍ନାନ ତୀର୍ଥ, ତହିଁରେ ବିନା ଶୁଳ୍କରେ ତୁମ୍ଭେ ସ୍ନାନ ଭ୍ରମଣାଦି କରିପାର । ସେଥିପାଇଁ ତୁମକୁ କେହି ଈର୍ଷା କରିବେ ନାହିଁ । ନଦ ନଦୀ ଗିରିବନ ପ୍ରାନ୍ତରାଦି ସମସ୍ତ ତୁମ୍ଭର ।”।୨୪।

 

୨୨)

କୋଣାର୍କ / ଦ୍ୱାଦଶ ଅଧ୍ୟାୟ । ପୃ ୨୨୯

୨୩)

ବାରବାଟୀ ଦୁର୍ଗ / ପୃ ୭୧

 

କୃପାସିନ୍ଧୁ କେତେକ ସ୍ଥଳରେ ତାଙ୍କର ପୂର୍ବଜ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ଶ୍ୟାମସୁନ୍ଦର ରାଜଗୁରୁ, ଜଗବନ୍ଧୁ ସିଂହ, ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ପରି ତତ୍ସମ ଶବ୍ଦ ବହୁଳ ରଚନାରେ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ସାହିତ୍ୟ ଗଦ୍ୟ ହେଉ ବା ପଦ୍ୟ ହେଉ, ପ୍ରାୟତଃ ଥିଲା ସଂସ୍କୃତାନୁସାରୀ । କୃପାସିନ୍ଧୁ ପରମ୍ପରାବାଦୀ ହୋଇଥିବାରୁ ତାଙ୍କ ଭାଷାରେ କେମିତି ଏକ ଓଜସ୍ୱିନୀ ଭାବ ପରିଲକ୍ଷିତ ହୁଏ । ବର୍ଣ୍ଣନା ମଧ୍ୟ ବେଶ୍ କବିତ୍ଵପୂର୍ଣ୍ଣ । “xxx ଯେଉଁଠାରେ ମୁକ୍ତାନିନ୍ଦି ଶିଶିର ବିନ୍ଦୁ ତୃଣରାଜି ଉପରେ ଶୋଭମାନ, ଯେଉଁଠାରେ ଜଳପ୍ରବାହ କଳକଳ ନିନାଦରେ ଅନନ୍ତ ଅଭିମୁଖରେ ଧାବମାନ, ଯେଉଁଠାରେ ପକ୍ଷୀଗଣଙ୍କ ସୁମଧୁର କାକଳୀ ଦଗ୍‍ଧ ପ୍ରାଣ ଶୀତଳ କରେ, ଯେଉଁଠାରେ ସନ୍ଧ୍ୟା ଓ ପ୍ରଭାତକାଳୀନ ଆକାଶର ମାଧୁରିମା ସୃଷ୍ଟି ପ୍ରତିଭାତ ହୁଏ, ଯେଉଁଠାରେ ବିମଳ ନୀଳାକାଶ ଚନ୍ଦ୍ରତାରା ବିମଣ୍ଡିତ ହୋଇ ରଜତ ଜ୍ୟୋସ୍ମାରେ ଚରାଚର ବିଧୌତ କରେ, ଯେଉଁଠାରେ ସ୍ଵର୍ଗୀୟ ସୁଧା ଆହରଣ ଉଦ୍ଦେଶ୍ୟରେ ଦେବଭୁବନ ପ୍ରବେଶ ନିମନ୍ତେ ସୁଗମ ପଥ ବିସ୍ତାରିତ, ସେହିସ୍ଥାନରେ ଆପଣାର ଉପଯୁକ୍ତ ବାସସ୍ଥାନ ନିରୂପଣ କର ।” ।୨୫। ଏହି ପ୍ରକାର ବର୍ଣ୍ଣନାମଧ୍ୟ ପ୍ରବନ୍ଧରେ ଅନ୍ୟତ୍ର ଦେଖବାକୁ ମିଳିଥାଏ । ତାହା ହେଉଛି- “ତାହାହେଲେ ସୁଦ୍ଧା କବିତା ମାଧ୍ୟନ୍ଦିନ ରୌଦ୍ରପୀଡ଼ିତ ଶରୀର ପ୍ରତି ଚନ୍ଦନ-ଭୀଷଣ ଶୈତ୍ୟ ବିଜଡ଼ିତ ଆତ୍ମା ପ୍ରତି ହସନ୍ତୀ, ନିରାଶ ହୃଦୟର ଆଶା, -ସନ୍ଦିଗ୍‍ଧର ବିଶ୍ଵାସ, -ଗ୍ରୀଷ୍ମତପ୍ତ ବାଲୁକାମୟ ମରୁପ୍ରାନ୍ତରର କୁଞ୍ଜବନ, ନିବିଡ଼ ନିର୍ଜନ ଅରଣ୍ୟରେ ସହଚର, ଅନ୍ଧକାର ନିଶୀଥରେ ଜ୍ୟୋତିଷ୍କ, ପଥଭ୍ରଷ୍ଟ ନାବିକର ଧ୍ରୃବତାରା, - ବିରହୀ ପ୍ରେମିକର ପ୍ରେମିକା, ଅନ୍ଧର ଲଗୁଡ଼ି, - ଭକ୍ତର ହରି ।’’ ୨୬। ବାସ୍ତବିକ କୃପାସିନ୍ଧୁଙ୍କର ଏ ପ୍ରକାର ବର୍ଣ୍ଣନା ଯେତିକି ଶିକ୍ଷଣୀୟ, ତାଠାରୁ ବେଶୀ ହୃଦୟକୁ ଦ୍ରବୀଭୂତ କରାଇଥାଏ । କାବ୍ୟିକ ଚମତ୍କାରିତା ସହିତ ଆଳଙ୍କାରିକ ବର୍ଣ୍ଣନା ମଧ୍ୟ ପ୍ରାବନ୍ଧିକଙ୍କ ରଚନାକୁ ବଳିଷ୍ଠ କରିବାରେ ସହାୟତା କରିଛି । ଯେପରି- “ମେଘ ସୂର୍ଯ୍ୟାଲୋକକୁ ନିସ୍ତେଜ କଲାପରି, ଭାରତ ହୃଦୟ ସରୋବରରେ ଜ୍ଞାନପଦ୍ମ ପ୍ରସ୍ଫୁଟିତ ହେଲାପରି, ଗୋଲାପ ପୁଷ୍ପପ୍ରତି ସୁଗନ୍ଧ ଓ ବର୍ଣ୍ଣ ଯାହା, ଜୀବନ ପ୍ରତି କବିତା ତାହା, ନିରାଶାର ଶୁଷ୍କ ତରୁକୁ ଆଶାର ନବପଲ୍ଲବ ଦ୍ୱାରା ପଲ୍ଲବିତ କରିବାର ଶକ୍ତି, ଶୁଷ୍କ ମରୁ ହୃଦୟରେ ଭଗବତ୍ ପ୍ରେମର ଉର୍ବର ଭୂମି ସୃଷ୍ଟି କରିବାର ଶକ୍ତି- ଆଦି ଆଳଙ୍କାରିକ ଖଣ୍ଡବାକ୍ୟର ପ୍ରୟୋଗ ପ୍ରବନ୍ଧକୁ ବେଶ୍ ଉଚ୍ଚକୋଟୀର ଓ ମନୋଜ୍ଞ କରିପାରିଛି । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସାହିତ୍ୟ / ଇତିହାସ / ସଂସ୍କୃତି ଆଦିରେ ଗଭୀର ଅନୁପ୍ରବେଶ ଥିଲା କୃପାସିନ୍ଧୁଙ୍କର । ସେଥିପାଇଁ ତାଙ୍କର ଗଦ୍ୟ ଭିତରେ ବେଳେବେଳେ ସଂସ୍କୃତ ଭାଷା ସାହିତ୍ୟର ଉଦାହରଣ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ତଥା ଇଂରାଜୀ ଭାଷା ସାହିତ୍ୟର ସମାଲୋଚକ, ପାଶ୍ଚାତ୍ୟ ଦାର୍ଶନିକ, ଐତିହାସିକ ଆଦିଙ୍କର ମତ ଉଦ୍ଧାର କରି ରଚନାକୁ ବେଶ୍ ଗବେଷଣାଧର୍ମୀ କରାଇଛନ୍ତି । ପ୍ରତ୍ୟେକ ରଚନା ଭିତରେ ତଥ୍ୟ ଓ ଯୁକ୍ତିକୁ ସେ ଯେଭଳି ଭାବରେ ଗ୍ରହଣ କରିଛନ୍ତି, ତାହା ତାଙ୍କର ଗବେଷଣାତ୍ମକ ମନୋବୃତ୍ତିର ପରିଚୟ ଦିଏ । ଭାବପ୍ରବଣତା, କଳ୍ପନା ବିଳାସ ଅପେକ୍ଷା ବାସ୍ତବତା ତାଙ୍କ ଗଦ୍ୟର ବିଶେଷତ୍ୱ । “ସମୟ ଥିଲା ଯେତେବେଳେ ଭାରତ ସଭ୍ୟତା ନାନା ଦୂର ଦେଶରେ ଆପଣାର ଜ୍ଞାନ ଓ ପ୍ରତିଭା ବିସ୍ତାର କରୁଥିଲା; ପୁଣି ସମୟ ଆସିଲା, ଯେତେବେଳେ ଏହା ସଂକୁଚିତ ହୋଇ ଦେଶ ମଧ୍ୟରେ ସ୍ଥଳବିଶେଷରେ ମାତ୍ର ଆବଦ୍ଧ ରହିଲା । ଏହି ରୂପେ ଆରୋହ ଓ ଅବରୋହ, ସମ୍ପଦ ଓ ବିପଦ ମଧ୍ୟରେ ପଡ଼ି ଭାରତ ଜୀବନ ସ୍ରୋତ ଆବହମାନ କାଳରୁ ନିରବଚ୍ଛିନ୍ନ ଭାବରେ ପ୍ରବାହିତ ହୋଇ ଆସୁଅଛି । ମୁହୂର୍ତ୍ତକ ପାଇଁ ସୁଦ୍ଧା ଏହା ସମ୍ପୂର୍ଣ୍ଣ ନିଶ୍ଚଳ ଜଡ଼ୀଭୂତ ହୋଇଯାଇନାହିଁ । ସୁତରାଂ ଭାରତର ଜାତୀୟ ଇତିହାସ ଲେଖାହୋଇନଥିଲେ ସୁଦ୍ଧା ତାହାର ଇତିହାସ ଅଛି ଓ ଭାରତୀୟ ଜୀବନ ଆପଣାର ଲକ୍ଷ୍ୟ ପ୍ରତି ଅବିଶ୍ରାନ୍ତ ଗତି କରୁଅଛି ।’’ ୨୭

 

୨୪)

କବିତା / ମୁକୁର / ୫ / ୭-୮ ସଂଖ୍ୟା / ପୃ ୨୮୪

୨୫)

କବିତା / ପୃ ୨୮୫

୨୬)

ତତ୍ରୈବ / ପୃ ୨୮୬

 

ଭାରତ ଇତିହାସ ସମ୍ପର୍କିତ ପ୍ରବନ୍ଧ କୃପାସିନ୍ଧୁଙ୍କ ପୂର୍ବସୂରି ବିଶେଷତଃ ଚିନ୍ତାମଣି ଆଚାର୍ଯ୍ୟ, ଜଗବନ୍ଧୁ ସିଂହ, ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ରଚନା କରିଥିଲେ । ସେମାନଙ୍କର ପ୍ରଭାବ କୃପାସିନ୍ଧୁଙ୍କ ଉପରେ ପଡ଼ିଥିବାର ସ୍ପଷ୍ଟ ପ୍ରତୀୟମାନ ହୁଏ । “ଦେଶବାସୀଙ୍କ ପ୍ରାଣରେ ଆତ୍ମଚେତନା ଓ ନବବଳ ସଞ୍ଚାର, ଆତ୍ମପ୍ରତ୍ୟୟ ସୃଷ୍ଟି, ଲଘୁମନ୍ୟତା ଦୂର ଏହି ଇତିହାସ ସୃଷ୍ଟିର ଥିଲା ଲକ୍ଷ୍ୟ । ପୂର୍ବ ପୁରୁଷର ଗୌରବମୟ କାହାଣୀ ସ୍ମରଣ ଉତ୍ତର ପୁରୁଷଙ୍କ ପ୍ରାଣରେ ନବୀନ ସାହସ ସଞ୍ଚାର କରିଥାଏ । ସତ୍ୟବାଦୀ ଲେଖକ ଗୋଷ୍ଠୀର ଅନ୍ୟତମ ଲେଖକ କୃପାସିନ୍ଧୁ ମିଶ୍ର ଓ ସମସାମୟିକ ସ୍ୱଦେଶପ୍ରେମୀ ଗଦ୍ୟଶିଳ୍ପୀ ଜଗବନ୍ଧୁ ସିଂହ ସମ ପ୍ରେରଣାପୁଷ୍ଟ ହୋଇ ଇତିହାସ ଚର୍ଚ୍ଚାରେ ମନୋନିବେଶ କରିଥିଲେ । “।୨୮। ବର୍ଣ୍ଣନାତ୍ମକ ଗଦ୍ୟଶୈଳୀ ଭିତରେ ଲେଖକଙ୍କର ବର୍ଣ୍ଣନାକୁଶଳୀ ହାତର ସ୍ପର୍ଶ ସହିତ ସୁଦୂରପ୍ରସାରୀ ଅନୁଭବ ଶକ୍ତି ପାଠକମାନଙ୍କୁ ଅଭିଭୂତ କରେ । ଇତିହାସର ଘଟଣାକୁ ସାହିତ୍ୟ ରସରେ ଏପରି ରସାଣିତ କରି ଉକୃଷ୍ଟ ଗଦ୍ୟଶିଳ୍ପୀର ସମ୍ମାନରେ ଭୂଷିତ ହେବା କୃପାସିନ୍ଧୁଙ୍କ ପରି କମ୍ ବ୍ୟକ୍ତିଙ୍କ ଭାଗ୍ୟରେ ଯୁଟେ । ବର୍ଣ୍ଣନାତ୍ମକ ଗଦ୍ୟ ପଢୁ ପଢୁ ଜାତୀୟ ଚିନ୍ତାସ୍ରୋତରେ ପାଠକର ମନ ଭାସିଯାଏ ଅନେକ ଦୂରକୁ । ଯେପରି- “ବୃକ୍ଷ ଯେପରି ଏକ ବୀଜରେ ବାହାରି ପୁଣି ସେହିପରି ବୀଜରେ ପରିଣତି ପାଏ, ଏବଂ ମଧ୍ୟରେ କେବଳ ଶାଖା ପତ୍ର ଫୁଲ ଫଳ ଧରି ସବିଶେଷ ଆକାର ଧାରଣ କରେ; ଭାରତ ଜୀବନ ସେହିପରି ଏକ ଅଭିନ୍ନ ଅବସ୍ଥାରୁ ବାହାରି ଏହିସବୁ ବିଦ୍ରୋହ ବିଭିନ୍ନତା ଓ ବୈଦେଶିକ ଆଧିପତ୍ୟ ମଧ୍ୟ ଦେଇ ଶେଷରେ ପୁଣି ଏକ ଅଭିନ୍ନ, ନିର୍ବିଶେଷ ଓ ଅଭେଦ୍ୟ ଜାତୀୟ ଜୀବନରେ ପରିଣତ ହେବ । ବୃକ୍ଷର ଡାଳପତ୍ର ଓ ପୁଷ୍ପ ମଧ୍ୟରେ ଲୋକେ ଯେପରି ପ୍ରାଥମିକ କ୍ଷୁଦ୍ର ବୀଜର ପରିଚୟ ହଠାତ୍ ପାଇପାରନ୍ତି ନାହିଁ; ସେହିପରି ବୈଦେଶିକ ଆକ୍ରମଣ ଓ ଅତ୍ୟାଚାର ମଧ୍ୟରେ ଇତିହାସ ଲେଖକମାନେ ବେଳେ ବେଳେ ଭାରତ ଜାତୀୟ ଜୀବନର ଅସ୍ତିତ୍ୱ ଭୁଲିଯାନ୍ତି ।’’ ୨୯

 

୨୭)

ସତ୍ୟବାଦୀ / ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ବିଧିନିର୍ଦ୍ଦେଶ / ୩ୟ ବର୍ଷ- ୧-୨ ସଂଖ୍ୟା / ପୃ ୨୭

୨୮)

ମିଶ୍ର ନିବାସ / ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟ । ପୃ ୩୨୧ ।

 

କୃପାସିନ୍ଧୁ ଜଣେ ଶିକ୍ଷକ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକର ଆସନରେ ଥାଇ ଛାତ୍ରମାନଙ୍କୁ ଉଦ୍‍ବୋଧନ ଦେବାବେଳେ ଅନେକ ପ୍ରବନ୍ଧ ସେ ରଚନା କରିଛନ୍ତି । ‘ନବ ଯୌବନର ବିପଦ’, ‘ତୁଠପଥର ବା ସହିଷ୍ଣୁତା’, ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’ ଆଦି ବକ୍ତୃତାଧର୍ମୀ । ଉଦ୍‍ବୋଧନଧର୍ମୀ ପ୍ରବନ୍ଧ । ଭାଷାର କ୍ଲିଷ୍ଟତା ପରିହାର କରି ଦୀର୍ଘସମାସ ରହିତ ସ୍ଵଭାବ ସୁଲଭ ଶୈଳୀରେ ଯଥାସମ୍ଭବ ସରଳ ଗଦ୍ୟରୀତି ଅନୁସରଣ କରିଛନ୍ତି । ଛାତ୍ରମାନଙ୍କ ପ୍ରତି କୃପାସିନ୍ଧୁଙ୍କର ଶ୍ରଦ୍ଧା ଅସୀମ । ସେମାନଙ୍କର ନୈତିକ ଜ୍ଞାନର ବିକାଶ ପାଇଁ ସତ୍ୟବାଦୀର ଶିକ୍ଷକ ସମାଜ ଥିଲେ ସର୍ବାଦୌ ଚେଷ୍ଟିତ । ତେଣୁ ସେମାନଙ୍କୁ ଅନେକ ସମୟରେ ସମବେତ କରି ଭାଷଣମାନ ପ୍ରଦତ୍ତ ହେଉଥିଲା । ଏହାଥିଲା ସେମାନଙ୍କ ଶିକ୍ଷାଦାନର ଏକ ଅଂଶବିଶେଷ । କୃପାସିନ୍ଧୁଙ୍କର ଉଦ୍‍ବୋଧନଧର୍ମୀ ଗଦ୍ୟର ନମୁନା ନିମ୍ନରେ ପ୍ରଦତ୍ତ ହେଲା । “ତୁମ୍ଭେ ଜାଣ, ଯେଉଁଠାରେ ପାଣି ଅଳ୍ପ ଥାଏ, ସୁଅ ଧୀରେ ଧୀରେ ବୋହୁଥାଏ । ସେଠାରେ ସାମାନ୍ୟ ଗୋଟିଏ ମାଟିବନ୍ଧ ଦେଲେ ମଧ୍ୟ ପାଣି ଉଗାଳି ହୋଇ ରହିଯାଏ, କିନ୍ତୁ ପାଣି ଯେତେ ବେଶୀ ହୁଏ, ଏବଂ ସୁଅ ଯେତେ ପ୍ରବଳ ହୁଏ, ତାହାକୁ ଉଗାଳିବାକୁ ହେଲେବନ୍ଧ ସେତେ ବଡ଼ ଓ ଶକ୍ତ ହୁଏ । XXX ସେହିପରି ତୁମ୍ଭମାନଙ୍କ ଦେହରେ ବଳ ବା ଶକ୍ତି ବେଶୀ ଅଛି, ତାହାର ବ୍ୟୟ ବଡ଼ ଅଳ୍ପ ହେଉଅଛି । ତୁମ୍ଭମାନଙ୍କର ଯେ ଜ୍ଞାନ ବା ବିବେକ ହୋଇଅଛି ତାହା ତୁମ୍ଭର ସଞ୍ଚିତ ଶକ୍ତିକୁ ସଂଯତ କରି ପରିଚାଳିତ କରିବାରେ ସମର୍ଥ ନୁହେଁ । ସେହି କାରଣରୁ ସେ ଜ୍ଞାନବନ୍ଧ ଭାଙ୍ଗି ତୁମ୍ଭର ଶକ୍ତି ବାହାରି ପଡ଼ୁଛି, ବନ୍ଦ କରିବାକୁ ଯେତେ ବିଚାରିଲେ ସୁଦ୍ଧା ତୁମ୍ଭ ପାରୁନାହିଁ’’ ।୩୦। ଏହା ବ୍ୟତୀତ ଯୌବନକୁ ପ୍ରବଳ ନଦୀସ୍ରୋତ, କୁମ୍ଭାରର କଞ୍ଚାହାଣ୍ଡିର ଦାଗ, ଭୀଷଣ ଶ୍ମଶାନ ସଦୃଶ, ନରକର ନାମାନ୍ତର, ଅପୂର୍ବ ସ୍ୱର୍ଗୀୟ ମାଧୁରୀ ଦ୍ୱାରା ପରିପୂର୍ଣ୍ଣ, ଜୀବନର ସବୁଠାରୁ କଷ୍ଟ ପରୀକ୍ଷାର ସମୟ, ପାତ୍ର ମଧ୍ୟସ୍ଥ ମୁନ୍ଦାଏ ପାଣିର ଆକାର, ଆଦି ବିଭିନ୍ନ ତୁଳନାତ୍ମକ ଉଦାହରଣ ପ୍ରୟୋଗ କରି ପ୍ରବନ୍ଧକୁ ଅପେକ୍ଷାକୃତ ସରଳ ଓ ବୋଧଗମ୍ୟ କରାଇଛନ୍ତି । ନୀଳକଣ୍ଠଙ୍କର ‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା’ ଏହାପରେ ରଚିତ ହେଲେ ହେଁ କୃପାସିନ୍ଧୁଙ୍କ ପ୍ରବନ୍ଧ ପରି ଏହା ବକୃତାଧର୍ମୀ ଓ ସରଳ ଚିନ୍ତାଗର୍ଭକ ନୁହେଁ । ନୀଳକଣ୍ଠଙ୍କର ପ୍ରବନ୍ଧ ସମାସଯୁକ୍ତ ଓ ଅଧିକ ବର୍ଣ୍ଣନାଧର୍ମୀ |

 

୨୯)

ଭାରତ ଇତିହାସରେ ବୈଦେଶିକ ଆକ୍ରମଣ । ପୃ ୩୪ ।

୩୦)

ନବଯୌବନର ବିପଦ / ମୁକୁର / ୧୦ମ ଭାଗ / ୧୧-୧୨ ସଂଖ୍ୟା, ପୃ ୩୨୪

 

ମୟୁରଭଞ୍ଜ ମହାରାଜାଙ୍କ ବିୟୋଗରେ କୃପାସିନ୍ଧୁ ଯେପରି ମର୍ମାହତ ହୋଇଛନ୍ତି, ତାର ନିଛକ ପରିପ୍ରକାଶ ଘଟିଛି ‘ସତେକି’ ପ୍ରବନ୍ଧରେ । ବ୍ୟକ୍ତି ବା ପ୍ରତିଭାର ନିରାଜନା ସହିତ ମାନବାତ୍ମାର ମହତ୍ ଗୁଣାବଳୀର ସଂସ୍ପର୍ଶରେ ଆସିବା ଫଳରେ ଭାବରାଜ୍ୟରେ ଯେଉଁ ପରିବର୍ତ୍ତନ ଦେଖାଦେଇଥାଏ, ସେମାନଙ୍କ ଅବର୍ତ୍ତମାନରେ ଦୁଃଖ ବହୁଗୁଣିତ ହୋଇଯାଏ, ଜୀବନରେ ଶୋକ ବଳିପଡ଼େ । ସେହି ବନ୍ଧୁ ବିଚ୍ଛେଦଜନିତ ଦୁଃଖ କୃପାସିନ୍ଧୁଙ୍କ ମନରେ ଯେପରି ଭାବରେ ରେଖାପାତ କରିଛି, ତାହା ପ୍ରବନ୍ଧର ପ୍ରତିଛତ୍ରରେ ଅନୁଭବ କରିହୁଏ । ଆବେଗପୂର୍ଣ୍ଣ ହୃଦୟରେ ପ୍ରାବନ୍ଧିକ କହିଉଠିଛନ୍ତି – “ଆହେ ପ୍ରକୃତି ଦେବି ! ସତେ କି ତୁମ୍ଭ ମୋ ପ୍ରତି ଏପରି ନିରାଟ ହେଲ ? ତୁମ୍ଭର ସେ ଦିବ୍ୟରୂପ କାହିଁ ? ସେ କମନୀୟ ନୟନ ବିଳାସ କାହିଁ ? ତୁମ୍ଭର କିଶୋର ପାଦପ କାହିଁ ? ସେ ତ ନବନୀତ କିଶଳୟ ବିଭୂଷିତ ଶାଖା ବିସ୍ତାର କରି କେତେ ଉଦ୍‍ଭ୍ରାନ୍ତ ରୌଦ୍ରତପ୍ତ ପଥିକମାନଙ୍କର ଦଗ୍‍ଧ କଳେବର ସୁଶୀତଳ କରୁଥିଲା, ତାହାର ତ ସୁଶ୍ୟାମଳ ପଲ୍ଲବ କେତେ କେତେ କ୍ଲିଷ୍ଟ ନୟନରେ ଅଞ୍ଜନ ଦାନ କରୁଥିଲା, ତାହର ତ ହୃଦୟ ରଞ୍ଜନ ଫଳପୁଷ୍ପରେ କେତେ ପ୍ରାଣ ଆଶ୍ୱସ୍ତ ହେଉଥିଲା । ତୁମ୍ଭର ସେ ଦିବ୍ୟ ସୌନ୍ଦର୍ଯ୍ୟ, ସେ କିଶୋର ପାଦପ କାହିଁ ?” ।୩୧। ପ୍ରବନ୍ଧର ପ୍ରତିଛତ୍ରରେ ଆବେଗାତ୍ମକ ଗଦ୍ୟର ନମୁନା ପରିଦୃଷ୍ଟ ହୁଏ । ଏଥି ସହିତ ଉପମାଧର୍ମୀ ଅନେକ ଖଣ୍ଡବାକ୍ୟ ରହିଛି ମନର ଭାବ ପ୍ରକାଶ ପାଇଁ । ଯେପରି-କିଶୋର ପାଦପ, ଉତ୍କଳ-ଅଜ୍ଞାନତମଧ୍ୱଂସକାରୀ ନବୋଦିତ ଦିନମଣି, ତାମସଜଡ଼ିତ ହୃଦୟ, ବାଳରବି ରାହୁଗ୍ରାସରେ ପଡ଼ିବା, ଅଜ୍ଞାନ ଅନ୍ଧକାରରେ ଲଉଡ଼ି, ଆଶା ପଦ୍ମବନ ନଷ୍ଟ, ସର୍ପର ମଣି ସ୍ଵର୍ଗର ପାରିଜାତ, ଦ୍ୱେଷ -ବହ୍ନି ଆଦି ଅନେକ ରୂପକାତ୍ମକ ଶବ୍ଦ ବ୍ୟବହାର ଦ୍ୱାରା ପ୍ରବନ୍ଧକୁ ହୃଦୟଗ୍ରାହୀ ଓ ମନୋରଞ୍ଜକ କରାଇ ଅଛନ୍ତି ।

 

ପାଠକମାନଙ୍କର ଅର୍ଥାବଗତି ନିମନ୍ତେ ଅନେକ ସ୍ଥାନରେ ପ୍ରଥମ ପୁରୁଷରେ ପ୍ରବନ୍ଧ ରଚନା କରିଛନ୍ତି । ଯେତେବେଳେ ଲେଖକ ତା’ର ମନୋଭାବ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରେ, ସାଧାରଣ ଶୈଳୀରେ କହିବା ଅପେକ୍ଷା ନିଜକୁ ଏକ ମାଧ୍ୟମରୂପେ ଗ୍ରହଣ କରି ପାଠକମାନଙ୍କ ସମ୍ମୁଖରେ ଉଭା ହୋଇଥାଏ । ଏହାର ଉଦାହରଣ ଦେଖନ୍ତୁ-“ମୁଁ ଅମୁକ ଏକ ବ୍ୟକ୍ତିବିଶେଷ, କିନ୍ତୁ ଯେତେବେଳେ ମୁଁ ଉତ୍କଳ ସମ୍ମିଳନୀର ବିଶେଷ କିଛି କାର୍ଯ୍ୟ କରୁଅଛି, ସେତେବେଳେ ଉତ୍କଳ ସମ୍ମିଳନୀର ସଭ୍ୟ ନିମନ୍ତେ ମୋ ଉପରେ ଗୋଟିଏ କା’ ଅଛି । ମୁଁ ଗୋଟିଏ ବିଶିଷ୍ଟ ବ୍ୟକ୍ତି ଥିଲାବେଳେ ମୋର ମାନସିକ ଅବସ୍ଥା ଏକ ପ୍ରକାର କିନ୍ତୁ ଉତ୍କଳ ସମ୍ମିଳନୀ ନିମନ୍ତେ ମୋ ଉପରେ ଗୋଟିଏ କା’ ନେବା-ବେଳେ ମୋର ମାନସିକ ଅବସ୍ଥା ଭିନ୍ନ ପ୍ରକାର XXX ।“୩୨।

 

୩୧)

ସତେକି / ମୁକୁର / ଭାଗ ୬/୮-୯ ସଂଖ୍ୟା, ପୃ ୨୦୦

୩୨)

‘ବା / ମୁକୁର / ଭାଗ ୭, ସଂ. ୬/ପୃ ୨୧୩

 

ସମାଜର ସ୍ୱାର୍ଥଚିନ୍ତା ପରିବେଷଣ କରୁ କରୁ ପ୍ରାବନ୍ଧିକ ନିଜ ହୃଦବେଦନା ମଧ୍ୟ ପ୍ରଥମ ପୁରୁଷରେ ବ୍ୟକ୍ତ କରିଛନ୍ତି । ରାଧାନାଥଙ୍କ ଦୁଃଖବାଦୀ ଜୀବନର ଚିତ୍ର ପରୋକ୍ଷ ଭାବରେ ‘ଲୁଚି ଏକାକିନୀ କାହିଁ । XX ଦୁଃଖିନୀ (ମହାଯାତ୍ରା) ପ୍ରକାଶିତ ହେଲାପରି ପ୍ରାବନ୍ଧିକଙ୍କ ଭାବାବେଗ “ମୋତେ କାହିଁକି ମୋର ପ୍ରେମାସ୍ପଦ ବନ୍ଧୁମାନେ କାଳିମାବଦନ ଦେଖାଇ ଅଛନ୍ତି ? ମୁଁ କ’ଣ ପାଗଳ ହେଲି ? ମୋର କାହିଁକି ଏଡ଼େ ମତିଭ୍ରମ ହେଲା ? ନଦୀର ସେ ମଧୁମୟ କଳଧ୍ୱନି ମୋତେ କାହିକି ବିଷମୟ ବୋଧ ହେଉଅଛି ? xxxx ''ପ୍ରଥମ ପୁରୁଷରେ ପ୍ରକାଶିତ ହୋଇଅଛି ।

 

କୃପାସିନ୍ଧୁଙ୍କର ସୃଷ୍ଟିଗୁଡ଼ିକ ଅଧିକାଂଶ ଗବେଷଣାଧର୍ମୀ । ସେଥିପାଇଁ ବୋଧହୁଏ ତାଙ୍କ ପ୍ରବନ୍ଧ ଗୁଡ଼ିକରେ କେତେବେଳେ ସଂସ୍କୃତ ସାହିତ୍ୟରୁ ଉଦାହରଣ ଦେଇ ବୁଝାଇଛନ୍ତି ବା ନିଜ ବକ୍ତବ୍ୟର ସତ୍ୟତା ପ୍ରତିପାଦନ କରିବାକୁ ଚେଷ୍ଟା କରିଅଛନ୍ତି । ପୁଣି କେତେବେଳେ ଇଂରେଜୀ କବି, ନାଟ୍ୟକାର, ଦାର୍ଶନିକ ଓ ସମାଲୋଚକ ପ୍ରଭୃତିଙ୍କ ମତ ଉଦ୍ଧାର କରି ନିଜ ସୃଷ୍ଟିକୁ ପୂର୍ଣ୍ଣଗର୍ଭା କରାଇଛନ୍ତି । ସତ୍ୟବାଦୀର ଲେଖକଗୋଷ୍ଠୀ ପଣ୍ଡିତ, ପ୍ରାଜ୍ଞ, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଦ୍ୟାରେ ପଟୁତା ଅର୍ଜନ କରିଥିଲେ । ତାଙ୍କ ରଚନାରେ ମଧ୍ୟ ସେହିଭଳି ଶୁଦ୍ଧ ମାର୍ଜିତ ଭାଷାର ପ୍ରଭାବ ପରିଲକ୍ଷିତ ହୁଏ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷାପ୍ରଣାଳୀ ମଧ୍ୟ ଥିଲା ଉଚ୍ଚକୋଟୀର । ଶିକ୍ଷାଦାନର ମାଧ୍ୟମ ଥିଲା ଇଂରାଜୀ ଏବଂ ସଂସ୍କୃତ ଭାଷାରୁ ମଧ୍ୟ ଉଦାହରଣ ଦେଇ ସେମାନେ ଛାତ୍ରମାନଙ୍କୁ ବୁଝାଉଥିଲେ, ଏପରିକି ବଙ୍ଗଳା ଭାଷାମଧ୍ୟ ସେମାନଙ୍କ ଶିକ୍ଷାଦାନର ପରିସର ଅନ୍ତର୍ଭୁକ୍ତ ଥିଲା ବୋଲି ତାଙ୍କର ଶ୍ରଦ୍ଧେୟ ଛାତ୍ରଙ୍କ ଠାରୁ ଶୁଣାଯାଏ ।୩୩। ସେଥନିମିତ୍ତ କୃପାସିନ୍ଧୁ ତାଙ୍କ ପ୍ରବନ୍ଧଗୁଡ଼ିକର ଭାବ ବିଶ୍ଳେଷଣ କରିବାକୁ ଯାଇ ଓ ରଚନାକୁ ବଳିଷ୍ଠ କରିବାକୁ ଯାଇ ସଂସ୍କୃତ ଓ ଇଂରାଜୀ ସାହିତ୍ୟରୁ ବହୁ ଉଦାହରଣ ଦେଇଛନ୍ତି । ପ୍ରଥମେ ସଂସ୍କୃତ ଭାଷାର କେତେକ ଉକ୍ତି ଉଦ୍ଧାର କରାଗଲା । “କବିତ୍ଵଂ କବିର୍ବେତ୍ତି, ଇୟଂ ସନ୍ଧ୍ୟା XXXx ନହି ନହି ନହିତ୍ୟବ କୁରୁତେ, ଆଶୀର୍ନମାସ୍କ୍ରିୟା” (କବିତା), ‘ନିୟତ୍ୟା ବାଧ୍ୟତେ ଲୋକଃ, ନିୟତି କେନ ବାଧ୍ୟତେ’ , ‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି X ଶୋଷୟତି ମାରୁତଃ’ (କା), ‘ଚଳତ୍ୟେ କେନ ପାଦେନ, ତିଷ୍ଠତ୍ୟେ କେନ ବୁଦ୍ଧିମାନ’ ଶ୍ରେୟଂସି ବହୁ ବିଘ୍ନନି (ଭାରତ ଇତିହାସରେ ବୈଦେଶିକ ଆକ୍ରମଣ), ମହତୀ ଦେବତା ଜ୍ୟେଷା ନରରୂପେଣ ତିଷ୍ଠତି (ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍‍ଥାନ), ଯତ୍ର ଯୋଗେଶ୍ଵରଃ କୃଷ୍ଣୋ x ଧ୍ରୁବାନୀତି ମିତିମମ । (ସତ୍ୟବାଦୀ ବା ସାକ୍ଷୀଗୋପାଳ /ଯୁଦ୍ଧଧନ), ‘ଛିଦ୍ରେଶ୍ଵନର୍ଥା ବହୁଳୀ ଭବନ୍ତି’ (ବାରବାଟୀ ଦୁର୍ଗ) ଇତ୍ୟାଦି ଅନେକ ସଂସ୍କୃତ ଉଦ୍ଧୃତିମାନ ପ୍ରୟୋଗ କରି ନିଜର ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବଳିଷ୍ଠ ରଚନା ଶୈଳୀର ପରିଚୟ ପ୍ରଦାନ କରିଛନ୍ତି ।

 

ସେହିପରି ଇଂରାଜୀ ଭାଷାର ବହୁ ଉଦାହରଣ ଏହି ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ସର୍ବୋଚ୍ଚ ଡିଗ୍ରୀଧାରୀ । (କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ପାଶ୍ କରିଛନ୍ତି) ପ୍ରାବନ୍ଧିକଙ୍କ ଲେଖାରେ ଦେଖିବାକୁ ମିଳେ | ‘Man proposes God disposes, the Universal history is the history of its greatman, (ଅଦୃଷ୍ଟବାଦ), Necessity is the mother of invention, Sacrifice is the test of love (ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁଥାନ), By God it is in me, and must go forth me, mute nature mourns her whisper and celebrates his obsequies, The most difficult of tasks to keep heights which the soul is competent to gain.' (କବିତା), there is a soul of goodness in things evil, would men observingly distil it out, (ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ବିଧିନିର୍ଦ୍ଦେଶ), Blessed are they that mourn (ସତେକି), Liberty ! without equality there is no liberty; all men are equal (ବାଟବାଟୀ ଦୁର୍ଗ)- ଏବଂ ଆହୁରି ଅନେକ ଦୀର୍ଘ ଉଦ୍ଧୃତି ଇଂରେଜୀ ଭାଷାରୁ ଗ୍ରହଣ କରି ପ୍ରାବନ୍ଧିକ ତାଙ୍କର ପ୍ରବନ୍ଧଗୁଡ଼ିକୁ ପୁଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିଅଛନ୍ତି । କୃପାସିନ୍ଧୁ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ଊଣା ଅଧିକେ ୨ ବା ୩ଟି ଇଂରେଜୀ ଉଦ୍ଧୃତି ଦେଇ ପ୍ରବନ୍ଧଗୁଡ଼ିକୁ ଆପାତଃ ସୁଖପାଠ୍ୟ ଓ ଆଧୁନିକ ରୁଚିଧର୍ମୀ କରାଇ ଅଛନ୍ତି । ଇଂରେଜ ଶାସନର ଏକ ସଙ୍କଟମୟ ଅବସ୍ଥା ପୁଣି ପ୍ରାବନ୍ଧିକ ଜଣେ ଇଂରାଜୀ ଶିକ୍ଷାପ୍ରାପ୍ତ ଉଚ୍ଚକୋଟୀର ଶିକ୍ଷକ- ସେଥିପାଇଁ ଇଂରେଜୀ ଭାଷା ଠାଏ ଠାଏ ପ୍ରାଧାନ୍ୟ ଲାଭ କରିଛି ।

 

୩୩)

ସତ୍ୟବାଦୀର ତତ୍କାଳୀନ ଛାତ୍ର ଡଃ ସଦାଶିବ ମିଶ୍ରଙ୍କ ସହ ସାକ୍ଷାତକାର ବେଳେ (୧୯୮୭, ଜାନୁଆରୀ ୧୮ ତାରିଖ) ଆଲୋଚିକା ଏ ସମସ୍ତ ଶୁଣିଛନ୍ତି ।

 

କୃପାସିନ୍ଧୁ ଜଣେ ଗବେଷକ । ଗବେଷଣା ଦ୍ଵାରା ସତ୍ୟକୁ ପ୍ରମାଣ କରିବାକୁ ତାଙ୍କ ଗଦ୍ୟରେ ସତତ ଚେଷ୍ଟିତ । ସେଥିପାଇଁ ତାଙ୍କ ଗଦ୍ୟ ଯୁକ୍ତିମୂଳକ । ଯୁକ୍ତିଦ୍ୱାରା ବିଭିନ୍ନ ସମାଲୋଚକ-। ଗବେଷକ ଓ ଆଲୋଚକଙ୍କର ମତର ଖଣ୍ଡନ ମଣ୍ଡନ କରି ନିଜ ଗଦ୍ୟକୁ ବଳିଷ୍ଠ ଓ ଯୁକ୍ତିନିଷ୍ଠ କରିପାରିଛନ୍ତି । ‘କୋଣାର୍କ’ ଗ୍ରନ୍ଥରେ କୋଣାର୍କ ମନ୍ଦିରର ନିର୍ମାଣ କୌଶଳ ପ୍ରସଙ୍ଗରେ ଏମ୍. ଏଇଚ. ଆର୍ଣ୍ଣଟଙ୍କର ଯୁକ୍ତି ହେଉଛି ମନ୍ଦିର ନିର୍ମାଣ କାଳରେ କ୍ରମଶଃ ବାଲିରେ ପୂର୍ଣ୍ଣ କରାଯାଇ ବଡ଼ ବଡ଼ ପଥର ଖଣ୍ଡମାନ ଉପରକୁ ଉଠାଯାଉଥିଲା ଓ ପରେ ବାଲି କଢ଼ାଯାଇ ବଡ଼ ବଡ଼ ବାଲୁକାସ୍ତୂପ ବା ପର୍ବତ ଆକାରରେ ସେ ସବୁ ମନ୍ଦିର ନିକଟରେ ଜମା ହୋଇଛି । କୃପାସିନ୍ଧୁ ଆର୍ଣ୍ଣଟଙ୍କର ଏହି ଯୁକ୍ତିକୁ ଖଣ୍ଡନ କରିବାକୁ ଯାଇ କହନ୍ତି- ‘‘ବାଲିସ୍ତୁପର କାରଣ ଯଦି କେବଳ ମନ୍ଦିର ନିର୍ମାଣ ହୁଏ, ତାହାହେଲେ ମନ୍ଦିରର ବହୁ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ଯେଉଁ ବାଲିସ୍ତୂପମାନ ଅଛି, ତାହାର କାରଣ କ’ଣ ସ୍ଥିର କରିବାକୁ ହେବ । ପୁରୀ ଓ କୋଣାର୍କରେ ବାଲି ପ୍ରଚୁର; କିନ୍ତୁ ଭୁବନେଶ୍ୱର ନିକଟରେ ତ ବାଲି ନାହିଁ ସେ ସ୍ଥାନର ମନ୍ଦିରମାନ ନିର୍ମିତ ହୋଇଥିଲା କିପରି ? ପୁରୀରୁ କଣ ବାଲି ଯାଇ ମନ୍ଦିର ନିର୍ମିତ ହେଲା ଏବଂ ପରେ ପୁରୀ ବାଲି ପୁରୀକୁ ବୁହାହୋଇଥିଲା ? ଭୁବନେଶ୍ୱର ନିକଟରେ ଖଣ୍ଡଗିରି ପ୍ରଭୃତି ପର୍ବତ ଦେଖି ଆର୍ଣ୍ଣଟ ମହାଶୟ ମଧ୍ୟ କହିପାରନ୍ତି ପୁରୀ ଓ କୋଣାର୍କରେ ବାଲିପରି ଭୁବନେଶ୍ୱରରେ ପଥର ବ୍ୟବହାର କରାଯାଇଥିଲା ଏବଂ ମନ୍ଦିର ନିର୍ମାଣ ଶେଷ ପରେ ସେହି ପଥର ସ୍ଥାନାନ୍ତରିତ ହେବାରୁ ଖଣ୍ଡଗିରି ପ୍ରଭୃତି ପର୍ବତ ହୋଇଗଲା ?’’ ୩୪ ସେହିପରି ମନ୍ଦିରର ପତନ ପର୍ଯ୍ୟାୟରେ ସେ ବିଷନସ୍ୱରୂପ ଓ ଷ୍ଟାର୍ଲିଂ ପ୍ରଭୃତିଙ୍କର ମତକୁ ଅସ୍ୱୀକାର କରି କହନ୍ତି – “ପୁଣି ଭୂମିକମ୍ପ ବଡ଼ ପ୍ରବଳ ହୋଇନଥିଲେ କୋଣାର୍କ ପରି ସୁଦୃଢ଼ ମନ୍ଦିର ଭାଙ୍ଗିବା ନିମନ୍ତେ ତାହା କଦାପି ସମର୍ଥ ହୋଇନଥାନ୍ତା । ସେହିପରି ପ୍ରବଳ ଭୂମିକମ୍ପ ଦ୍ୱାରା କୋଣାର୍କ ମନ୍ଦିର ଭାଙ୍ଗିଯିବା ପୂର୍ବରୁ ଓଡ଼ିଶାର ପ୍ରାୟ ସର୍ବତ୍ର ସମସ୍ତ ଘରଦ୍ୱାର ଭୂମିସାତ୍ ହୋଇଥାନ୍ତା । ଅତଏବ ଏହିପରି ଗୋଟିଏ ସାରାଦେଶବ୍ୟାପୀ ପ୍ରଳୟ ଘଟନା ଯେତେ ପୂରାତନ ହେଲେ ସୁଦ୍ଧା ଅବଶ୍ୟ ଲୋକମୁଖରେ ଅଦ୍ୟାପି ଶୁଣାଯାଉଥା’ନ୍ତା । ଯେଉଁ ଲୋକେ ଦୁର୍ଦ୍ଦାନ୍ତ କଳାପାହାଡ଼ର ଆକ୍ରମଣ ଏତେ ସୁନ୍ଦର ଭାବରେ ମନେରଖିଅଛନ୍ତି, ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ଯେଉଁ ଦେଶରେ ଗୃହେ ଗୃହେ ସୁବିଦିତ, ଶିବାଇ ସାନ୍ତରା ।

 

ଅଦ୍ୟାପି ଯେଉଁ ଲୋକମୁଖରେ ଜୀବିତ ଅଛନ୍ତି, ସେହି ଲୋକେ ଏପରି ଭୟଙ୍କର ଓ ବ୍ୟାପକ ଭୂମିକମ୍ପ କଥା ଭୁଲି ଯାଇଥିବା ସହଜ ନୁହେଁ” ।୩୫।

 

୩୪)

‘କୋଣାର୍କ’ / ପୃ ୨୫୨

୩୫)

କୋଣାର୍କ / ପୃ ୨୬୨-୬୩

 

ବାସ୍ତବିକ୍ କୃପାସିନ୍ଧୁଙ୍କର ଯୁକ୍ତି ଅକାଟ୍ୟ । ଯାହା ବିଷୟରେ ସେ ବର୍ଣ୍ଣନା କରିଛନ୍ତି ତାକୁ ଏପରି ଅନ୍ତରଙ୍ଗ ଭାବରେ ହୃଦୟ ଜଡ଼ାଇ ସେ ଦେଖିଛନ୍ତି ଯାହା ଫଳରେ କି ଐତିହାସିକମାନେ ତାଙ୍କ ଯୁକ୍ତି ନିକଟରେ ହାର ମାନିଛନ୍ତି । ୧୯୧୯ ମସିହାରୁ ଏ ଯାବତ୍ ଦୀର୍ଘ ସମୟ ବ୍ୟବଧାନ ଘଟିଥିଲେ ମଧ୍ୟ ଏଯାବତ୍ କୌଣସି ଐତିହାସିକ / ପ୍ରତ୍ନତାତ୍ତିକ / ବୈଜ୍ଞାନିକ କୃପାସିନ୍ଧୁଙ୍କ ଯୁକ୍ତିକୁ ସମାଲୋଚନା ବା ଅଗ୍ରାହ୍ୟ କରିନାହାନ୍ତି । କୋଣାର୍କ, ବାରବାଟୀ ଦୁର୍ଗ ଭଳି ଗ୍ରନ୍ଥ ରଚନା କରିବାରେ କୃପାସିନ୍ଧୁଙ୍କୁ ଜଣେ ବିଜ୍ଞ ସମାଲୋଚକ (Scholar-Critic) କହିଲେ ଅତ୍ୟୁକ୍ତି ହେବନାହିଁ । ଅସାଧାରଣ ମେଧା ଓ ଆଲୋଚନାତ୍ମକ ଦୃଷ୍ଟିଭଙ୍ଗୀର ସୁସମନ୍ୱୟ ଘଟିଛି ତାଙ୍କ ପ୍ରବନ୍ଧ ଗୁଡ଼ିକରେ । Scholar-Critic ର ବିଶ୍ଳେଷଣ ସମ୍ପର୍କରେ FW.Batesonଙ୍କ ଉକ୍ତି ଉଦ୍ଧାର କରାଯାଇପାରେ । ‘‘A successful interpretation requires both scholarship and criticism, each modifying the other, a minute and comprehensive factual accuracy interacting with stringent and distinguished evaluate criticism.’’ ।୩୬।

 

ଗବେଷଣା କାଳରେ କୃପାସିନ୍ଧୁ ବିଶିଷ୍ଟ ତତ୍କାଳୀନ ଐତିହାସିକମାନଙ୍କୁ ବେଶ୍ ପରିହାସ କରିପାରୁଥିଲେ ତାହା ତାଙ୍କର ପୂର୍ବୋକ୍ତ ଉଦାହରଣରୁ ସ୍ପଷ୍ଟ ପ୍ରମାଣିତ ହୁଏ । ତଥ୍ୟ ଉପସ୍ଥାପନା ସେ ନିର୍ଭୀକ ଭାବରେ କରୁଥିଲେ । ଅସତ୍ୟ, ଅନ୍ୟାୟ ସେ ବରଦାସ୍ତ କରିପାରନ୍ତି ନାହିଁ । ‘ବାରବାଟୀଦୁର୍ଗ’ ରଚନା କାଳରେ କୃପାସିନ୍ଧୁ ଦୁର୍ଗଭିତରେ ନବତଳପ୍ରାସାଦ ଥିବାର ପ୍ରମାଣ କରି କଲିକତାର ତତ୍କାଳୀନ ବିଚାରପତି ଶାରଦା ଚରଣ ମିତ୍ରଙ୍କ ଭୁଲ ସଂଶୋଧନ କରିବାକୁ ପତ୍ର ଲେଖିଥିଲେ । ତାହାର କିଛି ଅଂଶ ନିମ୍ନରେ ପ୍ରଦତ୍ତ ହେଲା-

 

“But I can not now lose the opportunity of pointing out to you a mistake-quite serious indeed specially when it is found in a book of yoursthat has crept into your book xxx you will find that it was not two storied as you say, but a nine storied building that Raja Mukunda Deo Built.” ।୩୭। ଏବଂ ଶ୍ରୀ ମିତ୍ର ମଧ୍ୟ କୃପାସିନ୍ଧୁଙ୍କୁ କ୍ଷମା ମାଗି ତାଙ୍କର ପୁସ୍ତକର ପରବର୍ତ୍ତୀ ସଂସ୍କରଣରେ ସଂଶୋଧନ କରିବାକୁ ପୁନରାୟ ପତ୍ର ଲେଖିଥିଲେ ।

 

୩୬)

F.W.Bateson / The Scholar Critic (1972) P. 101

୩୭)

ବାରବାଟୀ ଦୁର୍ଗ (True copy of my letter to Babu Barada charan Mitra, late justice of Cal. High Court, Feb 9, 1913) p.3

 

କୃପାସିନ୍ଧୁ ତାଙ୍କ ପ୍ରବନ୍ଧଗୁଡ଼ିକରେ ପାଠକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସଂସ୍କୃତି ପ୍ରୀତି ମଧ୍ୟ ପ୍ରକାଶ କରିଛନ୍ତି । ଭାବଭଙ୍ଗୀ ସରଳ ଓ ତୀର୍ଯ୍ୟକ୍ । ତାଙ୍କ ଗଦ୍ୟକୁ ବୁଝିବା ପାଇଁ ପାଠକଙ୍କୁ ଶବ୍ଦକୋଷ ଖେଳାଇବାକୁ ପଡ଼େ ନାହିଁ, ମାର୍ଜିତ ରୁଚିପୂର୍ଣ୍ଣ ଭାଷାରେ ପାଠକଙ୍କର ଖୁବ୍ ନିକଟକୁ ଚାଲି ଯାଇଛନ୍ତି ଯେତେବେଳେ ସମସ୍ତଙ୍କର ଅଙ୍ଗେନିଭା କଥା କହିଛନ୍ତି । ନିଜେ ବକ୍ତାର ଆସନରେ ରହି ପାଠକମାନଙ୍କୁ ଶ୍ରୋତାର ଆସନରେ ଉପବିଷ୍ଟ ପୂର୍ବକ ସେ କହିଛନ୍ତି- ‘‘ଆଜି ପାଠକମାନଙ୍କୁ ବର୍ତ୍ତମାନ କି ଭବିଷ୍ୟତରେ ନରଖି ଅତୀତ କାଳକୁ ନିଜ ବାଲ୍ୟାବସ୍ଥାକୁ ଫେରାଇ ନେବାକୁ ଆମ୍ଭେମାନେ ପ୍ରୟାସ କରୁଅଛୁ । ସେ ବାଲ୍ୟାବସ୍ଥାକୁ ପୁନରାୟ ପ୍ରତ୍ୟାବର୍ତ୍ତନ କଲେ ପାଠକମାନେ ଅବଶ୍ୟ ଆମ୍ଭମାନଙ୍କର ଏହି ‘କା’ ବିଷୟଟି ସ୍ମରଣ କରିପାରିବେ ।’’ ।୩୮। କିମ୍ବା ପ୍ରବନ୍ଧର ଅନ୍ୟତ୍ର ଯେତେବେଳେ ପଢ଼ୁ- ‘‘ଅତଏବ ପାଠକଗଣ ! ବାଳକ ବାଳିକାଙ୍କର କା’ ନୀତିରେ କେତେ ଅଦ୍ଭୁତ ଗୁଣ ଅଛି ତାହା ଦେଖିଲେ ?’’ ସେତେବେଳେ ଲେଖକଙ୍କର ପାଠକଙ୍କ ପ୍ରତି ଶ୍ରଦ୍ଧା ଜାଣିହୁଏ । ପାଠକମାନଙ୍କୁ ବାରମ୍ବାର ସମ୍ବୋଧନ କରିବା ଭିତରେ ସେମାନଙ୍କୁ ତାଙ୍କ ଲେଖାଭିତରେ ଆତ୍ମୀୟତା ବନ୍ଧନରେ ବାନ୍ଧିରଖିବା ସକାଶେ ଚେଷ୍ଟା କରିଛନ୍ତି ମାତ୍ର । ଲେଖକଙ୍କର ଏ ପ୍ରକାର ଗଦ୍ୟର ଉଦାହରଣ ଅନ୍ୟତ୍ର ଦେଖନ୍ତୁ - ‘‘ପାଠକଙ୍କର ସ୍ମରଣଥିବ, ଆମ୍ଭମାନଙ୍କର ଗୋପାଳ ସାକ୍ଷ୍ୟ ଦେବାଲାଗି ଉକ୍ତ ବ୍ରାହ୍ମଣ ସଙ୍ଗେ କାଞ୍ଚି ଯାତ୍ରା କଲାବେଳେ ଏକାକୀ ଆସିଥିଲେ, ସଙ୍ଗରେ ରାଧା ନଥିଲେ ।’’ ।୩୯।

 

କୃପାସିନ୍ଧୁଙ୍କ ଗଦ୍ୟଶୈଳୀ ଠାଏ ଠାଏ ଗୁରୁଗମ୍ଭୀର ଓ ଆଳଙ୍କାରିକ ହୋଇଉଠିଛି । ଆଧୁନିକ ଶିକ୍ଷାପ୍ରାପ୍ତ ହେଲେ ମଧ୍ୟ ସେ ପ୍ରାଚୀନକୁ ପରିହାର କରିପାରିନାହାନ୍ତି । ଏପରି ଗୁରୁଗମ୍ଭୀର ଗଦ୍ୟର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା-

 

“ଅତଏବ ହେ ଭ୍ରାତୃବୃନ୍ଦ ! ଆଉ ନିଦ୍ରାର ସମୟ ନାହିଁ । ଜଗତବ୍ୟାପୀ ଏହି ସ୍ରୋତର ଅନୁକୂଳରେ ଯିବାପାଇଁ ଆସ ପ୍ରସ୍ତୁତ ହେବା । ସମସ୍ତ ପ୍ରାତ୍ୟ ଜଗତ ଉଠୁଅଛି । ଏହି ସମୟରେ ଦେଶର ଗରିମା ରକ୍ଷା କରିବାକୁ ପ୍ରସ୍ତୁତ ହେବା ।’’ ।୪୦। ସେହିଭଳି ଆଳଙ୍କାରିକ ଗଦ୍ୟର ମଧ୍ୟ ଅଭାବ ନାହିଁ କୃପାସିନ୍ଧୁଙ୍କ ରଚନା ସମ୍ଭାର ଭିତରେ- ‘‘ଚକର ସାମାନ୍ୟ ଅନିକିଳୀ ଠାରୁ ଆରମ୍ଭ କରି ବଡ଼ ବଡ଼ ପର୍ବତରୂପୀ ବିଶାଳ ଶିଳା ଖଣ୍ଡ ପର୍ଯ୍ୟନ୍ତ, ପାଦଠାରୁ ଆରମ୍ଭ କରି ଚୂଡ଼ା ପର୍ଯ୍ୟନ୍ତ କାରିଗରର ସୂଚିଦ୍ୱାରା ସର୍ବତ୍ର ଅତି ସୂକ୍ଷ୍ମଭାବରେ ବିଦ୍ଧ ହୋଇଅଛି । ଏହାର ସୂଚିକାମର ସୌନ୍ଦର୍ଯ୍ୟ ଓ ସୂକ୍ଷ୍ମତା ଅନୁମାନ କରିବା ନିମନ୍ତେ ମନୁଷ୍ୟ କଳ୍ପନାର ବିଳାସମୟ ଅନନ୍ତ ତରଙ୍ଗରେ ଆପଣାକୁ ଭସାଇ ଦେବା ଆବଶ୍ୟକ ।’’ ।୪୧।

 

ବାସ୍ତବିକ ପ୍ରାବନ୍ଧିକ ଲେଖେ ପାଠକମାନଙ୍କର କର୍ଣ୍ଣମନ ରସାୟନ ପାଇଁ । ସେ ନିଜପାଇଁ ଲେଖେ ନାହିଁ । ତା ଭିତରେ କେମିତି ଏକ ଉତ୍ସର୍ଗୀକୃତ ଭାବଟିକକ ଚେଇଁ ଉଠେ । ସେତେବେଳେ ସେ ସାର୍ବଜନୀନ ହୋଇଉଠେ । ନିଜଭିତରେ ସମସ୍ତଙ୍କୁ ଦେଖେ । ଏହି ମହାଭାବ କା’ ପ୍ରବନ୍ଧରେ ଉତ୍କୀର୍ଣ୍ଣ । ଯେପରି – “ରାମଚନ୍ଦ୍ର ସୀତାଙ୍କ ପତିସ୍ଵରୂପ, ସେ ତାଙ୍କର ସୁଖ ସ୍ଵାଛନ୍ଦ୍ୟ ଦେଖୁକୁ ଧର୍ମତଃ, ନ୍ୟାୟତଃ ବାଧ୍ୟ । କିନ୍ତୁ ଅଯୋଧ୍ୟାବାସୀଙ୍କ ଶାସନ ନିମନ୍ତେ ଯେତେବେଳେ ନିଜ ଉପରେ ସେ ଗୋଟିଏ କା’ ନେଲେ ସେତେବେଳେ ସେ ସୀତାଙ୍କଠାରୁ ଅଧିକ, ସମଗ୍ର ଅଯୋଧାର ପତି ।’’ ।୪୨। ବାସ୍ତବିକ ଏ ପ୍ରକାର ରଚନାଶୈଳୀ ପାଠକର ମନ ଛୁଏଁ । ଜାତୀୟତାର ମହାମନ୍ତ୍ର ଉଦ୍‍ଘୋଷିତ ହେଉଥିବା ସମୟରେ ଏ ପ୍ରକାର ତ୍ୟାଗନିଷ୍ଠ ରଚନାଶୈଳୀ ଦ୍ୱାରା ସେ ପାଠକଙ୍କର ଅଧିକ ନିକଟବର୍ତ୍ତୀ ହୋଇପାରିଛନ୍ତି । ଅହଂକାର ବିବର୍ଜିତ ଶୈଳୀ ସବୁ ସମୟରେ ପାଠକମାନଙ୍କ ଦ୍ଵାରା ଆଦୃତ ହୋଇଥାଏ । କୃପାସିନ୍ଧୁ ଏହାର ବ୍ୟତିକ୍ରମ ନୁହନ୍ତି ।

 

୩୮)

କା’ / ମୁକୁର / ୭ ଭାଗ ୬ସଂଖ୍ୟା / ପୃ ୨୧୩

୩୯)

ସତ୍ୟବାଦୀ ବା ସାକ୍ଷୀଗୋପାଳ (ରାଧାକୃଷ୍ଣ) ୨/୩-୪ (ସତ୍ୟବାଦୀ) ପୃ- ୮୭-୮୮

୪୦)

ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍‍ଥାନ / ଉତ୍କଳ ସାହିତ୍ୟ, ୧୨/୫-୬, ପୃ ୧୭୧-୭୨

୪୧)

କୋଣାର୍କ / ପୃ ୨୧୫

୪୨)

କା’ / ମୁକୁର, ୭/୬ ପୃ ୨୧୪

 

ରଚନାରେ ସାଧୁତା, ସମ୍ବେଦନଶୀଳତା ଓ ଯଥାର୍ଥ ଚିନ୍ତାଶକ୍ତି / ଗଭୀର ଅଧ୍ୟୟନ- ଏହି ବୈଶିଷ୍ଟ୍ୟଗୁଡ଼ିକ କୃପାସିନ୍ଧୁଙ୍କ ଠାରେ ଥିଲା । ତାଙ୍କ ପ୍ରବନ୍ଧମାନଙ୍କରେ ଗବେଷକର ଅନ୍ୱେଷା, ପଣ୍ଡିତର ବହୁଶାସ୍ତ୍ରଦର୍ଶିତା, ଐତିହାସିକର ସ୍ଵଦେଶପ୍ରାଣତା, ସଂସ୍କୃତି ପ୍ରତି ନିବିଡ଼ ମମତା ଓ ପୁରୋଦୃଷ୍ଟି ତଥା ଶିକ୍ଷକର ଉଦାରତା ପରିଲକ୍ଷିତ । ଜଣେ ନୀତିନିଷ୍ଠ ଶିକ୍ଷକଭାବରେ କୃପାସିନ୍ଧୁଙ୍କର ବେଶ୍ ଖ୍ୟାତି ଥିଲା । ପିଲାମାନଙ୍କୁ ଉପଦେଶ ଛଳରେ ସେ ଅନେକ କଥା କହୁଥିଲେ ଯାହାକି ପରେ ପ୍ରବନ୍ଧ ଆକାରରେ ମୁଦ୍ରିତ ହେଉଥିଲା । ତେଣୁ ତାଙ୍କର ଅଧିକାଂଶ ଗଦ୍ୟ ଉପଦେଶାତ୍ମକ । ଏ ପ୍ରକାର ଗଦ୍ୟର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା- “ତୁମ୍ଭେ ଶୁଣିଥିବ, ନହୁଷ ରାଜା ଜୀବନଯାକ ବହୁ ଯାଗ ଯଜ୍ଞ କରି ଇନ୍ଦ୍ରପଦର ଉପଯୁକ୍ତ ହେଲେ ଏବଂ ସ୍ଵର୍ଗକୁ ଗଲେ । କିନ୍ତୁ ଥରେ ଅଗସ୍ତି ମହର୍ଷିଙ୍କୁ ଅପମାନ ଦେଲେ ବୋଲି ଫଳରେ ସ୍ୱର୍ଗଚ୍ୟୁତ ହୋଇ ସର୍ପଜନ୍ମ ଗ୍ରହଣ କଲେ । ଧର୍ମପଥରେ ପ୍ରତ୍ୟେକ ଯୋଗୀ, ସାଧକଙ୍କର ଏହି ରୂପ ବିପଦ ବରାବର ରହିଅଛି । ତୁମ୍ଭେ ଯେତେ ଧର୍ମ କର, ଗୋଟିଏ ପାପ କାର୍ଯ୍ୟଦ୍ୱାରା ସବୁ ଧର୍ମ ଲୋପ ପାଇ ପାପ କାର୍ଯ୍ୟଟି ସାର ହୋଇଯିବ ।’’ ।୪୩। କିମ୍ବା ଅନ୍ୟତ୍ର ଆମେ ଯେତେବେଳେ ପଢ଼ୁ- ‘‘କିନ୍ତୁ ଯାହା ହେଉ, କବି ! ତୁମ୍ଭେ ସିନା ସମାଜକୁ ଜୀବନ ଦେବ, ସମାଜରୁ ତୁମ୍ଭର ଜୀବନ ପାଇବାର ନାହିଁ । ସମାଜ ତୁମ୍ଭଙ୍କୁ ଫିଙ୍ଗି ଦେଉ, ତଥାପି ତୁମେ କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହୁଅ । xxx ସଂସାରର ତୀବ୍ର ଯାତନା, ମାୟା ମୋହ ଇତ୍ୟାଦିରୁ ତୁମ୍ଭେ ଦୂରରେ ରହିବ; କେବଳ ବାଗଦେବୀ ଚରଣ ତୁମ୍ଭର ଅନବରତ ଧାନର ବିଷୟ ହେବ; ତୁମ୍ଭେ ତାହାଙ୍କୁ ହିଁ କେବଳ ଚିହ୍ନିବ ।’’ ।୪୪।

 

୪୩)

ନବଯୌବନର ବିପଦ / ମୁକୁର / ୧୦-୧୨ / ପୃ ୩୨୭

୪୪)

କବିତା / ମୁକୁର / ୫/୭-୮ ପୃ ୨୮୪

 

ଅନେକ ପ୍ରବନ୍ଧରେ କୃପାସିନ୍ଧୁ ତାଙ୍କର ସଂଗୃହୀତ ଉପାଦାନକୁ ନିଜ ଭାଷାରେ ବ୍ୟାଖ୍ୟା କରିଛନ୍ତି । ଐତିହାସିକ ପ୍ରବନ୍ଧଗୁଡ଼ିକରେ ବ୍ୟାଖ୍ୟାତ୍ମକ ଗଦ୍ୟଶୈଳୀ ପରିଲକ୍ଷିତ । ଏ ଧରଣର ଗଦ୍ୟ ତଥ୍ୟବହୁଳ ହୋଇଥିବାରୁ ପାଠକର ବେଳେବେଳେ ଆଗ୍ରହ କମିଯାଏ ଯଦି ସେହି ଧରଣର ପାଠକ ସେ ହୋଇନଥାଏ । ତେବେ ବାରବାଟୀ ଦୁର୍ଗ, ସତ୍ୟବାଦୀ ବା ସାକ୍ଷୀଗୋପାଳ, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ବିଧିନିର୍ଦ୍ଦେଶ ଆଦି ପ୍ରବନ୍ଧଗୁଡ଼ିକରେ କୃପାସିନ୍ଧୁଙ୍କ ଉଚ୍ଚକୋଟୀର ରଚନାଶୈଳୀ ପାଠକମାନଙ୍କୁ ନିକଟତର କରିଛି ସିନା, ଦୂରେଇ ଯାଇ ନାହିଁ ବା ବିରକ୍ତିଭାବ ଆଣିଦେଇ ନାହିଁ । ଇତିହାସର ନୀରସ ଶୁଷ୍କ ତଥ୍ୟକୁ ଜୀବନ୍ୟାସ ଦେଇ ନିଜ କଳ୍ପନା ଶକ୍ତି ବଳରେ ଏପରି ରୂପାୟିତ କରିଛନ୍ତି ସେ ସବୁ ଇତିହାସର ଉପାଦାନ ଭଳି ମନେ ନ ହୋଇ ଦେହଧାରୀ ମାନବର ଚରିତ୍ର ଚିତ୍ରଣ ଶୈଳୀରେ ଆମ ଆଗରେ ଠିଆ ହୁଅନ୍ତି ଅପୂର୍ବ କଳାପାଟବ ନେଇ ।

 

ବିଶ୍ଳେଷଣ କରି ଦେଲେ କୃପାସିନ୍ଧୁଙ୍କ ଗଦ୍ୟ ଯୁଗୋପଯୋଗୀ । ଗ୍ରାମ୍ୟ ଜନର ଲୋକମୁଖର ଭାଷା ନ ହେଲେ ମଧ୍ୟ ରୁଚିପୂର୍ଣ୍ଣ ଶୈଳୀରେ ପରିପୂର୍ଣ୍ଣ ଗଦ୍ୟ ପାଠକର ଶ୍ରୁତିକଟୁ ହୋଇନାହିଁ ବା ଦୁର୍ବୋଧ୍ୟ ହୋଇନାହିଁ । ବକ୍ରୋକ୍ତି କିମ୍ବା ନାଟକୀୟତା ନାହିଁ ତାଙ୍କ ଗଦ୍ୟରେ । ପ୍ରତ୍ୟକ୍ଷବାଦୀ ସେ । ସିଧା ସଳଖ ଘଟଣାକୁ ଉପସ୍ଥାପନ କରି ଗୋଟିଏ ପରେ ଗୋଟିଏ କାହାଣୀ ଭଳି କହିଚାଲିଛନ୍ତି ଯାହା ଗଳ୍ପ ପାଠକଲାପରି ମନେହୁଏ । ‘ବାରବାଟୀ ଦୁର୍ଗ’ ବା ‘କୋଣାର୍କ’ ଭଳି ଦୀର୍ଘ ପୁସ୍ତକାକାରରେ ପ୍ରକାଶିତ ପ୍ରବନ୍ଧ କୃପାସିନ୍ଧୁଙ୍କର ଏହି ଧରଣର ରଚନା । ଗୋଟିଏ ଅଧ୍ୟାୟ ପାଠକଲେ ପରବର୍ତ୍ତୀ ଅଧ୍ୟାୟଟି ପାଠ କରିବା ପାଇଁ ପାଠକ ମନରେ ଉତ୍କଣ୍ଠା ଜାଗେ । ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ମଧ୍ୟ ସେହିଭଳି ଏକ ଦୀର୍ଘ ପ୍ରବନ୍ଧ ଓ ଏହାର ପ୍ରତ୍ୟେକ ବିଭାଗରେ ତଥ୍ୟ ସହିତ କାହାଣୀ, କିମ୍ବଦନ୍ତୀ / ଜନଶ୍ରୁତି ଜଡ଼ିତ ହୋଇ ପାଠକଙ୍କ ପୂର୍ବସ୍ମୃତି ଜାଗ୍ରତ କରିଛି । ଏଗୁଡ଼ିକ ଲେଖକଙ୍କର ସଂସ୍କୃତି ସଚେତନତାର ପରିଚାୟକ ହେବା ସଙ୍ଗେ ସଙ୍ଗେ ଅତୀତ ଯେ କେତେ ଆନନ୍ଦମୟ ତାହା ସୂଚାଇ ଥାଏ । ତାଙ୍କ ମତରେ ଜନଶ୍ରୁତି ବା କିମ୍ବଦନ୍ତୀ ସତ୍ୟର ଅପେକ୍ଷା ରଖେ । ଏଗୁଡ଼ିକ ସମ୍ପୂର୍ଣ୍ଣ କପୋଳ କଳ୍ପିତ କହିହେବ ନାହିଁ । ତାଙ୍କ ଭାଷାରେ- “କିମ୍ବଦନ୍ତୀ କେବଳ ମରୁ ମରୀଚିକା ନୁହେଁ । ନିସ୍ତରଙ୍ଗ ଅନ୍ଧକାରାଚ୍ଛନ୍ନ ଯୁଗକୁ ଘଟନାମୟ କରି ଚିତ୍ରିବା ଲାଗି ଅଯଥା ଅସଂଗତ କଳ୍ପନା ନୁହେଁ । ସେ ସବୁକୁ ଅନାଦର କଲେ ଆଧୁନିକ ଯୁଗ ବହୁ ପୁରାତତ୍ତ୍ୱରୁ ବଞ୍ଚିତ ହେବ ଏବଂ ବର୍ତ୍ତମାନ ସହିତ ଅତୀତର ସଂଯୋଜକ ସୂତ୍ର ଅନେକ ସ୍ଥଳେ ମିଳିବ ନାହିଁ । XXX ବାଲୁକାରାଶିର ନିମ୍ନରେ ଫଲଗୁପ୍ରବାହ ପରି ଏହି ସବୁ କିମ୍ବଦନ୍ତୀର ମଜା ଯେ ସାରସତ୍ୟରେ ଚିରକାଳ ଉଜ୍ଜୀବିତ ରହିଅଛି, ତାହା ଅନୁସନ୍ଧାନ କଲେ ଅନାୟାସରେ ଉପଲବ୍‍ଧି ହେବ ।’’ ।୪୫। ସେ ଯାହା ହେଉନା କାହିଁକି ସ୍ରଷ୍ଟା ମରିଯାଏ ବା ସ୍ରଷ୍ଟାକୁ କେହି ମନେ ରଖନ୍ତି ନାହିଁ, କିନ୍ତୁ କିମ୍ବଦନ୍ତୀ ଲୋକମୁଖରେ ପ୍ରଚଳିତ ହୋଇ ଅଖଣ୍ଡ ଆୟୁଷ ଭୋଗ କରେ ।

 

୪୫)

ସତ୍ୟବାଦୀ ବା ସାକ୍ଷୀଗୋପାଳ / ସତ୍ୟବାଦୀ / ୧ମ ଖଣ୍ଡ ୨ୟ ସଂଖ୍ୟା, ପୃ ୬୩

 

କୃପାସିନ୍ଧୁଙ୍କ ଗଦ୍ୟରେ ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଶବ୍ଦର ବିପୁଳ ପଟୁଆର ଦେବାକୁ ମିଳେ । ସେ କେତେକ ସ୍ଥଳରେ ସ୍ୱଳ୍ପଜ୍ଞାନ ଶବ୍ଦମାନଙ୍କୁ ତାଙ୍କ ଗଦ୍ୟରେ ପ୍ରୟୋଗ କରିଛନ୍ତି-। ଏଠାରେ ଏ ଧରଣର କେତେକ ଶବ୍ଦର ଦୃଷ୍ଟାନ୍ତ ଦିଆଯାଇପାରେ ।

 

ତତ୍ସମ : ଅସାର, ପ୍ରଣୟନ, ଦ୍ରୂମ, ଅଟ୍ଟାଳିକା, ଗହ୍ୱର, ଏତଦ୍‍ପରେ, ଦିବସ, ତଦାନୀନ୍ତନ, ତତ୍ରତ୍ୟ, ତଦନନ୍ତର, ସଂସାଧିତ, କ୍ଷାଳିତ, କ୍ରୋଡ଼ ଇତ୍ୟାଦି ।

 

ତଦ୍ଭବ: ଯଥେଚ୍ଛା, ଗୋଠ, ଗୋସାଇଁ, ଷଠୀ, ଉଆସ, ମଶାଣି, ଦିଅଁ, ମଥା, ତାଡ଼, ପୀଢ଼, ଅନିକିଳୀ ଇତ୍ୟାଦି ।

 

ଦେଶଜ : ଯୋଡ଼ ପାହାର, ମେଳ, ଅମୁକ, ସାହାଲା, ଜିନିଷ, ପାଟକ ଡଉଲ, ଓହାଡ଼ ଇତ୍ୟାଦି ।

 

ବୈଦେଶିକ : ଇଂଜିନିୟରିଂ, ଆସିଆନା, କିଲ୍ଲା, ଫର୍ମାନ୍, ପ୍ରୋକ୍ତାନୀ, ପରବାନା, କୋମ୍ପାନୀ, ସନନ୍ଦ, ପ୍ରେସିଡେନ୍‍ସୀ, ରିପୋର୍ଟ ଇତ୍ୟାଦି...

 

ଏସବୁ ଦୃଷ୍ଟିରୁ ବିଚାର କଲେ ଗଦ୍ୟରଚନାରେ କହିବାର ଢଙ୍ଗଟି ଗୁରୁତ୍ୱପୂର୍ଣ୍ଣ । ସୁନିର୍ବାଚିତ ଶବ୍ଦ, ଆନୁଷଙ୍ଗିକ ଯୁକ୍ତି, ବକ୍ତବ୍ୟକୁ ଯଥାସମ୍ଭବ ତୀକ୍ଷ୍‍ଣ କରିବାଦ୍ୱାରା ରଚନା ସୁଖପାଠ୍ୟ ହୋଇଥାଏ । ବିଷୟ ଉପସ୍ଥାପନାରେ ସାଧାରଣ କଥ୍ୟଭାଷା ସହିତ ଯୋଗସୂତ୍ର ରକ୍ଷା କରିପାରିଲେ ଗଦ୍ୟହୁଏ ଉଚ୍ଚକୋଟୀର । କୃପାସିନ୍ଧୁ ଏସବୁର ବ୍ୟତିକ୍ରମ କରିନାହାନ୍ତି । ତାଙ୍କର ଗଦ୍ୟ କେଉଁଠି ଅପ୍ରାସଙ୍ଗିକ ବା ଅତିରଞ୍ଜିତ ହୋଇନାହିଁ । ସରଳ ବୋଧଗମ୍ୟ ଭାଷା ଓ ସୁଚିନ୍ତିତ ଶୈଳୀରେ ପାଠକମାନଙ୍କର ନିକଟତର ହୋଇଛି, କେଉଁଠି ଦୂରେଇଯିବାର ଅପଚେଷ୍ଟା ଏଥିରେ ନାହିଁ । ତାଙ୍କର ଗଦ୍ୟ ଯେପରି ଯୁକ୍ତିନିଷ୍ଠ, ସେହିପରି ଶିକ୍ଷାପ୍ରଦ ଓ ଭାବଗର୍ଭକ । ବକ୍ତବ୍ୟର ପରିଚ୍ଛନ୍ନତା, ଉନ୍ନତରୁଚି ଓ ସୁନିର୍ବାଚିତ ଶବ୍ଦ ପ୍ରୟୋଗ ତାଙ୍କ ଗଦ୍ୟର ସ୍ୱାତନ୍ତ୍ର୍ୟ ଚିହ୍ନଟରେ ସହାୟକ ହୋଇଛି ।

 

 

ଅଧ୍ୟାପିକା ଓଡ଼ିଆ ବିଭାଗ, ବ୍ୟାସନଗର କଲେଜ

ଯାଜପୁର ରୋଡ଼, ଯାଜପୁର

 

***

 

Unknown

ଐତିହାସିକ କୃପାସିନ୍ଧୁ ମିଶ୍ର : ବ୍ୟକ୍ତିତ୍ଵ ଓ କୃତିତ୍ୱ

ମଧୁସ୍ମିତା ମିଶ୍ର

 

ସାରସ୍ୱତ ସାଧନାକ୍ଷେତ୍ରରେ ନିଜର ପ୍ରତିଭାଦ୍ୱାରା ଖ୍ୟାତି ଅର୍ଜନ କରିଥିବା ଅମ୍ଲାନ ବ୍ୟକ୍ତିତ୍ୱ ମଧ୍ୟରୁ ଐତିହାସିକ କୃପାସିନ୍ଧୁ ମିଶ୍ର ଅନ୍ୟତମ । ନିଜର ଲେଖନୀଚାଳନା ଦ୍ଵାରା ସେ ଓଡ଼ିଆ କାବ୍ୟ କୋଣାର୍କକୁ ଋଚିମନ୍ତ କରି ଗଢ଼ିତୋଳିବା ସହିତ ପ୍ରବନ୍ଧରଚନା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସୁପ୍ରତିଷ୍ଠିତ ହୋଇପାରିଛନ୍ତି ।

 

ଆଷାଢ଼ ଶୁକ୍ଳ ଅଷ୍ଟମୀ, ୧୮୮୭ ମସିହା ଜୁନ୍ ମାସ ୨୭ ତାରିଖଦିନ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଶାସନର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜନାର୍ଦ୍ଦନ ରଥ ଓ ମାତାଙ୍କ ନାମ ଚନ୍ଦ୍ରମଣି । ପିତା ଜନାର୍ଦ୍ଦନ ରଥ ଥିଲେ ଆତ୍ରେୟ ଗୋତ୍ରୀ ସାମନ୍ତ ବ୍ରାହ୍ମଣ ତଥା ଦକ୍ଷିଣୀସାୟା ରଥ । କୌଳିନ୍ୟ ଯୋଗୁଁ ସମାଜରେ ତାଙ୍କର ବିଶେଷ ପ୍ରାଧାନ୍ୟ ଥିଲା ଓ ସେ ପୁରୀରେ ବ୍ରାହ୍ମଣ କର୍ମକରି ସେଥିରେ ପରିବାରର ଭରଣପୋଷଣ କରୁଥିଲେ । ମାତା “ଚନ୍ଦ୍ରମଣି’’ ‘‘ମଣିନାନୀ’’ ରୂପେ ସେ ଅଞ୍ଚଳରେ ପରିଚିତ ଥିଲେ । ସେ ଶ୍ରୀରାମଚନ୍ଦ୍ରପୁର ନିବାସୀ ସଦାଶିବ ଦାସଙ୍କ କନ୍ୟା ଥିଲେ । ସେ ସମୟର ବ୍ରାହ୍ମଣ ଶାସନର ଝିଅ ହେତୁ ତାଙ୍କର ବିଦ୍ୟାଳୟ ଶିକ୍ଷା ନଥିଲେ ମଧ୍ୟ ସେ ଥିଲେ ଅତ୍ୟନ୍ତ ଶାନ୍ତ, ଶିଷ୍ଟ ତଥା ନମ୍ର । ସେ ଥିଲେ ଚାରୋଟି ପୁତ୍ର ଓ ଗୋଟିଏ କନ୍ୟାର ଜନନୀ ।

 

ଜ୍ୟେଷ୍ଠ ପୁତ୍ର ନାରାୟଣ ବି.ଏ. ପାଶ୍ କରି ଡେଲାଙ୍ଗମାଇନର ସ୍କୁଲରେ ପ୍ରଧାନଶିକ୍ଷକ ଥିବାବେଳେ ହଇଜାରେ ପ୍ରାଣତ୍ୟାଗ କରିଥିଲେ । ଦ୍ଵିତୀୟପୁତ୍ର କୃପାସିନ୍ଧୁ, ତୃତୀୟପୁତ୍ର ହରିହର, ଚତୁର୍ଥପୁତ୍ର କୃଷ୍ଣଚନ୍ଦ୍ର ଓ ଏକମାତ୍ର କନ୍ୟାର ନାମ ଗୌରୀ । ଚତୁର୍ଥପୁତ୍ର କୃଷ୍ଣଚନ୍ଦ୍ର କଟକ ଟ୍ରେନିଂ କଲେଜରୁ ଏଲ୍.ଟି. ପାଶ୍ କରି ପୁରୀର ଗଦାଧର ହାଇସ୍କୁଲରେ ଶିକ୍ଷକତା କରୁଥିବାବେଳେ ଅକାଳରେ ମୃତ୍ୟୁବରଣ କରିଥିଲେ ।

 

ପିଲାଟି ଦିନରୁ କୃପାସିନ୍ଧୁ ତାଙ୍କର ବୀରପ୍ରତାପପୁର ମାଉସୀ ବିମଳା ଦେବୀଙ୍କ ଘରକୁ ପୋଷ୍ୟପୁତ୍ର ହୋଇ ଚାଲିଯାଇଥିଲେ । ମାଉସୀ ବିମଳାଦେବୀ ଥିଲେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରର ସଦାଶିବ ଦାସଙ୍କ କନିଷ୍ଠା କନ୍ୟା ଓ ବୀରପ୍ରତାପପୁରର ଭିକାରୀ ମିଶ୍ରଙ୍କ ପତ୍ନୀ-। ଭିକାରୀ ମିଶ୍ରଙ୍କ ଜନ୍ମସ୍ଥାନ ବୀର ରାମଚନ୍ଦ୍ରପୁର ହୋଇଥିଲେ ହେଁ ସେ ବୀର ପ୍ରତାପପୁରର ତ୍ରିଲୋଚନ ମିଶ୍ରଙ୍କ ଘରକୁ ପୋଷ୍ୟପୁତ୍ର ହୋଇ ଆସିଥିଲେ ଓ ବାଲ୍ୟବିବାହ କରିଥିଲେ । ଭିକାରୀ ମିଶ୍ର ଅଳ୍ପବୟସରେ ପ୍ରାଣତ୍ୟାଗ କରିବାରୁ ବିମଳା ଦେବୀଙ୍କୁ ବାଲ୍ୟଶ୍ରୀ ବିଧବା ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥିଲା । ଜୀବନର ସୁଖ ଜାଣିବା ପୂର୍ବରୁ ବୈଧବ୍ୟର ଯନ୍ତ୍ରଣାଦଗ୍ଧ ଜୀବନକୁ ଆଦରି ନେଇଥିବାରୁ ସେ ଥିଲେ ଅତ୍ୟନ୍ତ ପ୍ରିୟମାଣା । ଏପରିକି ନିଜର ପାଳିତ ପୁତ୍ର କୃପାସିନ୍ଧୁଙ୍କୁ ମଧ୍ୟ ଜୀବନର ତିକ୍ତତା ମଧ୍ୟରେ ବିଶେଷ ସ୍ନେହ ଦେଇ ପାରୁନଥିଲେ ।

 

୧୯୦୭ ମସିହାରେ କୃପାସିନ୍ଧୁ ଏଫ୍.ଏ. ପଢ଼ୁଥିବାବେଳେ ୨୦ ବର୍ଷ ବୟସରେ ବୀରବଳଭଦ୍ରପୁର ଶାସନର ସଦାଶିବ ମିଶ୍ରଙ୍କ କନ୍ୟା ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ । ଏହି ବିବାହ ଥିଲା ବାଲ୍ୟବିବାହ ଓ ସେତେବେଳେ ସାବିତ୍ରୀ ଦେବୀଙ୍କୁ ବୟସ ହୋଇଥିଲା ମାତ୍ର ୧୧ ବର୍ଷ ।

 

କୃପାସିନ୍ଧୁ ବାଲ୍ୟକାଳରୁ ଥିଲେ ଅତ୍ୟନ୍ତ ଚାଲାକ୍, ଚତୁର ତଥା ଅଧ୍ୟୟନପିପାସୁ । ଦାରିଦ୍ର୍ୟ ତଥା ଜୀବନର ବୈଧବ୍ୟଜନିତ ତିକ୍ତତା ମଧ୍ୟରେ ବିମଳା ଦେବୀ କୃପାସିନ୍ଧୁଙ୍କୁ ଉପଯୁକ୍ତ ସ୍ନେହ ଦେଇପାରୁନଥିଲେ ମଧ୍ୟ ତାଙ୍କର ଭବିଷ୍ୟତ ନେଇ ସର୍ବଦା ଚିନ୍ତିତ ଥିଲେ । ପିଲାଟି କିପରି ପାଠ ପଢ଼ିବ ଓ ମଣିଷ ହେବ ସେଥିପାଇଁ ସେ ସବୁବେଳେ ବ୍ୟାକୁଳିତା ଥିଲେ । ଏହି ସମୟରେ ଶ୍ରୀରାମଚନ୍ଦ୍ରପୁରସ୍ଥ ମାମୁଁ ଆର୍ତ୍ତତ୍ରାଣ ଦାସଙ୍କ ପରାମର୍ଶ ତାଙ୍କ ପ୍ରାଣରେ ଆଶାର ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲା । ମାମୁଁ ଆର୍ତ୍ତତ୍ରାଣ ଦାସ ଥିଲେ ସ୍ୱଳ୍ପ ବେତନଧାରୀ ପ୍ରାଥମିକ ବିଦ୍ୟାଳୟର ହେଡ୍ ପଣ୍ଡିତ-। ଫଳରେ କୃପାସିନ୍ଧୁଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା ଶ୍ରୀରାମଚନ୍ଦ୍ରପୁର ମାମୁଁ ଆର୍ତ୍ତତ୍ରାଣ ଦାସଙ୍କ ଘରେ । ଚାଟଶାଳୀ ଶିକ୍ଷାର ସମାପ୍ତି ପରେ ୧୯୦୧ ମସିହାରେ କୃପାସିନ୍ଧୁ ଶ୍ରୀରାମଚନ୍ଦ୍ରପୁର ମିଡିଲ୍ ଭର୍ଣ୍ଣାକୁଲାର ସ୍କୁଲରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ କୃପାସିନ୍ଧୁ ପୁରୀ ଜିଲ୍ଲାସ୍କୁଲରେ ୪ର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୦୨ ମସିହାରେ ପୁରୀଜିଲ୍ଲା ସ୍କୁଲରୁ ୫ମ ଶ୍ରେଣୀରୁ ଡବଲ ପ୍ରମୋଶନ ପାଇ ୭ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିଲେ । ସେତେବେଳେ ପୁରୀଜିଲ୍ଲା ସ୍କୁଲର କୃତବିଦ୍ୟ ପ୍ରଧାନଶିକ୍ଷକ ଥିଲେ ଚନ୍ଦ୍ରମୋହନ ମହାରଣା । ଦିନେ ସହପାଠୀଙ୍କ ପ୍ରରୋଚନାରେ କୃପାସିନ୍ଧୁ ବିଦ୍ୟାଳୟର କାର୍ଯ୍ୟାଳୟ ଘଣ୍ଟାକୁ ମୋଡ଼ିଦେବା ଦ୍ୱାରା ପ୍ରଧାନଶିକ୍ଷକଙ୍କ ଠାରୁ ବେଞ୍ଚ ଉପରେ ଠିଆ ହେବା ଦଣ୍ଡ ପାଇବା ଫଳରେ ତାଙ୍କ ଗୋଡ଼ ଫୁଲିଯାଇ ବାତଜ୍ୱରରେ ପୀଡ଼ିତ ହୋଇଥିଲେ । ତାପରେ ପୁରୀଜିଲ୍ଲା ସ୍କୁଲରୁ ନାମ କଟାଇ ୧୯୦୬ ମସିହାରେ କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ । ୧୯୦୮ ମସିହାରେ ସେ କୃତିତ୍ୱର ସହ ଏଣ୍ଟ୍ରାନ୍ସ ପାଶ୍ କରି ୧୫ ଟଙ୍କା ସରକାରୀ ବୃତ୍ତି ପାଇବା ସହ ରେଭେନ୍‍ସା ମହାବିଦ୍ୟାଳୟରେ ଏଫ୍.ଏ. ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୧୦ ମସିହାରେ ସେ ମାସିକ ୨୦ ଟଙ୍କା ସରକାରୀ ବୃତ୍ତିପାଇ ଏଫ୍.ଏ. ପରୀକ୍ଷା ଦେଇ କୃତିତ୍ୱର ସହ ପାଶ୍ କରିଥିଲେ । ଏହାପରେ ସେ ୧୯୧୨ ମସିହାରେ ରେଭେନ୍‍ସା ମହାବିଦ୍ୟାଳୟରୁ ଅନର୍ସ ସହ ବି.ଏ. ପାଶ୍ କରି ମାସିକ ୩୦ ଟଙ୍କା ବୃତ୍ତିପାଇ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନରେ ଏମ୍. ଏ ଓ ଓକିଲାତି ଏକ ସମୟରେ ପଢ଼ିଥିଲେ । ସେ ୧୯୧୪ ମସିହାରେ ଦର୍ଶନ ଶାସ୍ତ୍ରରେ ଦ୍ୱିତୀୟ ଶ୍ରେଣୀରେ ଏମ୍.ଏ. ପାଶ୍ କରିବା ସହ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।

 

କୃପାସିନ୍ଧୁଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ୧୯୧୪ ମସିହାରେ । ସେ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟରେ ୩ୟ ଶିକ୍ଷକଭାବେ ମାସିକ ୫୦ ଟଙ୍କା ଦରମାରେ ନିଯୁକ୍ତି ପାଇଥିଲେ । ସେ ଥିଲେ ଉକ୍ତ ବିଦ୍ୟାଳୟର ଇତିହାସ ସମିତିର ସଭାପତି । ୧୯୧୮ ମସିହା ଫେବୃୟାରୀ ୭ ତାରିଖରୁ ୧୯୨୭ ମସିହା ପର୍ଯ୍ୟନ୍ତ ସେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

 

୧୯୨୦ ମସିହା ସେପ୍ଟେମ୍ବର ୪ ତାରିଖରେ କୃପାସିନ୍ଧୁ ଗୋପବନ୍ଧୁଙ୍କ ସହ କଲିକତାରେ-। ଭାରତୀୟ ଜାତୀୟ କଂଗ୍ରେସର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ ଲାଲା ଲାଜପତରାୟ । ୧୯୨୧ ମସିହାରେ ମହାତ୍ମାଗାନ୍ଧୀ କରିଥିବା ଅସହଯୋଗ ଆନ୍ଦୋଳନରେ ମଧ୍ୟ କୃପାସିନ୍ଧୁ ଅଂଶଗ୍ରହଣ କରିଥିଲେ । ପୁରୀଜିଲ୍ଲା କଂଗ୍ରେସ କମିଟିର ପରିଚାଳକ ରୂପେ ସେ ୧୯୨୧ ମସିହାରେ ଦାୟିତ୍ଵଗ୍ରହଣ କରିଥିଲେ । ୧୯୨୪ ମସିହା ଜୁଲାଇ ୧୪ ତାରିଖରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୧୯୨୬ ମସିହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ବୋର୍ଡର ସଦସ୍ୟ ରହିଥିଲେ । ଏହା ମଧ୍ୟରେ ସେ ଅନେକ ଜନହିତକର କାର୍ଯ୍ୟ ସମ୍ପାଦନା କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲେ ।

 

କୃପାସିନ୍ଧୁ ମିଶ୍ରଙ୍କର ଜୀବନ ଥିଲା କର୍ମମୟ । ଜୀବନକୁ ସର୍ବଦା କର୍ତ୍ତବ୍ୟମୁଖର ରଖିବାରେ ସେ ଥିଲେ ଅପ୍ରତିଦ୍ୱନ୍ଦୀ । ତେଣୁ ଶାରୀରିକ କର୍ମକୁ ଛାଡ଼ିଦେଲେ ସେ ନିଜକୁ ସର୍ବଦା ସାରସ୍ୱତ ସାଧନାରେ ବିନିଯୋଗ କରୁଥିଲେ । ଦର୍ଶନଶାସ୍ତ୍ରରେ ଅଧ୍ୟାପନା କରିଥିଲେ ମଧ୍ୟ ଓଡ଼ିଶାର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କୀର୍ତ୍ତିସମ୍ଭାର ପ୍ରତି ତାଙ୍କର ଥିଲା ବିଶେଷ ଆକର୍ଷଣ-। ଏଥିପାଇଁ ସତ୍ୟବାଦୀରେ ଗଠିତ ଇତିହାସ ସମିତିରେ ପଠିତ ତଥା ଆଲୋଚିତ ପ୍ରବନ୍ଧକୁ ମଧ୍ୟ ସମସାମୟିକ ପତ୍ରପତ୍ରିକାରେ ପ୍ରକାଶ କରାଉଥିଲେ । ଏହି ପ୍ରବନ୍ଧମାନଙ୍କ ମଧ୍ୟରେ ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ଗୁରୁକୁଳ (୧/୧), ସତ୍ୟବାଦୀ ବା ସାକ୍ଷୀଗୋପାଳ (୧/୨), ବୃନ୍ଦାବନ (୧/୩), ସାକ୍ଷୀଗୋପାଳ (୧୪), ଯୁଦ୍ଧଧନ (୧/୫), କଟକ ଅଧିଷ୍ଠାନ (୧/୬), ସତ୍ୟବାଦୀ ପ୍ରୟାଣ (୧/୭), ଦେଉଳଭୋଗ ପ୍ରତିଷ୍ଠା (୧/ ୮), ସହସ୍ର ହାଣ୍ଡି ଏକ ଠେଙ୍ଗା (୧/୯), ରାଧାକୃଷ୍ଣ (୨/୩,୪), ନୂତନ ଦେଉଳ (୨/୫ରୁ ୭), ଶାସନ ଓ ତତ୍ତ୍ଵାବଧାନ (୨/୮ରୁ ୧୨), ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର (୧/୮, ୯, ୧/ ୧୦-୧୧), କୋଣାର୍କ ମନ୍ଦିରର ଶିଳ୍ପ ଓ ସ୍ଥାପତ୍ୟ (୨/୫-୭, ୨i୮-୧୨), ଭାରତ ଇତିହାସରେ ବୈଦେଶିକ ଆକ୍ରମଣ (୩/୧-୨), ହିନ୍ଦୁର ସମାଜ ବିଧାନ (୩/୫-୬, ୩/୭-୮), ଅଦୃଷ୍ଟବାଦ (ଉତ୍କଳ ସାହିତ୍ୟ ସମାଜର ୧.୧୨.୧୯୧୭ରେ ପଠିତ) (୩/୯–୧୦, ୩/୧୧-୧୨), ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ (୪/୪-୫, ୪/୬-୭, ୫/୫, ୫/୬-୭) ଓଡ଼ିଶାରେ ଇଂରେଜ ବାଣିଜ୍ୟ କୋଠି (୪/୮-୧୨, ୫୩-୪), ତକ୍ଷଶୀଳାର ଆବିଷ୍କ୍ରିୟା (୬୧); ମୁକୁର, ପତ୍ରିକାରେ ପ୍ରକାଶିତ ସ୍ୱର୍ଗୀୟ ରମେଶଚନ୍ଦ୍ର (୫/୬, ୧୯୧୨) କବିତା (୫/୭-୮), ସତେକି (୬୮,୯) କା (୭୬), ଲୀଳା (୮୭, ୮୮-୯) ରାଜଭକ୍ତି (୯/୭, ୧୯୧୪) ନବଯୌବନର ବିପଦ (୧୦| ୧୧, ୧୨) ଆଦି ଉଲ୍ଲେଖଯୋଗ୍ୟ ।

 

ଏହାକୁ ବାଦ୍ ଦେଲେ ମୁକୁର ପତ୍ରିକାରେ ୧୯୧୩ ମସିହାରେ ଧାରାବାହିକ ଭାବେ ପ୍ରକାଶିତ ବାରବାଟୀ ଦୁର୍ଗ ୧୯୧୭ ମସିହାରେ ପୁସ୍ତକାକାରରେ ଲୋକଲୋଚନକୁ ଆସିଥିଲା । ତାଙ୍କର ଅନ୍ୟାନ୍ୟ ସାରସ୍ୱତ କୃତି ମଧ୍ୟରେ କୋଣାର୍କ (୧୯୧୯), ହିଷ୍ଟ୍ରି ଅଫ୍ ଇଂଲଣ୍ଡ (୧୯୨୦) ଓ ଉତ୍କଳ ଇତିହାସ (୧୯୨୬) ଆଦି ଅନ୍ୟତମ । ତାଙ୍କର ଇଂରାଜୀରେ ରଚିତ ହିଷ୍ଟ୍ରି ଅଫ୍‍ ଇଂଲଣ୍ଡ ଗ୍ରନ୍ଥଟି ଉଚ୍ଚ ଇଂରାଜୀ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରଚଳିତ ଥିଲା ।

 

ସାରସ୍ୱତ ସାଧକ କୃପାସିନ୍ଧୁଙ୍କର ରଚନାବଳୀକୁ ଅନୁଧ୍ୟାନ କଲେ ସେଥିରେ ତାଙ୍କର ଇତିହାସ ସଚେତନତା, ଯୁକ୍ତିନିଷ୍ଣତା, ଭାବପ୍ରବଣତାର ବିଶେଷତ୍ୱ ଦେଖିବାକୁ ମିଳିଥାଏ । ନିରଳସ ଭାବରେ ପଢ଼ିବା ଓ ଗବେଷଣାରେ ନିବିଷ୍ଟ ଭାବରେ କାର୍ଯ୍ୟକରିବା ଥିଲା ତାଙ୍କର ମହନୀୟତା । କାର୍ଯ୍ୟସାଧନରେ ସେ ଥିଲେ ସର୍ବଦା ସଚେଷ୍ଟ । ଅପଠିତଙ୍କୁ ପାଠ ପଢ଼ାଇ ମନୁଷ୍ୟ ପରି କାର୍ଯ୍ୟକ୍ଷମ କରାଇବାରେ କୃପାସିନ୍ଧୁଙ୍କର ଥିଲା ଆତ୍ମତୃପ୍ତି । ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ଭାଷାର ସାରଲ୍ୟ, ପ୍ରକାଶଭଙ୍ଗୀରେ ଔଜଲ୍ୟ ପରିଲକ୍ଷିତ ହୁଏ । ସେ ଗୋଟିଏ କଥାକୁ ପ୍ରକାଶ କରିବା ପାଇଁ ଯେପରି ଭାବରେ ନୀତିନିଷ୍ଠ, କର୍ତ୍ତବ୍ୟନିଷ୍ଣଭାବରେ କାର୍ଯ୍ୟ କରୁଥିଲେ ତାହା ବାସ୍ତବିକ ପ୍ରଶଂସନୀୟ । ସ୍ଵଦେଶପ୍ରେମ, ଜାତୀୟତା ତଥା ସତ୍ୟନିଷ୍ଠାର ମୁଦ୍ରାଙ୍କ ତାଙ୍କର ପ୍ରତ୍ୟେକ ଲେଖାକୁ ପୁଷ୍କଳ କରିଛି । ଏହି ମହାନ୍ ଆଦର୍ଶପ୍ରେମୀ, ସତ୍ୟନିଷ୍ଠ ଐତିହାସିକ ୧୯୨୬ ମସିହା ଫେବୃୟାରୀ ମାସ ୧୨ ତାରିଖ ସଂକ୍ରାନ୍ତିଦିନ ୧୦ ଘଣ୍ଟା ସମୟରେ ମୃତ୍ୟୁବରଣ କରିବାଦ୍ୱାରା ଓଡ଼ିଶା ତାର ଜଣେ କୃତବିଦ୍ୟ ସନ୍ତାନକୁ ହରାଇଲା ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଚନ୍ଦ୍ରପ୍ରଭା ସାହି-୨,

ବ୍ରହ୍ମପୁର-୭୬୦୦୦୧, ଗଞ୍ଜାମ

***

 

ଜାତିସ୍ମର ଐତିହାସିକ କୃପାସିନ୍ଧୁଙ୍କ ତତ୍ତ୍ୱ ଜିଜ୍ଞାସା

ଅପୂର୍ବ ରଞ୍ଜନ ରାୟ

 

ଜାତୀୟ ଜୀବନ ବିକାଶରେ ଯେଉଁ ସତ୍ୟବାଦୀର ସାଧକମାନେ ନିଜକୁ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ହେଉଛନ୍ତି ଉଲ୍ଲେଖନୀୟ ବ୍ୟକ୍ତିତ୍ୱ । ସଂକୀର୍ଣ୍ଣତା ଠାରୁ ଉର୍ଦ୍ଧରେ ରହି, ଜାତି ପାଇଁ ସେ ଆତ୍ମସଚେତନ ହୋଇଥିଲେ । ପରମ୍ପରା ଓ ଐତିହ୍ୟ ସହିତ ବର୍ତ୍ତମାନ ପିଢ଼ିକୁ ପରିଚିତ କରିବା ଲକ୍ଷ୍ୟ ନେଇ, ଇତିହାସର ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରିଛନ୍ତି । ପୂର୍ବପୁରୁଷଙ୍କ ଗରିମା, ତ୍ୟାଗପୂତ ଜୀବନ ଓ ବୀରତ୍ୱ ପ୍ରତି ଜାତି ସଚେତନ ନ ରହିଲେ, ଭବିଷ୍ୟତ ଅନ୍ଧକାରମୟ, ଏହା ଥିଲା ଇତିହାସ-ପ୍ରେମୀ କୃପାସିନ୍ଧୁଙ୍କ ଉଦ୍‍ବୋଧନ ।

 

୧୮୮୭ ମସିହା ଜୁନ୍ ମାସ ୨୭ ତାରିଖରେ କୃପାସିନ୍ଧୁ ପୁରୀର ହରେକୃଷ୍ଣପୁର ଗାଁରେ ଭୂମିଷ୍ଠ ହୁଅନ୍ତି । ଜନ୍ମ ହେବାର ମାତ୍ର ଏଗାର ଦିନ ନିଜ ଜନ୍ମସ୍ଥାନରେ କଟିଲା । ପରବର୍ତ୍ତୀ ସମୟରେ ମଉସା ଭିକାରୀ ମିଶ୍ରଙ୍କ ବୀରପ୍ରତାପପୁର ପରିବାରରେ ସେ ହେଲେ ପୌଷ୍ୟପୁତ୍ର । କୈଶୋରାବସ୍ଥାରୁ ସେ ତାଙ୍କ ଅସାଧାରଣ ଜ୍ଞାନ ଓ ମେଧାର ପରିଚୟ ଦେଇଥିଲେ । ଆର୍ଥିକ ଅନଟନ ଭିତରେ ଗତିକରି, ମେଧାବୃତ୍ତିକୁ ସମ୍ବଳକରି ବିଦ୍ୟାଧ୍ୟୟନ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପାଶ୍ କରିବା ପରେ, ଅଧ୍ୟାପକ ଚାକିରି ପାଇଁ ସୁଯୋଗ ଆସିଥିଲା । ମାତ୍ର ସେଥିପ୍ରତି ପ୍ରଲୋଭିତ ନହୋଇ ଦେଶସେବାରେ ନିଜକୁ ନିୟୋଜିତ କଲେ । ୧୯୧୪ ମସିହା ଜୁଲାଇ ମାସ ୨୮ ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତାକୁ ଆଦରି ନେଲେ । ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ପ୍ରଥମେ ସହକାରୀ ଶିକ୍ଷକ ରୂପେ ସେଠାରେ ଯୋଗଦେଇ, ପରେ ୧୯୧୯ ମସିହାରେ ପ୍ରଧାନ ଶିକ୍ଷକ ପଦକୁ ଉନ୍ନୀତ ହୋଇଥିଲେ । ୧୯୨୬ ମସିହା ପର୍ଯ୍ୟନ୍ତ ଏହି ପଦବୀ ସେ ମଣ୍ଡନ କରିଥିଲେ । ତାଙ୍କ ସାଧନାକାଳରେ ଉତ୍କଳପ୍ରାଣତାର ପରିଚୟ ମିଳିଥିଲା ।

 

ଭାରତର ସ୍ଵାଧୀନତା ପାଇଁ କଂଗ୍ରେସ ସଂଗଠନ ସହିତ ମିଶି ଯାଇଥିଲେ । ଲାଲା ଲଜପତ ରାୟଙ୍କ ଅଧ୍ୟକ୍ଷତାରେ ୧୯୨୦ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ କଲିକତାଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧିବେଶନରେ ଜଣେ ସଦସ୍ୟ ରୂପେ ଯୋଗ ଦେଇ, ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ପୁରୀ ଜିଲ୍ଲା କଂଗ୍ରେସ କମିଟିର ପରିଚାଳନା ଦାୟିତ୍ୱ ୧୯୨୧ ମସିହାରେ କଂଗ୍ରେସର କର୍ମକର୍ତ୍ତାମାନେ ନ୍ୟସ୍ତ କରିଥିଲେ । ପୁରୀର ଜିଲ୍ଲାବୋର୍ଡ ସଦସ୍ୟ ରୂପେ ସେ ୧୯୨୪ ମସିହାରେ ନିର୍ବାଚିତ ହୋଇଥିଲେ-। ଏହି ସମୟରେ କୃପାସିନ୍ଧୁ ମଧ୍ୟ ଜିଲ୍ଲା ଶିକ୍ଷା କମିଟିର ସଦସ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ-

 

ସତ୍ୟବାଦୀ ବନବିଦ୍ୟାଳୟରେ ଆପଣ ନିଷ୍ଠା ଓ ଆନ୍ତରିକତା ପାଇଁ ଯଶସ୍ୱୀ ଶିକ୍ଷକ ହୋଇପାରିଥିଲେ । ‘ଉତ୍କଳ ଇତିହାସ’, ‘କୋଣାର୍କ’ (୧୯୧୯) ଓ ବାରବାଟୀ ଦୁର୍ଗ ପ୍ରଭୃତି ଗ୍ରନ୍ଥର ରଚୟିତା । ଓଡ଼ିଶାର ରାଜା ମହାରାଜାଙ୍କ ଅମୁଲ୍ୟ କୀର୍ତ୍ତି ହେଉଛି ଏହି ଦୁର୍ଗ । ପ୍ରଥମେ ଏହା ୧୯୧୩ ମସିହାରେ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଇଥିଲା । ବିଦଗ୍ଧ ପାଠକ ସମାଜର ଅନୁରୋଧକ୍ରମେ ଏହାକୁ ସେ ୧୯୧୭ ମସିହାରେ ସ୍ୱତନ୍ତ୍ର ପୁସ୍ତକ ଭାବରେ ପ୍ରକାଶ କରିଥିଲେ । ଏହା ଏକ ତଥ୍ୟ ସମ୍ବଳିତ ଗବେଷଣାତ୍ମକ ରଚନା । ବିଶିଷ୍ଟ ପ୍ରତ୍ନତାତ୍ତିକ ରାଜେନ୍ଦ୍ରଲାଲ ମିତ୍ର, ଫର୍ଗୁସନ ଓ ଷ୍ଟାର୍ଲ ପ୍ରମୁଖ ଏହା ପୂର୍ବରୁ ଇଂରାଜୀରେ ବାରବାଟୀ ଦୁର୍ଗ ଉପରେ କିଛି ଲେଖିଥିଲେ । ମାତ୍ର ପଣ୍ଡିତ ମିଶ୍ରଙ୍କର ଏହା ହେଉଛି ସ୍ଵତନ୍ତ୍ର ଧରଣର ବିଶ୍ଳେଷଣାତ୍ମକ ଓଡ଼ିଆ ଭାଷାର ଉଦ୍‍ବୋଧନମୂଳକ ଐତିହାସିକ ଦଲିଲ । ବ୍ୟାସକବି ଫକୀରମୋହନ ଏହାକୁ ପାଠକରି ମନ୍ତବ୍ୟ ଦେଇଥଲେ- “ବାରବାଟୀ ପ୍ରବନ୍ଧ ଆପାତତଃ ଉତ୍କଳ ଭାଷା- ଭଣ୍ଡାରରେ ଗୋଟିଏ ମାଣିକ୍ୟ ।”

 

ତାଙ୍କ ଦ୍ୱାରା ରଚିତ ‘କୋଣାର୍କ’ ଗ୍ରନ୍ଥ ଓଡ଼ିଆ ଗଦ୍ୟସାହିତ୍ୟରେ ଦୁର୍ଲଭ ସର୍ଜନା । ମନ୍ମୟ ପ୍ରବନ୍ଧକାର ରୂପେ ସେ ଉଚ୍ଚ ଆସନର ଅଧିକାରୀ । ଏହା ଏକ ଇତିହାସ ଗ୍ରନ୍ଥ ହେଲେ ହେଁ, ସାହିତ୍ୟ ମୂଲ୍ୟ ଏଥିରେ ଉଣା ହୋଇନାହିଁ । ଐତିହାସିକ କୃପାସିନ୍ଧୁଙ୍କ ଏହା ହିଁ ବୈଶିଷ୍ଟ୍ୟ । ୧୯୧୯ ମସିହାରେ ବାମଣ୍ଡାଧୀଶ୍ୱର ରାଜା ଶ୍ରୀ ଦିବ୍ୟଶଙ୍କର ସୁଢ଼ଳଦେବ ସି.ବି.ଇ.ଙ୍କ ଆନୁକୁଲ୍ୟରେ ଏହି ଗ୍ରନ୍ଥଟି ପ୍ରକାଶିତ ହୋଇଥିଲା । ମଧୁସୂଦନ ଦାସ ତାଙ୍କ ମୁଖବନ୍ଧରେ ଲେଖିଛନ୍ତି- ‘କୋଣାର୍କ ସନ୍ନିହିତ ଚନ୍ଦ୍ରଭାଗା ନଦୀରେ କେବେ ସ୍ନାନବିଧ ସର୍ବପ୍ରଥମେ ଅନୁଷ୍ଠିତ ହୋଇଥିଲା, ତାହା ଅନ୍ୱେଷଣ କରିବାକୁ ଯାଇ ‘କୋଣାର୍କ’ ନାମରୁ କୋଣାବସ୍ଥିତ ଅର୍କର ସମୟ ସ୍ଥିର କରି ସ୍ଥାନର ଆରମ୍ଭ ନିରୁପଣ କରିବାକୁ ଗ୍ରନ୍ଥକାର ଚେଷ୍ଟା କରିଅଛନ୍ତି ।’

 

‘ଉତ୍କଳ ଇତିହାସ’ ଅସମ୍ପୂର୍ଣ୍ଣ ହେଲେ ହେଁ ତାହା ଉଲ୍ଲେଖନୀୟ ଇତିହାସ ଗ୍ରନ୍ଥ । କୃପାସିନ୍ଧୁ ୧୯୨୫ ମସିହାରେ ଏହା ରଚନା କରିଥିଲେ । ମୃତ୍ୟୁ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିପାରିଲେ ନାହିଁ । ୧୮୭୯ ମସିହାରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶା ଇତିହାସ’ ପ୍ରଥମ ରଚନା ପରେ, ଏହା ହେଉଛି ଓଡ଼ିଆ ଭାଷାର ଏକ ଅନବଦ୍ୟ ଇତିହାସ ରଚନା । ସେ ଦର୍ଶନ ସମ୍ବଳିତ ଉଚ୍ଚକୋଟୀର ପ୍ରବନ୍ଧ ରଚନା କରି ଜଣେ ମନନଶୀଳ ଦାର୍ଶନିକର ପରିଚୟ ଦେଇଥିବାବେଳେ, ଇତିହାସ ଆଧାରିତ ବିଶ୍ଳେଷଣାତ୍ମକ ଗଦ୍ୟ ରଚନାରେ କୃପାସିନ୍ଧୁ ତାଙ୍କ ଗବେଷଣାପ୍ରିୟତାର ପ୍ରମାଣ ଦେଇଛନ୍ତି । କେତୋଟି ମୌଳିକ ପ୍ରବନ୍ଧର ମଧ୍ୟ ଖ୍ୟାତନାମା ସ୍ରଷ୍ଟା ରୂପେ ସେ ନମସ୍ୟ । ତାଙ୍କ ଦୃଷ୍ଟିରେ “ମନୁଷ୍ୟ ଜୀବନ କର୍ମମୟ, କର୍ମରେ ଜୀବନ ଗଢ଼ା ଏବଂ କର୍ମ ବ୍ୟତିରେକେ ଜୀବନ ସମ୍ଭବ ନୁହେଁ । ଜୀବନରେ କର୍ମର ସୀମା ନାହିଁ । ପୁଣି ପ୍ରତ୍ୟେକ କର୍ମର ଫଳ ସ୍ୱତନ୍ତ୍ର । “ବିଭିନ୍ନ ସମୟରେ ତାଙ୍କ ରଚିତ ‘ଅଦୃଷ୍ଟବାଦ’, ‘କବିତା’, ‘ଲୀଳା’, ‘ହିନ୍ଦୁର ସମାଜ ବିଧାନ’ ଓ ‘କା’ ପ୍ରଭୃତି ପ୍ରବନ୍ଧ ଗୁଡିକ ‘ମୁକୁର’, ‘ସତ୍ୟବାଦୀ’, ‘ଉତ୍କଳ ସାହିତ୍ୟ’ ଆଦି ସମ୍ଭ୍ରାନ୍ତ ପତ୍ରିକାରେ ସ୍ଥାନିତ ହୋଇ, ବୁଦ୍ଧିଜୀବୀ ମହଲରେ ଆଦୃତ ହୋଇଥିଲା । ସେ ଜଣେ ସାର୍ଥକ ଗଦ୍ୟଶିଳ୍ପୀ ।

 

ସେଦିନ ଉଚ୍ଚଶିକ୍ଷାପ୍ରାପ୍ତ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ସାଧାରଣ ଶିକ୍ଷକ କୃପାସିନ୍ଧୁ, ଏପରି ବିଖ୍ୟାତ ଚିନ୍ତାଶୀଳ ଗଦ୍ୟକାର ହୋଇପାରିବେ, ଏହା କିଏ ବା ଭାବି ଥଲା ! ଏହି ଜାତିପ୍ରାଣ ଆଦର୍ଶ ଶିକ୍ଷକ, ଐତିହାସିକ, ସ୍ଵାଭିମାନୀ ଓ ଜ୍ଞାନ ଗରିଷ୍ଠ ସାଧକ ୧୯୨୬ ମସିହା ଫେବୃୟାରୀ ୧୨ ତାରିଖରେ ପରଲୋକ ଗମନ କରିଥିଲେ ।

 

ଜାତିସ୍ମର ଐତିହାସିକ କୃପାସିନ୍ଧୁଙ୍କ ଅମର କୃତି ହେଉଛି ‘କୋଣାର୍କ’ । ଓଡ଼ିଆ ଭାଷାରେ ଏହା ହିଁ ହେଉଛି କୋଣାର୍କ ସମ୍ପର୍କିତ ପ୍ରଥମ ପ୍ରାମାଣିକ ଗ୍ରନ୍ଥ । ଉତ୍କଳର ଗର୍ବ ଓ ଗୌରବ, ଉତ୍କଳୀୟ ଶିଳ୍ପୀର ଅମ୍ଲାନସ୍ୱାକ୍ଷର କୋଣାର୍କ ଉପରେ ଗ୍ରନ୍ଥ ରଚନା ପାଇଁ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ପ୍ରେରଣାରେ ଉଦ୍‍ବୁଦ୍ଧ କରିଥିଲେ । ବିଜ୍ଞ କୃପାସିନ୍ଧୁ ଗବେଷକ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଚରିତ କୋଣାର୍କ ଉପରେ ‘Antiquities of Orissa’ ଐତିହାସିକ ମନମୋହନ ଗାଙ୍ଗୁଲୀଙ୍କ ଲିଖିତ ‘Orissa and her Remains’, ଯନ୍ତ୍ରୀ ବିଶନ ସ୍ୱରୂପଙ୍କ ପ୍ରଣୀତ ‘Konarka’ ଗବେଷକ ହାଭେଲଙ୍କ ସୃଷ୍ଟ ‘Aryan Rule in India’, ରାଇଜ ଡେଭିସ ରଚନା କରିଥିବା ‘Buddhist India’ ପ୍ରଭୃତି ଗ୍ରନ୍ଥ ଅଧ୍ୟୟନ କରିଥିଲେ । ମିଃ. ବିଶନ ସ୍ୱରୂପ ହେଉଛନ୍ତି କଟକର ପୂର୍ବତନ ଜିଲ୍ଲା ଯନ୍ତ୍ରୀ । Encyclopaedia Britannica, article on ‘Orissa’ ‘‘The whole of Orissa is holy ground’’. ପାଟଳୀପୁତ୍ରର ଖନନ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଡଃ. ଡି.ବି. ସ୍ପୁନରଙ୍କ ରଚନା, ‘ଆଇନୀ ଆକବରୀ’ (Translated by Gladwin vol-I|) ହାବଟ ସେନସରଙ୍କ ‘‘The Principles of Sociology Vol-I’’ ଦାର୍ଶନିକ ପ୍ଲାଟୋଙ୍କ Republic, ଗବେଷକ ନଗେନ୍ଦ୍ରନାଥ ବସୁଙ୍କର ରଚିତ “ବିଶ୍ୱକୋଷରେ କୋଣାର୍କ”, Rev. A. Sutton in Sterling’s ‘Orissa’ Baptist Mission Edition ଆଦି ମୂଲ୍ୟବାନ ରଚନାକୁ ଐତିହାସିକ ଦୃଷ୍ଟିରୁ ସେ ଅଧ୍ୟୟନ କରି ଉତ୍କଳର ଗୌରବାବହ ଐତିହ୍ୟକୁ ବିଶ୍ଳେଷଣ କରିଛନ୍ତି । ‘କୋଣାର୍କ’ କେବଳ ଇତିହାସ ନୁହେଁ, ଯୁକ୍ତିନିଷ୍ଠ, ବହୁଶାସ୍ତ୍ରଦର୍ଶୀ, ଜ୍ଞାନଗର୍ଭକ ତଥ୍ୟଭିଭିକ ତଥା ପରମ୍ପରା, ସାମାଜିକ ଓ ସାଂସ୍କୃତିକ ବିଶ୍ଳେଷଣର ଦୁର୍ଲଭ ଦଳିଲ । ଜାତିପ୍ରୀତିର ମୁଗ୍ଧମଧୁର ଅକୁଣ୍ଡ ଉଚ୍ଚାରଣରେ ଏହା ମୁଖରିତ । କୃପାସିନ୍ଧୁ କହନ୍ତି- “ଧର୍ମ ବିଷୟରେ ଓଡ଼ିଶା ଭାରତବର୍ଷର ସଂକ୍ଷିପ୍ତ ସାର । ବୌଦ୍ଧ, ଜୈନ, ଶୈବ, ସୌର, ଶାକ୍ତ, ବୈଷ୍ଣବ ଓ ଗାଣପତ୍ୟ ପ୍ରଭୃତି ଯେଉଁ ଧର୍ମମାନ ଭାରତବର୍ଷର ଉଦିତ ହୋଇଅଛି, ସେ ପ୍ରତ୍ୟେକେ ଯଥା ସମୟରେ ଏହି କ୍ଷୁଦ୍ରଭୂମି ଖଣ୍ଡରେ ଆବିର୍ଭୁତ ହୋଇ ଅଦ୍ୟାବଧି ନିଜ ନିଜର ଅବଶେଷ ସୁଦ୍ଧା ରଖି ଯାଇଅଛି । ପରିମାଣରେ କ୍ଷୁଦ୍ର, କିନ୍ତୁ ଧର୍ମ ସାମ୍ରାଜ୍ୟରେ ଉତ୍କଳ ଯଥେଷ୍ଟ ମହୀୟାନ ।’’ (କୋଣାର୍କ- ପୃଷ୍ଠା ୨୧)

 

ସତ୍ୟବାଦୀ ବନବିଦ୍ୟାଳୟ ଜ୍ଞାନର ଗଭୀରତାକୁ ପ୍ରକଟିତ କରେ । ସଂକୀର୍ଣ୍ଣତାକୁ ଏହାର ଶିକ୍ଷା ବ୍ୟବସ୍ଥା ପ୍ରଶ୍ରୟ ଦିଏ ନାହିଁ । ସାଧକଙ୍କ ବାଣୀ ହିଁ ଜାତୀୟ ସାହିତ୍ୟ ସୃଷ୍ଟି କରେ । ଏହି ମନ୍ତ୍ରର ଅନ୍ୟତମ ଉଦ୍‌ଗାତା ହେଉଛନ୍ତି ପ୍ରଜ୍ଞାପୁରୁଷ କୃପାସିନ୍ଧୁ । ସତ୍ୟବାଦୀର ଗଦ୍ୟ ହେଉଛି ଓଡ଼ିଆ ଜାତୀୟତାର ଜୀବନ୍ତ ସ୍ୱାକ୍ଷର । ଏହି ଚେତନା ସୃଷ୍ଟତର ହୋଇଛି ତାଙ୍କ ‘କୋଣାର୍କ’ ଓ ‘ବାରବାଟୀ’ ଗ୍ରନ୍ଥରେ । ଲେଖକ ବିଶଦ ସ୍ୱରୂପ ତାଙ୍କ ‘କୋଣାର୍କ’ ଗ୍ରନ୍ଥରେ ଗୋଟିଏ ସଂଶୟ ପ୍ରକାଶ କରିଛନ୍ତି – “ଶାମ୍ବ ଯେଉଁ ଚନ୍ଦ୍ରଭାଗାରେ ସ୍ନାନ କରିଥିଲେ, ତାହା କୋଣାର୍କର ଚନ୍ଦ୍ରଭାଗା ନୁହେଁ । ବରଂ ପଞ୍ଜାବର ଚନ୍ଦ୍ରଭାଗା ବା ଚେନାବ ନଦୀ । କାରଣ ପଞ୍ଜାବର ଚନ୍ଦ୍ରଭାଗା ଶ୍ରୀକୃଷ୍ଣ ଓ ଶାମ୍ବଙ୍କ ବାସସ୍ଥାନ ଦ୍ଵାରକାକୁ ନିକଟ ।’’ ଏହି ମନ୍ତବ୍ୟ ଉପରେ ଯୁକ୍ତିବାଦୀ ବିଦ୍ୱାନ କୃପାସିନ୍ଧୁ କହନ୍ତି- “ତପସ୍ୟା କରିବା ପାଇଁ ଦୂରତା ବା ନିକଟତାର ବିଚାର ପୂର୍ବ ମନରେ କଦାପି ସ୍ଥାନ ପାଉନଥିଲା । କେହି କେବେ କୌଣସି ସ୍ଥାନ ନିକଟ ବୋଲି ସେ ସ୍ଥାନକୁ ତପସ୍ୟା କରିବାକୁ ଯାଉନଥିଲେ । ସ୍ଥାନ ଦୂର ହେଉ ବା ନିକଟ ହେଉ, ଉପଯୁକ୍ତ ସ୍ଥାନରେ ତପସ୍ୟା କରିବା ନିମନ୍ତେ ତପସ୍ୱୀମାନେ ଇଚ୍ଛା କରୁଥିଲେ । କପିଳ ମୁନି ତପସ୍ୟା ଉଦ୍ଦେଶ୍ୟରେ ପାତାଳପୁରୀ (ବର୍ତ୍ତମାନ ସାଗର ଦ୍ୱୀପ)ରେ ଆଶ୍ରମ କରିଥିଲେ ଏବଂ ଭଗୀରଥ ପିତୃମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱର୍ଗରୁ ପାତାଳ ପର୍ଯ୍ୟନ୍ତ ଭ୍ରମଣ କରିଥିଲେ । ରାବଣ ତପସ୍ୟା ନିମନ୍ତେ ଲଙ୍କାରୁ କୈଳାସ ଶିଖରକୁ ଯାଇଥିଲେ । ସୁତରାଂ ଶାମ୍ବଙ୍କର କୋଣାର୍କକୁ ଆସିବା କିଛି ଅସମ୍ଭବ ନୁହେଁ ।’’

 

ଅନ୍ୟତ୍ର ଗବେଷକ ମନମୋହନ ଗାଙ୍ଗୁଲୀ କୋଣାର୍କର ମୁଖଶାଳା ଉଚ୍ଚତା ୧୨୯ ଫୁଟ ୮ ଇଞ୍ଚ ମତ ଦିଅନ୍ତି । ଏହା ଉପରେ ଐତିହାସିକ କୃପାସିନ୍ଧୁ କହନ୍ତି- “ମୁଖଶାଳାର ମୋଟ ଉଚ୍ଚତା ୧୪୫ ଫୁଟ ହେଉଅଛି । କଳସ ଓ ଧ୍ୱଜ ୨୪ ଫୁଟ ଥିଲା । ସୁତରାଂ, କଳସ ଧ୍ୱଜକୁ ୧୫ ଫୁଟ ମାତ୍ର ଧରିଲେ ସୁଦ୍ଧା ମୁଖଶାଳାର ମୋଟ ଉଚ୍ଚତା ଏହି ମାପର । “ମାଦଳା ପାଞ୍ଜିରେ ଉଲ୍ଲିଖିତ “ମୁଖଶାଳାର ଉଚ୍ଚତା ୭୩ କାଠି, ଅର୍ଥାତ ୧୨୭ ଫୁଟ ୯ ଇଞ୍ଚ’’କୁ ସୁଦ୍ଧା କୃପାସିନ୍ଧୁ ଅସ୍ୱୀକାର କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗକୁ ନିଆଯାଉ । “ମନ୍ଦିରର ବେଢ଼ା ଚତୁର୍ଦ୍ଦିଗରେ ଗୋଟିଏ ପ୍ରାଚୀର ଥିଲା । ଏହି ପ୍ରାଚୀରର ଉଚ୍ଚତା ୧୫୦ ହାତ ଏବଂ ମୋଟା ୧୯ ହାତ ଥିଲା” ବୋଲି ଆବୁଲଫଜଲ ଦେଇଥିବା ମତାମତକୁ ସେ ଗ୍ରହଣ କରିନାହାନ୍ତି । ସେ କହନ୍ତି “ପ୍ରାଚୀରର ଯେଉଁ ଅଂଶ ବର୍ତ୍ତମାନ ଅଛି, ତାହା ଦେଖିଲେ ଆବୁଲଫଜଲଙ୍କ ବର୍ଣ୍ଣନା ନିତାନ୍ତ କାଳ୍ପନିକ ବୋଧହୁଏ । ବର୍ତ୍ତମାନ ଚାରି ଦିଗରେ ଅଳ୍ପ ଉଚ୍ଚରେ ପ୍ରାଚୀରର ଅବଶେଷ ଅଛି । ପୂର୍ବ ପଶ୍ଚିମରେ ଏହା ୮୫୭ ଫୁଟ ଏବଂ ଉତ୍ତର ଦକ୍ଷିଣରେ ୫୪୦ ଫୁଟ । ସୁତରାଂ ସମୁଦାୟ ବେଢ଼ାର ବର୍ଗକ୍ଷେତ୍ର ୪୬୨୭୮୦ ବର୍ଗଫୁଟ ବା ପ୍ରାୟ ୧୧ ଏକର ଏବଂ ପୁରୀମନ୍ଦିରର ବେଢ଼ାଠାରୁ ପ୍ରାୟ ୧ ଏକର ଅଧିକ । କୋଣାର୍କ ବେଢ଼ା ପ୍ରାଚୀରର ଉଚ୍ଚତା ୧୪ ଫୁଟ ଏବଂ ବେଧ ୫ ଫୁଟ ୪ ଇଞ୍ଚ ।” ଏପରିକି ଗବେଷକ ରାଜେନ୍ଦ୍ରଲାଲ ଏହାର ଉଚ୍ଚତା ପ୍ରାୟ ୨୫ ଫୁଟ ଓ ବେଧ ୭ ବା ୮ ପୁଟ ଧରିଥିବା ବେଳେ, କୃପାସିନ୍ଧୁ ନିଜ ହିସାବ ଅନୁସାରେ ଏହାକୁ ଖଣ୍ଡନ କରିଛନ୍ତି । ଅଧ୍ୟୟନ, ବିଶ୍ଳେଷଣରେ ତାଙ୍କର ଧ୍ୟାନ ଥାଏ । ଅନେକ ଜାଣି ସୁଦ୍ଧା, ସେ କିଛି ଜାଣି ନାହାନ୍ତି ବୋଲି କହନ୍ତି । ଆହୁରି ଅଧିକ ଜାଣିବା ଓ ବୁଝିବା ପାଇଁ ମନ ବ୍ୟାକୁଳ ହୁଏ ।

 

ଐତିହାସିକ କେବଳ କାଳ, ଦିନ ନିର୍ଦ୍ଧାରଣ କରେ ନାହିଁ । ସେ ବି ଧାରାବାହିକତାର ସଂଶୋଧନ ପାଇଁ ଗଭୀର ଦୃଷ୍ଟି ଦେଇଥାଏ । ଏଥିପାଇଁ ଅଧ୍ୟବସାୟ ଓ ଦୂରଦୃଷ୍ଟିର ଆବଶ୍ୟକତା ଥାଏ । ଇତିହାସ କେବଳ ଅତୀତକୁ ଚିହ୍ନ ନାହିଁ । ବର୍ତ୍ତମାନ ଉପରେ ତା’ର ବିଚାରବିମର୍ଶର ବ୍ୟାପକ ବିଶ୍ଳେଷଣ ମନୋଭାବକୁ ସୁଦୂରପ୍ରସାରୀ କରିଥାଏ । ଐତିହାସିକ କୃପାସିନ୍ଧୁ ସାଧାରଣ ଦୃଷ୍ଟିରୁ ‘କୋଣାର୍କ’ କୀର୍ତ୍ତିରାଜିକୁ ବିଚାର ନକରି, ଜଣେ ପ୍ରାଜ୍ଞ ବିଚାରକ ଭାବେ ନିରୀକ୍ଷା କରିଛନ୍ତି । ଏଥିରେ ତାଙ୍କର ବିଦବତ୍ତା, ପ୍ରଗାଢ଼ ଅଭିଜ୍ଞତା ଓ ବହୁଶାସ୍ତ୍ରଦର୍ଶିତାର ପ୍ରମାଣ ମିଳିଥାଏ । ତାମ୍ରଶାସନକୁ ସାଧାରଣତଃ ଐତିହାସିକମାନେ ଇତିହାସ ରଚନାର ମାପକାଠି ବୋଲି ଭାବିଥିବା ବେଳେ, କୃପାସିନ୍ଧୁ କିନ୍ତୁ ଏହା ଉପରେ ଆସ୍ଥା ରଖିପାରି ନାହାନ୍ତି । ସେ କହିଛନ୍ତି- “ମାଦଳାପାଞ୍ଜିରେ ଯେପରି ଅଯୌକ୍ତିକ କଥାମାନ ଥିବାର ଲେଖକମାନେ କହନ୍ତି, ଏହି ତାମ୍ରଶାସନରେ ତାହାଠାରୁ କୌଣସି କମ୍ ଅଯୌକ୍ତିକ କଥା ମଧ୍ୟ ନାହିଁ । ତାମ୍ରଶାସନର ୩୨ ଶ୍ଳୋକ ଅନୁସାରେ, ଚୋଡ଼ଗଙ୍ଗ ଦେବ ୭୦ ବର୍ଷ ଓଡ଼ିଶାରେ ରାଜା ହୋଇଥିଲେ । କିନ୍ତୁ ମାଦଳାପାଞ୍ଜି ଓ ‘ବଂଶାବଳୀ’ ଅନୁସାରେ, ୨୦ ବର୍ଷ । ଏହାକୁ ହଣ୍ଟର ଓ ଷ୍ଟର୍ଲିଙ୍ଗ ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ଐତିହାସିକ କୃପାସିନ୍ଧୁ ଆପଣା ଚିନ୍ତାଧାରା ସହାୟତାରେ ଗବେଷଣା କରି ତାମ୍ରଶାସନର ଉକ୍ତିକୁ ବିଶ୍ଵାସ କରିନାହାନ୍ତି । ତାଙ୍କ ମତରେ- “ଚୋଡ଼ଗଙ୍ଗ ୭୦ ବର୍ଷ ଓଡ଼ିଶାରେ ରାଜା ହୋଇଥିବା ସମ୍ଭବ ବୋଧହୁଏ ନାହିଁ । ସେ ନିଜ ରାଜ୍ୟରେ ଥିଲେ, ପରେ ନିଜେ ଓଡ଼ିଶା ଜୟକରି ରାଜା ହୋଇଥିଲେ ।” ଏତକ ମନ୍ତବ୍ୟ ପରେ କୃପାସିନ୍ଧୁ ନୀରବ ରହିଯାଇ ନାହାନ୍ତି । ସେ ପୁଣି ଦୃଢ଼ ସ୍ୱରରେ ପ୍ରକାଶ କରନ୍ତି- “ଓଡ଼ିଶା ଆକ୍ରମଣ ସମୟକୁ ତାହାଙ୍କୁ ବୟସ ଅବଶ୍ୟ ଯଥେଷ୍ଟ ହୋଇଥିଲା ।’’ ବିଶ୍ୱ ଇତିହାସର ଧାରା ସହିତ ଲେଖକଙ୍କ ଘନିଷ୍ଠ ସମ୍ପର୍କ ଥିବା ହେତୁ ସେ ଏହା ଉପରେ ବ୍ୟାଖ୍ୟା କରିବାକୁ ସକ୍ଷମ ହୋଇଛନ୍ତି । ତାଙ୍କ ମନ୍ତବ୍ୟ ହେଉଛି- “ସମସ୍ତ ପୃଥିବୀରେ ଫ୍ରାନ୍ସରାଜା ଚତୁର୍ଦ୍ଦଶ ଲୁଇଙ୍କ ରାଜତ୍ୱ ଦୀର୍ଘତମ । ସେ ୭୨ ବର୍ଷ ରାଜା ହୋଇଥିଲେ ଏବଂ ବାଲ୍ୟାବସ୍ଥାରୁ ରାଜ୍ୟଭାର ଗ୍ରହଣ କରିଥିଲେ । ଚୋଡ଼ଗଙ୍ଗ ସେପରି ବାଲ୍ୟାବସ୍ଥାରେ ଓଡ଼ିଶା ଆକ୍ରମଣ କରି ଅଧିକାର କରିଥିବା ସମ୍ଭବ ବୋଧହୁଏ ନାହିଁ ।” (“କୋଣାର୍କ”-ପୃଷ୍ଠା-୧୬୯-୧୭୦)

 

ପ୍ରଫେସର ଏଡୱାର୍ଡ ହାଲେଟ କାରଙ୍କ ଭାଷାରେ- ‘‘The function of the historian is neither to love the past nor to emancipate himself from the past, but to master and understand it as the key to the understanding of ଏହି ଉକ୍ତିକୁ ଐତିହାସିକ କୃପାସିନ୍ଧୁ ଗ୍ରହଣ କରିଛନ୍ତି । କୋଣାର୍କ ମନ୍ଦିରର ନିର୍ମାଣ ଲାଙ୍ଗୁଳା ନରସିଂହ ଦେବ ସୌର ଥିବାର ଷ୍ଟାର୍ଲିଙ୍ଗ ମତ ଦେଇଥାଆନ୍ତି । ମାତ୍ର କୃପାସିନ୍ଧୁଙ୍କ ମତରେ- “ଭାରତର ଯେଉଁ ସ୍ଥାନମାନଙ୍କରେ ସୂର୍ଯ୍ୟ ମନ୍ଦିର ପୂର୍ବେ ଥିଲା ବା ବର୍ତ୍ତମାନ ଅଛି, ତାହା କେବଳ ସୌର ସମ୍ପ୍ରଦାୟ କେନ୍ଦ୍ର ଥିବାର ସମ୍ପୂର୍ଣ୍ଣ ରୂପେ କୁହାଯାଇ ନପାରେ । ନରସିଂହ ଦେବଙ୍କ ଠାରୁ ଆରମ୍ଭ କରି ପରବର୍ତ୍ତୀ କେତେକ ଗଙ୍ଗବଂଶୀୟ ରାଜାମାନେ କେବଳ ସୌରଥଲେ, ତାହା ନିତାନ୍ତ ସତ୍ୟ ବୋଲି ଧରାଯାଇନପାରେ । ପରନ୍ତୁ, ଗଙ୍ଗବଂଶୀୟ । ରାଜାମାନେ ପରମ ବୈଷ୍ଣବ ଥାଇ ସୁଦ୍ଧା, ଆଧୁନିକ ହିନ୍ଦୁମାନଙ୍କ ପରି, ସୂର୍ଯ୍ୟଦେବଙ୍କର ଯେପରି ଏକାନ୍ତ ଭକ୍ତ ଥିଲେ, କେଶରୀ ରାଜାମାନେ ଶୈବ ଥାଇ ମଧ୍ୟ ସେହିପରି କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ଓ ସୂର୍ଯ୍ୟ ଉପାସନା କରୁଥିଲେ । ଏପରିସ୍ଥଳେ ସୂର୍ଯ୍ୟ ଉପାସନାକୁ ବୌଦ୍ଧଧର୍ମର ପରବର୍ତ୍ତୀ ଫଳ ମନେକରି କୋଣାର୍କ ନିର୍ମାଣକାରୀ ନରସିଂହ ଦେବଙ୍କୁ ବିଶିଷ୍ଟ ଭାବରେ ସୌରଜ୍ଞାନ କରିବା ହଣ୍ଟରଙ୍କର କେବଳ ଭ୍ରମମାତ୍ର ।” (କୋଣାର୍କ-ପୃଷ୍ଠା ୨୬-୨୭)

 

ଐତିହାସିକଙ୍କ ନିଜସ୍ୱ ଗବେଷଣାର ଦୂରତା କେତେ, ପରସ୍ଵ ଚିନ୍ତାଧାରା ଦ୍ଵାରା ଏହା କେତେଦୂର ପ୍ରଭାବିତ, ଆପଣା ଗବେଷଣାରେ ନୂତନତାର ଧାରା କେତେ ମାତ୍ରାରେ ରହିଛି, ପୁରାତନତାକୁ କେତେ ଆଶ୍ରା କରିଛି, ସତ୍ୟ ଅସତ୍ୟର ମାତ୍ରା କେତେ ଗ୍ରାସ କରିଛି, ଏସବୁକୁ ବିଚାର କରିବା ଜଣେ ଇତିହାସବିତଙ୍କ ପ୍ରଧାନ କର୍ତ୍ତବ୍ୟ । ପ୍ରତ୍ନତତ୍ତ୍ୱବିତଙ୍କ ପରି ସେ ମଧ୍ୟ ଆବିଷ୍କାରକ । କୃପାସିନ୍ଧୁ ଐତିହାସିକ ଭାବରେ କେବଳ ସଙ୍କଳକ ନୁହନ୍ତି । ପ୍ରତ୍ନତତ୍ତ୍ୱବିତ୍‍ର ରାଖାଲ ଦାସ ବାନାର୍ଜୀଙ୍କୁ ଐତିହାସିକର ସମ୍ମାନ ମଧ୍ୟ ଦିଆଯାଇଥାଏ । ସେ ହେଉଛନ୍ତି ଓଡ଼ିଶା ଇତିହାସ ରଚନାର ପ୍ରଥମ ଲେଖକ । ଯେ ଯେଭଳି ନୂତନ ଶୈଳୀରେ ଏହାକୁ ଲେଖିଥଲେ, ପରବର୍ତ୍ତୀ କାଳରେ ଇତିହାସ ଲେଖକମାନେ ଜଣେ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଇତିହାସ ରଚନାକୁ ଦେଖି ଚର୍ଚ୍ଚା କରିଥିଲେ । ମାଦଳାପାଞ୍ଜି’କୁ କଳାପାହାଡ଼ ପୁରୀର ଜଗନ୍ନାଥ ମନ୍ଦିର ଲୁଣ୍ଠନ ବେଳେ ପୋଡ଼ି ଦେଇଥିବା ଐତିହାସିକମାନେ ମତ ଦିଅନ୍ତି । ମାତ୍ର କୃପାସିନ୍ଧୁଙ୍କ ମତରେ- “କଳାପାହାଡ଼ ‘ମାଦଳାପାଞ୍ଜି ପୋଡ଼ି ଦେଇଥିବାର କୌଣସି ପ୍ରମାଣ ନାହିଁ । ସେ ଦେଉଳ ଲୁଣ୍ଠନ କରିଥିଲା ସତ, କିନ୍ତୁ ପାଞ୍ଜି ଦେଉଳରେ ନଥାଇ ସର୍ବଦା ଦେଉଳକରଣଙ୍କ ଘରେ ଥାଏ । “ସେ ଦୃଷ୍ଟିରୁ ସେ ପୁଣି କହନ୍ତି- “ଅବଶ୍ୟ ମାଦଳାପାଞ୍ଜିରେ ମଧ୍ୟେ ମଧ୍ୟେ ଅସଙ୍ଗତ କଥା ଥାଇପାରେ । କଳାପାହାଡ଼ ପାଞ୍ଜି ପୋଡ଼ି ଦେଇଥିବା ଯଦି ସତ୍ୟ ହୁଏ, ତାହାହେଲେ ପରେ ପୁନରାୟ ଲେଖାହେଲାବେଳକୁ କେତେକ ବିଷୟରେ ପ୍ରଭେଦ ରହିଥିବା ବିଚିତ୍ର ନୁହେଁ ।” (କୋଣାର୍କ-ପୃଷ୍ଠା-୧୭୫) ଶ୍ରୀ ବିଷନ ସ୍ୱରୂପ କୋଣାର୍କ ମନ୍ଦିର ପୁରନ୍ଦର କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏବଂ ଆବୁଲଫଜଲ ମନ୍ଦିର ୭୩୦ ବର୍ଷ ପୂର୍ବେ ନିର୍ମିତ ହୋଇଛି ବୋଲି ଦର୍ଶାଇଛନ୍ତି । କିନ୍ତୁ ତତ୍ତ୍ଵସନ୍ଧିତ୍ସୁ କୃପାସିନ୍ଧୁ ବିଭିନ୍ନ ଗବେଷଣାରୁ ସାର ସଂଗ୍ରହ କରି କହନ୍ତି- “କୋଣାର୍କର ସମସ୍ତ ମନ୍ଦିର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ୧୨୭୮ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଇତିହାସର କଠୋର ସତ୍ୟ ସମକ୍ଷରେ, ଏ ସମସ୍ତ ମନ୍ତବ୍ୟ ସୂର୍ଯ୍ୟ କିରଣରେ କୁହୁଡ଼ି ସଦୃଶ କେଉଁଆଡ଼େ ଅନ୍ତର୍ହିତ ହୋଇଯାଏ-।’’ (କୋଣାର୍କ- ପୃଷ୍ଠା ୧୯୩) ଏଠାରେ ଗୋଟିଏ ଉକ୍ତି ମନେପଡ଼େ- The Craving for an interpretation of history is so deep-rooted that, unless we have a constructive outlook over the past, we are drawn either to mysticism on to cyncism.’’ (Modern Historians and the study of History’ (1955)- P-174, by E Powicke.) ଅତୀତକୁ ଯଥାର୍ଥ ରୂପେ ଦେଖିପାରିଲେ, ବିଶ୍ଳେଷଣ ଗଭୀରତାକୁ ସ୍ପର୍ଶକରେ । ଏତେବେଳେ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଐତିହାସିକ ବିଚାର ଲାଗି ତଥ୍ୟ ଥାଇପାରେ ।

 

ହୁଏନସାଂ, ଶ୍ରୀ ବିଷନ ସ୍ଵରୂପ ଓ ଆଉ କେତେଜଣ ଗବେଷକ ବୌଦ୍ଧଧର୍ମ ଦ୍ଵାରା ‘କୋଣାର୍କ’ ମନ୍ଦିର ପ୍ରଭାବିତ ଏବଂ ବୌଦ୍ଧଧର୍ମର ପରମ୍ପରା ଏଠାରେ ରକ୍ଷା କରାଯାଇଛି ବୋଲି କହନ୍ତି, ସେପରି ମନ୍ତବ୍ୟ ଭ୍ରମାତ୍ମକ ବୋଲି ତତ୍ତ୍ୱଦର୍ଶୀ କୃପାସିନ୍ଧୁ ପ୍ରାମାଣିକ ଯୁକ୍ତି ଦର୍ଶାଇ କହିଥାଆନ୍ତି । ତାଙ୍କ ମତରେ “କୋଣାର୍କରେ ଯେଉଁ କାମ ହୋଇଅଛି, ତହିଁରେ ବୌଦ୍ଧାବଶେଷର କୌଣସି ପରିଚୟ ନାହିଁ । ବୌଦ୍ଧଶିଳ୍ପର ଯାହା ବିଶେଷତ୍ୱ ଏବଂ ଯଥାର୍ଥ ବୌଦ୍ଧସ୍ତୁପ ବା ମନ୍ଦିରମାନଙ୍କରେ କେବଳ ଯାହା ବିଶେଷ ଭାବରେ ଦେଖାଯାଏ, ତାହାର କୌଣସି ଆଭାସ କୋଣାର୍କରେ ନାହିଁ । “ସେ ଆହୁରି ସ୍ପଷ୍ଟ କରିଦେଇଛନ୍ତି । କାରଣ ଇତିହାସ ଅନୁସନ୍ଧାନକାରୀ ସ୍ପଷ୍ଟ ଓ ପ୍ରାଞ୍ଜକ ମତ ନଦେଇ ପାରିଲେ, ପରବର୍ତ୍ତୀ ଆଲୋଚନା ପାଇଁ ସେହି ଇତିହାସ ସହାୟକ ହୁଏ ନାହିଁ । ଏହି ମର୍ମରେ କୁହାଯାଇଛି ‘‘One should proceed (he wrote) by feeling one’s way; one should try out probable and partial hypotheses, and be satisfied with provisional approximations so as always to leave the door open to progressive correction.’’ [Materiaux dune theorie du proletariat (1919), P-7. By G. Sorel] ଇତିହାସବିତ୍ କୃପାସିନ୍ଧୁ ପୁନଶ୍ଚ କହିଛନ୍ତି- ବୌଦ୍ଧଧର୍ମର ପ୍ରଭାବ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଭୁବନେଶ୍ଵର ମନ୍ଦିର ନିର୍ମିତ ହୋଇଥିଲା । ହିନ୍ଦୁ ଶିଳ୍ପରେ ଯଦି କିଛି ବୌଦ୍ଧ ପ୍ରଭାବ ଥା’ନ୍ତା, ତାହାହେଲେ ଭୁବନେଶ୍ୱରରେ ବୌଦ୍ଧଶିଳ୍ପର ବିଶେଷତ୍ଵ ବିଶେଷ ଭାବରେ ଦେଖାଯାଇଥାନ୍ତା-। ସୁତରାଂ, ଅନୁମାନ କରାଯାଏ ଯେ ହିନ୍ଦୁଶିଳ୍ପ ଏତେ ବିସ୍ତାର ଭାବରେ ବୌଦ୍ଧଭାବ ଅଙ୍ଗୀଭୂତ କରିବାର ଚେଷ୍ଟା ନକରି, ବରଂ ଯେତେ ପାରିଥିଲା, ଦୂରରୁ ତାହା ପରିହାର କରିଥିଲା” (“କୋଣାର୍କ’ - ପୃଷ୍ଠା ୨୫୦- ୨୫୧) ହଣ୍ଟର ଦର୍ଶାଇଛନ୍ତି ‘‘Expiring Budhism effected its last great compromise with Vaisnavism and the two combined to supplant the terrors of Saivism by a religion of beauty’’ (-‘Hunter Orissa’ Vol-1-P-282). କୃପାସିନ୍ଧୁ ଥିଲେ ଯଥାର୍ଥରେ ଇତିହାସପ୍ରେମୀ । ଅତୀତକୁ ଭଲ ନ ପାଇଲେ, କେବେ ତା’ର ଗୁଣଗାଥା ବର୍ଣ୍ଣନା ସମ୍ଭବ ନୁହେଁ । ଯେଉଁଠି ବୁଦ୍ଧିବାଦ ରହିଛି, ସେଇଠି ଘଟଣାର ଅନୁଶୀଳନ ସାର୍ଥକ ହୋଇଥାଏ । ଜ୍ଞାନର ପ୍ରେରଣା ବାସ୍ତବ ସତ୍ୟର ଅନ୍ଵେଷଣ ପାଇଁ ଆଗ୍ରହ ସୃଷ୍ଟି କରିଥାଏ । ଯାହାର ହୃଦୟ ସ୍ଵଚ୍ଛ, ପରୀକ୍ଷକ ଦୃଷ୍ଟିରେ ନିଜକୁ ସେ ବିଶ୍ଳେଷଣ କରେ । ଅନୁସନ୍ଧାନୀ ଜୀବନ, ବର୍ତ୍ତମାନ ଓ ଅତୀତର ଶୁଦ୍ଧ, ଅଶୁଦ୍ଧ ବିଚାରକରି ଭବିଷ୍ୟତ ଲାଗି କାର୍ଯ୍ୟପନ୍ଥାକୁ ପ୍ରଶସ୍ତ କରି ବସେ । ସତ୍ୟବାଦୀର ସାଧକମାନେ ଯେତେବେଳେ ମାନବପ୍ରେମକୁ ଅଗ୍ରାଧିକାର ଦେଇଥିଲେ, ସେତେବେଳେ ହିଁ ସେମାନଙ୍କ କର୍ମଧାରା ସେବା, ତ୍ୟାଗ ଓ ଆଧ୍ୟାତ୍ମିକ ଦିଗରେ ଗତି କରିଥିଲା । ଏହି ଆଦର୍ଶବାଦରେ ପ୍ରତିପାଳିତ କୃପାସିନ୍ଧୁଙ୍କ ସାଧନା, ନବଚେତନାର ଜାଗରଣରେ ଆଲୋକିତ ହୋଇଥିଲା । ପ୍ରାଚୀନ ଗୌରବ, ସାଂସ୍କୃତିକ ମହାନ୍ତି ପରମ୍ପରା, ନୈତିକ ମୂଲ୍ୟବୋଧ ସହିତ ସତ୍ୟର ଉଦ୍‍ବୋଧନକୁ ସେ ଗୁରୁତ୍ୱ ଦେଇଥିଲେ । ଦେଶସେବକ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଉଚ୍ଚଶିକ୍ଷିତମାନେ ବନବିଦ୍ୟାଳୟରେ ଅର୍ଥ ରୋଜଗାରର ମୋହ ନରଖି ଶିକ୍ଷକ ରୂପେ ଯୋଗ ଦେଇଥାଆନ୍ତି । ସେମାନଙ୍କ ଆଦର୍ଶ ଜୀବନ ପ୍ରତି କ୍ଷେତ୍ରରେ ପ୍ରତିପାଦିତ ହେଉଥାଏ । ଶିକ୍ଷକତା, ଆଚାର ବିଚାର, ସଂଗଠନ, ଇତିହାସ ଚର୍ଚ୍ଚା ଓ ସାହିତ୍ୟ ସୃଷ୍ଟିରେ ଅକପଟ ଆଦର୍ଶ ଭାବଧାରା ନିହିତ ଥିଲା । କୃପାସିନ୍ଧୁ ଇତିହାସକୁ ସେହି ମାର୍ଗରେ ବିଚାର କରିଥିଲେ । ସାଧାରଣ ଦୃଷ୍ଟିରେ ସେ ଇତିହାସର ବଳୟକୁ ସ୍ପର୍ଶ କରିନଥିଲେ । ସେହି ଅନ୍ତର୍ଦ୍ଧଷ୍ଟି ହିଁ ତାଙ୍କୁ ତତ୍ତ୍ୱଦର୍ଶୀ ରୂପେ ପରିଚିତ କରିଛି । ଡଃ ମାୟାଧର ମାନସିଂହଙ୍କ ଭାଷାରେ-‘ସତ୍ୟବାଦୀ ଗୋଷ୍ଠୀର ପଣ୍ଡିତ କୃପାସିନ୍ଧୁ ଥିଲେ ଐତିହାସିକ । ତାଙ୍କର ଅକାଳ ମୃତ୍ୟୁ ଉତ୍କଳର ଦୁର୍ଭାଗ୍ୟ । ଠିକ୍ ସେହି ସମୟରେ ଚାଲିଗଲେ, ଯେତେବେଳେ ତାଙ୍କ ଲେଖନୀ ପରିପକ୍ୱ ଲାଭକରି ଆସୁଥିଲା ଓ ଭୂୟୋଦର୍ଶନ ଏବଂ ପଠନ ଫଳରେ ତାଙ୍କଠାରୁ ମହତ୍ତର ଗ୍ରନ୍ଥ ସବୁ ଜାତି ଆଶା କରୁଥିଲା ।”

 

ସାମାଜିକ ଜୀବନକୁ ଉନ୍ନତ, ମାର୍ଜିତ କରିବା ଲକ୍ଷ୍ୟରେ କୃପାସିନ୍ଧୁ ବିଭିନ୍ନ ଦିଗ୍‌ଦର୍ଶନ ଦେଇଛନ୍ତି । ଓଡ଼ିଶାର ଦୁର୍ଦ୍ଦିନ କାଳରେ ସେ ଆବିର୍ଭୁତ ହୋଇ କହିଥିଲେ- “ଜୀବନ ମାର୍ଗରେ ଅଗ୍ରସର ହେଉ ହେଉ ଯେତେବେଳେ କର୍ତ୍ତବ୍ୟ ସାଧନରେ ବାଧାବିଘ୍ନ ଉପସ୍ଥିତ ହେବ, ସେତେବେଳେ ସାଧାରଣ ହିତକର କାର୍ଯ୍ୟ କରିବାକୁ ଗଲାବେଳେ, ନିଜ ନିଜ ବନ୍ଧୁମାନଙ୍କ ଦ୍ୱାରା ତାଡ଼ିତ ଓ ଘୃଣିତ ହେବ, ଯେତେବେଳେ ବନ୍ଧୁ ବିୟୋଗ ଦୁଃଖ ହୃଦୟକୁ ଏକାବେଳକେ ଅବସନ୍ନ କରିପକାଇବ, ସେତେବେଳେ ସଂସାର ମଧ୍ୟରେ ନିଜର ବ୍ୟତୀତ ଅନ୍ୟ କାହାକୁ ଆପଣାର ଆତ୍ମୀୟ କରିନପାରିବ, ଚତୁର୍ଦ୍ଦିଗ ନିରାଶ ଓ ଅନ୍ଧକାରାଚ୍ଛନ୍ନ ଦେଖାଯିବ, ଯେତେବେଳେ ହୃଦୟରେ ଆଶ୍ୱାସନା ଆଣିବା ନିମନ୍ତେ, ହୃଦୟରେ ପୁନରାୟ ବଳ ଓ ଦମ୍ଭ ସଞ୍ଚାର କରିବା ନିମନ୍ତେ ନିଜ ନିଜ ବାଲ୍ୟାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିବେ, ସେତେବେଳେ ବାଳିକାମାନଙ୍କ ଏହି କା’ ନୀତି ସ୍ମରଣ କରି ହୃଦୟକୁ ଉତ୍ତେଜିତ ଓ ଜାଗ୍ରତ କରିବେ । ସଂସାର କ୍ଷେତ୍ର ବଡ଼ ଜଟିଳ । ଏହି ଜଟିଳ ପଥରେ ଅଗ୍ରସର ହେବା ନିମନ୍ତେ ଏହି କା’ ନୀତି ଆମ୍ଭମାନଙ୍କ ପ୍ରଧାନ ଅବଲମ୍ବନ ହେବା ଉଚିତ ।” (କା’) ସାମାଜିକ ଅଙ୍ଗୀକାର ତାଙ୍କ ରଚନାର ମୁଖ୍ୟ ବିଭବ । ସେ ସମୟରେ କୃପାସିନ୍ଧୁ ଜଣେ ବିଶିଷ୍ଟ ବିଦ୍ୱାନ ଓ ଗୁଣଗ୍ରାହୀ ରୂପେ ଖ୍ୟାତି ଲାଭ କରିଥିଲେ । ଶିକ୍ଷକତାରେ ଉତ୍ତୁଙ୍ଗ ଶିଖରରେ ପହଞ୍ଚିଥିଲେ । ଛାତ୍ରବତ୍ସଳତାର ପଟାନ୍ତର ନଥାଏ । ଇତିହାସ ପ୍ରତି ଅକୁଣ୍ଠ ଅନୁରାଗୀ । ଇତିହାସ ପ୍ରଣୟନରେ ସେ ତାଙ୍କର ଗଭୀର ମୌଳିକ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କରିଛନ୍ତି । ଯୁକ୍ତିବାଦୀ ରୂପେ ଅନେକ ଗବେଷକଙ୍କ ମନ୍ତବ୍ୟକୁ ଖଣ୍ଡନ କରି, ନୂତନ ଆଲୋକ ପ୍ରଜ୍ୱଳିତ କରିବାରେ ଆଗ୍ରହୀ । କୁହାଯାଇଛି- ‘‘Scientists, Social scientists and historians are all engaged in different branches of the same study; the study of man and his environment, of the effects of man on his environment and of his environment on man.’’ [‘What is History?’- by E.H. Carr]

 

ସାଧକ କୃପାସିନ୍ଧୁଙ୍କ ଜୀବନ ହେଉଛି ଐତିହ୍ୟ ପରିପୂର୍ଣ୍ଣ, ପୂର୍ଣ୍ଣାଙ୍ଗ ଓ ସମୃଦ୍ଧ ଜୀବନୀ । ୧୯୧୫ ମସିହା ମାର୍ଚ୍ଚମାସରେ ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପାଦନାରେ ‘ସତ୍ୟବାଦୀ” ପତ୍ରିକା ପ୍ରକାଶ ପାଇଲା । ୧୯୧୯ ମସିହା ଅକ୍ଟୋବର ୪ ତାରିଖରେ ‘ସମାଜ’ ସାପ୍ତାହିକ ରୂପରେ ପ୍ରକାଶ ପାଇ ଓଡ଼ିଶାର ସମ୍ବାଦ ପ୍ରକାଶର ଅଭାବ ପୂରଣ କଲା । ପ୍ରତିଷ୍ଠାତାଙ୍କ ଉତ୍ସାହ ଓ ପ୍ରେରଣାରେ ସତ୍ୟବାଦୀ ବନ ବିଦ୍ୟାଳୟର ପଞ୍ଚସଖା ଜାତୀୟ ସାହିତ୍ୟ ରଚନାରେ ମନୋନିବେଶ କଲେ । ଦୁଇଟି ପ୍ରକାଶନ ଏପରି ସାହିତ୍ୟକୁ ପ୍ରଚାର ପାଇଁ ସହାୟତା କଲା । ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବିଶିଷ୍ଟ ଗଦ୍ୟକାର ରୂପେ ଶିକ୍ଷାବିତ୍ କୃପାସିନ୍ଧୁ ଉଚ୍ଚକୋଟୀର ରଚନା ଏଥିରେ ଲେଖିବାର ସୁଯୋଗ ପାଇଲେ । ପାଶ୍ଚାତ୍ୟ ସାହିତ୍ୟକୁ ସେ ଅଧ୍ୟୟନ କରିଥିଲେ । ସତ୍ୟବାଦୀ ଜାତୀୟ ଜୀବନର ବାର୍ତ୍ତାବହ ହୋଇଥିବାବେଳେ, ଉଚ୍ଚଶିକ୍ଷିତ କୃପାସିନ୍ଧୁ ଏହି ସାହିତ୍ୟକୁ ଅଧ୍ୟୟନ କରି, ତା’ର ବୈଶିଷ୍ଟ୍ୟ ଓ ଧାରା ସହିତ ପରିଚିତ ହୋଇଥିଲେ । ସେ ଆଲୋଚନା ସାହିତ୍ୟ ସୃଷ୍ଟିରେ ଆଗ୍ରହୀ ଥିଲେ । ମାତ୍ର ଇତିହାସ ଚର୍ଚ୍ଚାରେ ବ୍ୟସ୍ତ ରହି, ଏଥିପ୍ରତି ଗୁରୁତ୍ୱ ଦେଇପାରି ନାହାନ୍ତି । ଏହି କର୍ମ ସାଧନାରେ ତଥାପି ଯେଉଁ କେତୋଟି ଆଲୋଚନା କୃତି ତାଙ୍କ ଦ୍ଵାରା ସୃଷ୍ଟ, ସେଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର । ବ୍ରଜସୁନ୍ଦର ଦାସଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସମ୍ଭ୍ରାନ୍ତ ପତ୍ରିକା ‘ମୁକୁର’ର ୫ମ ବର୍ଷ ସପ୍ତମ- ଅଷ୍ଟମ ସଂଖ୍ୟାରେ । ସେ ‘କବିତା’ ନାମକ ଏକ ଆଲୋଚନା ଲେଖିଥିଲେ । ଖ୍ୟାତନାମା କବି ପି.ବି ଶେଲୀଙ୍କ ରଚିତ । ‘The Defence of Poetry’ ରଚନା ଦ୍ଵାରା ଆଲୋଚକ ଅନୁପ୍ରାଣିତ ହୋଇ, ଏହା ଲେଖିଥିବା ମନେହୁଏ । କବିତା କଣ, କବି ସହିତ କବିତାର ସମ୍ପର୍କ, କବିତା ସୃଷ୍ଟିର ଉପାଦନ କ’ଣ, କବିତା ଓ ସମାଜ ପ୍ରଭୃତି ଏଥିରେ ଆଲୋଚିତ ହୋଇଛି । ପ୍ରାଚ୍ୟ ସାହିତ୍ୟରେ ବିଦବତ୍ତା ରହିଥିବା ବେଳେ, ପାଶ୍ଚାତ୍ୟ ସାହିତ୍ୟର ଅଧ୍ୟୟନ ତାଙ୍କୁ ଏପରି ଉଚ୍ଚମାନର ଆଲୋଚନା ଲେଖିବା ପାଇଁ ସହାୟକ ହୋଇଛି । ଏମିତି ଆଉ କେତୋଟି ଆଲୋଚନା ସହିତ କେତୋଟି ଚିନ୍ତାଦ୍ୟୋତକ ତଥା ଇତିହାସଭିତ୍ତିକ ପ୍ରବନ୍ଧ ମଧ୍ୟ ସୃଷ୍ଟି କରିଛନ୍ତି । ‘ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ’, ‘କା’, ଓ ‘କୋଣାର୍କ ମନ୍ଦିରର ଶିଳ୍ପ ଓ ସ୍ଥାପତ୍ୟ’ ଆଦି ପ୍ରବନ୍ଧ ଉଲ୍ଲେଖନୀୟ । ଇତିହାସ ଚର୍ଚ୍ଚା ତଥା ଅନ୍ୱେଷଣ ଭିତରେ ପ୍ରବନ୍ଧ କି ସମାଲୋଚନା ସୃଷ୍ଟି ପ୍ରତି ସେ ଅଧିକ ଧ୍ୟାନ ଦେଇପାରିନଥିଲେ । ପାଶ୍ଚାତ୍ୟ ଆଦର୍ଶର ମାନଦଣ୍ଡରେ ଆମ ସାହିତ୍ୟର ବିଚାର ବିଶ୍ଳେଷଣ ହେବା ଅନୁଚିତ । ଜାତୀୟ ଜୀବନକୁ ପାଶ୍ଚାତ୍ୟ ସଭ୍ୟତାରେ ମପାଯାଇ ନପାରେ ବୋଲି କୃପାସିନ୍ଧୁ ସତର୍କ କରିଦେଇଥିଲେ । ସେଥିପାଇଁ ସେ ଲେଖିଚନ୍ତି- “ବୈଦେଶିକ ରୁଚି ଆମ୍ଭ ଜାତୀୟତାର ମାନଦଣ୍ଡ ହେବା ଅନୁଚିତ ଏବଂ ଯେତେଦିନ ବୈଦେଶିକ ଆଦର୍ଶରେ ଆମ୍ଭ ଜାତୀୟ ସଭ୍ୟତା ନିରୂପିତ ହେଉଥିବ, ସେତେଦିନ ଆମ୍ଭ ଜାତି ପ୍ରକୃତ ଲକ୍ଷ୍ୟ ସ୍ଥିର ରଖି ଆତ୍ମ ପରିଚୟ ପାଇଛି ବୋଲି କୁହାଯାଇନପାରେ ।” (ବାରବାଟୀ ଦୁର୍ଗ- ଉପକ୍ରମଣିକା)

 

କୋଣାର୍କ ଜଡ଼ପିଣ୍ଡ ନୁହେଁ- ଏହା ସଜୀବ – ଜୀବନ୍ତ । ଏହାର ପ୍ରତିଟି ଇଟା ଓ ଶିଳ୍ପ ଆମ କାନରେ ସେଦିନର ଗୌରବାବହ ଜାତି ଇତିହାସ ଶୁଣାଇଯାଏ । ପୂର୍ବପୁରୁଷଙ୍କ କଳା-ପ୍ରାଣ, ଆତ୍ମାଭିମାନ ସହିତ ପୁନଃ ପରିଚିତ କରାଇଦିଏ । ସେସବୁ ଶୁଣିଲା ମାତ୍ରେ ବର୍ତ୍ତମାନର ଉତ୍ତର ପୁରୁଷଙ୍କ ହୃଦୟ ଉଲ୍ଲସିତ ହୋଇଉଠେ । ଗର୍ବରେ ଛାତି ଫୁଲି ଉଠେ । ଏମାନଙ୍କ ଉଦ୍ଦେଶ୍ୟରେ ଜାତୀୟବାଦୀ କୃପାସିନ୍ଧୁ କହନ୍ତି- “ଶିଳ୍ପ ଜାତୀୟ ପ୍ରାଣର ପ୍ରକାଶ । ଜାତୀୟ ଭାବର ଅଭିବ୍ୟଞ୍ଜକ । ଓଡ଼ିଶାର ମନ୍ଦିରମାନ ବିଶେଷତଃ କୋଣାର୍କ ମନ୍ଦିର ଆଜି ଆମ୍ଭମାନଙ୍କ ଦୁର୍ବଳ ହୃଦୟରେ ପୂର୍ବପୁରୁଷମାନଙ୍କର ଉନ୍ନତ ଆଦର୍ଶରେ କ୍ଷୀଣ ଆଲୋକ ପକାଇ ଉତ୍ତରାକାରିତ୍ୱ ଅଭିମାନରେ ଆତ୍ମଗୌରବ ଜନ୍ମାଏ । ବାସ୍ତବରେ ଆଖି ଫିଟାଇ ଦେଲେ, କାନ ଡେରି ଶୁଣିଲେ, ଏହିସବୁ ଶିଆଳି ଶବଳିତ ଶିକାରାଶି ନିଜୀବ ଜଡ଼ପିଣ୍ଡ ବୋଲି ପ୍ରତୀୟମାନ ହେବେ ନାହିଁ ।” (କୋଣାର୍କ- ପୃଷ୍ଠା-୪୨୫) କୃପାସିନ୍ଧୁ ଭାରତ ଇତିହାସ ତନ୍ନ ତନ୍ନ ଅଧ୍ୟୟନ କରି, ସେଥିରୁ ଅନେକ ତଥ୍ୟ ସଂଗ୍ରହ କରିପାରିଥିଲେ । ‘ସତ୍ୟବାଦୀ’ର ପ୍ରଥମ ବର୍ଷ ଅଷ୍ଟମ-ନବମ ସଂଖ୍ୟାରେ ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’ ପ୍ରବନ୍ଧକୁ ସମ୍ପାଦକ ପଣ୍ଡିତ ଗୋପବନ୍ଧୁ ଅତି ଆଗ୍ରହର ସହିତ ପ୍ରକାଶ କରିବା ପରେ, ବିଜ୍ଞ ସମାଜରେ ଏହା ଆଦୃତ ହେଲା । ଏହାକୁ ଲେଖକ କୃପାସିନ୍ଧୁ ବନବିଦ୍ୟାଳୟର ‘ଇତିହାସ ସମାଜ’ର ଏକ ପାଠକଚକ୍ରରେ ପାଠ କରିବା ପରେ, ଗୋପବନ୍ଧୁ ଓ ସହକର୍ମୀ ଶିକ୍ଷକମାନେ ଏହାର ପ୍ରଶଂସା କଲେ । ଏହା ଥାଏ ଇଂରାଜୀ ଭାଷାରେ ରଚିତ ନିବନ୍ଧ । ଓଡ଼ିଆରେ ଅନୁଦିତ ହୋଇ ‘ସତ୍ୟବାଦୀ’ରେ ପ୍ରକାଶିତ ହେଲା । ଶୁଣାଯାଏ, ଏହାର ଇଂରାଜୀ ରଚନା ଏପରି ଉଚ୍ଚମାନର ହୋଇଥିଲା ଯେ, ଉଚ୍ଚଶିକ୍ଷିତ ବନବିଦ୍ୟାଳୟ ଶିକ୍ଷକମାନେ, ‘ସତ୍ୟବାଦୀ’ରେ ପ୍ରକାଶିତ ହେଲା । ଶୁଣାଯାଏ, ଏହାର ଇଂରାଜୀ ରଚନା ଏପରି ଉଚ୍ଚ ମାନର ହୋଇଥିଲା ଯେ, ଉଚ୍ଚଶିକ୍ଷିତ ବନବିଦ୍ୟାଳୟ ଶିକ୍ଷକମାନେ, ‘ସତ୍ୟବାଦୀ’ରେ ଇଂରାଜୀ ରଚନା ଛାପା ହେବାର ବ୍ୟବସ୍ଥା ଯଦି ଥାଆନ୍ତା, ତେବେ ଇଂରାଜୀରେ ଏହାକୁ ପ୍ରକାଶ କରିବାରେ ଅସୁବିଧା ନଥିଲା ବୋଲି ମତ ଦେଇଥିଲେ । ଜଣେ ଇତିହାସବିତ୍ ଭାବେ କୃପାସିନ୍ଧୁଙ୍କୁ ଇତିହାସ ସମାଜର ସଭାପତି ରୂପେ ମନୋନୀତ କରାଯାଇଥିଲା । ଏଥିରେ ଲେଖକ ବହୁ ତଥ୍ୟ ଉପସ୍ଥାପନ କରି, ବଣିକ ସାଜି ଆସିଥିବା ଇଂରେଜମାନେ, ଭାରତକୁ ଜୟ କରି ନଥିଲେ । ବରଂ ଭାରତ ଆପଣା ଦୁର୍ବଳତା ଯୋଗୁଁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଦର୍ଶାଇଛନ୍ତି । ରାଜନୀତିକ ଜୀବନ, ସାମାଜିକ ଜୀବନ ଓ ଆଧ୍ୟାତ୍ମିକ ଜୀବନଧାରାର ନୀତିଗତ ପ୍ରଭେଦ ଯୋଗୁଁ ବୈଦେଶିକ ଶକ୍ତି ନିକଟରେ ଭାରତ ପରାଜିତ ହୋଇଯାଇଥିଲା । ବିଭିନ୍ନ ପ୍ରାଦେଶିକ ସ୍ତରୀୟ ମନାନ୍ତର, ସେମାନଙ୍କୁ ଭାରତ ଆକ୍ରମଣ ପାଇଁ ସୁଯୋଗ ଦେଲା । ଏହାଦ୍ଵାରା ଜାତିପ୍ରେମୀ ଲେଖକ ଦେଶବାସୀଙ୍କ ଭିତରେ ଜାତୀୟ ସଂହତି, ବନ୍ଧୁତା, ସମ୍ପର୍କ ଓ ଧର୍ମୀୟ ଐକ୍ୟ ପାଇଁ ଆହ୍ୱାନ ଦେଇଛନ୍ତି । ସେ କେତୋଟି ଦର୍ଶନ ସମ୍ବଳିତ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି । ସେସବୁ ଦର୍ଶନ ତତ୍ତ୍ୱରେ ପରିପୂର୍ଣ୍ଣ ହୋଇଥିବାରୁ, ପାଠକମାନଙ୍କୁ ବୌଦ୍ଧିକ ସ୍ତରକୁ ନେଇଯାଆନ୍ତି ।

 

‘ସତ୍ୟବାଦୀ’ର ପ୍ରଥମ ବର୍ଷ ଦଶମ- ଏକାଦଶ ସଂଖ୍ୟାରେ ‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ’ ପ୍ରକାଶ ପାଇଲା । ଏହା ହେଉଛି ଲେଖକଙ୍କ ଅନ୍ୟ ଏକ ଭିନ୍ନ ସ୍ଵାଦର ରଚନା । ବୈଦେଶିକ ଆକ୍ରମଣ ଯୋଗୁଁ ଭାରତ ଉପକୃତ ହୋଇପାରିବ, ଏହା ତାଙ୍କର ବକ୍ତବ୍ୟ । ପୁରାତନ ପରମ୍ପରା ଭିତରେ ସମୃଦ୍ଧ ଭାରତ ସହିତ, ନବ୍ୟଧାରାର ଉଚ୍ଚାଭିଳାଷୀ ଇଂରେଜମାନଙ୍କ ମିଳନ ଏ ଦେଶ ପାଇଁ ଶୁଭଙ୍କର । ମାନବ ସଭ୍ୟତାର ପ୍ରଗତି । ଓ ଅଭିବୃଦ୍ଧିରେ ଇଂରେଜୀ ଶିକ୍ଷା ଓ ଧାରା ସହାୟତା କରିବ, ଉଚ୍ଚ ଚିନ୍ତାର ବାହକ କୃପାସିନ୍ଧୁ ମତ ଦେଇଛନ୍ତି । ଏହି ମର୍ମରେ ୧୮୩୩ ମସିହା ଜୁଲାଇ ୧୦ ତାରିଖରେ ଲର୍ଡ ମାକଲୋ ହାଉସ୍ ଅଫ କମନ୍‍ସରେ କହିଥିଲେ- “ସ୍ଵାଧୀନତା ପାଇଁ ପାଶ୍ଚାତ୍ୟର ଜ୍ଞାନ, କୌଶଳ ଓ ଧାରା ନିତାନ୍ତ ଆବଶ୍ୟକ ହେଉଥିବାରୁ ଭାରତବାସୀମାନେ ଏଥିପ୍ରତି ଆଗ୍ରହୀ ହେବା ଉଚିତ । ଅବଶ୍ୟ ସେହି ସୁଦିନର ନିର୍ଦ୍ଦିଷ୍ଟ ସମୟ ମୋତେ ଜଣାନାହିଁ । ତେବେ ଏହି ଦିନ ଇଂରେଜ ଇତିହାସ ପାଇଁ ଗୌରବର ସନ୍ଦେଶ ବହନ କରି ଆଣିବ । ‘‘The Indian Middle classes by Dr. B. B. Mishra P-152] ଏହି ପ୍ରସଙ୍ଗରେ ମହାତ୍ମାଗାନ୍ଧୀ ମତ ଦେଇଥିଲେ – ‘‘I don’t wish to live in a world which is not united. A fallen and prostrate India cannot be of any help to herself on to the world. I want my country to become free so that one day, it necessary, She may die that the world may live.

 

ଅନ୍ୟ ଏକ ଇତିହାସଭିତ୍ତିକ ଆଲୋଚନା ‘ସତ୍ୟବାଦୀ’ର ଷଷ୍ଠ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିଲା । ତାହା ହେଉଛି କୃପାସିନ୍ଧୁଙ୍କ ‘ତକ୍ଷଶିଳାର ଆବିଷ୍କ୍ରିୟା’ । ଓଡ଼ିଶା ଇତିହାସରେ ଉପରେ ଆଧାରିତ ତାଙ୍କ ପ୍ରବନ୍ଧ ହେଉଛି “ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ” । ଏହା ପୂର୍ବରୁ ଐତିହାସିକ ସି.ଆର.ଉଇଲିସନଙ୍କ ରଚିତ ‘‘Early annals of the English in Bengal’’ ଗ୍ରନ୍ଥ ପ୍ରକାଶ ପାଇ ସାରିଥିଲା । ଏହି ଗ୍ରନ୍ଥ ତାଙ୍କୁ ଏପରି ଏକ ଦୀର୍ଘ ରଚନା ଲେଖିବାକୁ ସମ୍ଭବତଃ ଅନୁପ୍ରାଣିତ କରିଥିଲା । ଏହା ଧାରାବାହିକ ରୂପେ ‘ସତ୍ୟବାଦୀ’ର ୪ର୍ଥ ବର୍ଷ ଚତୁର୍ଥ-ପଞ୍ଚମ ସଂଖ୍ୟା, ଷଷ୍ଠ-ସପ୍ତମ ସଂଖ୍ୟା, ୫ମ ବର୍ଷ ୫ ମ ସଂଖ୍ୟା ଓ ପଞ୍ଚମ ବର୍ଷ ୬ଷ୍ଠା- ୭ମ ସଂଖ୍ୟାରେ ପ୍ରକାଶ ପାଇଥିଲା । ‘ସତ୍ୟବାଦୀ’ର ଚତୁର୍ଥ ବର୍ଷ ଅଷ୍ଟମ ସଂଖ୍ୟାରୁ ଦ୍ଵାଦଶ ସଂଖ୍ୟା ପର୍ଯ୍ୟନ୍ତ ଓ ପଞ୍ଚମ ବର୍ଷ ତୃତୀୟ ଚତୁର୍ଥ ସଂଖ୍ୟାରେ “ଓଡ଼ିଶାରେ ଇଂରେଜ ବାଣିଜ୍ୟ କୋଠି” ପୂର୍ବେ ପ୍ରକାଶିତ ପ୍ରବନ୍ଧର ଏହି ଆଲୋଚନା ହେଉଛି ପ୍ରତିଧ୍ୱନି । ଦୁଇଟି ରଚନା ଅଧ୍ୟୟନରେ ଗୋଟିଏ ଆବେଗମୟ ମିଶ୍ରର ଶୁଣାଯାଏ । ଇଂରେଜମାନେ ନିର୍ବିଘ୍ନରେ ଓଡ଼ିଶାରେ ବ୍ୟବସାୟ କରିବା ଲାଗି ଅନୁମତି ପାଇବା ହେତୁ, ଓଡ଼ିଶା ଇଂରେଜ ଶାସନାଧୀନ ହେଲା । ସେ ସମୟର ଓଡ଼ିଶା ପ୍ରଶାସକ ଆଗା ମହମ୍ମଦ ଯମାନଙ୍କୁ ପଦଲେହନରେ ତୁଷ୍ଟକରି ଇଂରେଜ ବ୍ୟବସାୟୀ କାଟରାଇଟ ଏହି ସୁଯୋଗ ଲାଭ କରିଥିଲେ । ଏହି ହାସୋଦ୍ଦୀପକ ପ୍ରସଙ୍ଗ ଭିଭିରେ ଲେଖକ ଏପରି ଇତିହାସ ସମ୍ବଳିତ ରଚନା ଲେଖିବାକୁ ଉପାଦାନ ପାଇଛନ୍ତି । ‘କୋଣାର୍କ’ ଗ୍ରନ୍ଥର ଦ୍ଵାଦଶ, ଅଧାୟରେ ସନ୍ନିବେଶିତ ‘ଶିଳ୍ପ ଓ ସ୍ଥାପତ୍ୟ’ ପ୍ରସଙ୍ଗଟି ‘ସତ୍ୟବାଦୀ’ର ଦ୍ୱିତୀୟ ବର୍ଷ ୫ମରୁ ୭ମ ସଂଖ୍ୟା ଓ ଦ୍ୱିତୀୟ ବର୍ଷ ଅଷ୍ଟମରୁ ଦ୍ଵାଦଶ ସଂଖ୍ୟା ମଣ୍ଡନ କରିଥିଲା । କୃପାସିନ୍ଧୁଙ୍କ ଇତିହାସଭିତ୍ତିକ ଆଲୋଚନା ଅତୀତ କାଳର ଗୌରବଗାଥା ସ୍ମରଣ କରାଇଦେବା ଓ ଜାତୀୟ ସ୍ୱାଭିମାନ ଜାଗ୍ରତ କରାଇବା ଦିଗରେ ଯଥେଷ୍ଟ ସହାୟକ ହୋଇଥାଏ । ସମସ୍ୟା କିପରି ଦେଶ ଓ ଜାତି ପାଇଁ ପ୍ରଗତିର ପ୍ରତିବନ୍ଧକ ହୁଏ, ତାହାର ସୂଚନା ଦିଆଯାଇଛି ।

 

ଏ ପ୍ରସଙ୍ଗରେ ପ୍ରଖ୍ୟାତ ଫ୍ରାନ୍‍ସ ଲେଖକ ଆଣ୍ଡ୍ରେ ମାର୍ଲାକ୍ସଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ । ସେ କହନ୍ତି – ‘‘The problem of this century is the religious problem and the discovery of Hindu Thought will have a great deal to do with the solving of that particular problem.’’ ଚିନ୍ତାନାୟକ ଡ. ରାଧାକୃଷ୍ଣନ୍ କହନ୍ତି- ‘‘The problem facing the world today ns that of the conflict or co-operation among the different cultures. We have had a long tradition of peaceful co-operation among the different cultures.’’ [‘Our Heritage’- page 31]

 

ବନବିଦ୍ୟାଳୟର ଶିକ୍ଷକତା ଭିତରେ ବିଶିଷ୍ଟ ବିଦ୍ୱାନ, ଗବେଷକ ଓ ଐତିହାସିକର ମର୍ଯ୍ୟାଦା ଲାଭ, ଜିଜ୍ଞାସୁ କୃପାସିନ୍ଧୁଙ୍କ ଗଭୀର ଅନୁଶୀଳନ ପ୍ରଗାଢ଼ ନିଷ୍ଠା ଓ ନିରବଚ୍ଛିନ୍ନ ଅଧ୍ୟବସାୟର ଫଳଶ୍ରୁତି । ଗବେଷକମାନଙ୍କ ମନ୍ତବ୍ୟକୁ କୁଠାରାଘାତ କରି ଦୃଢ଼ ସ୍ୱରରେ, ଇତିହାସ ଗର୍ଭରୁ ତଥ୍ୟଭିତ୍ତିକ ସ୍ଵର ଓ ସ୍ଵାକ୍ଷରରେ ଆପଣା ବଳିଷ୍ଠ ଭୂମିକା ପ୍ରସ୍ତୁତିରେ ସେ ପଶ୍ଚାତ୍‌ପଦ ହୋଇନଥିଲେ । ସେ ନିଜକୁ ପ୍ରଚାରିତ ନକରି ଏବଂ କୌଣସି ଆକର୍ଷଣୀୟ ପଦପଦବୀରେ ଭୂଷିତ ନହୋଇ, ଇତିହାସର ଚର୍ଚ୍ଚା ଓ ଗବେଷଣା ଲାଗି ଯେଉଁ ଦୁର୍ଲଭ ତଥ୍ୟ ରଖିଯାଇଛନ୍ତି, ଏହା ହିଁ ହେଉଛି ଜାତିର ମହାର୍ଘ ସମ୍ପଦ । ୧୯୧୯ ମସିହାରେ ପ୍ରକାଶିତ ୩୭୧ ପୃଷ୍ଠା ବିଶିଷ୍ଟ ତତ୍କାଳୀନ ମାତ୍ର ୩ ଟଙ୍କା ମୂଲ୍ୟର ‘କୋଣାର୍କ’ ଗ୍ରନ୍ଥ ସାମାଜିକ, ସାଂସ୍କୃତିକ, ପରମ୍ପରା ତଥା ଶିଳ୍ପ ସ୍ଥାପତ୍ୟର ଅମୂଲ୍ୟ ଐତିହାସିକ ଦଲିଲ । ଏହା ୧୯୨୧ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ବି.ଏ ଶ୍ରେଣୀର ପାଠ୍ୟପୁସ୍ତକ ରୂପେ ମଞ୍ଜୁର ପାଇଥିଲା । ଏହି ସୃଷ୍ଟିଟି ପ୍ରଜ୍ଞା ପୁରୁଷ କୃପାସିନ୍ଧୁଙ୍କ ପ୍ରଜ୍ଞା, ପ୍ରତିଭା ଓ ଅନୁସନ୍ଧିସୁ ପ୍ରାଣର ପରିଚୟ ବହନ କରିଛି । ମାତ୍ର ଏପରି ଏକ ଦୁର୍ଲଭ ଗ୍ରନ୍ଥଟି ଆଜିର ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିନଥିବା ଦୁଃଖର ବିଷୟ ।

 

 

ସମ୍ପାଦକ

‘ସାଳନ୍ଦୀ ସମାଚାର

ମଠସାହି, ଭଦ୍ରକ

 

***

 

ସହାୟକ ରଚନାବଳୀ :

୧.

କୋଣାର୍କ- ପଣ୍ଡିତ କୃପାସିନ୍ଧୁ ମିଶ୍ର ୧୯୧୯ : ପ୍ରକାଶକ- ରାଜା ଶ୍ରୀ ଦିବ୍ୟଶଙ୍କର ସୁଢ଼ଳଦେବ, ବାମଣ୍ଡା ।

୨.

History of Orissa- by Starling.

୩.

Our Heritage- by Dr. S. Radhakrishnan, Orient Paper backs, New Delhi-1.

୪.

What is History? - by E.H. Carr- Penguin Books. (1961)

୫.

ଓଡ଼ିଆ ସାହିତ୍ୟର ଇତିହାସ- ଡଃ. ମାୟାଧର ମାନସିଂହ

୬.

ଉତ୍କଳ ଇତିହାସ- ପଣ୍ଡିତ କୃପାସିନ୍ଧୁ ମିଶ୍ର

୭.

The Englishman and his History- by H. Butterfield (1944).

୮.

Ethical Studies- by F.H. Bradley (1876)

୯ .

Judgement on History and on Historian (1959)- by J. Bhrckhardt).

୧୦.

ବାରବାଟୀ ଦୁର୍ଗ- ପଣ୍ଡିତ କୃପାସିନ୍ଧୁ ମିଶ୍ର

୧୧.

‘ସତ୍ୟବାଦୀ’, ‘ମୁକୁର’, ‘ଉତ୍କଳ ସାହିତ୍ୟ’ର କେତୋଟି ପ୍ରାଚୀନ ସଂଖ୍ୟା ।

 

***

 

ପ୍ରାବନ୍ଧିକ କୃପାସିନ୍ଧୁ

ବାବାଜୀ ଚରଣ ପଟ୍ଟନାୟକ

 

‘ଉତ୍କଳ ଇତିହାସ ଅଛି ଅପୂର୍ଣ୍ଣ

କିଏ ସେ ଆଉ ତାକୁ କରିବ ପୂର୍ଣ୍ଣ !’

 

କୃପାସିନ୍ଧୁଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ସାବିତ୍ରୀ ଦେବୀ ରଚନା କରିଥିବା ‘ଶୋକଧାରା’ରୁ ଉପରଲିଖିତ ପଂକ୍ତି ଉଦ୍ଧୃତ । କୃପାସିନ୍ଧୁ ମିଶ୍ର, ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ସାରସ୍ଵତସାଧକ-ଶିକ୍ଷକ । ମାତ୍ର ସାଢ଼େ ଅଠତିରିଶ ବର୍ଷ ବୟସରେ ମୃତ୍ୟୁବରଣ କଲେ; ୧୨-୦୨-୧୯୨୬ ତାରିଖରେ । ସେତେବେଳକୁ ତାଙ୍କ ରଚିତ ‘ଉତ୍କଳ-ଇତିହାସ’ ‘କଟକ ଟ୍ରେଡିଂ କମ୍ପାନୀ’ କର୍ତ୍ତୃକ ଛପା ହେଉଥାଏ । କୃପାସିନ୍ଧୁ ଲେଖିକରି ପଠାଉଥାନ୍ତି, ତେଣେ ଛପା ହେଉଥାଏ; ଏମିତି ସମୟରେ ତାଙ୍କର ମୃତ୍ୟୁହୁଏ । ପୁସ୍ତକର ପ୍ରକାଶକ ଲେଖିଛନ୍ତି- ‘୩୩୪ ପୃଷ୍ଠା ପର୍ଯ୍ୟନ୍ତ ପାଣ୍ଡୁଲିପି ପଣ୍ଡିତ କୃପାହସିନ୍ଧୁଙ୍କର ନିଜ ହାତଲେଖା । ଗତ ଫେବୃୟାରୀ ୧୨ ତାରିଖଦିନ ତାଙ୍କର ହଠାତ୍ ପରଲୋକ ହେଲା । ତାର ତିନିଦିନ ପୂର୍ବରୁ ଜ୍ୱର ଅବସ୍ଥାରେ ସୁଦ୍ଧା ସେ ପାଣ୍ଡୁଲିପି ଲେଖି ପଠାଉଥିଲେ । ଅବଶିଷ୍ଟ ଦଶପୃଷ୍ଠାର ପାଣ୍ଡୁଲିପି ଲେଖିଦେବା ପାଇଁ ଆମ୍ଭେମାନେ ମାନନୀୟ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଅନୁରୋଧ କଲୁ । ସେ ମହାଶୟ ପଣ୍ଡିତ କୃପାସିନ୍ଧୁଙ୍କ ଟୀପାଖାତା ଅନୁଯାୟୀ ସଂକ୍ଷେପରେ ବିଷୟସବୁ ଲେଖକଙ୍କ ରୁଚି ଓ ନୀତି ଅନୁଯାୟୀ ଲେଖି ନେଇଛନ୍ତି । (ପ୍ରକାଶକର ବକ୍ତବ୍ୟ-ପୃ-୯) ବସ୍ତୁତଃ ‘ଉତ୍କଳ-ଇତିହାସ’ ରଚନା ସମ୍ପୂର୍ଣ୍ଣ ହୋଇଛି ଗୋପବନ୍ଧୁ ଦାସଙ୍କ ଦଶପୃଷ୍ଠା ରଚନାରେ । ଅଥଚ ଗୋପବନ୍ଧୁ ବହିଟିର ମୁଖବନ୍ଧ ଲେଖିବାକୁ ରାଜି-ହୋଇ ନଥିଲେ । କୃପାସିନ୍ଧୁ ବାଲ୍ୟକାଳରୁ ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କୁ ଆଦର୍ଶ କରି ନିଜର ଜୀବନଚର୍ଯ୍ୟା ଆରମ୍ଭ କରିଥିଲେ । ‘ଉତ୍କଳଇତିହାସ’ ବହିର ମୁଖବନ୍ଧ ଲେଖିବା ପାଇଁ ପ୍ରକାଶକ ଅନୁରୋଧ କରିବା କାଳରେ ଗୋପବନ୍ଧୁ କହିଥିଲେ- ‘କୃପାସିନ୍ଧୁଙ୍କ ଲିଖିତ ଉତ୍କଳ-ଇତିହାସ ମୁଖବନ୍ଧ ଲୋଡ଼େ ନାହିଁ । ଇତିହାସ ଓ ପ୍ରତ୍ନତତ୍ତ୍ୱର ଆଲୋଚନାରେ କୃପାସିନ୍ଧୁ ନିଜ କାର୍ଯ୍ୟ ଓ ଗୁଣ ଯୋଗେ ସୁପରିଚିତ । ଅନ୍ୟର ସାର୍ଟିଫିକେଟ ଅନାବଶ୍ୟକ ।’ ‘ ପ୍ରାବନ୍ଧିକ କୃପାସିନ୍ଧୁ’ ଶୀର୍ଷକରେ କିଛି ପ୍ରସଙ୍ଗ ଅବତାରଣା କରିବା ପୂର୍ବରୁ କୃପାସିନ୍ଧୁ ମିଶ୍ର ସତ୍ୟବାଦୀ ସାହିତ୍ୟିକ ଧାରାରେ ଅନ୍ୟତମ ପଥକୃତ ସ୍ରଷ୍ଟା ଓ ଗୋପବନ୍ଧୁ ଦାସଙ୍କ ଆଦର୍ଶର ଅନୁକାରୀ ଥିଲେ- ଏହା ସୂଚାଇଦେବା ପ୍ରାକ୍ ଆଲୋଚନାର ତାତ୍‍ତ୍ପର୍ଯ୍ୟ ।

 

ସାକ୍ଷୀଗୋପାଳଙ୍କ ବିଶେଷଣ ଅଭିଧାରେ ସତ୍ୟବାଦୀର ମହତ୍ତ୍ୱ ଅବିସମ୍ବାଦିତ । ତହିଁର ବିଶେଷଣରେ ସ୍ଥାନ ଓ ଅନୁଷ୍ଠାନ ଅର୍ଥାତ୍ ସତ୍ୟବାଦୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟ କାଳାନ୍ତରରେ ମହୀମନ୍ୱିତ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ, ସଂଗଠକ ଆଦିଙ୍କ ଓଡ଼ିଆ ସାହିତ୍ୟ ସଂରଚନା ବି ଓଡ଼ିଆ ସାହିତ୍ୟର ଇତିହାସରେ ସତ୍ୟବାଦୀ ଗୋଷ୍ଠୀ / ଚେତନା / ଯୁଗ / ସାହିତ୍ୟ ଭାବେ ଆଲୋଚିତ । କେହି କେହି ଏହି ସାହିତ୍ୟ ସମ୍ପଦକୁ ସତ୍ୟବାଦୀ ବନବିଦ୍ୟାଳୟର ଚିନ୍ତନ ଫସଲଭାବେ ବିବେଚନା କରନ୍ତି । ଚିନ୍ତନର ସ୍ୱାତନ୍ତ୍ର ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁଙ୍କ ସାରସ୍ୱତ କୃତିରେ ସୁଲଭ୍ୟ । ଓଡ଼ିଆ ଗଦ୍ୟ ସାହିତ୍ୟ ବିଶେଷକରି ସମାଲୋଚନା ସାହିତ୍ୟର ଭୂୟୋବିକାଶ ପାଇଁ ପୂର୍ବକଟି ସ୍ରଷ୍ଟାଏ ସଙ୍କଳ୍ପବଦ୍ଧ ଥିବାର ସତ୍ୟସାକ୍ଷୀ ହେଉଛି ସେମାନଙ୍କ ସାହିତ୍ୟ ରଚନା । ସେମାନଙ୍କ ରୁଚି ଓ ଆଦର୍ଶର ସାହିତ୍ୟ ପ୍ରକାଶନ ପାଇଁ ଗୋପବନ୍ଧୁ ଦାସ ପ୍ରକାଶ କରିଥିଲେ ‘ସତ୍ୟବାଦୀ’ (ପ୍ରଥମ ଖଣ୍ଡ / ପ୍ରଥମ ସଂଖ୍ୟା, କୁମ୍ଭ-୧୩୨ ୨) ମାସିକ ପତ୍ରିକା । ସମାଲୋଚନା ସାହିତ୍ୟ ସମ୍ପର୍କରେ ସେ ଏକ ସମ୍ପାଦକୀୟରେ ଲେଖିଥିଲେ- “ସମାଲୋଚନା ସାହିତ୍ୟର ବିଶିଷ୍ଟ ଓ ମୁଖ୍ୟ ଅଙ୍ଗ, ସେ ଅଙ୍ଗ ଉତ୍କଳ ସାହିତ୍ୟରେ ବିକାଶ ପାଉନାହିଁ-। ସମାଲୋଚନା କହିଲେ କେବଳ ପୁସ୍ତକର ସମାଲୋଚନା ନୁହେଁ; ପୁସ୍ତକ, ଶିଳ୍ପ, ସଭ୍ୟତା, ନୀତି ପ୍ରଭୃତିର ବିଭାଗ ବିଭାବ ପ୍ରଭୃତି ବିଶ୍ଳେଷଣକରି ତୁଳନ, ଆଦାନ, ବର୍ଜନର ଇଂଗିତାଦି ସହିତ ଯେଉଁ ଆଲୋଚନା କରାଯାଏ ସେସବୁ ସମାଲୋଚନା ।

 

ସେ ସମାଲୋଚନା ନ ହେବାରୁ ସାହିତ୍ୟରେ ରୁଚି ବିକାଶ ପାଉନାହିଁ । ଯେଉଁଠାରେ ସାହିତ୍ୟିକ ରୁଚି ନାହିଁ, ସେଠାରେ କାବ୍ୟ, ଉପନ୍ୟାସ ଜାତୀୟ ସାହିତ୍ୟର ଅଙ୍ଗବୃଦ୍ଧି କରିପାରେ, କିନ୍ତୁ ସେ ଅଙ୍ଗବୃଦ୍ଧି ସ୍ୱାସ୍ଥ୍ୟର ଚିହ୍ନ ନୁହେଁ । ଜୀବନର ଉଚ୍ଛାସ ଇଙ୍ଗିତରେ ସେ କାବ୍ୟ ଉପନ୍ୟାସାଦିର ସ୍ଥାନ ନାହିଁ । ତାହା ଜାତୀୟଭାବ ଜଗାଇବ ନାହିଁ । ଫଳରେ ଜାତି ତାହା ପଢ଼ିବ ନାହିଁ । ଆମ ଦେଶ ସାହିତ୍ୟ ଅତଏବ ପଢ଼ିବା ଉଚିତ୍ ବୋଲି ଯେଉଁମାନେ ପଢ଼ନ୍ତି, ସେମାନଙ୍କର ଉତ୍ସାହ ନମସ୍ୟ, କିନ୍ତୁ ତାହା ସାଧାରଣ ନୁହେଁ । XXX ଆମ୍ଭେମାନେ ସାହିତ୍ୟରେ ଏହି ବିଭାଗ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମେ ‘ସତ୍ୟବାଦୀ’ ଆରମ୍ଭ କରିଥିଲୁ । ମୁଖ୍ୟତଃ ସତ୍ୟବାଦୀରେ ତାହାହିଁ ପ୍ରକାଶ କରିଥିଲୁ ।’’ ସତ୍ୟବାଦୀ ସାହିତ୍ୟିକ ଗୋଷ୍ଠୀଙ୍କ ସାହିତ୍ୟ ସାଧନାର ଦିଗ, ଆଦର୍ଶ ଓ ମର୍ମବାଣୀକୁ ଉପଲବ୍ଧ କରିହୁଏ ଏହି ସମ୍ପାଦକୀୟରୁ । କୃପାସିନ୍ଧୁଙ୍କ ସାରସ୍ଵତ କୃତି ଏହି ଆଦର୍ଶନିଷ୍ଟ ଭାବବାଣୀର କଳାମଞ୍ଚଳ ପରିପ୍ରକାଶ ମାତ୍ର । ସଭ୍ୟତା, ସମାଜ, ସଂସ୍କୃତି, ଲୋକଜୀବନ, ଶିଳ୍ପ-ସ୍ଥାପତ୍ୟାଦିର ସମାଲୋଚନା କରିବାକୁଯାଇ ସେ ଲେଖିଛନ୍ତି ‘ବାରବାଟୀ ଦୁର୍ଗ’ (୧୯୧୭), ‘କୋଣାର୍କ’(୧୯୧୯) ଓ ‘ଉତ୍କଳ ଇତିହାସ’ (୧୯୨୬) ପୁସ୍ତକ । ‘ସୁଖପାଠ୍ୟ ଶୈଳୀ ଓ ଆଲୋଚନାର ପ୍ରାଞ୍ଜଳତା ଘେନି ଏଗୁଡ଼ିକ ଶୁଷ୍କ ଇତିହାସରୁ ସାହିତ୍ୟ ସ୍ତରକୁ ଉନ୍ନୀତ ହୋଇଯାଇଛନ୍ତି । ଉତ୍କୃଷ୍ଟ ଗଦ୍ୟ ରଚନା ଭାବରେ ତେଣୁ କୃପାସିନ୍ଧୁଙ୍କ ଇତିହାସ ଗ୍ରନ୍ଥସବୁ ଯେକୌଣସି ଓଡ଼ିଆ ସାହିତ୍ୟର ଇତିହାସରେ ସମ୍ମାନାସ୍ପଦ ଆସନ ପାଇବାର କଥା । (ମାନସିଂହ-ଓ.ସା.ଇ.) ‘ବାରବାଟୀ ଦୁର୍ଗ’ ପୁସ୍ତକରେ ସ୍ଥାନିତ ଅଧ୍ୟାୟଗୁଡ଼ିକ ପୂର୍ବରୁ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଇଥିଲା । ଏହି ପ୍ରବନ୍ଧ ସମ୍ପର୍କରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ ‘ପ୍ରକୃତ ମୁଁ ସତ୍ୟକଥା ଲେଖୁଛି- ବାରବାଟୀ ପ୍ରବନ୍ଧଟି ଆପାତତଃ ଉତ୍କଳ ଭାଷାଭଣ୍ଡାରରେ ଗୋଟିଏ ମାଣିକ୍ୟ । XXX ଭାଷାର ବନ୍ଧନ ତଥା ଚିନ୍ତାଶୀଳତା ଏବଂ ପ୍ରୟୋଜନୀୟତା ସମସ୍ତ ବିଷୟ ସମବେତରେ ଆଜିପର୍ଯ୍ୟନ୍ତ ସାହିତ୍ୟରେ ଯେତେ ପ୍ରବନ୍ଧ ପ୍ରକାଶିତ ହୋଇଅଛି ସମସ୍ତଙ୍କଠାରୁ ବାରବାଟୀ ପ୍ରବନ୍ଧ ଶ୍ରେଷ୍ଠତମ ବୋଲି ଜ୍ଞାନକରେ ।” ‘କୋଣାର୍କ’ ପୁସ୍ତକର ମୁଖବନ୍ଧ ରଚୟିତା ମଧୁସୂଦନ ଦାଶ ମଧ୍ୟ ଲେଖକଙ୍କ ସରଳ ଓ ମନୋହର ଭାଷା ତଥା ରଚନାଶୈଳୀର ଭୂୟସୀ ପ୍ରଶଂସା କରିଛନ୍ତି । ‘ଉତ୍କଳ-ଇତିହାସ’ର ଗଦ୍ୟ ଶୈଳୀ ମଧ୍ୟ ମନୋରମ ଓ ସହଜବୋଧ୍ୟ । ହେଲେ, ଏ ତିନୋଟିଯାକ କୃତି ଇତିହାସ ପର୍ଯ୍ୟାୟର । ଜାତୀୟ ଉତ୍ସାହର ବଶବର୍ତ୍ତୀ ହୋଇ ସେ ଅଣଓଡ଼ିଆ ଓ ବିଦେଶୀ ଐତିହାସିକଙ୍କ ଆରୋପିତ ମତ ଏବଂ ମନ୍ତବ୍ୟକୁ ତାଙ୍କ ଲେଖାରେ ଖଣ୍ଡନ ମଣ୍ଡନ କରିଅଛନ୍ତି । ସାହିତ୍ୟ, ଲୋକକଥା, କିମ୍ବଦନ୍ତୀ, ପୁରାଣାଦି ତାଙ୍କ ଯୁକ୍ତିର ଆଧାର ହୋଇଥିବାରୁ ରଚନାଶୈଳୀ ବେଶ୍ ରୋଚକ ହୋଇପାରିଛି । ପୁନଶ୍ଚ ଜାତୀୟଜୀବନ ଜାଗ୍ରତ କରିବାର ଲକ୍ଷ୍ୟ ଅନ୍ତଃର୍ନିହିତ ଥିବାରୁ ଅନେକତ୍ର ଉଦ୍‍ବୋଧନମୂଳକ ଭାଷଣରୀତିର ଗଦ୍ୟଶୈଳୀ ଶୁଷ୍କ ଇତିହାସ କୃତିକୁ ସରସ ସାହିତ୍ୟଗ୍ରନ୍ଥ କରିପାରିଛି । ଅଭିମତର ସମର୍ଥନ-ପୋଷକ ଦୃଷ୍ଟାନ୍ତ ଉଦ୍ଧାର କରାଯାଉଛି-

 

(କ)

ଜାତୀୟ ଜୀବନ ଶୂନ୍ୟରେ ଗଠିତ ହୋଇପାରେ ନାହିଁ । କେବଳ ବର୍ତ୍ତମାନ ଉପରେ-। ଭବିଷ୍ୟତ ଜାତୀୟତା ସ୍ଥାପନ କରିବା ବିଡ଼ମ୍ବନା ମାତ୍ର । ସେଥି ନିମନ୍ତେ କୌଣସି ମୂଳଭିଭିର ପ୍ରୟୋଜନ ଏବଂ ତାହା ପ୍ରାଚୀନତା ଉପରେ ପ୍ରତିଷ୍ଠିତ ହେବା ଆବଶ୍ୟକ । ପ୍ରାଚୀନତ୍ୱରୁ ନୂତନତ୍ୱ ଆନୟନ କରିବା, ପ୍ରାଚୀନତ୍ୱକୁ ନୂତନତ୍ୱ ମନ୍ତ୍ରରେ ଅନୁପ୍ରାଣିତ କରିବା ପ୍ରତ୍ୟେକ ଜାତୀୟ ଜୀବନ ଗଠନକାରୀର କାର୍ଯ୍ୟ । (ବାରବାଟୀ ଦୁର୍ଗ ଅଷ୍ଟମ ମୁଦ୍ରଣ-୧୯୬୪, ପୃ. ୬୩)

(ଖ)

ବର୍ତ୍ତମାନ ନିର୍ଜୀବ ପରପଦଲେହନକାରୀ ଓଡ଼ିୟାମାନଙ୍କୁ ଦେଖି କିଏ ବିଶ୍ୱାସ କରିବ ଯେ ୩୦୦ ବର୍ଷ ପୂର୍ବେ ଉତ୍କଳରେ ଏଡ଼େ ସମୃଦ୍ଧି ଥିଲା ଏବଂ ସେମାନଙ୍କର ପୂର୍ବ ପୁରୁଷମାନଙ୍କ ସଙ୍ଗେ ଦିଲ୍ଲୀର ପ୍ରବଳ ପ୍ରତାପ ବାଦଶାହ ଆକବର ମିତ୍ରତା ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ । (ତତ୍ରୈବପୃ.୪୯)

(ଗ)

କେତେ ଜ୍ଞାନ ଓ ଅନୁଭବ, କେତେ ହସ୍ତ ପାଟବ କୋଣାର୍କର ସର୍ବାଙ୍ଗ ମଣ୍ଡନ କରିଅଛି । ଇତିହାସର କେତେ ମଧୁମୟ ଘଟଣା, ଓଡ଼ିଆ ଜାତୀୟ ଜୀବନୀର କେତେ ଆଶ୍ଚର୍ଯ୍ୟ କାହାଣୀ କୋଣାର୍କର ପ୍ରତ୍ୟେକ ଶିଳାଖଣ୍ଡରେ ଲିପିବଦ୍ଧ ହୋଇଅଛି । (କୋଣାର୍କ-ଦ୍ୱିତୀୟ ସଂସ୍କରଣ୧୯୪୨, ପୃ-୩୬୭)

(ଘ)

ଉତ୍କଳ ବୀରଭୂମି ଏବଂ ଉତ୍କଳ ଜନନୀଗଣ ବୀର ପ୍ରସବିନୀ ଥିଲେ । ଏଥିଯୋଗୁଁ ମୁସଲମାନମାନେ ସମଗ୍ର ଭାରତବର୍ଷ ଅଧିକାର କରିଥିଲେ ସୁଦ୍ଧା ତିନିଶତ ବର୍ଷବ୍ୟାପୀ ବାରମ୍ବାର ଆକ୍ରମଣକରି ଉତ୍କଳ ଅଧିକାର କରିପାରିନଥିଲେ । ଉତ୍କଳରେ ଅନ୍ତର୍ବିବାଦ ଉପସ୍ଥିତ ହେଲା, ଉତ୍କଳର ସ୍ଵାଧୀନତା ଏବଂ ବୀରତ୍ୱ ଚିରକାଳ ନିମନ୍ତେ ଅସ୍ତମିତ ହେଲା-। (ଉତ୍କଳ-ଇତିହାସ ପ୍ର.ପ୍ର. ୧୯୨୬ ପୃ. ୧୮୭-୧୮୮) ।

 

ଏ ସବୁ ଇତିହାସ ପୁସ୍ତକ ହୋଇଥିବାରୁ ଏଥିମଧ୍ୟରେ କୃପାସିନ୍ଧୁଙ୍କ ସ୍ୱକୀୟ ଚିନ୍ତନ ଓ ଆତ୍ମବିଶ୍ୱାସର ମାତ୍ରା ସହଜଲବ୍‍ଧ ହୁଏ ନାହିଁ । କେବଳ ଜାତୀୟତାବାଦୀ ଭାବଦୀକ୍ଷାର ସରସବାଣୀକୁ ସ୍ଥଳେ ସ୍ଥଳେ ସଂସ୍କାର ଲିପ୍‍ସାର ଭାକ୍ଷକ-ବର୍ଣ୍ଣନା ଶୈଳୀରୁ ହୃଦୟଙ୍ଗମ କରିହୁଏ । ତେଣୁ ପ୍ରାବନ୍ଧିକ କୃପାସିନ୍ଧୁଙ୍କ କୃତିତ୍ୱ ଆକଳନ କାଳରେ ପୂର୍ବୋକ୍ତ ଗ୍ରନ୍ଥତ୍ରୟ ତାଙ୍କ ଗଦ୍ୟ-ଶୈଳୀ ଓ ଯୁଗୀୟ ରୁଚି ସମ୍ପର୍କରେ ଅବହିତ କରାଇବାର ପାଦଟୀକା ହେବା ସ୍ୱାଭାବିକ । ଜୀବନରେ ଜାତୀୟତା ଗଠନର ପ୍ରଧାନ ସହାୟ ଇତିହାସ; ଏହି ବିଶ୍ୱାସ-ଦୀକ୍ଷା ଥିଲା ସେ ସମୟର ଲେଖକୀୟ ରୁଚି । ଏଭଳି ରୁଚିର ବାମୟ ପ୍ରକାଶକୁ ସତ୍ୟବାଦୀ ସାହିତ୍ୟଭାବେ ଚିହ୍ନିତ କରାଯାଇଅଛି । ହେଲେ, ଆଲୋଚ୍ୟ କାଳରେ ଇତିହାସ ଲେଖକ ଥିଲେ କୃପାସିନ୍ଧୁ ମିଶ୍ର । ଇତିହାସରେ ପ୍ରବନ୍ଧ ରଚନାର କେତେକ ବିଶେଷ ଲକ୍ଷଣ ପ୍ରକାଶ ପାଉଥିଲେ ହେଁ ତାହା ପ୍ରବନ୍ଧ ନୁହେଁ । ବ୍ୟକ୍ତି ଓ ବ୍ୟକ୍ତିତ୍ୱର ସାମାଜିକ ସ୍ୱଛନ୍ଦ ବିକାଶ ପାଇଁ ସଂଗୁପ୍ତଥିବା ବ୍ୟକ୍ତିକ ଅନ୍ତରଭାବନା ଯେତେବେଳେ କାର୍ଯ୍ୟକାରଣ ସମନ୍ୱିତ ତାର୍କିକତାର ଗଦ୍ୟ ଶୈଳୀରେ ପ୍ରକାଶପାଏ ତାହାକୁ ପ୍ରବନ୍ଧ ରଚନା କୁହାଯାଏ । ଗଦ୍ୟଭାଷାରେ ଯାହା ଲେଖାଯାଏ ତାହା ପ୍ରବନ୍ଧ ନୁହେଁ । କିନ୍ତୁ ଆଧୁନିକ ପ୍ରବନ୍ଧ ସଂରଚନାରେ ଗଦ୍ୟ ହିଁ ହୋଇଛି ତାର ଭାଷାଶୈଳୀ । ଏହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ କୃପାସିନ୍ଧୁଙ୍କୁ ତାଙ୍କ ଲିଖିତ, ଅଥଚ ଆଦ୍ୟାବଧି ଅସଙ୍କଳିତ କେତେକ ଗଦ୍ୟ - କଳାକୃତିରୁ ନିରେଖି ହେବ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନରେ ଏମ୍.ଏ. ପାଶ୍ କରିବାପରେ ୨୮-୦୭-୧୯୧୪ ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକରୂପେ ଯୋଗଦେଇଥିଲେ । ଇତିପୂର୍ବରୁ ସେ ପ୍ରବନ୍ଧ ଲେଖୁଥିବାର ପ୍ରମାଣ ସେକାଳର କେତେକ ଓଡ଼ିଆ ପତ୍ରିକାରୁ ମିଳିଥାଏ । ସେସବୁ ଏପର୍ଯ୍ୟନ୍ତ ପୁସ୍ତକାକାରରେ ସଙ୍କଳିତ ହୋଇ ନାହିଁ । ଏଥର ମୁଖ୍ୟକାରଣ ହେଉଛି; କୃପାସିନ୍ଧୁଙ୍କ ଅକାଳ ମୃତ୍ୟୁ । ତାଙ୍କ ମୃତ୍ୟୁର ଅଳ୍ପକାଳ ପରେ ତାଙ୍କ ଜୀବନଚର୍ଯ୍ୟାର ଆଦର୍ଶ ଓ ନିର୍ଦ୍ଦେଶକ ଗୋପବନ୍ଧୁ ଦାସଙ୍କର ମଧ୍ୟ ଦେହାନ୍ତ ହୋଇଛି । ଅଧିକନ୍ତୁ ପୂର୍ବରୁ ସୂଚାଯାଇଥିବା ଇତିହାସ-ସାହିତ୍ୟଗ୍ରନ୍ଥତ୍ରୟ କୃପାସିନ୍ଧୁଙ୍କ ପ୍ରତିଭା ବିଚାରିବା କାଳରେ ପେଡ଼ିପାଟର କାମ କରିଛି । ତାଙ୍କ ପ୍ରବନ୍ଧ ପସରା ଅପସରି ରହିଛି । ଯେତେବେଳେ ପତ୍ରିକା ଆଡ଼େଇ ତାଙ୍କ ପ୍ରବନ୍ଧର ଖୋଜ୍ ନେବାକୁ ହୋଇଛି । ସେତେବେଳେ ଆଉ ଏକ ବିଡ଼ମ୍ବନାର ପର୍ବ ଅଭିନୀତ ହୋଇଛି । ସେକାଳରେ ପ୍ରକାଶିତ ‘ସତ୍ୟବାଦୀ ପତ୍ରିକା, ଯାହାଥିଲା ସତ୍ୟବାଦୀ ବନବିଦ୍ୟାଳୟର ସାହିତ୍ୟିକଗୋଷ୍ଠୀଙ୍କ ମୁଖପତ୍ରତୁଲ୍ୟ ତହିଁରେ ପ୍ରକାଶ ପାଉଥିବା ଲେଖାର ଲେଖକଙ୍କ ନାମ ଅଲେଖା ରହୁଥିଲା । ତେଣୁ କେତୋଟି ଲେଖାର ଲେଖକଙ୍କ ନାମ ଘେନି ଏବସୁଦ୍ଧା ବିବାଦର ନିରସନ ଘଟି ନାହିଁ । ତନ୍ମଧ୍ୟରେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଲେଖା ଅନ୍ୟତମ । ଏହା ‘ସତ୍ୟବାଦୀ’ (୧/୨, ୧/୩, ୧/୪, ୧/୫, ୧/୬, ୧/୭, ୧/୮, ୧/୯, ୧/୧୦-୧୧, ୨/୩-୪, ୨/୫-୭, ୨/୮-୧୨ ଖଣ୍ଡ) ପତ୍ରିକାରେ ପ୍ରକାଶ ପାଇଛି । କେହି କେହି ଏହାର ଲେଖକୀୟ ପିତୃତ୍ଵ ଗୋପବନ୍ଧୁ ଦାସଙ୍କ ଉପରେ ଆରୋପ କରିବାବେଳେ ଅନ୍ୟକେହି କୃପାସିନ୍ଧୁଙ୍କ ଉପରେ ନ୍ୟସ୍ତ କରନ୍ତି । ମିଳୁଥିବା ‘ସତ୍ୟବାଦୀ ପତ୍ରିକାମାନଙ୍କର ଖଣ୍ଡରୁ ତାହା ସଂଗ୍ରହ କରି ଏକ ପୁସ୍ତକ ସମ୍ପାଦନା କରିଛନ୍ତି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର । ବହିଟିର ନାମ ରଖିଛନ୍ତି ୰ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ (ପ୍ରକାଶ କାଳ–୧୯୯୯) କୃପାସିନ୍ଧୁଙ୍କ ଉତ୍କଳଇତିହାସ (ପ୍ର.ପ୍ର. ୧୯୨୬, କଟକ ଟ୍ରେସିଂ କମ୍ପାନୀ, କଟକ ଓ ପୁରୀ) ପୁସ୍ତକର ୧୩୮ ପୃଷ୍ଠାରେ ଉଲ୍ଲେଖ ଅଛି; ଏହି ବକୁଳ ଛୁରିଆନା ଉଦ୍ୟାନ ରାଜା ମୁକୁନ୍ଦଦେବଙ୍କ (୧୭୯୮-୧୮୧୭) ଦ୍ଵାରା ନିର୍ମିତ ହୋଇଥିଲା । ରାଜା ମଧ୍ୟ ଏଠାରେ ଏକ ବସନ୍ତନିବାସ ନିର୍ମାଣ କରିଥିଲେ । ଅଦ୍ୟାପି ତାହାର ଚିହ୍ନ ଅଛି । ପରେ ପୁଣି ବାବାଜୀ ଲକ୍ଷ୍ମୀନାରାୟଣ ବ୍ରହ୍ମଚାରୀ ୧୮୫୬ରୁ ୧୮୬୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ସାକ୍ଷୀଗୋପାଳଙ୍କର ବର୍ତ୍ତମାନ ମନ୍ଦିର ନିର୍ମାଣ କରାଇଥିଲେ । ଦେବଙ୍କ ନାମାନୁସାରେ ସାକ୍ଷୀଗୋପାଳ ବା ସତ୍ୟବାଦୀ ନାମରେ ସ୍ଥଳ: ପରିଚିତ । ସବିଶେଷ ବିବରଣୀ ନିମନ୍ତେ ଲେଖକଙ୍କ ‘ସତ୍ୟବାଦୀ’ ଦ୍ରଷ୍ଟବ୍ୟ ।’’ ପୁନଶ୍ଚ ‘ସତ୍ୟବାଦୀ’ (୧/୨, ମୀନ, ୧୩୨ ୨) ପତ୍ରିକାରେ ପ୍ରକାଶ ପାଇଥିବା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ରଚନାରେ ଉଲ୍ଲେଖଥବା ନିମ୍ନୋଦ୍ଧୃତ ବାକ୍ୟ କେତୋଟିରୁ ଏହା କୃପାସିନ୍ଧୁଙ୍କ ରଚନାବୋଲି ସମ୍ଭାବନା କରାଯାଇପାରେ । ଯଥା- “ଭାରତରେ ପୁରାତତ୍ତ୍ୱ ଅନୁସନ୍ଧାନରେ କାହାଣୀ କିମ୍ବଦନ୍ତୀର ପ୍ରୟୋଜନୀୟତା କେହି ଅସ୍ୱୀକାର କରିବେ ନାହିଁ ।’ xxx ‘କିମ୍ବଦନ୍ତୀ ପ୍ରତି ସାଧୁ ଆସ୍ଥା’ ଓ ପୁଣ୍ୟ ବିଶ୍ଵାସ ରଖି ଆମ୍ଭେମାନେ ସତ୍ୟବାଦୀ ବୃତ୍ତାନ୍ତ - ଆଲୋଚନା କରିବୁ ।’ ବସ୍ତୁତଃ କୃପାସିନ୍ଧୁ ପୂର୍ବଲିଖିତ ଇତିହାସ ରଚନାମାନଙ୍କରେ ଏହି ପଦ୍ଧତି ଅବଲମ୍ବନ କରିଅଛନ୍ତି । ଅଧିକନ୍ତୁ ‘ସତ୍ୟବାଦୀ’ରେ ପ୍ରକାଶ ପାଇଥିବା ‘ଗୁରୁକୁଳ’ ଶୀର୍ଷକ ରଚନାକୁ କୃପାସିନ୍ଧୁଙ୍କ ଲେଖା ବୋଲି ଦର୍ଶାଇଛନ୍ତି ଶ୍ରୀ ରାଧାନାଥ ରଥ । (ଐତିହାସିକ କୃପାସିନ୍ଧୁ-ମୁଖବନ୍ଧ ପୃ-।-) ଏତଦ୍‌ଭିନ୍ନ ‘ତକ୍ଷଶିଳାର ଆବିଷ୍କ୍ରିୟା’ (ସତ୍ୟବାଦୀ-୩/୧-୨ କୁମ୍ଭ-ମୀନ-୧୩ ୨୩) ଓ ‘ହିନ୍ଦୁର ସମାଜ ବିଧାନ’ (ସତ୍ୟବାଦୀ-୩/୫,୬, ସିଂହ, କନ୍ୟା, ୧୩୨୫, ୩/୭-୮, ତୁଳ, ବିଚ୍ଛା, ୧୩୨୫) ଲେଖାକୁ କୃପାସିନ୍ଧୁଙ୍କ ପ୍ରବନ୍ଧ ଭାବେ ଗ୍ରହଣ କରାଯାଇଅଛି । ଏଭଳି ପରିସ୍ଥିତିରେ ପ୍ରାବନ୍ଧିକ କୃପାସିନ୍ଧୁ ସମ୍ପର୍କିତ ବିଚାର ବିମର୍ଶ ଖଣ୍ଡିତ ରହିବା ବିଚିତ୍ର ନୁହେଁ । ଜାତୀୟତାବାଦର ନାନ୍ଦୀପାଠ ଲାଞ୍ଚନରେ ସତ୍ୟବାଦୀ ବକୁଳବନର ଗୁରୁକୁଳଙ୍କ ସାରସ୍ୱତ ମନ୍ତ୍ରୋଚ୍ଚାରଣକୁ ସଂଖ୍ୟାପନ କରୁଥିବା ଓଡ଼ିଆ ସମାଲୋଚକେ ଏବସୁଦ୍ଧା କୃପାସିନ୍ଧୁଙ୍କ ସମାଲୋଚକୀ ଦୃଷ୍ଟିକୁ କଳିବାରେ ସମର୍ଥ ହୋଇନାହାନ୍ତି । ଏଥର ଏକମାତ୍ର କାରଣ ହେଉଛି; କୃପାସିନ୍ଧୁଙ୍କ ଲେଖାଘେନି ସହମତି ପ୍ରକାଶ ଓ ସମସ୍ତ ଲେଖା ପ୍ରାପ୍ତି । ସେଥିପାଇଁ ସତ୍ୟବାଦୀ ବନବିଦ୍ୟାଳୟ ଆଦର୍ଶ-ଉଦ୍ଭୁତ ସାହିତ୍ୟାଦର୍ଶକୁ ସଠିକଭାବେ ନିରୂପଣ କରିବା ସମ୍ଭବପର ହୋଇପାରିନାହିଁ ଓଡ଼ିଆ ସାହିତ୍ୟର ଇତିହାସରେ । ତେବେ ‘ପ୍ରାବନ୍ଧିକ କୃପାସିନ୍ଧୁ’ - ଏହି ଶୀର୍ଷକର ଲେଖାକୁ ତଥ୍ୟ ନିର୍ଭର ଉପାଦାନରେ ସମୀକ୍ଷାନିଷ୍ଠ କରିବାପାଇଁ କୃପାସିନ୍ଧୁଙ୍କର ଯେଉଁ କେତେକ ପ୍ରବନ୍ଧ ଉପଲବ୍ଧ ହୋଇଛି ତହିଁର ଏକ କାଳାନୁକ୍ରମିକ ସାରଣୀ ନିମ୍ନରେ ପ୍ରଦାନ କରାଯାଉଛି ।

 

 

କ୍ର.ସଂ

ପ୍ରବନ୍ଧର ନାମ

ପତ୍ରିକାର ନାମ-ଭାଗ/ବର୍ଷ, ସଂଖ୍ୟା, ସାଲ ବା ମସିହା

୦୧.

ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍‍ଥାନ

ଉତ୍କଳ ସାହିତ୍ୟ-୧୨ଶ ଭାଗ, ୬ଷ୍ଠସଂଖ୍ୟା, ଆଶ୍ୱିନ, ୧୩୧୬

୦ ୨.

କବିତା

ମୁକୁର- ୫ମ ଭାଗ, ୭ମ, ୮ମ ସଂଖ୍ୟା ଅକ୍ଟୋବର, ନଭେମ୍ବର, ୧୯୧୦

୦୩,

କା

ମୁକୁର-୭ମ ଭାଗ, ୬ଷ୍ଠ ସଂଖ୍ୟା ସେପ୍ଟେମ୍ବର, ୧୯୧୨

୦୪.

ଲୀଳା

ମୁକୁର-୮ମ ଭାଗ, ୭ ମ ସଂଖ୍ୟା ଅକ୍ଟୋବର, ୧୯୧୩ ୮ମ ଭାଗ, ୮ମ ଓ ୯ମ ସଂଖ୍ୟା ନଭେମ୍ବର, ଡିସେମ୍ବର, ୧୯୧୩

୦୫,

ରାଜଭକ୍ତି (ସମାଲୋଚନା)

ମୁକୁର-୯ ମ ଭାଗ, ୭ମ ସଂଖ୍ୟା ଅକ୍ଟୋବର, ୧୯୧୪

୦୬.

ଗୁରୁକୁଳ

ସତ୍ୟବାଦୀ-୧/୧, କୁମ୍ଭ, ୧୩୨୨, ୧/୨, ମୀନ, ୧୩୨୨

୦୭.

ନବଯୌବନର ବିପଦ

ମୁକୁର-୧୦ମ ଭାଗ, ୧୧ ଶ, ୧୨ଶ ସଂଖ୍ୟା ଫେବୃଆରୀ, ମାର୍ଚ୍ଚ, ୧୯୧୬

୦୮.

ସମ୍ବଲପୁର ସମ୍ମିଳନୀ

ମୁକୁର-୧୦ମ ଭାଗ, ୧୧ଶ, ୧୨ଶ ସଂଖ୍ୟା।

୦୯,

ଭାରତରେ ଇଂରେଜ

ସାମ୍ରାଜ୍ୟ ବିସ୍ତାର

ସତ୍ୟବାଦୀ-୧/୮, ୯, କନ୍ୟା, ତୁଳ, ୧୩୨୩, ୧/୧୦, ୧୧, ବିଛା ଓ ଧନୁ ୧୩୨୩

୧୦.

ତକ୍ଷଶିଳାର ଆବିଷ୍କକ୍ରିୟା

ସତ୍ୟବାଦୀ- ୨/୧, ୨, କୁମ୍ଭ ଓ ମୀନ, ୧୩୨୩

୧୧.

କୋଣାର୍କ ମନ୍ଦିରର

ଶିଳ୍ପ ଓ ସ୍ଥାପତ୍ୟ..

ସତ୍ୟବାଦୀ- ୨/୫-୭, ମିଥୁନ-ସିଂହ, ୧୩୨୩- ୨୪ ୨୮-୧୨, କନ୍ୟା-ମକର, ୧୩୨୪

୧୨.

ଭାରତ ଇତିହାସରେ

ବୈଦେଶିକ ଆକ୍ରମଣ..

ସତ୍ୟବାଦୀ-୩/୧-୨, କୁମ୍ଭ ଓ ମୀନ ୧୩୨୪

୧୩.

ହିନ୍ଦୁର ସମାଜ ବିଧାନ

ସତ୍ୟବାଦୀ-୩/୫-୬, ମିଥୁନ, କର୍କଟ, ୧୩୨୫ ୩/୭-୮, ସିଂହ, କନ୍ୟା, ୧୩୨୫

୧୪.:

ଅଷ୍ଟବାଦ

ସତ୍ୟବାଦୀ-୩/୯–୧୦, ଧନୁ, ମକର ୧୩୨୫ ୩/୧୧/୧୨, କୁମ୍ଭ, ମୀନ, ୧୩୨୫

 

୧୫

(କ)

ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ-       ସତ୍ୟବାଦୀ- ୪/୪-୫, କର୍କଟ, ସିଂହ, ୧୩ ୨୫ – ୨୬

 

(ଖ)

ଇଂରାଜି ବଣିକମାନଙ୍କର ଓଡ଼ିଶାଭିଗମନ- ସତ୍ୟବାଦୀ- ୪୬-୭, କନ୍ୟା ଓ ତୁଳ, ୧୩୨୬

 

(ଗ)

ଓଡ଼ିଶାରେ ଇଂରେଜ ବାଣିଜ୍ୟ କୋଠି ସ୍ଥାପନ ସତ୍ୟବାଦୀ-୪/୮-୧୨, ବିଛା-କୁମ୍ଭ, ୧୩୨୬

 

(ଘ)

ଓଡ଼ିଶାରେ ଇଂରେଜ ବାଣିଜ୍ୟ କୋଠି ସ୍ଥାପନ- ସତ୍ୟବାଦୀ-୫/୩-୪, ମିଥୁନ କର୍କଟ, ୧୩୨୬-୧୩୨୭

 

(ଙ)

ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ ସତ୍ୟବାଦୀ- ୫/୫, ସିଂହ ୧୩୨୬-୧୩ ୨୭ ।

 

(ଚ)

ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ-ସତ୍ୟବାଦୀ- ୫୬-୭ କନ୍ୟା ଓ ତୁଳା, ୧୩୨୭

 

(କ୍ର.ସଂ.-୦୪ ଓ ୧୫ (କ) ପ୍ରବନ୍ଧ ସମାଲୋଚକ ଦେବେନ୍ଦ୍ରକୁମାର ଦାଶଙ୍କ ସୌଜନ୍ୟରୁ ପ୍ରାପ୍ତ । କ୍ର.ସଂ. -୦୭ ଓ ୧୮ ପ୍ରବନ୍ଧ ଦୁଇଟି ସମାଲୋଚକ ପ୍ରଫେସର ବାଉରୀବନ୍ଧୁ କରଙ୍କ ସୌହାର୍ଦ୍ଦ୍ୟରୁ ପ୍ରାପ୍ତ ।)

 

‘କୋଣାର୍କ ମନ୍ଦିରର ଶିଳ୍ପ ଓ ସ୍ଥାପତ୍ୟ’ କୃପାସିନ୍ଧୁଙ୍କ ‘କୋଣାର୍କ ପୁସ୍ତକରେ ଦ୍ଵାଦଶ ଅଧ୍ୟାୟ ସଂଯୁକ୍ତ ହୋଇଅଛି । ଅବଶିଷ୍ଟ ପ୍ରବନ୍ଧଗୁଡ଼ିକ ଭାବଦୃଷ୍ଟିରୁ ଐତିହାସିକ, ଜାତୀୟଭାବ ସଂଜାତକ, ଦାର୍ଶନିକ, ସମାଲୋଚନାମୂଳକ, ସୌନ୍ଦର୍ଯ୍ୟ ଉଦ୍ରେକକାରୀ, ସମାଜ ସଂସ୍କାର ଅଭିପ୍ରେତ ଓ ବିବରଣୀ ମୂଳକ । ସେଗୁଡ଼ିକର ବିଶଦ୍ ବିବେଚନା ନିମ୍ନରେ କରାଯାଉଅଛି ।

 

-୨-

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଏଫ.ଏ. ପଢ଼ିବା ପାଇଁ କଟକ ଯିବାବେଳକୁ ଗୋପବନ୍ଧୁ ଦାସ କଟକରେ ତରୁଣମାନଙ୍କ ମଧ୍ୟରେ ଆଦରଣୀୟ ହୋଇସାରିଥାନ୍ତି । ତରୁଣମାନଙ୍କୁ ଏକଜୁଟକରି ସେମାନଙ୍କ ପ୍ରାଣରେ ଜାତୀୟ ଜାଗରଣର ବୀଜ ବୁଣିବା ପାଇଁ ସେ Young Utkal Association ଗଢ଼ିଥାନ୍ତି । ଆସୋସିଏସନର ସପ୍ତଦଶ ଅବେଶନରେ କୃପାସିନ୍ଧୁ ଏକ ପ୍ରବନ୍ଧ ପାଠକରନ୍ତି ଓ ତାହା ‘ପ୍ରାଟ୍ୟ ଭୂଖଣ୍ଡର ଅଭ୍ୟୁତଥାନ’ ନାମରେ ପ୍ରକାଶପାଏ ତତ୍‌କାଳୀନ ‘ଉତ୍କଳସାହିତ୍ୟ’ (୧୨/୬, ୧୩୧୬) ପତ୍ରିକାରେ । ଏହି ପ୍ରବନ୍ଧଟି ହେଉଛି କୃପାସିନ୍ଧୁ ମିଶ୍ରଙ୍କ ପ୍ରଥମ ପ୍ରକାଶିତ ଓଡ଼ିଆ ପ୍ରବନ୍ଧ । ଜାତୀୟତା ବୋଧ, ବ୍ୟକ୍ତିର ଉତ୍‍ଥାନ ପାଇଁ ଆହ୍ୱାନ, ବିଦବତ୍ତାର ମୁଦ୍ରାଙ୍କ, ହୃଦୟବତ୍ତାର ସଂକେତ ଓ ଗଭୀର ଦାର୍ଶନିକ ଦୃଷ୍ଟିର ଛାୟାବାଜି- ଏ ପ୍ରବନ୍ଧଟିରୁ ସୁଲଭ୍ୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଆଦର୍ଶଗତ ତଫାତ୍ ରହିଛି । ତଥାପି ପ୍ରାଚୀର ଉତ୍ଥାନ ପାଇଁ ପାଶ୍ଚାତ୍ୟରୁ ଯାହା ଗ୍ରହଣ କରିବା ପ୍ରୟୋଜନ ତାହାକୁ ନିଃସଙ୍କୋଚରେ ଘେନିବା ଆବଶ୍ୟକ । ପ୍ରାବନ୍ଧିକଙ୍କ ଭାଷାରେ ପ୍ରାଚୀର ଉନ୍ନତି ପକ୍ଷରେ ପାଶ୍ଚାତ୍ୟ ଶିଳ୍ପ ବିଜ୍ଞାନ ଗୋଟିଏ ପ୍ରଧାନ ଅସ୍ତ୍ର ।’ ପୁଣି ‘ଭାରତ ବର୍ତ୍ତମାନ ପାଶ୍ଚାତ୍ୟ ଭାବରେ ଅନୁପ୍ରାଣିତ ହେବାକୁ ବସିଅଛି । ପ୍ରବନ୍ଧର ଉପସଂହାରରେ ଭାଷକସୁଲଭ ଉଦ୍‍ବୋଧନ ଓ ଆହ୍ୱାନ ଉପଲବ୍ଧ । ଯେପରି- “ଏକ ପକ୍ଷରେ ନିଜର ଅତୀତକୁ ଭୁଲନାହିଁ, ଅନ୍ୟ ପକ୍ଷରେ ବର୍ତ୍ତମାନ ପ୍ରତି ଅନ୍ଧ ହୁଅନାହିଁ । ଉଭୟର ସମ୍ମିଶ୍ରଣରେ ଏକା ଭାରତରେ ଅଭିନବଜାତିର ଅଭ୍ୟୁତଥାନ ହେବ ।” ବସ୍ତୁତଃ ଅତୀତ ସୃତି ଓ ସାମ୍ପ୍ରତିକ ସଚେତନତା ବ୍ୟକ୍ତି ତଥା ଜାତି ସମୃଦ୍ଧିର ନିୟାମକ । ଏହି ଭାବନିର୍ଯ୍ୟାସର ପଥକୃତ୍ ପ୍ରାବନ୍ଧିକ ଭାବେ କୃପାସିନ୍ଧୁଙ୍କ ପ୍ରସିଦ୍ଧି ଅବିସମ୍ବାଦିତ । ଜାତୀୟଭାବ ଉଦ୍‍ବୋଧନ ସହିତ ଇତିହାସ ଏଷଣା ଓ ସୌନ୍ଦର୍ଯ୍ୟାନୁଗ ରୁଚିବୋଧ; ପାଖାପାଖି ରହି ସୃଷ୍ଟିକୁ ଭିନ୍ନ ଏକ କଳାକ୍ରାନ୍ତ ଗଦ୍ୟଗୌରବରେ ଭୂଷିତ କରିବାରେ ସହାୟତା କରିଛି କହିବା ଅପ୍ରାସଙ୍ଗିକ ହେବନାହିଁ ।

 

‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର, ତକ୍ଷଶିଳାର ଆବିଷ୍କ୍ରିୟା, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ, ଇଂରେଜ ବଣିକମାନଙ୍କର ଓଡ଼ିଶାଭିଗମନ, ଓଡ଼ିଶାରେ ଇଂରେଜମାନଙ୍କ ବାଣିଜ୍ୟ କୋଠି ସ୍ଥାପନ ଆଦି ଐତିହାସିକ ପ୍ରବନ୍ଧ ମାନ୍ୟତା ପାଇବା ପାଇଁ ଯୋଗ୍ୟସୃଷ୍ଟି । ପୂର୍ବରୁ କୁହାଯାଇଛି, କୃପାସିନ୍ଧୁ ଦର୍ଶନ ଅଧ୍ୟେତା କିନ୍ତୁ ଇତିହାସ ଅନୁରାଗୀ ଥିଲେ । କବିତା ରଚନା ନୁହେଁ କବିତ୍ଵର ବିଳାସ- ବିକାଶ ଥିଲା ତାଙ୍କ ପ୍ରାଣଧର୍ମ । ଏହି ଅନ୍ତରୀଣ ପ୍ରବୃତ୍ତିର ଚରିତାର୍ଥତାରେ ଅନୁକୂଳ ସୁଯୋଗ ଦେଇଥିଲା ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକଭାବେ ନିଯୁକ୍ତ ହେବା । ସତ୍ୟବାଦୀ ସ୍କୁଲର ଇତିହାସ ସମାଜ ଥିଲା କୃପାସିନ୍ଧୁ ପ୍ରତିଭାର ପ୍ରୋତ୍ସାହକ, ପରିବର୍ତ୍ତକ ଓ ପରିପୋଷକ । ସେହି ସମୟର ଶିକ୍ଷା ଓ ରୁଚିର ପୃଷ୍ଠଭୂମିରେ କୃପାସିନ୍ଧୁଙ୍କ ଅତୀତଦୃଷ୍ଟି ଏବଂ ସିଦ୍ଧାନ୍ତର ସହଜ ସରଳ ବାଗାଭିବ୍ୟକ୍ତି ନୂତନ ଥିଲା । ଯେପରି- “ବର୍ତ୍ତମାନ ଅବଶ୍ୟ ଭାରତୀୟମାନଙ୍କ ଜୀବନ ସମସ୍ୟା ଜଟିଳତର ହେଲାଣି, ତଥାପି ଇଂରେଜ ଶାସନ ଓ ସଭ୍ୟତା ପ୍ରଭାବରେ ଏହି ଖଣ୍ଡ ବିଖଣ୍ଡ ଭାରତବର୍ଷ ଏକ ନୂତନ ଭାରତ ସାମ୍ରାଜ୍ୟ ଗଠନ ଆଡ଼କୁ ଅଗ୍ରସର ହେଉଅଛି ।’’ (ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର-ସତ୍ୟବାଦୀ- ପୃ, ୨୮୫) ଐତିହାସିକ ପ୍ରବନ୍ଧଗୁଡ଼ିକରେ କୃପାସିନ୍ଧୁଙ୍କ ଅଧ୍ୟୟନର ପ୍ରଶସ୍ତତା, ଜାତି ତଥା ଜାତୀୟ ସମ୍ପଦପ୍ରତି ପ୍ରଗାଢ଼ ବିଶ୍ୱସନୀୟତା ଓ ବିଚାର ବିଶ୍ଳେଷଣ ପର୍ଯ୍ୟାୟରେ ଯୁକ୍ତିନିଷ୍ଠ ନୂତନ ଦୃଷ୍ଟିର ସମ୍ପାତ ତାରିଖ, ସନ ସମ୍ପନ୍ନ ଶୁଷ୍କ ଇତିହାସ ପ୍ରସଙ୍ଗକୁ ରସସିକ୍ତ ସାହିତ୍ୟର ଶ୍ରୀ ପ୍ରଦାନ କରିପାରିଛି । ବସ୍ତୁତଃ କୃପାସିନ୍ଧୁଙ୍କ ଐତିହାସିକ ପ୍ରବନ୍ଧଗୁଡ଼ିକ କେବଳ ଓଡ଼ିଆ ଗଦ୍ୟ ଭାଷାରେ ଲିଖିତ ଇତିହାସ ନୁହେଁ, ବରଂ ଉଚ୍ଚକୋଟିର ଯୁଗୀୟ ଗଦ୍ୟ କଳାର ପ୍ରବନ୍ଧ ।

 

ସାହିତ୍ୟ ସମାଲୋଚନାମୂଳକ ପ୍ରବନ୍ଧ ଭାବରେ କୃପାସିନ୍ଧୁଙ୍କ ‘କବିତା’ ଓ ‘ରାଜଭକ୍ତି’ (ସମାଲୋଚନା) ସେକାଳରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରଚନା, କବିତା ସମ୍ପର୍କିତ ଆଲୋଚନାରେ ସେ ବ୍ୟକ୍ତିର ଦୁଇଟି ମାନସ ଶକ୍ତି (ଯଥା-ବିଚାର ଶକ୍ତି ଓ କଳ୍ପନା) କଥା ଉଲ୍ଲେଖ କରିଅଛନ୍ତି । ପୁଣି ଦର୍ଶାଇଛନ୍ତି, ‘ଯେ ପ୍ରକୃତ ସୌନ୍ଦର୍ଯ୍ୟ ଉପଲବଧି କରିପାରେ ସେ କବି । ପ୍ରଥମ ସତ୍ତା ଓ ଉପଲବଧି (Existence and perception) ଦ୍ଵିତୀୟତଃ ଉପଲବଧି ପ୍ରକାଶ (expression) ମଧ୍ୟରେ ଯେ ସୌନ୍ଦର୍ଯ୍ୟ ନିହିତ ଅଛି, ତାକୁ ଯେ ନିଜସ୍ୱ କରିପାରେ ସେ କବି । ଆଦିମ ଯୁଗରେ ଗ୍ରନ୍ଥକର୍ତ୍ତାମାନେ ଏହା ବିଶେଷରୂପେ ସାଧନ କରିଥାନ୍ତି । ତାଙ୍କର ଭାଷା ହୃଦୟରୁ ସ୍ୱତଃ ପ୍ରସୂତ । XXX ଯେ ପ୍ରକୃତ ଶ୍ରେଷ୍ଠକବି ସେ ଜଣେ ଭବିଷ୍ୟଦ୍‍ବକ୍ତା ।’’ (ମୁକୁର -୫ମ ଭାଗ ୭-୮ ପୃ.୧୫୨) କବିତ୍ୱ, କବିର ପ୍ରତିଭା, ସମାଜ ଉପରେ କବିତାର ପ୍ରଭାବ ଆଦି ପ୍ରସଙ୍ଗ ସବିଶେଷଭାବେ ଏଥିରେ ଆଲୋଚିତ । ପରିଶେଷରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ କବି ଓ କବିତା ମଧ୍ୟରେ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରି, ଜାତୀୟଭାବ ଚେତନାର ମାନ୍ତ୍ରିକ ରୂପେ ଉଦ୍‍ବୋଧନ ଶୁଣାଇଅଛନ୍ତି । ଯେପରି ‘କିନ୍ତୁ ଯାହାହେଉ କବି ! ତୁମ୍ଭେ ସିନା ସମାଜକୁ ଜୀବନ ଦେବ, ସମାଜରୁ ତୁମ୍ଭର ଜୀବନ ପାଇବାର ନାହିଁ । XXX ସମାଜ ତୁମ୍ଭଙ୍କୁ ଫିଙ୍ଗି ଦେଉ, ତୁମ୍ଭ ପଛରେ କୁହାଟ ମାରୁ, ତୁମ୍ଭର ପୂଜା ନ କରୁ, ସମାଧି ପ୍ରତିଷ୍ଠା ନ କରୁ, ତୁମ୍ଭେ ଚିରକାଳ ଶ୍ମଶାନବାସୀ ହୁଅ, ଲୋକାଳୟରେ ତୁମ୍ଭର ସ୍ଥାନ ନ ରହୁ, ତଥାପି ସମସ୍ତ ବାଧାବିଘ୍ନ ଅବହେଳା କରି ତୁମେ ଅମର ସଂଗୀତ ଗାନ କର ।’’ (ତତ୍ରୈବ- ପୃ-୧୬୪, ୧୬୫) ଏଭଳି ଉଦ୍‍ବୋଧନ ରୀତିରେ ଉପସଂହାର ହୁଏତ ସମାଲୋଚନାମୂଳକ ଲେଖାପକ୍ଷେ ଦୂଷଣୀୟ, ତେବେ ଏହାହିଁ ଥିଲା ସେକାଳରେ ଜାତୀୟ-ଭାବ-ଭାବନା ଦୀକ୍ଷିତ ସ୍ରଷ୍ଟା ମନୀଷୀର ଆବଶ୍ୟକ ତଥା ଅବଲମ୍ବନୀୟ ପ୍ରକାଶ ଶୈଳୀ । କୃପାସିନ୍ଧୁଙ୍କ ଗଦ୍ୟରୁ ଏହି ରୀତିରୁ ଜାତୀୟତାରେ ସ୍ପନ୍ଦିତ ଆତ୍ମାକୁ ଅନୁଭବ କରିହୁଏ । ‘ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ’ (ପ୍ର.ପ୍ର. ୧୯୭୮) ପୁସ୍ତକରେ ସ୍ୱୀକୃତି ପର୍ଯ୍ୟାୟରେ ଗବେଷକ ଡକ୍ଟର ଶ୍ରୀନିବାସ ମିଶ୍ର ଯାହା ଉଲ୍ଲେଖ କରିଯାଇଛନ୍ତି ତାହା ସତ୍ୟର ନିକଟବର୍ତ୍ତୀ ମନେହୁଏ- ‘‘ଗଦ୍ୟ ସାହିତ୍ୟର ରୂପ ବୈଚିତ୍ର୍ୟ ମଧ୍ୟରେ ଲେଖକଙ୍କ ହୃଦୟବୃଦ୍ଧି ଓ ବୁଦ୍ଧିବୃତି, କଳ୍ପନା ଓ ମନନ, ରସାତ୍ମକତା ଓ ବାସ୍ତବଧର୍ମୀ ଅଭିଜ୍ଞତାର ମନୋଜ୍ଞ ସମନ୍ୱୟ ସାଧିତ ହୁଏ । ଏହି କଳ୍ପନା ଓ ମନନର ସୂତ୍ର ଜାତୀୟ ଜୀବନଧାରା ସହ ଘନ ସଂଯୁକ୍ତ । ତେଣୁ ଜାତୀୟ ଜୀବନ ବିକାଶ ପରିପ୍ରେକ୍ଷୀରେ ଗଦ୍ୟ ସାହିତ୍ୟ ଅଧ୍ୟୟନ ଚିତ୍ତାକର୍ଷକ’ (ପୃ-1)

 

ଲର୍ଡ଼ ହାର୍ଡିଞ୍ଜଙ୍କ କଟକ ଆଗମନ ଉପଲକ୍ଷ୍ୟେ ବାମଣ୍ଡାଧୀଶ୍ଵର ସଚ୍ଚିଦାନନ୍ଦ ତ୍ରିଭୁବନଦେବ ଅମିତ୍ରାକ୍ଷର ଛନ୍ଦରେ ‘ଆବାହନ’ କବିତା ଲେଖିଥିଲେ । ସେହି ପୁସ୍ତକର ସମୀକ୍ଷା ହେଉଛି କୃପାସିନ୍ଧୁ ବିରଚିତ ‘ରାଜଭକ୍ତି' (ସମାଲୋଚନା) । ପୁସ୍ତକ ସମୀକ୍ଷା (Book-review) ରଚନାଧାରାରେ ଏହା ଅନ୍ୟତମ ଆଦର୍ଶସ୍ଥାନୀୟ ଓଡ଼ିଆ କୃତି । ରଚନାଶୈଳୀ ଅପେକ୍ଷା ଭାବପକ୍ଷ ଓ ତହିଁରେ ସୂଚିତ ପୁରାଣ ଆଲେଖ୍ୟ ଆଦିର ପ୍ରସଙ୍ଗ ଏଥିରେ ଆଲୋଚିତ । ଏଥର ରଚନା ଧାରା ଏକାଳରେ ଲେଖାଯାଉଥିବା ଓଡ଼ିଆ ପୁସ୍ତକସମୀକ୍ଷା ରୀତିପକ୍ଷେ ଆଦର୍ଶସ୍ଥାନୀୟ- ଏହା ଅତିକଥନ ନୁହେଁ ।

 

‘ଗୁରୁକୁଳ’, ‘ହିନ୍ଦୁର ସମାଜ ବିଧାନ’ ପ୍ରବନ୍ଧରେ ଲେଖକଙ୍କ ନୀତିନିଷ୍ଠ ପରମ୍ପରାଦୃଷ୍ଟି ଓ ସଂସ୍କାରିତ ପୁରୋଦୃଷ୍ଟି ପ୍ରକାଶିତ । ଯେପରି- ‘‘ପରିଶେଷରେ ଗୁରୁକୁଳ ସମ୍ବନ୍ଧରେ ଏତିକି କହିବା ବିହିତ ମଣୁଅଛୁ ଯେ ଏ ପୁଣ୍ୟ ଆଶ୍ରମର ପ୍ରତିଷ୍ଠାତାମାନେ ଯେଉଁ ମହତ୍ ଆଦର୍ଶ ସମୁଖରେ ରଖି କର୍ମ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଅଛନ୍ତି ତାହା ଭାରତବର୍ଷର ସର୍ବତ୍ର ଅନୁସୃତ ହେବା ବିଧେୟ । ପଞ୍ଜାବର ଆଙ୍ଗ୍ଲୋବୈଦିକ କଲେଜର ଲାଲା ହଂସରାଜ ମହତ୍ ତ୍ୟାଗର ଉଦାହରଣ ଦେଖାଇଅଛନ୍ତି ।’’ (ଗୁରୁକୁଳ- ସତ୍ୟବାଦୀ ୧/୨, ପୃ. ୫୨) ଅନ୍ୟତ୍ର- “ହିନ୍ଦୁ ଯେ ବିଶ୍ଵପ୍ରାଣରତ କେବଳ ବାକ୍ୟରେ ମନ୍ତ୍ର ଆକାରରେ ଉଚ୍ଚାରଣ ମାତ୍ର କରୁଅଛି ତାହାଦ୍ୱାରା ତାହାର ଜୀବନ ଦିନେ ପ୍ରଭାବିତ ହେବ; ଏବଂ ହିନ୍ଦୁ ସମାଜ ଶତ ଅନ୍ତରାୟ ସଙ୍ଗେ ପ୍ରକୃତରେ ବ୍ୟାପକ ଓ ବିଶ୍ୱଜନୀନ ହୋଇ ଉଠିବ । ଏଥିପାଇଁ ପ୍ରଚାର ବା ପ୍ରବର୍ତ୍ତନାର ଆବଶ୍ୟକତା ପଡ଼ିବ ନାହିଁ, କେବଳ ସମାଜର ଉଦାରତାର ବିକାଶ ପ୍ରୟୋଜନ ।’’ (ହିନ୍ଦୁର ସମାଜ ବିଧାନ- ସତ୍ୟବାଦୀ-୩/୭-୮, ତୁଳା ବିଚ୍ଛା, ୧୩୨୫, ପୃ-୨୪୦) ।

 

ଉତ୍କଳ ସାହିତ୍ୟ ସମାଜର ତା ୧-୧୨ – ୧୯୧୭ରିଖରେ ପଠିତ ‘ଅଦୃଷ୍ଟବାଦ’ ପ୍ରବନ୍ଧ ସତ୍ୟବାଦୀ ପତ୍ରିକାର ଦୁଇଟି ଖଣ୍ଡରେ ପ୍ରକାଶିତ । ଏହି ପ୍ରବନ୍ଧର ପ୍ରତିପାଦ୍ୟ ପ୍ରସଙ୍ଗ ଦର୍ଶନତତ୍ତ୍ଵ ଭିତ୍ତିକ ହୋଇଥିବାରୁ ଏହାକୁ ଦାର୍ଶନିକ ପ୍ରବନ୍ଧ କୁହାଯିବା ଅପ୍ରାସଙ୍ଗିକ ହେବନାହିଁ । ଅଦୃଷ୍ଟବାଦ ଅପେକ୍ଷା କର୍ମବାଦର ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି କୃପାସିନ୍ଧୁ । କୃପାସିନ୍ଧୁଙ୍କ କା’ ପ୍ରବନ୍ଧ ବହୁଦିନ ଧରି ପାଠ୍ୟକ୍ରମରେ ଥିବାରୁ ତତ୍‍ସମ୍ପର୍କରେ ଅନେକେ ଅଭିହିତ । ତେବେ ପିଲାଙ୍କ ଖେଳରେ ବ୍ୟବହୃତ ‘କା’ ଭଳି ଏକ ମାମୁଲି ପ୍ରସଙ୍ଗର ଅନ୍ତରାଳରେ ଏତେବଡ଼ ଦର୍ଶନ ଥାଇପାରେ ତାହା ପ୍ରଥମକରି କୃପାସିନ୍ଧୁଙ୍କ ପ୍ରବନ୍ଧରୁ ଜଣାଯାଇଅଛି । ‘ଲୀଳା’ ପ୍ରବନ୍ଧମଧ୍ୟ ଗୋଟିଏ ଦୃଷ୍ଟିରୁ ‘କା’ ପ୍ରବନ୍ଧର ଦ୍ୱିତୀୟ ଭାଗ କହିବା ଅପ୍ରାସଙ୍ଗିକ ନୁହେଁ । ବାଳକ ପକ୍ଷେ କା’ ଯେପରି ତା’ର କାର୍ଯ୍ୟ, ଯାହା ଅର୍ଥବିହୀନ ତାହାହିଁ ଲୀଳା, ପରିଣତିରେ ବିଶ୍ୱବ୍ରହ୍ମାଣ୍ଡ କିପରି ଭଗବାନଙ୍କ ଲୀଳାର ଆଧାର ତାହା ସୂଚିତ ।

 

ସତ୍ୟବାଦୀ- ସ୍କୁଲ ଛାତ୍ରାବାସରେ ପ୍ରଦତ୍ତ ଭାଷଣ ହେଉଛି ‘ନବ ଯୌବନର ବିପଦ’ । ବୋଧହୁଏ ଇତିପୂର୍ବରୁ ପ୍ରକାଶ ପାଇଥିବା ନୀଳକଣ୍ଠ ଦାସଙ୍କ ‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା’ (ସତ୍ୟବାଦୀ- ୬୪-୧୩୨୮) ପ୍ରବନ୍ଧର ଏହା ପ୍ରତିବାଦ । କାହିଁକିନା ନୀଳକଣ୍ଠ ଉଲ୍ଲିଖିତ ବାକ୍ୟ ‘ସ୍ଥୂଳତଃ ବିଶୃଙ୍ଖଳ ଯୌବନ ମଧ୍ୟରେ ହିଁ ଆଦର୍ଶର ମହାଶୃଙ୍ଖଳା’ ବିଶେଷ ଆଦୃତି ଲଭିନାହିଁ କୃପାସିନ୍ଧୁଙ୍କ ରଚନାରେ ।

 

‘ସମ୍ବଲପୁର ସମ୍ମିଳନୀ’ ହେଉଛି ଏକ ବିବରଣୀମୂଳକ ପ୍ରବନ୍ଧ । ଏଥିରେ ପ୍ରାବନ୍ଧିକଙ୍କ ଯୁକ୍ତିନିଷ୍ଠ ବିବେକଶକ୍ତିର କ୍ରିୟାଶୀଳତା ମଧ୍ୟ ଲକ୍ଷଣୀୟ । ସମ୍ବଲପୁରଠାରେ ଅନୁଷ୍ଠିତ ଉତ୍କଳସମ୍ମିଳନୀରେ ସଂଘଟିତ କେତେକ କାର୍ଯ୍ୟକଳାପକୁ କୃପାସିନ୍ଧୁ ନା’ ପସନ୍ଦ କରିଛନ୍ତି ନିଜ ଲେଖାରେ । ସେଥିପାଇଁ ଉତ୍କଳ ସମ୍ମିଳନୀକୁ ରାଜନୀତି ଦୋଷ ଦୂଷିତ ନ କରାଯିବା ପାଇଁ ଚେତାବନୀ ଦେଇଛନ୍ତି ଏହି ପ୍ରବନ୍ଧରେ ।

 

କୃପାସିନ୍ଧୁଙ୍କ ପ୍ରବନ୍ଧଗୁଡ଼ିକ ଭାବାଭିବ୍ୟକ୍ତିରେ ଯେଭଳି ବହୁବିଧ ଅଭିବ୍ୟକ୍ତି ରୀତିରେ ବି ତଦନୁରୂପ । ଓଡ଼ିଆ ଗଦ୍ୟଶୈଳୀରେ ବିବିଧ ଅଭିନବତା ଆନୟନରେ ପ୍ରାବନ୍ଧିକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ କୃତିତ୍ୱ କାଳାନ୍ତରର ପ୍ରସଙ୍ଗ ହୋଇ ରହିବ, ଏହା ଅନ୍ୟଥା ହେବାର ନୁହେଁ । ତେଣୁ ପ୍ରବନ୍ଧ ରଚୟିତାଭାବେ କୃପାସିନ୍ଧୁଙ୍କୁ ଓଡ଼ିଆ ସାହିତ୍ୟର ଇତିହାସ ସ୍ଥିତି ‘ଐତିହାସିକ କୃପାସିନ୍ଧୁ’ ଆଳରେ କସ୍ମିନ୍‍କାଳେ ମ୍ଳାନ ହେବନାହିଁ ।

 

 

କୁଳସଚିବ,

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ,

ପୁରୀ

 

***

 

Unknown

କୃପାସିନ୍ଧୁଙ୍କ ଲେଖନୀରେ ଓଡ଼ିଶା ଇତିହାସର ନୂତନ ଝଲକ

ଲକ୍ଷ୍ମୀକାନ୍ତ ମିଶ୍ର

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ନିଃସ୍ୱାର୍ଥପର ଜନସେବକ, ନୀରବ କବି, ଚିନ୍ତାଶୀଳ ଦାର୍ଶନିକ, ସୁମନୋଜ୍ଞ ଗଦ୍ୟଶୈଳୀର ପ୍ରବର୍ତ୍ତକ, ଅସହଯୋଗ ଆନ୍ଦୋଳନର ସୈନିକ ଏବଂ ସର୍ବୋପରି ଓଡ଼ିଶାର ସର୍ବପ୍ରଥମ ବୈଜ୍ଞାନିକ ଗବେଷଣାସମ୍ମତ ସରସ ଇତିହାସର ପ୍ରଣେତା । ସେ ଥିଲେ ଜାତୀୟବାଦୀ ଇତିହାସ ପ୍ରଣୟନର ଜଣେ ବଳିଷ୍ଠ ପୃଷ୍ଠପୋଷକ । ଓଡ଼ିଶାର ଜନମାନସରେ ଜାତୀୟତାର ଭାବ ଉଦ୍ରେକ କରିବା ଓ ଓଡ଼ିଶା ଦେଶକୁ ଏକ ସ୍ଵତନ୍ତ୍ର ରାଜନୈତିକ ଓ ସାଂସ୍କୃତିକ ପରିଚୟ ପ୍ରଦାନ କରିବା ଏବଂ ଓଡ଼ିଶାରେ ଇତିହାସ ଗବେଷଣା ଓ ଇତିହାସ ତତ୍ତ୍ୱକୁ ଏକ ନୂଆ ମୋଡ଼ ଦେବାରେ କୃପାସିନ୍ଧୁଙ୍କର ଅବଦାନ ଅତୁଳନୀୟ । କୃପାସିନ୍ଧୁଙ୍କ ତଥ୍ୟ ସମ୍ବଳିତ ଗବେଷଣାମୂଳକ ଲେଖାଗୁଡ଼ିକ ଯଥା ‘ବାରବାଟୀ ଦୁର୍ଗ’ (୧୯୧୨), ଉତ୍କଳ ଇତିହାସ (୧୯୨୯) ‘କୋଣାର୍କ’ (୧୯୧୯); ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ତାଙ୍କର ଇତିହାସ ସାଧନାର ମୂକସାକ୍ଷୀ ।

 

କୃପାସିନ୍ଧୁ ମିଶ୍ରଙ୍କର ଇତିହାସ ଗବେଷଣାର ଜୟଯାତ୍ରା ଆରମ୍ଭ ହୁଏ ୧୯୧୨ ମସିହାରୁ ଯେତେବେଳେ ସେ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ଓ ଓକିଲାତି ପଢ଼ିବା ପାଇଁ ନାମ ଲେଖାଇଲେ । ତାଙ୍କର ଉଗ୍ର ଦେଶାତ୍ମବୋଧ ‘ବାରବାଟୀ ଦୁର୍ଗର ଜୀବନ ଚରିତ’ ପର୍ଯ୍ୟାଲୋଚନା କରିବା ପାଇଁ ଇନ୍ଧନ ଯୋଗାଇଥିଲା । କଲିକତାର ଇମ୍ପେରିଆଲ ଲାଇବ୍ରେରୀରୁ ତଥ୍ୟମାନ ସଂଗ୍ରହ କରି ‘ବାରବାଟୀ’ର ସମ୍ପୂର୍ଣ୍ଣ ଚିତ୍ର ସେ ପ୍ରଦାନ କରିଥିଲେ । ୧୯୧୩ ମସିହାରେ ଏହା ମାସକୁ ମାସ ଐତିହାସିକ ପ୍ରବନ୍ଧ ଭାବରେ ଗୋପବନ୍ଧୁ ଦାସଙ୍କ ଦ୍ଵାରା ସମ୍ପାଦିତ ‘ସଖା’ ଓ ସ୍ଵଦେଶଭକ୍ତ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦିତ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଉଥିଲା । ‘ବାରବାଟୀ ଦୁର୍ଗ’ ପୁସ୍ତକର ପ୍ରତ୍ୟେକ ପୃଷ୍ଠାରେ ତାଙ୍କର ଜାତୀୟ ଉନ୍ମାଦନା ପ୍ରତିଫଳିତ-। ‘ବାରବାଟୀ’ ଦୁର୍ଗର ଧ୍ୱଂସାବଶେଷ, କ୍ରମବିଲୟମାନ, ଗଭୀର ପରିଖା ଓ ଜରାଜୀର୍ଣ୍ଣ ତୋରଣଦ୍ଵାର ତାଙ୍କ ଜାତୀୟବାଦୀ ମନକୁ ଆନ୍ଦୋଳିତ କରିଥିଲା । ଘୋର ଆବେଗର ସହ ସେ ଲେଖନ୍ତି, “ଏହି ବାରବାଟୀ ଓଡ଼ିଆ ସେନାନୀର ଲକ୍ଷ୍ୟସ୍ଥଳ ଥିଲା ଏବଂ ଉତ୍କଳ ଆକାଶର ଧୃବତାରା ଥିଲା । ବିଦେଶରେ ଭୀଷଣ ସମର ସାଗରରେ ଭାସମାନ ଥିବା ସମୟରେ ଓଡ଼ିଶାର ଯୋଦ୍ଧୃବୃନ୍ଦ ଏହି ବାରବାଟୀକୁ ମାନସଚକ୍ଷୁରେ ଅବଲୋକନ କରି ନିଜ ନିଜର ଗତିବିଧି ନିର୍ଣ୍ଣୟ କରୁଥିଲେ । ଏହି ବାରବାଟୀ ଉତ୍କଳ ନରପତିମାନଙ୍କର ଅମୂଲ୍ୟ ସମ୍ପଦ ଓ ପରମ ଶାନ୍ତିସ୍ଥଳ, ସର୍ପର ମଣି ଏବଂ ସ୍ଵର୍ଗର ପାରିଜାତ ସଦୃଶ ଥିଲା । “(୧) ‘ମୁକୁର’ରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ସଂଗ୍ରହ କରାଯାଇ ପ୍ରଥମେ ଗୋଟିଏ ପୁସ୍ତାକାକାରରେ ପ୍ରକାଶ ପାଇଥିଲା ୧୯୧୭ ମସିହାରେ । ପୁସ୍ତକର ଭୂମିକାରେ ସମ୍ପାଦକ ବ୍ରଜସୁନ୍ଦର ଦାସ ଲେଖନ୍ତି ‘‘କୃପାସିନ୍ଧୁ ଯୁକ୍ତିତର୍କ ଓ ଅନୁମାନ ଏବଂ ଦେଶକାଳପାତ୍ର ବିଚାରର ସମ୍ୟକ୍ ପ୍ରୟୋଗ ଦ୍ଵାରା ଐତିହାସିକର ଆସନ ପ୍ରତି ତାଙ୍କର ଦାବିକୁ ବିଶେଷ ଭାବରେ ଦୃଢ଼ୀଭୂତ କରିଅଛନ୍ତି ।’’

 

“ବାରବାଟୀ ଦୁର୍ଗର ସ୍ୱରୂପ ଏବଂ ଐତିହାସିକ ପୃଷ୍ଠଭୂମିକୁ ନିର୍ଭୁଲ ଭାବରେ ପ୍ରତିପାଦିତ କରିବା ପାଇଁ ସେ ଆବୁଲ ଫାଜଲଙ୍କର ‘ଆଇନୀ ଆକବରୀ’, ଫର୍ଗୁସନ୍, ହଣ୍ଟର, ଷ୍ଟର୍ଲିଂଗ, ରାଜେନ୍ଦ୍ର ଲାଲ ମିତ୍ର ଓ ମନମୋହନ ଗାଙ୍ଗୁଲୀଙ୍କ ଦ୍ୱାରା ଲିଖିତ ପୁସ୍ତକମାନ ଗଭୀର ଭାବରେ ଅଧ୍ୟୟନ ଓ ଆଲୋଚନା କରି ବିଦେଶୀ ଓ ବଙ୍ଗୀୟ ଐତିହାସିକମାନଙ୍କର ଯୁକ୍ତି ଯେ ଏହା ଏକ ଦ୍ୱିତଳ ପ୍ରାସାଦ ଥିଲା ତାହାକୁ ଖଣ୍ଡନ କରି ପ୍ରମାଣିତ କରିଦେଇ ଥିଲେ ଯେ ଏହା ଏକ ନବତଳ ପ୍ରାସାଦ ଥିଲା । କଲିକତା ହାଇକୋର୍ଟର ଜଣେ ଭୂତପୂର୍ବ ବିଚାରପତି ଶାରଦାଚରଣ ମିତ୍ରଙ୍କ ଦ୍ଵାରା ବଙ୍ଗଭାଷାରେ ଲିଖିତ ପୁସ୍ତକ ‘ଉତ୍କଳେ ଶ୍ରୀଚୈତନ୍ୟ’ରେ ବାରବାଟୀକୁ ଏକ ଦ୍ୱିତଳ ପ୍ରାସାଦ ଭାବରେ ବର୍ଣ୍ଣନା କରାଯାଇଥିବାରୁ ତାର ସେ ଘୋର ପ୍ରତିବାଦକରି ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ଶ୍ରୀଯୁକ୍ତ ମିତ୍ର କୃପାସିନ୍ଧୁଙ୍କର ଯୁକ୍ତିକୁ ଖଣ୍ଡନ କରିପାରିନଥିଲେ । “ବାରବାଟୀ”ର ପ୍ରତ୍ୟେକ ପୃଷ୍ଠା ଦେଶାତ୍ମବୋଧରେ ଉଦ୍ଦୀପିତ । ଏହା କେବଳ ଗୋଟିଏ ଯେ ଐତିହାସିକ ପୁସ୍ତକ ଥିଲା ତା ନୁହେଁ ଏହା ମଧ୍ୟ ଏକ ‘ଜୀବନ ଚରିତ’ ଯେଉଁଥିରେ ଦୁର୍ଗର ଶୈଶବ, ଯୌବନ, ପୌଢ଼ାବସ୍ଥା, ବାର୍ଦ୍ଦକ୍ୟ ଓ ମୃତ୍ୟୁର ନାନା ଚିତ୍ର ଅଙ୍କିତ । ଲେଖନୀ ଶୈଳୀରେ ଇତିହାସ ଗବେଷଣା ଶୈଳୀର ତତ୍ତ୍ୱ ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ ।

 

‘ବାରବାଟୀ ଦୁର୍ଗ’ ପରେ କୃପାସିନ୍ଧୁଙ୍କର ‘କୋଣାର୍କ’ ଗ୍ରନ୍ଥ ତାଙ୍କର ଜୀବନ୍ତ ଉତ୍ସାହ ଓ ଜାତୀୟ ସୃନ୍ଦନର ଏକ ଜ୍ୱଳନ୍ତ ପ୍ରତିଫଳନ । “ବାରବାଟୀ ଦୁର୍ଗ” ଲେଖିବାରେ କୃପାସିନ୍ଧୁଙ୍କର ଯେଉଁ ଅନୁସନ୍ଧିସା, ଜ୍ଞାନପିପାସା, ତଥ୍ୟଜିଜ୍ଞାସା, ଲିପିକୁଶଳତା ଏବଂ ଦେଶାତ୍ମବୋଧତାର ପରିଚୟ ମିଳିଥିଲା ଏବଂ ଯେଉଁ ଐତିହାସିକ ଦୃଷ୍ଟିଭଙ୍ଗୀର ଉନ୍ମେଷ ଦେବାକୁ ମିଳିଥିଲା, ତାହା କୋଣାର୍କ ଗ୍ରନ୍ଥ ପ୍ରଣୟନରେ ଚରମ ଉତ୍କର୍ଷ ଲାଭ କରିଥିଲା ।’’ (୨) ‘କୋଣାର୍କ’ ଗ୍ରନ୍ଥ ପ୍ରକାଶିତ ହେଲାବେଳକୁ କୃପାସିନ୍ଧୁଙ୍କର ଇତିହାସ ଗବେଷଣା ତତ୍ତ୍ୱ ଓ ଓଡ଼ିଶାରେ ଇତିହାସ ଗବେଷଣା ଚର୍ଚ୍ଚା ସମ୍ପର୍କରେ ଜ୍ଞାନର ପରିସୀମା ଯଥେଷ୍ଟ ବୃଦ୍ଧି ପାଇସାରିଥିଲା । ଏକ ପରିପକ୍ଵ ଐତିହାସିକ ଭାବରେ ସେ ଓଡ଼ିଶାର ଇତିହାସ ଓ ଐତିହାସିକ ସମ୍ପର୍କରେ ‘କୋଣାର୍କ’ରେ ଲେଖନ୍ତି, “ଓଡ଼ିଶାର ଇତିହାସ ଲେଖକମାନେ ବର୍ତ୍ତମାନ ଯେ ଏତେ ପୃଥକ ମତମାନ ବ୍ୟକ୍ତ କରନ୍ତି, ତାହାର ପ୍ରଧାନ କାରଣ ସେମାନେ ଓଡ଼ିଶାରେ ଯାହା କିଛି ଐତିହାସିକ ଉପକରଣମାନ ଅଛି, ତାହା ଏକାବେଳକେ ପରିତ୍ୟାଗ କରୁଅଛନ୍ତି ଏବଂ ଆପଣାର ବ୍ୟକ୍ତିଗତ ଋଚି ଓ କଳ୍ପନା ପ୍ରଭାବରେ ପରିଚାଳିତ ହୋଇ ଇତିହାସ ଲେଖିବାକୁ ବସୁ ଅଛନ୍ତି । ସ୍ଥୂଳତଃ ସେମାନେ ଇତିହାସ ଲେଖୁନାହାନ୍ତି ବରଂ ଇତିହାସ ତିଆରି କରୁଅଛନ୍ତି । ଏହି ରୂପ ତିଆରି ଇତିହାସ ଦ୍ୱାରା ଦେଶର ମଙ୍ଗଳ ଆଶା ଦୂରେ ଥାଉ ଅମଙ୍ଗଳର ଆଶଙ୍କା ବରଂ ଦିନକୁ ଦିନ ବଢ଼େ ।”(୩)

 

‘କୋଣାର୍କ’ରେ ଏହି ମନ୍ଦିରର ପୂର୍ଣ୍ଣାଙ୍ଗ ଓ ପୁଙ୍ଖାନୁପୁଙ୍ଖ ଇତିହାସ, ଓଡ଼ିଶାର ଶିଳ୍ପକଳା, ନିର୍ମାଣକୌଶଳ, ଓଡ଼ିଆ ଜାତୀୟ ସଂସ୍କୃତି ଓ ଜୀବନଧାରା, ମୂର୍ତ୍ତିକଳା, କୋଣାର୍କର ପ୍ରତିକୃତି ଏବଂ ମନ୍ଦିରଗାତ୍ରର ଅଶ୍ଳୀଳ ମୂର୍ତ୍ତି, ମଧ୍ୟଯୁଗୀୟ ଓଡ଼ିଆମାନଙ୍କର ସୁଦୃଢ଼ ଓ ଅସ୍ଥିମଜାଗତ ଧର୍ମବିଶ୍ୱାସ ପ୍ରଭୃତିର ଆଲେଖ୍ୟ ପ୍ରତିଫଳିତ ।

 

‘କୋଣାର୍କ ପରେ ‘ସାକ୍ଷୀଗୋପାଳ’ ମନ୍ଦିରର ଇତିହାସ ପ୍ରଣୟନ କରିବାରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ମନୋନିବେଶ କରିଥିଲେ । ତଥ୍ୟଭିତ୍ତିକ ଏହି ଦୀର୍ଘ ପ୍ରବନ୍ଧ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ବିଭିନ୍ନ ଭାଗରେ ‘ସତ୍ୟବାଦୀ’ (୪) ମାସିକ ପତ୍ରିକାରେ ପ୍ରକାଶିତ । ପ୍ରବନ୍ଧଟି ୧୧ଟି ଅଧ୍ୟାୟରେ ବିଭକ୍ତ । ପ୍ରବନ୍ଧ ଆଲୋଚନାଭିତ୍ତିକ ଏବଂ ଇତିହାସ ଓ କିମ୍ବଦନ୍ତୀ ମଧ୍ୟରେ ଏକ ଅପୂର୍ବ ସମନ୍ୱୟ । ସତ୍ୟବାଦୀ ଧର୍ମଧାରା ଓ ସାମାଜିକ ଜୀବନରେ କିଭଳି ଗୌଡ଼ୀୟ ବୈଷ୍ଣବଧର୍ମର ପ୍ରଭାବ ରହିଥିଲା ତାହା ସୁନ୍ଦର ଭାବରେ ପ୍ରତିପାଦିତ କରିଅଛନ୍ତି । ଓଡ଼ିଶାର ସାମାଜିକ ଇତିହାସ ଗଠନ କରିବାରେ ପ୍ରବନ୍ଧର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

 

ଅନ୍ୟାନ୍ୟ ଗ୍ରନ୍ଥପରି କୃପାସିନ୍ଧୁଙ୍କର “ଉତ୍କଳ ଇତିହାସ” ଏକ ଅନବଦ୍ୟ ସୃଷ୍ଟି । ସତ୍ୟବାଦୀ History club’’ ଯାହାର ସେ ନିଜେ ସଭାପତି ଥିଲେ, ତାହାର ବିଭିନ୍ନ ସଂସଦରେ ପଠିତ ଓ ଆଲୋଚିତ ପ୍ରବନ୍ଧଗୁଡ଼ିକ ଧାରାବାହିକ ଭାବରେ ‘ସତ୍ୟବାଦୀ’ ମାସିକ ପତ୍ରିକାରେ ପ୍ରକାଶ ପାଉଥିଲା । ଏଗୁଡ଼ିକ ମଧ୍ୟରେ ‘ଜାତିବିଭାଗ', ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ', ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’, ‘ଶିବାଜୀ ଓ ମରହଟ୍ଟା’, ‘ଓଡ଼ିଶାରେ ଇଂରେଜ ବାଣିଜ୍ୟ’ କୋଠି, ‘ତକ୍ଷଶିଳାର ଆବିଷ୍କ୍ରିୟା’ ଇତ୍ୟାଦି । ଏସବୁ ପ୍ରବନ୍ଧର ପ୍ରକାଶନ ପଛରେ ବୋଧହୁଏ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟଥିଲା ଓଡ଼ିଶାର ବିସ୍ତୃତ ଇତିହାସ ଲେଖିବାପାଇଁ ଉପାଦାନ ସଂଗ୍ରହ କରିବା ଏବଂ ସଙ୍କଳନ କରିବା । କୃପାସିନ୍ଧୁଙ୍କର ‘ଉତ୍କଳ ଇତିହାସ’ ଓଡ଼ିଶାର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରାୟ ୩୪୩ପୃଷ୍ଠାର ଏହି ଗ୍ରନ୍ଥ ପ୍ରାଚୀନଯୁଗୀୟ ସଭ୍ୟତାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ସବିସ୍ତୃତ ବିବରଣୀ ପ୍ରଦାନ କରିଥାଏ । ବିଭିନ୍ନ ଐତିହାସିକ ଉପାଦାନ ସମ୍ବଳିତ “ଉତ୍କଳ ଇତିହାସ’’ରେ ଓଡ଼ିଶାର ଇତିହାସ ଓ ଜାତୀୟତାବାଦ ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ପ୍ରଦାନ କରେ । ତେବେ ବିଭିନ୍ନ ଉପାଦାନଗୁଡ଼ିକୁ ବିଶ୍ଳେଷଣ କଲାବେଳେ ସେ ‘‘ଜାତୀୟବାଦୀ ଇତିହାସ ରଚନା’’ର ଶୈଳୀଦ୍ଵାରା ପ୍ରଭାବିତ ନ ହୋଇ ସ୍ୱାଧୀନ ଓ ବୈଜ୍ଞାନିକ ମତ ପୋଷଣ କରୁଥିଲେ । କୃପାସିନ୍ଧୁ ମିଶ୍ର ଓଡ଼ିଶାର ଐତିହାସିକ ଯେ କି ଓଡ଼ିଶାର ପରିଚୟକୁ ଭାରତବର୍ଷଠାରୁ ଅଲଗା କରି ଦେଖୁନଥିଲେ । ସଂକୀର୍ଣ୍ଣ ଆଞ୍ଚଳିକତାରୁ ଉର୍ଦ୍ଧ୍ୱରେ ରହି ଓଡ଼ିଶାର ଇତିହାସକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ସେ ସକ୍ଷମ ହୋଇଥିଲେ । ଇତିହାସ ପଠନର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଲେଖିବାକୁ ଯାଇ ସେ କୁହନ୍ତି ଯେ ଇତିହାସର ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତାହାହେଲା ଦେଶକୁ ଏବଂ ଜାତିକୁ ଏକ ପୃଷ୍ଠଭୂମି ଯୋଗାଇବା । ତେଣୁ ଇତିହାସ ଲିଖନ ଜାତୀୟବାଦୀ ହେବା ଦରକାର ଏବଂ ଜାତୀୟବାଦୀ ଇତିହାସ କେବଳ ଏହି ଦେଶର ଲୋକମାନେ ହିଁ ଲେଖିପାରିବେ । ‘ଜାତୀୟବାଦୀ’ ଦୃଷ୍ଟିକୋଣକୁ ବାଦ ଦେଲେ ‘‘ଉତ୍କଳ ଇତିହାସ’’ ଓଡ଼ିଶାର ସାମାଜିକ ସଂହତି ପାଇଁ ଥିଲା ଏକ ସେତୁବନ୍ଧ । ଯଦିଓ କୃପାସିନ୍ଧୁ କଳିଙ୍ଗ ସାମ୍ରାଜ୍ୟର ଏବଂ ଓଡ଼ିଶାର ଗୌରବବାହକ ଇତିହାସ ରଚନା କରିବାପାଇଁ ବହୁ ସାହିତ୍ୟିକ, ପ୍ରତ୍ନତାତ୍ତ୍ୱିକ ଏବଂ ଶିଳାଲେଖଭିତ୍ତିକ ଉପାଦାନ ସଂଗ୍ରହ କରିଥିଲେ, କିନ୍ତୁ ତାଙ୍କର ଆକସ୍ମିକ ମୃତ୍ୟୁ ଯୋଗୁ ଏହି ବିଶାଳ ଯୋଜନା ଅସମ୍ପୂର୍ଣ୍ଣ ରହିଗଲା । ଗୋପବନ୍ଧୁ ଦାସଙ୍କ ଭାଷାରେ ‘‘କୃପାସିନ୍ଧୁଙ୍କ ଲିଖିତ ‘‘ଉତ୍କଳ ଇତିହାସ’’ ମୁଖବନ୍ଧ ଲୋଡ଼େ ନାହିଁ ।... ଏ ପୁସ୍ତକ ଉତ୍କଳର ସଂକ୍ଷିପ୍ତ ଇତିହାସ ମାତ୍ର । ସୁବିଶାଳ କଳିଙ୍ଗ ସାମ୍ରାଜ୍ୟର ଗୌରବାବହ ଇତିହାସ ବିସ୍ମୃତିଗର୍ଭରେ ଲୀନ ପ୍ରାୟ... । ଇତିହାସ ସହିତ ଯେ ଜାତୀୟ ଜୀବନର ଓତଃପ୍ରୋତ ସମ୍ପର୍କ ରହିଛି, ତାହା କୃପାସିନ୍ଧୁଙ୍କର ଇତିହାସ ରଚନାରୁ ସୁସ୍ପଷ୍ଟ । କୃପାସିନ୍ଧୁ ଏ ସମ୍ପର୍କରେ ନିଜେ କୁହନ୍ତି, “ଇତିହାସ ଜାତୀୟତା ଗଠନର ପ୍ରଧାନ ସହାୟ, ଏହା ଦ୍ୱାରା ଜାତି ଆତ୍ମଜ୍ଞାନ ଲାଭ କରେ’’ । ପ୍ରକୃତପକ୍ଷେ କୃପାସିନ୍ଧୁ ଥିଲେ ବୈଜ୍ଞାନିକ ଭିତ୍ତିରେ ଓଡ଼ିଶାର ପ୍ରଥମ ଶ୍ରେଷ୍ଠ ଐତିହାସିକ ଏବଂ ତାଙ୍କର ‘ଉତ୍କଳ ଇତିହାସ’ ଥିଲା ଓଡ଼ିଶାର ଇତିହାସ ଭଣ୍ଡାରର ଏକ ଉଜ୍ଜ୍ୱଳ ରତ୍ନ ।’’ (୫)

 

 

ବରିଷ୍ଠ ଅଧ୍ୟାପକ, ଇତିହାସ ବିଭାଗ

ରେଭେନ୍ସା ମହାବିଦ୍ୟାଳୟ

 

***

 

ସହାୟକ ଗ୍ରନ୍ଥସୂଚୀ :

୧.

‘ବାରବାଟୀ ଦୁର୍ଗ’-ତୃତୀୟ ଅଧ୍ୟାୟ, ପୃ ୧୫

୨.

ଚିନ୍ତାମଣି ଦାଶ, ‘ଐତିହାସିକ କୃପାସିନ୍ଧୁ’ କଟକ, ୧୯୬୨, ପୃ ୧୪୩

୩.

କୃପାସିନ୍ଧୁ ମିଶ୍ର, “କୋଣାର୍କ’, ପୃଷ୍ଠା ୧୬୫

୪.

କୃପାସିନ୍ଧୁ ମିଶ୍ର ‘ସତ୍ୟବାଦୀ ‘

୫.

‘ସମାଜ’, ତା ୧୭।୨।୫୮

 

 

ଶିକ୍ଷକ କୃପାସିନ୍ଧୁ

ହେମନ୍ତ କୁମାର ପରିଡ଼ା

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଖ୍ୟାତନାମା ସାହିତ୍ୟିକ, ନିଷ୍ଠାପର ଦେଶସେବକ, ଉଚ୍ଚକୋଟୀର ଦାର୍ଶନିକ, ରାଜନୀତିଜ୍ଞ, ଗବେଷକ ତଥା ସର୍ବୋପରି ଜଣେ ଏକନିଷ୍ଠ କର୍ମବୀର । କୃପାସିନ୍ଧୁଙ୍କ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ଥିବା ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ଡକ୍ଟର ରାଧାନାଥ ରଥଙ୍କ ଭାଷାରେ, “ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ଅନ୍ୟମାନେ ନିଜର ପାଣ୍ଡିତ୍ୟ, ଅସାଧାରଣ ପ୍ରତିଭା ଓ ତ୍ୟାଗ ହେତୁରୁ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଥିଲେ ସତ; କିନ୍ତୁ ଗୁରୁଙ୍କଠାରେ ବାତ୍ସଲ୍ୟଭାବରେ ଆତ୍ମସମର୍ପଣ କରିବାର ସରଳ ଆଭିମୁଖ୍ୟ ଯୁକ୍ତିବାଦୀ ଦାର୍ଶନିକ କୃପାସିନ୍ଧୁଙ୍କର ଯେପରି ଥିଲା; ପ୍ରଗାଢ଼ ଧର୍ମବିଶ୍ୱାସୀ, ଆଦର୍ଶବାଦୀ, ତ୍ୟାଗର ଅବତାର ହରିହରଙ୍କ ଆନ୍ତରିକ ସ୍ନେହ ଓ ବିନୟ ତାଙ୍କୁ ଗୋପବନ୍ଧୁଙ୍କର ସେହିଭଳି ଅନ୍ତରଙ୍ଗ କରିପାରିଥିଲା । ଚିନ୍ତାର ପ୍ରଖରତା ଏବଂ ଗାରିମାରେ ପଣ୍ଡିତ ନୀଳକଣ୍ଠ, ସମସ୍ତଙ୍କୁ ପ୍ରଭାବିତ କରୁଥିଲେ । କଠୋର ଶୃଙ୍ଖଳା ଓ ସଂଯମ ପ୍ରୟୋଗ କରିବାରେ ତାଙ୍କର ଦୃଢ଼ତା ଏପରିକି ଉଗ୍ରତା ତାଙ୍କୁ କେତେକ ପରିମାଣରେ ସହକର୍ମୀ ଓ ଛାତ୍ରଙ୍କଠାରୁ ଦୂରେଇ ରଖୁଥିଲା, କିନ୍ତୁ ବିନୟ, ସ୍ନେହ, ଶ୍ରଦ୍ଧା, ସର୍ବୋପରି କୃପାଭାବରେ ପରିପୁଷ୍ଠ କୃପାସିନ୍ଧୁଙ୍କ ହୃଦୟ ଯେପରି ବର୍ଷାକାଳୀନ ନଦୀର ଅନୁକୂଳ ସ୍ରୋତ ସବୁ ବାଧାବିଘ୍ନ ଲଙ୍ଘନ କରି ଲକ୍ଷ୍ୟସ୍ଥଳକୁ ବୋହିଯାଏ, ସେହିଭଳି ସବୁ ବାଧାବିଘ୍ନ, ମତଦ୍ୱୈଧ ଅତିକ୍ରମ କରି ସହକର୍ମୀ, ଛାତ୍ର ଏବଂ ସାଧାରଣଙ୍କ ପ୍ରତି କୃପାସ୍ନେହରେ ବିଗଳିତ ହୋଇ ଆପଣା ଛାଏଁ ପରର ହୃଦୟ ସ୍ପର୍ଶ କରିବାକୁ ଯେପରି କି ଅକାତରରେ ବୋହିଯାଏ । ତେଣୁ ସତ୍ୟବାଦୀ ସ୍କୁଲର ଅଧ୍ୟକ୍ଷ ବା ପ୍ରଧାନ ଶିକ୍ଷକରୂପେ ସେ ଯେପରି ସଖା, ସହୋଦର, କର୍ମୀ ଓ ଛାତ୍ରମାନଙ୍କର ପ୍ରିୟ ହୋଇଥିଲେ; ନିଜର ଗଭୀର ଗବେଷଣାମୂଳକ ଜ୍ଞାନ, ଅଧ୍ୟୟନ, ଅଧ୍ୟାପନା, ଅନୁଷ୍ଠାନ ପରିଚାଳନା, ଛାତ୍ର ଓ ସାଧାରଣଙ୍କ ପରିଚର୍ଯ୍ୟା, ସର୍ବୋପରି ତାଙ୍କର ପାଣ୍ଡିତ୍ୟ ଓ ସରଳ ସସ୍ନେହ ବ୍ୟବହାର ସମସ୍ତଙ୍କ ହୃଦୟରେ ସେହିପରି ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ।’’ (୧)

 

ବାସ୍ତବରେ ପଣ୍ଡିତ କୃପାସିନ୍ଧୁ ଥିଲେ ଜଣେ ସର୍ବଗୁଣସମ୍ପନ୍ନ ମଣିଷ । କାରଲାଇଲ୍‍ଙ୍କ ଏହି ଉକ୍ତିଟି ତାଙ୍କ ପାଇଁ ବିଶେଷ ଭାବରେ ପ୍ରଯୁଜ୍ୟ, ତାହା ହେଉଛି ‘‘A Hero is a Hero at all points”

 

କଲିକତା ବିଶ୍ୱବିଦ୍ୟାଳୟରୁ ୧୯୧୪ ମସିହାରେ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲପରେ ଆସି ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକରୂପେ ଯୋଗଦେଲେ । ସେତେବେଳେ କୃପାସିନ୍ଧୁଙ୍କ ବ୍ୟତୀତ ସତ୍ୟବାଦୀର ଅନ୍ୟ କୌଣସି ଶିକ୍ଷକ ଏତେ ଉଚ୍ଚଡିଗ୍ରୀଧାରୀ ନଥିଲେ । କୃପାସିନ୍ଧୁ ଚାହିଁଥିଲେ ରେଭେନ୍‍ସା କଲେଜରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ହୋଇ ପାରିଥାନ୍ତେ କିମ୍ବା କୌଣସି ସରକାରୀ ସ୍କୁଲରେ ଉଚ୍ଚ ବେତନଧାରୀ ପ୍ରଧାନ ଶିକ୍ଷକ ହେଇପାରିଥାନ୍ତେ । କିନ୍ତୁ ଅର୍ଥର ମୋହ ବା କ୍ଷମତାର ଲାଳସା ତାଙ୍କୁ ଲକ୍ଷ୍ୟଚ୍ୟୁତ କରାଇପାରିନଥିଲା । ତ୍ୟାଗ, ସେବା ଓ ଶିକ୍ଷା ବିସ୍ତାରକୁ ଜୀବନର ପରମ ବ୍ରତ କରି ସେ ମାସକୁ ମାତ୍ର ପଚାଶଟି ଟଙ୍କା ନେଇ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗଦେଲେ । ଅଧ୍ୟାପକ ଚିନ୍ତାମଣି ଦାଶଙ୍କ ଭାଷାରେ, “ଏ ଅଭୁତ କଥାଟିକୁ ଏବେ ଲୋକେ ଅବିଶ୍ୱାସ କରିପାରନ୍ତି । ଶହ ଶହ ଟଙ୍କାର ମୋହ ଛାଡ଼ି ଜାଣିଶୁଣି ଏ ଦୁଃଖ କିଏ ବରଣ କରିବ ? ‘ଆ କଟୁରି ବେକରେ ପଡ଼’ – ଏ ଆତ୍ମଘାତୀ ନୀତି କିଏ ବରଣ କରିବ ? ଜୀବନର ବୀଜମନ୍ତ୍ର ଟଙ୍କାକୁ ଗୋଡ଼ରେ ଆଡ଼େଇ ଦେବାର ଦୁଃସାହସ କରିବ କିଏ ? କିନ୍ତୁ ପଣ୍ଡିତ ଗୋପବନ୍ଧୁଙ୍କ ଭଳି ସ୍ପର୍ଶମଣି ସଂସ୍ପର୍ଶରେ ଆସି ସତ୍ୟବାଦୀର ତତ୍‌କାଳୀନ କର୍ମୀବୃନ୍ଦଙ୍କ ପକ୍ଷରେ ତାହା ସମ୍ଭବ ହୋଇଥିଲା । କୃପାସିନ୍ଧୁ ମଧ୍ୟ ନିର୍ଭୀକ ଭାବରେ ସେ ପଥ ବରଣ କରି ନେଇଥିଲେ । ଟଙ୍କାର ମୋହ ତାଙ୍କ ଚିତ୍ତକୁ ଦିନେ ସୁଦ୍ଧା ବିଚଳିତ କରିପାରିନାହିଁ । ତାଙ୍କର ଏ ଅଦ୍ଭୁତ ସ୍ଵାର୍ଥତ୍ୟାଗ ବିଷୟରେ ସହକର୍ମୀ ପଣ୍ଡିତ ନୀଳକଣ୍ଠ ନିଜେ ଲେଖିଛନ୍ତି ‘‘ସ୍ଵର୍ଗତ କୃପାସିନ୍ଧୁଙ୍କର ବିଶେଷତ୍ଵ ଥିଲା ଯେ, ସେ ଆମ୍ଭମାନଙ୍କ ସମ୍ପର୍କରେ ଆସିଲା ଦିନଠାରୁ ସତ୍ୟବାଦୀ ସ୍କୁଲଛଡ଼ା ଆଉ କୌଣସି କଥା କେବେ ଭାବି ନାହାନ୍ତି । ଚାକିରି କରିବା, ଓକିଲାତି କରିବା ବା ଅନ୍ୟ ବ୍ୟବସାୟ କରିବା ତ ଦୂରର କଥା।’’ (୨)

 

ପଣ୍ଡିତ ନୀଳକଣ୍ଠ ଦାସ, ‘ସମାଜ’ରେ (୧୭-୨-୫୮) ପ୍ରକାଶିତ ତାଙ୍କର ‘ସ୍ୱର୍ଗତ କୃପାସିନ୍ଧୁ ମିଶ୍ର’ ପ୍ରବନ୍ଧରେ ଲେଖିଥିଲେ “xxxସ୍ୱର୍ଗତ କୃପାସିନ୍ଧୁ ମିଶ୍ର ତାର ବର୍ଷକ ପରେ ଏମ୍.ଏ. ପାଶ କରି ଆସି ସଙ୍ଗେ ସଙ୍ଗେ ସ୍କୁଲରେ ଯୋଗଦେଲେ । ତାଙ୍କର ମଧ୍ୟ ପରିବାରର ଆଉ କେହି ନଥିଲେ । କଥା ହେଲା, ସେ ବସାକରି ସସ୍ତ୍ରୀକ ରହିବେ । ଅତଏବ ମାସକୁ ୮୦ ଟଙ୍କା ବା ୧୨୦ ଟଙ୍କା ଭଳି କିଛି ତାଙ୍କୁ ଦେବାର ବିଚାର ହେଲା । କିନ୍ତୁ ସେ କହିଲେ- ନା, ମାସକୁ ୫୦ ଟଙ୍କାରୁ ବେଶି ମୋର ଦରକାର ହେବ ନାହିଁ । ଏ ଅଦ୍ଭୁତ କଥାଟି ଆଜିଯାଏ ମୋର ସ୍ପଷ୍ଟ ମନେଅଛି; ହୁଏତ ଆଚାର୍ଯ୍ୟ ହରିହର ଦାସଙ୍କର ମନେଥିବ । ସ୍କୁଲର ତତ୍କାଳୀନ କିରାନି ସମସରପୁରର ଶ୍ରୀ ରଘୁନାଥ ମିଶ୍ରେ ବଞ୍ଚିଛନ୍ତି । ଥିଲେ ତାଙ୍କର ମନେଥିବ । ଏ ସବୁ କଥାର ଭାବ ଓ ପ୍ରଭାବ ଧରି ରଖିବାର କଥା ଦୂରେ ଥାଉ ଆଉ କାହାର ହୁଏତ ଏହା ମନେ ନଥିବ । XXX ବଡ଼ ବଡ଼ ଚାକିରି ପାଇବାର ସୁବିଧା ଥାଇ ତାକୁ ଛାଡ଼ିବା ସତ୍ୟବାଦୀର ସେ କାଳର ଶିକ୍ଷକଙ୍କର ମଧ୍ୟ ବିଶେଷତ୍ୱ ନୁହେଁ । କୃପାସିନ୍ଧୁଙ୍କ ଜୀବନରେ ସ୍ପଷ୍ଟ ଦେଖାଯାଏ, ତାଙ୍କର ଏପରି କଦାକାଂକ୍ଷା କେବେ ପ୍ରକାଶ ପାଇନାହିଁ । ଏ ଆଧ୍ୟାତ୍ମିକତାର ବଳ ହିଁ ସତ୍ୟବାଦୀର ପ୍ରକୃତ ସମ୍ବଳ ।’’ (୩)

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ସତ୍ୟବାଦୀ ସ୍କୁଲରେ ଯୋଗଦେଲାବେଳକୁ ଏହାର ଖ୍ୟାତି ଚାରିଆଡ଼କୁ ବ୍ୟାପୀ ଯାଇଥାଏ । ଓଡ଼ିଶା କାହିଁକି, ପଡ଼ୋଶୀ ରାଜ୍ୟମାନଙ୍କରେ ମଧ୍ୟ ଏହି ସ୍କୁଲ ସମ୍ପର୍କରେ ବେଶ ଚର୍ଚ୍ଚା ହେଲାଣି । ବଙ୍ଗଳାର ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଓ ଶିକ୍ଷାବିଦ୍‍ମାନେ ସେମାନଙ୍କର ପତ୍ର ପତ୍ରିକାରେ ସତ୍ୟବାଦୀ ସ୍କୁଲର ବହୁମୁଖୀ କାର୍ଯ୍ୟକଳାପ ସମ୍ପର୍କରେ ପ୍ରକାଶ କରି ଦେଶର ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କଲେଣି । ଶରତଚନ୍ଦ୍ର ଦାସଗୁପ୍ତ, ‘ବିଜୟା’ ପତ୍ରିକାର ଅଷ୍ଟମ ଖଣ୍ଡ, ସପ୍ତମ ସଂଖ୍ୟାରେ (ଚୈତ୍ର ୧୩୨୧) ଲେଖିଥଲେ, “ଉଡ଼ିଶ୍ୟାର ଏକ ନିଭୃତ ପଲ୍ଲୀତେ ଜନନୀ ବୀଣାପାଣି ପବିତ୍ର ଆଶୀର୍ବାଦ ଗୃହେ ଗୃହେ ବିତରଣ କରିବାର ଜନ୍ୟ କୟେକଜନ ସ୍ଵାର୍ଥତ୍ୟାଗୀ ସେବକର ନୀରବ ଅଥଚ ସୁମହାନ୍ ଆତ୍ମତ୍ୟାଗର ଯେ ଆଦର୍ଶ ନୟନଗୋଚର ହଇୟାଛେ, ତତ୍ ସମ୍ବନ୍ଧେ ଦୁଏକଟି କଥା ଲେଖିବାର ଜନ୍ୟଇ ଏହି କ୍ଷୁଦ୍ର ପ୍ରବନ୍ଧର ଅବତାରଣା’' ।

 

ସତ୍ୟବାଦୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଶ୍ରୀ ଗୋବିନ୍ଦଚନ୍ଦ୍ର ମିଶ୍ର, ପଣ୍ଡିତ କୃପାସିନ୍ଧୁଙ୍କ ସ୍ମୃତିସଂଖ୍ୟା, ‘ସମାଜ’ (୧୭-୨-୫୮)ରେ ଲେଖିଥିଲେ, “ମୁଁ ସାକ୍ଷୀଗୋପାଳରେ ପଢ଼ୁଥିଲାବେଳେ ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଇଂରେଜୀ ଭାଷାଜ୍ଞାନ ଓ ଓଡ଼ିଆ କବିତାରେ ଅସାଧାରଣ ଶକ୍ତି ଓ ସ୍ୱର୍ଗତ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଏ ତିନି ଭାଷାରେ ଅସାଧାରଣ ବାଗ୍ମିତାର ପରିଚୟ ପାଇଥିଲି । ସ୍ୱର୍ଗତ ପଣ୍ଡିତ କୃପାସିନ୍ଧୁ ମିଶ୍ର ସ୍ୱର୍ଗତ ପଣ୍ଡିତ ଗୋପବନ୍ଧୁଙ୍କର ଦକ୍ଷିଣ ହସ୍ତ ଥିଲେ । ମୋର ମନେଅଛି, ପଣ୍ଡିତ ଗୋପବନ୍ଧୁ ଦାସ ବିହାର ଆସେମ୍ଲିର ସଭ୍ୟ ଥିଲାବେଳେ ଯାହାକିଛି ଆସେମ୍ଲିରେ ପ୍ରଶ୍ନାବଳୀ ବା ବକ୍ତୃତା ଲେଖାଯାଉଥିଲା, ସେ ସମସ୍ତ ପଣ୍ଡିତ କୃପାସିନ୍ଧୁ ମିଶ୍ର ହିଁ ଲେଖୁଥିଲେ ।’’ ସତ୍ୟବାଦୀ ବିଦ୍ୟାଳୟର ଅନ୍ୟ ଜଣେ ପୂର୍ବତନ ଛାତ୍ର ଶ୍ରୀ ବିଶ୍ୱନାଥ ମହାପାତ୍ର କୃପାସିନ୍ଧୁଙ୍କର ଜୀବନ-ଚରିତର ବିଭିନ୍ନ ବିଭାବ ଉପରେ ଆଲୋକପାତ କରି ତାଙ୍କର ଶିକ୍ଷକତା ସମ୍ବନ୍ଧରେ ଲେଖିଅଛନ୍ତି, “କୃପାସିନ୍ଧୁ ଖୁବ୍ ଅମାୟିକ ଓ ସ୍ନେହବତ୍ସଳ । ଛାତ୍ରମାନଙ୍କୁ ସେ ନିଜର ପୁଅ ପରି ଦେଖୁଥିଲେ ।’’

 

ଅଧ୍ୟାପକ ଚିନ୍ତାମଣି ଦାଶ, ତାଙ୍କର ‘ଐତିହାସିକ କୃପାସିନ୍ଧୁ’ ପୁସ୍ତକରେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକମାନଙ୍କ ସମ୍ପର୍କରେ ମତବ୍ୟକ୍ତ କରନ୍ତି, “xxx ସମସ୍ତଙ୍କର ସମ୍ମିଳିତ ଆନ୍ତରିକ ଉଦ୍ୟମରେ ଏହି ଅନୁଷ୍ଠାନ ସେତେବେଳେ ହୋଇଥିଲା ଶିକ୍ଷା, ସେବା ଓ ମନୁଷ୍ୟତା ଗଠନର ପ୍ରଧାନ ପୀଠ । ‘‘ସଂହତିଃ କାର୍ଯ୍ୟସାଧିକା’’ - ଏହା ହିଁ ଥିଲା ସେମାନଙ୍କ ସାଧନାର ମୂଳମନ୍ତ୍ର । ସମସ୍ତେ ଏକମନ ଏକପ୍ରାଣ ହୋଇ କାମ କରୁଥିଲେ । ଗୋଟିଏ ଜଟିଳ ସମସ୍ୟାର ଉଦ୍ଭବ ହେଲେ ସମାନ ଭାବରେ ସମସ୍ତଙ୍କ ମୁଣ୍ଡକୁ ତାହାର ସମାଧାନର ଚିନ୍ତା ଘାରୁଥିଲା । ଛାତ୍ରମାନଙ୍କର ଚରିତ୍ରଗଠନ କରିବାର ଉପଯୁକ୍ତ ପନ୍ଥା ଖୋଜି ବାହାର କରିବାକୁ ସମସ୍ତଙ୍କୁ ବହୁ ରାତ୍ରି ଅନିଦ୍ରା ହେବାକୁ ପଡ଼ିଛି । କିନ୍ତୁ ମନୁଷ୍ୟର ଏ ରକ୍ତମାଂସର ଶରୀର ମଧ୍ୟରେ ଦୁର୍ବଳତା ଯେ କେଉଁ ଶିରାପ୍ରଶିରାରେ ଛପି ରହିଥାଏ, ମନୁଷ୍ୟ ଜାଣି ସୁଦ୍ଧା ଜାଣିପାରେ ନାହିଁ । କେଡ଼େ ସାବଧାନରେ ଚାଲୁଥିଲେ ସୁଦ୍ଧା ଗୋଡ଼ କେତେବେଳେ ଖସିଯାଏ, ସେ ବୁଝିପାରେ ନାହିଁ । ଏହି ମନୁଷ୍ୟ ସୁଲଭ ଦୁର୍ବଳତା ଯୋଗୁଁ ଅସହଯୋଗ ଆନ୍ଦୋଳନ ଫଳରେ ସତ୍ୟବାଦୀ ସ୍କୁଲ ଜାତୀୟ ବିଦ୍ୟାଳୟରେ ପରିଣତ ହେବା ପୂର୍ବରୁ କେତେଜଣ ଶିକ୍ଷକଙ୍କ ମଧ୍ୟରେ ମନ ଫଟାଫଟି ଆରମ୍ଭ ହୋଇ ଯାଇଥିଲା । ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଭାଷାରେ ‘‘କାଚ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହେଉନାହିଁ । ଆମମାନଙ୍କ ମନ ଯେ ପରସ୍ପରଠାରୁ ଥରେ ଭାଜିଗଲା, ଆଉ ଯୋଡ଼ି ହେଲା ନାହିଁ ।’’ କିନ୍ତୁ ଏସବୁ ମନୋମାଳିନ୍ୟର ବହୁ ଉପରେ ଥିଲେ କୃପାସିନ୍ଧୁ । ଯେ ଯୁଆଡ଼େ ଗଲେ । ଗୋଦାବରୀଶ ବାବୁ ଚକ୍ରଧରପୁର ଗଲେ । ନୀଳକଣ୍ଠ ବାବୁ କଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନ ସ୍ୱନାମଧନ୍ୟ କୁଳପତି ସାର୍ ଆଶୁତୋଷ ମୁଖାର୍ଜିଙ୍କ ଅନୁରୋଧରେ ଓଡ଼ିଆ ଏମ୍.ଏ. କ୍ଲାସର ଅଧ୍ୟାପକ ହୋଇ କଲିକତା ଗଲେ । ମାତ୍ର ସତ୍ୟବାଦୀ ସ୍କୁଲରେ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଦୁଃଖକଷ୍ଟ ସହି ପଡ଼ି ରହିଥିଲେ କେବଳ କୃପାସିନ୍ଧୁ ।

 

ସତ୍ୟବାଦୀ ବିଦ୍ୟାଳୟକୁ ପୁନର୍ଜୀବିତ କରି ତାକୁ ପୂର୍ବରୁ ପରିକଳ୍ପିତ କଲେଜରେ ପରିଣତ କରିବାର ସ୍ଵପ୍ନ ଦେଖୁଥିଲେ ସେହି କୃପାସିନ୍ଧୁ । ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଶିକ୍ଷକମାନଙ୍କର ଉତ୍ସାହ, ନିଷ୍ଠା, ଦେଶ ହିତୈଷିଣା ଓ ଆତ୍ମତ୍ୟାଗ ଅତ୍ୟନ୍ତ ପ୍ରଶଂସାର୍ହ ଓ ଉଲ୍ଲେଖଯୋଗ୍ୟ ବୋଲି ବୈଦେଶିକ ଶିକ୍ଷାବିତ୍ ଓ ବିଭାଗୀୟ ପରିଦର୍ଶକମାନେ ବିଭିନ୍ନ ସମୟରେ ଉଲ୍ଲେଖ କରିଛନ୍ତି । ତାହା ସମାନ ଭାବରେ ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ସବୁ ଶିକ୍ଷକମାନଙ୍କ ପ୍ରତି ପ୍ରଯୁଜ୍ୟ ହେଲେ ସୁଦ୍ଧା ଭୋକ ଉପାସରେ ଶେଷ ପର୍ଯ୍ୟନ୍ତ ସତ୍ୟବାଦୀର ମାଟି କାମୁଡ଼ି ପଡ଼ିରହିଥିବା କୃପାସିନ୍ଧୁଙ୍କ ପ୍ରତି ଯେ ସର୍ବତୋଭାବରେ ପ୍ରଯୁଜ୍ୟ, ଏଥିରେ ସନ୍ଦେହ ନାହିଁ ।’’ (୪)

 

ପଣ୍ଡିତ କୃପାସିନ୍ଧୁ ଛାତ୍ରମାନଙ୍କ ପାଇଁ କେତେ ଯେ କଠୋର ଅଧ୍ୟବସାୟ କରୁଥିଲେ ଏବଂ କୌଣସି ଛାତ୍ର ବିଷୟଟି ବୁଝିନପାରିଲେ ତା ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ, ତାହା ସ୍ପଷ୍ଟ ଜଣାପଡ଼ିବ ସ୍ୱର୍ଗତ ଯୋଗେଶଚନ୍ଦ୍ର ରାୟଙ୍କ ମନ୍ତବ୍ୟରୁ, “କୃପାସିନ୍ଧୁ ଉପର କ୍ଲାସରେ ଇତିହାସ ପଢ଼ାଉଥାନ୍ତି । ଏଣେ ଘରେ ଅବକାଶ ସମୟରେ ଐତିହାସିକ ଗବେଷଣା କାର୍ଯ୍ୟ ଚାଲିଥାଏ । ‘କୋଣାର୍କ’ ଗ୍ରନ୍ଥ ନିମନ୍ତେ ଉପାଦାନ ଆହରଣ କରାଯାଉଥାଏ । ସେ କେବଳ ସ୍କୁଲରେ ଇତିହାସ ପଢ଼ାଉନଥିଲେ, ଭୂଗୋଳ ଓ ଇଂରେଜୀ ମଧ୍ୟ ପଢ଼ାଉଥିଲେ । ସକାଳ ଓଳିଟା ତାଙ୍କର ଘରେ ଯାଏ ସ୍କୁଲରେ ପଢ଼ାଇବା ପାଇଁ ନୋଟ ପ୍ରସ୍ତୁତ କରିବାରେ । ସେ ଯାହା କ୍ଲାସରେ ପଢ଼ନ୍ତି, ତାକୁ ସବୁ ଘରେ ଭଲ କରି ପଢ଼ି ଆସିଥାନ୍ତି; ନୋଟ ଖାତାରେ ସବୁ ବିସ୍ତୃତ ଭାବରେ ଲେଖି ଆଣିଥାନ୍ତି । କିନ୍ତୁ କ୍ଲାସରେ ଏ ନୋଟଖାତା ସହିତ ତାଙ୍କର ସମ୍ପର୍କ ନଥାଏ । ସେ ଖାତା କେବେ କ୍ଲାସରେ ଖୋଲା ହୁଏ ନାହିଁ । ଯାହା ସେ ଲେଖି ଆଣିଥାନ୍ତି, ସବୁ ତାଙ୍କ ମନଦର୍ପଣରେ ସେହିପରି ବିରାଜୁଥାଏ । ଯେଉଁ କ୍ରମ କିମ୍ବା ପଦ୍ଧତି ଅନୁସାରେ ସେ ବିଷୟଟି କ୍ଲାସରେ ପଢ଼ାଇବାକୁ ଆଗରୁ ଚିନ୍ତା କରିଥାନ୍ତି, ଠିକ୍ ସେହି ପଦ୍ଧତିଟି ଅବଲମ୍ବନ କରନ୍ତି । ଦିନେ କ୍ଲାସରେ ‘ଋତୁପରିବର୍ତ୍ତନ’ ବିଷୟ ପଢ଼ାଉ ପଢ଼ାଉ ହଠାତ୍ ଗୋଟାଏ ପ୍ରଶ୍ନ ଜଣେ ଅପେକ୍ଷାକୃତ ନିର୍ବୁଦ୍ଧିଆ ପିଲାଟିକୁ ପଚାରିଦେଲେ । ପିଲାଟି ଉତ୍ତର ଦେଇପାରିଲା ନାହିଁ । ପ୍ରଶ୍ନଟିକୁ ଆହୁରି ଥରେ ବିଶ୍ଳେଷଣ କରି ବୁଝାଇଦେଲେ । ତଥାପି ଆଶାଜନକ ଉତ୍ତର ପାଇଲେ ନାହିଁ । ସେ କେବେ କ୍ଲାସରେ ରାଗିଯାନ୍ତି ନାହିଁ । ସଦାବେଳେ ଗମ୍ଭୀର, କିନ୍ତୁ ହସ ହସ ମୁହଁ । ସେ ଦିନ କିନ୍ତୁ ତାଙ୍କ ମନରେ କ୍ରୋଧ ଆସିଲା । ସେ ସେହି ପିଲାକୁ ରାଗରେ କହିଦେଲେ ଫୁଲ୍ (ବୋକା) । ପିଲାଟି କ୍ଷୁର୍ଣ୍ଣ ହେଲା । କୃପାସିନ୍ଧୁ ବାବୁ ଆଜି କ୍ଲାସରେ ରାଗିଲେ- ଏକଥା ଅନ୍ୟାନ୍ୟ ଛାତ୍ରମାନଙ୍କୁ ବାଧିଲା । କିନ୍ତୁ ତାହାଠାରୁ ବେଶି ବାଧିଲା କୃପାସିନ୍ଧୁଙ୍କୁ । ସେ ସେଦିନ ଘରକୁ ଫେରିଯାଇ ଭାତଥାଳି ପାଖରେ ବସିଲେ; ଭାତରେ ହାତ ଦେଲେ ନାହିଁ । ଦୈନନ୍ଦିନ କାର୍ଯ୍ୟରେ ମନ ଲାଗିଲା ନାହିଁ । ସଙ୍ଗେ ସଙ୍ଗେ ସ୍କୁଲ ଲାଇବ୍ରେରୀକୁ ଯାଇ ଋତୁ ପରିବର୍ତ୍ତନ ବିଷୟରେ ଅନ୍ୟାନ୍ୟ ଭୂଗୋଳ ବହିରୁ ଆବଶ୍ୟକୀୟ ତଥ୍ୟସବୁ ସଂଗ୍ରହ କଲେ । ତାକୁ ସବୁ ସରଳ ଇଂରେଜୀରେ ନିଜ ନୋଟଖାତାରେ ଲେଖିଲେ । ତହିଁ ପରଦିନ ଭୂଗୋଳ କ୍ଲାସ ନଥାଏ-। ଇଂରେଜୀ କ୍ଲାସରେ ଭୂଗୋଳ ପଢ଼ାହେଲା । ବ୍ଲାକବୋର୍ଡରେ ନାନା ପ୍ରକାର ଚିତ୍ର କଟାଗଲା । ସେ ବିଶଦ ଭାବରେ ସବୁକଥା ବୁଝାଇଦେଲା ପରେ ସେହି ‘ବୋକା’ ପିଲାକୁ ସେ ସମ୍ବନ୍ଧରେ ପୁଣି ପ୍ରଶ୍ନ ପଚାରିଲେ । ପିଲାଟି ବର୍ତ୍ତମାନ ସନ୍ତୋଷଜନକ ଉତ୍ତର ଦେଲା । କୃପାସିନ୍ଧୁ ଆନନ୍ଦ ଓ ଆଶ୍ଵସ୍ତିର ନିଃଶ୍ୱାସ ମାରି କହିଲେ, “ସେ ବୋକା ନୁହେ ଯେ, ବୋକା ମୁଁ । ମୁଁ ଅଳ୍ପକେ ସନ୍ତୁଷ୍ଟ ହୋଇଯିବି ବୋଲି ଭାବିଥିଲି; କିନ୍ତୁ ଦେଖୁଛି, ଅଳ୍ପକରେ ସନ୍ତୁଷ୍ଟ ହେବା ପିଲା ତୁମେ ନୁହଁ । ତୁମ ପାଇଁ ଗଭୀର ଜଳକୁ ଯାଇ ପାଣି ପିଇବାକୁ ହେବ । XXX କୃପାସିନ୍ଧୁଙ୍କ ଶିକ୍ଷାଦାନର ବିଶେଷତ୍ଵ ଥିଲା- ଆଗ ନିଜର ଦୋଷ ଦୁର୍ବଳତା ଦେଖି ପରେ ଛାତ୍ରର ଦୋଷ ଦେଖିବା; ଆଗେ ନିଜକୁ ସଜାଡ଼ି ପରେ ଅନ୍ୟକୁ ସଜାଡ଼ିବା ।’’ (୫)

 

୧୯୧୪ରୁ ୧୯୧୯ ମସିହା ପର୍ଯ୍ୟନ୍ତ ପଣ୍ଡିତ କୃପାସିନ୍ଧୁ ସତ୍ୟବାଦୀ ସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ପଣ୍ଡିତ ଗୋଦାବରୀଶ ଚକ୍ରଧରପୁର ସ୍କୁଲକୁ ଚାଲିଯିବା ପରେ କୃପାସିନ୍ଧୁ ୧୯୧୯ ମସିହାରେ ସତ୍ୟବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱ ବହନ କଲେ । ୧୯୨୭ ମସିହା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହି ସ୍କୁଲର ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଇଥିଲେ । ଏହି ସମୟରେ ଶିକ୍ଷାବିଭାଗର ଇନ୍‍ସପେକ୍ଟର ଡିଉକ୍ ସାହେବ ସ୍କୁଲ ପରିଦର୍ଶନରେ ଆସି ତାଙ୍କ ମନ୍ତବ୍ୟରେ ଲେଖିଥିଲେ, ସ୍କୁଲ ଓ ତାର ପରିବେଷ୍ଟନୀରେ ଯେଉଁ ପ୍ରଫୁଲ୍ଲତା, ସରସ ଜୀବନ-ସ୍ପନ୍ଦନ ଓ ସ୍ଫୁର୍ତ୍ତିର ବାତାବରଣ ଦେଖିଲି, ସେଥିରେ ମୁଁ ଅତ୍ୟନ୍ତ ଆପ୍ୟାୟିତ । ଶିକ୍ଷକମାନେ ସାଧୁ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ । ସେମାନେ ବାସ୍ତବିକ ଛାତ୍ରମାନଙ୍କୁ ସ୍ନେହ କରନ୍ତି । ଛାତ୍ରମାନେ ମଧ୍ୟ ସେ ସ୍ନେହର ଉପଯୁକ୍ତ ପ୍ରତିଦାନ ଦିଅନ୍ତି । ସ୍କୁଲ ଏ ପର୍ଯ୍ୟନ୍ତ ଯେଉଁ କୃତିତ୍ୱ ଓ ଖ୍ୟାତି ଅର୍ଜନ କରିଛି ମୁଁ ସେଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ଅଭିବାଦନ କରୁଛି ।’’

 

ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ଥିବା ସମୟରେ କୃପାସିନ୍ଧୁ ଶିକ୍ଷକତା ସହିତ ସ୍କୁଲ ପରିଚାଳନା ସମିତିର ସହକାରୀ ସମ୍ପାଦକ ଥିଲେ । ଗୋପବନ୍ଧୁଙ୍କ ଅନୁପସ୍ଥିତିରେ ପଣ୍ଡିତ କୃପାସିନ୍ଧୁ ସ୍କୁଲର ସମସ୍ତ ବିବରଣୀ ସମିତିରେ ଉପସ୍ଥାପନ କରି ତାହାକୁ ତର୍ଜମା କରୁଥିଲେ ଏବଂ ସମିତିରେ ଗୃହୀତ ସମସ୍ତ ପ୍ରସ୍ତାବକୁ ନିଜେ ଲିପିବଦ୍ଧ କରି ରଖୁଥିଲେ । ସ୍କୁଲରେ ଖୋଲିଥିବା ‘ଇତିହାସ ସମାଜ’ର ସେ ଥିଲେ ସଭାପତି । ଛାତ୍ରମାନଙ୍କୁ ଐତିହାସିକ ପ୍ରବନ୍ଧମାନ ଲେଖିବାକୁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ ନିଜେ ଗବେଷଣାତ୍ମକ ପ୍ରବନ୍ଧମାନ ଲେଖି ପାଠ କରୁଥିଲେ । ଇଂରେଜୀରେ ଲିଖିତ ଏହି ପ୍ରବନ୍ଧସବୁ ପରେ ଓଡ଼ିଆରେ ଅନୂଦିତ ହୋଇ ସତ୍ୟବାଦୀ’ ମାସିକ ପତ୍ରିକାରେ ନିୟମିତ ପ୍ରକାଶିତ ହେଉଥିଲା ।

 

୧୯୨୧ ମସିହା ଜାନୁୟାରୀ ୨୧ ତାରିଖରେ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେଲା । ପୂର୍ବରୁ ଚାଲୁରହିଥିବା ସମସ୍ତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ଜାତୀୟ ବିଦ୍ୟାଳୟରେ ଚାଲୁରହିଲା । କେବଳ ବିଶ୍ଵବିଦ୍ୟାଳୟର ମାଟ୍ରିକୁଲେସନ୍ ପରୀକ୍ଷା ଦେବା ପାଇଁ ଯେଉ ବ୍ୟବସ୍ଥା ଥିଲା, ତାହା ବନ୍ଦ କରି ଦିଆଗଲା । ୧୯୨୧ ମସିହା ମାର୍ଚ୍ଚ ମାସରେ ଓଡ଼ିଶାକୁ ଆସିବା ସମୟରେ ଗାନ୍ଧିଜୀ ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭାରେ ଅସହଯୋଗର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଭାଷଣ ଦେଇଥିଲେ । ସେଠାରେ ସମବେତ ଜନତା ଗାନ୍ଧିଜୀଙ୍କ ଭାବଧାରାରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇଥିଲେ । ଫଳରେ ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟରେ ଛାତ୍ରସଂଖ୍ୟା ବୃଦ୍ଧି ପାଇଥିଲା । ସତ୍ୟବାଦୀ ସ୍କୁଲରୁ ମାଟ୍ରିକୁଲେସନ ପାସ୍ କରି ପିଲାମାନେ ଉଚ୍ଚଶିକ୍ଷାକୁ ଏଡ଼େଇ ଦେଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ । ଗୋପବନ୍ଧୁ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଆନ୍ଦୋଳନକୁ ଓଡ଼ିଶାର ପୁରପଲ୍ଲୀରେ ପ୍ରସାର କରିବା ପାଇଁ ସତ୍ୟବାଦୀ ଛାଡ଼ିଲେ । ଫଳରେ ବିଦ୍ୟାଳୟର ସମସ୍ତ ପରିଚାଳନା ଦାୟିତ୍ୱ ପଡ଼ିଲା କୃପାସିନ୍ଧୁଙ୍କ ଉପରେ । ଗୋପବନ୍ଧୁଙ୍କ ପରି ସେ ମଧ୍ୟ ଅସହଯୋଗ ଆନ୍ଦୋଳନ ପାଇଁ ସତ୍ୟବାଦୀ ତ୍ୟାଗ କରି ପାରିଥାନ୍ତେ, ହେଲେ ତାଙ୍କର କଳ୍ପନା ଥିଲା ଅଲଗା । ସେ ଦେଖିଲେ ସେ ଯଦି ସତ୍ୟବାଦୀ ଛାଡ଼ିବେ, ତେବେ ନବଗଠିତ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ଶିକ୍ଷାଦାନରେ ଘୋର ବିପର୍ଯ୍ୟୟ ଦେଖାଦେବ । ଯାହାଫଳରେ ଏଠାରୁ ବଳିଷ୍ଠ ଜାତୀୟ ପ୍ରେରଣା ଲାଭ କରି ଛାତ୍ରମାନେ ଓଡ଼ିଶାର ଘରେ ଘରେ ମୁକ୍ତି-ମନ୍ତ୍ର ପ୍ରଚାର କରିବା ଆଉ ସମ୍ଭବ ହେବନାହିଁ । ଏସବୁ କଥା ଚିନ୍ତା କରି ପଣ୍ଡିତ କୃପାସିନ୍ଧୁ ସତ୍ୟବାଦୀରେ ରହି ତାହାର ସମସ୍ତ ଦାୟିତ୍ୱ ନେବାକୁ ମନସ୍ଥ କରିଥିଲେ । ସେତେବେଳକୁ ପଣ୍ଡିତ ନୀଳକଣ୍ଠ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଏବଂ ଗୋଦାବରୀଶସିଂହ ଭୂମିର ଚକ୍ରଧରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ । ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ପଣ୍ଡିତ କୃପାସିନ୍ଧୁଙ୍କୁ ସାହାଯ୍ୟ କରିବାକୁ ଥିଲେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ନନ୍ଦକିଶୋର ଦାସ, ଆଚାର୍ଯ୍ୟ ହରିହର ଦାସ ଓ ବାସୁଦେବ ମହାପାତ୍ର ପ୍ରଭୃତି ଶିକ୍ଷକବୃନ୍ଦ-

 

୧୯୨୧ରୁ ୧୯୨୩ ମସିହା ପର୍ଯ୍ୟନ୍ତ ଜାତୀୟ ବିଦ୍ୟାଳୟର କାର୍ଯ୍ୟ ସୂଚାରୁରୂପେ ଚାଲିଥିଲା । ୧୯୨୩ରୁ ଏହି ବିଦ୍ୟାଳାୟ ଜାତୀୟ କଲେଜର ରୂପ ନେଲା ଏବଂ ‘ସତ୍ୟବାଦୀ ବିହାର’ ନାମରେ ନାମିତ ହେଲା । କୃପାସିନ୍ଧୁ ଆଇ.ଏ.ଶ୍ରେଣୀରେ ପାଠ ପଢ଼ାଇବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ରାଜନୀତି ଶିକ୍ଷା ମଧ୍ୟ ଦେଉଥିଲେ । କିନ୍ତୁ ସମୟକ୍ରମେ ‘ସତ୍ୟବାଦୀ ବିହାର’ ଉତ୍କଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା । ଶିକ୍ଷକମାନେ ଦୀର୍ଘଦିନ ଧରି ଦରମା ପାଇ ପାରିଲେ ନାହିଁ । ଜଣ ଜଣ ହୋଇ କର୍ମୀସବୁ ଯେଉଁ ସତ୍ୟବାଦୀ ବିଦ୍ୟାଳୟକୁ ତାଙ୍କ ଜୀବନର ଚିର ସାଧନାର ପୀଠ କରିଥିଲେ, ତାକୁ ଛାଡ଼ି ଅନ୍ୟ କର୍ମକ୍ଷେତ୍ର ଖୋଜିଲେ । ୧୯୨୭ ମସିହାବେଳକୁ ସତ୍ୟବାଦୀ ବିଦ୍ୟାଳୟରେ ଆଉ କେହି ନଥିଲେ । ସେତେବେଳକୁ କୃପାସିନ୍ଧୁ ଅର୍ଥାଭାବରୁ ସତ୍ୟବାଦୀ ବସାଘର ଛାଡ଼ି ବୀରପ୍ରତାପପୁରରେ ଯାଇ ରହୁଥିଲେ । ଘୋର ଅର୍ଥାଭାବ ସତ୍ତ୍ୱେ କୃପାସିନ୍ଧୁ ପ୍ରତିଦିନ ସାଇକେଲରେ ଚଢ଼ି ବୀରପ୍ରତାପପୁରଠାରୁ ସତ୍ୟବାଦୀ ଯିବା ଆସିବା କରୁଥାନ୍ତି । ସେତେବେଳକୁ ଅତ୍ୟଧିକ ପରିଶ୍ରମ, ଦୁଶ୍ଚିନ୍ତା ତଥା କ୍ରମାଗତ ବାତଜ୍ଵର ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଲାଣି ।

 

ଶେଷରେ ଜାତୀୟ ମୁକ୍ତି-ସଂଗ୍ରାମରେ ସତ୍ୟବାଦୀ ବିଦ୍ୟାଳୟକୁ ବଳି ଦିଆଗଲା । ଅଧ୍ୟାପକ ଶ୍ରୀ ଚିନ୍ତାମଣି ଦାଶ ତାଙ୍କର ‘ଐତିହାସିକ କୃପାସିନ୍ଧୁ’ ପୁସ୍ତକରେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ଅଧଃପତନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି, “କୋଡ଼ିଏ କି ପଚିଶ ବର୍ଷର ଅକ୍ଲାନ୍ତ ସାଧନାରେ ପ୍ରତିଷ୍ଠିତ ସତ୍ୟବାଦୀ ବିଦ୍ୟାଳୟର କେତେକାଳ ପର୍ଯ୍ୟନ୍ତ ଚିହ୍ନବର୍ଣ୍ଣ ରହିଲା ନାହିଁ । ଶହ ଶହ ଛାତ୍ରଙ୍କ କଳରବରେ ମୁଖରିତ ଛାତ୍ରାବାସ କ୍ରମେ ନିର୍ଜନ ଭୂମିରେ ପରିଣତ ହେଲା । ବନବିଦ୍ୟାଳୟ ହତଶ୍ରୀ ହୋଇଗଲା । ମଞ୍ଜୁ ଛୁରୀଅନାକୁଞ୍ଜ ବିଷାଦକାଳିମାରେ ଆଚ୍ଛନ୍ନ ହେଲା । କେତେବର୍ଷ ପରେ ସେହି ଧ୍ୱଂସାବଶେଷ ଉପରେ ମୁଣ୍ଡଟେକି ଠିଆହେଲା ଗୋଟିଏ ମାଇନର ସ୍କୁଲ-। କାଳକ୍ରମେ ତାହା ହାଇସ୍କୁଲରେ ପରିଣତ ହୋଇ ଏପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି । ସେହି ହାଇସ୍କୁଲ ଏବେ ଗୋପବନ୍ଧୁଙ୍କ ସତ୍ୟବାଦୀ ସ୍କୁଲର ସ୍ମାରକ ହୋଇ ରହିଛି । XXX ଜାତୀୟ ବିଦ୍ୟାପୀଠ ଭାଜିଯିବାର ପୂର୍ବଦିନ କେତେକ ଛାତ୍ର କୃପାସିନ୍ଧୁଙ୍କୁ ବାଷ୍ପାକୁଳ କଣ୍ଠରେ ପଚାରିଲେ, “ମହାଶୟ, ଆମେ ଏ ପରିସ୍ଥିତିରେ କଅଣ କରିବୁ ? ଜାତୀୟ ଶିକ୍ଷା ପରିଷଦରୁ ଯେଉଁ ଆଇ.ଏ. ପାସ କଲୁ, ଆମ ଜୀବନରେ ତାର ବା କି ମୂଲ୍ୟ ? ଆମେ ବର୍ତ୍ତମାନ କି ପନ୍ଥା ଧରିବୁ ? ଆପଣମାନେ ତ ଆମପାଇଁ ଏତେ ଦୁଃଖ ଯନ୍ତ୍ରଣା ଭୋଗିଲେଣି, ଆପଣମାନେ ଏ ସଙ୍କଟମୟ ପରିସ୍ଥିତିରେ ବା କଅଣ କରିବେ ? ଆପଣମାନଙ୍କର ଭବିଷ୍ୟତ କଅଣ ହେବ ? ଏତେ ତ୍ୟାଗ, ସାଧନା, ଚିନ୍ତା ଓ ଉଦ୍-ବେଗ କି ସବୁ ବ୍ୟର୍ଥ ହେଲା ?”

 

ଏହାର ଉତ୍ତରରେ କୃପାସିନ୍ଧୁ କହିଲେ, “ଆମେ ସ୍ୱାଧୀନତା ପାଇଁ ଲଢ଼ୁଥାଇଁ । ତେଣୁ ଆମର ମନର ଭାବ ସ୍ଵାଧୀନ ହେବା ଦରକାର । ନିଜର ଜୀବନ ନିଜେ ସ୍ୱାଧୀନ ଭାବରେ ଗଢ଼ । କାହା କୁହାବୋଲାରେ ଭୁଲିଯିବା ଉଚିତ ନୁହେଁ । ଆମେ ଶିକ୍ଷାକ୍ଷେତ୍ରରୁ ଯାଇ ଦେଶର ଜାତୀୟ କାର୍ଯ୍ୟରେ ଏବେ ନିଜ ନିଜର ଶକ୍ତି ନିୟୋଜିତ କରିବୁ । ଆମେ ତ ବହୁ ଆଗରୁ ଦେଶପାଇଁ ଜୀବନ ଦେଇସାରିଛୁ, ଆମ ପ୍ରଶ୍ନ ଉଠାଉଛି କାହିଁକି ? ତୁମେ ଯେତେ ପ୍ରକାର ପାରୁଛ, ଆଗ ନିଜକୁ ଗଢ଼ । ତାହାପରେ ସୁବିଧା ଓ ସୁଯୋଗ ପାଇଲା ମାତ୍ରକେ ଦେଶ ସେବାକୁ ବାହାରିପଡ଼ । ଆଜି ଏ ସତ୍ୟବାଦୀ ବିଦ୍ୟାଳୟ ଭାଜିଯାଉଛି । ମୋର ଆଶା ଓ ବିଶ୍ୱାସ, ତୁମ୍ଭେମାନେ ନିଜକୁ ଉପଯୁକ୍ତ କରି ପୁଣି ଆମ୍ଭମାନଙ୍କ ସାଧନାର ପୁଣ୍ୟପୀଠ ଏହି ସତ୍ୟବାଦୀକୁ ଦିନେ ଫେରି ଆସିବ । ତୁମ୍ଭମାନଙ୍କ ପ୍ରଚେଷ୍ଟାରେ ପୁଣି ସତ୍ୟବାଦୀ ବିଦ୍ୟାଳୟ ନବ କଳେବର ଧରି ଜାଗିଉଠିବ । ଶତ ଶତ ଛାତ୍ର ଏହି ବିଦ୍ୟାପୀଠରୁ ବାହାରି ଦେଶମାତୃକାର ସେବାରେ ନିଜ ନିଜ ଜୀବନକୁ ଧନ୍ୟ କରିବେ । ଏହି ଆଶା ଓ ବିଶ୍ୱାସ ହୃଦୟରେ ପୋଷଣ କରି, ପ୍ରିୟତମ ଛାତ୍ରବୃନ୍ଦ, ମୁଁ ଆଜି ତୁମ୍ଭମାନଙ୍କଠାରୁ ବିଦାୟ ନେଉଛି । ଆଜି ସତ୍ୟବାଦୀ ସ୍କୁଲର ପତନ ହେଲା, ପୁଣି ତୁମ୍ଭେମାନେ ପାରିଲେ ଏହାର ପୁନରୁଦ୍ଧାର କରିବ ।”(୬)

 

ସତ୍ୟବାଦୀ ବନବିଦ୍ୟାଳୟ ଆଜି ଇତିହାସର ପୃଷ୍ଠାରେ ଅମର ହୋଇ ରହିଛି । ଏହି ଅମରତା ପ୍ରତିପାଦନରେ ପଣ୍ଡିତ କୃପାସିନ୍ଧୁଙ୍କ ପ୍ରଚେଷ୍ଟା ଓ ବ୍ୟାକୁଳତା ଯେ ପରିସ୍ଫୁଟ, ଏଥିରେ ସନ୍ଦେହର ଅବକାଶ ନାହିଁ । ଶେଷ ପର୍ଯ୍ୟନ୍ତ ସେହି କେବଳ ଥିଲେ ଏହାର କର୍ଣ୍ଣଧାର । ବାସ୍ତବରେ ଶିକ୍ଷକ କୃପାସିନ୍ଧୁ ଥିଲେ ଶିକ୍ଷକସମାଜର ଆଦର୍ଶ ଏବଂ ଛାତ୍ରସମାଜ ପାଇଁ ଆଲୋକବର୍ତ୍ତିକା । ସ୍ୱଳ୍ପକାଳର ଜୀବନ ମଧ୍ୟରେ ପଣ୍ଡିତ କୃପାସିନ୍ଧୁ ଏ ସମାଜ ପାଇଁ ଯାହା କରିଛନ୍ତି, ତାହା ଏ ଜାତି ଯୁଗ ଯୁଗ ପାଇଁ ସ୍ମରଣ କରୁଥିବ ।

 

ଇତିହାସ ବିଭାଗ,

ରଘୁନାଥଜୀଉ କଲେଜ, ଦେଉଳସାହି, କଟକ୍-୮

***

 

ସହାୟକ ଗ୍ରନ୍ଥସୂଚୀ :

୧)

ଚିନ୍ତାମଣି ଦାଶ, ‘ଐତିହାସିକ କୃପାସିନ୍ଧୁ’ (ରାଧାନାଥ ରଥଙ୍କ ମୁଖବନ୍ଧ, ପୃ-୩) କଟକ, ୧୯୬୨

୨)

ଚିନ୍ତାମଣି ଦାଶ, ‘ଐତିହାସିକ କୃପାସିନ୍ଧୁ’, କଟକ, ୧୯୬୨, ପୃ-୬୬

୩)

ନୀଳକଣ୍ଠ ଦାସ, ‘ସ୍ଵର୍ଗତ କୃପାସିନ୍ଧୁ ମିଶ୍ର’, ‘ସମାଜ’, ତା ୧୭|୨| ୧୯୫୮

୪)

ଚିନ୍ତାମଣି ଦାଶ, ‘ଐତିହାସିକ କୃପାସିନ୍ଧୁ’, ପୃ-୮୦

୫)

ଇବିଦ୍, ପୃ-୮୨

୬)

ଇବିଦ୍, ପୃ-୧୦୬

 

 

ଜାତୀୟ ବିଦ୍ୟାଳୟ : ସତ୍ୟବାଦୀ ବନବିଦ୍ୟାଳୟ

ବିଜୟାନନ୍ଦ ସିଂହ

 

ସତ୍ୟବାଦୀ ବନବିଦ୍ୟାଳୟ- ଭାରତୀୟ ଶିକ୍ଷା ଜଗତରେ ଏକ ଅନନ୍ୟ ଶିକ୍ଷା ପ୍ରତିଷ୍ଠାନ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନର ଶୁଭାରମ୍ଭ ହୋଇଥିଲା । ଜାତୀୟ ଚିନ୍ତା, ଚେତନା ସର୍ବୋପରି ଦେଶଗଠନରେ ଉତ୍ତରପୁରୁଷମାନଙ୍କ ସମ୍ପୃକ୍ତିକୁ ଭବିଷ୍ୟତ ଦୃଷ୍ଟିରେ ସତ୍ୟବାଦୀ ବନବିଦ୍ୟାଳୟର ପରିକଳ୍ପନା । ଏକ ନୂତନ ଜାତୀୟ ଜାଗରଣ ସୃଷ୍ଟି କରିଥିଲା ଏହି ଅନୁଷ୍ଠାନ । ମେଧାବିପ୍ଳବ ଗଢି ତୋଳିବା ପାଇଁ ନୂତନ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା ବନବିଦ୍ୟାଳୟ । ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଏକ ନବୀନ ଅଧ୍ୟାୟର ସୂତ୍ରପାତ ହେଲା-ଭାରତୀୟ ଶିକ୍ଷା ଜଗତରେ । “ନୂତନ ଜାତୀୟ ଜାଗରଣର ନେତୃତ୍ୱ ନେଇଥିଲେ ପଣ୍ଡିତ ଗୋପବନ୍ଧୁ । ସେ କେତେକ ସହକର୍ମୀଙ୍କୁ ନେଇ ସାକ୍ଷୀଗୋପାଳ ନିକଟବର୍ତ୍ତୀ ବକୁଳ ଛୁରିଅନାକୁଞ୍ଜବେଷ୍ଟିତ, ଗୁପ୍ତବୃନ୍ଦାବନ ନାମରେ ଖ୍ୟାତ, ସତ୍ୟବାଦୀରେ ଏହି ବିଦ୍ୟାଳୟ ସ୍ଥାପନ କଲେ । ଜାତିର ପ୍ରୟୋଜନ ସାଧନ ଲାଗି ମନୁଷ୍ୟ ତିଆରି କରିବା ଏହି ବିଦ୍ୟାଳୟର ଥିଲା ପ୍ରଧାନ କାର୍ଯ୍ୟ । ତେଣୁ ଦେଶର ଅନ୍ୟାନ୍ୟ ବିଦ୍ୟାଳୟ ପରି ଏଠାରେ କେବଳ ପାଠ୍ୟ ନିର୍ଘଣ୍ଟ ଅନୁସାରେ ଶିକ୍ଷା ଦିଆଯାଉନଥିଲା । ନିର୍ଦ୍ଦିଷ୍ଟ ଓ ଫଳପ୍ରଦ ଭାବରେ ଜାତୀୟ ଚେତନାକୁ ପ୍ରତିଫଳିତ କରି ସକଳ ଦିଗରେ ଜାତିର ଅଭାବ ଦୂର କରିବା ଓ ପ୍ରୟୋଜନ ପୂରଣ କରିବା ଥିଲା ଏହି ବିଦ୍ୟାଳୟର ଲକ୍ଷ୍ୟ । ସତ୍ୟବାଦୀ ବନବିଦ୍ୟାଳୟକୁ କେନ୍ଦ୍ର କରି ପଣ୍ଡିତ ଗୋପବନ୍ଧୁ ଓ ତାଙ୍କର ସହକର୍ମୀଗଣ ତ୍ୟାଗପୂତ ଭାବରେ ବ୍ୟକ୍ତିଗତ ଶ୍ରେୟ-ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଯେଉଁ ନୂତନ ଚିନ୍ତାଧାରାର ସ୍ରୋତ ଛୁଟାଇ ଦେଲେ ତାହା ଏ ଦେଶର ଇତିହାସରେ ଓ ଲୋକଜୀବନରେ ଥିଲା ଏକାନ୍ତ ଅଭିନବ ଏବଂ ବିସ୍ମୟକର । (୧) ଏକ ପରିବର୍ତ୍ତନ ପାଇଁ ସଙ୍କଳ୍ପବଦ୍ଧ କେତେଜଣ ମୁଷ୍ଟିମେୟ ସାଧକଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଶିକ୍ଷା, ସାଂସ୍କୃତିକ, ସାମାଜିକ ତଥା ରାଜନୀତିକ କ୍ଷେତ୍ରରେ ଉପଲବ୍ଧ ହେଲା ଏକ ମହାପ୍ଲାବନ । ମାନବସେବା, ସମାଜ ସଂସ୍କାର, ଜାତୀୟତା, ଦେଶପ୍ରୀତି ହି ଏହି ସଙ୍କଳ୍ପର ମୂଳମନ୍ତ୍ର । ବନବିଦ୍ୟାଳୟ - ଶିକ୍ଷାନୁଷ୍ଠାନ ଏକ ମହାଆନ୍ଦୋଳନ ପାଇଁ ସଠିକ୍ ଭିତ୍ତିଭୂମି । ସତ୍ୟବାଦୀର ନେତୃବୃନ୍ଦଙ୍କୁ ଦୃଷ୍ଟି ଓ ଦର୍ଶନକୁ ଯଥେଷ୍ଟ ପ୍ରଭାବିତ କରିଥିଲା ୧୯୦୩ରେ ଜନ୍ମଲାଭ କରିଥିବା ଉତ୍କଳ ସମ୍ମିଳନୀ- ଉତ୍କଳ ଗୌରବ ମଧୁସୂଦନଙ୍କ ଅଖଣ୍ଡ ଜାତି ପ୍ରୀତି- ୧୯୦୫ର ବଙ୍ଗଭଙ୍ଗ ଆନ୍ଦୋଳନ । ସେଥିପାଇଁ ଭାରତବର୍ଷର ଏକ ଆକର୍ଷଣୀୟ ସ୍ଥାନ ହୋଇଥିଲା ସତ୍ୟବାଦୀ ବା ସାକ୍ଷୀଗୋପାଳ ।

 

୧)

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ – ଅଧ୍ୟାପକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ – ପ୍ରଥମ ମୁଦ୍ରଣ – ଜାନୁଆରି ୧୯୭୫- ପୃଷ୍ଠା – ୨୨୦/୨୨୧

 

କାରଣ ଏହା ଏକ ନୂତନ ପରୀକ୍ଷା ନିରୀକ୍ଷାର ପ୍ରୟୋଗଶାଳା ହୋଇଥିଲା । ଗୋପବନ୍ଧୁଙ୍କ ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀରେ ଥିଲା ନୂତନ ବାର୍ତ୍ତା । ଜୀବନରେ ଶିକ୍ଷା ଯେ ଏକାନ୍ତ ଆବଶ୍ୟକ ତାହା ସେ ଉପଲବ୍ଧି କରିଥିଲେ । ତାଙ୍କ ମତରେ ‘Bricks and Mortar do not make a school, nor the desk and galleries. To make teaching efficient there must be efficient teachers and even the efficiency of a teacher does not always lie in high educational attainments, but in the spirit and devotion with which the works.’’ କେବଳ ଇଟା, ସିମେଣ୍ଟ, ବାଲି ମସଲାରେ ବେଞ୍ଚ, ଡେସ୍କ ବା ଗ୍ୟାଲେରୀ ଥିଲେ ଶିକ୍ଷାଳୟ ହୁଏ ନାହିଁ, ପ୍ରକୃତ ଶିକ୍ଷାଦାନ ପାଇଁ ଯୋଗ୍ୟ ଶିକ୍ଷକ ଆବଶ୍ୟକ । ଶିକ୍ଷକର ଯୋଗ୍ୟତା କେବଳ ତାଙ୍କର ଉଚ୍ଚଶିକ୍ଷାପ୍ରାପ୍ତି ମଧ୍ୟରେ ସୀମିତ ନୁହେଁ, ଏଥିପାଇଁ ଆବଶ୍ୟକ ଶିକ୍ଷକଙ୍କର ଆଦର୍ଶ ପ୍ରଣୋଦିତ ନିଷ୍ଠା । (୨)

 

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ବହୁ ସ୍ଵପ୍ନ- ସମ୍ଭାବନା ଯଥାର୍ଥ ରୂପ ନେଇଥିଲା- ୧୯୦୯ ମସିହା ଅକ୍ଟୋବର ୧୨ ତାରିଖ କୁମାର ପୂର୍ଣ୍ଣମୀରେ ସତ୍ୟବାଦୀ ବିଦ୍ୟାଳୟ । ପ୍ରାଚୀନ ଭାରତର ସଂସ୍କୃତି, ଉଚ୍ଚ ପରମ୍ପରା ଓ ଗୁରୁକୁଳ ଶିକ୍ଷାନୁଷ୍ଠାନ ଏହାର ହେଲା ଭିତ୍ତିଭୂମି । ଗୋପବନ୍ଧୁ ବି ପ୍ରକୃତିର କମ୍ । ସୁଷମା ଗ୍ରାହକ ନଥିଲେ କିନ୍ତୁ ସେ କେବଳ ସାକ୍ଷୀ ଗୋପଳର ମଞ୍ଜୁ, ଛୁରିଅନାକୁଞ୍ଜର ସୌନ୍ଦର୍ଯ୍ୟରେ ବିମୋହିତ ହୋଇନଥିଲେ । ସେ ଏହି ଗୁପ୍ତ ବୃନ୍ଦାବନକୁ ଶିକ୍ଷା, ସେବା ଓ ସାହିତ୍ୟ ସାଧନାର ଏକ ପରମ ସ୍ଥଳୀରେ ପରିଣତ କରିଥିଲେ । ୧୯୦୯ ମସିହାରୁ ଗୋଟିଏ ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀରେ ସ୍ଥାପନ କରିବା ପରିକଳ୍ପନାର ସୂତ୍ରପାତ ହେଲା । ଗୋପବନ୍ଧୁ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ମନପ୍ରାଣ ଢାଳି ଦେଲେ । ବ୍ୟକ୍ତିଗତ ମାୟା ମମତାର ଫାଶ ଛିନ୍ନ କଲେ । ଓକିଲାତି ବ୍ୟବସାୟରେ ଏକରକମ ଜଳାଞ୍ଜଳି ଦେଲେ । (୩)

 

ଗୋପବନ୍ଧୁଙ୍କ ଦୂରଦୃଷ୍ଟି ଓ ମଣିଷ ତିଆରି କରିବାର ଯୋଜନାର ସଫଳ ରୂପାୟନ ପାଇଁ ଏହି ପୁଣ୍ୟ କର୍ମରେ ଯୋଗଦେଲେ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ପରେ ପରେ ଆଚାର୍ଯ୍ୟ ହରିହର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବୃନ୍ଦ । ବାସ୍ତବିକ୍ ଏହି ଅନୁଷ୍ଠାନ ଏକ ନୂତନ ଅନୁଷ୍ଠାନରେ ପରିଣତ ହେଲା । କେବଳ ଶିକ୍ଷାଦାନ ନୁହେଁ ମଣିଷ ଭିତରେ ମନୁଷ୍ୟତ୍ୱର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହେଲା ଏହି ପ୍ରକ୍ରିୟାରେ ।

 

ପଣ୍ଡିତ ନୀଳକଣ୍ଠ ଏ ସମ୍ପର୍କରେ ସ୍ଵକୀୟ ମତପ୍ରଦାନ କରି କହିଛନ୍ତି- “ଏଠାରେ ଅନ୍ୟାନ୍ୟ ସ୍କୁଲ ପରି ଖାଲି ପାଠ ପଢା ବା କାୟଚର୍ଚ୍ଚାମୂଳକ କସରତ ମାତ୍ରର ବ୍ୟବସ୍ଥା ନଥିଲା । ସେତେବେଳେ ଅତି ରକ୍ଷଣଶୀଳ ସମାଜ ଭିତରେ ଏ ଅନୁଷ୍ଠାନଟିର ଜାତି-ବର୍ଣ୍ଣ-ନିର୍ବିଶେଷରେ ପ୍ରଚାରିତ ଓ କାର୍ଯ୍ୟରେ ପରୀକ୍ଷିତ ଉଦାର ଭାବ ଓ ତହିଁ ସଙ୍ଗେ ସଙ୍ଗେ ସମାଜସେବା । ଏବେ ବିଦେଶରେ ଅନେକ ପରିମାଣରେ ଅନୁକରଣୀୟ ନହେଲେ ମଧ୍ୟ ସ୍ମରଣୀୟ ହେବାର ବସ୍ତୁ । (୪)

 

୨)

A report of the Satyabadi School-1912-13 to 1917-18ରୁ ସଂଗୃହୀତ

୩)

କବି ଗୋଦାବରୀଶ- ଚିନ୍ତାମଣି ଦାଶ- ୧୯୬୦ ଓଡ଼ିଶା ବୁକ୍‍ହାଉସ୍‍, ବ୍ରହ୍ମପୁର । ପୃ-୩

୪)

ତତ୍ରୈବ – ପୃ - ୪

 

ମନସ୍ୱୀ ଗୋପବନ୍ଧୁ ମନପ୍ରାଣ ଦେଇ ଗଢ଼ିଥିଲେ ବନବିଦ୍ୟାଳୟକୁ । ମୁକ୍ତାକାଶ ଓ ସୁନ୍ଦର ସବୁଜ ଘଞ୍ଚ ବନାନୀର ମଧ୍ୟରେ, ଅପୂର୍ବ ପରିବେଶ ଭିତରେ ସେଥପାଇଁ ଗଢ଼ି ଉଠିଥିଲା ଆଦର୍ଶ ବିଦ୍ୟାଳୟ । ସ୍ୱାଧୀନ ଭାବରେ ବଞ୍ଚିବା ଓ ମଣିଷ ମୁକ୍ତ ହେବା ପାଇଁ ଏକ ପରିବେଶ ସୃଷ୍ଟି ହୋଇଥିଲା ସତ୍ୟବାଦୀରେ । ଛାତ୍ରମାନଙ୍କୁ କିପରି ଏହି ମୁକ୍ତ ଜୀବନ ଯାପନ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଥିଲା- ତାହା ଗୋପବନ୍ଧୁ କହିଛନ୍ତି- “ବହୁ ଆଲୋଚନା ଏବଂ ପରିବର୍ତ୍ତନ ପରେ ଏବେ ପ୍ରାୟ ଏକ ବର୍ଷ ହେଲା ସତ୍ୟବାଦୀ ଛାତ୍ରାବାସରେ ଖାଦ୍ୟ ସମ୍ବନ୍ଧେ ଛାତ୍ରମାନଙ୍କୁ ସ୍ଵାଧୀନତା ଦିଆଯାଇଅଛି । ସେମାନଙ୍କ ଅନୁରୋଧକ୍ରମେ କେହି ଶିକ୍ଷକ ପରିଚାଳନା କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରନ୍ତି । ସେମାନଙ୍କର ଏହି ସ୍ୱାୟତ୍ତ ଶାସନରେ ଯେପରି କୌଣସି ବିଶୃଙ୍ଖଳା ବା ଅସୁବିଧା ନ ଘଟେ ସେ ବିଷୟରେ ସ୍କୁଲର କର୍ତ୍ତୁପକ୍ଷମାନେ ସର୍ବଦା ସାବଧାନ ଓ ତତ୍ପର ଥାଆନ୍ତି ଏବଂ ଯଥା ସମୟରେ ସହାୟତା ମଧ୍ୟ କରିଥାନ୍ତି ।୫

 

ବୋଲପୁରର ଶାନ୍ତିନିକେତନ ଠାରେ ଗଢ଼ି ଉଠିଥିବା ମୁକ୍ତାକାଶ ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ପଣ୍ଡିତ ଗୋପବନ୍ଧୁ ଶାନ୍ତିନିକେତନ ଯାଇଥିଲେ । ଶାନ୍ତିନିକେତନରେ ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଓଡ଼ିଶା ଫେରି ଏକ ସୁଦୀର୍ଘ ଅନୁଭବକୁ ବ୍ୟକ୍ତ କରିଥିଲେ ‘ସତ୍ୟବାଦୀ ପତ୍ରିକାରେ ୧୯୧୮ ମସିହାରେ ।’’ (୬) ଇଂଲଣ୍ଡର ପବ୍ଲିକ ସ୍କୁଲ ଢାଞ୍ଚାରେ ଏହି ଅନୁଷ୍ଠାନକୁ ରୂପରେଖ ଦେବାପାଇଁ ଚିନ୍ତା କରାଯାଇଥିଲେ ମଧ୍ୟ ଭାରତୀୟ ଜାତୀୟତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସାଧାରଣ ଜୀବନଯାପନ ଓ ଉଚ୍ଚଚିନ୍ତା ଆଦର୍ଶରେ ଅଭିମନ୍ତ୍ରିତ କରାଯାଉଥିଲା ଛାତ୍ରଛାତ୍ରୀମାନଙ୍କୁ । ସତ୍ୟବାଦୀ ବନବିଦ୍ୟାଳୟର ପୂର୍ବତନ ଛାତ୍ର ଜଷ୍ଟିସ୍ ହରିହର ମହାପାତ୍ର ତେଣୁ ଏହି ବିଦ୍ୟାଳୟ ଇତିହାସ ସମ୍ପର୍କରେ କହିଛନ୍ତି- “୧୯୦୯ ମସିହା ଅଗଷ୍ଟମାସ ୧୨ ତାରିଖରେ ଏକ ପଲ୍ଲୀ ଅଞ୍ଚଳ ସତ୍ୟବାଦୀରେ ଗୋପବନ୍ଧୁଙ୍କ ପୁରୋଦୃଷ୍ଟି ଓ ଚେଷ୍ଟାରେ ଗୋଟିଏ କ୍ଷୁଦ୍ର ମିଡିଲ ଇଂଲିଶ୍ ସ୍କୁଲ ସ୍ଥାପିତ ହୋଇଥିଲା, ଯାହା ପରବର୍ତ୍ତୀ କାଳରେ ସତ୍ୟବାଦୀ ବନବିଦ୍ୟାଳୟ ନାମରେ ପରିଚିତ ହୋଇଆସୁଅଛି । ସାକ୍ଷୀଗୋପାଳ ମନ୍ଦିର ପଛପଟେ ବକୁଳ ଛୁରିଅନା ବହୁଳ ସ୍ଥାନରେ ବିରାଟ ବଟବୃକ୍ଷର କ୍ଷୁଦ୍ର ମଞ୍ଜିଟିଏ ପରି ସେ ଅଦୂରବର୍ତ୍ତୀ ଶ୍ରୀରାମଚନ୍ଦ୍ର ପୁର ଶାସନ ଗାଁରୁ ମିଡିଲ୍ ଭର୍ଣ୍ଣାକୁଲର ସ୍କୁଲଟିଏ ଉଠାଇ ଆଣି ପରିଣତ କଲେ ନୂତନ ଶିକ୍ଷାୟତନ । ‘‘Simple Living, High thinking’’ ଆଦର୍ଶରେ ଦେଶସେବକ ଗଢ଼ିବା ପାଇଁ । ୭

 

୫)

ସତ୍ୟବାଦୀ – (ପତ୍ରିକା)- ୧୯୧୮ – ଧନୁ ଓ ମକର ସଂଖ୍ୟା

୬)

ତତ୍ରୈବ ।

୭)

ସତ୍ୟବାଦୀ ଗୁରୁକୁଳ – ହରିହର ମହାପାତ୍ର- ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ- ବିକ୍ରମ ଦାସ ।

 

୧୯୦୯ରେ ମାତ୍ର ୧୯ ଜଣ ଛାତ୍ରଙ୍କୁ ନେଇ ମାଇନର ସ୍କୁଲରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନଟି ୧୯୧୨ରେ ହାଇସ୍କୁଲରେ ପ୍ରଥମ କ୍ଲାସ (ଅଷ୍ଟମ ଶ୍ରେଣୀ) ଖୋଲିଥିଲା । ସତ୍ୟବାଦୀର ଶିକ୍ଷକବୃନ୍ଦ ପ୍ରାଚୀନ ପୁଷ୍ପଗିରି ଓ ନାଳନ୍ଦା ବିଶ୍ୱବିଦ୍ୟାଳୟ ଆଦର୍ଶରେ ଚରିତ୍ରବାନ ମଣିଷ, ଦେଶଭକ୍ତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେ ଏକ ପାଠ୍ୟଖସଡ଼ା । ଅନୁଷ୍ଠାନର ପ୍ରତିଷ୍ଠାତାମାନେ ଦେଶର ତଥା ଦେଶବାହାରର ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥାକୁ ମଧ୍ୟ ଲକ୍ଷ୍ୟ କରୁଥିଲେ ଏ କ୍ଷେତ୍ରରେ ପଞ୍ଚସଖାମାନେ ଥିଲେ ମାନବବାଦୀ । ମଣିଷକୁ ଆନ୍ତରିକ ଭାବେ ଭଲ ପାଇବା ଥିଲା ତାଙ୍କର ବୈଶିଷ୍ଟ୍ୟ । ମଣିଷକୁ ସଠିକ୍ ପଥରେ ନେବା ପାଇଁ ଶିକ୍ଷା ଯେ ଏକାନ୍ତ ଅପରିହାର୍ଯ୍ୟ ତାହା ସେମାନେ ହୃଦୟଙ୍ଗମ କରିଥିଲେ । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆହ୍ୱାନ, ଓଡ଼ିଆ ସାହିତ୍ୟର ବିକାଶ, ତଥା ସାମଗ୍ରିକ ଏକତା ପାଇଁ ଆହ୍ୱାନ ଦିଆଯାଇଥିଲାବେଳେ ପଣ୍ଡିତ ଗୋପବନ୍ଧୁଙ୍କ ଅଧିନାୟକତ୍ୱରେ ଏହି ସବୁର ସଫଳତା ପାଇଁ ବାସ୍ତବ କାର୍ଯ୍ୟହିଁ ଆରମ୍ଭ ହୋଇଥିଲା । ତାହା ଥିଲା ଏକ ନିରବ ଅଥଚ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ । ପଣ୍ଡିତ ନୀଳକଣ୍ଠ ଦାସ ଏହି ସତ୍ୟବାଦୀର ପରିକଳ୍ପନା ପ୍ରସଙ୍ଗରେ ଲେଖିଛନ୍ତି “ଶେଷକୁ ଠିକ୍ ହେଲା ଗୋଟିଏ ବିଦ୍ୟାଳୟ କରିବା ।’’ ପୁନାର ଫରଗୁସନ କଲେଜ ସେତେବେଳେ ଆଖି ଆଗରେ ଥିଲା । ଇଂଲଣ୍ଡର ଇଟନ, ହାରୋ, ରୁଗ୍‍ବି ପରି ପବ୍ଲିକ୍ ସ୍କୁଲମାନଙ୍କ କଥା ମଧ୍ୟ ଆମ୍ଭେମାନେ ଶୁଣିଥିଲୁ । ବିଶେଷରେ ରୁଗ୍‍ବି ସମ୍ପର୍କରେ ଏଡୁଇନ୍ ଆରନଲଡଙ୍କ କଥା ଆମେ ଖୁବ କଥାବାର୍ତ୍ତା ହେଉଥିଲୁ । ୮ ଭକ୍ତକବି ମଧୁସୂଦନ ରାଓ ସତ୍ୟବାଦୀର ବକୁଳ, ଛୁରିଅନା ବନକୁ ହିଁ ସତ୍ୟବାଦୀ ବିଦ୍ୟାଳୟ ପାଇଁ ସ୍ଥାନ ନିର୍ବାଚନ କରିଥିଲେ କେତେକ ପାରିପାର୍ଶ୍ଵିକ ଅବସ୍ଥାକୁ ବିଚାରକୁ ନେଇ । ୧୯୧୮ ମସିହାରେ ସତ୍ୟବାଦୀ ସ୍କୁଲର ପ୍ରାଣପ୍ରତିଷ୍ଠାତା ତଥା ପରିଚାଳନା କମିଟି ସମ୍ପାଦକ ପଣ୍ଡିତ ଗୋପବନ୍ଧୁ ଦାସ ଅନୁଷ୍ଠାନର ଏକ ବିବରଣୀ । (୧୯୧୨-୧୩ ରୁ ୧୯୧୭-୧୮) ଉପସ୍ଥାପନ କରିଥିଲେ, ତାହା ହିଁ ଅନୁଷ୍ଠାନ ଗଠନର ଇତିହାସର ସୂଚନା ପ୍ରଦାନ କରେ ।

 

“ଆଧୁନିକ ଶିକ୍ଷା ପଦ୍ଧତି ଦେଶର ଉପକାର ପାଇଁ ରଚିତ ହୋଇଥିଲେ ମଧ୍ୟ ତାହା ବର୍ତ୍ତମାନ କୌଣସି ଭାବରେ ପୂର୍ଣ୍ଣାଙ୍ଗ ନୁହେଁ ଏବଂ ତା’ର ତ୍ରୁଟି ପରିସ୍ଫୁଟ ହେଲାଣି । ଏହା ଲୋକଙ୍କର ନାନା ଅସୁବିଧା ପ୍ରତି ଅନୁକୂଳ ନଥିବାରୁ ଲୋକଙ୍କର ପ୍ରୟୋଜନ ପୂର୍ଣ୍ଣଭାବରେ ମେଣ୍ଟାଇବାକୁ ସମର୍ଥ ହେଉନାହିଁ । ବର୍ତ୍ତମାନ ଭାରତ ପାଇଁ ଆଧୁନିକ ଶିକ୍ଷା ଅତ୍ୟନ୍ତ କ୍ଲେଶକର ଓ ବିଶେଷରେ ଓଡ଼ିଶା ପ୍ରତି ତାହା ଉତ୍କଟ ହୋଇ ପଡ଼ିଛି ।

 

ସତ୍ୟବାଦୀ ବିଦ୍ୟାଳୟ ଆରମ୍ଭ (୧୯୦୯)ର ସାତବର୍ଷ ପୂର୍ବରୁ (୧୯୦୨) ଏହାର କେତେକ କର୍ମୀ ସେ କାଳର କଲେଜ ଛାତ୍ର (ପଣ୍ଡିତ ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହର) ଏବଂ ସ୍କୁଲଛାତ୍ର (୯ମ ଶ୍ରେଣୀ ଛାତ୍ର ପଣ୍ଡିତ ନୀଳକଣ୍ଠ ଓ ପ୍ରଚାରକ ଅନନ୍ତ), ତତ୍‌କାଳୀନ ଲୋକଙ୍କର ଶିକ୍ଷା ହିଁ ପ୍ରଧାନ ଅଭାବ ବୋଲି ହୃଦୟଙ୍ଗମ କରି ସେମାନଙ୍କ ଯୁବ ମନରେ ଉଦ୍‍ବିଗ୍ନତା ଜାଗ୍ରତ ହୋଇଥିଲା । ତାହା ଫଳରେ ଏକ ମହତ୍ ଆକାଂକ୍ଷା ଜନ ଲାଭ କରିଥିଲା । ସୁଖର କଥା ତାହା ଭୁଲିଯିବା ପରି ଏକ ଆକସ୍ମିକ ବା କ୍ଷଣିକ ଭାବନାରେ ପରିଣତ ହୋଇନଥିଲା ।

 

ସମୟ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ତାହା ଏକ ସ୍ପଷ୍ଟ ସୁଦୃଢ଼ ଧାରଣାର ରୂପନେଲା । ସେହି ସମୟରେ ସେହି କର୍ମୀମାନେ ସେହି ଅନୁଚିନ୍ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମନସ୍ଥ କଲେ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସେମାନେ ନାନା ପନ୍ଥା ସମ୍ବନ୍ଧରେ ଆଲୋଚନା କରିବା ପରେ ପ୍ରଥମ ପଦକ୍ଷେପ ଭାବରେ ଗୋଟିଏ ଆଦର୍ଶ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ସେମାନେ ଶେଷରେ ସ୍ଥିର କରିଥିଲେ ।

 

୮)

ଆତ୍ମଜୀବନୀ – ପଣ୍ଡିତ ନୀଳକଣ୍ଠ ଦାସ – ପୃ – ୭୮-୧୯୮୬

 

ତା’ ପରେ ସ୍କୁଲ ପାଇଁ ପାଣ୍ଠି, ଉପଯୁକ୍ତ ଶିକ୍ଷକ, ବିଦ୍ୟାଳୟର ନୀତି ଓ କାର୍ଯ୍ୟଚାଳନାର ପନ୍ଥା ପ୍ରଭୃତିର ବିଚାର ହେଲାବେଳେ ଦେଶରେ ଚାଲିଥିବା ଶିକ୍ଷାପ୍ରଣାଳୀକୁ ତନ୍ନ ତନ୍ନ ଭାବରେ ପରୀକ୍ଷା କରାଯାଇଥିଲା ।

 

ତତ୍କାଳୀନ ଶିକ୍ଷା ପଦ୍ଧତିର ନିମ୍ନଲିଖୁତ ସୁବିଧା ଅସୁବିଧା ଓ ତା’ର ନିରାକରଣ ପ୍ରତି ସଂଗଠକ କର୍ମୀମାନଙ୍କର ଦୃଷ୍ଟି ଆକର୍ଷିତ ହୋଇଥିଲା ।

 

୧)

ଶିକ୍ଷା ଖର୍ଚ୍ଚର ଦୈନନ୍ଦିନ ମୂଲ୍ୟ ବୃଦ୍ଧି ।

୨)

ଶିକ୍ଷାଦାନରେ କର୍ମଦକ୍ଷତା ପାଇଁ ସ୍କୁଲ କୋଠା ଓ ଆସବାବପତ୍ରର ପ୍ରୟୋଜନୀୟତା ।

୩)

ଶାରୀରିକ ପରିଶ୍ରମ ପାଇଁ ଛାତ୍ରମାନଙ୍କର ପରାଂନ୍ମୁଖତା ।

୪)

ପୂର୍ବ କାଳର ଶିକ୍ଷକ-ଛାତ୍ରର ଜଣାଶୁଣା ନିବିଡ଼ ସମ୍ବନ୍ଧର ଅଭାବ ।

୫)

ସହରରେ ସ୍କୁଲ ପାଇଁ ପ୍ରତିକୂଳ ପରିବେଶ ।

୬)

ଆଧ୍ୟାତ୍ମିକ ଓ ବ୍ୟବସାୟାତ୍ମିକ ପ୍ରଶିକ୍ଷଣର ଆବଶ୍ୟକତା ।

 

ଏ ସବୁର ନିରାକରଣ-

(କ) ପ୍ରତ୍ୟେକ ଲୋକର ଶିକ୍ଷାଲାଭ କରିବା ଏକ ମୌଳିକ ଅଧିକାର ବୋଲି ସେହି ସଂଗଠକ କର୍ମୀମାନଙ୍କର ବିଶ୍ୱାସ ଥିଲା । ଏ ଦେଶରେ ସୂର୍ଯ୍ୟାଲୋକ ଓ ଚନ୍ଦ୍ରାଲୋନ ଭଳି ଆଧ୍ୟାତ୍ମିକ ଆଲୋକ ଯୁଗ ଯୁଗ ଧରି ବିନାମୂଲ୍ୟରେ ମାନବ ସମାଜରେ ବିତରଣ କରାଗଲାଭଳି, ପ୍ରୟୋଜନ ଥିବା ବ୍ୟକ୍ତିମାନଙ୍କୁ ଉଦାର ଭାବରେ ଜ୍ଞାନର ଆଲୋକ ସହଜରେ ପ୍ରଦାନ କରାଯିବା ଉଚିତ ବୋଲି ସଂଗଠକମାନେ ଭାବୁଥିଲେ ।

 

କିନ୍ତୁ ଭାରତର ସେହି ପ୍ରାଚୀନ ପନ୍ଥାକୁ ଏ ଯୁଗରେ ଅନୁସରଣ କରିବା ଏକ ପ୍ରକାର ଅସମ୍ଭବ । ବିଶେଷ ସମ୍ବଳ ନଥିବା ପରିବାରର କେତେକ ଯୁବକର୍ମୀଙ୍କ ପକ୍ଷରେ ସେଥିପାଇଁ ଚେଷ୍ଟାକରି କୃତକାର୍ଯ୍ୟ ହେବା ସମ୍ଭବ ନୁହେଁ । ତଥାପି ଶିକ୍ଷାର ମାନ ନ କମାଇ, ଆମ ଶିକ୍ଷା ଖର୍ଚ୍ଚର ବହୁତ ଅଂଶ କିପରି କମାଇ ଦିଆଯାଇ ପାରିବ, ସେହି ଖର୍ଚ୍ଚକାଟ ଭାବନାରୁ, ଉନ୍ମକ୍ତ ବାୟୁ ସ୍କୁଲର ଅବଧାରଣା ଜାଗ୍ରତ ହେଲା । ସେପରି ଶିକ୍ଷାଦାନ ବା ପ୍ରାଚୀନ ଗୁରୁକୁଳର ଚିହ୍ନ କେତେକ ପାଠଶାଳା ଓ ସଂସ୍କୃତ ଟୋଲରେ ପରିଲକ୍ଷିତ ହେଉଥିବାରୁ, ତାହା କର୍ମୀମାନଙ୍କ ଧାରଣାକୁ ସାହାଯ୍ୟ କରିଥିଲା । ଉଚ୍ଚ ଦରମା ଦେଇ ଶିକ୍ଷକ ନିଯୁକ୍ତ କରିବାର ପ୍ରଶ୍ନ ଉଠୁନଥିଲା ।

 

ଛାତ୍ରଙ୍କ ଦରମାକୁ ଖୁବ୍ କମ୍ ରଖାଯାଇ ସେ ପ୍ରତିଷ୍ଠାନର ଅତ୍ୟାବଶ୍ୟକ ଅଭାବ ମାତ୍ର ପୂରଣ କରିବାର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କର ଛାତ୍ରାବାସ ଜୀବନ ଅତି ସରଳ କରାଯିବା ଉଚିତ ମନେ କରାଗଲା ।

 

ଖ) ଇଟା ଚୂନ କିମ୍ବା ଡେସ୍କ ବେଞ୍ଚ ଗାଲେରୀ ହୋଇଗଲେ ବିଦ୍ୟାଳୟ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଯିବ ନାହିଁ । ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ କର୍ମଦକ୍ଷତା ନିତାନ୍ତ ପ୍ରୟୋଜନ । ପୁଣି ଶିକ୍ଷକଙ୍କ କର୍ମଦକ୍ଷତା ସବୁବେଳେ ତାଙ୍କର ଉଚ୍ଚ ଶିକ୍ଷା ବା ଉଚ୍ଚ ଉପାଧି ଧାରଣ ଉପରେ ନିର୍ଭର କରେ ନାହିଁ । ଶିକ୍ଷକଙ୍କର ଶିକ୍ଷାଦାନ କାର୍ଯ୍ୟରେ ଉତ୍ସାହ ଓ ଆନ୍ତରିକତା ସର୍ବାଦୌ ପ୍ରୟୋଜନ ।

 

ଭଲ ଦରମା ପାଇ ସମସ୍ତ ପାରିବାରିକ ଅଭାବର ଉର୍ଦ୍ଧ୍ୱରେ ରହି ଏକ ପ୍ରାଣରେ ଆନ୍ତରିକିତା ସହିତ ଶିକ୍ଷକତା କରିବା ସମ୍ଭବ । କିମ୍ବା ଆଜୀବନ ଦରିଦ୍ରତା ସହିତ, ଶିକ୍ଷା ସେବା ପାଇଁ ଶପଥ ନେଇ ଜୀବନର ବ୍ରତ ଭାବରେ ଶିକ୍ଷକତା କରିବା ମଧ୍ୟ ଅନ୍ୟ ଗୋଟିଏ ପନ୍ଥା । ଅର୍ଥାଭାବ ଯୋଗୁ ପ୍ରସ୍ତାବିତ ଅନୁଷ୍ଠାନ ପକ୍ଷରେ ପ୍ରଥମ ପନ୍ଥା ଅନୁସାରେ ଶିକ୍ଷକ ନିଯୁକ୍ତ କରିବା ପ୍ରସ୍ତାବ ଗ୍ରହଣ କରିବାର ଉପାୟ ନଥିଲା ।

 

ଗ) ଯୁବ ସମ୍ପ୍ରଦାୟକୁ ସଂସାର ଯୁଦ୍ଧ ପାଇଁ ଉପଯୁକ୍ତ କରି ଗଢ଼ିବା ଯଦି ଶିକ୍ଷାର ଉଦ୍ଦେଶ୍ୟ, ତେବେ ଆମର ପ୍ରଚଳିତ ଶିକ୍ଷା ସେହି ଉଦ୍ଦେଶ୍ୟ ସାଧନରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆମର ଯେଉଁ ଛାତ୍ରମାନେ ଶିକ୍ଷା ଶେଷ କରି ସ୍କୁଲ କଲେଜରୁ ବାହାରି ଆସୁଛନ୍ତି, ସେମାନେ କେବଳ ଡେକ୍ସ କାମ (କିରାଣି) ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇ ପାରୁନାହାନ୍ତି । ଅବଶ୍ୟ ଆମ ଦେଶରେ ଶିକ୍ଷା ଆୟତନ ଏବେ ବି ଖୁବ୍ ସୀମିତ ଏବଂ ଅନ୍ୟ ସଭ୍ୟ ଦେଶର ବହୁମୁଖୀ ଶିକ୍ଷା ସହିତ ତାହା ତୁଳନା କରାଯାଇ ପାରିବ ନାହିଁ । ଶିକ୍ଷିତ ଯୁବକମାନଙ୍କୁ ଉପଯୋଗୀ ପେସାମାନଙ୍କରେ ନିଯୁକ୍ତି ମିଳିବା ଏବେ ଏକ ଗମ୍ଭୀର ସମସ୍ୟା ହୋଇ ପଡ଼ିଛି ।

 

ତେଣୁ ସ୍କୁଲଟିରେ ହାତ ଗୋଡ଼ ଆଖି ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଚାଳନାର ବ୍ୟାୟାମର ସୁବ୍ୟବସ୍ଥା ରହିବା ପାଇଁ ଠିକ୍ କରାଯାଇଥିଲା । ଏହି କଥାକୁ ଆଖି ସାମନାରେ ରଖି ଶାରୀରିକ ବ୍ୟାୟାମ ପଦ୍ଧତିର ପ୍ରଚଳନ ସଙ୍ଗେ ସଙ୍ଗେ ଶିଳ୍ପ ବା କାରିଗରି ବିଦ୍ୟା ଓ କୃଷିବିଦ୍ୟା ପ୍ରଭୃତିରେ ତାଲିମ, ଶିକ୍ଷା ପଦ୍ଧତିର ଅନ୍ତର୍ଭୁକ୍ତ କରାଯାଇଥିଲା ।

 

ପଞ୍ଚସଖାଙ୍କ ଦିଗ୍‌ଦର୍ଶନରେ ବନବିଦ୍ୟାଳୟ ଅଗ୍ରଗତିରେ ସୃଷ୍ଟି ହେଲା ଉତ୍ସାହ ଉଦ୍ଦୀପନା-। ମାଟ୍ରିକ୍ୟୁଲେସନର ଶେଷ ଶ୍ରେଣୀ ଖୋଲାଯିବା ପରେ ୨୫ ନଭେମ୍ବର ୧୯୧୪ ମସିହାରେ ବର୍ଷକ ପାଇଁ ଅସ୍ଥାୟୀ ଭାବରେ ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଲାଭ କଲା ସ୍କୁଲଟି । ୧୯୧୭ରେ ୨୨ ଜଣ ପରୀକ୍ଷା ଦେଇ ୧୫ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୨ ସେପ୍ଟେମ୍ବର ୧୯୧୭ ମସିହାରେ କଲିକତା ବିଶ୍ଵବିଦ୍ୟାଳୟରୁ ସ୍କୁଲକୁ ମିଳିଥିଲା ସ୍ଥାୟୀ ସ୍ୱୀକୃତି । କିନ୍ତୁ ପରବର୍ତ୍ତୀ ସମୟରେ ପାଟନା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲାପରେ ଏହା ପାଟନା ବିଶ୍ୱବିଦ୍ୟାଳୟର ସ୍ଥାୟୀ ସ୍ଵୀକୃତ ଅନୁଷ୍ଠାନ ରୂପେ ପରିଗଣିତ ହେଲା । ଏହି ବିଦ୍ୟାଳୟ ଅନ୍ୟ ଯେଉଁ କୃତୀ ଶିକ୍ଷକମାନଙ୍କ ଶିକ୍ଷାଦାନରେ ସମୃଦ୍ଧ ହୋଇଥିଲା ସେମାନେ ଥିଲେ ଓଡ଼ିଶାର ଆଦର୍ଶ ଓ ଦକ୍ଷ ଶିକ୍ଷକ ସର୍ବଶ୍ରୀ ବାସୁଦେବ ମହାପାତ୍ର (ସ୍କୁଲ ଶିକ୍ଷକ), ବାସୁଦେବ ମହାପାତ୍ର (ବ୍ୟାୟାମ ତତ୍ୱାବଧାରକ), ଗଙ୍ଗାଧର ମହାପାତ୍ର, ପରମାନନ୍ଦ ମିଶ୍ର, ରାମଚନ୍ଦ୍ର ରଥ, ବାଞ୍ଛାନିଧି ମିଶ୍ର, ପଣ୍ଡିତ ଭୁବନେଶ୍ଵର ମିଶ୍ର, ପଣ୍ଡିତ ମଧୁସୂଦନ ମିଶ୍ର, ଧନେଶ୍ୱର ମହାରଣା, ଲୋକନାଥ ମହାପାତ୍ର, ରଘୁନାଥ ମିଶ୍ର, ଭାଗବତ ସୂତାର, ସୁମନ୍ତ ପଟ୍ଟନାୟକ, ବିନୋଦ ବିହାରୀ ରାଉତରାୟ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ନନ୍ଦକିଶୋର ଦାସ ପ୍ରମୁଖ । ବନବିଦ୍ୟାଳୟ ଥିଲା ଉନ୍ନତ ଶିକ୍ଷାପ୍ରଣାଳୀର ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏପରିକି ସରକାର ମଧ୍ୟ ଏହି ଶିକ୍ଷା ବ୍ୟବସ୍ଥାକୁ ପସନ୍ଦ କରିବା ସହ ଗ୍ରହଣ ମଧ୍ୟ କରି ନେଇଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ଏହା ସ୍ୱୀକାର କରିଛନ୍ତି - ବନବିଦ୍ୟାଳୟ ଅନେକ ପକ୍ଷେ ଗୋଟାଏ ବଡ଼ ଆକର୍ଷଣ ଥିଲା । କବି ଓ ଭାବୁକମାନେ ସେଥିରେ ମୁଗ୍ଧ ହୋଇଯାଉଥିଲେ । ବଡ଼ ବଡ଼ କୋଠାଘର ଓ ଧନସମ୍ପତ୍ତିରେ ବିମୁଖ ଦାର୍ଶନିକ ନିଜନିଜକୁ ତାର ସରଳ ପ୍ରାକୃତିକ ପରିବେଷ୍ଟନୀ ଭିତରେ ନିରାଲମ୍ବରେ ଢାଳି ଦେଉଥିଲେ । ପିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ସମ୍ପୃକ୍ତ ବୈଜ୍ଞାନିକମାନେ ତାର ମୁକ୍ତ ଆଲୋକ ଓ ବାୟକୁ ପସନ୍ଦ କରୁଥିଲେ । ବର୍ଦ୍ଧିଷ୍ଣୁ ଯୁବକ ବୃନ୍ଦ ଇଟା-ଚୂନଗଢ଼ା କାନ୍ଥ ଭିତରେ ଆବଦ୍ଧ ପରିବର୍ତ୍ତେ ଗଛମୂଳରେ ଖୋଲା ପରିସ୍ଥିତି ବରଣ କରୁଥିଲେ । ଘର ଛାଡ଼ିଦେଇ ପଦାରେ ସ୍କୁଲ ବସାଇବା କଥାଟା ଅନେକ ଲୋକଙ୍କ ମନକୁ ଘେନିଲା । କେତେକ ନିଜନିଜ ସ୍କୁଲଘର ପାଖେ ଗଛ ଛାଇ ଆଡ଼କୁ ଆଖି ପକାଇଲେ । ବିହାର- ଓଡ଼ିଶା ସରକାର ସୁଦ୍ଧା ନୀତି ହିସାବରେ ତାହା ଗ୍ରହଣ କଲେ । ଆଦର୍ଶସ୍ଵରୁପ ସରକାର ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ମୁକ୍ତବାୟୁ ସ୍କୁଲ ବସାଇଲେ ।’’୧୦

 

୯)

ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ – ବିକ୍ରମ ଦାସ – ପୃ – ୪୮/୪୯ ।

୧୦)

ଅର୍ଦ୍ଧଶତାବ୍ଦୀର ଓଡ଼ିଶା – ତହିଁରେ ମୋ ସ୍ଥାନ ଗୋଦାବରୀଶ ମିଶ୍ର – ପୃଷ୍ଠା – ୧୨୮-୧୯୯୬

 

ସରକାରଙ୍କ ପ୍ରତିଷ୍ଠିତ ମୁକ୍ତବାୟୁ ସ୍କୁଲରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ- ସତ୍ୟବାଦୀ ମୁକ୍ତବାୟୁ ସ୍କୁଲରେ କିଛି ଖର୍ଚ୍ଚ ହେଉନଥିଲା । “ସତ୍ୟବାଦୀରେ ମୁକ୍ତ ବାୟୁସ୍କୁଲରେ କିଛି ଖର୍ଚ୍ଚ ଲାଗୁନଥିଲା । ସରକାର ଯେଉଁ ସବୁ ମୁକ୍ତବାୟୁ ସ୍କୁଲ ଗଢ଼ିଥିଲେ ସେଥିରୁ ଗୋଟି ଗୋଟିକ ପିଛା ଦୁଇ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ।” ୧୧

 

ଅଧ୍ୟାପକ ଚିନ୍ତାମଣି ଦାଶ ମଧ୍ୟ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକମାନଙ୍କ ସମ୍ପର୍କରେ ସୁଚିନ୍ତିତ ମତ ପ୍ରଦାନ କରିଛନ୍ତି । ସମସ୍ତେ ଏକମନ ଏକ ପ୍ରାଣ ହୋଇ କାମ କରୁଥିଲେ । ଗୋଟିଏ ଜଟିଳ ସମସ୍ୟାର ଉଦ୍ଭବ ହେଲେ ସମାନ ଭାବରେ ସମସ୍ତଙ୍କ ମୁଣ୍ଡକୁ ତାହାର ସମାଧାନର ଚିନ୍ତା ଘାରୁଥିଲା । ଛାତ୍ରମାନଙ୍କର ଚରିତ୍ର ଗଠନ କରିବାର ଉପଯୁକ୍ତ ପନ୍ଥା ଖୋଜି ବାହାର କରିବାକୁ ସମସ୍ତଙ୍କୁ ବହୁରାତ୍ରି ଅନିଦ୍ର ହେବାକୁ ପଡିଛି ।” ୧୨

 

ସତ୍ୟବାଦୀ ସ୍କୁଲରେ ପାଠପଢ଼ିବା ପାଇଁ ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଏହା ଏକ ଗୌରବପୂର୍ଣ୍ଣ ଘଟଣା ବୋଲି ସେମାନେ ଭାବୁଥିଲେ । ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ଉଦୟନାଥ ଷଡ଼ଙ୍ଗୀ ଏ ପ୍ରସଙ୍ଗରେ ତେଣୁ କହିଛନ୍ତି- “ପାଞ୍ଚଟି ବର୍ଷ ମଧ୍ୟରେ ଏପରି ଖ୍ୟାତି ଅର୍ଜନ କରିଥିବା ସତ୍ୟବାଦୀ ସ୍କୁଲରେ ଅଧ୍ୟୟନ କରିବାର ଗୌରବ ଲାଭ କରିବାକୁ ସେ ସମୟରେ ଛାତ୍ରମାନେ ବିଶେଷ ଆଗ୍ରହୀ ହୋଇ ଉଠୁଥିଲେ । ତେଣୁ ଓଡ଼ିଶା ଓ ବିଚ୍ଛିନ୍ନ ଉତ୍କଳର ପ୍ରାୟ ସବୁ ଅଞ୍ଚଳରୁ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ଏଠାକୁ ପଠାଉଥିଲେ । ଶିକ୍ଷାନୁଷ୍ଠାନର ଖ୍ୟାତି, ପିଲାମାନଙ୍କର ଚରିତ୍ର ସଂଶୋଧନ ଓ ଗ୍ରାସାଛାଦାନରେ ଅତି ଅଳ୍ପ ଅର୍ଥ ବ୍ୟୟହିଁ ତାର ପ୍ରଧାନ କାରଣ ଥିଲା ।”୧୩ ଭକ୍ତକବି ମଧୁସୂଦନ ରାଓ ଦେଶପ୍ରେମୀ ଯୁବବନ୍ଧୁ ଯେଉଁମାନେ କି ଏପରି ଶିକ୍ଷାନୁଷ୍ଠାନ ଗଠନ କରିଛନ୍ତି ସେମାନଙ୍କର ଉଚ୍ଚପ୍ରଶଂସା କରିବା ସହ ଏକ ମହନୀୟ ଅନୁଷ୍ଠାନ ସମ୍ପର୍କରେ ଶିର ଅବନତ କରୁଛନ୍ତି ବୋଲି ଏକଦା ରାଷଣ ପ୍ରସଙ୍ଗରେ କହିଥିଲେ ।

 

ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସ ସତ୍ୟବାଦୀ ବିଦ୍ୟାଳୟ ପ୍ରାଙ୍ଗଣରେ ଭାଷଣ ଦେଇ କହିଥିଲେ- “ଏ ବିଦ୍ୟାଳୟ ଧନରେ ଗଢ଼ା ହେଉନାହିଁ, ରକ୍ତ, ମାଂସ, ମସ୍ତିଷ୍କରେ ଗଢ଼ା ହୋଇଛି ।”୧୪

 

କଲିକତାର ‘ନବ୍ୟ ଭାରତ’ ବନବିଦ୍ୟାଳୟ ପରିଦର୍ଶନ କରିବାପରେ ଏହି ପତ୍ରିକାରେ ଲେଖିଥିଲେ- “ଆମ୍ଭେମାନେ ଦିନ ଦୁଇ ପ୍ରହର ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ର ଓ ଶିକ୍ଷକଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ନାନା ସତ୍ ଆଲୋଚନାରେ ସମୟ କଟାଇଲୁ । ତଦ୍ୱାରା ଯେ ସୁଖଶାନ୍ତି ଉପଲବ୍ଧି କଲୁ ତାହା ଜୀବନରେ ଆଉ କେବେ ପାଇଛୁ ବୋଲି ମନେହୁଏ ନାହିଁ । ସତ୍ୟବାଦୀ ବିଦ୍ୟାଳୟ ଏକ ବିଚିତ୍ର ସୃଷ୍ଟି ।”୧୫ ବଙ୍ଗର ‘ଦି ଗୃହସ୍ଥ’ ପତ୍ରିକାରେ ଏହି ବିଦ୍ୟାଳୟର ଶିକ୍ଷାଦାନ କଥା ସୁନ୍ଦର ଭାବେ ପ୍ରକାଶିତ ହୋଇଥିଲା । “ଆମେ ଦେଖୁଲୁ ସବୁ ଶିକ୍ଷକ ଆଡ଼ମ୍ବରହୀନ, ଗର୍ବଶୂନ୍ୟ ଓ ସୁଶିକ୍ଷିତ ଅଟନ୍ତି । ଆଉ ବାଳକମାନଙ୍କୁ ମଧ୍ୟ ବିଳାସ ବିହୀନ ଅନାଡ଼ମ୍ବର ପଲ୍ଲୀ ସୁଲଭ ସରଳତା ଓ ବିନୟ ଭାବରେ ଅବନତ ଥିବା ଲକ୍ଷ୍ୟ କଲୁ ।”୧୬

 

୧୧)

ତତ୍ରୈବ – ପୃ. ୧୨୮/୧୨୯

୧୨)

ଐତିହାସିକ କୃପାସିନ୍ଧୁ – ଚିନ୍ତାମଣି ଦାଶ

୧୩)

ଗାନ୍ଧି ମହାରାଜାଙ୍କ ଶିଷ୍ୟ- ଉଦୟନାଥ ଷଡ଼ଙ୍ଗୀ ପୃ-୧୫୫

୧୪)

କବି ଗୋଦାବରୀଶ- ଚିନ୍ତାମଣି ଦାଶ- ପୃ. ୮୭

୧୫)

ନବ୍ୟଭାରତ- ୩୦ ବର୍ଷ- ୨ୟ ସଂଖ୍ୟା ୧୯୧୩

୧୬)

ଦି ଗୃହସ୍ଥ – ୪ର୍ଥ ବର୍ଷ- ଦ୍ୱାଦଶ ସଂଖ୍ୟା ଆଶ୍ୱିନ- ୧୯୯୩

 

ପ୍ରଫେସର ଯୋଗେଶଚନ୍ଦ୍ର ରାୟ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ପ୍ରଦାନର ଦୃଶ୍ୟ ଅବିକଳ ଭାବରେ ପ୍ରକାଶ କରିଛନ୍ତି- “ସେହି ବଡ଼ ଗଛ ତଳେ କିଛି ସ୍ଥାନ ପ୍ରାୟ ଫାଙ୍କା ଥାଏ । ଏହିପରି ଗୋଟିଏ ଗୋଟିଏ ଗଛ ତଳକୁ ନେଇ ସେପରି କେଉଁ-ସ୍ଥାନରେ, କେଉଁ କ୍ଲାସ ବସେ ତାହା ଗୋପବନ୍ଧୁ ବାବୁ ଆମକୁ ଦେଖାଇଲେ । ସେପରି ନଅ, ଦଶଟା ବୃକ୍ଷ-ଗୃହ-ସ୍କୁଲରେ ନଅ ଦଶଟା ଶ୍ରେଣୀର ବାଳକମାନେ ପଢ଼ାଶୁଣା କରନ୍ତି । ପାଖରେ ଥିବା ବଡ଼ ଗଛରୁ ଦଉଡ଼ିରେ ବନ୍ଧା ହୋଇ ବ୍ଲକ୍-ବୋର୍ଡଟି ଓହଳାଇ ଦିଆଯାଏ । ପିଲାମାନେ ବାଲିଚଟାଣ ଉପରେ ପଟି ପକାଇ ବସନ୍ତି । ସେମାନଙ୍କ ସାମ୍‍ନାରେ ବେଞ୍ଚକୁ ମାଟିରେ ପୋତି ପିଲାମାନଙ୍କ ପଢ଼ିବା ପାଇଁ ଡେକ୍ସ ରୂପେ ବ୍ୟବହାର କରାଯାଏ ।” ୧୭ ସ୍କୁଲର ଖ୍ୟାତିରେ ଅଭିଭୂତ ହୋଇ ବିହାର ଓଡ଼ିଶା ଲାଟ୍ ସାର୍ ଏଡ୍, ୱାର୍ଡ ଗେଟ, ପ୍ରମୁଖ ପରିଦର୍ଶନରେ ଆସି ଭୂୟସୀ ପ୍ରଶଂସା କରିଯାଇଛନ୍ତି । କଲିକତା ହାଇକୋର୍ଟର ପ୍ରାକ୍ତନ ବିଚାରପତି ସାର୍ ଆଶୁତୋଷ ମୁଖାର୍ଜୀ ସ୍କୁଲ ସମ୍ପର୍କରେ ମତବ୍ୟକ୍ତ କରିଥିଲେ- “ଉଦ୍ୟୋକ୍ତାମାନଙ୍କର ଆଦର୍ଶ ଅତି ଉଚ୍ଚ, ସେମାନଙ୍କର ଶୃଙ୍ଖଳା ଓ ସଂସ୍କୃତିର ଉପାସକ ଶିକ୍ଷାଦାନରେ ମାନସିକ, ଆଧ୍ୟାତ୍ମିକ ଓ ଶାରୀରିକ ମୂଲ୍ୟ ସେମାନେ ଉପଲବ୍ଧି କରିଛନ୍ତି । ସେମାନେ ଅତି ବିନୀତ ଭାବରେ କାର୍ଯ୍ୟ ଆରମ୍ଭ କରିଥିବାରୁ ସେମାନେ ନିଶ୍ଚୟ ସେମାନଙ୍କ କାର୍ଯ୍ୟର ବିଶାଳ ଫଳପ୍ରାପ୍ତ ହେବେ । ବଙ୍ଗଦେଶର ପ୍ରତ୍ୟେକ ଗ୍ରାମ ଏହି ସତ୍ୟବାଦୀ ସ୍କୁଲ ପରି ଅସଲ ଶିକ୍ଷା ଅନୁଷ୍ଠାନର ଅଧିକାରୀ ହୁଅନ୍ତୁ ଏହା ହିଁ ଜଣେ ଇଚ୍ଛା କରିବା ଉଚିତ ।” ୧୮ ।

 

“ଦି ଷ୍ଟାର ଉତ୍କଳ ଅଫ୍ ଉତ୍କଳ’’ ପତ୍ରିକାରେ ପ୍ରକାଶିତ ହୋଇଥିଲା ‘‘We are extremely glad to hear that the Satyabadi higher class English School is making steady progress year after year. The authorities of the School are composed of young men who know how much they have to sacrifice for the improvement of their country and nation.’’ (19)

 

ଶିକ୍ଷା ବିଭାଗୀୟ ଇନ୍‍ସପେକ୍ଟର ଶ୍ରୀ ଆର୍ ମାକକୋମ ମୁକ୍ତାକାଶ ବିଦ୍ୟାଳୟ ପରିଦର୍ଶନ କରିସାରି ଏହା ଆଦର୍ଶସ୍ଥାନୀୟ ଅନୁଷ୍ଠାନ ସମଗ୍ର ଭାରତବର୍ଷରେ ବୋଲି କହିଥିଲେ-

 

"x x x However avaluable lesson has been learnt from the experiment here made. It is clear that the High School in India can be efficiently conducted through the great part of the year in the open air, provide it possess a piece of land shaded by plenty of trees and it appears that for use in the rains a building of the simplest description, consisting mainly of the roof and partition walls, is all that in required. It is strange that it has taken So many generations to make this discovery.’’ 20

 

୧୭)

ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁଗୁଳ – ବିକ୍ରମ ଦାସ- ପୃ-୩୫/୩୬ । (ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳରୁ ସଂଗୃହୀତ୦

୧୮)

ତତ୍ରୈବ- ପୃ.୬୨ ।

୧୯)

The Star of Utkal.

୨୦)

ଭାରତୀୟ ଶିକ୍ଷାନୀତିକୁ ଗୋପବନ୍ଧୁଙ୍କ ଅବଦାନ- ଅବନୀ କୁମାର ବରାଳ- ‘ସମାଜ’- ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା ।

 

ଉନ୍ମୁକ୍ତ ପରିବେଶରେ ଶିକ୍ଷା ପ୍ରଦାନ କରାଯିବା ସହ ଛାତ୍ରମାନେ ସପ ବା ମଶିଣା ପକାଇ ସମୁଖରେ ଡେକ୍ସଟିଏ ରଖ୍ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟର କାର୍ଯ୍ୟନିର୍ଘଣ୍ଟ ସକାଳ ଘ.୧୦.୩୦ମି.ରେ ଆରମ୍ଭ ହୋଇ ଅପରାହ୍ନ ୪ଟା ସମୟରେ ସମାପ୍ତ ହେଉଥିଲା । କିନ୍ତୁ ମାର୍ଚ୍ଚ, ଏପ୍ରିଲ- ମେ ମାସରେ ସକାଳ ୬ଟାରୁ ୯ ଟା ଏବଂ ଅପରାହ୍ନରେ ୩ଟାରୁ ୫ଟା ପର୍ଯ୍ୟନ୍ତ ବିଦ୍ୟାଳୟର କାର୍ଯ୍ୟ ସମୟ । ଛାତ୍ରଙ୍କ ଶାରୀରିକ ବ୍ୟାୟାମ ସହ ସମାଜସେବା ଥିଲା ଏହି ଶିକ୍ଷାର ଏକ ଅଂଶବିଶେଷ । ସତ୍ୟବାଦୀ ବନବିଦ୍ୟାଳୟ ଏକ ରେସିଡେନ୍‍ସିଆଲ ସ୍କୁଲ ଆବାସିକ ବିଦ୍ୟାଳୟ ବା ଗୁରୁକୁଳର ଆଶ୍ରମ ସ୍କୁଲ ପରି ସ୍ଥାପନ କରିବାର ଉଦ୍ଦେଶ୍ୟ ଥିଲେ ମଧ୍ୟ କେତେ ଛାତ୍ର ଅର୍ଥାତ୍ ସ୍କୁଲ ନିକଟସ୍ଥ ଗ୍ରାମମାନଙ୍କରୁ ଛାତ୍ରମାନେ ଆସି ଅଧ୍ୟୟନ କରୁଥିଲେ । ତତ୍‍କାଳୀନ ଓଡ଼ିଶାର ଏହି ଛାତ୍ରାବାସ ଥିଲା ସର୍ବବୃହତ୍ ଛାତ୍ରାବାସ । ୧୯୧୮ ମସିହା ସୁଦ୍ଧା ୩୭୦ ଛାତ୍ରମାନଙ୍କ ମଧ୍ୟରୁ ୨୪୧ ଜଣ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ରାବାସ ଜୀବନ ଥିଲା ସହଜ, ସରଳ ଓ ନିରାଡ଼ମ୍ବର । ବନବିଦ୍ୟାଳୟରେ ପାରମ୍ପରିକ ପ୍ରଚଳିତ ଶିକ୍ଷାସହ କାଠଶିଳ୍ପ ଶିକ୍ଷା, କୃଷି ଶିକ୍ଷା, ବ୍ୟାବସାୟିକ ଶିକ୍ଷା ବ୍ୟବସ୍ଥା ସହ ସାହିତ୍ୟ ରଚନା ଓ ପଠନରେ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । ଛାତ୍ରମାନଙ୍କୁ ମଧ୍ୟ ରାଜ୍ୟର ଐତିହାସିକ ସ୍ଥାନ, ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଭ୍ରମଣ କରିବାର ସୁବନ୍ଦୋବସ୍ତ ହୋଇଥିଲା । ଶିକ୍ଷାର ଏକ ଅଙ୍ଗ ବୋଲି ବିଚାର କରାଯାଉଥିଲା ପର୍ଯ୍ୟଟନକୁ । ପାଠାଗାର ସହ ଛାତ୍ରମାନଙ୍କୁ ସମ୍ପୃକ୍ତ କରାଯିବା ସହ ପ୍ରତ୍ୟେକ ଶ୍ରେଣୀପାଇଁ ଗୋଟିଏ ଲେଖାଏଁ ପାଠାଗାର ସୃଷ୍ଟି କରାଯାଇଥିଲା । କିନ୍ତୁ ହରିହର ପାଠାଗାର ଥିଲା ବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର । ଏସବୁ ସତ୍ତ୍ୱେ ଶିକ୍ଷକମାନଙ୍କ ଆତ୍ମୀୟତା, ଚରିତ୍ରବତ୍ତା, କଠୋର ଅଧ୍ୟବସାୟ, ଦେଶସେବା, ସମାଜସେବା ଛାତ୍ରମାନଙ୍କୁ ଆକୃଷ୍ଟ କରିଥିଲା । ଏକ ଅର୍ଥରେ କହିଲେ ଠିକ୍ ହେବ ଏହି ବିଦ୍ୟାଳୟ ଥିଲା ଚରିତ୍ର ଓ ନୈତିକ ଶିକ୍ଷାର ପୀଠସ୍ଥଳୀ । ବନବିଦ୍ୟାଳୟରେ ଗୁରୁକୁଳ ଆଶ୍ରମର କେତେକ ପଦ୍ଧତି, ଆଧୁନିକ ଯୁଗ ଉପଯୋଗୀ କେତେକ ନିୟମ ଓ କାର୍ଯ୍ୟାବଳୀ ଅନୁଯାୟୀ ପ୍ରଚଳିତ ହୋଇଥିଲା । ଶିକ୍ଷାବ୍ୟବସ୍ଥା ଶିକ୍ଷକମାନେ ପ୍ରତ୍ୟେକ ଛାତ୍ରଙ୍କୁ ଭଲ ଭାବରେ ଜାଣିବା ସହ ଶିକ୍ଷକ-ଛାତ୍ରମାନଙ୍କ ସମ୍ପର୍କ ଏକ ପାରିବାରିକ ସମ୍ପର୍କରେ ପରିଣତ ହୋଇଥିଲା । ସେଥିପାଇଁ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଚନ୍ଦ୍ରଶେଖର ମିଶ୍ର ଏ ସମ୍ପର୍କରେ ଲେଖୁଛନ୍ତି- “ଆମର ଶିକ୍ଷକମାନେ ଧନଲୋଭ ତ୍ୟାଗ କରି ଶିକ୍ଷାଦାନକୁ ବ୍ରତ କରିଥିଲେ ଓ ଦେଶମାତୃକାର ସେବାପାଇଁ ସମସ୍ତେ ତତ୍ପର ଥିଲେ । ଶିକ୍ଷକମାନଙ୍କର ଅଧ୍ୟାପନାର ପ୍ରକାର ଓ ରୀତିନୀତି ଦୃଷ୍ଟିରୁ ଆମ୍ଭମାନଙ୍କର (ଛାତ୍ରମାନଙ୍କର) ପ୍ରତ୍ୟେକ ଶିକ୍ଷକ ଜଣେଜଣେ ବିଦ୍ୟାର ଆକର ଓ ସମୁଦ୍ର ପରି ଗମ୍ଭୀର ବୋଲି ଧାରଣା ଥିଲା । ମାନବ ସମାଜରେ ଆମ୍ଭେମାନେ ପ୍ରତ୍ୟେକ ଶିକ୍ଷକଙ୍କୁ ଋଷି, ମହର୍ଷି ପରି ମନେ କରୁଥିଲୁ । ସେମାନଙ୍କୁ ପଣ୍ଡିତ ବୋଲି ସମ୍ବୋଧନ କରୁଥିଲୁ ଏବଂ ନିଜକୁ ପ୍ରାଚୀନ ଗୁରୁକୁଳର ଶିଷ୍ୟ ବୋଲି ମନେ ବିଚାରୁଥିଲୁ ।”୨୧

 

୨୧)

ସତ୍ୟବାଦୀରେ ସାତବର୍ଷ- ଚନ୍ଦ୍ରଶେଖର ମିଶ୍ର

 

ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ସମ୍ପାଦକ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ଵ ଥିଲା ବହୁମୁଖୀ । ଦେଶର ମୁକ୍ତି ଆନ୍ଦୋଳନ ଓ ଓଡ଼ିଶାର ତତ୍‌କାଳୀନ ପରିସ୍ଥିତିରେ ସେ ଜାତୀୟ ଜାଗରଣ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ଗ୍ରହଣ କଲେ । ୧୯୧୯ରେ ଉତ୍କଳ ସମ୍ମିଳନୀର ସଭାପତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରମୁଖ ଭାବରେ ଦାୟିତ୍ୱ ସମ୍ପାଦନ କରିବା ଫଳରେ ବନବିଦ୍ୟାଳୟ ତାଙ୍କ ପ୍ରତ୍ୟକ୍ଷ ପରିଚାଳନାରୁ ବଞ୍ଚିତ ହେଲା । ପରବର୍ତ୍ତୀ କାଳରେ ସେ ସତ୍ୟବାଦୀ ଛାଡ଼ିଲେ ।

 

୧୯୨୧ ଜାନୁୟାରୀ ୨୧ ରେ ଏହି ଓଡ଼ିଆ ଜାତୀୟ ଜୀବନର ଅଗ୍ରଗଣ୍ୟ ଅନୁଷ୍ଠାନ ଜାତୀୟ ବିଦ୍ୟାପୀଠ ବା ନେସନାଲ ଏଡୁକେସନାଲ ସେଣ୍ଟରରେ ପରିଣତ ହେଲା । ଜାତୀୟ ବିଦ୍ୟାଳୟ ଘୋଷଣା ସମୟକୁ ବନବିଦ୍ୟାଳୟରେ ନୀଳକଣ୍ଠ, ଗୋଦାବରୀଶ ପ୍ରଭୃତି ନଥିଲେ କିନ୍ତୁ କୃପାସିନ୍ଧୁ, ଆଚାର୍ଯ୍ୟ ହରିହର, ବାସୁଦେବ ମହାପାତ୍ର ପ୍ରଭୃତି ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ । ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇ ‘ସତ୍ୟବାଦୀ ବିହାର’ ନାମରେ ପରିଚିତ ହେଲା । ଏହା ୧୯୨୭ ମସିହାର ପର୍ଯ୍ୟନ୍ତ ବଞ୍ଚି ରହିଥିଲା । ସତ୍ୟବାଦୀର ବିକାଶ ଯେପରି ଶୀଘ୍ର ଘଟିଥିଲା ବିଲୟ ମଧ୍ୟ ଠିକ ସେହିପରି ।

 

ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଡ ପ୍ରମୁଖ ଏହି ଅନୁଷ୍ଠାନକୁ ଛାଡ଼ି ଅନ୍ୟତ୍ର କାର୍ଯ୍ୟକ୍ଷେତ୍ରକୁ ଯିବା ଫଳରେ ଜାତୀୟ ବିଦ୍ୟାଳୟର ଗତିଧାରା ଶିଥିଳ ହୋଇଆସିଲା । ପଣ୍ଡିତ ନୀଳକଣ୍ଠ ଏହି ଅନୁଷ୍ଠାନର ଶେଷ ପରିଣତି କଥା କହିଛନ୍ତି- “ସତ୍ୟବାଦୀର ସୀମିତ ପରିବେଶ ଭିତରୁ ଓଡ଼ିଶାର ବୃହତ୍ତର କର୍ମଭୂଇଁକୁ ଆମ୍ଭେମାନେ ଗୋଟିକ ପରେ ଗୋଟିଏ ଖସିଲା ପରେ ସ୍କୁଲର ମୂଳ ଉଦ୍ଦେଶ୍ୟ ଦୋହଲିଗଲା । ସତ୍ୟବାଦୀକୁ ଏକ ଆଦର୍ଶ ବନବିଦ୍ୟାଳୟରେ ପ୍ରତିଷ୍ଠିତ କରି ଏ ଦେଶକୁ ଏକ ନୂତନ ଆଭିମୁଖ୍ୟରେ ଗଢ଼ିବାର ଆକାଂକ୍ଷା ଆମ ସମସ୍ତଙ୍କର ଥିଲା । ବସ୍ତୁତଃ ସେଇ ପ୍ରଚ୍ଛନ୍ନ ଅଭିପ୍ରାୟରେ ଆମ୍ଭେମାନେ ଏଠି ତାଲିମ୍ ନେଉଥିଲୁ ଓ ଛାତ୍ରମାନଙ୍କୁ ତାଲିମ୍ ଦେଉଥିଲୁ । କିନ୍ତୁ ପରିସ୍ଥିତି ଆମର ସେଇ ଉଦ୍‌ଯୋଗ ପର୍ବର ଗୌରବାବହ ଉପସଂହାର ଦେଖି ପାରିଲାନି । ସ୍କୁଲ ଭାଙ୍ଗିଗଲା । ୨୨”

 

ପ୍ରାଚୀନ ଭାରତୀୟ ଆଦର୍ଶ, ପରମ୍ପରାକୁ ଭିତ୍ତିକରି ମାନବିକତା ଓ ଜାତୀୟ ଚେତନାର ସମ୍ପ୍ରସାରଣ ସହ ଓଡ଼ିଆ ଜାତି, ଭାଷା, ସାହିତ୍ୟ ଉନ୍ନତି କଳ୍ପେ ଗଠିତ ଏହି ଐତିହାସିକ ଅନୁଷ୍ଠାନ ଜାତୀୟ ସ୍ତରରେ ଶିକ୍ଷାକ୍ଷେତ୍ରରେ ଏକ ଉଜ୍ୱଳ ଆଲୋକ ବହ୍ନିକା ରୂପେ ପ୍ରତୀୟମାନ ହେଉଥିଲା । ବାସ୍ତବରେ ଏହି ବନବିଦ୍ୟାଳୟ ଥିଲା ମୌଳିକ ଚିନ୍ତା ଓ ଦର୍ଶନରେ ଏକ ବଳିଷ୍ଠ ସ୍ୱାକ୍ଷର । ଏହାର ଆଦର୍ଶରେ ଏହାଥିଲା ଅନତିକ୍ରମ୍ୟ ଅନୁଷ୍ଠାନ । ସେଥିପାଇଁ ଏହି ଅନୁଷ୍ଠାନର ପ୍ରାଧାନ୍ୟ ଓ ଦିଗଦ୍-ଶନ ସ୍ୱୀକୃତ” ସାମାଜିକ କୁସଂସ୍କାର ଦୂର କରି ରାଜ୍ୟରେ ପରିବର୍ତ୍ତନ ଆଣିବା ପାଇଁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବା ସତ୍ତ୍ୱେ ସେମାନେ ସେମାନଙ୍କ କାର୍ଯ୍ୟରେ ଅଟଳ ରହିଥିଲେ । ମହାତ୍ମାଗାନ୍ଧୀଙ୍କ ହରିଜନ ଆନ୍ଦୋଳନର ବହୁ ପୂର୍ବରୁ ସତ୍ୟବାଦୀର ଦୂରଦ୍ରଷ୍ଟାମାନେ ସେହି ଆନ୍ଦୋଳନ କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।” ୨୩

 

ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ‘ବିଶ୍ୱଭାରତୀ’ ଗଠନର ବହୁ ପୂର୍ବରୁ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷାପ୍ରଣାଳୀ ଏବେ ବି ‘ବିଶ୍ୱଭାରତୀ’ରେ ଅନୁଭବ କରିହୁଏ । “ମଧ୍ୟବିତ୍ତ ଓ ଉଚ୍ଚ ପରିବାରର ଛାତ୍ରମାନଙ୍କର ଗୁରୁକୁଳୀୟ ଶିକ୍ଷା ପାଇଁ ବଙ୍ଗଳାରେ ବିଶ୍ଵଗୁରୁ ରବୀନ୍ଦ୍ରନାଥ ଠାକୁର, ‘ବିଶ୍ୱଭାରତୀ’ ଅନୁଷ୍ଠାନ ଆରମ୍ଭ କରିଥିଲେ-। ସେ ଅନୁଷ୍ଠାନ ସ୍ଥାପିତ ହେବା ପୂର୍ବରୁ ଦରିଦ୍ର ଜନତାର ଶିକ୍ଷା ପାଇଁ ସତ୍ୟବାଦୀ ଅନୁଷ୍ଠାନଟି ପ୍ରତିଷ୍ଠିତ ହୋଇସାରି ଜାତୀୟ ଚେତନା ଉଦ୍ରେକ ପାଇଁ କାର୍ଯ୍ୟ କରୁଥିଲା ।” ୨୪

 

ଜାତୀୟ ବିଦ୍ୟାଳୟ- ସତ୍ୟବାଦୀ ବନବିଦ୍ୟାଳୟ ପରମାୟୁ ସୀମିତ ହୋଇଥିଲେ ମଧ୍ୟ ଏହାର ଆଦର୍ଶ, ବିଚାରଧାରା, ଲକ୍ଷ୍ୟ, ଉଦ୍ଦେଶ୍ୟ ଥିଲା ଆଧୁନିକ ଓ ସମୟୋପଯୋଗୀ । ମାନବ ସମାଜର କଲ୍ୟାଣ ସହ ପ୍ରକୃତ ଶିକ୍ଷା ପ୍ରଦାନରେ ଏହାର ଭୂମିକା ଅତୁଳନୀୟ । ଏକ ଗୌରବମୟ ପରମ୍ପରା ସୃଷ୍ଟି କରିବା ସହ ଏକ ଉନ୍ନତ ଶିକ୍ଷା ପ୍ରଦାନ ବ୍ୟବସ୍ଥାର ଅନନ୍ୟ ପ୍ରୟୋଗଶାଳା ହୋଇ ଇତିହାସରେ ସ୍ମରଣୀୟ ହୋଇ ରହିଛି ଏହି ଜାତୀୟ ଅନୁଷ୍ଠାନ ।

 

ଯଶୁଆପୁର, ମାହାଙ୍ଗା, କଟକ

 

୨୨)

ଆତ୍ମଜୀବନୀ – ପଣ୍ଡିତ ନୀଳକଣ୍ଠ ଦାସ – ପୃ-୧୦୯

୨୩)

ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ-ବିକ୍ରମ ଦାସ – ପୃ ୧୮୩/୧୮୪

୨୪)

ତତ୍ରୈବ – ପୃଷ୍ଠା- ୧୮୪

 

***

 

ବ୍ୟକ୍ତି ଓ ବ୍ୟକ୍ତିତ୍ଵ ବିଚିତ୍ରା-ପଣ୍ଡିତ କୃପାସିନ୍ଧୁ

ରଶ୍ମି ରଞ୍ଜନ ମହାପାତ୍ର

 

‘‘ଜନ୍ମଭୂମି ବତ୍ସଳ ଜନନୀଭକ୍ତ

ଅଇତିହାସିକତ୍ୱ ଚିନ୍ତା ନିରତ

ଦେଶ ବିଶ୍ୱାସୀ ଭାଇମାନଙ୍କ ସାଖା

ବନ୍ଧୁ କୁଟୁମ୍ବଙ୍କର ଆଶ୍ରିତ ଶାଖା

ଚାରୋଟି ଦିନ ହୋଇ ଘରେ ନରହି

ଦେଶ ନିମନ୍ତେ ନାଥ ବୁଲିଲ ଯାଇ ।’’

 

ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ବିୟୋଗ ପରେ ପତ୍ନୀ ସାବିତ୍ରୀ ଦେବୀଙ୍କ ‘‘ଶୋକଧାରା’’ରେ ପ୍ରତିଫଳିତ ରହିଛି ଉପର ଉଦ୍ଧୃତ ଭାବଉଚ୍ଛାସ୍ୱ । ବସ୍ତୁତଃ ଜନ୍ମଭୂମି ପ୍ରେମିକ ଜନନୀଭକ୍ତ, ଇତିହାସ ଅନୁରକ୍ତ ଦେଶପ୍ରେମିକ, ସଖା ବନ୍ଧୁକୁଟୁମ୍ବଙ୍କର ଆଶ୍ରୟଶାଖା କୃପାସିନ୍ଧୁ ତାଙ୍କ ଜୀବନରେ ଦାରୁଣ ଅକାଳ ଆନୟନ ହେତୁ ହୋଇଛନ୍ତି । ପତ୍ନୀ ସାବିତ୍ରୀଦେବୀଙ୍କ ଭାଷାରେ କୃପାସିନ୍ଧୁ ଦେଶ ପାଇଁ ଗୃହକୁ ଉପେକ୍ଷା କରୁଥିଲେ । ହୁଏତ, ପତ୍ନୀ ଭାବରେ ପତିଙ୍କ ଗୁଣଗ୍ରାମ ବର୍ଣ୍ଣନାରେ ଏଠି କିଛିଟା ଅତିକଥନ ଥାଇପାରେ । ତେଣୁ ଏ ସବୁର ପ୍ରାସଙ୍ଗିକତା ପଦସ୍ଥ କର୍ମକର୍ତ୍ତାଙ୍କ ସତ୍ୟବାଦୀ ବନବିଦ୍ୟାଳୟର ପରିଦର୍ଶନ ଲିପିର ଭାଷା, ସତୀର୍ଥ, ସହକର୍ମୀ, ସମସାମୟିକ ସାରସ୍ୱତ ପୁରୁଷଙ୍କ ସୃଷ୍ଟିରୁ ଅନ୍ୱେଷଣ କରାଯାଇପାରେ । କୃପାସିନ୍ଧୁ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟର ପଶ୍ଚାତ ଆଗନ୍ତୁକ ଆଗ୍ରହୀ ପୁରୁଷ, ଅଥଚ ବହୁକାଳ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ପଦବୀ ମଣ୍ଡନ କରିବା ଥିଲା ତାଙ୍କ ଭାଗ୍ୟଲିପି । ଦର୍ଶନରେ ଏମ୍,ଏ ପାଶ୍ କରିଥିବା କୃତବିଦ୍ୟ କୃପାସିନ୍ଧୁ ଦେଶ ଓ ଜାତି ପ୍ରୀତିର ଫାଶରେ ପଡ଼ି ଦେଶୀୟ ଇତିହାସ ସଂରଚନାରେ ମନ ଅଭିନିବେଶ କରିଥିଲେ । ସତ୍ୟବାଦୀ ଏକ ସ୍ଥାନ ବା ଅନୁଷ୍ଠାନ ନୁହେଁ, ତାହା ସେ କାଳ ପାଇଁ ଥିଲା ଜାତୀୟ ଆହ୍ୱାନର ଉଚ୍ଚାଟନ କୁହାଟ । ତହିଁରେ ମନ୍ତ୍ରଦାତା ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କରି ଆଦର୍ଶ, ନୀତିନିଷ୍ଠା ଓ ଜୀବନ ବଦଳରେ ଜାତିକୁ ବଞ୍ଚାଇବାର ଉତ୍ସର୍ଗୀକୃତ ସେବା ପରାୟଣତା କୃପାସିନ୍ଧୁ ସମେତ ପ୍ରତ୍ୟେକଟି ଅନୁକାରୀଙ୍କୁ ସଂବୁଦ୍ଧ କରିଥିଲା । ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଜାତିକୁ ନୂଆ ଭାବ ଭାବନାରେ ପ୍ରଣୋଦିତ କରିବା ପାଇଁ ଯେଉଁମାନେ ଲେଖନୀ ଚାଳନା କରିଥିଲେ ସେମାନଙ୍କର ଧାରା ଥିଲା ଭିନ୍ନଭିନ୍ନ । କୃପାସିନ୍ଧୁ ମିଶ୍ର ଜାତିର ଇତିହାସ ରଚନା କରି ଜନମାନସରେ ଲୁପ୍ତପ୍ରାୟ ଗୌରବଦୃପ୍ତ ମାନସିକତା ସଞ୍ଜୀବିତ କରିବା ନିମିତ୍ତ ପ୍ରୟାସ ଜାରି ରଖିଥିଲେ । ଦର୍ଶନର ଛାତ୍ର ହୋଇଥିବାରୁ ସତ୍ୟପଥରୁ ବିଚ୍ୟୁତ ରହିବା ତାଙ୍କର ନୀତିବିରୁଦ୍ଧ ଥିଲା । ଏପରିକି ପ୍ରଧାନ ଶିକ୍ଷକ ଥିବା କାଳରେ ଶିକ୍ଷକର ଦରମା ଘେନି କୌଣସି ତର୍କ ଉଠିବାକୁ ସେ ନାପସନ୍ଦ କରୁଥିଲେ । ଏଭଳି ଜଣେ ସାରସ୍ୱତ ସାଧକ, ନିରଳସ ଦେଶପ୍ରେମୀ, ଛାତ୍ର ସଂପ୍ରୀତିଭାଜନ ଶିକ୍ଷକ ଓ ଜାତି ଦେଶ ପାଇଁ ଅବିରତ ସ୍ଵପ୍ନ ଦେଖୁଥିବା ଅଥଚ ବିଦ୍ୟାଳୟରେ ପ୍ରଶାସନର ଭୂମିକା ତୁଲାଉଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ବୃତ୍ତାଧାରୀଙ୍କ ସ୍ମୃତି, ଅନୁଭୂତି ଓ ସାହିତ୍ୟିକ ଅଭିବ୍ୟକ୍ତିରେ କିଭଳି ଚିତ୍ରିତ, ତାହା ଆଲୋଚନୀୟ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ୧୯୧୪ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ଯୋଗଦାନ କରନ୍ତି । ତାଙ୍କର ପଢ଼ାଇବା ବିଷୟ ଥାଏ ଇତିହାସ ଓ ଇଂରାଜୀ । ସେ କିନ୍ତୁ ଏମ୍. ଏ. ପଢ଼ିଥାନ୍ତି ଦର୍ଶନ ଶାସ୍ତ୍ରରେ । ୧୯୧୪ ପରର ପରିଦର୍ଶକଙ୍କୁ ବିଦ୍ୟାଳୟ ପରିଦର୍ଶନ ଜନିତ ମନ୍ତବ୍ୟଲିପିରୁ କୃପାସିନ୍ଧୁଙ୍କ ଶିକ୍ଷକ ବ୍ୟକ୍ତିତ୍ୱ ଅବଧାରଣା କରିହୁଏ । ୧୯୧୩ରୁ ୧୯୨୦ ମସିହା ମଧ୍ୟରେ ଭିନ୍ନ ଭିନ୍ନ ବିଶିଷ୍ଟ ବ୍ୟକ୍ତି ସତ୍ୟବାଦୀ ବନବିଦ୍ୟାଳୟ ପରିଦର୍ଶନ କରି ଯେଉଁ ମନ୍ତବ୍ୟମାନ ପରିଦର୍ଶନ ପୁସ୍ତିକାରେ ଲିପିବଦ୍ଧ କରିଯାଇଥିଲେ ତନ୍ମଧ୍ୟରେ କେହି କେହି କୃପାସିନ୍ଧୁଙ୍କ କାର୍ଯ୍ୟାବଳୀ ଅଥବା କୌଣସି ଏକ ପ୍ରସଙ୍ଗରେ ତାଙ୍କ ନାମ ଉଲ୍ଲେଖ କରିଯାଇଛନ୍ତି । କଟକ ରେଭେନ୍‍ସା ମହାବିଦ୍ୟାଳୟ ପ୍ରଫେସର କାଶୀନାଥ ଦାସ ୧୩/୧୦/୧୯୧୬ ମସିହାରେ ସତ୍ୟବାଦୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବାବୁ ନୀଳକଣ୍ଠ ଓ ବାବୁ କୃପାସିନ୍ଧୁଙ୍କ ଆତିଥେୟତାକୁ ସେ ତାଙ୍କ ପରିଦର୍ଶନ ବିବରଣୀରେ ଉଚ୍ଚ ପ୍ରଶଂସା କରିଛନ୍ତି – “xxx I had to come to Sakhigopal some of my young friends Babu Nilakantha Das and Babu Krupasindhu Mishra are very kind to show me the School building the garden attached to it and the playground.’’ ମୋହିନୀ ମୋହନ ସେନାପତି ୧୧/୫/୧୯୧୮ରେ ସତ୍ୟବାଦୀ ବନବିଦ୍ୟାଳରେ ପରିଦର୍ଶନ ପୁସ୍ତିକାରେ ପ୍ରକାଶ କରିଥିଲେ- ‘‘Through the generosity of my friend Babu Nilakhantha Das and Babu Krupasindhu Mishra I had the good fortune this morning to go round the Satyabadi High School which I heard too much.” ଅର୍ଥାତ୍‍ ମୋର ବନ୍ଧୁ ବାବୁ ନୀଳକଣ୍ଠ ଦାସ ଓ ବାବୁ କୃପାସିନ୍ଧୁ ମିଶ୍ରଙ୍କ ଉଦାରତା ହେତୁ ମୋର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ବୁଲିଯିବା ସମ୍ଭବ ହେଲା । ଆଜିର ସକାଳଟି ମୋର ସୁଭାଗ୍ୟ ବୋଲି ବୁଝିବାକୁ ହେବ । ଏଥିରୁ ମୋହିନୀ ମୋହନଙ୍କର କୃପାସିନ୍ଧୁଙ୍କ ସହ ଉତ୍ତମ ବନ୍ଧୁତା ଥିବା ଜଣାଯାଏ । ଉକ୍ତ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ ନଦୀୟାର ମହାରାଜା ବାହାଦୁର ୨୦/୬ /୧୯୧୮ରେ । ନିଜ ମନ୍ତବ୍ୟରେ ବାବୁ ଗୋପବନ୍ଧୁ ଦାସ ଓ ସହକର୍ମୀଙ୍କ କର୍ତ୍ତବ୍ୟ ପରାୟଣତାକୁ ସେ ନିମ୍ନମତେ ପ୍ରକାଶ କରିଛନ୍ତି “This morning I paid a visit to the Satyabadi School at Sakhigopal and was shown round the school and the environments by it's organizer Hon’ble Babu Gopabandhu Das and the headmaster and other teachers was very highly pleased with all that saw.’’

 

ସୁଶିକ୍ଷକ, ଶିକ୍ଷାଦାନ ଓ ତାଙ୍କର ପାଣ୍ଡିତ୍ୟକୁ ଗୁଣମୁଗ୍ଧ ପରିଦର୍ଶକମାନେ ମୁକ୍ତକଣ୍ଠରେ ସ୍ୱୀକାର କରିବା ଦେଖାଯାଏ । ଓଡ଼ିଶା ଓ ବିହାରର ସ୍କୁଲ ପରିଦର୍ଶକ W.V.Duke ୨୫ – ୨୬/୧୦/୧୯୧୬ ମସିହାରେ ପରିଦର୍ଶନ ରିପୋଟରେ ଉଲ୍ଲେଖ କରିଥିଲେ- ‘Class-IV A was doing History 23 boys. The period of the Baber was being studied. The teacher spoke much too fast. He should remember he is speaking in a foreign and difficult language. I was glad he know engough about his subject not to have to refer to the text book or his notes during his lesson. The notes I saw were good’ ସେହିପରି କୃପାସିନ୍ଧୁଙ୍କ ଶିକ୍ଷାଦାନକୁ ଆଶ୍ଚର୍ଯ୍ୟର ସହ ଗ୍ରହଣ କରିଛନ୍ତି ତତକାଳୀନ Inspecter of schools, Orissa Division ର ମୁଖ୍ୟ E.J.Maclinus. ସେ ମହାଶୟ ୧୨/୧୧/୧୯୧୮ ମସିହାରେ ପରିଦର୍ଶନ ପୁସ୍ତିକାରେ ଲେଖୁଥିଲେ । “It is difficult to see why this teacher has been made Head Master. He taught all he know about the Mogul Emperor Baber in five minutes. At the same time he appears to have taught what he knew of India History fairly, thoroughly as the pupils answered questions fairly creditable XXX. ” କେବଳ ପରିଦର୍ଶକମାନଙ୍କ ରିପୋଟରେ କୃପାସିନ୍ଧୁଙ୍କ ପ୍ରଶଂସା ସୀମିତ ହୋଇନାହିଁ, ବରଂ ତତ୍‌କାଳୀନ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରକାଶିତ ହେଉଥିବା ପତ୍ର ପତ୍ରିକାରେ ସତ୍ୟବାଦୀ ବନବିଦ୍ୟାଳୟ ବିଷୟ ଉଲ୍ଲେଖ ହେଉଥିଲା । ସେଥିମଧ୍ୟରୁ ଭାରତବର୍ଷ, ଦି ନିୟୁ ଇଣ୍ଡିଆ, ଦି ଗୃହସ୍ଥ, ଦି ବିହାର ଆଡ଼ଭୋକେଟ, ନବ୍ୟ ଭାରତ, ବରିଶାଲ ହିତୈଷୀ, ଦି ନାୟକ, ଦି ବିହାରୀ, ଦି ବେଙ୍ଗଲୀ ଆଦି ପ୍ରଧାନ । ଏଥିରୁ ୧୯୧୫, ଜୁନ୍ ୫ ତାରିଖରେ ‘‘ଦି ବିହାର ଆଡ଼ଭୋକେଟ୍‍’’ରେ ପ୍ରକାଶ ପାଇଥିଲା କି ‘‘ସମୟ ସମୟରେ ଦେଶପ୍ରେମ ଓ ସ୍ଵାର୍ଥତ୍ୟାଗ ସମ୍ବନ୍ଧରେ ବହୁ ବସ୍ତୁତା ଓ ଚେତାବନୀ ଶୁଣିବାକୁ ମିଳେ । କିନ୍ତୁ ଦେଶର ମଙ୍ଗଳ ପାଇଁ ସେବାର ବାସ୍ତବ ଦୃଷ୍ଟାନ୍ତ କ୍ୱଚିତ୍ ଦେଖୁବାକୁ ମିଳିଥାଏ । ତେଣୁ ପୁରୀ ଜିଲ୍ଲାର । ସତ୍ୟବାଦୀରେ ଥିବା ଖ୍ୟାତିସମ୍ପନ୍ନ ହାଇସ୍କୁଲଟି ନାମକୁ ମାତ୍ର ବେତନଭୋଗୀ ଯୁବକମାନଙ୍କ ଦ୍ୱାରା । ପରିଚାଳିତ ହେଉଥିବା ସମ୍ବାଦରେ ଆମେ ଆନନ୍ଦିତ ହେଉଛୁ । ପ୍ରଧାନ ଶିକ୍ଷକ ନୀଳକଣ୍ଠ ଦାସ ଏମ.ଏ ମାତ୍ର ୪୦ ଟଙ୍କା ବେତନ ଗ୍ରହଣ କରନ୍ତି ଏବଂ ତାଙ୍କର ସହକାରୀ ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ର ଏମ.ଏ ପ୍ରଭୃତି ମଧ୍ୟ ସାମାନ୍ୟ ଅର୍ଥ ଗ୍ରହଣ କରି ସେଠାରେ ଖୁସିରେ କାମ କରନ୍ତି ।’’

 

ବିଦେଶୀ ଶାସନାଧୀନ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ଧର୍ମୀୟ ଚେତନାରେ ଏକ ତୁମୁଳ ପରିବର୍ତ୍ତନ ଆଣିବାରେ ସତ୍ୟବାଦୀ ବିଦ୍ୟାଳୟର ଭୂମିକାକୁ ଅସ୍ୱୀକାର କରାଯାଇନପାରେ । ଦାସେଆପଣେ ରାମଚନ୍ଦ୍ର ମୁକ୍ତାରଙ୍କୁ ଗୁରୁ ରୂପେ ଗ୍ରହଣ କରି ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ପରେ ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀରେ । ପ୍ରାରମ୍ଭରୁ ସେବା ମନୋଭାବ ନେଇ ଗଠନ ହୋଇଥିବା ଏହି ଅନୁଷ୍ଠାନଟିରେ ପର୍ଯ୍ୟାୟକ୍ରମେ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ହରିହର ପ୍ରମୁଖ ଯୋଗ ଦେଇ ଶିକ୍ଷକତା କରିଥିଲେ । ସଭିଏଁ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇଥିଲେ ହେଁ ଗୋପ ଆଦର୍ଶକୁ ଜୀବନର ଦୀକ୍ଷା ରୂପେ ଗ୍ରହଣ କରିନେଇ ପରେ ଏହି ଅନୁଷ୍ଠାନର ଏକ ଏକ ଅଙ୍ଗ ରୂପେ ପରିଣତ ହୋଇଗଲେ । ଫଳରେ ସର୍ବ ପ୍ରଥମେ ସର୍ବ କନିଷ୍ଠ ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କ ଦେହାନ୍ତ ହେବା ଯୋଗୁ ତାଙ୍କର ଅବର୍ତ୍ତମାନରେ ଗୋପବନ୍ଧୁଙ୍କ ଲେଖନୀରୁ ଝରି ଆସିଥିବା ଅବ୍ୟକ୍ତ ବେଦନାଭରା ଭାଷା, ତାଙ୍କର ବ୍ୟକ୍ତି-ବ୍ୟକ୍ତିତ୍ଵ ବିଚିତ୍ରାକୁ ସୁସ୍ପଷ୍ଟ କରିଥାଏ । ‘‘ସତ୍ୟବାଦୀ ବିଦ୍ୟାଳୟ ଧୈର୍ଯ୍ୟଶୀଳ, ପ୍ରବୀଣ, ଲୋକପ୍ରିୟ, ସୁଦକ୍ଷପଣ୍ଡିତ, ପ୍ରଧାନ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ମିଶ୍ର ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ଵଜନ, ସହକର୍ମୀ ଓ ଛାତ୍ରବର୍ଗଙ୍କୁ ଶୋକ ସାଗରରେ ଭସାଇ ଏ ମାସ ୧୨ ତାରିଖ ଶୁକ୍ରବାର ସକାଳ ୧୦ଟା ବେଳେ ଚାଲିଗଲେ । ଉତ୍କଳର ଶିକ୍ଷକ ସମାଜରୁ ଏକ ଉଜ୍ୱଳ ନକ୍ଷତ୍ର ଖସିପଡ଼ିଲା । ଉତ୍କଳ ଇତିହାସର ପ୍ରତ୍ନତତ୍ତ୍ୱ ଅନୁସନ୍ଧାନ କ୍ଷେତ୍ରରୁ ପ୍ରଧାନ ସାଧକ ଅନ୍ତହିତ ହେଲେ ।” (ସମାଜ-୧୩/୨/୧୯୨୬) ।

 

ବାସ୍ତବିକ ଉତ୍କଳ ଇତିହାସ ରଚନା କ୍ଷେତ୍ରରେ କୃପାସିନ୍ଧୁ ବାବୁ ସର୍ବାଦୌ ବନ୍ଦନୀୟ । ଯଦିଓ ୧୮୭୫ ମସିହାରେ ଓଡ଼ିଶା ସ୍କୁଲ ସମୂହର ଜଏଣ୍ଟ ଇନିସପେକ୍ଟର ବିଜ୍ଞାପନ ଦେଇଥିଲେ ଯେ ଉତ୍କଳ ଭାଷାରେ ଖଣ୍ଡେ ଓଡ଼ିଶାର ଇତିହାସ ରଚିତ ହେଲେ ଏବଂ ତାହା ଓଡ଼ିଶା ବିଦ୍ୟାଳୟ ସମୂହର ଜଏଣ୍ଟ ଇନିସପେକ୍ଟର ଅଫିସ୍‌ରେ ଗ୍ରାହ୍ୟ ହେଲେ ରଚକଙ୍କୁ ଗଭର୍ଣ୍ଣମେଣ୍ଟ ତିନିଶହ ଟଙ୍କା ପୁରସ୍କାର ଦେବେ । ପ୍ୟାରୀମୋହନ ଆଚାର୍ଯ୍ୟ ଓଡ଼ିଶା ଇତିହାସ ରଚନା କରି ଏହି ଅନୁଦାନ ରାଶିକୁ ପ୍ରାପ୍ତ ହୋଇଥିଲେ । ତାହା ଓଡ଼ିଶାର ସମ୍ପୂର୍ଣ୍ଣ ଇତିହାସ ଗ୍ରନ୍ଥ ନଥିଲା । ବୋଧହୁଏ, ପ୍ୟାରୀମୋହନଙ୍କ ରଚନାକୁ ବାଦ୍‍ ଦେଲେ କୃପାସିନ୍ଧୁଙ୍କ ଉତ୍କଳ ଇତିହାସ ପରବର୍ତ୍ତୀ କାଳରେ ଦୀର୍ଘ ୫୦ ବର୍ଷ ଧରି ପାଠକ ଓ ଆଲୋଚକମାନଙ୍କ ପାଇଁ ମାର୍ଗଦର୍ଶକ ଥିଲା । କର୍ମୀ ଓ ନିଷ୍ଠାପର ଶିକ୍ଷକ ହିସାବରେ କୃପାସିନ୍ଧୁ ଛାତ୍ର ମହଲରେ କେବଳ ଜଣାଶୁଣା ନଥିଲେ, ବରଂ ଜଣେ ବିଶିଷ୍ଟ ଐତିହାସିକ ରୂପେ ଉତ୍କଳର ଘରେ ଘରେ ସୁପରିଚିତ ଥିଲେ । “ବାରବାଟୀ ଦୁର୍ଗ’', “କୋଣାର୍କ”ପରି ଐତିହାସିକ ଗ୍ରନ୍ଥ ତାଙ୍କ ଜୀବନଦଶାରେ ପ୍ରକାଶିତ ହୋଇଥିଲା, ମାତ୍ର ଉତ୍କଳ ଇତିହାସର ପ୍ରକାଶ ପୂର୍ବରୁ ତାଙ୍କର ଦେହାନ୍ତ ଘଟିଥିଲା । ଜଣେ କୃତବିଦ୍ୟ କର୍ମୀଠାରୁ ଗୋପବନ୍ଧୁ ଯାହା ଆଶା କରିଥିଲେ ତାହା ଅସମାହିତ ହୋଇ ରହିଗଲା । ତାଙ୍କ ଦୃଷ୍ଟିରେ ହିଁ ପଣ୍ଡିତ କୃପାସିନ୍ଧୁଙ୍କ ଗଠନମୂଳକ ଲେଖା ଏଇ ଜାତିକୁ ତାର ପୂର୍ବ ଗୌରବକୁ ସୂଚାଇ ଦେବା ସହ ଓଡ଼ିଶାର ସ୍ୱାଭିମାନକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିଥାନ୍ତା । କୃପାସିନ୍ଧୁ ମିଶ୍ରଙ୍କ ନିଷ୍ଠା ଓ ବ୍ୟକ୍ତିତ୍ୱ ସଭିଁଙ୍କ ଲାଗି ଅନତିକ୍ରମଣୀୟ ଥିଲା । ସେ ଦୃଷ୍ଟିରୁ ସତ୍ୟବାଦୀ ପରିଚାଳନା କମିଟି ରିପୋଟ୍ (୧୯୧୩ରୁ ୧୯୧୮)ରେ କୃପାସିନ୍ଧୁଙ୍କୁ ପ୍ରଥମେ ଜଣେ ଏମ୍.ଏ ପଢ଼ୁଆ ଶିକ୍ଷକ ରୂପେ ମାନ୍ୟତା ଦିଆଯିବା ସହ ସ୍କୁଲର ସହକାରୀ ସମ୍ପାଦକ ପଦବୀରେ ମଣ୍ଡିତ କରାଯାଇଥିଲା । ପୁନଶ୍ଚ ଇତିହାସ କ୍ଲବର ସଭାପତି ଓ ବ୍ୟାଙ୍କ ଅଡ଼ିଟର କ୍ଷମତା ତାଙ୍କୁ ଅର୍ପଣ କରାଯାଇଥିବାର ପ୍ରମାଣ ଏଥିରେ ମିଳେ । ସତ୍ୟବାଦୀ ବିଦ୍ୟାଳୟକୁ ନିଜର କର୍ମକ୍ଷେତ୍ର ରୂପେ ଗ୍ରହଣ ସମଗ୍ର ଓଡ଼ିଶାର ଇତିହାସକୁ ସେ ଇଂରାଜୀରେ ରଚନା କରିବାର ଯେଉଁ ପ୍ରୟାସ ଜାରି ରଖିଥିଲେ ତାର ପ୍ରାକ-ସୂଚନା ତତ୍-କାଳୀନ ପତ୍ରପତ୍ରିକାରେ ପ୍ରକାଶିତ ପ୍ରବନ୍ଧ ସମୂହରୁ ସୂଚନା ମିଳିଥାଏ । ତେଣୁ ଦାସେ ଆପଣେ କୃପାସିନ୍ଧୁଙ୍କୁ ନେଇ ଯେଉଁ ପରି ହୃଦୟରେ କଳ୍ପନା ଜଳ୍ପନା ରଖିଥଲେ ଅକାଳରେ ତାହାର ବିଲୟ ଘଟିଥିଲା ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ନିଜ ମାମୁଁଘର ଶ୍ରୀରାମଚନ୍ଦ୍ରପୁରରେ ରହି ପାଠ ପଢ଼ିଥିବା ଯୋଗୁଁ ଓ ସମ୍ପର୍କୀୟ ଭରଜା ଦୃଷ୍ଟିରୁ ନୀଳକଣ୍ଠ ଦାସ ତାଙ୍କୁ ବହୁ ନିକଟରୁ ପଢ଼ିପାରିଥିଲେ । ଜଣେ ଐତିହାସିକ ନିଷ୍ଠା ଓ କାର୍ଯ୍ୟଦକ୍ଷତା ନେଇ କୃପାସିନ୍ଧୁ ଥିଲେ ତାଙ୍କ ଦୃଷ୍ଟିରେ ମହୀୟାନ୍ ଯାହା ତାଙ୍କ ଆତ୍ମଜୀବନୀରୁ ଜଣାଯାଏ- “ସ୍ଵର୍ଗତ କୃପାସିନ୍ଧୁଙ୍କ ବିଶେଷତ୍ଵ ଥିଲା ଯେ, ସେ ଆମମାନଙ୍କ ନିକଟରେ ଆସିଲା ଦିନଠାରୁ ସତ୍ୟବାଦୀ ସ୍କୁଲ ଛଡ଼ା ଆଉ କୌଣସି କଥା ଭାବି ନାହାଁନ୍ତି । ଚାକିରି, ଓକିଲାତି ବା ଅନ୍ୟ ବ୍ୟବସାୟ କରିବାତ ଦୂରର କଥା ।” ସତ୍ୟବାଦୀ ବିଦ୍ୟାଳୟକୁ ଜୀବନଠୁ ଶ୍ରେଷ୍ଠ ମଣୁଥିବା ମଣିଷଟି ଥିଲେ କୃପାସିନ୍ଧୁ । ଏହାର ବିରାଟ ଲାଇବ୍ରେରୀରେ ଥିବା ବହୁମୂଲ୍ୟ ରାଶିରାଶି ପୁସ୍ତକକୁ ଅଧ୍ୟୟନ କରିବାରେ ସମସ୍ତ ସମୟକୁ ସେ ବିନିଯୋଗ କରୁଥିଲେ । ନିଜର ଗବେଷଣା ଚାଲୁ ରଖିବା ନିମନ୍ତେ ସେ ଏହି ପାଠାଗାର ଉପରେ ଅଧିକ ନିର୍ଭର କରୁଥିବା କଥା ନୀଳକଣ୍ଠ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, କୃପାସିନ୍ଧୁଙ୍କ ସ୍ପଷ୍ଟବାଦୀ ଗୁଣ କିପରି ସତ୍ୟବାଦୀର ଆଦର୍ଶକୁ ବହୁଳ ମାତ୍ରାରେ ବାନ୍ଧି ରଖିଥିଲା ତାର ସ୍ମୃତିଚାରଣ କରନ୍ତି ପଣ୍ଡିତ ନୀଳକଣ୍ଠ । ଆବଶ୍ୟକ ଠାରୁ ଅଧିକ ଦରମା ନନେବାର ରୋକଠୋକ ମତାମତ ଯାହା କୃପାସିନ୍ଧୁ ପ୍ରଦାନ କରିଥିଲେ ଆଜି ବୋଧହୁଏ ଶିକ୍ଷକ ସମାଜରେ ତାହା ଦୁଃସ୍ୱପ୍ନ । ନିଜର ପତ୍ନୀଙ୍କୁ ପ୍ରଥମରୁ ଶିକ୍ଷାଦେଇ ଏକ ଆଦର୍ଶ ଶିକ୍ଷିତା ମହିଳା ରୂପେ ଗଢ଼ିତୋଳିବାରେ ଯେଉଁ ପ୍ରଯତ୍ନ କୃପାସିନ୍ଧୁ ନେଇଥିଲେ ତାହା ସତୀର୍ଥମାନଙ୍କ କ୍ଷେତ୍ରରେ ଏକ ବିଶେଷ ଆଦର୍ଶ ଥିଲା ।”

 

ପଣ୍ଡିତ ଗୋଦାବରୀଶ ସତ୍ୟବାଦୀର ପାଣିପବନରେ ବଢ଼ିଉଠିଥିବା କୃପାସିନ୍ଧୁଙ୍କ ପ୍ରତି ବିମୁଖଥିବା ସ୍ପଷ୍ଟ ହୋଇ ପଡ଼ିଥିବା ବେଳେ ପଣ୍ଡିତ ରତ୍ନାକର ପତି ତାଙ୍କର ଐତିହାସିକତା ଓ ଅଖଣ୍ଡ ସହଯୋଗ ହିଁ ସତ୍ୟବାଦୀ ଗୁରୁକୁଳର ମର୍ଯ୍ୟାଦା ବଢ଼ାଇବାରେ ସାହାଯ୍ୟ କରିଥିଲା ବୋଲି ମତ ଦିଅନ୍ତି । ବିଦେଶୀୟ ପ୍ରଭାବ ବିରୁଦ୍ଧରେ ଯୁଦ୍ଧ କରି, ଦେଶବାସୀଙ୍କର ଦୁର୍ବଳତା ତଥା ଅଧୋଗତି ଦୂର କରିବା ପାଇଁ ହିଁ କୃପାସିନ୍ଧୁଙ୍କ ଲେଖନୀ ଚଳଚଞ୍ଚଳ ଥିଲା ।

 

ସତ୍ୟବାଦୀ ବନବିଦ୍ୟାଳୟ ଥିଲା ଛାତ୍ରଙ୍କୁ ମଣିଷଟିଏ ପରି ଗଢ଼ିତୋଳିବାର ଏକ ଜ୍ଵଳନ୍ତ ଅନୁଷ୍ଠାନ । ଏଥିରେ ରାଜରାଜୁଡ଼ା ଜମିଦାର ପିଲାଙ୍କଠାରୁ ଆରମ୍ଭ କରି ଗରିବ ଘରର ପିଲାଟିଏ ମଧ୍ୟ ପାଠ ପଢ଼ିପାରୁଥିଲା । ସତ୍ୟବାଦୀ ଗୁରୁକୁଳରୁ ଶିକ୍ଷାଲାଭ କରିସାରିବା ପରେ ସମସ୍ତ ଛାତ୍ର ଏକ ନୀତିଗତ ଆଦର୍ଶରେ ଅନୁପ୍ରାଣୀତ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଛାତ୍ର ଜୀବନର ମୋହକୁ ଏଡ଼ି ନ ପାରି ଏହାର ସ୍ମୃତିଚାରଣ କରି ଅନେକ ଛାତ୍ର ରଚନା କରିଯାଇଛନ୍ତି କେତୋଟି ଅମୂଲ୍ୟ ଗ୍ରନ୍ଥ । ସେଥି ମଧ୍ୟରେ ଚନ୍ଦ୍ରଶେଖର ମିଶ୍ରଙ୍କ “ସତ୍ୟବାଦୀରେ ସାତ ବର୍ଷ”, ଉଦୟନାଥ ଷଢ଼ଙ୍ଗୀଙ୍କ ‘‘ସତ୍ୟବାଦୀ ବିହାର ସ୍ମୃତି”, ଶିକ୍ଷକ ଗଣେଶ୍ୱର ମିଶ୍ରଙ୍କ ଯନ୍ତ୍ରସ୍ଥ ପାଣ୍ଡୁଲିପି “ସତ୍ୟବାଦୀ ବନବିଦ୍ୟାଳୟ” ପରବର୍ତ୍ତୀକାଳର ଛାତ୍ର ବିକ୍ରମ ଦାସଙ୍କ ‘‘ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ’’ ଗ୍ରନ୍ଥ ଗୁଡ଼ିକ ପ୍ରଣିଧାନ ଯୋଗ୍ୟ । ଯେଉଁମାନଙ୍କ ଜୀବନୀ ରଚନାରେ ସତ୍ୟବାଦୀ ବିଦ୍ୟାଳୟର ମୁହୂର୍ତ୍ତ ସବୁ ଜୀବନ୍ତ ହୋଇପଡ଼ିଛି, ସେଗୁଡ଼ିକ ମଧ୍ୟରେ - ଚିନ୍ତାମଣି ମିଶ୍ରଙ୍କ ‘‘ଅର୍ଦ୍ଧଶତାବ୍ଦୀର ଅନୁଭୂତି”, ସଦାଶିବ ମିଶ୍ରଙ୍କ ‘‘ମାତୃପୂଜା ମଣ୍ଡପ” ଓ ହରିହର ମହାପାତ୍ରଙ୍କ “ଜୀବନ ଓ ଜୀବିକା” ଅନ୍ୟତମ । ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁଙ୍କୁ ନେଇ ରଚନା କରାଯାଇଥିବା ‘‘ଐତିହାସିକ କୃପାସିନ୍ଧୁ” ଓ “କର୍ମବୀର କୃପାସିନ୍ଧୁ” ଗ୍ରନ୍ଥଦ୍ୱୟର ରଚକ ଥିଲେ ଯଥାକ୍ରମେ ଚିନ୍ତାମଣି ଦାସ ଓ ହାଡ଼ିବନ୍ଧୁ ମିଶ୍ର । ରଚୟିତାମାନେ ଏହି ଅନୁଷ୍ଠାନର ଛାତ୍ର ଥିଲେ । ମୁଖ୍ୟତଃ ଏହି ସୃଷ୍ଟି ସମୂହରୁ ପଣ୍ଡିତ କୃପାସିନ୍ଧୁଙ୍କ ବ୍ୟକ୍ତି ଓ ବ୍ୟକ୍ତିତ୍ୱ ଉପରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିଥାଏ ।

 

ଛାତ୍ରବତ୍ସଳ କୃପାସିନ୍ଧୁ :

ଛାତ୍ରମାନଙ୍କୁ ନିଜ ପୁଅଠାରୁ ବଳି ସ୍ନେହ କରିବା କୃପାସିନ୍ଧୁଙ୍କର ଅନ୍ୟତମ ସ୍ଵର୍ଗୀୟ ଗୁଣ ଥିଲା । ସତ୍ୟବାଦୀରେ ଶିକ୍ଷକ ଥିବାବେଳେ ଯଦି କେହି ଛାତ୍ରମାନଙ୍କ ବିରୁଦ୍ଧରେ କିଛି କହେ, ତାହେଲେ ସେ କଥାଟା କୃପାସିନ୍ଧୁ ବାବୁଙ୍କର ପ୍ରାଣରେ ଛୁଞ୍ଚିପରି ପଶିଯାଏ । ଏକଦା ନୀଳକଣ୍ଠ କଠୋର ନିର୍ଦ୍ଦେଶରେ ଜଣେ ଛାତ୍ର ୨୪ ଘଣ୍ଟା ମଧ୍ୟରେ ବୋଡ଼ିଙ୍ଗ ଛାଡ଼ି ଚାଲିଯିବା ଲାଗି ଥିବା ବେଳେ କୃପାସିନ୍ଧୁ ବାବୁ ତାହା ଠାରୁ ସମସ୍ତ ବୃତ୍ତାନ୍ତ ଶୁଣିସାରି ନୀଳକଣ୍ଠ ବାବୁଙ୍କୁ ଏହି ଦଣ୍ଡକୁ କୋହଳ କରିବା ଲାଗି ଅନୁରୋଧ କରିଥିବା କଥା ହାଡ଼ିବନ୍ଧୁ ମିଶ୍ର ପ୍ରକାଶ କରିଛନ୍ତି । ଛାତ୍ରମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ଥିଲା ତାଙ୍କର ଆଉ ଏକ ବ୍ରତ । ଭଲ ପିଲାଟିଏ ଦେଲେ ସେ ତାକୁ ପୁଅ କରିଦିଅନ୍ତି । ତାର ସବୁପ୍ରକାର ଅଭାବ, ଅସୁବିଧା, ଆପତ୍ତି ଅଭିଯୋଗ ଆପଣେ ବିଚାରି ମାଗିବା ପୂର୍ବରୁ ଶିକ୍ଷକ କୃପାସିନ୍ଧୁ ଯୋଗାଇବାକୁ ପ୍ରସ୍ତୁତ ହୋଇଥାନ୍ତି । ନିଃସନ୍ତାନର ଦୁଃଖକୁ ଦୂର କରିବା ଲାଗି ହୃଦୟର ସମସ୍ତ ସ୍ନେହ ଶ୍ରଦ୍ଧାକୁ ସେ ଛାତ୍ରମାନଙ୍କ ଉପରେ ଢାଳିଦେଇଥାନ୍ତି ।

 

ଅଧ୍ୟାପକ ଚିନ୍ତାମଣି ଦାସଙ୍କ ଦୃଷ୍ଟିରେ କୃପାସିନ୍ଧୁଙ୍କ ବ୍ୟକ୍ତିତ୍ଵ ଓ ବିଦ୍‍ବତ୍ତାକୁ ଆକଳନ କରିବା ସାଧାରଣ ମଣିଷଟିଏ ପାଇଁ ସମ୍ଭବ ନଥିଲା । ତାଙ୍କର “ଐତିହାସିକ କୃପାସିନ୍ଧୁ” ଗ୍ରନ୍ଥ ବୋଧହୁଏ ପ୍ରଥମକରି ଶିକ୍ଷକ କୃପାସିନ୍ଧୁଙ୍କ ଉପରେ ଅଧିକ ଆଲୋକପାତ କରିପାରି ପାଠକମାନଙ୍କ ହୃଦୟରେ ଛୁଇଁପାରିଛି ।

 

ଗଣେଶ୍ଵର ତ୍ରିପାଠୀଙ୍କ ଦୃଷ୍ଟିରେ କୃପାସିନ୍ଧୁ ଥିଲେ ମିଷ୍ଟଭାଷୀ, ଛାତ୍ରସ୍ନେହୀ, ଉଦାରମନା ଓ ସଦାନନ୍ଦୀ ଲୋକ ଥିଲେ । ତାଙ୍କର ଜ୍ଞାନଗଭୀର ଥିଲା । ମନୋମାଳିନ୍ୟ ତାଙ୍କୁ ସୁଖ ଲାଗୁନଥିଲା । ପିଲାମାନେ ତାଙ୍କୁ ଅତ୍ୟନ୍ତ ଭକ୍ତି ଓ ସ୍ନେହ କରୁଥିଲେ । ଶିକ୍ଷାଦାନ ପଦ୍ଧତି ତାଙ୍କ ଉଚ୍ଚକୋଟୀର ଥିଲା-। ତାଙ୍କର ହୃଦୟ ସରଳ ଓ ନିଷ୍କପଟ ଥିବାରୁ ତାଙ୍କର ଶତ୍ରୁ ମଧ୍ୟ ତାଙ୍କୁ ସ୍ନେହ କରୁଥିଲେ । ମୋଟ ଉପରେ ସେ ଦେବୋପମ ଆଦର୍ଶ ଶିକ୍ଷକ ଥିଲେ । ପିଲାଙ୍କ ଦୁଃଖ ସେ ସହିପାରୁନଥିଲେ । ତାଙ୍କର ଗୁଣାବଳୀ ଅବର୍ଣ୍ଣନୀୟ ଥିଲା । ଛାତ୍ର ମହଲରେ କୃପାସିନ୍ଧୁ ଥିଲେ ଏକ ଅବ୍ୟକ୍ତ ଅନତିକ୍ରମଣୀୟ ସଭା । ସମସ୍ତ ଛାତ୍ର ତାଙ୍କର ଆଶୀର୍ବାଦ ପାଇବାକୁ ସର୍ବଦା ଚାହିଁ ରହୁଥିବା କଥା ଅଧ୍ୟାପକ ଚିନ୍ତାମଣି ଦାସ ଆଲୋଚନା କରିଯାଇଛନ୍ତି ।

 

କୃପାସିନ୍ଧୁ ମିଶ୍ରଙ୍କର ଅଙ୍ଗସୌଷ୍ଠବ ଛାତ୍ରମାନଙ୍କ ହୃଦୟରେ ଭକ୍ତିଭାବ ଜାତ କରାଉଥିଲା । ଲମ୍ବାଚେହେରା ସାଙ୍ଗକୁ ନିଶଦାଢ଼ୀ ସୁଶୋଭିତ ମୁଖମଣ୍ଡଳ କୃପାସିନ୍ଧୁଙ୍କୁ ଭାରି ମାନୁଥିଲା । ଗମ୍ଭୀର ପ୍ରକୃତି, ଚାଲିଲାବେଳେ ମୁହଁ ତଳକୁ କରିବା, ବାହ୍ୟାଡମ୍ବରରୁ ଦୂରେଇ ରହିବା ସହ ସାଧାରଣ ପୋଷାକ ପରିପାଟୀ ତାଙ୍କର ଅତି ପ୍ରିୟ ଥିଲା । ସତ୍ୟବାଦୀର History Clubର ମୁଖ୍ୟ ରୂପେ କାର୍ଯ୍ୟ କରୁଥିବା ବେଳେ ଛାତ୍ରମାନଙ୍କୁ ଏଥିପ୍ରତି ଅଧିକ ଆକୃଷ୍ଟ କରାଇବାକୁ ଯତ୍ନବାନ ଥିଲେ । ଛାତ୍ର ଓ ଶିକ୍ଷକ ଏହାର ଅଧିବେଶନରେ ସାମିଲ ହୋଇ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଉଥିଲେ । ଏପରି ଏକ ସମୟ ଆସିଲା ଏହି କ୍ଲବର ସଭ୍ୟ ସଂଖ୍ୟା ଶହେରୁ ଟପିଗଲା । କୃପାସିନ୍ଧୁଙ୍କ ଆଲୋଚନାରେ ଭରି ରହିଥିଲା ପୂର୍ଣ୍ଣପ୍ରାଣତା । ଯାହା ସାଧାରଣ ଛାତ୍ରର ହୃଦୟକୁ ଛୁଇଁପାରୁଥିଲା । ଚନ୍ଦ୍ରଶେଖର ମିଶ୍ର ଓ ସଦାଶିବ ମିଶ୍ର ଏହାର ପୂର୍ଣ୍ଣ ସମର୍ଥନ କରିଥିବା ଜଣାଯାଏ । ଛାତ୍ର ଉଦୟନାଥ ଷଡ଼ଙ୍ଗୀଙ୍କ ଦୃଷ୍ଟିରେ କୃପାସିନ୍ଧୁ ମିଶ୍ର ଥିଲେ ପ୍ରଥମେ ଐତିହାସିକ ପରେ ଜଣେ ଶିକ୍ଷକ । ତାଙ୍କର ଅତିଥି ପରାୟଣତାକୁ ଅନୁଭବୀ ହିଁ କେବଳ ଅନୁଭବ କରିପାରେ ।

 

ତତ୍-କାଳୀନ ସମାଜର ଅଗ୍ରପୂଜ୍ୟ ବରେଣ୍ୟ ଉତ୍କଳ ପୁତ୍ରମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି, ବାବୁ ବ୍ରଜସୁନ୍ଦର ଦାସ, ମଧୁସୂଦନ ଦାଶ, କଟକ ଟ୍ରେଡ଼ିଙ୍ଗ କମ୍ପାନୀର ମ୍ୟାନେଜର ଆକୁଳି ମିଶ୍ର କାବ୍ୟତୀର୍ଥଙ୍କ ସଙ୍ଗେ କଲିକତା ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ବାବୁ ଶାରଦା ଚରଣ ମିଶ୍ରଙ୍କ ପ୍ରତ୍ୟେକଟି ମତାମତ କୃପାସିନ୍ଧୁଙ୍କୁ ଉତ୍କଳର ପାଠକମାନଙ୍କ ନିକଟରେ ପରିଚିତ କରାଇପାରିଥିଲା । ୧୯୧୭ ମସିହାରେ ବାରବାଟୀ ଦୁର୍ଗ ଗ୍ରନ୍ଥ ପ୍ରଥମେ ପ୍ରକାଶ ପାଇଲା । ଏଥିରେ ଫକୀରମୋହନ ସେନାପତି ଓ ମୁକୁରର ସମ୍ପାଦକ ବ୍ରଜସୁନ୍ଦର ଦାସଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ସେନାପତିଙ୍କ ମତରେ ବାରବାଟୀ ପ୍ରବନ୍ଧକୁ ଉତ୍କଳ ଭାଷା ଓ ଭଣ୍ଡାରରେ ଗୋଟିଏ ମାଣିକ୍ୟ ଓ ମୁକୁରର ସମ୍ପାଦକଙ୍କ ମତରେ ଉତ୍କଳ ଯୁବ ପିଢ଼ି କୃପାସିନ୍ଧୁଙ୍କ ଠାରୁ କିଛି ଶିଖନ୍ତୁ ସ କୃପାସିନ୍ଧୁଙ୍କ ପରି କିଛି କିଛି ଗବେଷଣା କରିପାରିଲେ ଉତ୍କଳ ମାତାଙ୍କ ଅଶେଷ କଲ୍ୟାଣ ସାଦ୍ଧିତ ହୋଇପାରିବ ବୋଲି ସ୍ପଷ୍ଟ କରିଛନ୍ତି । କୋଣାର୍କ ଐତିହାସିକ ଗ୍ରନ୍ଥରେ ମଧୁସୂଦନ ଦାଶଙ୍କ ମୁଖବନ୍ଧରେ ପରମ ସ୍ନେହାସ୍ପଦ ଗ୍ରନ୍ଥକାର ବାବୁ କୃପାସିନ୍ଧୁଙ୍କୁ ଜଣେ କୃତବିଦ୍ୟ ଓଡ଼ିଆ ସନ୍ତାନ ରୂପେ ମାନ୍ୟତା ଦେଇଛନ୍ତି । ଗ୍ରନ୍ଥର ସରଳ ସାବଲୀଳ ଭାଷା ଓ ସ୍ପଷ୍ଟ ଲିଖନ ପଦ୍ଧତି ଯୋଗୁଁ ହିଁ ଏହା ଉତ୍କଳରେ ଏକ ଅଦ୍ୱିତୀୟ ପରମ ଆଦରଣୀୟ ଗ୍ରନ୍ଥ ହେବ ବୋଲି ଆଶା ରଖିଛନ୍ତି ।

 

କୃପାସିନ୍ଧୁଙ୍କ ଦେହାନ୍ତ ପରେ ‘‘ଉତ୍କଳ ଇତିହାସ” ପ୍ରକାଶ ପାଇଥିଲା । ଏହାର ଶେଷ ଦଶପୃଷ୍ଠା ଗୋପବନ୍ଧୁ ଦାସ ବହୁ ଅନୁରୋଧରେ କୃପାସିନ୍ଧୁଙ୍କ ଟିପାଖାତା ଅନୁଯାୟୀ ସଂକ୍ଷେପରେ ଲେଖିଥିଲେ । ଆକୁଳି ମିଶ୍ରଙ୍କ କହିବା ଅନୁଯାୟୀ ଏହାର ମୁଖବନ୍ଧ ଲେଖିବାକୁ ଗୋପବନ୍ଧୁ ବାବୁଙ୍କୁ ଅନୁରୋଧ କରନ୍ତେ ସେ କହିଥିଲେ- ‘‘କୃପାସିନ୍ଧୁ ଲିଖିତ ଉତ୍କଳ ଇତିହାସ ମୁଖବନ୍ଧ ଲୋଡ଼େ ନାହିଁ-।’’ ମୁଖବନ୍ଧଟି ଲେଖିବା ପରିବର୍ତ୍ତୀ ସବୁ ଦିନ ପାଇଁ ପଦଟିଏ କଥାରେ ମୁଖବନ୍ଧ କରିଦେଇ ସେ କୃପାସିନ୍ଧୁଙ୍କର ମହନୀୟତାକୁ ପରୋକ୍ଷରେ ପ୍ରକାଶ କରିଗଲେ । ସେହିପରି ଦାସେ ଆପଣେଙ୍କ କଥାରେ କାହାରି ଜୀବନୀ ମୃତ୍ୟୁର ଏତେ ଅବ୍ୟବହିତ ପରେ ଲେଖାଯିବା ଉଚିତ ନୁହେଁ । କାରଣ ସମୟହିଁ ଏହାର ଉତ୍ତର ଦେବାକୁ ସମର୍ଥ । ସତରେ କହିବାକୁ ଗଲେ କୃପାସିନ୍ଧୁ ମିଶ୍ରଙ୍କର ରଚିତ ଗ୍ରନ୍ଥ ଗୁଡ଼ିକ ଏବେବି ପାଠକର ହୃଦୟ ଜିଣିପାରେ । ପରିଶେଷରେ କଲିକତାରେ ହରିଶ ପୋଷ୍ଟ ରୋଡର ମୁଜାଫରଲେନ୍-ର ୨୩ /୨ ରେ ରହି କୃପାସିନ୍ଧୁ ପାଠ ପଢ଼ୁଥିବା ବେଳେ ତତ୍‍କାଳୀନ ବିଶିଷ୍ଟ ନ୍ୟାୟାଧୀଶ ବାବୁ ଶାରଦା ଚରଣ ମିତ୍ରଙ୍କୁ ୯/ ଫେବୃୟାରୀ /୧୯୧୩ରେ ଏକ ପତ୍ରାଳାପ କରିଥିଲେ । ଏଥିରେ ସେ ମିଶ୍ର ମହାଶୟଙ୍କ ଦ୍ୱାରା ରଚିତ ‘‘ଉତ୍କଳେ ଶ୍ରୀକୃଷ୍ଣ ଚୈତନ୍ୟ’’ ଗ୍ରନ୍ଥରେ ଥିବା ଆଲୋଚନାରୁ ଏକ ଗୁରୁତର ତ୍ରୁଟି ବାରବାଟୀ ବିକ୍ଷୟରେ ଅବଧାରଣଶ କରିଥିଲେ – “xxx you will find that it was not two-storied as you say, but a nine-storied building that Raja Mukunda Deo built” ଏହାକୁ ହୃଦୟଙ୍ଗମ କରି ପରବର୍ତ୍ତୀ ସମୟରେ ମିତ୍ରବାବୁ ନିଜର ତୁଟି ଜନିତ ଭୁଲ ପାଇଁ ଦୁଃଖ ପ୍ରକାଶ କରି ପରବର୍ତ୍ତୀ ସଂସ୍କରଣରେ ଏହାକୁ ସଂଶୋଧନ କରିବେ ବୋଲି ମତ ବାଢ଼ିଥିଲେ- “I am very much obliged to you for your letter of the 9th feb. xxx I shall change the word ‘‘dwitala’’ into ‘‘Nabtala’’ in the next edition of my book which is already out of print.”

 

 

ଅଧ୍ୟାପକ ଓଡ଼ିଆ ବିଭାଗ,

ପଞ୍ଚାୟତ କଲେଜ,

ଗୋଡ଼ିପୁଟ, ମାଟିଆପଡ଼ା, ହରିପୁର, ଜଟଣୀ

 

 

ସହାୟକ ପୁସ୍ତକ :

୧.

ସତ୍ୟବାଦୀ ସ୍କୁଲ ପରିଚାଳନା କମିଟି ରିପୋର୍ଟ-୧୯୧୨-୧୩ରୁ ୧୯୧୮-୧୯

୨.

ସତ୍ୟବାଦୀ ସ୍କୁଲ ପରିଦର୍ଶକ ମନ୍ତବ୍ୟ ପୁସ୍ତିକା-୧୯୧୩ରୁ ୧୯୨୦

୩.

ବାରବାଟୀ ଦୁର୍ଗ- କୃପାସିନ୍ଧୁ ମିଶ୍ର – ପ୍ର-ବ୍ରଜସୁନ୍ଦର ଦାସ- ମୁକୁର ପ୍ରେସ, କଟକ । ପ୍ର-ପ୍ର-୧୯୧୭

୪.

ତତ୍ରୈବ- ପ୍ର-ହରେକୃଷ୍ଣ ଦାସ- ଚନ୍ଦ୍ରୋଦୟ ପ୍ରେସ, କଟକ- ଦି-ପ୍ର-୧୯୧୮

୫.

କୋଣାର୍କ- କୃପାସିନ୍ଧୁ ମିଶ୍ର- ଲାର୍କ ବୁକସ -ଷ୍ଟୋନିରୋଡ଼, କଟକ / ୧୯୮୪

୬.

ଉତ୍କଳ ଇତିହାସ- କୃପାସିନ୍ଧୁ ମିଶ୍ର - ଉତ୍କଳ ଟ୍ରେଡ଼ିଙ୍ଗ କଂପାନୀ କଟକ / ୧୯୨୬

୭.

ଆତ୍ମଜୀବନୀ- ନୀଳକଣ୍ଠ ଦାସ- କଟକ ଷ୍ଟୁଡେଣ୍ଟ ଷ୍ଟୋର କଟକ /୧୯୮୬

୮.

ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ- ଗୋଦାବରୀଶ ମିଶ୍ର-- ଗ୍ରନ୍ଥ ମନ୍ଦିର-କଟକ / ୧୯୮୩

୯.

କର୍ମବୀର କୃପାସିନ୍ଧୁ- ହାଡ଼ିବନ୍ଧୁ ମିଶ୍ର-ପ୍ର-ଦୀନବନ୍ଧୁ ସାହିତ୍ୟ ମନ୍ଦିର- କଟକ / ୧୯୨୭

୧୦.

ଐତିହାସିକ କୃପାସିନ୍ଧୁ- ଚିନ୍ତାମଣି ଦାସ- ଗୋପବନ୍ଧୁ ସାହିତ୍ୟ ମନ୍ଦିର- କଟକ / ୧୯୬୨

୧୧.

ସତ୍ୟବାଦୀରେ ସାତବର୍ଷ-ଚନ୍ଦ୍ରଶେଖର ମିଶ୍ର- ଅମ୍ବିକା ପ୍ରେସ-କଟକ / ୧୯୫୩

୧୨.

ସତ୍ୟବାଦୀ ବନବିଦ୍ୟାଳୟ-ଗଣେଶ୍ଵର ତ୍ରିପାଠୀ-ଯନ୍ତ୍ରସ୍ଥ

୧୩.

ସତ୍ୟବାଦୀ ବିହାରର ସ୍ମୃତି -ଉଦୟନାଥ ଷଢ଼ଙ୍ଗୀ-ରାଷ୍ଟ୍ରଭାଷା ସମବାୟପ୍ରକାଶ-କଟକ / ୧୯୮୫

୧୪.

ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ- ବିକ୍ରମ ଦାସ- ଓଡ଼ିଶା ସାହିତ୍ୟ ଏକାଡେମୀ । ୨୦୦୦

୧୫.

ଅର୍ଦ୍ଧଶତାବ୍ଦୀର ଅନୁଭୂତି- ଚିନ୍ତାମଣି ମିଶ୍ର- ନବଜୀବନ ପୁସ୍ତକାଳୟ- ଚାନ୍ଦିନୀଚୌକ-କଟକ / ୧୯୮୩

୧୬.

ଜୀବନ ଓ ଜୀବିକା – ହରିହର ମହାପାତ୍ର- ଚାଳନ୍ଦା- କଟକ ।

 

 

C/୦ ଶ୍ରୀ ନିବାସ ରଥ, ଚିନ୍ତାମଣିଶ୍ଵର ମନ୍ଦିର ପାଖ,

ପ୍ଲଟ ନଂ-୧୩୫, ପୋଷ୍ଟ-ବୁଦ୍ଧେଶ୍ୱରୀ,

ଭାବନେଶ୍ୱର-୭୫ ୧୦୦୬

 

***

 

ଏକାଡେମୀ ସମାଚାର

 

ବ୍ରଜନାଥ ବଡ଼ଜେନା ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦଙ୍କ ମିଳିତ ସହଯୋଗରେ ଗତ ତା.୧୪.୦୪.୨୦୦୫ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଢେଙ୍କାନାଳସ୍ଥ ଟାଉନ୍‍ହଲ ପରିସରରେ ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଉତ୍ସବ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ସାହିତ୍ୟିକ ଓ ବାଗ୍ମୀ ପାର୍ଥସାରଥି ଅଜୟ କୁମାର ବାରିକ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବି ବ୍ରଜନାଥ ବଡ଼ଜେନାଙ୍କ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟର ଏକ ବିରଳ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ ।

 

ଜଗନ୍ନାଥ ପାଣି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଲୋକକବି ଜଗନ୍ନାଥ ପାଣି ସ୍ମୃତି କମିଟି ପକ୍ଷରୁ ଗତ ତା ୧୫,୦୪, ୨୦୦୫ରିଖ ଅପରାହ୍ନ ୬ ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥ ଭଞ୍ଜକଳାମଣ୍ଡପରେ ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ଉତ୍ସବ ବିଶିଷ୍ଟ ରାଜନୀତିଜ୍ଞ ଶ୍ରୀଯୁକ୍ତ ଯୁଗଳକିଶୋର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାହିତ୍ୟିକ ତଥା ନାଟ୍ୟକାର ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଲୋକକବିଙ୍କ ରଚନା କିଭଳି ଭାବରେ ସେ ସମୟରେ ଜନମାନସକୁ ପ୍ରଭାବିତ କରିଥିଲା, ତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟଅତିଥି ନାଟ୍ୟକାର ଗୋପାଳଚନ୍ଦ୍ର ପଟ୍ଟନାୟକ ତାଙ୍କ ଭାଷଣରେ ଜଗନ୍ନାଥ ପାଣିଙ୍କୁ ଜଣେ ଉଚ୍ଚକୋଟୀର ସ୍ରଷ୍ଟାଭାବରେ ଅଭିହିତ କରିଥିଲେ । ବରପୁତ୍ରମାନଙ୍କର ସ୍ମୃତିଚାରଣ କରିବା ଏକାଡେମୀର ପରମ କର୍ତ୍ତବ୍ୟ ବୋଲି ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ଭାଷଣ ପ୍ରସଙ୍ଗରେ କହିଥିଲେ ।

 

ଭକ୍ତକବି ଦୀନକୃଷ୍ଣ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦଙ୍କ ମିଳିତ ସହଯୋଗରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଉତ୍ସବ ଗତ ତା. ୨୪.୦୪.୨୦୦୫ ରିଖ ପୂର୍ବାହ୍ନ ୨ ଘଣ୍ଟା ସମୟରେ ଜଳେଶ୍ୱରସ୍ଥ ଟାଉନ୍-ହଲ୍‌ଠାରେ ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଫେସର ବୈଷ୍ଣବଚରଣ ସାମଲ ମୁଖ୍ୟ ଅତିଥି, ଡକ୍ଟର ରମାକାନ୍ତ ବେହେରା ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ଦୀନକୃଷ୍ଣଙ୍କ ସାହିତ୍ୟ ସୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ-। ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ସାର୍ ବାସୁଦେବ ସୁଢଳଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାମଣ୍ଡା ସାହିତ୍ୟ ସଂସଦ ଦେବଗଡ଼ଙ୍କ ମିଳିତ ସହଯୋଗରେ ପ୍ରଖ୍ୟାତ ସାରସ୍ୱତ ସାଧକ ସାର୍ ବାସୁଦେବ ସୁଢ଼ଳଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଗତ ତା.୧୬.୦୫.୨୦୦୫ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଦେବଗଡ଼ସ୍ଥ ରାଜା ବାସୁଦେବ ସୁଢ଼ଳଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଡକ୍ଟର ରାମଚନ୍ଦ୍ର ବ୍ରହ୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଏହି ଉତ୍ସବରେ ବରିଷ୍ଠ କବି ଶ୍ରୀଯୁକ୍ତ ବ୍ରଜନାଥ ରଥ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ପ୍ରଭାକର ସ୍ଵାଇଁ ସମ୍ମାନନୀୟ ଅତିଥି, ଡକ୍ଟର ଫଣୀନ୍ଦ୍ରଭୂଷଣ ନନ୍ଦ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ପ୍ରାରମ୍ଭିକ ସୂଚନା ଓ ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସନ୍ଥକବି ଭୀମଭୋଇ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସାହିତ୍ୟ ପରିଷଦ, ରେଢ଼ାଖୋଲଙ୍କ ମିଳିତ ସହଯୋଗରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଉତ୍ସବ ତା. ୨୩.୦୫.୨୦୦୫ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀଙ୍କ ପୌରୋହିତ୍ୟରେ କଦମ୍ବ ପଡ଼ିଆ, ରେଢ଼ାଖୋଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧା ଓ ଶ୍ରୀଯୁକ୍ତ ଶରତନାରାୟଣ ବେହେରା ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଭୀମଭୋଇଙ୍କ ସାରସ୍ୱତ ସାଧନା ଓ ଜୀବନାଦର୍ଶ ଉପରେ ବିଷଦ୍ ଆଲୋଚନା କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସୂଚନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରସ୍ୱତ ସମାରୋହ ସମିତି, ସାଲେପୁରଙ୍କ ମିଳିତ ଆନୁକୂଲ୍ୟରେ ଗତ ତା.୨୧.୦୬.୨୦୦୫ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସାଲେପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀଙ୍କ ପୌରୋହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଡକ୍ଟର ଅବନୀଭୂଷଣ କାନୁନ୍‍ଗୋ, ଡକ୍ଟର ବିଜୟାନନ୍ଦ ସିଂହ ଓ ଶ୍ରୀଯୁକ୍ତ ଅଭୟ ନାୟକ ସମ୍ମାନନୀୟ ବକ୍ତା ଭାବରେ ଯୋଗଦେଇ ସୁରେନ୍ଦ୍ରଙ୍କ ସୃଷ୍ଟି ସମଗ୍ର ଉପରେ ଆଲୋଚନା କରିଥିଲେ-। ସାରସ୍ୱତ ସମାରୋହ ସମିତିର ସମ୍ପାଦକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

କୋଣାର୍କ କବିତାର ଗୀତିକବିତା ବିଶେଷାଙ୍କ

ଓଡ଼ିଶା ସାହିତ୍ୟ ଏକାଡ଼େମୀର ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ୧୩୭ ତମ ସଂଖ୍ୟାଟି । ଗୀତିକବିତା ବିଶେଷାଙ୍କ ଭାବରେ ତା ୨୬.୦୫.୨୦୦୫ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପଞ୍ଚାୟତିରାଜ ବିଭାଗର ମାନ୍ୟବର ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦ୍ଵାରା ସଚିବାଳୟସ୍ଥିତ ମନ୍ତ୍ରୀ ମହୋଦୟଙ୍କ ପ୍ରକୋଷ୍ଠରେ ଉନ୍ମୋଚିତ ହୋଇଯାଇଛି ।

 

ଏହି ଲୋକାର୍ପଣ ଉତ୍ସବରେ କୋଣାର୍କ ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀ, ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ଗତ ତା ୨୭.୦୬:୨୦୦୫ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ବୀରପ୍ରତାପପୁର ଶାସନଠାରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ପୌରୋହିତ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ ସମ୍ମାନନୀୟ ଅତିଥି ଓ ପ୍ରାବନ୍ଧିକ ସୌରୀବନ୍ଧୁ କର ଓ ରବୀନ୍ଦ୍ରନାଥ ଦାସ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସାରସ୍ୱତ ସୃଷ୍ଟି ସହିତ ତାଙ୍କ ସାଧନାମୟ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।

 

ବିକ୍ରମଦେବ ବର୍ମା ଜୟନ୍ତୀ

ସାରସ୍ୱତ ସାଧକ ରାଜା ବିକ୍ରମଦେବ ବର୍ମାଙ୍କ ୧୩୬ ତମ ଜୟନ୍ତୀ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ ତଥା ଜୟପୁର ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଗତ ତା ୨୮.୦୬.୨୦୦୫ରିଖ ଅପରାହ୍ନ ୬ ଘଣ୍ଟା ସମୟରେ ଜୟପୁରସ୍ଥ ଟାଉନ୍-ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବେହେରା ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନୀୟ ଅତିଥି ଭାବରେ ଏକ ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀ ଓ ଡକ୍ଟର ପ୍ରକାଶ କୁମାର ସେନାପତି ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ବିକ୍ରମଦେବ ବର୍ମାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ (ଉପଜିଲ୍ଲାପାଳ, ଜୟପୁର) ଏଥିରେ ସଭାପତିତ୍ୱ କରିଥିଲେ ଏବଂ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମା ପ୍ରାରମ୍ଭରେ ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଲବ୍ଧ ପ୍ରତିଷ୍ଠ କବି ଓ କଥାକାର କାଳିନ୍ଦୀଚରଣ ପାଣିଗ୍ରାହୀ ଜୟନ୍ତୀ

କଟକସ୍ଥ ଶତାବ୍ଦୀ ଭବନଠାରେ ତା. ୨.୭.୨୦୦୫ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଲବ୍ଧ ପ୍ରତିଷ୍ଠ କବି ଓ କଥାକାର କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ଉତ୍ସବ ଅବସରରେ ଆୟୋଜିତ ସାରସ୍ୱତ ସଭାରେ ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀ ପୌରୋହିତ୍ୟ କରିଥିଲେ ।

 

ଉତ୍ସବର ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଦାସବର୍ମା ଏକାଡେମୀର ଆଭିମୁଖ୍ୟ ଓ ଜୟନ୍ତୀ ସମ୍ୱନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସହଯୋଗୀ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜିତ୍‌ ପଟ୍ଟନାୟକ ମଧ୍ୟ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ରାୟ, ମୁଖ୍ୟ ଅତିଥି, ଶ୍ରୀମତୀ ଚନ୍ଦ୍ରିକା ମହାପାତ୍ର, ସମ୍ମାନନୀୟ ଅତିଥି ଏବଂ ଇଂ. ପ୍ରଭାକର ସ୍ୱାଇଁ ସମ୍ମାନନୀୟ ଅତିଥିଭାବରେ ଯୋଗଦାନ କରି କବି ତଥା କଥାକାର କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ସାରସ୍ୱତ ପ୍ରତିଭା ସମ୍ୱନ୍ଧରେ ଆଲୋଚନା କରିଥିଲେ । ଶେଷରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ତା.୧୩.୭.୨୦୦୫ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୬୭ତମ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ୱତ ସଭା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ସାହିତ୍ୟ ସମାଜ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏକାଡେମୀର ସଭାପତି ଡକ୍ଟର ଗଣେଶ୍ୱର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ରାୟ ମୁଖ୍ୟ ଅତିଥି ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନନୀୟ ଅତିଥି ଏବଂ ବିଶିଷ୍ଟ ସାହିତ୍ୟ ସମାଲୋଚକ, ପ୍ରାବନ୍ଧିକ ଡକ୍ଟର ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ଏବଂ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଶ୍ରୀଯୁକ୍ତ ହୃଦାନନ୍ଦ ରାୟ ସଭାକୁ ଉଦ୍‌ଘାଟନ କରିଥିଲେ । ଗୌରୀଶଙ୍କର ରାୟ ଏକାଧାରରେ ଜଣେ ନିଷ୍ଠାପର ସାହିତ୍ୟ ସାଧକ, ସମାଜ ସଂସ୍କାରକ ଓ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି ସଭାର ସମସ୍ତ ଅତିଥି ଓ ବକ୍ତା ମତ ପୋଷଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରାଯିବା ପରେ ସଭାସାଙ୍ଗ ହୋଇଥିଲା ।

 

କବି-ମନୀଷୀ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦ, ଶ୍ରୀରାମଚନ୍ଦ୍ରପୁରଙ୍କ ମିଳିତ ସହଯୋଗରେ ସତ୍ୟବାଦୀ ଯୁଗର ଅନ୍ୟତମ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମସ୍ଥାନ ସାକ୍ଷୀଗୋପାଳସ୍ଥିତ ଶ୍ରୀରାମଚନ୍ଦ୍ରପୁରଶାସନଠାରେ ୫ ଅଗଷ୍ଟ ୨୦୦୫ରେ ଏକାଡେମୀର ସଭାପତି ଡକ୍ଟର ଗଣେଶ୍ୱର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ବିପ୍ଳବୀ କବି ରବି ସିଂହ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପଣ୍ଡିତଙ୍କ ସହ ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କର ଅବତାରଣା କରି ନୀଳକଣ୍ଠଙ୍କ ପ୍ରଚଣ୍ଡ ପ୍ରତିଭା ବିଶ୍ୱ ଦରବାରରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ ।

 

ବିଶିଷ୍ଟ ପ୍ରବକ୍ତା ଓ ବାଗ୍ମୀ ଡକ୍ଟର ତୀର୍ଥାନନ୍ଦ ମିଶ୍ର ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ ନୀଳକଣ୍ଠଙ୍କ ଜାତୀୟତାବାଦ, ସମାଜସଂସ୍କାର, ସାରସ୍ୱତ ସାଧନା ଓ ସ୍ୱାଧୀନତା ସଂଗ୍ରାମରେ ତ୍ୟାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

 

ଯୁବ ସାହିତ୍ୟିକ ତଥା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକତାର ବରିଷ୍ଠ ଅଧିକାରୀ ଡକ୍ଟର ତାପସ କୁମାର ସାମନ୍ତରାୟ ନୀଳକଣ୍ଠଙ୍କୁ ସତ୍ୟବାଦୀ ଯୁଗର ଅନ୍ୟତମ ସାର୍ଥକ ସାରଥି ଭାବରେ ବର୍ଣ୍ଣନା କରି ତାଙ୍କର ସାରସ୍ଵତ କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।

 

ଆଚାର୍ଯ୍ୟ ଯୁବ ପରିଷଦର ସଭାପତି ଶ୍ରୀ ଛାୟାକାନ୍ତ ମିଶ୍ର ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଔପନ୍ୟାସିକ କାହ୍ନୁଚରଣ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଲୋକପ୍ରିୟ ଔପନ୍ୟାସିକ କାହ୍ନଚରଣଙ୍କ ଜୟନ୍ତୀ କଟକସ୍ଥ ଶତାବ୍ଦୀ ଭବନରେ ୧୧ ଅଗଷ୍ଟ ୨୦୦୫ ସଂଧ୍ୟାରେ ପ୍ରଫେସର ହୃଦାନନ୍ଦ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଔପନ୍ୟାସିକ କାହ୍ନୁଚରଣଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସାରସ୍ୱତ ଆସରର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଗାଳ୍ପିକ ଚନ୍ଦ୍ର ଶେଖର ଦାସବର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

 

ମୁଖ୍ୟବକ୍ତା ଭାବରେ ଜୟନ୍ତୀ ସଭାରେ ଯୋଗ ଦେଇ ବରିଷ୍ଠ ଲେଖିକା ଓ କବୟିତ୍ରୀ ଡକ୍ଟର ରଞ୍ଜିତା ନାୟକ କାହ୍ନୁଚରଣଙ୍କ ଉପନ୍ୟାସର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ ।

 

ସମ୍ମାନନୀୟ ଅତିଥି ଡକ୍ଟର ହେମନ୍ତ କୁମାର ଦାସ କାହ୍ନୁଚରଣଙ୍କ ବାସ୍ତବରେ ଫକୀରମୋହନଙ୍କ ଉଚିତ ଦାୟଦ ବୋଲି ଉଲ୍ଲେଖ କରିଥିଲେ ।

 

ମୁଖ୍ୟ ଅତିଥି ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନି କାହ୍ନୁଚରଣଙ୍କ ସହ ତାଙ୍କର କେତେକ ଅନ୍ତରଙ୍ଗ ମୁହୁର୍ତ୍ତର ଅବତାରଣା କରି ଓଡ଼ିଆ ଉପନ୍ୟାସ ରଚନା କ୍ଷେତ୍ରରେ କାହ୍ନୁଚରଣଙ୍କ ଅତୁଳନୀୟ ଦାନ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ ।

 

ସାରସ୍ୱତ ଆସରରେ ପୌରୋହିତ୍ୟ କରି ପ୍ରଫେସର ହୃଦାନନ୍ଦ ରାୟ ସ୍ମତିଚାରଣ କରି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଓ ଉଦାରମନା ସ୍ଵଭାବ ନିମନ୍ତେ ସେ ସଦାସର୍ବଦା ସ୍ମରଣୀୟ ରହିବେ ବୋଲି କହିଥିଲେ ।

 

ଏକାଡେମୀର ସଦସ୍ୟ ଶ୍ରୀ ସଂଜିତ୍ କୁମାର ପଟ୍ଟନାୟକ ଉପସ୍ଥିତ ଶ୍ରୋତା ଓ ବରେଣ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

 

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ, ବରପାଲିଙ୍କ ମିଳିତ ଆନୁକୂଲ୍ୟରେ ତା. ୧୯.୦୮.୨୦୦୫ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ବରପାଲିସ୍ଥ ଗଙ୍ଗାଧର ସ୍ମୃତିମଣ୍ଡପଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୪୩ତମ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶ୍ରୀଯୁକ୍ତ ଜଗଦାନନ୍ଦ ପଣ୍ଡା, ସହରାଞ୍ଚଳ ରାଜସ୍ୱ କମିଶନର ମୁଖ୍ୟ ଅତିଥି, ଇଂ ପ୍ରଭାକର ସ୍ୱାଇଁ ଏବଂ ଶ୍ରୀଯୁକ୍ତ ଶରତ ନାରାୟଣ ବେହେରା ସମ୍ମାନନୀୟ ଅତିଥି, ପାର୍ଥସାରଥି ଅଜୟ ବାରିକ୍ ମୁଖ୍ୟବକ୍ତା ଓ ଡକ୍ଟର ମଣୀନ୍ଦ୍ର କୁମାର ମେହେର ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଗଙ୍ଗାଧର ମେହେରଙ୍କ କାବ୍ୟ ସୃଷ୍ଟିରେ ପ୍ରକୃତିର ରୂପବର୍ଣ୍ଣନା ସମ୍ୱନ୍ଧରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର କ୍ଲବର ସଭାପତି ଡାକ୍ତର ଧୀରେନ୍ଦ୍ର ନାଥ ମୁଣ୍ଡ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳର ନିଷ୍ଠାପର ସାହିତ୍ୟ ସେବକ ପାରଳା ନିବାସୀ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱରସ୍ଥ ହୋଟେଲ କେଶରୀ ସଭାକକ୍ଷରେ ତା. ୨୧.୦୮.୨୦୦୫ରିଖରେ ଡକ୍ଟର ଗଣେଶ୍ଵର ମିଶ୍ର ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସାରସ୍ୱତ ଆସରର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଗାଳ୍ପିକ ଚନ୍ଦ୍ର ଶେଖର ଦାସବର୍ମା ଶ୍ରୀଜଗନ୍ନାଥ ଚରଣାରବିନ୍ଦରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ନିମନ୍ତ୍ରିତ ଅତିଥିମାନଙ୍କୁ ସଭାମଞ୍ଚକୁ ଆସିବା ପାଇଁ ଅନୁରୋଧ ଜଣାଇଥିଲେ ଏବଂ ଆସରରେ ଯୋଗ ଦେଇଥିବା ଅତିଥି ଓ ଗୋପୀନାଥ ପ୍ରେମୀ ସାହିତ୍ୟିକମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ ।

 

ସମ୍ମାନନୀୟ ଅତିଥି ଶ୍ରୀ ତରୁଣ କୁମାର ସାହୁ ତାଙ୍କ ଭାଷଣ ପ୍ରସଙ୍ଗରେ ପଣ୍ଡିତ ଗୋପୀନାଥଙ୍କ ସଂସ୍କୃତ ଭାଷାର ପାଣ୍ଡିତ୍ୟ ଓ ପ୍ରତିଭା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ ଏବଂ ତାଙ୍କର ସମାଲୋଚନା ସାହିତ୍ୟରେ ଏକ ନୂତନ ଦିଗନ୍ତ ସୃଷ୍ଟି ସମ୍ପର୍କରେ ସୂଚାଇଥିଲେ ।

 

ସମ୍ମାନନୀୟ ଅତିଥି ଡକ୍ଟର ବିଜୟାନନ୍ଦ ସିଂହ ତାଙ୍କର ଭାଷଣ ପ୍ରସଙ୍ଗରେ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ଗୋପୀନାଥ ନନ୍ଦ ଓଡ଼ିଆ ସାହିତ୍ୟରେ କିପରି ଦିଗଦର୍ଶକ ଥିଲେ, ସେ ସମ୍ପର୍କରେ ଆଲୋଚନା କରିଥିଲେ ।

 

ମୁଖ୍ୟଅତିଥି ଡକ୍ଟର ଗଗନେନ୍ଦ୍ର ନାଥ ଦାସ ତାଙ୍କ ଭାଷଣ ପ୍ରସଙ୍ଗରେ ଗୋପୀନାଥଙ୍କ ସାହିତ୍ୟ କ୍ଷେତ୍ରରେ ଥିବା ନୈଷ୍ଟିକ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାର ପ୍ରକୃତି ନିରୂପଣ, ଓଡ଼ିଆ କବି ସାରଳା ଦାସଙ୍କ ମହାକାବ୍ୟ ମହାଭାରତର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ସୁବିଶାଳ ସାହିତ୍ୟିକ ଉଦ୍ୟମରେ ସେ ଯେଉଁ ଅନନ୍ୟ ସାଧାରଣ କୃତିତ୍ଵ ଦେଖାଇ ଅଛନ୍ତି ତାହା ତାଙ୍କ ଅଧ୍ୟବସାୟ ଓ ଆନ୍ତରିକତାର ପରିଚୟ ବୋଲି ସେ ତାଙ୍କ ଭାଷଣରେ ଜଣାଇଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ

ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଅବସରରେ ଏକ ସାରସ୍ୱତ ସଭା ତା.୧୧.୦୯, ୨୦୦୫ ରିଖ ସଂଧ୍ୟା ୬.୩୦ ସମୟରେ ବ୍ରହ୍ମଗିରିସ୍ଥ ଅଲାରନାଥ ମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସ୍ଥାନୀୟ ଅନୁଷ୍ଠାନ ଯୁଗଜ୍ୟୋତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

 

ଶିକ୍ଷାବିତ୍ ସାରସ୍ୱତ ସାଧକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସମ୍ମାନନୀୟ ଅତିଥି, ଶିକ୍ଷାବିତ୍ ଶ୍ରୀ ବଳରାମ ଦାସ, ସାରସ୍ୱତ ସାଧକ ଶ୍ରୀ ସଂଜୟ ଦାସବର୍ମା ମୁଖ୍ୟବକ୍ତା, ଜଗନ୍ନାଥ ତତ୍ତ୍ୱବିତ୍, ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ଏବଂ ଡକ୍ଟର (ଶ୍ରୀମତୀ) ତୁଳସୀ ଓଝା ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଶେଷରେ ଯୁଗଜ୍ୟୋତି ସାହିତ୍ୟ ସଂସଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

କବି ବୈକୁଣ୍ଠନାଥ ପଟ୍ଟନାୟକ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସବୁଜ ଯୁଗର ଅନ୍ୟତମ ଶ୍ରେଷ୍ଠ ସାଧକ କବି ବୈକୁଣ୍ଠନାଥଙ୍କ ଜୟନ୍ତୀ ସ୍ଥାନୀୟ ପାନ୍ଥନିବାସ ସଭାଗୃହରେ ତା ୧୪.୦୯, ୨୦୦୫ରିଖ ସଂଧ୍ୟାରେ ଏକାଡେମୀର ସଭାପତି ଡକ୍ଟର ଗଣେଶ୍ୱର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶିଷ୍ଟ କବି ରବି ସିଂ ବୈକୁଣ୍ଠନାଥଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କ ସହିତ କଟାଇଥିବା କେତେକ ସ୍ମରଣୀୟ ମୁହୂର୍ତ୍ତର ଅବତାରଣା କରିଥିଲେ ।

 

ମୁଖ୍ୟବକ୍ତା ଅଧ୍ୟାପିକା ଡକ୍ଟର ସୁଲୋଚନା ଦାସ କବିଙ୍କୁ ଜଣେ ରହସ୍ୟବାଦୀ ସାଧକ ଭାବରେ ଓଡ଼ିଆ କାବ୍ୟ ସାହିତ୍ୟର ସାର୍ଥକ ଭାବରେ ବର୍ଣ୍ଣନା କରିଥିଲେ ।

 

ସମ୍ମାନନୀୟ ବକ୍ତା ଡକ୍ତର ବିକାଶ ପଣ୍ଡା କବି ବୈକୁଣ୍ଠନାଥଙ୍କ ସାହିତ୍ୟ ସୃଷ୍ଟି ସମ୍ପର୍କରେ ଏକ ଉଚ୍ଚକୋଟୀର ଲିଖିତ ସନ୍ଦର୍ତ୍ତ ପାଠ କରିଥିଲେ ।

 

ସମ୍ମାନନୀୟ ଅତିଥି ଭାବରେ ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ ଓ ଶ୍ରୀ ରବୀନ୍ଦ୍ରନାଥ ଦାସ ଉତ୍ସବରେ ଯୋଗ ଦେଇ କବିଙ୍କ ଜୀବନାଦର୍ଶ ଓ ସାରସ୍ୱତ ସିଦ୍ଧି ସମ୍ପର୍କରେ ବିଶଦ୍ ଭାବରେ ଆଲୋଚନା କରିଥିଲେ ।

 

ସଭାପତି ଡକ୍ଟର ଗଣେଶ୍ଵର ମିଶ୍ର ଉତ୍ସବରେ ପୌରୋହିତ୍ୟ କରି ତାଙ୍କର ପିଲାଦିନର ସ୍ମୃତିର ଅବତାରଣା କରି ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥିବା ସମୟରେ ପ୍ରଧାନଶିକ୍ଷକ ଥିବା କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି ତାଙ୍କ ସାରସ୍ୱତ ସାଧନା ସମ୍ପର୍କରେ ଅବଗତ ହୋଇଥିଲେ ।

 

ଜୟନ୍ତୀ ଉତ୍ସବ ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ତୈମାସିକ ସମାଚାର ପତ୍ରିକାର ପ୍ରଥମ ସଂଖ୍ୟାକୁ କବି ରବି ସିଂହ ଉନ୍ମୋଚନ କରିଥିଲେ । ସମାଚାର ପତ୍ରିକା ମାଧ୍ୟମରେ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟଧାରା ସମ୍ପର୍କରେ ସାହିତ୍ୟିକମାନେ ଅଧିକ ଜ୍ଞାତ ହେବେ ଏବଂ ଏହା ଏକ ସଫଳ ସାଧୁ ଉଦ୍ୟମ ବୋଲି ଶ୍ରୀଯୁକ୍ତ ସିଂହ ପ୍ରକାଶ କରିଥିଲେ ।

 

ସମ୍ପାଦକଙ୍କ ଅନୁପସ୍ଥିତିରେ ଏକାଡେମୀର ଉପସଭାପତି ଡକ୍ଟର ହୁସେନ୍ ରବିଗାନ୍ଧୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

କବିବର ରାଧାନାଥ ରାୟ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭକ୍ତକବି ରାଧାନାଥ ସ୍ମୃତି ସଂଦସଙ୍କ ମିଳିତ ଆନୁକୁଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ତା. ୨୮.୦୯.୨୦୦୫ରିଖ ସଂଧ୍ୟା ୬ ଘଣ୍ଟା ସମୟରେ କେଦାରପୁର ସୋରଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।

 

ଏହି ସଭାରେ ଶ୍ରୀ ଅପୂର୍ବରଞ୍ଜନ ରାୟ ସମ୍ମାନନୀୟ ଅତିଥି, ଡକ୍ଟର ସତ୍ୟରାୟ ମୁଖ୍ୟବକ୍ତା, ଡକ୍ଟର ଗିରିବାଳା ମହାନ୍ତି ଓ ଇଂ ପ୍ରଭାକର ସ୍ୱାଇଁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ରାଧାନାଥଙ୍କ କାବ୍ୟକୃତି ସମ୍ୱନ୍ଧରେ ଆଲୋଚନା କରିଥିଲେ । ରାଧାନାଥ ସ୍ମୃତି ସଂସଦର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ନାୟକ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ରାଜ୍ୟ ସ୍ତରୀୟ କବି ସମ୍ମିଳନୀ

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକତା, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଏକ ଦିନିକିଆ ରାଜ୍ୟସ୍ତରୀୟ କବି ସମ୍ମିଳନୀ ବଲାଙ୍ଗିର ସ୍ଥିତ ଏମ୍.ବି.ଧର୍ମଶାଳା ପରିସରରେ ତା.୩.୧୦.୨୦୦୫ରିଖ ଦିନ ଅନୁଷ୍ଠିତ ହୋଇଥିଲା ।

 

ଏହି ସମ୍ମିଳନୀ ଉକ୍ତ ଦିନ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ଉଦ୍‌ଘାଟିତ ହୋଇଥିଲା । ଶ୍ରୀ ନାରାୟଣ ଚନ୍ଦ୍ର ଜେନା ଜିଲ୍ଲାପାଳ ବଲାଙ୍ଗିର ମୁଖ୍ୟ ଅତିଥି, ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ଓ ଶ୍ରୀ ରବୀନ୍ଦ୍ରନାଥ ଦାସ ସମ୍ମାନନୀୟ ଅତିଥି ଏବଂ ଡକ୍ଟର ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ଏକାଡେମୀର ଉପସଭାପତି ଡ. ହୁସେନ୍ ରବିଗ୍ରୀଧୀ ଏଥିରେ ପୌରୋହିତ୍ୟ କରିଥିଲେ ।

 

ପୂର୍ବାହ୍ନ ୧୧.୪୫ ମିନିଟ୍ ସମୟରେ କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା । ଏଥିରେ ସମ୍ମାନନୀୟ ଅତିଥି ଭାବରେ ଇଂ ପ୍ରଭାକର ସ୍ୱାଇଁ ଓ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ହରିଶଙ୍କର ବଡ଼ପଣ୍ଡା ଏହି କବିତା ପାଠୋତ୍ସବରେ ପୌରୋହିତ୍ୟ କରିଥିଲେ-

 

ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାଳିଆ ସାଂସ୍କୃତି ପରିଷଦ ବାଣପୁରଙ୍କ ମିଳିତ ଆନୁକୁଲ୍ୟରେ ତା. ୨୬.୧୦.୨୦୦୫ରିଖ ସଂଧ୍ୟା ୫.୩୦ ଘଣ୍ଟା ସମୟରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବାଣପୁରସ୍ଥ ରାସମଣ୍ଡପଠାରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

 

ଏହି ସ୍ମୃତି ସଭାରେ ପ୍ରଫେସର ନିତ୍ୟାନନ୍ଦ ନାୟକ, ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ ଓ ଅଧ୍ୟାପକ ଚନ୍ଦ୍ରଶେଖର ଦାସ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଗୋଦାବରୀଶ ମିଶ୍ରଙ୍କ ସାରସ୍ୱତ ଜୀବନ ଓ କୃତି ଉପରେ ଆଲୋଚନା କରିଥିଲେ । ଏକାଡେମୀର ସଭାପତି ଡକ୍ଟର ଗଣେଶ୍ଵର ମିଶ୍ର ଏହି ସଭାରେ ପୌରୋହିତ୍ୟ କରିଥିଲେ ।

***